Welcome to shalandi webzine

ବିଜୁ ପଟ୍ଟନାୟକ ଓ ରାମାନନ୍ଦ ସାଗର

ପରେଶ ପଟ୍ଟନାୟକ

ରାମାନନ୍ଦ ସାଗରଙ୍କ ଜୀବନୀରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ କିଛି ତଥ୍ୟ ପଢି ଆମୋଦିତ ହୁଏନ୍ତି ଲେଖକ ପରେଶ କୁମାର ପଟ୍ଟନାୟକ । ମନମୋହନ ପ୍ରଧାନ ଙ୍କ ଦ୍ଵାରା ଓଡିଆ ଅନୁଦିତ ସେଇ ଜୀବନୀର ପ୍ରକାଶନ ସହିତ ସମ୍ପୃକ୍ତ ହୁଅନ୍ତି । ସେଇ ଅନୁଭବ ସେ ବଖାଣିଛନ୍ତି ଏଇ ଆଲେଖ୍ୟରେ ।

୨୭ ଅକ୍ଟୋବର ୧୯୪୭। ଭାରତ ବିଭାଜନର ଦୁଇ ମାସ ପରର ଘଟଣା। କାଶ୍ମୀର ସେ ପର୍ଯ୍ୟନ୍ତ ସ୍ବାଧୀନ ଥାଏ । ପାକିସ୍ତାନ ପ୍ରରୋଚନାରେ କାଶ୍ମୀର ଉପରେ ଆକ୍ରମଣ ଆରମ୍ଭ ହେଇଗଲା। ବଜିରଷ୍ଠାନର ଲସ୍କର କବାୟିଲୀ ନାମକ ଉଗ୍ରବାଦୀ ଗୋଷ୍ଠୀ କାଶ୍ମୀରରେ ଲୁଟତରାଜ ଚଳାଇଲେ। ହତ୍ଯା, ଧର୍ଷଣ ଓ ଲୁଣ୍ଠନରେ ଅଶାନ୍ତ ହୋଇଉଠିଲା କାଶ୍ମୀର ଉପତ୍ୟକା। ପ୍ରାଣ ବଞ୍ଚାଇବାକୁ ହିନ୍ଦୁମାନେ ଭାରତ ଆସିବାକୁ ଉଦ୍ୟମ କଲେ। ସେଦିନ କିଛି ଶ୍ରୀନଗର ବିମାନ ବନ୍ଦରରେ ଆଶ୍ରୟ ନେଇଥାଆନ୍ତି। ଏହି ଶରଣାର୍ଥୀମାନଙ୍କ ଭିତରେ ଥାଆନ୍ତି ତିରିଶ ବର୍ଷୀୟ ରାମାନନ୍ଦ ସାଗର ଓ ତାଙ୍କର ତେରଜଣିଆ ପରିବାର ।
କାଶ୍ମୀର ଭାରତ ସହିତ ମିଶିଯିବାକୁ ଘୋଷଣା କଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ କାଶ୍ମୀରକୁ ଭାରତୀୟ ସେନା ପଠାଇଲେ।
ଶ୍ରୀନଗର ବିମାନ ଘାଟିରେ ପହଞ୍ଚିଲା ଡାକୋଟା ଡିସି ବିମାନ । ବିମାନରୁ ଓହ୍ଲାଇ ପଡ଼ିଲେ ଶିଖ୍‌ ରେଜିମେଣ୍ଟର ସୈନିକ। ନେହରୁଙ୍କ ନିର୍ଦ୍ଦେଶ ଥିଲା ଫେରନ୍ତା ଯାତ୍ରାରେ ଶରଣାର୍ଥୀମାନଙ୍କୁ ଦିଲ୍ଲୀ ନେଇଆସିବା ପାଇଁ । ସେଇ ଡାକୋଟା ବିମାନର ପାଇଲଟ ଥିଲେ ଡୁର୍ଦଷ ବିଜୁ ପଟ୍ଟନାୟକ ।
ବିଜୁ ଘୋଷଣା କଲେ ଯେ, ବିମାନରେ କେବଳ ଶରଣାର୍ଥୀ ଯିବେ। କୌଣସି ସାମାନ ଯାଇପାରିବନାହିଁ। ବିମାନରେ ଚଢ଼ିବା ପାଇଁ ପାଗଳ ଭଳି ମାଡ଼ି ଆସିଲେ ଶରଣାର୍ଥୀମାନେ । ରାମାନନ୍ଦ ସାଗରଙ୍କ ପରିବାର ବିମାନରେ ଚଢ଼ିଗଲେ । ରାମାନନ୍ଦ ସାଗର ମୁଣ୍ଡରେ ବୋହି ଆଣୁଥିଲେ ଗୋଟାଏ ଟ୍ରଙ୍କ। ଟ୍ରଙ୍କ ଟିକୁ ବିମାନରେ ଚଢ଼େଇବା ବେଳେ ଠେଲାପେଲା ଚାଲିଲା। ବିଜୁ ଗର୍ଜି ଉଠିଲେ- କେଡ଼େ
ଲୋଭୀ ଲୋକ ହେ ତୁମେ! । ! ଲୋକଙ୍କ ଜୀବନ ବିପଦରେ ପଡ଼ିଛି, ତମେ ସାଙ୍ଗରେ ଧନ ବୋହି ନେବାକୁ ଲାଗିଛ। ସେ ଟ୍ରଙ୍କକୁ ବାହାରକୁ ଫୋପାଡ଼ି ଦେବାକୁ ଉଦ୍ୟମ କଲେ। ଠେଲାପେଲା ଭିତରେ ରାମାନନ୍ଦ ସାଗରଙ୍କ ମାଆ କୌଣସି ମତେ ଟ୍ରଙ୍କକୁ ବିମାନ ଭିତରକୁ ଠେଲିଦେଲେ। ବିଜୁ ଚିତ୍କାର କଲେ- ଲୋଭୀ!!, ଦେଖା ତ! ଟ୍ରଙ୍କରେ କଣ ସବୁ ସଂପତ୍ତି ବୋହି ନେଉଛୁ । ଠେଲାପେଲାରେ ଟ୍ରଙ୍କଟା ଖୋଲିଗଲା ଓ ତା ଭିତରୁ କାଗଜ ପତ୍ର ବାହାରକୁ ବିଛାଡ଼ି ହୋଇ ପଡ଼ିଲା। ବିଜୁ ପଚାରିଲେ-- ଏସବୁ କଣ ? ରାମାନନ୍ଦ ସାଗର କହିଲେ- ଏସବୁ ମୋର ଲେଖା। ମୋର ପାଣ୍ଡୁଲିପି। ଇଏ ମୋ ପାଇଁ ସବୁଠୁ ବଡ଼ ସଂପତ୍ତି ।

 
 
ଏହାର ମୂଲ୍ୟ ତୁମ ଭଳି ଲୋକ ବୁଝିପାରିବ ନାହିଁ । ବିଜୁ ପଚାରିଲେ- ତୁମେ କିଏ ? ରାମାନନ୍ଦ କହିଲେ- ମୁଁ ରାମାନନ୍ଦ ସାଗର । ଜଣେ ଲେଖକ। ବିଜୁ ତାଙ୍କୁ ଚିହ୍ନିପାରିଲେ। କାରଣ ସେତେବେଳକୁ ରାମାନନ୍ଦ ସାଗରଙ୍କ ଦୁଇଟି ସଫଳ ସୃଷ୍ଟି ସମଗ୍ର ଦେଶରେ ତାଙ୍କୁ ଜଣେ କାହାଣୀକାର ଭାବରେ ସ୍ବୀକୃତି ଦେଇ ସାରିଥିଲା। ଗୋଟିଏ ହେଲା “ମୌତ କେ ବିସ୍ତର ସେ” (ମୃତ୍ୟୁଶଯ୍ୟାରୁ ) ଓ ଅନ୍ୟଟି ହେଲା “ଟିବି କେ ମରିଜ୍‌ କେ ଡାଏରୀ” (ଯକ୍ଷ୍ମାରୋଗୀର ଦିନଲିପି ) । ବିଜୁ ଲଜ୍ଜିତ ହେଲେ, ରାମାନନ୍ଦଙ୍କ ଚରଣ ସ୍ପର୍ଶ କଲେ। ତାଙ୍କୁ ଆଲିଙ୍ଗନ କଲେ ଓ ଟ୍ରଙ୍କ ସମେତ ରାମାନନ୍ଦଙ୍କ ପରିବାରକୁ ଦିଲ୍ଲୀ ନେଇ ଆସିଲେ ।

ଏହିସବୁ ବର୍ଣ୍ଣନା ରହିଛି ରାମାନନ୍ଦ ସାଗରଙ୍କ ଜୀବନୀ ପୁସ୍ତକ “ଏନଏପିକ୍‌ ଲାଇଫ୍‌ ରାମାନନ୍ଦ ସାଗର- ଫ୍ରମ୍‌ ବରସାତ୍‌ ଟୁ ରାମାୟଣ” | ଏହି ପୁସ୍ତକ ପଢ଼ିବା ବେଳେ ବିଜୁ ପଟ୍ଟନାୟକଙ୍କ ପ୍ରସଙ୍ଗ ଆସିବା କ୍ଷଣି ଜଣେ ଓଡ଼ିଆ ଭାବରେ ମୋତେ ଗର୍ବ ଲାଗିଥିଲା ଓ ଜଣେ ଲେଖକ ପ୍ରତି ବିଜୁଙ୍କ ଆଦର ଓ ସମ୍ମାନ ମୋତେ ଅଭିଭୂତ କରିଥିଲା। ଏହି ପୁସ୍ତକଟିକୁ ରଚନା କରିଛନ୍ତି ରାମାନନ୍ଦ ସାଗରଙ୍କ ପୁତ୍ର ପ୍ରେମ ସାଗର । ପୁସ୍ତକରେ ଅଛି ରାମାନନ୍ଦ ସାଗରଙ୍କ ସଂଘର୍ଷମୟ ଜୀବନ କାହାଣୀ । ଜଣେ ଶରଣାର୍ଥୀ
ଭାବରେ ସେ ଆସିଥିଲେ ଭାରତକୁ ଓ ଜଣେ ସଫଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ହୋଇପାରିଥିଲେ। ତାଙ୍କ ନିର୍ମିତ “ ଆରଜୁ, ଆନଖେ, ଚରସ,ଲଲକାର, ଗୀତ୍‌! ଗୋଟିଏ ଗୋଟିଏ ଅବିସ୍ମରଣୀୟ ଚଳଚ୍ଚିତ୍ର । ତାଙ୍କର ସବୁଠୁ ସଫଳ କୃତି ହେଉଛି ଧାରାବାହିକ ରାମାୟଣ। ଯାହା ସମଗ୍ର ବିଶ୍ବରେ ରାମାୟଣକୁ ପରିଚିତ କରାଇଥିଲା। ରାମାନନ୍ଦ ସାଗରଙ୍କ ପରେ ରାମାୟଣକୁ ଭିତ୍ତି କରି ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରସ୍ତୁତ ହୋଇଛି। କିନ୍ତୁ କେହି ବି ରାମାନନ୍ଦ ସାଗରଙ୍କ ରାମାୟଣର ସଫଳତା ଓ ଲୋକପ୍ରିୟତାକୁ ଅତିକ୍ରମ କରିପାରି ନାହାନ୍ତି। ନିକଟ ଅତୀତରେ ପ୍ରସ୍ତୁତ ହୋଇଥିବା `ଆଦିପୁରୁଷ` ଚଳଚ୍ଚିତ୍ରକୁ ଲୋକମାନେ ରାମାନନ୍ଦ ସାଗରଙ୍କ ଧାରାବାହିକ ସହିତ ତୁଳନା କରିବାରେ ଲାଗିଛନ୍ତି । ଏ ହି ଜୀବନୀ ପୁସ୍ତକ ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ଯ ଅନୂଦିତ ହୋଇଛି। ଓଡ଼ିଆରେ ଏହାକୁ ଅନୁବାଦ କରିଛନ୍ତି ଯୁବ ଲେଖକ ମନମୋହନ ପ୍ରଧାନ। ପୁସ୍ତକଟିର ନାମ ରହିଛି `କଳିଯୁଗର ବାଲ୍ମିକୀ`।

ମୋର ସୌଭାଗ୍ୟକୁ ମୁଁ ଏହି ଓଡ଼ିଆ ଅନୁବାଦ ପୁସ୍ତକ ସହିତ ଜଡ଼ିତ ହେଲି ଓ ଏ ପ୍ରସଙ୍ଗରେ ମୂଳ ଲେଖକ ପ୍ରେମ ସାଗରଙ୍କ ସହିତ ଫୋନ୍‌ରେ ବାର୍ତାଳାପ ହୋଇଗଲା। ଶ୍ରୀ ପ୍ରେମ ସାଗର ମୋତେ କହିଲେ- ବିଜୁ ପଟ୍ଟନାୟକ ହିଁ ରାମାନନ୍ଦଙ୍କୁ ଉଦ୍ଧାର କରି ଆଣିଥିଲେ ରାମଙ୍କର ଦେଶ ଭାରତକୁ । ଯେପରିକି ସେ ଦିନେ ରାମକଥାକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବେ । ଏକଥା ଶୁଣି ମୋତେ
ବହୁତ ଖୁସି ଲାଗିଥିଲା। ମୁଁ ପଚାରିଥିଲି- ରାମାନନ୍ଦ ସାଗର ୧୯୪୭ରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ହୋଇନଥିଲେ । ଥିଲେ ଜଣେ ସମ୍ଭାବନାମୟ ଲେଖକ । ବିଜୁ ପଟ୍ଟନାୟକ ମଧ୍ଯ କିମ୍ବଦନ୍ତୀ ରାଜନୀତିଜ୍ଞ ହୋଇନଥିଲେ। ଥିଲେ ଜଣେ ଦୁଃସାହସୀ ପାଇଲଟ । ତେବେ ପରବର୍ତୀ କାଳରେ ସେମାନେ ପ୍ରତିଷ୍ଠିତ ହେବାପରେ କଣ ସେମାନଙ୍କର କେବେ ଦେଖା ହୋଇଥିଲା? ସେମାନଙ୍କର କିଛି ମିଳିତ ଫଟୋଗ୍ରାଫ୍‌ ଅଛି କି? ପ୍ରେମ ସାଗର କହିଲେ- ନା,କୌଣସି ମିଳିତ ଫଟୋଗ୍ରାଫ ନାହିଁ । ସେମାନଙ୍କର ଦେଖା ହୋଇଥଲା କି ନାହିଁ, ମୋତେ ଜଣାନାହିଁ। ବାପା ତାଙ୍କ ଜୀବନର ଯେଉଁ ଯେଉଁ ଘଟଣା ମୋତେ କହିଥିଲେ, ମୁଁ ସେସବୁ ଟିପି ରଖିଥିଲି ଓ ପରବରର୍ତ୍ତୀ କାଳରେ ଏହି ପୁସ୍ତକଟି ରଚନା କଲି । ରାମାନନ୍ଦ ସାଗରଙ୍କ ଦେହାନ୍ତ ହେଲା ୨୦୦୫ ମସିହାରେ। ଏହି ଜୀବନୀ ପୁସ୍ତକଟି ପ୍ରଥମେ ପ୍ରକାଶ ପାଇଲା ୨୦୧୯ ମସିହାରେ । ଏହି ଜୀବନୀ ପୁସ୍ତକର ହିନ୍ଦୀ ସଂସ୍କରଣରେ ଅବଶ୍ୟ ବିଜୁବାବୁ ଓ ତାଙ୍କ ପ୍ରିୟ ଡାକୋଟା ବିମାନର ଏକ ଫଟୋଗ୍ରାଫ ସଂଯୋଜିତ ହୋଇଛି। ଇଂରାଜୀ ସଂସ୍କରଣରେ ତାହା ଅବଶ୍ୟ ନାହିଁ । ବିଜୁ ପଟ୍ଟନାୟକଙ୍କ ସଂପର୍କରେ କିଛି ତଥ୍ୟଗତ ଭୁଲ୍‌ ଅଛି: ଯାହା ମୁଁ ପ୍ରେମ ସାଗରଙ୍କୁ ଜଣାଇଥିଲି। ଆଗାମୀ ସଂସ୍କରଣରେ ସେସବୁ ତ୍ରୁଟି ସଂଶୋଧନ ହେବ ବୋଲି ସେ ମୋତେ ପ୍ରତିଶ୍ରୁତି ଦେଇଥିଲେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Image
asd
26-12-2023 / 22:09:49

asd

Leave a comment

Name

Email or Phone No (the information will be not disclosed)

Comment