Welcome to shalandi webzine

ଛତା

ଅନୀଲ କୁମାର ପାଢୀ

ଜୀବନରେ ଛତାଟିଏ ଦରକାର। ଛତା ଉଡିଗଲେ ଅନେକ କିଛି ହଜିଯାଏ। ଶ୍ରାବଣମାସର ପୂର୍ବାହ୍ନ ଟାଣ୍ ଖରାରେ ଗାଧୋଇପଡିଥିବ। ତଥାପି ସ୍କୁଲବ୍ୟାଗ୍ ସାଙ୍ଗରେ ବୋଉ ଦେଇଥିବ ବଙ୍କୁଲୀବାଡିଆ ଛତା! ସତକୁ ସତ ଆକାଶ ମେଘାଚ୍ଛନ୍ନ ହୋଇଯିବ ଓ ପ୍ରଥମେ ଝିପିରିଝିପିରି ଓ ତାପରେ ମୂଷଳଧାରାରେ ବର୍ଷା।

ଜୀବନରେ ଛତାଟିଏ ଦରକାର। ଛତା ଉଡିଗଲେ ଅନେକ କିଛି ହଜିଯାଏ।
ଶ୍ରାବଣମାସର ପୂର୍ବାହ୍ନ ଟାଣ୍ ଖରାରେ ଗାଧୋଇପଡିଥିବ। ତଥାପି ସ୍କୁଲବ୍ୟାଗ୍ ସାଙ୍ଗରେ ବୋଉ ଦେଇଥିବ ବଙ୍କୁଲୀବାଡିଆ ଛତା! ସତକୁ ସତ ଆକାଶ ମେଘାଚ୍ଛନ୍ନ ହୋଇଯିବ ଓ ପ୍ରଥମେ ଝିପିରିଝିପିରି ଓ ତାପରେ ମୂଷଳଧାରାରେ ବର୍ଷା।
ସ୍କୁଲରୁ ଘର ତିନିକିଲୋମିଟର। ଫେରିଲାବେଳେ ଘରଠୁ ମୋଟେ ଡାକେ ବାଟରୁ ଛତାଟିକୁ ମୁଦିଦେଇ ମୁଁ ମୁଦାଛତା ଉହାଡରେ ବସ୍ତାନୀକୁ ରଖି ଘରେ ପାଦଦିଏ। ଅପରାହ୍ନ ସରିସରି ଆସୁଥାଏ। ମୋର ଏ ଅବସ୍ଥା ଦେଖି ବୋଉ ମିଛ ଗାଳି କରୁକରୁ ମୋ ଆଡକୁ ଧାଇଁଆସିବ ଓ ତା ପଣତରେ ମୋ ମୁଣ୍ଡ ପୋଛିଦେବ। ଗାମୁଛା ଦେଇ କହିବ, ଯା ଲୁଗା ବଦଳା! କିରେ! ଛତାଟା ମୁଦିଦେଇ ଆସୁଥିଲୁ କାହିଁକି!
ସଞ୍ଜରେ, କାଠଚୁଲୀ ଧାସରେ ତା'ର ସୋରିଷ ତେଲ ଲେପିତ ପାପୁଲି ଗରମ କରି ମୋ ଦୁଇକାନ ମୂଳରେ ସେକ ଦବ!
ବୋଉ ପଣତର ଆକର୍ଷଣ ମୋ ଭିତରେ କାହିଁରେ କଣ୍! ବହୁବାର ଜାଣିଶୁଣି ଛତା ହଜେଇଛି, ଛତା ବନ୍ଦକରି ଆସିଛି! ଆଃ! ନାକରେ ସେ ପଣତ ବାଜିଲେ ଯେଉଁ ମଧୁର ବାସ୍ନା ଆସେ! ତା'ର ସେଇ ମଳିପିଆ ପଣତରେ ତ କେତେଥର ପୋଛାହୋଇଛି ଆମ ସିଂଘାଣୀ, ଓଦା ମୁହଁ, ଝାଳ ଆଉ ଲୁହ!
ଏବେ, ବୋଉର ପଣତ ହଜିଯାଇଛି।
ଏମିତିଦିନେ ଇଚ୍ଛାହେଲା ପୁଣିଥରେ ଛତା ମୁଦିଦେଇ ଭିଜିବା ପାଇଁ। ଭିଜିଲି। ଘରକୁ ଫେରି ବୋଉର ଫଟୋ ଆଗରେ ଠିଆହେଲି। କାନ୍ଦଲାଗିଲା।
ହଠାତ୍ ଗୋଟାଏ ଚେୟାର ଉପରେ ଠିଆହୋଇ ଟାଓ୍ବେଲରେ ମୋ ମୁଣ୍ଡ ପୋଛୁପୋଛୁ ମୋ ଝିଅ କହିଲା, ବାପା ତମେ କେବେ ବଡ ହେବ ଯେ! କେତେ ଆଉ ତମ କଥା ବୁଝିବି! ଛତାଟା ବନ୍ଦକରି କାହିଁକି ଓଦା ହେଉଥିଲ!
ଶହଶହ ଛତା ଯେମିତି ତତ୍ପରଥିଲେ ମୋତେ ବର୍ଷାରୁ ବଞ୍ଚେଇବା ପାଇଁ!

 
 

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment