ଡୁପ୍ଲିକେଟ ଲେଖକ

ଶାଳନ୍ଦୀ ସମୀକ୍ଷକ

ଡୁପ୍ଳିକେଟ ଲେଖକ କିଏ ? କୋଉଥି ପାଇଁ ସେମାନେ ଆବିର୍ଭୂତ ହୁଅନ୍ତି ସାହିତ୍ଯ ରାଜ୍ୟରେ । ଏକ ଅନୁସନ୍ଧାନମୂଳକ ରିପୋର୍ଟ ।

ବଙ୍ଗଳାର ବିଶିଷ୍ଟ ଔପନ୍ୟାସିକ ବିମଳ ମିତ୍ର ଗୋଟିଏ ପାଠାଗାର ଉଦଘାଟନ କରିବାକୁ ଯାଇଥିଲେ। କଲିକତା ପାଖରେ ଗୋଟେ ମଫସଲ ଗାଁରେ ପାଠାଗାରଟି ଥିଲା। ଫିତା କାଟି ପାଠାଗାର ଉଦଘାଟନ କରି ଘର ଭିତରକୁ ଯାଇ ପାଠାଗାରର ବହି ଗୁଡିକୁ ଦେଖି ବିମଳ ମିତ୍ର ସ୍ତମ୍ଭୀଭୂତ ହୋଇଯାଇଥିଲେ। କାରଣ ଆଲମାରିରେ ବିମଳ ମିତ୍ରଙ୍କ ନାମରେ ଯେତେ ଗୁଡିଏ ବହି ରହିଥିଲା ସବୁ ଗୁଡିକ ଥିଲା ଜାଲ ବହି। ସେଥି ମଧ୍ୟରୁ ଖଣ୍ଡିଏ ହେଲେ ବହି ତାଙ୍କ ଦ୍ବାରା ଲିଖିତ ନଥିଲା। ପାଠାଗାର କର୍ତ୍ତୃପକ୍ଷ ତାଙ୍କ ସମ୍ମାନାର୍ଥେ ନବ ନିର୍ମିତ ଗ୍ରନ୍ଥାଗାର ଭବନର ସାମ୍ନାରେ ମାର୍ବଲ ପଥରରେ ଖୋଦାଇ କରି ଲେଖିଦେଇ ଥିଲେ ଶ୍ରୀ ବିମଳ ମିତ୍ର କର୍ତ୍ତୃକ ଉଦଘାଟିତ। ବାହାରେ ସମ୍ମାନ ଓ ଭିତରେ ଅପମାନ ପାଇ ସେ ମର୍ମାହତ ହୋଇଯାଇଥିଲେ। ଏକଥା ସେ ପାଠାଗାରର କର୍ତ୍ତୃପକ୍ଷଙ୍କୁ କହିବା ମାତ୍ରେ ସେମାନେ ଲଜ୍ଜିତ ଓ ବିସ୍ମିତ ହୋଇଥିଲେ। ସେମାନେ କହିଥିଲେ ଆପଣ ବଙ୍ଗଳାର ସବୁଠୁ ଲୋକପ୍ରିୟ ଲେଖକ। ଆପଣଙ୍କ ବହି ପଢିବା ପାଇଁ ଲୋକମାନେ ଚାହିଁ ବସିଛନ୍ତି। ସେଥିପାଇଁ ଆମେ ବଜାରରୁ ଆପଣଙ୍କ ଲିଖିତ ସବୁ ବହି କିଣି ଆଣିଥିଲୁ। ବିମଳ ମିତ୍ର କ୍ଷୋଭ ପ୍ରକାଶ କରି କହିଥିଲେ- ଦୁର୍ଭାଗ୍ୟର କଥା ଯେ ଏଥି ମଧ୍ୟରୁ କୌଣସି ଗୋଟିଏ ବି ବହି ମୁଁ ଲେଖିନାହିଁ।
ଏକ ସମୟରେ ବିମଳ ମିତ୍ରଙ୍କ ନାରେ ପ୍ରାୟ ତିନି ଶହ ଡୁପ୍ଲିକେଟ ବହି ବଜାରରେ ବିକ୍ରି ହେହଉଥିଲା। ସେ ଏତେ ଲୋକପ୍ରିୟ ଥିଲେ ଯେ, ତାଙ୍କ ନାମରେ ଜାଲ ବହି ବାହାର କରିବା ପାଇଁ ଖଳଲୋକମାନେ ଲାଗିପଡି ଥିଲେ। ଭଲ ରୋଜଗାର ବି ହେଉଥିଲା । ଏହି ଘଟଣା ପରେ ବିମଳ ମିତ୍ର ତାଙ୍କ ବହିରେ ଏକ ବିଜ୍ଞପ୍ତି ଦେଇଥିଲେ। ସେଥିରେ ସେ ପାଠକ ପାଠିକା ମାନଙ୍କୁ ଜଣାଇଥିଲେ ଯେ, ତାଙ୍କର ନାମ ଜାଲ କରି କିଛି ଲୋକ ଗଳ୍ପ ଉପନ୍ୟାସ ଛପଉଛନ୍ତି। ସେମାନେ ସେ ସବୁ ଜାଲ ବହି କିଣନ୍ତୁ ନାହିଁ । ବିମଳ ମିତ୍ର ନାମରେ ଅନେକ ବ୍ୟକ୍ତି ଥାଇପାରନ୍ତି କିନ୍ତୁ ଦ୍ବିତୀୟ କୌଣସି ଲେଖକ ନାହାନ୍ତି।
ଏଥି ସହିତ ଶ୍ରୀ ବିମଳ ମିତ୍ରଙ୍କ ସ୍ବାକ୍ଷର ମଧ୍ୟ ଥିଲା। ତା ସତ୍ତ୍ବେ ବହିର ଡୁପ୍ଲିକେଟ ହେବା କମି ନଥିଲା।
ଏହା ପରେ ସେ ତାଙ୍କର ବହିରେ ନିଜର ଫଟୋ ମଧ୍ୟ ଦେଇଥିଲେ। ଏବଂ ଲେଖିଥିଲେ ଯେ ଏ ହେଉଛନ୍ତି ଲେଖକ ବିମଲ ମିତ୍ର। ତାଙ୍କ ଫୋଟୋ ଦେଖି ବହି କିଣନ୍ତୁ ।
ଏହି ବିଷୟରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନଥିଲା। କାରଣ ବିମଳ ମିତ୍ର ନାମରେ ପ୍ରକୃତରେ ଲୋକ ଥିଲେ। ଦୁଷ୍ଟବୁଦ୍ଧି ପ୍ରକାଶକ ମାନେ ସେମାନଙ୍କ ନାମକୁ ବ୍ୟବହାର କରି କିଛି ଟଙ୍କା ଦେଇ ଏ ପ୍ରକାର ବ୍ୟବସାୟ ଚଳଉଥିଲେ।
ଅଧିକ ଲୋକପ୍ରିୟତାର ଏହା ହେଉଛି ଖରାପ ଦିଗ। ବିମଳ ମିତ୍ରଙ୍କର ହିନ୍ଦୀରେ ଓ ବଙ୍ଗଳାରେ ବହୁ ସିନେମା ତିଆରି ହୋଇଛି। ତାହା ମଧ୍ୟରୁ ସବୁଠୁ ଲୋକପ୍ରୀୟ ସିନେମା ହେଲା-ସାହେବ ବିବି ଗୋଲାମ। ଏହି ସିନେମାଟି ୧୯୬୨ ମସିହାରେ ତିଆରି ହୋଇଥିଲା। ଏହାର ପ୍ରଯୋଜକ ଥିଲେ ଗୁରୁଦତ୍ତ ଓ ନିର୍ଦ୍ଦେଶକ ଥିଲେ ଅବରାର ଆଲ୍ଭି‌। କିନ୍ତୁ ଏହାକୁ ସମସ୍ତେ ଗୁରୁଦତ୍ତଙ୍କ ସିନେମା ଭାବରେ ଜାଣନ୍ତି। ରେହେମାନ, ମୀନାକୁମାରୀ, ଗୁରୁଦତ୍ତ ଓ ୱହିଦା ରେହେମାନ ଅଭିନୀତ ଏହି ଚଳଚ୍ଚିତ୍ର ସର୍ବଭାରତୀୟ ସ୍ତରରେ ବହୁତ ନାମ କମେଇ ଥିଲା। ଥରେ ବିମଳ ମିତ୍ର ମାଡ୍ରାସର ଭେନସ ପିକ୍ଚରସ୍ ଷ୍ଟୁଡିଓକୁ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତି ତାଙ୍କୁ କହିଲେ ଆପଣ ଚଳଚ୍ଚିତ୍ର କରିବା ପାଇଁ
 
 
ଯେଉଁ ବହି ଆମ ପାଖକୁ ପଠାଇ ଥିଲେ ତାହା ଆମ ଦ୍ବାରା ଗୃହିତ ହୋଇପାରି ନାହିଁ। କାରଣ ବହିଟି ପୁରା ବକବାସ। ବିମଳ ମିତ୍ର ଆଶ୍ଚର୍ଯ ହେଇ ପଚାରିଲେ- ମୁଁ ତ ସେପରି କୌଣସି ବହି ପଠାଇ ନାହିଁ ! । ସେହି ବ୍ୟକ୍ତି କହିଥିଲେ ଆପଣ ଆମ ପାଖକୁ ଯେଉଁ ବହିଟି ଏବଂ ଚିଠିଟି ଲେଖିଥିଲେ ସେଥିରେ ଲେଖିଥିଲେ ଯେ ମୁଁ ସାହେବ ବିବି ଗୋଲାମର ଲେଖକ। ମୋର ନୂଆ ବହି `କଡିର ଚେଏ ଦାମୀ` ସିନେମା କରିବା ପାଇଁ ପଠାଇଲି। ବିମଳ ମିତ୍ର କହିଲେ , `ସାହେବ ବିବି ଗୋଲାମ`ର ଲେଖକ ମୁଁ ବିମଳ ମିତ୍ର। କିନ୍ତୁ `କଡିର ଚେଏ ଦାମୀ` ବହିଟି ମୁଁ ଲେଖିନାହିଁ।
ଆମ ଓଡିଶାରେ ଏପରି ଘଟଣା ଘଟିବାର କୌଣସି ଦୃଷ୍ଟାନ୍ତ ନାହିଁ। କାରଣ ଆମ ପ୍ରଦେଶରେ ଏତେ ଲୋକପ୍ରିୟ ଲେଖକ ବା ବହି ଥିଲେ ବି ତାର ଡୁପ୍ଲିକେଟ କରିବା କଥା କେହି ଚିନ୍ତା କରି ନାହାନ୍ତି। ତେବେ ଅତୀତରେ ଏପରି ଘଟଣା ଘଟିଥିବା କଥା ଗବେଷକମାନେ କୁହନ୍ତି । `ଶାରଳା ମହାଭାରତ`ର ଲେଖକ ପ୍ରସିଦ୍ଧ ସାରଳା ଦାସଙ୍କ ନାମରେ କେହିଜଣେ ଜାଲ ଲେଖକ ବହି ଟାଏ ଲେଖି ତାକୁ ଲୋକପ୍ରିୟ କରିଥିଲା । ବହିଟି ହେଉଛି ବିଲଙ୍କା ରାମାୟଣ। ଏହା ସାରଳା ଦାସଙ୍କ ରଚନା ନୁହେଁ ବୋଲି ଗବେଷକ କୁହନ୍ତି । କିନ୍ତୁ କିଏ ସେହି ଜାଲ ଲେଖକ । କଣ ଥିଲା ଏପରି ଜାଲିଆତି କରିବାର ଉଦ୍ଦେଶ୍ୟ ? ତାହା ଏପର୍ଯନ୍ତ ବି ଅସ୍ପଷ୍ଟ । ଅବଶ୍ୟ ଏବେ ବି ମହାତ୍ମା ଅଚ୍ୟୁତାନନ୍ଦ ଦାସଙ୍କ ବହି `ମାଳିକା` ପାଠ ବଦଳାବଦଳି ହୋଇ ଛପାଯାଏ । ଅର୍ଥ ଉପାର୍ଜନ ଏହାର ଉଦ୍ଦେଶ୍ୟ ।
ତେବେ ଏହି ପ୍ରସଙ୍ଗରେ ଗୋଟିଏ ଘଟଣା ଆମ ଅନୁସନ୍ଧାନ ଭିତରକୁ ଆସୁଛି। ଯେତେବେଳେ ମନୋଜ ଦାସ ଲୋକପ୍ରିୟତାର ଶୀର୍ଷରେ ସେତେବେଳେ ତାଙ୍କ ନାମରେ ଗୋଟିଏ ଡୁପ୍ଲିକେଟ ଲେଖା ପ୍ରକାଶ ପାଇଥିଲା ବୋଲି ଜଣାଯାଏ । `ଶାଳନ୍ଦୀ` ସାହିତ୍ଯ ପତ୍ରିକାର ୧୯୮୬ ମସିହା ପୂଜା ସଂଖ୍ୟା ଗୋଟିଏ ଗଳ୍ପ ପ୍ରକାଶ ପାଇଥିଲା ଯାହାର ଲେଖକ ଥିଲେ ମନୋଜ ଦାସ। ଗଳ୍ପଟିର ନାମ ଥିଲା `ଓଟ -ଏକ ଚତୁଷ୍ପଦ ପ୍ରାଣୀ`। ଗଳ୍ପଟିକୁ କିନ୍ତୁ ମନୋଜ ଦାସ ଲେଖି ନଥିଲେ।
ଗଳ୍ପଟି ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଓ ଖବର ପାଇ ମନୋଜ ଦାସ ମଧ୍ୟ ମ୍ରିୟମାଣ ହୋଇଥିଲେ। ଏହା ପୂର୍ବରୁ ତାଙ୍କର `ଓଟ` ନାମକ ଗଳ୍ପ ପ୍ରକାଶ ପାଇ ଲୋକପ୍ରିୟ ହୋଇଥିଲା । ଏହି ନୂତନ ଗଳ୍ପ `ଓଟ -ଏକ ଚତୁଷ୍ପଦ ପ୍ରାଣୀ` ପାଇଁ କେହିକେହି ନିଶ୍ଚୟ ତାଙ୍କୁ ଜଣାଇଥିବେ । ମନୋଜ ଦାସ ଆଶ୍ଚର୍ଯ ହୋଇଥିଲେ । କାରଣ ଗଳ୍ପ ଟି ତାଙ୍କର ନୁହେଁ । ସେ `ଶାଳନ୍ଦୀ`ର ସମ୍ପାଦକ ନିରଞ୍ଜନ ନାୟକଙ୍କୁ ଠାବ କରିଥିଲେ ଓ ପଚାରିଥିଲେ, ଆପଣ କିପରି ମୋ ନାମରେ ଏପରି ଏକ ଡୁପ୍ଲିକେଟ ଗଳ୍ପ ଛପାଇଲେ। ଏହାର ଉତ୍ତରରେ ନିରଞ୍ଜନ ନାୟକ କହିଥିଲେ, ମୁଁ ଆପଣଙ୍କୁ । `ଶାଳନ୍ଦୀ` ସାହିତ୍ଯ ପତ୍ରିକା ପାଇଁ ଗଳ୍ପ ଦେବାକୁ ଚିଠି ଲେଖିଥିଲି। ପରେ ପରେ ଆପଣଙ୍କ ଲେଖାଟି ଡାକ ଯୋଗେ ଆସି ପହଞ୍ଚିଲା। ମୁଁ ଛପାଇ ଦେଲି। ମନୋଜ ଦାସ କହିଥିଲେ, ଏମିତି କେମିତ ଛପାଇ ଦେବେ? ! ଆପଣ ଅନୁସନ୍ଧାନ କଲେ ନାହିଁ। ଏ ଗଳ୍ପଟିକୁ ମୁଁ ଲେଖି ନାହିଁ ନିରଞ୍ଜନ ନାୟକ କହିଥିଲେ, ତାହା ସମ୍ଭବ ନୁହେଁ। କିଏ କଣ ଅନୁସନ୍ଧାନ କରି ଲେଖା ଛପାଏ । ଗଳ୍ପଟିକୁ ମୁଁ ପଢିଛି। ତାହା ଆପଣଙ୍କ ଲେଖନ ଶୈଳୀରେ ଲିଖିତ ଏକ ଚମତ୍କାର ଗଳ୍ପ। ମନୋଜ ଦାସ ଆଉ କିଛ କହି ନଥିଲେ।
ତେବେ ଏହି ଭଳି ଦୁଷ୍ଟାମି କରିଥିଲା କିଏ? ସତରେ କଣ କେହିଜଣେ ଡାକ ଯୋଗେ ପଠାଇଥିଲା ଏ ଗଳ୍ପ ? କିଏ ସେ ଲୋକ ? କଣ ଥିଲା ତାର ଉଦ୍ଦେଶ୍ୟ ?
ଏହାର ପର୍ଦ୍ଦାଫାସ କରିବାକୁ ଆଜି ଆମ ପାଖରେ `ଶାଳନ୍ଦୀ` ସାହିତ୍ଯ ପତ୍ରିକା ର ସମ୍ପାଦକ ନିରଞ୍ଜନ ନାୟକ ନାହାନ୍ତି କିମ୍ବା ବିଶିଷ୍ଟ ଲେଖକ ମନୋଜ ଦାସ ବି ନାହାନ୍ତି। ତେବେ ଆମେ ଯେତିକି ଅନୁସନ୍ଧାନ କରିଛୁ ସେଥିରୁ ଜାଣି ପାରୁଛୁ ଯେ ଗଳ୍ପଟିକୁ ଲେଖିଥିଲେ ସେତେବେଳେ ରାଉରକେଲାର ଅବସ୍ଥାପିତ ଜଣେ ବଡ ଆୟକର ଅଫିସର ଏବଂ ଜଣେ କବି। ତେବେ ଏ ସମସ୍ତ ଦୁଷ୍ଟାମି ସମ୍ପର୍କରେ ନିରଞ୍ଜନ ନାୟକ ନିଶ୍ଚୟ ଅବଗତ ଥିଲେ। ନହେଲେ ସେ ଗଳ୍ପ ବିଭାଗର ପଞ୍ଚମ ସ୍ଥାନରେ ମନୋଜ ଦାସଙ୍କ ଗପ ଛାପି ନଥାନ୍ତେ ବା ତାଙ୍କ ଗଳ୍ପ ପୂର୍ବରୁ ଦୁଇ ଜଣ ନବାଗତ ଲେଖକଙ୍କ ଲେଖା ଛାପି ନଥାନ୍ତେ। କାରଣ ସେତେବେଳେ ମନୋଜ ଦାସ ଥିଲେ ଓଡିଶାର ସର୍ବାଧିକ ଲୋକପ୍ରିୟ ଲେଖକ ଏବଂ ତାଙ୍କ ଲେଖା ସୂଚୀପତ୍ରରେ ସମସ୍ତଙ୍କ ଆଗରେ ରହୁଥିଲା ।
ମନୋଜ ଦାସ ଉକ୍ତ ଗଳ୍ପକୁ କୌଣସି ସଙ୍କଳନରେ ରଖିବାର ପ୍ରଶ୍ନ ତ ଉଠୁନାହିଁ। କିନ୍ତୁ ଯଦି କେହି ତାହାକୁ ନିଜ ସଙ୍କଳନରେ ରଖିବାର ଲୋଭ କରେ ସେ ନିଶ୍ଚୟ ଏ ଦୁଷ୍ଟାମିକୁ ସ୍ଵୀକାର କରିବ । କାରଣ ଗଳ୍ପଟି ସଙ୍କଳନରେ ରହିବାର ଯୋଗ୍ୟତା ରଖେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment