Welcome to shalandi webzine

ଛାଇ

ଅରବିନ୍ଦ ଦାସ

ଛାଇଟିଏ ନିହାତି ଦରକାର। ନିଜ ଛାଇ ତଳେ କଣ କେବେ ଠିଆ ହୋଇପାରେ ମଣିଷ ?" ବାପା ଥରେ କହିଥିଲେ। ନିଜ ଛାଇ କୁ ଅନାଇ ଚମକି ପଡିଲେବିଜୟ। ଚାରିଆଡକୁ ବିକଳ ହୋଇ ଅନାଇ ଅନ୍ୟ କିଛି ଛାଇ ଖୋଜୁଥିଲେ ବିଜୟ। ଛାଇ ତଳେ ଠିଆ ହେବାକୁ ଭାରି ଇଛା ହେଉଥିଲା।ହେଲେ ଛାଇ କାହିଁ !!!

ଛାଇଟିଏ ନିହାତି ଦରକାର।
ନିଜ ଛାଇ ତଳେ କଣ କେବେ ଠିଆ ହୋଇପାରେ ମଣିଷ ?" ବାପା ଥରେ କହିଥିଲେ।
ନିଜ ଛାଇ କୁ ଅନାଇ ଚମକି ପଡିଲେବିଜୟ। ଚାରିଆଡକୁ ବିକଳ ହୋଇ ଅନାଇ ଅନ୍ୟ କିଛି ଛାଇ ଖୋଜୁଥିଲେ ବିଜୟ। ଛାଇ ତଳେ ଠିଆ ହେବାକୁ ଭାରି ଇଛା ହେଉଥିଲା।ହେଲେ ଛାଇ କାହିଁ !!! ମୁଣ୍ଡ ଫଟା ଖରାରେ ଚାରିଆଡ଼ ଅନ୍ଧାର ଦିଶୁଥିଲା ତାଙ୍କୁ,ଲାଗୁଥିଲା ସେ ପଡ଼ିଯିବେ। ନିଜ ଛାଇ କୁ ଅନାଇ ମନେ ପଡିଯାଉଥିଲା କିଛି ପୁରୁଣା କଥା। ଭାବନାରାଜ୍ୟରେ ହଜିଯାଉଥିଲେ ବିଜୟ।
- ଆରେ ବିଜୁ,କଣ କରୁଛୁ ?ଖରାରେ କୁଆଡେ ଯାଉଛୁ ?ଛତା ତଳକୁ ଆ।"
- ମୁଁ ତମ ଛାଇରେ ଠିଆ ହେଉଛି।କେତେ ଲମ୍ବା ତମ ଛାଇ !"
-ବଦମାସ କେଉଁଠିକାର,ଛତା ତଳେ ନରହି,ତୁ ମୋ ଛାଇ ରେ ଠିଆ ହେବୁ ?" ହସୁଥିଲେ ବାପା।
ବାପାଙ୍କ ଛାଇକୁ ଅନାଇ ବିଜୟ ପଚାରନ୍ତି, - ମୋ ଛାଇ, କେବେ ତମ ଛାଇ ଭଳି ବଡ଼ ହେବ ?
- ଯେବେ ତୁ ବଡ଼ ହୋଇଯିବୁ ।ତୋ ପୁଅକୁ ଧରି ତୁ ରାସ୍ତାରେ ଚାଲିବୁ,ସେତେବେଳେ।ହେଲେ ତୁ କାହିଁକି ଖରାରେ ଚାଲିବୁ ?ଭଲ ପାଠ ପଢି,ବଡ଼ ମଣିଷ ହୋଇ ଢେର ପଇସା କମାଇ ବଡ଼ କାର କିଣି ସେଥିରେ ବୁଲିବୁ।ଖରାରେ ଚାଲିବୁନି ଛତା ଧରି,ମୋ ଭଳି।"
- କାରରେ
 
 
କଣ ବେଶୀ ଛାଇ ?ତମ ଛାଇ ଠୁ କଣ ବଡ଼ ?ଆମ ଘରେ ଥିବା ଆମ୍ବ ଗଛ ଛାଇ ଠୁ ବି ବଡ଼ ?
ନରେନ୍ଦ୍ର ବାବୁ ବିଜୟକୁ ତଳୁ ଟେକି ନେଇ ଗେଲ କରି କୁହନ୍ତି, - ନିଜ ଲୋକଙ୍କ ସ୍ନେହର ଛାଇ ଠୁ ବଡ଼ ଛାଇ ଦୁନିଆରେ ନାହିଁ।"
ବିଜୟ ବଡ଼ ହୋଇ ଭଲ ଚାକିରୀ କରିଥିଲେ। ବହୁତ ପଇସା ବି ରୋଜଗାର କରିଥିଲେ। ସେଦିନ ଯେଉଁ ପ୍ରସ୍ତାବ ବାପାଙ୍କ ଆଗରେ ରଖିଥିଲେ,ତା ଶୁଣି ବାପା ଚମକି ପଡ଼ିଥିଲେ।
- ଆମ୍ବ ଗଛଟା କାଟି ଦେବୁ ?ଆମର ବଡ଼ ଘର କଣ ହେବ ? ଚଳି ତ ଯାଉଛେ ।ଯଦି ଦରକାର ଉପର ମହଲା କର।"
ପୁରୁଣା ଘରଟାକୁ ନୂଆ ରୂପ ଦେଇ , ଆଉ ଟିକେ ବଡ଼ ଘର ତିଆରି କରିବା ପାଇଁ ଏଇଠି ଥିବା ପୁରୁଣା ଆମ୍ବ ଗଛକୁ କାଟିବା ପାଇଁ ଜମା ରାଜି ନଥିଲେ ବାପା।ଜେଜେବାପା କାଳେ ଲଗାଇଥିଲେ ଗଛଟା ଓ ଏଇ ଆମ୍ବ କାଳେ ବୋଉଙ୍କ'ର ଭାରି ପ୍ରିୟ ଥିଲା।ବୋଉର ସ୍ୱର୍ଗ ବାସ ହୋଇଯାଇ ଥିଲା।ଏଇନା କେବଳ ସେଣ୍ଟିମେଣ୍ଟ।
-ଗଛ ନ କାଟି ଘର ହୋଇ ପାରିବନି ?ତୋ ବୋଉ ର ଆତ୍ମା ସେ ଗଛରେ ଅଛି।" ସ୍ତ୍ରୀ ସାଧନା ଯୁକ୍ତି କରିଥିଲା
- ବାପା,ଗଛ ର ଚେର ଯୋଗୁଁ ଘର ପାଚେରୀ ଫାଟୁଛି। ସବୁ ବେଳେ ଶୁଖିଲା ପତ୍ର ସବୁ ଖସି ଛାତ ଓ ତଳ ଅସନା ହେଉଛି।ଓଳାଇ ଓଳାଇ ମୁଁ ହଇରାଣ।ପୁଣି ଆମ୍ବ ଦିନେ ବାହାର ବଦମାସ ପିଲାଙ୍କ ଟେକା ମାଡ଼। ବର୍ଷ ସାରା କେଉଁ ଆମ୍ବ ଫଳୁଛି ?ତା ଛଡା ବଜାରରେ ଢେର ଆମ୍ବ।ବିଭିନ୍ନ ପ୍ରକାରର।"
-ଗଛ ଟା ଛାଇ ତ ଦେଉଛି।ଛାଇ ତଳେ ବସି ଥଣ୍ଡା ପବନ ଖାଇବାର ମଜା କଣ ଆଉ ମିଳିବ ?
-ଗଛ ଛାଇ ଯୋଗୁଁ ଘରକୁ ଖରା ପଡୁନି।ଛୋଟ ଘରେ ଚଳିବାକୁ ଅସୁବିଧା ହେଉଛି।ତା ଛଡା ଏଇ ପୁରୁଣା ଘର ମୂଳଦୁଆ ଢାଞ୍ଚା ନ ବଦ଼ଲାଇଲେ ଭଲ ଘରଟେ ତିଆରି ହୋଇ ପାରିବନି।"ସାଧନା କହୁଥିଲା।
ଅସହାୟ ହୋଇ ବାପା ଅନାଇଥିଲେ ନିଜ ପୁରୁଣା ଘରକୁ ଓ ଆମ୍ବ ଗଛକୁ। ବିଜୟ ପାଖକୁ ଆସି ବାପାଙ୍କ କାନ୍ଧରେ ହାତ ରଖି କହିଲା,
- ବାପା,ବ୍ୟସ୍ତ ହୁଅନା।ନୂଆ ଘର ତିଆରି ହେଲା ପରେ ନୂଆ ଗଛ ଲଗାଇ ଦେବା।"
ଆମ୍ବ ଗଛ କଟା ହୋଇ ,ପୁରୁଣା ଘର ଭଙ୍ଗା ହୋଇଥିଲା।ନୂଆ ଘର ସାମ୍ନାରେ ବାପାଙ୍କ ମନ ରଖିବା ପାଇଁ ଗୋଟେ ବଡ଼ ଗଛ ଲଗାଇ ଥିଲା ବିଜୟ। ନକଲି ଗଛ। ଫାଇବର ଗ୍ଲାସରେ ତିଆରି ଆର୍ଟିଫିସିଆଲ ଗଛ। ପୁରା ସତ ସତିକା ଗଛ ଭଳି ଦିଶୁଥିଲା ଗଛ ଟା।
- ଦେଖିଲ ବାପା !ଏ ଗଛ ଆଉ ବଢିବନି କି ୟା ଚେର ପାଇଁ ଘର ବା ପାଚେରୀ ଫାଟିବାର ଡର ନାହିଁ।" ଗଛ ତାକୁ ଦେଖାଇ ଗର୍ବ ର ସହ କହୁଥିଲା ବିଜୟ।
- ଏ ଛାଇ କଣ ଏଠାରେ ପୂର୍ବରୁ ପଡୁଥିବା ଛାଇ ଭଳି ଲାଗୁଛି ?ଗଛ ବି ଆମ ସମ୍ପର୍କ ଭଳି।ସମୟ ସହ ଗଛ ବଢେ,ସ୍ନେହ ମମତା ସମ୍ପର୍କ ବି ବଢେ।"
ବାପାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ବିଜୟ ପଚାରିଲା, -ଛାଇ ରେ ପୁଣି ପ୍ରକାରଭେଦ କଣ ?ଛାଇ ତ ଛାଇ।"
- ଏ ଛାଇରେ କଣ ଶୀତଳତା ଅଛି ?ସତ ଗଛ ଛାଇ ଓ ନକଲି ଗଛ ଛାଇ କଣ ସମାନ ?ପ୍ରାକୃତିକ ଓ ମଣିଷ ଦ୍ବାରା ନିର୍ମିତ ଜିନିଷ ଭିତରେ ଢେର ତଫାତ ।ଟିକେ ଚିନ୍ତା କଲେ ବୁଝି ପାରିବୁ ,ଜିଆନ୍ତା ଗଛ'ର ଛାଇ ଓ ନକଲି ଜିନିଷ ରେ ତିଆରି ଏଇ ନିର୍ଜୀବ ଗଛ ଛାଇ ଭିତରେ ଆକାଶ ପାତାଳ ଫରକ।ଗଛ ଛାଇରେ ଆମ ଥକ୍କା ପଣ ଚାଲିଯାଏ, ହେଲେ ଏଇ ଛାଇ ରେ ଅଣନିଶ୍ବାସୀ ଲାଗୁଛି ।ଗଛ ଦେଉଥିବା ଅମ୍ଳଜାନ, ଇୟେ ଦେଇ ପାରିବ? ପୁରୁଣା ଘର ର ସ୍ମୃତି କଣ ଫେରାଇ ପାରିବ ଏ ନୂଆ ଘର ?"
ତାକୁ ଲାଗୁଥିଲା ବାପା ସବୁଦିନ ଭଳି ଆଜି ବି ଲେକ୍ଚର ଦେଉଛନ୍ତି।ବୋରିଙ୍ଗ ଲେକ୍ଚର/ଭାଷଣ।ସାରା ଜୀବନ ବାପାଙ୍କ ଏଇ ଭାଷଣ ଶୁଣି ଶୁଣି ଦେହସୁହା ହୋଇ ଗଲାଣି।
- ଦେଖନ୍ତୁ ବାପା,ସେସବୁ ଫାଲତୁ ସେଣ୍ଟିମେଣ୍ଟ କଥା ଛାଡ଼ନ୍ତୁ।ଘର ଭିତରେ ଛାଇ କଣ ଦରକାର ?"
ହଠାତ ବାପା ଗୋଟେ ପ୍ରଶ୍ନ କରିଥିଲେ, - ନିଜ ଛାଇ ତଳେ କେବେ ନିଜେ ଠିଆ ହୋଇଛୁ ?"
ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଜୟ।ନିଜ ଛାଇରେ କଣ କିଏ ଠିଆ ହୋଇ ପାରେ ! ମେଘମୁକ୍ତ ଆକାଶଟା ସୁନ୍ଦର ଦିଶୁଥିଲା। ସାମ୍ନା ରାସ୍ତା ଉପରେ ସକାଳରେ ଖରା ବିଛାଡ଼ି ହୋଇ ପଡ଼ିଥିଲା।ସେଦିନ ନିଜ ଛାଇ ଟା ବେଶ ଲମ୍ବା ଲାଗିଥିଲା ବିଜୟଙ୍କୁ। ସମୟ ଗଡି ଚାଲିଥିଲା।ସାଧନାଙ୍କ ଦେହାନ୍ତ ପରେ ଏକୁଟିଆ ଅନୁଭବ କରୁଥିଲେ ବିଜୟ।ଏକମାତ୍ର ପୁଅ ବିଦେଶରେ।ଘର ଟା ଖାଁ ଖାଁ ଲାଗୁଥିଲା। ଇତିହାସ ନିଜର ପୁନରାବୃତ୍ତି କଲା ଭଳି ପୁଅ ସମ୍ୟକ ତାଙ୍କ ଆଗରେ ପ୍ରସ୍ତାବ ବାଢିଥିଲା।
- ଏ ଘରଟା ଭାଙ୍ଗି ଗୋଟେ କମର ସିଆଲ କମ୍ପ୍ଲେକ୍ସ କରିଦେବା।ଉପର ମହଲାରେ ପେଣ୍ଟ ହାଉସ ଆମର ରଖିବା।" ବୋକାଙ୍କ ଭଳି ବିଜୟ ପଚାରିଥିଲେ,
- ପେଣ୍ଟ ହାଉସ କଣ ଦରକାର ?ତା ପୁଣି ସବା ଉପର ମହଲା,ବେଶୀ ଗରମ।ଲିଫ୍ଟରେ ଯିବା ଆସିବା ମୁଁ ପାରିବିନି।ତମ ସହ ମୋର ବିଦେଶ ଯିବାର ନାହିଁ।ଏଇଠି ତୋ ବୋଉର ସ୍ମୃତି ସହ ମୁଁ ରହିଛି ଓ ରହିବି।"
- ତମେ ବ୍ୟସ୍ତ ହୁଅନା ବାପା,ତମେ ବିଦେଶ ଯିବନି।ଏଇଠି ରହିବ।" ନୂଆ ଘର ଟା ଦେଖି କାନ୍ଦ କାନ୍ଦ ହୋଇଯାଇଥିଲେ ବିଜୟ।ଏତେ କଷ୍ଟରେ ବନାଇଥିବା ଘର ଭାଙ୍ଗିଦେଲା ପୁଅ ?ସେ ବି ଭାଙ୍ଗିଥିଲେ ବାପାଙ୍କ ଘରକୁ। ସତରେ ଏଇଠି ହିଁ ରହିଥିଲେ ବିଜୟ।ପାଞ୍ଚ ମହଲା କମରସିଆଲ କମ୍ପ୍ଲେକ୍ସ ବନାଇ ସମ୍ୟକ ଚାଲି ଯାଇଥିଲା ବିଦେଶ। ବିଜୟ ରହୁଛନ୍ତି ଗୋଟେ ସୁନ୍ଦର ଘରେ।ସବୁ ସୁବିଧା, ଅଛି।ତାଙ୍କ କଥା ବୁଝିବାକୁ ଲୋକ ବି ଅଛନ୍ତି।ତାଙ୍କ ଭଳି ଆଉ କିଛି ଲୋକ ବି ଏଇ ଦାମୀ ବୃଦ୍ଧାଶ୍ରମରେ ରହୁଛନ୍ତି। ବିଜୟ କିଛି ଖୋଜୁଥିଲେ।ଏଇ କିଛି ଦିନ ହେଲା ସେ ଖୋଜୁଛନ୍ତି। ଛାଇକୁ ଖୋଜୁଛନ୍ତି। ପାଖରେ ନିଜ ଲୋକଙ୍କ ଉପସ୍ଥିତିଲୋଡୁଛନ୍ତି। ହେଲେ କାହିଁ !କେବଳ ନିଜ ଛାଇ।
ଆଜି ସେ ଏକୁଟିଆ।ସମ୍ପର୍ଣ୍ଣ ଏକୁଟିଆ।ହୁଏତ ମଲା ପରେ କ୍ରିୟାକର୍ମ ପାଇଁ ପୁଅ,ବୋହୁ ନଆସି ପାରନ୍ତି। ନିଜ ଛାଇକୁ ଅନାଇ ବାପାଙ୍କ କଥା ମନେ ପଡୁଥିଲା।
-ଛାଇଟିଏ ନିହାତି ଦରକାର।ଥକ୍କା ମେଣ୍ଟାଇବା ପାଇଁ ଗଛ ର ଛାଇ ଆଉ ଏକୁଟିଆ ପଣ ହଟାଇବା ପାଇଁ ସମ୍ପର୍କର ଛାଇଟେ ଲୋଡେ ମଣିଷ।ନିଜେ ଏକୁଟିଆ ସବୁ କରିଦେଇ ପାରିବ ବୋଲି କହୁଥିବା ଅହଙ୍କାରୀ ମଣିଷ ବି ଛାଇ ଖୋଜେ।ଆପଣା ଲୋକର ଛାଇ।ନିଜ ଛାଇରେ କଣ ଠିଆ ହୋଇହୁଏ !ଛାଇ ପାଇଁ ଆଲୁଅ ଟିଏ ଦରକାର।" ବିଜୟ କାନ୍ଦୁଥିଲେ।ଏକୁଟିଆ ଘର ଭିତରେ କେବଳ ନିଜ ଛାଇ।ବୃଦ୍ଧାଶ୍ରମରେ କାମ କରୁଥିବା ଲୋକଙ୍କ ଛାଇ ସେଇ ନକଲି ଫାଇବର ଗ୍ଲାସ ଗଛ ଛାଇ ଭଳି ନକଲି।ସମ୍ପର୍କ ର ଛାଇଟିଏର ଶୀତଳତା ଲୋଡ଼ା ତାଙ୍କୁ।ହେଲେ ସେ ଛାଇ କାହିଁ !
ରାସ୍ତା ହେଉକି ଜୀବନ ରାସ୍ତା ,କ୍ଲାନ୍ତ ମଣିଷର ଛାଇଟିଏ ନିହାତି ଦରକାର।  

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment