Welcome to shalandi webzine

ଜୟପୁର ଜର୍ନାଲସ

ସହଦେବ ସାହୁ

ନମିତା ଗୋଖଲେଙ୍କ ଉପନ୍ୟାସ ଜଯପୁର ଜର୍ନାଲ ଉପରେ ସହଦେବ ସାହୁଙ୍କ ପ୍ରତିବେଦନ

ରାଜୁ ଶ୍ରିବାସ୍ତବ (ହାସ୍ୟ ଅଭିନେତା ନୁହନ୍ତି ) ଏକ ଚୋର ଏବଂ କବି । ସେ ଯାଉଛି ଜୟପୁର ସାହିତ୍ୟ ପର୍ବ (ଜୟପୁର ଲିଟେରାରୀ ଫେଷ୍ଟିଭାଲ)କୁ,ଜାଭେଦ ଅକତରଙ୍କୁ ଶୁଣିବ ଏବଂ ଯଦି ସମ୍ଭବ ହେବ, ଚୋରିକରି ଜୟପୁର ଯାତ୍ରାର ଖର୍ଚ ଉଠେଇବ ।
ନଭେମ୍ବର ମାସର ପ୍ରଥମ ସପ୍ତାହରେ ସେ ଗୋଟିଏ ଫ୍ଲାଟରୁ ଚୋରି କରିଛି । ସେହି ଫ୍ଲାଟଟି ତା ନିଜର ଏକ ଶୟନକକ୍ଷ ବିଶିଷ୍ଟ ଫ୍ଲାଟର ଦୁଇ ମହଲା ଉପରେ । ଫ୍ଲାଟର ମାଲିକାଣୀ ଜଣେ ଦୁର୍ନୀତିଗ୍ରସ୍ତ ଇଂଜିନୀୟରଙ୍କ ପ୍ରେମିକା । ଇଂଜିନିୟର ତା’ର କଳାଧନ ସେହି ମହିଳାଙ୍କ ଫ୍ଲାଟରେ ରଖିଥିଲା । ମାଲିକାଣୀ ତା ବାପାଙ୍କ ମୃତ୍ୟୁ ହେବାରୁ ଗାଁକୁ ଯାଇଥିଲା ଏବଂ ସେହି ସୁଯୋଗରେ ରାଜୁ ଟଙ୍କା ଚୋରିକରି ତା ନିଜ ଘରେ ରଖିଥିଲା ।
ନଭେମ୍ବର ଆଠ ତାରିଖରେ ପ୍ରଧାନମନ୍ତ୍ରୀ ପାଞ୍ଚ ଶହ ଏବଂ ଏକ ହଜାର ନୋଟର ବିମୁଦ୍ରିକରଣ ଘୋଷଣା କଲେ । ରାଜୁର ମନରେ ଛାନିଆ ପଶିଲା । ସେଦିନ ରାତିରେ ସେ ଗୋଟିଏ ଗହଣା ଦୋକାନରୁ ପନ୍ଦର , ଷୋହଳ ଲକ୍ଷ ଟଙ୍କାର ସୁନା ଗହଣା କିଣିଲା । ତଥାପି ତା ପାଖରେ ଆହୁରି ତିରିଶି , ଚାଳିଶି ଲକ୍ଷ ଟଙ୍କା ଥିଲା ।
ରାଜୁ କବିତାପ୍ରେମୀ ଏବଂ ସମୟ ସମୟରେ ସେ କବିତା ଲେଖେ । ତାର ଜଣେ ବନ୍ଧୁ କବାଡିବାଲା ଏବଂ ତାର ଗୋଟିଏ ପୂରୁଣା ବହି ଓ ପତ୍ରିକା ଦୋକାନ ଥିଲା । ସେ ମଧ୍ୟ ଜଣେ କବି ଏବଂ ସେହି କାରଣରୁ ରାଜୁର ସେହି କବାଡିବାଲା-କବିଙ୍କ ସହ ବନ୍ଧୁତା । ରାଜୁ ତାଙ୍କ ସହିତ ପରାମର୍ଶ କଲା । କଳାଟଙ୍କାକୁ ଧଳା କରିବାକୁ କବାଡିବାଲା-କବି ରାଜୁର ବହି ଛାପିବାକୁ ପରାମର୍ଶ ଦେଲେ ଏବଂ ନିଜର ଏକ ପ୍ରକାଶନ ସଂସ୍ଥା ଖୋଲି ରାଜୁର କବିତା ବହି ‘ୱକ୍ତ ଚୋର ‘ ପଚାଶ ହଜାର ଛାପିଦେଲେ । ଚୋର ରାଜୁ ଶ୍ରିବାସ୍ତବ ହୋଇଗଲେ , ‘ୱକ୍ତ ଚୋର’ର କବି ରାଜୁ ଖାନ ସିଂ ‘ବେତାବ ‘ ।
 
 
ଜୟପୁର ସାହିତ୍ୟ ପର୍ବରେ ଗୋଟିଏ ଅଧିବେଶନରେ ଦର୍ଶକଙ୍କ ଭିତରୁ କବିତା ପଢିବାକୁ ଆମନ୍ତ୍ରଣ କରାଗଲା । ରାଜୁ ଶ୍ରୀବସ୍ତବ ଓରଫ ‘ବେତାବ’ କବିତାଟିଏ ପଢିଲା ଏବଂ ପ୍ରଥମ ପୁରସ୍କାର ଲାଭ କଲା । ପରଦିନ ଇଂରେଜୀ ଖବରକାଗଜରେ ବାହାରିଲା, ‘ସମୟର ଚୋର (ୱକ୍ତ ଚୋର ) ଜୟପୁରରେ ଲୋକଙ୍କ ହୃଦୟ ଚୋରିକରି ନେଲା’।
ରାଜୁ ଶ୍ରିବାସ୍ତବ ଓରଫ ‘ବେତାବ’ ଓରଫ ‘ସମୟ ଚୋର’ ସ୍ୱପ୍ନ ଦେଖୁଛି , ସେ ଶେଷ ଥର ପାଇଁ ଚୋରି କରିବ, କିଛି ଟଙ୍କା ସଞ୍ଚିବ ଏବଂ ମୁମ୍ବାଇ ଯାଇ ସିନେମା ପାଇଁ ଗୀତ ଲେଖିବ , ଗୀତିକାର ହେବାକୁ ସଂଗ୍ରାମ କରିବ ।
ରୁଦ୍ରାଣୀ ରାଣାଙ୍କ ବୟସ ସତୁରୀରୁ ଅଧିକ । ସେ ତାଙ୍କ ଜୀବନରେ ଏକ ମାତ୍ର ଉପନ୍ୟାସ ଲେଖିଛନ୍ତି। ପାଣ୍ଡୁଲିପିକୁ ବାରଂବାର ସଂଶୋଧନ କରୁଛନ୍ତି , ପୁନରଲିଖନ କରୁଛନ୍ତି । ଅନ୍ତତଃ ସତର ଥର କରିସାରିଛନ୍ତି । ଯୁଆଡେ ଯାଉଛନ୍ତି ପାଣ୍ଡୁଲିପିକୁ ସଙ୍ଗରେ ନେଇଯାଉଛନ୍ତି । ପ୍ରକାଶକ ପାଖରେ ବହି ଛାପିବାକୁ ଦାଖଲ କରୁନାହାନ୍ତି । ପ୍ରକାଶକ ବହି ଛାପିବେ କି ନାହିଁ ତାଙ୍କ ମନରେ ସନ୍ଦେହ । ପାଣ୍ଡୁଲିପିକୁ ଧରି ସେ ଜୟପୁର ସାହିତ୍ୟ ପର୍ବକୁ ଯାଇଛନ୍ତି । ସେଠି ଜଣେ ଅଚିହ୍ନା ବ୍ୟକ୍ତି ଯାହାର ପରିଚୟ ସେ ସେଠି ପାଇଛନ୍ତି ତାକୁ ସେ ପାଣ୍ଡୁଲିପିକୁ ଧରାଇଦେଇଛନ୍ତି । ସେ ହେଉଛନ୍ତି ଅନିର୍ବାଣ । ଅନିର୍ବାଣ ତାଙ୍କ ବନ୍ଧୁଙ୍କୁ ପାଣ୍ଡୁଲିପିକୁ ଦେଖେଇଛନ୍ତି। ତାଙ୍କର ବନ୍ଧୁ ଜଣେ ସମ୍ପାଦକ ଏବଂ ଲିଟରାରି ଏଜେଣ୍ଟ , ସେ ପାଣ୍ଡୁଲିପିକୁ ପସନ୍ଦ କରୁଛନ୍ତି । ବହିଟି ଛପାହୋଇଛି, କିନ୍ତୁ ସେତେବେଳକୁ ରୁଦ୍ରାଣୀଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପୂର୍ବରୁ ତାଙ୍କର ସମସ୍ତ ସମ୍ପତି ସେ ଅନିର୍ବାଣଙ୍କ ନାମରେ କରିଦେଇଛନ୍ତି ।
ଅନୁରା (ଭଲ ନାମ ଅନୁରାଧା)ବାର ବର୍ଷର , ସ୍କୁଲ ଛାତ୍ରୀ । ସେ ଗୋଟିଏ ସ୍କୁଲପିଲାଙ୍କ ଅଧିବେଶନରେ ଭାଗନେବାକୁ ଜୟପୁର ସାହିତ୍ୟ ପର୍ବକୁ ଯାଉଛି । ଟ୍ରେନରେ ସେ ରୁଦ୍ରାଣୀଙ୍କୁ ଭେଟିଛି । ତାଙ୍କୁ ମନେ ରଖିଛି । ଅନୁରା ସ୍ୱପ୍ନ ଦେଖୁଛି ସେ ଲେଖିକା ହେବ , କିନ୍ତୁ ତାର ମା’ ସମର୍ଥନ କରୁନାହାନ୍ତି । କହୁଛନ୍ତି ପାଠରେ ଏକାଗ୍ରତା ରଖ, ଭଲ ଚାକିରି ମିଳିବ । ଅନୁରା ମା’ ଙ୍କୁ ଲୁଚେଇ ଉପନ୍ୟାସ ଲେଖୁଛି । ଗୋଟିଏ ବହି ଦୋକାନରେ ସେ ରୁଦ୍ରାଣୀ ରାଣାଙ୍କ ବହି ଦେଖିଛି । ରୁଦ୍ରାଣୀଙ୍କ ମୃତ୍ୟୁପରେ ତାଙ୍କ ପାଣ୍ଡୁଲିପିକୁ ଅନିର୍ବାଣ ଚାପିଛନ୍ତି, କିନ୍ତୁ ରୁଦ୍ରାଣୀ ନିଜ ବହି ଦେଖିବାକୁ ବଞ୍ଚିନାହାନ୍ତି ।
କବି ଓ ଲେଖକର ଛଳନା , ଆଶା ଓ ଆକାଂକ୍ଷା , ସ୍ଵପ୍ନ ଓ ସ୍ଵପ୍ନଭଂଗକୁ ନେଇ ଉପନ୍ୟାସ ଜୟପୁର ଜର୍ନାଲସ, ଜୟପୁର ସାହିତ୍ୟପରବ ର ପୃଷ୍ଟଭୂମିରେ ଲେଖାଯାଇଛି । ଲେଖିକା ନମିତା ଗୋଖଲେ ଜଯପୁର ସାହିତ୍ୟ ପର୍ବର ପ୍ରତିଷ୍ଟତା ସଦସ୍ୟା । ତାଙ୍କର ପ୍ରତ୍ୟକ୍ଷ ଅନୁଭୁତିରୁ ଲେଖା ଏହି ଉପନ୍ୟାସ ସୁଖପାଠ୍ୟ ହୋଇଛି ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment