Welcome to shalandi webzine

ପିଠି

ଡିଲେଶ୍ୱର ରଣା

ସମୟ ଠିକ୍ ଗୋଟାଏ ବାଜିଲା ମୋ ହାତଘଣ୍ଟାରେ । ଫଗୁନ୍ ମାସ ହେଲେ ବି ଶୀତ ଆହୁରି ଯୁଆନ ସାଜୁଥାଏ । ଶୀତକୁ କି ଲାଜ ନା ବର୍ଷାକୁ ଖାତିର କରେ ନା ଖରାକୁ । ଛୁଟି ପଡିଯାଏ ଶନିବାରରୁ ମଙ୍ଗଳବାର । କାଲି ପୁଣି ସ୍କୁଲ ଖୋଲିବ ।

ସମୟ ଠିକ୍ ଗୋଟାଏ ବାଜିଲା ମୋ ହାତଘଣ୍ଟାରେ । ଫଗୁନ୍ ମାସ ହେଲେ ବି ଶୀତ ଆହୁରି ଯୁଆନ ସାଜୁଥାଏ । ଶୀତକୁ କି ଲାଜ ନା ବର୍ଷାକୁ ଖାତିର କରେ ନା ଖରାକୁ । ଛୁଟି ପଡିଯାଏ ଶନିବାରରୁ ମଙ୍ଗଳବାର । କାଲି ପୁଣି ସ୍କୁଲ ଖୋଲିବ । ମୁଁ ସଜବାଜ ହେଉଥାଏ । ବିଶ୍ୱାସହେବନି ଲୋକେ କନିଆ ଦେଖାପାଇଁ ବି ଏତେ ଠା’ ସଜାଡୁନଥିବେ । ମୋର ଦରକାରୀ ଉପକରଣ ଏୟାରବେଗରେ ସଜିଲ୍ କଲା ପରେ ମୁଁ ବାହାରିଲି, ମୋ ପେସନ୍ ପ୍ରୋ ଫଟ୍‌ଫଟିରେ । ପଛପଟେ ଝୁଲୁଥିବା ବ୍ୟାଗ ଦେଖିଲେ ଲୋକେ କହିବେ ଏ ପାଠ ପଢାଇବାକୁ ଯାଉନି; ସର୍ଜିକାଲ ଷ୍ଟ୍ରାଇକ୍‌ରେ ଭାଗ ନେବାକୁ ଯାଉଛି । କଣ କରିବା କୁହନ୍ତୁ ତ? ସର୍କାର ମାହାପୁରୁଙ୍କ ଦୟାରୁ ଘରଠୁ ମୋର କର୍ମକ୍ଷେତ୍ର ସ୍କୁଲ ପାଂଚକୋଡ଼ି ଦଶ କିଲୋମିଟର । ମଙ୍ଗଳବାର ପାଳି ହାଟ । ସାପ୍ତାହିକ ବଜାର । ଭବାନୀପାଟଣା ପାରେଇଛି କି ନାହିଁ ଦୂରରୁ ଦେଖିଲି ଲୋକ ଜଣେ ମୋ ଗାଡିକୁ ଲକ୍ଷ୍ୟ କରି ହାତ ହଲଉଛି ଯେମିତି ଟ୍ରେନ୍ ଆସିଲା ବେଳକୁ ଗେଟମେନ୍ ମାନେ ନାଲି, ସବୁଜ ଝଣ୍ଡା ଲହରାନ୍ତି ।
ମନକୁ ମନ ଭାବୁଥିଲି, କଣ କରିବି? କଣ ଆଉ କରନ୍ତି । ଅନିଚ୍ଛା ସତ୍ତ୍ୱେ ଠକ୍ କରି ଦାବିଦେଲି ଗାଡିର ବ୍ରେକ୍‌ଟା । ହେଲମେଟ୍ ଉପରକୁ ଟେକି ଚାହିଁଲି । ବୁଢାଲୋକଟା ଥୁଡୁଥୁଡୁ ହୋଇ କହିଲା - ବା! ଗୋ ମର୍ ଗାଁ କେ ଯିମି; ଟିକେ ନେ’ରେ ବୁଆ ।
ବୁଢା ବୋଇଲେ ଜବର୍ ବୟସ ହୋଇଥିବ । ତା’ ବୟସର ଗଛ ଗୁଡିକ ବି ଆମ ଗାଁରୁ ଉଭାନ ହେଇସାରିବେଣି । ପାଖାପାଖୀ ଅଶୀ ଛୁଇଁବଣି । ମୁଁହରେ ମେଞ୍ଚାଏ ଦାଢି ସାଲୁବାଲୁ । ମୁଣ୍ଡଟା ଅଧା ଚନ୍ଦା । ବହଳ ଅଠା ପରି ଜଡାତେଲ ଲେପି ହୋଇ ବସିଯାଇଛି ବାକିଥିବା ଦି’କେରା ପାଚିଲା ବାଳରେ । ଗାଲ ଦି’ଟା ପଶିଯାଇଛି ଭିତରକୁ କେଉଁ କାଳରୁ । ହେଲେ ଆଖିରେ ଏବେ ବି ସେଇ କରୁଣତା, ଠିକ୍ ତା ମାଁକୁ ଯେମିତି ଚାହୁଁଥିଲା ପିଲାବେଳେ; ଗୋଟେ ପାଞ୍ଚବର୍ଷ ଛୁଆର ଚପଳତା । ଓଠ ବିଲ୍‌କୁଲ୍ କଳା । ଦେହରେ ଘୋଡେଇଛି ଖଣ୍ଡେ ସାତହାତିଆ କଳା ଚାଦର । ଅଣ୍ଟାରେ ଆଣ୍ଠୁ ଲୁଚୁନଥିବା ଧୋତି । ପାଦରେ ହଳକ ମାନ୍ଧାତା ଅମଳର ଅଧାଛିଣ୍ଡା ବାଟା ଚପଲ । ବୁଢା ଠିଆ ହୋଇଥାଏ । ମୋତେ କିନ୍ତୁ ଲାଗୁଥାଏ ସେ ଛିଡା ହେଇନି, ସପ୍ତମ ଶ୍ରେଣୀରେ ପଢାଉଥିବା ନଇଁଥିଲା ଖଜୁରୀଗଛ ପରି ବଙ୍କେଇଯାଇଛି । ଗୋଡରୁ ଅଣ୍ଟା ପର୍ଯ୍ୟନ୍ତ ସିଧା । ତା’ ପରେ ଅଣ୍ଟାରୁ ବେକ ଯାଏଁ ପେଟ ଭିତରକୁ ପଶିଯାଇ ବାହାରିପଡିଛି ପିଠି । ଦେଖିଲେ ଲାଗେ: ଧାନ ବସ୍ତାଟେ ପିଠିରେ ଲାଉ କରି ବୁଲଉଛି । ଭାବିଲି ପିଠିରେ କୁଜ ଥିବ । ଶାଲ୍ ତ ଘୋଡେଇଛି କୁଜ ବା ଦିଶିବ କେମିତି, ବାସ୍ ଯାହା ମାଛ ଝୋଳର ବାସ୍ନା ଶୁଘିଂ ମାଛ ତରକାରୀ ହେଇଛି ବୋଲି ଠଉରାଇବା କଥା । ବୁଢାକୁ କିଛି ବି ପଚାରିଲିନି ସେ ବାବଦରେ । ବେଶ୍ ବୁଢାକୁ କହିଲି: ବସ ।
ବାଁ ହାତେ ଧରିଥିବା କୁଲା ମୋ ହାତେ ଥମେଇ ଦେଲା । ଡା’ଣ ହାତରେ ଦେଶୀ ଭେଣ୍ଡିଆ ଝଲିଆ ଗଞ୍ଜାଟା କକ୍ କକ୍ କରୁଥାଏ । ପିନ୍ଧାଧୋତିକୁ ସଜାଡୁ ସଜାଡୁ ଗାଡି ପଛରେ ବୁଢା ବସିଲା ବହୁ କଷ୍ଟରେ । ସତେ କଳିଙ୍ଗ ଘାଟି ଚଢୁଛି, ବୋଝେ ଓଜନ ବୋହି । ବସିଲାବେଳେ ତାର ଆଣ୍ଠୁ ପିଟିହେଲା
 
 
ଜୋରରେ ଗାଡିର ପଛ ସାଇଡ୍‌ରେ, ବୁଢା ହସିଦେଲା । କହିଲା - ଦୁର୍ଗା ମା’ ବସୁବସୁ ଖାଇଲୁଣି ରକତ । ଥପ୍ ଥପ୍ ନିଥିରିପଡୁଥିଲା ରକ୍ତ ବୁଢାର ଆଣ୍ଠୁରୁ । ମୁଁ ତାଜୁବ୍ । ଗାଡିରୁ ଫାଷ୍ଟଏଡ୍ ବାହାର କରି ଡେଟଲ୍‌, ବେଣ୍ଡେଜ୍ ଦେବାରୁ ମନା କଲା ସେ । ନିଜ ହାତରେ ଚାପି ଧରିଥିଲା କ୍ଷତକୁ ।
: ତର୍ ଇ ଔଷଧ ଲଗେଇକି ଘା’ ବଢେଇବିକି ବାବୁ; ଘରକେ ଗଲେ ଫୁଲ୍‌ଗୁନା ପତର୍ ରସ୍ ଲଗେଇଦେମି, ଭଲ୍ ହିଯିବା ।
ବୁଢାକୁ ଆଉ କିଛି ବି କହିଲିନି । ଗାଡିଟା ଛୁଟେଇ ଦେଲି ସିଧା ଚାଳିଶରେ । ଏ ଭିତରେ ବୁଢା ପ୍ରତି ମୋର ଗୋଟେ ସମ୍ମାନବୋଧ ଚାଲିଆସିଥିଲା । ଆଗ୍ରହ ଆସିଲା । ବାଟରେ ବୁଢା ସହ କଥା ହେଉହେଉ ଜାଣିଲି ତା’ ଗାଁ, ପରିବାର ବିଷୟରେ ।
ଅତି ସରାଗରେ ବୁଢା ଛାଏଁ ଛାଏଁ କହିଚାଲିଥାଏ ତା’ ଗାଁ ପରିବାର ଜୀବନର ସୁଖଦୁଃଖ । ମୁଁ ଝାପ୍‌ସା ଝାପ୍‌ସା ଶୁଣିପାରୁଥାଏ । ଗାଡିର ଘୁଁ....ଘୁଁ ଘୁଟୁ ଘୁଟୁ ଶବ୍ଦରେ କାନଟା ଦି’ଫାଳିଆ । ବୁଝେ ବା ନବୁଝେ, ଶୁଣେ ବା ନଶୁଣେ ହଁ ମାରୁଥାଏ ଛନକୁ ଛନ । ବୁଢା ମେଲୁଥାଏ ତାର କଥା:
ଭବାନୀପାଟନାରୁ ପୂରୂବ ଦିଗକୁ ଛଅ କୋଶ ବାଟ ଗଲେ ଯେଉଁ ମୂଷାନାଲ୍ ଘାଟି ପଡ଼େ ତାରି ଭିତରେ ତା ଗାଁ କଟୋଡ୍‌ଘାଟି । ଗାଁ ବୋଇଲେ ସାତ ପରିବାର । ଘଞ୍ଚ ଜଙ୍ଗଲ ହେଲେ ବି ରାସ୍ତା ପାଖରେ ବସିଛି କେଉଁ କାଳୁ ଗାଁ । ଏଇ ଗାଁକୁ କୁଆଡ଼େ ରଜା ଆଗ ପାରିଧି ପାଇଁ ଆସି ବଡ଼ ବଡ଼ କଲରାପତ୍ରିଆ ମାରୁଥିଲେ । କିନ୍ତୁ ଥରେ ଏମିତି ଘଟନା ଘଟିଲା ଯେ ସେବେଠୁ ଏ ଜଙ୍ଗଲରେ ଆଉ ବାଘ ଶିକାର ହେଉନି । ବୁଢ଼ାର ଏକଥା ଶୁଣି ମୁଁ ପଚାରିଲି: କେନ୍ତା, କାଏଁ ଘଟଣା?
ସେ ପୁଣି ଆରମ୍ଭିଲା । ଗାଁର ସବୁ ଲୋକଙ୍କର ପେଟପାଟଣା ଥିଲା ଡଂଗର ଚାଷ । ଦେହର ଝାଳ ନିଥ୍‌ରେଇ ଅରଜୁଥିଲେ ମାଣମାଣ ଫସଲ । ଅଳସୁଆମୀ ନଥିଲା କାହା ଦିହରେ । ଦିନସାରା କାମ କରି କରି ହାଲିଆ ହୋଇଯାଇଥିଲେ ବି ରାତିରେ ଜଙ୍ଗଲ ଘେରାଏ ବୁଲି ନ ଆସିଲେ ନିଦ ହେଉନଥିଲା । କିନ୍ତୁ ମଣିଷ ରୂପରେ ନୁହଁ, ବାଘ ପାଲ୍‌ଟି କରି । ସେ ସମୟରେ ରଜା ବାଘ ଶିକାର ଚଲେଇଥିଲେ ଜୋର୍‌ସୋର୍‌ରେ । ଯିଏ ଯେତେ ବାଘ ମାରିଲା, ସେ ସେତେ ପୁରସ୍କାର ଲଭିଲା । ଶିକାର ଯୋଗୁଁ ଗାଁ ଲୋକେ ରାତିରେ ଡରିକି ବିଚରି ପାରିଲେନି ନିର୍ଭୟରେ । ଆଶଙ୍କା ଉପୁଜିଲା କିଏ କେତେବେଳେ ବି ଶିକାର ହୋଇଯାଇପାରେ ସେମାନଙ୍କ ଭିତରୁ । ଗୋଟା ଗାଁକୁ ଦୁଃଖୀ ଭାବ ଆବୋରିବସିଲା ସମସ୍ତଙ୍କୁ । ଏମିତି ଯଦି ଚାଲେ ବାଘ ସବୁଦିନ ପାଇଁ ଅଦୃଶ୍ୟ ହୋଇଯିବ ତାଙ୍କ ଜଙ୍ଗଲରୁ । ଆଉ ସେମାନେ ବି କେବେ ପାଲ୍‌ଟିପାରିବେନି । ଭାଳେଣି ପଡ଼ିଲା । କରିବେ କ’ଣ? ନିରୂପାୟ ବୁଢ଼ା ଝାକର ତାର ଇଷ୍ଟଦେବୀ ଦୁଆରଶନି ଦେବ୍‌ତାକୁ ସୁମରଣା କଲା । ମନ୍‌ସା ଅଦ୍ରା କଲା । ରଖିଲେ ରଖ୍ ମାରିଲେ ମାର୍ ବୋଲି ହାରିଗୁହାରି ଜଣେଇଲା । ଦେବୀ ସ୍ୱପ୍ନରେ ଅଭୟବାଣୀ ଶୁଣେଇଲା: ରଜା ଯେବେ ଗାଁକେ ଆସ୍‌ବା, ତାର ହାତୀ ଗାଁ ଭିତରକେ ପଶି ନାଇଁ ପାରେ । ତାପରେ ତାର୍ ନୁ ସମିଆ ଦେଖି ବାଘ ଶିକାର ବନ୍ଦ ଲାଗି ବଚନ କରେଇନେବୁ ।
ସାତଦିନ ପରେ ରଜା ଚନ୍ଦ୍ରମୋହନ ଦେଓ ରାଜ ଥାଟପାଟ ସହ ଗାଁରେ ପହଞ୍ଚିଲେ ପାରିଧି ପାଇଁ । ଗାଁକୁ ପଶିବା ଆଗରୁ ଥିବା ବରଗଛତଳେ ସମସ୍ତେ ରଜାଙ୍କୁ ବନ୍ଦାପନା କଲେ । ରଜାଙ୍କ ଦର୍ଶନ ପାଇ ଲୋକେ ଯେମିତି ଗତିମୁକ୍ତି ପାଇଗଲେ । ମନେମନେ ଏତକ ଗୁଣୁଗୁଣେଇ ହେଉଥିଲେ ସଭିଏଁ: ରଜାକୁ ଦେଖ କି ଭଗବାନକୁ ଦେଖ । ସାକ୍ଷାତେ ଭଗବାନ । ରଜା ବସିଥିବା ହାତୀକୁ ମାହୁନ୍ତ ଇଶାରା କଲା ଆଗକୁ ବଢ଼ିବା ପାଇଁ । ହାତୀ ଆଉ ପାଦେ ବି ଆଗକୁ ଘୁଞ୍ଚିଲାନାହିଁ । ମାହୁନ୍ତ ହାତୀକୁ ଯେତେ ପ୍ରକାରେ ଚେଷ୍ଟା କଲା ଇଞ୍ଚେ ବି ହଲିଲାନି । ଗାଁର ଝାକର ବୁଢ଼ା ରଜାର ସାମ୍ନାକୁ ଆସି ଜୁହାର ହୋଇ କହିଲା:
ରଜା ତୋର ହାତୀ ପାଦେକ ବି ଚାଲି ନାଇଁପାରେ, ଆମର ଦୁଆରଶନୀ ଦେବ୍‌ତା ତାକେ ଅଟ୍‌କେଇ ଦିଛେ ।
ରଜା ରାଗିକି କହିଲା: ତୋର୍ ଦେବତାର ଏତେ ଶକ୍ତି, ଦେଖା ତୋ କୋଉ ଦୁଆରଶନୀ ଦେବତା ଯେ!
ରଜାର କଥା ଶୁଣି ଘାବରେଇ ଗଲେ ବି ଛାତିକୁ ଦମ୍ଭ କରି ସାହସ ଖଞ୍ଜିଲା । ସେଇ ସେମିତି ରଜାକୁ ଧୀର ସ୍ୱରରେ ବତେଇଲା : ମାହାଳିଆରେ ଦେବ୍‌ତା କେନ୍ତା ଦେଖେଇହେବା ମାହାପୁରୁ, କାଏଁଟା ଦେବୁ କହ?
: ଯାହା କହିବୁ ଦେବି । ଦେଖା ତୋର୍ ଦେବତାକୁ ।
ଯାହା ମନରେ ପାଞ୍ଚୁଥିଲା, ତାହା ହିଁ ଘଟିଲା । ଦେବ୍‌ତାର କଥା ସବୁ ତାର ଏବେ ମନେ ପଡ଼ୁଥିଲା । ରଜାଠୁ ଏବେ ମନଚାହି ଜିନିଷ ହାସିଲ୍ କରିହେବ । ଚଟ୍‌ପଟ୍ ସେ କହିଲା: ଗୁଟେ ଘଡ଼ି ସମିଆ ଦେ ରଜା, ଦେଖେଇ ଦେମି ।
ସାଙ୍ଗେସାଙ୍ଗ ଗାଁ ମଝିରେ ଚାରିଟା କାଠ ଖୁଣ୍ଟ ପାଖାପାଖି ଚାରିକୋଣିଆ କରି ପୋତି ଫାଳ ବାଉଁଶ ଓ ଖଜୁରୀ ପତ୍ରରେ ନିବୁଜ କରି ତିଆରି କରାଗଲା ଗୋଟେ ଆବଦ୍ଧ ତିନି ହାତ ବାଇ ତିନିର ଗୋଟେ କୋଠରୀ । ଉପର ଥିଲା ଫାଙ୍କା ଆକାଶ । ବୁଢ଼ା ଝାକର ଅରୁଆ ଚାଉଳ ଦୁଇମୁଠା ମନେ ମନେ ମନ୍ତ୍ର ଗୁଣଗୁଣେଇ ଫିଙ୍ଗିଲା ସେ କୋଠରୀକୁ । ରଜାକୁ କହିଲା: ହାତୀ ଉପରେ ଚଢ଼ ମାହାପୁରୁ, ଦେଖ୍ ଇ ଖଜୁରୀପାତିଆ ଘର ଭିତରେ ମର୍ ଦେବ୍‌ତା ଦିଶ୍‌ବା ।
ସତକୁ ସତ ରଜା ହାତୀ ଉପରେ ଚଢ଼ି ଯାହା ଦେଖିଲେ । ନିଜ ଆଖିକୁ ବିଶ୍ୱାସିପାରିଲେନି । ଦୁଇହାତ ଉପରକୁ ଛନ୍ଦି ଠିଆ ହୋଇଚି ଝାକରବୁଢ଼ାର ଦୁଆରଶନି ଦେବ୍‌ତା । ଚାରିଆଡ଼େ ମହମହ ବାସିଉଠିଲା ଫୁଲାଲିଆ ମୁଆଁର ବାସ୍ନା । କହଁରିଗଲା ଝୁଣାଧୂପର ସୁଗନ୍ଧ । ରଜାର ମୁହଁ ଉଜ୍ଜଳି ଉଠିଲା ।
: ମାନିଗଲିରେ ବାବୁ ତୋର ଦେବ୍‌ତାକୁ! କ’ଣ ମାଗିବୁ, ନିଡର ହୋଇ ମାଗ୍ ।
ଝାକର ବୁଝିପାରିଲା ଏଇଟା ଠିକ୍ ସମୟ । ଇଚ୍ଛିଥିବା ଗାଁର ଇଚ୍ଛା ଏବେ ମାଗିବାର ଅସଲ ମଉକା ।
: ପର୍‌ଭୁ! ଇ ଡଙ୍ଗରପତର, ଝାରଖମନ୍‌ନେ ଧନଦରବ ନାଇଁ ମାଗେ । ଦେବୁ ବଏଲେ, ଆଜିନୁ ଇ ଆମର ଡଙ୍ଗର୍ଲାନେ ବାଘଶିକାର ବନ୍ଦ ହଉ ।
: ଖାଲି ବାଘ କ’ଣ ପାଇଁ । ଆଜିଠୁ ମୋର ଆଦେଶ ରହିଲା ଛୋଟ ଜନ୍ତୁଟେ ବି କିଏ ଶିକାର କରିପାରିବେନି ଏ ଜଙ୍ଗଲରେ ।
ବୁଢ଼ାକୁ କଥା ମଝିରେ ଅଟକେଇ ପଚାରିଲି: ବବା ମଣିଷ କ’ଣ ସତରେ ବାଘ ହୋଇପାରିବ?
: କାଏଁ ଯେ ନାଇଁ ହି ପାର୍‌ବା । ଡଙ୍ଗର ମାହାପୁରୁ ଆଶୀର୍ବାଦ କଲେ ସବୁହେବା ।
: ତମେ ପାଲ୍‌ଟିପାରିବ?
: ହଁ
ଗାଡ଼ି ଥମ୍‌କିନା ଅଟକେଇ ଦେଲି । ଦେହ ଶୀତେଇ ଉଠିଲା । ଟିକେ ଡରମିଶା ସ୍ୱରରେ ପଚାରିଲି: ଏବେ ପାଲ୍‌ଟିପାରିବ?
: ବଳବଏସ ତୋ ନାଇଁନା ବାବୁ! ଦଶ ବଛର ହେଲା ଛାଡ଼ିଦେଲିନା । ମାତରକ ଦିନ ବେଲା ନାଇଁ, ରାତିରେ ହିଁ ପାଲ୍‌ଟି ହେସି ବୋ!
ବୁଢ଼ା ମୋ ଆଗ୍ରହକୁ ଜାଣି ପାରିଲା କି କ’ଣ, କହିଲା: ତୁଇ ଗାଡ଼ି ଚଲା ତ, କେନ୍ତା କରି ପାଲ୍‌ଟିସୁ ଯେ କହିଦଉଛେଁ ଶୁଣ୍ ।
ଗାଡ଼ି ଚଲେଈଲି । କିନ୍ତୁ ଆଗ ଅପେକ୍ଷା ଟିକେ କମ୍ ସ୍ପିଡ୍‌ରେ । କାରଣ ଜାଣିସାରିଥିଲି ବୁଢ଼ା, ତା ଘରର ଦୂରତା ଯାହା ବତେଇଥିଲା ତାହା ଖେଟିଆସୁଛି ।
ବୁଢ଼ା ଶୁଣେଇବା ମୁନ୍ଦଲ୍ କଲା । ରାତି ଦୁଇଘଡ଼ି ଯାଇଥିବ ବାବୁ ମନରେ ଇଚ୍ଛିଦଉ ଆମେ । ଡଙ୍ଗର ଦେବତାକୁ ସୁମରଣା କରିବା ସାଙ୍ଗେସାଙ୍ଗ ଡେବିରି ନଖସନ୍ଧିରୁ ଜନ୍ମିଆସେ ବାଘଶାବକ । ସୂତା ଲେଖେଁ ଲମ୍ବିଆସେ । ଆଖିର ପଲକ ପଡୁପଡୁ ତାହାର ଆକାର ଆପେଆପେ ଦୁଇଗୁଣ, ଚାରିଗୁଣ ହୋଇ ବଢ଼ିଆସେ ଆପେ ଆପେ ।
ବେଶୀ ବଡ଼ ବାଘ ନାଇଁ ପାଲ୍‌ଟେ ପାରେ ମୁଇଁ, ବାବୁ ତଥାପି ସାନେସୁରୁ ନାଇଁ ସେ: କହୁକହୁ ଜୋର୍‌ରେ କାଶିଲା ଦୁଇଥର ।
ସେବେଳକୁ ମୋର ସାଙ୍ଗମାନେ ବି ପାଲ୍‌ଟିସାରିଥାନ୍ତି ରକମ ରକମର ବାଘ । ଘର ପାଖାପାଖି ଆସି ସେମାନେ ରଡ଼ି ଛାଡ଼ିଲେ, ଇଶାରା ବୁଝିପାରେ ମୁଁ । ସାଙ୍ଗେ ସାଙ୍ଗ ପାଲ୍‌ଟିଯାଏ । ଖେଦିଯାଏ ସେମାନଙ୍କ ସହ ଗୋଟା ଡଂଗର । ମୋ ଗାଡ଼ିର ଗତି ଧିମେଇ ଦେଇ ପଚାରିଲି: ତମେ ବାଘ ହେଲେ, ତମର ପୁରା ଦେହ ବି ବାଘ ହି ଯାଏସି କାଏଁ ବବା?
: ନାଇଁ ବାବୁ
: ତାହେଲେ?
ଘରେ ପଡ଼ିରହିଯାଏ କେବଳ ମୋର ମଣିଷ ଦେହ । ବାଘ ହେଇକି ମୋର ଅସଲ ଜୀବନ ଜଙ୍ଗଲରେ ବିଚରୁଥାଏ ବାଘ ସହ ।
ମତେ ଆଉ ଆଶ୍ଚର୍ଯ୍ୟ ଲାଗିଲା । ଅନେକ ପ୍ରଶ୍ନ ମୋ ଭିତରେ ଉପୁଜିଆସିଲା ।
: ତାହେଲେ ତ ବାଘକୁ ମାରିଦେଲେ, ତମେ ମରିଯିବ?
: ଠିକ୍ ବୁଝିଲୁ ବାବୁ ।
ଥରକର କଥା ଶୁଣ୍ । ଗାଁର ଚାରିଜଣ ଯାଇଥିଲୁ ଅମାଠଗଡ଼ ପାଖ ବଜ୍ରଗଡ଼ ଡଙ୍ଗର । ସେଠି ପାଲ୍‌ଟା ବାଘ ମାନଙ୍କର ଗୋଟେ ସଭା ଚାଲିଥାଏ । ନୀତିନିୟମ ନିର୍ଦ୍ଧାରଣ ଚାଲିଥାଏ । ସଭା ସରିଲା । ଫେରୁଥିଲୁ । ନର୍ଲା ପାଖାପାଖି ହେଇଛୁ କି ନାଇଁ ଦୁଇଜଣ ବଣୁଆ (ଶିକାରୀ)ଙ୍କର ସାମ୍ନାସାମ୍ନି ହେଇଗଲୁ । ସେମାନେ ବି ଆମକୁ ଦେଖି ଡରିଗଲେ । ଭୟରେ ଚଲେଇଦେଲେ ଗୁଳି । ଭାଗ୍ୟ ଭଲ ଗୁଳିଟା କେବଳ କପାଳ ଛୁଇଁକି ପଳେଇଲା । ମୁଣ୍ଡ ଭିତରକୁ ପଶିଥିଲେ ସେଇଠି ହିଁ ଖତମ୍ ହୋଇଯାଇଥାନ୍ତା ସବୁକିଛି । ସେଆଡ଼େ ଘରେ ମୋ କପାଳରେ ରକ୍ତ ବାହାରିବାରୁ ମୋ ମାଇପ ଜାଣିପାରିଲା କିଛି ଗୋଟେ ଅଘଟନ ଘଟିଚି । ସେ ଗୁଳିଚିହ୍ନ ଏବେ ବି ମୋ କପାଳରେ, ବାବୁ ।
: ସେବେଠୁ ତାହେଲେ ବାଘ ପାଲ୍‌ଟିବାଟା ଛାଡ଼ିଦେଲ?
: ନାଇଁ
: ତାହେଲେ କେବେ?
ଦଶ ବଛର ତଳର କଥା । ଦିନେ କୁଶା ଡଙ୍ଗର ଯାଇଥିଲି । ଭାତ କନ୍ଦା ଆଣିଲିନି ବୋଲି ମୋର ମାଇପ ଝଗଡ଼ା କଲା । ଥିରପାଣି ବି ଦେଲାନି । ରୋଷେଇ ତ କଲାନି ଥିରପାଣି ମିଳିବ କୁଆଡୁ? ଦେଖୁଦେଖୁ ଦୁଇପହରରୁ ସଂଜ । କଥାବାର୍ତ୍ତା ବି ହେଲାନି । ରାତି ହେଲା । ସବୁଦିନ ପରି ସେଦିନ ବି ମୋର ସାଙ୍ଗସାଥୀ ବାଘ ହୋଇ ରଡ଼ି ଛାଡ଼ିଲେ । ଇଚ୍ଛା ନଥିଲେ ବି ପାଲ୍‌ଟିଲି । ଯାଇକି ବୁଲାବୁଲି କଲୁ । କୁଟ୍ରାଟେ ପାଇଲୁ ଯେ ଚାରିଜଣ ମିଶି ଖାଇଦେଲୁ । ସେଥିପାଇଁ ମହାଆନନ୍ଦରେ ଫେରୁଥାଉ । ଘର ପାଖାପାଖି ହେଲା ବେଳକୁ ମୁଁ ପୁରାପୁରି ଏକ୍‌ଲା ହୋଇଗଲି । ମୋ ସାମ୍ନାରେ ଭେଟିଲି ମୋ ଠୁ ବଡ଼ ଆଉ ଗୋଟେ ବାଘ । ସତସତିକା ବାଘ ନୁହଁ ତ? ଥରିଉଠିଲା ମୋର ଦେହହାତ ।
ସେ ବାଘ ମତେ ଦେଖି ଆକ୍ରମକ ସ୍ୱଭାବ ଦେଖେଇଲା । ଜାଣିଗଲି ଇଏ ବି ପାଲ୍‌ଟା ବାଘ । ସାଙ୍ଗେସାଙ୍ଗ ଦୁହିଙ୍କ ଭିତରେ ଚାଲିଲା ଘମାଘୋଟ ଲଢ଼େଇ । ଶେଷରେ ମୁଁ ହାରିଗଲି । ତାର ଆଞ୍ଚୁଡ଼ା ଖାଇ ପଛଘୁଞ୍ଚା ଦେଲି । ଫେରିଲି ଘରକୁ । ଜାଣିଲୁ ବାବୁ ସେ ବାଘ କିଏ?
: କିଏ!
: ଆର୍ କିଏ ହେଇଥିବା ବୋ, ମୋର୍ ବୁଢ଼ୀ ।
: ଏହେଃ! ହସକୁ ଅଟକେଇ ପାରିଲିନି ।
ବୁଢ଼ା ହସିଲା ଓ ପୁଣି ଖିଅ ଯୋଡ଼ିଲା । ସେ କହିଚାଲିଥାଏ । ସେଇ ଗାଁ ଝାକର ଘରର ବଡ଼ ପୁଅ ହେଉଛି ବୁଢ଼ା । ଝାକର ଘର ପିଲା ହିସାବରେ ଯୁଆନ୍ ବେଳୁ ସେ ସବୁ କାମରେ ପାରଙ୍ଗମ ହୋଇ ସାରିଥିଲା । ଯୁଆନ୍ କନ୍ଧ ପିଲା ପରି ସେ ବି ନଚେଇଥିଲା ଧାଙ୍ଗଡ଼ୀ । ଡଂଗରରୁ ଝରୁଥିବା ଝରନ୍‌ରେ ସେ ପହଁରିଥିଲା । ସରମିଲିକୁ ନେଇ ସେ ସପନ ଦେଖିଥିଲା, ପ୍ରେମ କରିଥିଲା । ତିଆରିଥିଲା ଝାଟିମାଟି କୁଡିଆ, କାନ୍ଦୁଲ, କାଟିଙ୍ଗ, ମାଣ୍ଡିଆର ପିଲାପିଚ୍‌କା ସଂସାର । କାନ୍ଧ ଦେଇ ବୋହିଥିଲା ବାପା ମା ଙ୍କୁ ମଶାଣିକୁ । ବାପର ଅନ୍ତେ ସେ ଗାଁର ଦିଶାରୀ ସାଜିଥିଲା । ଗାଁର ଦେବୀଦେବତା ଗୁଡ଼ିରେ ପୂଜା ବାଢୁଥିଲା । ଲୋକର ସୁଖଦୁଃଖରେ ଠିଆ ହେଉଥିଲା । ଗାଁର କାହାକୁ କାଳିସୀ ଲାଗିଲା, ଝାକରକୁ । କାହାର ଜ୍ୱର ହେଲାଣି ସାତଦିନ ଠିକ୍ ହେଉନି, ଖବର ପଠାଅ ଝାକରକୁ । କେଉଁ କଅଁଳା ଛୁଆ କାନ୍ଦୁଛି ଜମ୍ମାରୁ ତୁନି ହେଉନି, ମନ୍ତ୍ରି ଦେବ ଝାକର । କାହାକୁ ବିଛା କାମୁଡ଼ିଲା ବିଷ ଉତୁରୁନି, ଫୁକିଦେବ ତନ୍ତ୍ରରେ ଝାକର । କାହାଘରେ କଳିକଜିଆ ଲାଗିଲା, ସମାଧାନ କରିବ ଝାକର । କାହାକୁ ଗୁଣି କରାହେଇଛି, ଜମ୍ମାରୁ ଠିକ୍ ରହୁନି, ପୂଜା କରିଦେବ ଝାକର । ଝାକର ପାଖକୁ ଯିଏ ବି ଯାଏ କୌଣସି ଅସୁବିଧା ପାଇଁ ଧାନ କି ଚାଉଳ ଧରିକି, ଗାମୁଛାରେ ଗଣ୍ଠିଲି କରି । ତାହାକୁ କୁଲାରେ ରଖି ଖେଳେଇ ଖେଳେଇ ଡଂଗର ଦେବତାକୁ ସୁମରଣା କରି ଡାହାଣ ହାତରେ ପୁଞ୍ଜା ପୁଞ୍ଜା କରି ଚାଉଳ ଅଲଗା କରି ଯୋଡ଼ି ଯୋଡ଼ି କରି ଭିନେ ଭିନେ ବିପଦର ନାଁ ନିଏ । ଯେଉଁ କଥାରେ ଯୋଡ଼ି ପଡ଼ିବ ତାହାର ନିରାକରଣ କରେ । ଆସିଥିବା ଲୋକ ଘରକୁ ଫେରିଥିବ କି ନାଇଁ ସମାଧାନ ହୋଇଯାଇଥିବ ସବୁ । ପଚାରିଲି:
କେମିତି ଏସବୁ ସମ୍ଭବ?
: ମା’ ପେଟରୁ କିଏ ଶିଖିଥିସି କାଏଁରେ ବାବୁ, ଇ ଆମର ଡଂଗର ଦେବତା ସ୍ୱପ୍ନରେ ଆସି କୁଲା ଧରେଇଲା । ଛତିଶପାଟକ ଜାତିର ଦୁଃଖସୁଖର ପାଞ୍ଜି ଦେଖିଦେବୁ କହି ସମାଧାନର ବାଟ ବତେଇଲା ।
ସେବେଠୁ ଗାଁ ଲୋକଙ୍କ ଦୁଃଖରେ କି ଧାନଦେଖା କରୁଛି ଯେ ଆପେ ଆପେ ତାହା ଦୂରହେଉଚି ।
ତୁଇ ପାଠଶାଠ୍ ପଢୁଆ ଲୋକ ବାବୁ ତୁଇ କେନ୍ତା ଜାନ୍‌ବୁ । ଡଂଗର ଦେବ୍‌ତା ସଭିଙ୍କୁ ଏ ଆର୍ଶିବାଦ ଦିଏ ନାହିଁ : ତାତ୍ସଲ୍ୟ ହସଟେ ହସି କହିଲା ବୁଢ଼ା ।
ବୁଢ଼ାର କଥା ଯେତେ ଯେତେ ଶୁଣୁଥାଏ ମୋର ଜାଣିବାର ଇଚ୍ଛା ସେତେ ବଢୁଥାଏ । ସେଇଠୁ ବୁଢ଼ା କହୁଥାଏ: ତା ଦଶ୍‌ରା ପରବ କଥା, ତା ଗାଁର ଦେବୀ ଦେବତା, ରିକ୍‌ମା କଥା । ତା ସହ କିଛି ମୂହୂର୍ତ୍ତର କଥୋପକଥନରେ ଯାହା ବୁଝିଲି ପରବକୁ ଫି’ ବର୍ଷ ପାଳୁଛି ଆପଣା ଛାଏଁ ।
ବୁଢାର ତିନିପୁଅ ସବୁ ପାରିବା’ର ହେଲେ । ଭାବିଲା ନିଶ୍ଚିନ୍ତରେ ଆଖି ବୁଜିବ ଅବଶିଷ୍ଟ ଆୟୁଷ କଟେଇ, ପୁଅମାନଙ୍କୁ ଉତ୍ତରାଧିକାରୀତା ଦେଇ । ମଣିଷର ଭାବନା ବେଳେବେଳେ ଠୋକର୍ ଖାଇଯାଏ । ଥିବା ଭିତରେ ନଥିବା, ନଥିବା ଭିତରେ ଥିବାକୁ ଖୋଜୁ ଖୋଜୁ କେତେବେଳେ ଯେ ନିଜେ ହଜିଯାଏ ଜାଣିପାରେନା । କ’ଣ କରନ୍ତା ? ପୁଅଙ୍କ ନିରୁତା ଚା’ର ବାସ୍ନା ତା’ ଭାଗରେ ନାହିଁ । ବଡପୁଅର ଦୂର ସହରରେ ଚାକିରି । ମୋଟା ଅଙ୍କର ଦରମା ପାଏ । ସ୍ତ୍ରୀ ପୁଅଝିଅକୁ ସାଥୀରେ ଧରି ରହେ । କେବେ ଭଲ ସେ ଆସେନି ଗାଁକୁ । ଏଇନେ କିଛିବର୍ଷ ତଳେ ଗାଁ ପାଖ ପାହାଡ କର୍ପନରେ ଆର୍ବିଭାବ ଶିବମନ୍ଦିରରେ ମଝିଆ ପୁଅ ପୂଜାରୀ । ଛାଏଁ ମାଡେନି କେବେ ବୁଢାର ଦେବତା ଗୁଡିକୁ । ବୁଢାର ରକ୍ତାଭ ଦେବୀଦେବତା ଫିକା ପଡିଯାଆନ୍ତି ତା ଚିତ୍ତମାନସରେ । ସାନଟା ବି ଫାଦର ପାଲଟିଗଲାଣି ସହରର କେଉଁ ଗୋଟେ ଚର୍ଚ୍ଚରେ । ଗାଁ କୁ ଆସେ କେବେ କେବେ । ଲୋକମାନଙ୍କୁ ଧର୍ମଜ୍ଞାନ ବି ଦିଏ । କ’ଣ କ’ଣ ସବୁ କଥା ମଝିରେ ଇଂରାଜୀ କୁହେ ବୁଝେପାରେନା ବୁଢା । ଆଁ’ଟା କରି ଖାଲି ଚାହୁଁଥାଏ ଯାହା । ସେମାନଙ୍କୁ ବୁଢ଼ାର ଜମି ଦର୍କାର, ବୁଢାର ବାପଦାଦି ଅମଳର ରୀତି ରିକ୍‌ମା ନୁହେଁ । ସେମାନଙ୍କୁ ବୁଢାର ଅର୍ଜିଥିବା ସମ୍ପତ୍ତି ଦର୍କାର୍ ବୁଢାର ଧର୍‌ନୀଖୁଟା ନୁହେଁ, ବୁଢାର ଦେବୀ ଦେବତା - ଠେଙ୍ଗା, ମାଏଲୀ, ଚାଲକ, ଭୀମା ନୁହେଁ । ଯାହା ପୁଅମାନଙ୍କ ଆଖିରେ ନିହାତି ବାଜେ ଜିନିଷ ।
ହୋ ହୋ ହେଇ ନାଚିବ । ସଲପ୍ ପିଇବ । ଢାପ୍ ବଜେଇବ । ନିଆଁ ଲଗେଇ ତା’ ଉପରେ ଚାଲିବ । ବୋଦା ବଳିଦେବ । ବେଲପତ୍ର, ଚାଉଳ ପାରି ଟାଙ୍ଗିଟାଙ୍ଗିଆକୁ ପୂଜା କରିବ । ଛେ! ଲୋକେ କ’ଣ କହିବେ । ଏ’ଟା ପରମ୍ପରା, ଏଇଟା ସଂସ୍କୃତି । ନିହାତି ଆଉଟଡେଟେଡ୍ । ହେଲେ ବୁଢା ବୁଝିପାରେ, ଦୁନିଆକୁ ଦେଖିଦେଖି ଯା ମୁଣ୍ଡର ବାଳ କଳାରୁ ଧଳା, ଛାତି କଅଁଳରୁ ବଜର ହୋଇଛି ସେ ହିଁ ଦାୟାଦତାକୁ ଚିହ୍ନେ ଯାହା ପାଇଥାଏ ଉତ୍ତରାଧିକାରୀ ସୂତ୍ରରେ ।
ବାସ୍ ବୁଢା ମତେ ଇଶାରା କଲା, ପିଠି ଥାପୁଡେଇ: ମାଷ୍ଟର ବାବୁ ମୋର ଘର ଆସିଗଲା ଉତୁରେଇ ଦେ
ଗାଡିକୁ ବ୍ରେକଦେଲି । ସ୍ଲୋ ମୋସନରେ ପୁଣିଥରେ ଓହ୍ଲାଇଲା ବୁଢା । ଆଉ ଥରେ କୁଲାଟା ମୋ ହାତରେ ଧରେଇ ଦେଇ । ମୁଁ ପଚାରିଲି: ବବା କୁକୁଡା କାଏଁ କର୍‌ବ ?
: ଆଗକେ ଫଗୁନ ଉଆଁସ ଅଛେ । ଦେ ଦେବ୍‌ତା୍େ‌କ ପୂଜ୍‌ବି ବାବୁ । ଆମର ଜାନାବୁଢା ଦେବତା ଝଲିଆ ଗଞ୍ଜା ଛଡା ଅଲ୍‌ଗାଟା ନାଇଁ ଖାଏ ।
ଏଥର ମୁଁ ପୂରାପୂରି ବୁଝିଗଲି ପୁଅମାନେ ବୁଢାର ପରବ ମାନୁନାହାନ୍ତି କି ସହଯୋଗ ବି କରୁନାହାନ୍ତି ।
ସେଇଠୁ ଗୋଟେ ମାଟି ଘରକୁ ଆଙ୍ଗୁଠି ଦେଖାଇ ସେ ତା’ ଘର ଚିହ୍ନେଇଲା । ସ୍କୁଲରୁ ଫେରିଲା ବେଳେ ଡାକିବାକୁ କହିଲା । ଘରର କବାଟ ବନ୍ଦ ଥିଲା ।
ବୁଢାଠୁ ବିଦାୟ ନେଇ ଗାଡ଼ି ଷ୍ଟାର୍ଟ କରିଛି କି ନାଇଁ ଆଗରେ ହମ୍ପସ୍ ପଡିଲା । ହଠାତ୍ ଷ୍ଟାର୍ଟ ବନ୍ଦ ହେଇଗଲା । ପଛକୁ ଚାହିଁଲା ବେଳକୁ ଏ କ’ଣ? ବୁଢା ତା’ଘର ସାମ୍ନାରେ ଲଥ୍‌କିନା ବସି ପିଠିରୁ ଉତାରୁଛି ଗୋଟେ ଅଜବ୍ ଜନ୍ତୁ -ବୁଢୀକୁ ! ବାପରେ ମୋ ଦେହ ଶୀତେଇ ଉଠିଲା । ମୁଁ ଭାବୁଥିବା କୁଜ ତା’ହେଲେ ବୁଢୀ, କ’ଣ ବୁଢୀକୁ ଏତେ ଭଲ ପାଏ ବୁଢା?
ବାଙ୍ଗରୀ ହେଇ ବୁଢୀଟା । ପୁରାପୁରି ଶୁଖିଲା ଓ ଜୀର୍ଣ୍ଣ । ଜୀବନଟା ବି କେଉଁଠି ଲଟକି କି ଝୁଲୁଥିଲା ତା ଭିତରେ । ତାକୁ ଏକଲା କରିନି କେବେ ବୁଢା । ଗୋଟାପଣେ ଏକାକାର ହୋଇଛି ବୁଢୀ ସହ ।
ମନେମନେ ଧନ୍ୟବାଦ ଦେଉଥିଲି ବୁଢାକୁ । ତା’ର ପିଠିକୁ, ଯେଉଁ ପିଠିରେ ସ୍ପଷ୍ଟ ଜଳଜଳ ଦିଶୁଥିଲା ବୁଢା ମୁଣ୍ଡେଇଥିବା ଗୋଟେ ବର୍ଷ ବର୍ଷର ସଂସ୍କୃତି, ପରମ୍ପରା ଯାହା ହଜିବ ହଜିବ ହେଲାଣି ଲୁଚିବ ଲୁଚିବ ହେଲାଣି । ସତେ ଅନ୍ୟପିଠିକୁ ଓହ୍ଲେଇଦେଲେ ଶାନ୍ତିରେ ଶେଷ ନିଶ୍ୱାସ ମାରନ୍ତା; ମନ ହାଲ୍‌କା ଲାଗନ୍ତା, ହେଲେ କେହି ଯେ ରାଜି ନୁହନ୍ତି!

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment