Welcome to shalandi webzine

ଯାହା ଭଲ ବହି ପଢିଲି

ସହଦେବ ସାହୁ

ସ୍ବନାମଧନ୍ୟ ଲେଖକ ସହଦେବ ସାହୁ ନିକଟରେ ପଢିଛନ୍ତି ଦୁଇଟି ବହି - ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର- ଲେଖକ – ହରିହର ମିଶ୍ର ଓ ଦିହକର କଥା- ଲେଖିକା – ଶ୍ରୀମତୀ ରାସେଶ୍ଵରୀ ମିଶ୍ର । ତାଙ୍କ ମତରେ ଏ ଦୁଇଟି ପୁସ୍ତକ ଅନ୍ଯତମ ଭଲ ବହି ।

ଚନ୍ଦ୍ରଭାଗା ଦର୍ଶନ କରି ପୁରୀରୁ ଚାଲିଚାଲି ଫେରିଲାବେଳେ ହରିହର ଓ ତାଙ୍କର ବନ୍ଧୁଙ୍କୁ ଦୁଇ ତିନି ଜଣ ଗୋରା ସାହେବ ବାଟ ଓଗାଳି ଇଂରେଜିରେ ପଚାରିଲେ, ତୁମେ ପହଁରା ଜାଣକି ? ହରିହର କହିଲେ, ହଁ , ପହଁରା ଜାଣୁ, କିନ୍ତୁ ମହାସମୁଦ୍ର ବା ସମୁଦ୍ର ପହଁରି ଜାଣିନୁ । ଦ୍ବିତୀୟ ବିଶ୍ଵଯୁଧ୍ୟ ସମୟ , ଇଂରେଜୀ ଓ ଜର୍ମାନୀ ଭିତରେ ଯୁଧ୍ୟ ଚାଲିଥିଲା । ସେହି ଗୋରା ସାହେବ ସମ୍ଭବତଃ ତଟରକ୍ଷୀ ଥିଲେ । ହରିହର ଓ ତାଙ୍କର ବନ୍ଧୁଙ୍କୁ ଜର୍ମାନ ସଂତ୍ରାସବାଦୀ ଭାବି ପଚାରୁଥିଲେ । ତାଙ୍କର ବନ୍ଧୁ କହିଲେ , ଆମେ କଟକ ସିଟି ସ୍କୁଲର ଛାତ୍ର , ଚନ୍ଦ୍ରଭାଗା ଦର୍ଶନ କରିବାକୁ ଆସିଥିଲୁ ।
1947 ମସିହା ଅଗଷ୍ଟ 15 ତାରିଖରେ ଦେଶ ସ୍ବାଧୀନ ହେଲା, କିନ୍ତୁ ଓଡ଼ିଶାର ଗଡଜାତ ରାଜ୍ୟର ରାଜାମାନେ ବ୍ରିଟିଶ ଶାସନରୁ ମୁକ୍ତ ହେବା ଫଳରେ ନିଜନିଜ ରାଜ୍ୟକୁ ସ୍ବାଧୀନ ରାଜ୍ୟ ବିଚାରକରି ନିଜ ରାଜ୍ୟର ପତାକା ଉତ୍ତୋଳନ କଲେ । ପାଟଣା ରାଜ୍ୟର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଦୁଇଟି ପତାକା ଉତ୍ତୋଳନ କରିଥିଲେ, ଭାରତର ତ୍ରିରଙ୍ଗା ପତାକା ଓ ଦ୍ବିତୀୟ, ପାଟଣା ରାଜ୍ୟର ପତାକା । ମହାରାଜା ଘୋଷଣା କଲେ, ଆମେ ଭାରତର ସବୁ ଗଡଜାତ ରାଜ୍ୟ ଗୁଡିକ ସ୍ବାଧୀନ ହୋଇ ରହିଛୁ , ଆନୁଷ୍ଠାନିକ ଭାବେ ଆମ୍ଭେମାନେ ଭାରତ ସରକାରଙ୍କ ସହିତ ମିଶିନାହୁଁ । ପରେ ଯାହାହେବ ଦେଖାଯିବ । ହରିହର ସେତେବେଳେ ପାଟନାଗଡର ରମାଇ ସ୍କୁଲର ଶିକ୍ଷକ ଥିଲେ ।
ଐତିହାସିକମାନେ କୁହନ୍ତି, ଆତ୍ମଜୀବନୀରେ ବର୍ଣିତ ତଥ୍ୟ ଐତିହାସିକ ତଥ୍ୟ ରୂପେ ଗ୍ରହଣ କରାଯିବ ଯଦି ତାହା ଅନ୍ୟ କୌଣସି ସ୍ବାଧୀନ ତଥ୍ୟ ଦ୍ବାରା ସମର୍ଥିତ ହେଇଥିବ । ସାଧାରଣତ ସମାଜରେ ପ୍ରତିଷ୍ଟିତ ବ୍ୟକ୍ତିମାନେ, ଯେମିତିକି ଜଣେ ରାଜନେତା, ମନ୍ତ୍ରୀ ବା ରାଜ୍ୟପାଳ ଏମିତି କଥା ଲେଖିବ ନାହି ଯାହା ଦ୍ବାରା ସେ ନିନ୍ଦିତ ହୋଇପାରେ, ସାଧାରଣ ଜନତା ନାପସନ୍ଦ କରିପାରନ୍ତି । ସେମାନଙ୍କର ଦୁର୍ବଳତା ସେମାନେ ଉଲ୍ଲେଖ କରିବେ ନାହି । ସେମାନେ ନିଜର ଭଲ ଗୁଣ, ବାହାଦୂରୀ ଲେଖିଥାନ୍ତି ଏବଂ ସମୟ ସମୟରେ ମିଛ ମଧ୍ୟ ଲେଖିଥାନ୍ତି ।
ହରିହର ମିଶ୍ର ଜଣେ ସାଧାରଣ ମଣିଷ , ଜଣେ ନିଷ୍ଠାପର ଶିକ୍ଷକ । ସେ ସାଧାରଣ ଜନତାଙ୍କ କଥା ତାଙ୍କ ଆତ୍ମଜୀବନୀ

 
 
` ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର` ରେ ଲେଖିଛନ୍ତି । ତାଙ୍କ ଆତ୍ମଜୀବନୀରେ ସେ କିଛି ବାହାଦୂରୀ ବଖାଣି ନାହାନ୍ତି । ଏକ ସାଧାରଣ ମଣିଷର ଦୃଷ୍ଟିରେ ବ୍ୟକ୍ତି ଓ ଘଟଣାକୁ ଦେଖି ସମାଜର ଏକ ନିଖୁଣ ଚିତ୍ର ଆଂକିଛନ୍ତି ।
ହରିହାରଙ୍କ ଜନ୍ମ 1922 ମସିହାରେ , ଦେଶ ସ୍ବାଧୀନତା ପାଇଲା ବେଳକୁ ତାଙ୍କୁ ହୋଇଥିଲା 25 ବର୍ଷ । ପିଲାଦିନୁ ବାପାମା` ଛେଉଣ୍ଡ , ସେ ଅଜାଆଈଙ୍କ ପାଖରେ ବଢିଛନ୍ତି । ଗଡଜାତ ଅଞ୍ଚଳରେ ଜନ୍ମ , ପାଟଣା ରାଜାଙ୍କ ବୃତ୍ତି ପାଇ ମେଟ୍ରିକ ପରେ ସେ କଟକରେ ସିଟି ପଢିଛନ୍ତି । ଘରୋଇ ଭାବେ ଆଇ ଏ , ବି ଏ ଓ ଡି ଈଡି କରିଛନ୍ତି । ଜୀବନରେ ସଂଘର୍ଷ କରିଛନ୍ତି, କିନ୍ତୁ ତାଙ୍କ ଜୀବନର ସଂଘର୍ଷର କଷ୍ଟବର୍ଣନା କରିନାହାନ୍ତି। ଜୀବନ ସଂଘର୍ଷରେ ଯାହା କିଛି ଘଟିଛି ଯେମିତିକି ସେ ସବୁ ସ୍ବାଭାବିକ । ତାଙ୍କର ଆତ୍ମଜୀବନୀ ଲେଖିବା ଆରମ୍ଭ ବେଳକୁ ତାଙ୍କୁ 89 ବର୍ଷ ହୋଇଥିଲା , କିନ୍ତୁ 1967 ପର୍ଯନ୍ତ, ତାଙ୍କର 45 ବର୍ଷର ଜୀବନୀ ସେ ଲେଖିଛନ୍ତି । ପରବର୍ତ୍ତୀ ଜୀବନର ଘଟଣା, ଜୀବନର ସନ୍ତୋଷ ଓ ସଫଳତା ଲେଖି ବହିଟିର ମେଦ ବୃଦ୍ଧି କରିବାକୁ ଚାହିନାହାନ୍ତି ।
`ଦିହକର କଥା` ରାସେଶ୍ଵରୀ ମିଶ୍ରଙ୍କ ଆତ୍ମଜୀବନୀ । ରାସେଶ୍ଵରୀ ହରିହର ମିଶ୍ରଙ୍କ ପତ୍ନୀ । ପାଠ ପଢିଛନ୍ତି ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯନ୍ତ । ଏକ ସାହିତ୍ୟିକ , ସାଂସ୍କୃତିକ ପରିବେଶରେ ବଢିଛନ୍ତି । ତାଙ୍କର ଆଠଟି ପୁଅ ଝିଅ , ପୁଣି ସବୁବେଳେ ଘରେ କୁଣିଆମୟୀତ୍ର । ଦିନେଦିନେ ତିରିଶ ଜଣଙ୍କୁ ରୋଷେଇକରି ଖାଇବାକୁ ଦେଇଛନ୍ତି । ଘରକାମ , ପୁଅଝିଅଙ୍କ ଜଞ୍ଜାଳ ଭିତରେ ସେ କେବେ ପଢିବା ଛାଡିନାହାନ୍ତି । 88 ବର୍ଷରେ କବିତା ଲେଖିବା ଆରମ୍ଭ କରିଛନ୍ତି, କବିତା ଆସରରେ କବିତା ପଢିଛନ୍ତି, ଆକାଶବାଣୀରେ ତାଙ୍କ ସ୍ଵରଚିତ କବିତା ପ୍ରସାରିତ ହୋଇଛି ।
ହରିହର ଓ ରସେଶ୍ଵରୀଙ୍କ ଆତ୍ମଜୀବନୀରେ ସାଧାରଣ ଜୀବନର କଥା , ଗଡଜାତ ଅଞ୍ଚଳର ସ୍ବାଧୀନତା ପୂର୍ବ ଓ ପର ସମୟର ଚଳଣି , ପରମ୍ପରା, ସଂସ୍କୃତି , ସାହିତ୍ୟର ନିଖୁଣ ଚିତ୍ରଣ ରହିଛି । ସରଳ , ସାବଲୀଳ ଭାଷାରେ ଲିଖିତ ବହି ଦୁଇଟି ପଠନୀୟ ହୋଇଛି, ଆରମ୍ଭ କଲେ ଶେଷ ନ କରିବା ଯାଏ ଧରଜ୍ୟ ରହିବ ନାହି । ଗଡଜାତର ପରମ୍ପରା, ସଂସ୍କୃତି, ସାମାଜିକ ଜୀବନ ଉପରେ ଗବେଷଣା କରୁଥିବା ସ୍କଲାରଙ୍କ ପାଇଁ ଏହା ଉପାଦେୟ ପୁସ୍ତକ । ହରିହର ଓ ରାସେଶ୍ଵରୀଙ୍କ ଜୀବନୀ ଯୁବପୀଢିଙ୍କୁ ପ୍ରେରଣା ଯୋଗାଇବ । ବ୍ୟଙ୍ଗ କବି ଓ ଲେଖକ ରାଧୁ ମିଶ୍ର ହରିହର ଓ ରାସେଶ୍ଵରୀ ଙ୍କ ସୁପୁତ୍ର ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment