Welcome to shalandi webzine

ପୁରସ୍କାରର ପରିଷ୍କାର

ଯଦୁନାଥ ପଣ୍ଡା

ଜଣାଶୁଣା ଲେଖକ ତଥା ବୁଦ୍ଧିଜୀବୀ ଯଦୁନାଥ ପଣ୍ଡାଙ୍କ ସମସାମୟିକ ସାହିତ୍ୟ ଉପରେ ଏକ ତାର୍କିକ ବିଶ୍ଳେଷଣ

ଓଡ଼ିଆ ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ବିଷୟକ କେଲେଙ୍କାରି ଏବେ ଅନେକ ଚିନ୍ତନ ତରଙ୍ଗ ସୃଷ୍ଟି କରିଛି। ନିକଟ ଅତୀତରେ, ସାହିତ୍ୟରେ କର୍ତ୍ତୃପକ୍ଷ ବନିବା ଏବଂ ପୁରସ୍କାର ପାଇବା ପଛରେ ଥିବା କାରସାଦି, କାରବାରି ବୁଦ୍ଧି ଏବଂ ହିସାବକିତାବର ମୋ ନଜରକୁ ଆସିଥିବା ଛୋଟ ଘଟଣାର ଝଲକଟେ ; ଓଡ଼ିଆ ସାହିତ୍ୟ ଏକାଡେମୀର ବର୍ତ୍ତମାନର କାର୍ଯ୍ୟନିର୍ବାହୀ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ବେଳେ ଓଡ଼ିଆସାହିତ୍ୟର ଜଣେ ପ୍ରମୁଖଙ୍କ ପାଖରେ କୌଣସି ଏକ ଭିନ୍ନ କାମରେ ସଂଯୋଗ କ୍ରମେ ମୁଁ ଉପସ୍ଥିତ ଥାଏ। ସାହିତ୍ୟ ବିଷୟରେ ମୋର କିଛି ଆଗ୍ରହ ରହିଛି ବୋଲି ତାଙ୍କର ଧାରଣା ନ ଥାଏ। ସେ ଫୋନରେ ଆଉ ଜଣେ ସାହିତ୍ୟିକରିତକର୍ମାଙ୍କୁ ପରମର୍ଶ ଦେଉଥାଆନ୍ତି – ନା!, ନା, ଏଥର ସେ ଅମୁକକୁ ଆମେ ସାହିତ୍ୟ ଏକାଡେମୀ ସଦସ୍ୟ ବନେଇବାନି। ଏ ଯାକେ ସେ ସାହିତ୍ୟ ଏକାଡେମୀ ପୁରସ୍କାରଟା ପାଇନି ନା, ଏଥର ସେ ପାଇଯାଉ, ତାପରେ ତାକୁ ଏକାଡେମୀକୁ ଆଣିବା। କୁଆଡ଼େ ନିୟମ ଅଛି, ଏକାଡେମୀ ସଦସ୍ୟ ହେଲେ ପୁରସ୍କାର ମିଳିବନି। ପରେ ଜଣା ପଡ଼ିଲା ପ୍ରମୁଖ ଜଣକ ସାହିତ୍ୟ ଏକାଡେମୀର କିଛି ଗୋଟେ ପଦ ହାତେଇଲେ। ପୁରସ୍କାର-କୈନ୍ଦ୍ରିକତା, ପୁରସ୍କାରକୁ ନେଇ ପାଗଳାମୀ ଏବଂ ଚାଞ୍ଚଲ୍ୟ, ପୁରସ୍କାରକୁ ସାହିତ୍ୟର ମାନକ ଏବଂ ସାହିତ୍ୟିକର ପରିଚିତି ବୋଲି ତାରକାତୁଲ୍ୟ ମାନ୍ୟତାଦେବା ହିଁ ପୁରସ୍କାର ଆକର୍ଷଣକୁ ବଳିଷ୍ଠ କରି ଏ ପ୍ରକ୍ରିୟାରେ ଏତେ ଅସ୍ଵଚ୍ଛତାକୁ ଜନ୍ମ ଦେଉଛି। ବିଡ଼ମ୍ବନା ହେଉଛି ପୁରସ୍କାର ସାହିତ୍ୟ ଅଧାରିତ ନ ହୋଇ, ସାହିତ୍ୟ ପୁରସ୍କାର ଆଧାରିତ ହେଇ ଯାଉଛି। ପୁରସ୍କାର ନାମକ କାଣ୍ଡକାରଖାନାର ଢାଞ୍ଚାଗତ ସଂରଚନା ଯାହା ସେଥିରେ ଅଭିଯୋଗ-ପ୍ରତ୍ୟଭିଯୋଗ , କାଦୁଅ ଫୋପଡ଼। କେଲେଙ୍କାରିର ଇତିହାସ ସାରା ବିଶ୍ଵରେ ରହିଛି, ରହିଥିବ ଏବଂ ରହିବାକୁ ବାଧ୍ୟ। କାରଣ, ଦୁଇଟି ବିକୃତ ଅତ୍ୟାବଶ୍ୟକ ଉପାଦାନ ଉପରେ ପୁରସ୍କାର ବ୍ୟବସ୍ଥାଟି ଆଧାରିତ- `କର୍ତ୍ତୃପକ୍ଷ` ଏବଂ `ପରିଚିତି`। ପୁରସ୍କାର ହେଉଛି `କର୍ତ୍ତୃପକ୍ଷ`ଙ୍କ ଦ୍ଵାରା ଆବଣ୍ଟିତ `ପରିଚିତି`। ଆବହମାନ କାଳରୁ, କେତେକ ବ୍ୟତିକ୍ରମ ବ୍ୟତୀତ ସାହିତ୍ୟ ଭଳି ସୃଜନକର୍ମଟି କ୍ଷମତାଶ୍ରୟୀ, ଦରବାରୀ ପୃଷ୍ଠପୋଷକତାରେ ପରିପାଳିତ। ନିହାତି ବୈରାଗୀଟିଏ ନ ହେଇଥିଲେ ସୃଜନକର୍ମୀଟିଏ ଅବଶ୍ୟ ସ୍ଵିକୃତି ଚାହିଁବ। ଏଇ ଆବଶ୍ୟକତାକୁ ନଜର ରଖି ଦରବାରୀ `କର୍ତ୍ତୃପକ୍ଷ` ମାନେ ନିଜର ଅହମିକା ପ୍ରଦର୍ଶନ କରି ସ୍ଵିକୃତିକୁ ନାନାଦି ପ୍ରକାର ଆଳଙ୍କାରିକ `ପରିଚିତି`ର ରୂପ ଦେଇ ପୁରସ୍କାର ସବୁ ଭିଆଣ କରିଛନ୍ତି। କର୍ତ୍ତୃପକ୍ଷ ବନିବାର ଅମ୍ଳଜାନ ହେଲା କ୍ଷମତା, ଆଉ ଯେଉଁଠି କ୍ଷମତା ରହିବ ସେଠି ପ୍ରତିଯୋଗିତା, ପ୍ରଭାବ, ମାରପେଞ୍ଚ,ଲାଞ୍ଚ, ହାରିଗୁହାରି, ଜୁହାରି, ଦୁର୍ନୀତି ଉତ୍ୟାଦି କ୍ଷମତା ଚଳନର (power dynamics)ର ସମସ୍ତ ଆନୁସଙ୍ଗିକ ଏବଂ ଅବଶ୍ୟାମ୍ଭବୀ ବିଲକ୍ଷଣ ବା ଯାହାକୁ ଆମେ ରାଜନୀତି ବୋଲି କହୁ ସେ ସବୁ ରହିବାକୁ ବାଧ୍ୟ। ରାଜନୀତିର ଆଧୁନିକ ଶାସ୍ତ୍ର ଗତ ସଂଜ୍ଞା authoritative allocation of value ବା `କର୍ତ୍ତୃପକ୍ଷୀ୍ୟ ସ୍ଵାର୍ଥ ଆବଣ୍ଟନ` ବୋଲି ନିର୍ଦ୍ଧାରଣ କରାଯାଇଛି। କର୍ତ୍ତୃପକ୍ଷ ପ୍ରଦତ୍ତ ପରିଚିତି ରୂପକ ପୁରସ୍କାରରେ ୟେ ରାଜନୀତି କିମ୍ବା ତାର ଆନୁସଙ୍ଗିକ ବିକୃତି କୁ ଏଡ଼େଇ ହେବ ବୋଲି ଅଶା କରିବା କେବଳ ନିର୍ବୋଧତାର ନନ୍ଦନକାନନରେ ସମ୍ଭବ; ଏହା ଏକ ଆବଶ୍ୟକୀୟ ମନ୍ଦ ଉପସର୍ଗ ଭାବରେ ସାହିତ୍ୟ ଭଳି ପ୍ରତ୍ୟେକ ସୃଜନ କର୍ମ ସାଙ୍ଗରେ ରହିବାଟା ଅବଧାରିତ। ଏଇ ସତ୍ୟକୁ ସ୍ଵୀକାର କରି ଆମେ ଏହାର ସମାଧାନ ସନ୍ଧାନ କରିବାରେ ପ୍ରୟାସ କରିପାରିବା। ଅନେକ ଉଦାହରଣ ସତ୍ତ୍ଵେ ପୁରସ୍କାର ବିରୋଧରେ ପ୍ରତିବାଦ ଏବଂ ପୁରସ୍କାର ପ୍ରତ୍ୟାଖ୍ୟାନ ବୋଧହୁଏ ପୁରସ୍କାର ପ୍ରକ୍ରିୟାର ବିକୃତିକୁ ରୋକିବାରେ ସେଭଳି କିଛି ଫଳପ୍ରଦ ହୋଇପାରିନାହିଁ, ବରଂ ଏସବୁ,ଅଧିକ ପ୍ରଚାର ସୁଯୋଗ ଦେଇ ପ୍ରକାରାନ୍ତରେ ପୁରସ୍କାରତନ୍ତ୍ରରେ ଅଧିକ ପ୍ରାଣ ସଞ୍ଚାର କରୁଛି। ବିରୋଧହିଁ ଏକ ପରୋକ୍ଷ ପ୍ରଚାର। ବରଂ ପୁରସ୍କାର ପ୍ରତି ନିର୍ଲିପ୍ତ ବୀତସ୍ପୃହତା ହିଁ ଏହାକୁ ଶକ୍ତିହୀନ କରିବାର ଏକମାତ୍ରପଥ ହେଇପାରେ। କିନ୍ତୁ, ଖାଲି ହାୱାରେ ଏ ବୈରାଗୀୟ ବୀତସ୍ପୃହତା ସୃଷ୍ଟି କରାଯାଇ ପାରେନା। କୌଣସି ସକାରାତ୍ମକ ସକ୍ରିୟ ବିକଳ୍ପ
 
 
ବିନା ନକାରାତ୍ମକ ପ୍ରତିକ୍ରିୟା କେବେବି ବିଶେଷ ଫଳପ୍ରଦ ହୁଏନା। କେହିକେହି ବିକଳ୍ପ ହିସାବ ରେ ଗୁଣଗ୍ରାହୀମାନଙ୍କର ସାମୂହିକ ଅନୁଦାନରେ ଗଣପୁରସ୍କାର ଦେବାର ପ୍ରସ୍ତାବ ଉଠେଇଛନ୍ତି। କଥାଟା ପ୍ରାଥମିକ ଭାବରେ ସୁମଧୁର ଶୁଭୁଛି। କିନ୍ତୁ,ଏହାର ବାସ୍ତବାୟନବରଂ ଅଧିକ ବିକୃତି ଆଣିବାର ସମ୍ଭାବନା ଅଧିକ;ଗଣମାନଙ୍କୁ କିଭଳି ମଣକରି କବଳିତ କରାଯାଇପାରେ ଏବଂ ସମ୍ମତ ମେଣ୍ଢା ବନା ଯାଇପାରେ ସେକଥା ଆମ ଗଣତାନ୍ତ୍ରିକ ରାଜନୈତିକ ନେତାମାନେ ଆମକୁ ବୋଧେ ବହୁତ ଭଲ କରି ଶିଖେଇ ଦେଇଛନ୍ତି,ଯେଉଁଥି ପାଇଁ ଆମ ସଂସଦରେ ପ୍ରାୟ ଅର୍ଦ୍ଧାଧିକ କୋଟିପତି ଏବଂ ଅପରାଧ-ଅଭିଯୁକ୍ତ ଠୁଳ ହେଇଚନ୍ତି। ରାଜନୀତି ବିଜ୍ଞାନ ଭାଷାରେ ଏହାକୁ manufacturing the consent ବୋଲି କୁହାଯାଏ। ତାପରେ ଦେଖାଯିବ କେମିତି ଶହଶହ ଗଣ ଅନୁଦାନ-ଭିତ୍ତିକସାହିତ୍ୟ ପୁରସ୍କାର ଗଜା କାଢ଼ି ଗଣ ପୁରସ୍କାରର ମଜା ଉଡ଼େଇବେ। କାରଣ, ପୁରସ୍କାରର ରୂପ ବଦଳିଲେ ମଧ୍ୟଏଥିରେ ସେଇ ମୁଖ୍ୟଉପାଦାନ `ସ୍ଵିକୃତି` ର ଆକର୍ଷଣଟି ରହିଯାଉଛି। ଏହି `ସ୍ଵିକୃତି` ର ଆକର୍ଷଣ ହିଁ ବିକୃତିର ମୂଳ କାରଣ। ପୁରସ୍କାର ବିକୃତିର ସମାଧାନ କେବଳ ଏହାର ଦୁଇ ଭିତ୍ତି ଉପାଦାନ- କର୍ତ୍ତୃପକ୍ଷ ଏବଂ ପରିଚିତିର ରୂପାନ୍ତରଣ ଭିତରେ ଖୋଜି ପାଇ ହେବ। ଏଇ ଦୁଇ ବିକୃତ ଉପାଦାନର ବିକଳ୍ପ ଖୋଜିବାକୁ ପଡ଼ିବ। ସାହିତ୍ୟ ସୃଜନକର୍ମର ଅନ୍ତିମ ଉପଭୋକ୍ତା ହିଁ ରସଗ୍ରାହୀ ବିବୁଧପାଠକ। କିନ୍ତୁ, ପରିତାପର ବିଷୟ ସାହିତ୍ୟ ପରିମଣ୍ଡଳରେପାଠକସମ୍ପୂର୍ଣ୍ଣ କର୍ତ୍ତୃତ୍ଵହୀନ, ସ୍ଵରହୀନ ବା ପ୍ରଭାବହୀନ; ତା ପାଖରେ ସାହିତ୍ୟଜଗତର ସୂଚନା ସବୁ ପହଞ୍ଚିବାର ଏବଂ ତା ଉପରେ ମତପ୍ରକାଶ କରିବାର ସୁସଂଗଠିତ, ବିଧିବଦ୍ଧ, ଉତ୍ସର୍ଗୀକୃତମାଧ୍ୟମରସୁଯୋଗଖୁବସୀମିତ। ସାହିତ୍ୟିକପାଇଁ କର୍ତ୍ତୃପକ୍ଷୀୟ ପରିଚିତିର ଆକର୍ଷଣକୁ ପ୍ରବୁଦ୍ଧପାଠକର ଅନ୍ତରଙ୍ଗ ରସଗ୍ରାହୀତାରେ ରୂପାନ୍ତରିତକରିବାକୁ ପଡ଼ିବ। ଏକାଡେମୀ ଭଳିରାଷ୍ଟ୍ର ପ୍ରୟୋଜିତ କିମ୍ବା ସାରଳା, ଜ୍ଞାନପୀଠ, ସରସ୍ଵତୀ ସମ୍ମାନ ଭଳି ଘରୋଇ ଏକଚାଟିଆ କର୍ତ୍ତୃପକ୍ଷୀୟ ପରିଚିତି ପ୍ରଦାନର କବଜାରୁ ସାହିତ୍ୟିକ `ସ୍ଵିକୃତୀ`କୁ ଉଦ୍ଧାର କରି ଏହାକୁ ବିବୁଧପାଠକଙ୍କ `ଆଦୃତି`ରେ ପରିଣତ କରିବାକୁ ପଡ଼ିବ। ପ୍ରକ୍ରିୟାଟି ପ୍ରଲମ୍ବିତ ଏବଂ ଆୟାସସାଧ୍ୟ କିନ୍ତୁ,ଅସମ୍ଭବ ନୁହେଁ ବୋଧହୁଏ। ଯେ କୌଣସି ଧନପତି ରାତାରାତି କୋଟିଏ ଟଙ୍କାର ପୁରସ୍କାର ଠିଆ କରି ଦେଇପାରେ କିନ୍ତୁ, ଗୋଟିଏ ବି ରସଗ୍ରାହୀ ପାଠକ ତିଆରି କରିଦେଇପାରିବ ବୋଲି ଆମେ ଅଶା କରିପାରିବା କି ? ସାହିତ୍ୟ ଏକ ବୌଦ୍ଧିକ ଏବଂ ଆବେଗିକ ପରିପ୍ରକାଶ-ସ୍ଥୂଳ ଏବଂ ଇନ୍ଦ୍ରିୟାଶ୍ରୟୀ ଆଧାର ଭିତରକୁ ସୂକ୍ଷ୍ମ ଏବଂ ଇନ୍ଦ୍ରିୟୋତ୍ତର ସମ୍ବେଦନାମାନଙ୍କର ଅବତରଣ। ବୌଦ୍ଧିକଏବଂଆବେଗିକଉତ୍ପାଦମାନଙ୍କର ଗୁଣବତ୍ତାର କୌଣସି ସ୍ଥୂଳ ମାନଦଣ୍ଢ ନିର୍ଦ୍ଧାରଣ କରିବା ଅସମ୍ଭବ। କେବଳ ପ୍ରଜ୍ଞା, ବିବୁଧତା ଏବଂ ମୁଗ୍ଧ ରସଗ୍ରାହୀତା ହିଁ ଏହାର ଉତପ୍ରେରକ ଏବଂ ମାନକ ହୋଇପାରିବ। ଗଣପ୍ରିୟତା ନୁହେଁ ଗୁଣଗ୍ରାହୀତା ହିଁ ଏହାର ଚାଳିକା ଶକ୍ତି। କିନ୍ତୁ,ଏହି `ବିବୁଧ`ତା ଏବଂ ଗୁଣଗ୍ରାହୀତା କିଛି ପୁରସ୍କାର ଚୟନକାରୀ କର୍ତ୍ତୃପକ୍ଷଙ୍କ କବଜାରେ ସୀମିତ ନ ରହି ତାହା ଆଳାପ, ଆଲୋଚନା, ସମୀକ୍ଷା, ବିତର୍କ, ମତବିନିମୟ, ସୂଚନା ସଂପ୍ରସାରଣ ଦ୍ଵାରା ପ୍ରବୁଦ୍ଧ ଏବଂ ରସଗ୍ରାହୀ ପାଠକମାନଙ୍କ ଭିତରକୁ ବ୍ୟାପକଭାବରେ ସଞ୍ଚରିତ କରିବା ହିଁ ବୋଧହୁଏ ଏକମାତ୍ର ବିକଳ୍ପ ମାଧ୍ୟମ ହୋଇପାରେ। ସାହିତ୍ୟ ଏକାଡେମି ପୁରସ୍କାର ନ ପାଇ ମାୟାଧର ମାନସିଂ, ଜ୍ଞାନପୀଠ ନପାଇ ମନୋଜଦାସ, ନୋବେଲ ନ ପାଇ ଟଲଷ୍ଟୟଙ୍କ ସାହିତ୍ୟ କେବଳ ଗୁଣଗ୍ରାହୀ ପାଠକମାନଙ୍କ ଆଦୃତି ପାଇ କାଳଜୟୀ ହେଇପାରିଛି। ଅପରପକ୍ଷରେ ବରଂ ସେମାନଙ୍କୁ ଅଣଦେଖା କରି ଏଇ ସଂସ୍ଥାମାନେ ଗୁଣଗ୍ରାହୀ ଜନମାନସରେ କାଳକାଳକୁ ଅପନିନ୍ଦିତ ହୋଇ ରହିଯାଇଛନ୍ତି। ପ୍ରତିବର୍ଷ ପୁରସ୍କାର ଋତୁରେ ଅନ୍ତତଃ ଥରେ ଏମାନଙ୍କ ନାମପଡ଼େ ଏବଂ ଏ ପ୍ରସଙ୍ଗଟି ଉଠେ। ମନ୍ଦକବି ଯଶପ୍ରାର୍ଥୀ ବୋଲି ଲୋକ ବୋଲି ଅଛି। କର୍ତ୍ତୃପକ୍ଷ ପ୍ରଦତ୍ତ ପରିଚିତି ବଦଳରେ ପ୍ରବୁଦ୍ଧ ପାଠକର ବିବେଚନା ଏବଂ ଶ୍ରଦ୍ଧାସମ୍ଭୂତ ଆଦୃତି ଯେତେବେଳେ ସାହିତ୍ୟରମାନ ନିର୍ଦ୍ଧାରକ ହେବ ସେତେବେଳେ ଯଶପ୍ରାର୍ଥୀ ମନ୍ଦକବିମାନଙ୍କର ପୁରସ୍କାର ହାତେଇବାର କାରନାମା ଏବଂ କାରସାଦି ସବୁ ଆସ୍ତେଆସ୍ତେ ଏବଂ ଆପେଆପେ ପ୍ରାୟନିସ୍ଫଳା ହେବାକୁ ଆରମ୍ଭକରିବେ ବୋଲି ପ୍ରତ୍ୟାଶା ରଖା ଯାଇପାରେ। ପୁରସ୍କାରମାନେ ତାଙ୍କର ଏକଚାଟିଆ ଦର୍ପୀ ତାରକୀୟ ମାନ୍ୟତା ହରେଇପାରନ୍ତି। ପ୍ରତ୍ୟେକପୁରସ୍କାର-ପ୍ରାପକ ଧର୍ମକୁ ଆଖିଠାର ମାରିବା ଭଳି ବୟାନ ଦିଅନ୍ତି ଯେ ୟେ ପୁରସ୍କାର ଗୌଣ, ପାଠକୀୟ ଆଦୃତି ହିଁ ତାଙ୍କର ପ୍ରକୃତ ସ୍ଵିକୃତି, ପ୍ରେରଣା ଏବଂ ସାହିତ୍ୟର ପ୍ରାଣଶକ୍ତି । କିନ୍ତୁ, ଏହା ପଛରେ ବୁନ୍ଦେ ବି ବିଶ୍ଵସ୍ତତା ଥାଏ କି ? ବିମୁଗ୍ଧ ପାଠକୀୟ ସକ୍ରିୟତା ସୃଷ୍ଟି ପାଇଁ କିଛି ବିଧିବଦ୍ଧ ପ୍ରକ୍ରିୟା ଏବଂ ବ୍ୟବସ୍ଥା ବିଷୟରେ ସେମାନଙ୍କ କିମ୍ବା ଆମମାନଙ୍କ ପାଖରେ କିଛି ଚିନ୍ତନ ଏବଂ ପ୍ରସ୍ତାବ ଥାଏ କିମ୍ବା ଅଛି କି? ଛୋଟିଆ ପ୍ରତୀକାତ୍ମକ ବାସ୍ତବ ପଦକ୍ଷେପ ହିସାବରେ ଆସନ୍ତୁ ତ,କୌଣସି ସାହିତ୍ୟିକର ପରିଚୟ ଦେବା ବେଳେ ତାଙ୍କର କୃତିର ସମୀକ୍ଷାତ୍ମକ ଉଲ୍ଲେଖ ଅପେକ୍ଷା ଅଭ୍ୟାସଗତ ଭାବରେ ସେ ପାଇଥିବା ପୁରସ୍କାରର ତାଲିକା ଦେଇ ସ୍ତୁତିଗାନ ପୂର୍ବକ ତାଙ୍କର ଏକ ମୁଖାପିନ୍ଧା କୃତ୍ରିମ ଆଭା ବଳୟ ତିଆରି କରିବାକୁ ପ୍ରଚେଷ୍ଟା ଆମେ ତ ନିଜେ କରିବା ନାହିଁ ବରଂ କରୁଥିବା ବ୍ୟକ୍ତି ବା ସଂସ୍ଥାକୁ ନୀରବରେ ନାକ ଟେକିବା, ନାପସନ୍ଦ କରିବା, ସେମାନଙ୍କ ସଭାରେ ମୂଳରୁ ଯୋଗ ଦେବା ନାହିଁ। କୌଣସି ପୁରସ୍କୃତଙ୍କର ସମ୍ବର୍ଦ୍ଧନାସଭା ଇତ୍ୟାଦି ସ୍ତୁତିଗାନ ଉତ୍ସବମାନଙ୍କରେ ବି ଯୋଗ ଦେବାନି। ନୀରବ ନାକଟେକାର ଏକ ଶବ୍ଦାତୀତ ଏବଂ ଶବ୍ଦଭେଦୀ ପ୍ରଭାବ ଅବଶ୍ୟ ରହିଛି। ଏଥର ଟିକେ ନିଜ ଆଡ଼କୁ ନଜର ବୁଲେଇବା କି ? ସମାଜରେ ପ୍ରତ୍ୟେକ ବିକୃତିପଛରେ ଆମ ସାମୂହିକ ଅବଚେତନର ଏକଅଦୃଶ୍ୟ ସମର୍ଥନ ରହିଥାଏ। ଟିକେ ଲକ୍ଷ୍ୟ କରି ଦେଖିବା କି ଆମ ନିଜ ଅବଚେତନରେ ଏମିତି ପରିଚିତି-ଲାଳସୀ ଲମ୍ପଟଟିଏ ଲୁଚି ରହି ତାର ମୋହନବଂଶୀ ବଜଉନାହିଁ ତ? (Mob-6371461358, pandajadunath@gmail.com)

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Image
S N Misra
17-08-2023 / 12:06:02

A complicated theme is deftly handled , calling a spade a spade

Leave a comment

Name

Email or Phone No (the information will be not disclosed)

Comment