Welcome to shalandi webzine

ଅପକର୍ମ

ଯଶୋବନ୍ତ ସାମଲ

ପ୍ରମାଣ ମିଳିସାରିଥିଲା । ପ୍ରତ୍ୟକ୍ଷଦର୍ଶୀ ନିଜ ନିଜ ବୟାନ ଦେଇସାରିଥିଲେ । ଉପସ୍ଥିତ ସମସ୍ତ ଗୁଣୀ ଜ୍ଞାନୀ ସଜ୍ଜନମାନଙ୍କର ଗୋଟିଏ ମତ- ପିଲାଟି ଦୋଷ କରିଛି । ଶ୍ରେଣୀଶିକ୍ଷକ ମତ ଦେଲେ - ଏ ପିଲାକୁ ଦଣ୍ଡ ମିଳିବା ନିହାତି ଦରକାର । କୋମଳ ବୟସରୁ ଯଦି ଏପରି କୁକାର୍ଯ୍ୟ ଆରମ୍ଭ କଲାଣି, ବଡ଼ ହେଲେ କେଡ଼େ କେଡ଼େ ଦୁଷ୍କର୍ମ ସେ ନ କରିବ ! ଏବେଠୁ ଶାସନ ଢିଲା ହେଲେ, ଭବିଷ୍ୟତରେ ସେ ଏକ କଳଙ୍କ ହୋଇ ଠିଆହେବ ସମାଜରେ ।

ପ୍ରମାଣ ମିଳିସାରିଥିଲା । ପ୍ରତ୍ୟକ୍ଷଦର୍ଶୀ ନିଜ ନିଜ ବୟାନ ଦେଇସାରିଥିଲେ । ଉପସ୍ଥିତ ସମସ୍ତ ଗୁଣୀ ଜ୍ଞାନୀ ସଜ୍ଜନମାନଙ୍କର ଗୋଟିଏ ମତ- ପିଲାଟି ଦୋଷ କରିଛି । ଶ୍ରେଣୀଶିକ୍ଷକ ମତ ଦେଲେ - ଏ ପିଲାକୁ ଦଣ୍ଡ ମିଳିବା ନିହାତି ଦରକାର । କୋମଳ ବୟସରୁ ଯଦି ଏପରି କୁକାର୍ଯ୍ୟ ଆରମ୍ଭ କଲାଣି, ବଡ଼ ହେଲେ କେଡ଼େ କେଡ଼େ ଦୁଷ୍କର୍ମ ସେ ନ କରିବ ! ଏବେଠୁ ଶାସନ ଢିଲା ହେଲେ, ଭବିଷ୍ୟତରେ ସେ ଏକ କଳଙ୍କ ହୋଇ ଠିଆହେବ ସମାଜରେ ।

ନିରବରେ, ମୁହଁ ତଳକୁ କରି ଠିଆହୋଇଥିଲା ସନ୍ତୋଷ , ପଂଚମ ଶ୍ରେଣୀ ଛାତ୍ର । ପ୍ରଧାନଶିକ୍ଷକଙ୍କ ସମ୍ମୁଖରେ ମାମଲା ବିଚାରପାଇଁ ଉପସ୍ଥାପିତ ହୋଇଛି । ଆଜି ଦିନ ଏଗାରଟାବେଳେ ସନ୍ତୋଷ ବାଳିକା ଶୌଚାଳୟରେ ପଶିଥିଲା । ପିଅନ ରାଧୁ ଦୈବାତ୍ ଶୌଚାଳୟ ପରିଦଶ ର୍ନ କରୁଥିବା ଅବସରରେ, କନ୍ କନ୍ ହେଉଥବା ସନ୍ତୋଷକୁ ସେଠାରୁ ଖପ୍କରି ଧରି ପ୍ରଧାନ ଶିକ୍ଷକଙ୍କ ପାଖକୁ ଭିଡ଼ିଭିଡ଼ି ଆଣିଲା ।

ଏ ଦୃଶ୍ୟ ଶ୍ରେଣୀ ଗୃହ ଝର୍କା ବାଟେ ଅନେକ ଛାତ୍ରଛାତ୍ରୀ ଦେଖିଛନ୍ତି । ତେବେ, ସନ୍ତୋଷ ତା ଭିତରେ କ’ଣ କରୁଥିଲା ? ଏହି ପ୍ରଶ୍ନର ସମ୍ଭାବିତ ଉତ୍ତର ଆତଙ୍କିିତ, ଆନ୍ଦୋଳିତ କରୁଥିଲା ଉପସି୍ଥତ ଶିକ୍ଷକ, କର୍ମଚାରୀ ଏବଂ କତିପୟ ଅଭିଭାବକଙ୍କୁୁ । ଦୁଷ୍କର୍ମ କରୁଥିବା ବ୍ୟକ୍ତି ସାବାଳକ, ନା-ବାଳକ, ବୟଷ୍କ ଏପରିକି ବୃଦ୍ଧ ବି ହୋଇପାରେ । ବୟସ ସହିତ ଏହି କର୍ମର କୌଣସି ସମ୍ବନ୍ଧ ନାହିଁ । ଜନୈକ ଶିକ୍ଷକ ନିଜସ୍ୱ ମତ ପ୍ରକାଶକଲେ ଏବଂ ଦିଲ୍ଲୀର “ନିର୍ଭୟା” ଘଟଣାରେ ସଂମ୍ପୃକ୍ତ ଜଣେ ନା-ବାଳକ କଥା ସ୍ମରଣ କରାଇ ପରିବେଶକୁ ଆହୁରି ଗମ୍ଭୀର କରିଦେଲେ ।

ପ୍ରଧାନ ଶିକ୍ଷକଙ୍କ ରକ୍ତଚାପ ବଢିଲା । ଦଣ୍ଡବିଧାନ ତାଙ୍କ ହାତରେ । ସେ ବାରମ୍ବାର ଚଷମା ଖୋଲି କାଚ ପୋଛୁଥାନ୍ତି ଏବଂ ଚୌକରୁ ଉଠି ବାହାରେ ଘେରାଏ ବୁଲି ଆସି ଚିନ୍ତାମଗ୍ନ ହୋଇ ପୁଣି ଚୌକିରେ ବସି ମୁଣ୍ଡ ହଲାଉଥାନ୍ତି । କିଛି ଦୂରଦର୍ଶୀ ଶିକ୍ଷକ ମନ୍ତବ୍ୟ ଦେଲେ , ଏବେଠୁ ଏ ପିଲାକୁ ଯଦି ଶାସ୍ତିବିଧାନ କରା ନ ଯାଏ , ଭବିଷ୍ୟତରେ ବିଦ୍ୟାଳୟଟି ଘୋର ସଂକଟର ସମ୍ମୁଖିନ ହୋଇପାରେ । ଏପରିକି, ସଚେତନ ଅଭିଭାବକମାନେ ଚଳିତ ବର୍ଷ ସେମାନଙ୍କ ପିଲାମାନଙ୍କୁ ଏ ବିଦ୍ୟାଳୟରୁ ଅନ୍ୟବିଦ୍ୟାଳୟକୁ ସ୍ଥାନାନ୍ତର କରି ପାରନ୍ତି! ସେତେବେଳେ କ’ଣ ହେବ ଏହି ବିଦ୍ୟାଳୟର ଭବିଷ୍ୟତ! ଏଣୁ, ମୁଳୁମାଇଲେ ଯିବ ସରି ନ୍ୟାୟରେ, ଭ୍ରଷ୍ଟ ବାଳକକୁ ବହିଷ୍କାର ହିଁ ଏକମାତ୍ର ସମାଧାନର ବାଟ ।

ସମ୍ବେଦନଶୀଳ ଶିକ୍ଷକମାନେ ଭିନ୍ନ ମତ ଦେଲେ । ପିଲାମାନେ ହିଁ ଭୁଲ କରିବେ । ତାଙ୍କୁ ବାଟକୁ ଆଣିବା ଆମ ଦାୟିତ୍ୱ ପିତା-ମାତାଙ୍କୁ ଡାକି ସନ୍ତୋଷକୁ ତାଙ୍କ ହାତରେ ଅପର୍ଣ କରାଯାଉ ଏବଂ ଭବିଷ୍ୟତରେ ଯେପରି ଏପରି ଭୁଲ୍ ନ କରେ, ସ୍ୱ ହସ୍ତରେ ସେ ଲେଖିଦେଉ । ବିଜ୍ଞାନ ଶିକ୍ଷକ ମୂଳ ବିନ୍ଦୁକୁ ଯିବାକୁ ଚାହିଁଲେ । ତାଙ୍କର ପ୍ରଶ୍ନ ହେଲା, କାହା ସହିତ ସେ ଦୁଷ୍କର୍ମ କରିଛି ? ସେ ପିଲାକୁ ମଧ୍ୟ ଡାକ । ନଚେତ୍ ବିଚାର ଏକ ତରଫା ହୋଇଯିବ ।

ସନ୍ତୋଷର ଚୁପଚାପ ଭାବ ସନ୍ଦେହକୁ ଦ୍ୱିଗୁଣିତ କରୁଥିଲା । ଚୋରମାନେ ଯେ କାଳେ କାଳେ ମୌନମୁହାଁ , ଏପରି ଏକ ଭାବନା ଆକ୍ରାନ୍ତ କରୁଥିଲା ଅନେକଙ୍କୁ । ପ୍ରଧାନଶିକ୍ଷକ ଖୁଁ ଖୁଁ ହୋଇ ଗଳା ସଫାକଲେ ।

ଦଣ୍ଡବିଧାନ ପୂର୍ବରୁ ଆସାମୀକ ୁ ନିଜର ପକ୍ଷ ରଖିବାର ଯେଉଁ ନ୍ୟାୟିକ ପରଂପରା ରହିଛି ତାହା ପାଳନ କରି ପଚାରିଲେ- ତୁମେ ସନ୍ତୋଷ, ଆଜି ଦିନ ଏଗାରଟା ବେଳେ ବାଳିକା ଶୌଚାଳୟରେ ପ୍ରବେଶ କରିଥିଲ?
ତଳକୁ ମୁହଁ ପୋତି ଧିର ସ୍ଥିର ଉତର ଦେଲା ସନ୍ତୋଷ - ହଁ ସାର୍ ।
ଆଶ୍ଚର୍ଯ୍ୟ ହୋଇ ପ୍ରଧାନ ଶିକ୍ଷକ

 
 
ଉପଦେଶ ଦେଲାଭଳି ସ୍ୱରରେ କହିଲେ- ଭଲ ଭାବେ ଚିନ୍ତାକରି କୁହ । ପୁଣିଥରେ ଭାବ । ତୁମ ନିଜ କଥାରେ ହିଁ ନିର୍ଭର କରୁଛି ତୁମ ଭବିଷ୍ୟତ । ଚିନ୍ତାକରି କୁହ । ଚୁପ ରହିଲା ବାଳକ । ଗୁଞ୍ଜରଣ ଖେଳିଗଲା କ୍ଷୁଦ୍ର ସମାବେଶରେ । ଚୁପରହିବା ଅର୍ଥ- ଦୋଷୀ ନିଜ ଦୋଷ ସ୍ୱୀକାର କରିଛି । ନ୍ୟାୟପ୍ରଦାନ ପାଇଁ ପଥ ପରିସ୍କାର ହୋଇଗଲା । ଅବାଟକୁ ପାଦ ବଢ଼ାଉଥିବା ଚାଟକୁ କଠୋର ଦଣ୍ଡବିଧାନ ହିଁ ଏକମାତ୍ର ବ୍ୟବସ୍ଥା । ଯଦି ସରକାରୀ ଆକଟ ନ ଥାନ୍ତା, ତତ୍କ୍ଷଣାତ୍ ଏକାବନ ବେତ୍ରାଘାତ ସହିତ ଶହେଏକ ଥର ଉଠ୍-ବସ୍ କରାଇଥାନ୍ତେ ବୋଲି ସଂସ୍କୃତ ଶିକ୍ଷକ ଗୁଣଗୁଣୁ ହୋଇ ପାଖରେ ବସିଥିବା ଅନ୍ୟଜଣେ ବନ୍ଧୁଙ୍କୁ କ୍ଷୋଭର ସହ ଅସନ୍ତୋଷ ପ୍ରକାଶ କଲେ ଏବଂ ସରକାରଙ୍କୁ ଗାଳିଦେଲେ ।

କିଛି ଅଭିଭାବକ, ଯେଉଁମାନେ ଭିନ୍ନଭିନ୍ନ କାର୍ଯ୍ୟ ପାଇଁ ବିଦ୍ୟାଳୟକୁ ଆସିଥିଲେ ଏବଂ ଆପଣାଛାଏଁ ଏହି ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିଲେ, ତନ୍ମଧ୍ୟରୁ ଜଣେ ମତ ରଖିଲେ । ଏସବୁ ବାପା-ମା’ଙ୍କ ଦୋଷ । ଉଭୟ ଗଲେ ଚାକିରି, ପିଲାଙ୍କୁ ଚାକର-ବାକର ହାତରେ ଛାଡ଼ିଲେ, ପିଲା ଅବାଟକୁ ଯିବ ହିଁ ଯିବ । ଯୁକ୍ତିକୁ ଦୃଢ଼କରିବାକୁ ପୁଣି ଯୋଗକଲେ- ଆଜିକାଲି ମୋବାଇଲ୍ ପିଲାଙ୍କୁ ଖାଇଲା । ଯାହା ହାତରେ ଦେଖିବ ମୋବାଇଲ । ଦିନରାତି ରାସ୍ତାଘାଟ, ଗୁରୁଜନ କିଛି ମାନୁନାହାଁନ୍ତି । କ’ଣ ସବୁ ସେଥିରେ ଦେଖନ୍ତି ଆପଣ ଜାଣନ୍ତି ? ପ୍ରଶ୍ନଟିକୁ ଜନତାଙ୍କ ଭାବନାରାଜ୍ୟକୁ ପଠାଇ ଅଭିଭାବକ ଆଶ୍ଚର୍ଯ୍ୟ କଲାଭଳି ଦୃଢୋ଼କ୍ତି କଲେ - ଏ ପିଲା ପକେଟ୍ରେ ବି ମୋବାଇଲ ଥିବ । ଦେଖନ୍ତୁ ।

ଆରେ, ସତେ ତ! ମୋବାଇଲ୍ କଥାଟି କେମିତି କାହା ମୁଣ୍ଡରେ ଏପର୍ଯ୍ୟନ୍ତ ପଶି ନଥିଲା ! “ଗତ ସପ୍ତାହରେ ପାଖଗାଁର ଦୁଇଟା ବାଳୁଙ୍ଗାଟୋକା ଆମ ନଈ ତୁଠରେ ମୋବାଇଲ୍ରେ ସ୍ତ୍ରୀଲୋକଙ୍କଫଟୋ ଉଠାଉଥିଲେ । ସେମାନଙ୍କୁ ଧରି ସିଧା ଉତମ-ମଧ୍ୟମ ଦେଇ, ମୋବାଇଲ୍ ରଖ ବିଦାକରିଦେଲୁ ” ସା୍ଥନୀୟ ମୁରବୀ ଜଣକ ତାଙ୍କର ସଦ୍ୟ ମୋବାଇଲ୍ ଘଟିତ ଅନୁଭୁତି ବର୍ଣ୍ଣନା କଲେ ଏବଂ ଦୃଢ଼ଭାବେ ଦାବିକଲେ- ବାପା ମା’ଙ୍କୁ କହିଲେ କିଛି ଲାଭ ହବନାହିଁ । ଆଜିକାଲିର ପିଲା କ’ଣ ଆଉ ବାପା, ମା’, ଗୁରୁଜନଙ୍କୁ ମାନୁଛନ୍ତି କି ?

ଦୀର୍ଘଶ୍ୱାସ ନେଇ ପ୍ରଶ୍ନଟି ଛାଡ଼ିଦେଲେ ଦର୍ଶକ ଦରବାରକୁ । ମୋବାଇଲ୍ ଧରି ବାଳିକା ଶୌଚାଳୟରେ ପ୍ରବେଶ କରିଥିବା ଦୁଷ୍ଟବାଳକ କ’ଣ ସବୁ କରିଥାଇପାରେ, ଏକଥା ଚିନ୍ତାକରିଅତ୍ୟଧିକ ଭାରାକ୍ରାନ୍ତ ହେଲେ ଗୁରୁମଣ୍ଡଳୀ । ଜଣେ ଅଭିଜ୍ଞ “ମୋବାଇଲ ମାନବ ସମାଜକୁ ଅଭିଶାପ” ଶୀର୍ଷକ ନାତିଦର୍ଘ ଭାଷଣଟିଏ ଉପସ୍ଥାପନ କଲେ ଏବଂ ସୂଚନା ପ୍ରଦାନ କଲେ ଏମାନଙ୍କର ର୍ୟାକେଟ ଅଛି । “ସାରା ପୃଥିବୀରେ ବ୍ୟାପିଛି ତାଙ୍କର ନେଟୱାର୍କ, ଗୁଡ଼ାଏ ପଇସାବି ମିଳେ ଏମାନଙ୍କୁ । ଗତ ମାସରେ ମୁଁ ନିଜେ ଦେଖିଛି, ଆମ ଗାଁ ପାଖ ଗୋଟେ ଝିଅର ଫଟୋ ଇନ୍ଟରନେଟରେ । ସେ ଦୃଶ୍ୟ ଦେଖିଲେ ଆପଣ ଆଖି ବୁଜିଦେବେ । ଏସବୁ ନ ଥିଲା ଆମ ସମୟରେ ... ।”

ଗୋଟିଏ ରହସ୍ୟମୟ ଘଟଣାର ବର୍ଣ୍ଣନା ଶୁଣିବା ପାଇଁ କାନ ଡେରିଥିବା ଜନତାଙ୍କୁ ନିରାଶ ହେବାକୁ ପଡିଲା, ଅଭିଜ୍ଞ ବିଶେଷ କିଛି ବର୍ଣ୍ଣନା କରିବାକୁ ଉଚିତ୍ ମନେକଲେ ନାହିଁ । ମୋବାଇଲ ଭଳି ସୁକ୍ଷ୍ମ ଯନ୍ତ୍ରଟିକୁ ଏ କୋମଳମତି ବାଳକ କ’ଣ ବ୍ୟବହାର କରିପାରିବ ? ଜନୈକ ବିଜ୍ଞ ସନ୍ଦେହ ପ୍ରକଟ କରିବାରୁ ଏକ ସଙ୍ଗେ ତାଙ୍କ ଉପରକୁ ସତେଅବା ଝାମ୍ପି ପଡ଼ିଲେ ଚାରି ପାଂଚ ଜଣ । ପ୍ରଥମ ଶ୍ରେଣୀ ପିଲା ପରା ଆଜିକାଲି ମୋବାଇଲ୍ ଧରିଲେଣି ଇଏତ ପଂଚମରେ ପଢ଼ିଲାଣି ।

ଜନୈକ ଦର୍ଶକ ମତ ଦେଲେ ଏବଂ ଯୋଗକଲେ- ମୋ ନାତୁଣୀ ଚାରି ମାସ ବୟସରୁ ମୋବାଇଲରେ ଗୀତ ନ ଶୁଣିଲେ ତାକୁ ନିଦ ହୁଏ ନାହିଁ । ଏବେ ଦେଢ଼ବର୍ଷ ବୟସରେ ମୋବାଇଲ୍ରେ ଆମ ସମସ୍ତଙ୍କ ଫଟୋ ଉଠାଉଛି, ଦେଖିବେ? ଏବଂ ଯୁକ୍ତିକୁ ପ୍ରମାଣସିଦ୍ଧ କରିବା ପାଇଁ ମହାଶୟ ପକେଟରୁ ମୋବାଇଲ କାଢ଼ି ସହାସ୍ୟ ବଦନରେ ନମ୍ରତା ପ୍ରକାଶ କଲେ- ପୁଅ ବେଙ୍ଗାଲୁରୁ ରୁ ପଠେଇଛି । କହିଲା, ବାପା ତୁମର ସେ ମଣ୍ଡାପିଠା ଭଳିଆ ମୋବାଇଲ ଆଉ କିଏ ଧରୁଛନ୍ତି ? ସେଇଟା ଫିଙ୍ଗି ୟାକୁ ଧର । ମୁଁ ତ ଅଜ୍ଞ । ଗୋଟିଏ ଜାଗାରେ ହାତ ମାରିବାରୁ ଦିଟା ଜାଗାରେ ବାଜିଯାଉଛି । ଖାଲି ଛୁଇଁ ଦେଲେ କ’ଣ ନାହିଁ କ’ଣ ସବୁ ବାହାରିଆସୁଛି । ହେଲେ, ମୋ ନାତୁଣୀ ଠିକ୍ ବାହାର କରିଦେଉଛି କୋଉଠି ଫଟଅଛି, ଖେଳ ଅଛି, ମେସେଜ୍ ଅଛି... ।

କଥାର ରହସ୍ୟ ଆସ୍ତେ ଆସ୍ତେ ବଢୁ ଥିଲା ଏବଂ ଭୟଙ୍କର ଦିଗଗୁଡ଼ିକ ମଧ୍ୟ ଉନୋ୍ମଚିତ ହେଉଥିଲା । ଏଣୁ ମୋବାଇଲ୍ର ସତ୍ୟତା ଜାଣିବା ପାଇଁ ପ୍ରଧାନଶିକ୍ଷକ ହସ୍ତକ୍ଷେପ କଲେ- ସନ୍ତୋଷ ତୁମ ପାଖରେ ମୋବାଇଲ ଅଛି ?
ମୁଣ୍ଡହଲେଇ ଆକୁଳ ଭାବେ ଚାହିଁଲା ସନ୍ତୋଷ । ଭାବୁଥାଏ କେତେବେଳେ ଦଣ୍ଡମିଳିବ । ତା’ର ସାଙ୍ଗ ସାଥୀମାନେ ଖେଳଛୁଟି ହୋଇଥିବାରୁ ଅଫିସ ବାରଣ୍ଡାରେ ଭିଡ଼ ଜମେଇଥିଲେ ଏବଂ ଝର୍କାପଟେ ସନ୍ତୋଷର ଅସହାୟତାକୁ ନିରୀକ୍ଷଣ କରି ଦୁଃଖିତ ହେଉଥିଲେ । ଏବଂ ଠିକ୍ ଭାବେ ଜାଣି ପାରୁ ନ ଥିଲେ ସନ୍ତୋଷ କି ଅପରାଧ କରିଛି । ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିଲା ସ୍କୁଲ ପରିସରରେ । କିଏ କହୁଥିଲା ଟଙ୍କା ଫାଇନ୍ ହବ, କିଏ କହୁଥିଲା ପ୍ରବଳ ମାଡ଼ ହବ, ଆଉ କିଏ କହିଲା ସ୍କୁଲରୁ ବିଦା ହବ ତ କିଛି ପିଲା, ପୁଲିସ ସନ୍ତୋଷକୁ ବାନ୍ଧି ହାତକଡ଼ା ପକେଇ ଚଲେଇ ଚଲେଇ ନେବାର ଆଶଙ୍କା ପ୍ରକଟ କଲେ ।

ପ୍ରଶ୍ନିଳ ଆଖିରେ ମଝିରେ ମଝିରେ ସମସ୍ତଙ୍କୁ ଚାହୁଁଥିଲା ସନ୍ତୋଷ । ଶ୍ୟାମଳ ପତଳା ଚେହେରା । ପେଜୁଆ ଆଖି । ସଫା ହୋଇ ନ ଥିବା ସ୍କୁଲ ପୋଷାକ । ଖରାଦିନେ ପାଣି ନ ପାଇ ଝାଉଁଳି ପଡ଼ିଥିବା ଚାରାଗଛ ପରି ସେ ଦିଶୁଥିଲା । ଶୋଷ ହେଉଥିଲେ ବି ପାଣି ମାଗି ପାରୁ ନ ଥିଲା । କେବଳ ଅପେକ୍ଷା କରୁଥିଲା ଦଣ୍ଡବିଧାନକୁ ।

ଇତିମଧ୍ୟରେ ମଟରସାଇକେଲଟିଏ ବିଦ୍ୟାଳୟ ପରିସରରେ ଦ୍ରୁତ ପ୍ରବେଶ କରିବାରୁ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଶ୍ରେଣୀ କକ୍ଷକୁ ଯିବାପାଇଁ କଡ଼ା ନିର୍ଦ୍ଧେଶ ଦେଲେ ଏବଂ ଅପେକ୍ଷାକଲେ ଦୁଇ ଆଗନ୍ତୁକଙ୍କୁ । ସନ୍ତୋଷ ପାଇଁ କିଛି ନିର୍ଦ୍ଦେଶ ନ ଥିବାରୁ କାନ୍ଥକୁ ଲାଗି କବାଟ କୋଣକୁ ସେ ଠିଆହେଲା । ପ୍ରଧାନଶିକ୍ଷକ ଆଗନ୍ତୁକ ଦୁଇଜଣକୁ ପାଖରୁ ଦେଖି ଚିହ୍ନିଲେ ଏବଂ ଅବ୍ୟର୍ଥନା କରି ଚୌକି ପ୍ରଦାନ କଲେ । କହିବା ବାହୁଲ୍ୟ , ଆଗନ୍ତୁକ ବନ୍ଧୁ ଦ୍ୱୟ ଏହି ବିଦ୍ୟାଳୟର ସୁନାମଧନ୍ୟ ପ୍ରାକ୍ତନ ଛାତ୍ର, ଅଧୁନା ଓକିଲାତି ଏବଂ ସାମ୍ବାଦିକତା କରୁଛନ୍ତି । ଗୁରୁଜୀମାନଙ୍କୁ ଯଥାମାନ୍ୟ ପ୍ରଦାନକରି ସାମ୍ବାଦିକ କଥା ଆରମ୍ଭ କଲେ - ଆମେ ଜରୁରୀ, ଗୁରୁତ୍ୱପୂର୍ଣ ଖବର ପାଇ ଆସିଛୁ । ଆପଣ ବାଇଟ୍ ଦିଅନ୍ତୁ । ସଙ୍ଗେସଙ୍ଗେ ଆମ ଟି.ଭି. ଚ୍ୟାନେଲ୍ରେ ତାଜା ଖବର ଆକାରରେ ସ୍ରଲିଂ ଚାଲିବ ।

ପ୍ରଧାନଶିକ୍ଷକଙ୍କୁ ଲକ୍ଷ୍ୟକରି ସାମ୍ବାଦିକ କ୍ୟାମେରା ସଜାଡ଼ିଲେ ଏବଂ ଓକିଲ ବନ୍ଧୁ ବୁମ୍ ଦେଖାଇଲେ । ପୂର୍ବାପର ପ୍ରସଙ୍ଗ ନିର୍ଦ୍ଦେଶ ନ କରି ହଠାତ୍ ବିଷୟେ ପ୍ରବେଶ, ଗୁରୁଜୀଙ୍କୁ ଆଶ୍ଚର୍ଯ୍ୟଲାଗିଲା । ହଡ଼ବଡ଼େଇ ଗଲେ କ୍ୟାମେରାକୁ ଚାହିଁ ଏବଂ ଧୀରେ ପ୍ରଶ୍ନଟି ପଚାରିଲେ- କେଉଁ ବିଷୟରେ କହିବି ?
ଆପଣଙ୍କର ପ୍ରତିକ୍ରିୟା ଆଜିର ଘଟଣା ଉପରେ । ସ୍ପଷ୍ଟଭାବେ କହୁନ୍ତୁ । ବିଶ୍ୱବାସୀଙ୍କ ସମ୍ମୁଖରେ ସତ୍ୟ ପ୍ରକଟ କରନ୍ତୁ ।
ପ୍ରଧାନଶିକ୍ଷକ ତଥାପି ନିରବ ରହିବା ଦେଖି ସାମ୍ବାଦିକ ଉତ୍ସାହିତ କଲେ । ଦେଖନ୍ତୁ ସାର୍, ଆମ ଚ୍ୟାନେଲର ଟି.ଆର୍.ପି. ଏବେ ଏକ ନମ୍ବରରେ ଅଛି । ଖବର ସଂଗ୍ରହ ଏବଂ ପ୍ରସାରଣରେ ଆମ ଟି.ଭି. ସବୁଠୁ ଆଗରେ । ଦିଲ୍ଲିର ଅଭୟା ଷ୍ଟୋରୀ, ବାଙ୍ଗାଲୋର ର ତୃତୀୟ ଶ୍ରେଣୀ ଛାତ୍ରୀ ଘଟଣା, ରାୟଗଡ଼ା, ପିପିଲି, ବାଲେଶ୍ୱର ଯେଉଁଠାରେ ବି ଦୁଷ୍କର୍ମ ଘଟିଛି ଆମ ଟି.ଭି. ସେଠି ପ୍ରଥମେ ପହଂଚି, ଲୋକଲୋଚନାକୁ ଆଣିଛି ଅସଲକଥା । ପ୍ରସାରିତ କରିଛି ଅନୁସନ୍ଧାନ ମୂଳକ ଗ୍ରାଉଣ୍ଡ ଜିରୋ ରିପୋଟ୍ ।
ସାରର୍ଙ୍କର ଫାଙ୍କା ଚାହାଣିରୁ ଜଣାପଡୁଥାଏ ସେ ଏବେବି କିଛି ବୁଝି ପାରୁନାହାଁନ୍ତି ।
ଓକିଲ ଛାତ୍ର ତାଙ୍କୁ ସାହସ ପ୍ରଦାନ କଲେ- ଭୟ କରନ୍ତୁ ନାହିଁ ସାର୍, ମୁଁ ଅଛି । କିଛି ଲିଟିଗେସନ୍ ଆସିଲେ ମତେ ଖବର ଦେବେ । ଆଛା, ଆପଣ ଏଫ.ଆଇ.ଆର୍. ଦେଲେଣି?ଡିପାଟ୍ମେଂଟକୁ ଜଣାଇଲେଣି ?
ପ୍ରଧାନଶିକ୍ଷକ ଗୋଲକଧନ୍ଦାରେ ପଡ଼ିଲେ । କେଉଁ ସମସ୍ୟା ଉପରେ ମତ ପ୍ରଦାନ କରିବେ ଜାଣି ନ ପାରି ପ୍ରସ୍ତାବ ଦେଲେ - ଗୁରୁ ଶିଷ୍ୟ ପରଂପରା ବିଷୟରେ କହିଲେ ଚଳିବ?
ହଠାତ, କଂଚାଲଙ୍କା ପୁଂଜାଏ ଚୋବେଇ ଦେଲା ଭଳି ମୁହଁ କଲେ ସାମ୍ବାଦିକ । ଗୁରୁ-ଶିଷ୍ୟ ପରଂପରା କ’ଣ ଆଜିର ଏକ ସମସ୍ୟା ! ଟି.ଭି.ରେ ଏ ଆଲୋଚନା ଚାଲିଲେ ମାଲିକ ଖୁବ୍ କମ୍ ଦିନ ରେ ସନ୍ୟାସୀ ହୋଇଯବ , ଆମର ପେଟ ପାଟଣା ବି ଡୁବି ଯିବ । ଆମର ଦରକାର ତାଜା ଚାଂଚଲ୍ୟକର ଖବର । ଯେଉଁ ଖବର ଶୁଣଲେ, ଦେଖିଲେ ଦଶ ର୍କଙ୍କର ଲୋମମୂଳ ଟାଙ୍କୁରି ଉଠିବ । ଟି.ଭି. ଛାଡ଼ି ଖାଇବା ପାଇଁ ମଧ୍ୟ ଯିବେନାହିଁ ଦର୍ଶକ । କିହୋ, ଗୁରୁଶିଷ୍ୟ ପରଂପରା ଭଳି ଆଲୋଚନା ପାଇଁ କେଉଁ କଂପାନୀ ବିଜ୍ଞାପନ ଦବ? ଆଉ ବିଜ୍ଞାପନ ନ ମିଳିଲେ ଆମ ଟି.ଭି. ଚ୍ୟାନେଲ ଚାଲିବ କେମିତି, ଆମେ ଚଳିବୁ କେମିତି ? ଆମକୁ ସବୁବେଳେ ଦରକାର ସେନ୍ସନାଲ ଖବର, ସେ କେଉଁଠି ଘଟିଲା , କେମିତି ଘଟିଲା , ଆମର କାମ ତତ୍କ୍ଷଣାତ୍ ପ୍ରସାର କରିବା । ବାସ୍ ।”

ମନେ ମନେ ଗୁଡ଼ାଏ ବିରକ୍ତ ହେଲେ ସାମ୍ବାଦିକ । କିନ୍ତୁ ଚୁପ୍ ରହିଲେ ସାରର୍ଙ୍କ ମୁହଁକୁ ଚାହିଁ । ପରିବେଶଟି କୁହେଳିକାମୟ ମନେହେବାରୁ ଜଣେ ଜଣାଶୁଣା ଶିକ୍ଷକ , ଓକିଲ ଛାତ୍ରଙ୍କୁ ଜିଜ୍ଞାସା କଲେ- କେଉଁ ବିଷୟରେ ଆପଣମାନେ ଜାଣିବାକୁ ଚାହୁଁଛନ୍ତି, ବୋଧହୁଏ ସାର୍ ଜାଣି ପାରୁ ନାହାଁନ୍ତି । ଆପଣମାନେ ଏ ସନ୍ତୋଷ କଥା ପଚାରୁନାହାଁନ୍ତି ତ?

ଶିକ୍ଷକ ଅଙ୍ଗୁଳି ନିର୍ଦ୍ଦେଶ କରିବା ମାତେ୍ର ସମସ୍ତ ଦେଖଣାହାରୀଙ୍କ ଆଖି ଜାକିଜୁକି ହୋଇି କାନ୍ଥକୁ ଲାଗି ଥରୁଥିବା ପିଲାଟି ଉପରକୁ ଲମ୍ବିଆସିଲା । ସାମୟିକ ଆଶସ୍ତ୍ୱ ହେଲେ ପ୍ରଧାନ ଶିକ୍ଷକ । କିନ୍ତୁ ସର୍ବା ଧିକ ଆଶ୍ଚର୍ଯ୍ୟ ହେଲେ ଆଗନ୍ତକୁ ଦ୍ୱୟ । ଖବରଦାତାଙ୍କୁ ଜରୁରୀ ଖବର ମଳିଥିଲା ଏହି ବିଦ୍ୟାଳୟରେ ଜନୈକ ଶିକ୍ଷକଙ୍କ ଦା୍ୱରା ଅନୈତିକ କାର୍ଯ୍ୟ ଘଟଛି । ଏ ଚାଂଚଲ୍ୟକର ଖବର ସଂଗହ୍ର ପାଇଁ ପ୍ରଥମେ ସେମାନେ ପହଂଚିଛନ୍ତି ମଧ୍ୟାହ୍ନ ଭୋଜନ ତ୍ୟାଗକରି । କିନ୍ତୁ ସନ୍ତୋଷକୁ ଦେଖି ତାଙ୍କର ସବୁ ଆଶା ଯେମିତି ମଉଳି ଗଲା, ସବୁ ପରିଶ୍ରମ ବୃଥା ହେଲା ବୋଲି ହୃଦବୋଧ ହେଲା ।

ପ୍ରାକ୍ତନ ଛାତ୍ର ଦ୍ୱୟଙ୍କ ମୁଖମଣ୍ଡଳରୁ ନୈରାଶ୍ୟ ସ୍ପଷ୍ଟ ବାରି ହୋଇ ପଡୁଥାଏ । ସେମାନଙ୍କୁ ସନ୍ତଷ୍ଟୁ କରବା ପାଇଁ ପ୍ରଧାନଶିକ୍ଷକ ବଖାଣିଲେ ସକାଳ ଏଗାରଟାରୁ ଏପର୍ଯ୍ୟନ୍ତ ଘଟିଥିବା ସନ୍ତୋଷ କୈନ୍ଦ୍ରିକ ଘଟଣାବଳି । ଏବଂ ଚଢ଼ା ଗଳାରେ ଜେରା ଆରମ୍ଭ କଲେ- ଏ ବାଳକ ତୋ’ର ନାଁ କ’ଣ? କେଉଁ ଶ୍ରେଣୀରେ ପଢ଼ୁଛୁ?
ସନ୍ତୋଷର ଧୈର୍ଯ୍ୟଚ୍ୟୁତି ଘଟିଥିଲା । ସେ ଠକ୍ଠକ୍ କାନ୍ଦୁଥିଲା ।
ପ୍ରଶ୍ନର ଉତର ନ ଦେବାରୁ ପ୍ରଧାନଶିକ୍ଷକ ନିଜ ତରଫରୁ ଆଗନ୍ତୁକ ଦ୍ୱୟଙ୍କୁ ଛାତ୍ରଟିର ପରିଚୟ ପ୍ରଦାନ କଲେ ଏବଂ ସାମାନ୍ୟ ନରମ ଗଳାରେ ସନ୍ତୋଷକୁ ପଚାରିଲେ- ତୁ ଝିଅପିଲାଙ୍କ ଶୌଚାଳୟରେ ପଶିଥିଲୁ? ଚିନ୍ତାକରି, ମନେପକେଇ କହିଲୁ ।
ସନ୍ତୋଷ କ’ଣ ଭାବିଲା କେଜାଣି, ସ୍ଥିର କଲା ସତସତ ସବୁ କହିଦେବ । ତେଣିକି ଯାହାହବ ଦେଖାଯିବ । ଯଦି ସ୍କୁଲରୁ ବାହାର କରିଦେବେ, ବାପାଙ୍କୁ ଚାଷକାମରେ ସାହାଯ୍ୟ କରିବ, ପାଠ ପଢ଼ା ଯେତିକି ହେଲା ସେତିକି । ହଁ ସାର । ଦିତୀୟ ପିରିଅଡ ବେଳେ । ସାର୍ ଙ୍କୁ ଚାହିଁ ଧୀରେ ଧୀରେ ଉତ୍ତରଦେଲା ସନ୍ତୋଷ ।
ତୋ ସାଙ୍ଗରେ ଆଉ କିଏ ଥିଲା? ଶିକ୍ଷକଙ୍କର ଅତିରିକ୍ତ ପ୍ରଶ୍ନ ।
ନିରବ ରହିଲା ସନ୍ତୋଷ । ତଳକୁ ମୁହଁ ପୋତିଲା ।
ସମବେତ ଦର୍ଶକ କାନ ତରାଟି ଅପେକ୍ଷା କଲେ ଶୁଣିବାକୁ କି ଅପକର୍ମ ସେ କରିଛି, କାହା ସହିତ । ଚୁପ୍ଚାପ୍ ପରିବେଶ, ସମସ୍ତଙ୍କର ଆଖି ସନ୍ତୋଷ ଉପରେ । ଅଥଚ ତା ପାଟି ଖୋଲୁ ନାହିଁ । ସନ୍ଦେହ ବହୁଗୁଣିତ ହେଲା ।
ପ୍ରଧାନ ଶିକ୍ଷକ କ୍ରୋଧ ନିୟନ୍ତ୍ରଣ କରି ତା ପାଖକୁ ଯାଇ ପିଠି ଆଉଁଷି ଦେଲେ- କହି ଦଉନୁ ତୋ ସହିତ ଆଉ କିଏ ଥିଲା, ତୁ ସେଠି କ’ଣ କରୁଥିଲୁ?
ଶିକ୍ଷକଙ୍କ ସ୍ପର୍ଶରେ ସାହସ ଫେରି ପାଇଲା ସନ୍ତୋଷ । ମୁଣ୍ଡଟେକି କହିଲା- କେହି ନଥିଲେ ସାର୍, ମୁଁ ଏକାଥିଲି, ସତ କହୁଛି ।
-ତେବେ ସେଠି ତୁ କଣ କରୁଥିଲୁ । ଶିକ୍ଷକ ପ୍ରଶ୍ନ ଦୋହରାଇଲେ । -ସାର୍ ଦେଖୁଥିଲି । ଶାନ୍ତ ଉତ୍ତରଟି ଦେଲା ସନ୍ତୋଷ ।
-ଅବିଶ୍ୱାସ ଓ ତାତ୍ସଲ୍ୟ ମିଶା ସ୍ୱରରେ ଶିକ୍ଷକ ଜେରା କଲେ, କାହାକୁ ଦେଖୁଥିଲୁ?
-ସାର୍ ,ଦର୍ପଣରେ ମୁଁ ନିଜକୁ ଦେଖୁଥିଲି ।
-ତୁମ ଘରେ କ’ଣ ଦର୍ପଣ ନାହିଁ?
-ନା , ଏତେବଡ଼ ଦର୍ପଣ ଆମ ଘରେ ନାହିଁ । ଏ ଦର୍ପଣରେ ତ ନିଜକୁ ସଂପୂର୍ଣ୍ଣଭାବେ ଦେଖି ହବ, ମୁଁ ତାହାହିଁ କରୁଥିଲି ।
ପେନସିଲ୍ ଗାର ପରି ସରୁରେଖାଟିଏ ଉକୁଟି ଉଠୁଥିଲା ସନ୍ତୋଷର ନାକତଳେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment