Welcome to shalandi webzine

ଡଃ କୋଣ୍ଡାପଲ୍ଲୀ ଶେଷାଗିରୀ ରାଓ : ଏକ ବିସ୍ମୟ ପ୍ରତିଭା

ପ୍ରଦୀପ ବିଶ୍ବାଳ

ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଜଣେ ପ୍ରତିଭାବାନ ଚିତ୍ରଶିଳ୍ପୀ ଡଃ କୋଣ୍ଡାପଲ୍ଲୀ ଶେଷାଗିରି ରାଓଙ୍କ ସମ୍ପର୍କରେ ଏକ ଆଲେଖ୍ୟ ।

ତତ୍କାଳୀନ ଆନ୍ଧ୍ର ପ୍ରଦେଶ ଏବଂ ବର୍ତମାନର ତେଲେଂଗାନାର ଏକ ଅଖ୍ଯାତ ଗ୍ରାମରୁ ଆସି ସର୍ବ ଭାରତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା କୋଣ୍ଡାପାଲ୍ଲୀ ଶେଷାଗିରୀ ରାଓଂକର ଜୀବନ ଯାତ୍ରା ଯେତିକି ରୋମାଂଚକର ତାଂକର କଳାକୃତି ତତୋଧିକ ବିସ୍ମୟକର । ୧୯୨୪ ମସିହା ଜାନୁଆରୀ ୨୭ ତାରିଖରେ ଜନ୍ମିତ ଏହି ଶିଳ୍ପୀ ଶାନ୍ତି ନିକେତନରେ ନନ୍ଦଲାଲ ବୋଷଂକ ଅଧିନରେ ଚିତ୍ରକଳାରେ ଶିକ୍ଷାଲାଭ କରି ଉଭୟ ଓ୍ବାଟର କଲର ଏବଂ ଅଏଲ ପେଣ୍ଟିଂ ସହ ପେନସିଲ ସ୍କେଚରେ ଆଂକିଛନ୍ତି ଶହ ଶହ ଛବି । ଆକ୍ବା ଟେକ୍ସଚର ନାମରେ ଓ୍ବାଟର କଲର ଚିତ୍ରରେ ସେ ପରୀକ୍ଷାମୂଳକ ଚିତ୍ର ଆଂକି ସମସ୍ତଂକ ଦୃଷ୍ଚି ଆକର୍ଷଣ କରି ପାରିଥିଲେ । ହାଇଦ୍ରାବାଦସ୍ଥିତ କଲେଜ୍ ଅଫ୍ ଫାଇନ୍ ଆର୍ଟସ ଏଣ୍ଡ ଆର୍କିଟେକ୍ଚରରେ ପ୍ରଫେସର ପଦରୁ ଅବସର ନେବାବେଳକୁ ତାଂକର ପ୍ରସିଦ୍ଧି ଜାତୀୟ ସ୍ତରରେ ତାମକୁ ସୁପରିଚିତ କରି ସାରିଥିଲା । ତାଂକର ବହୁ ଛାତ୍ରଛାତ୍ରୀ ଏବେ କଳାକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରି ପାରିଛନ୍ତି । ପାରଂପରିକ ଚିତ୍ର ସହ ଆଧୁନିକ ଚିତ୍ରକଳାରେ ସେ ଅନେକ ପରୀକ୍ଷା ନିରୀକ୍ଷା କରି ସଫଳ ହୋଇଛନ୍ତି । କାନଭାସରେ ସେ ଆଂକିଛନ୍ତି ଶହ ଶହ ଛବି ବିଭିନ୍ନ ବିଷୟବସ୍ତୁକୁ ନେଇ । କାଳିଦାସଂକର ଅଭିଗ୍ଯାଂନ ଶକୁନ୍ତଳମର ଚିତ୍ରରୂପ ହେଉ କିମ୍ବା ଅହଲ୍ଯା ଶାପ ବିମୋଚନ ଅଥବା ସୀତା ବନବାସ ହେଉ ସବୁଠି ତାଂକ ହାତରେ ଜୀବନ୍ତ ହୋଇ ଉଠିଛି ତାର ପ୍ରତିଛବି । କେଉଁଠି ଆଦିବାସୀ ଲଳନାର ଲାସ୍ଯମୟୀ ରୂପ ତ ଆଉ କେଉଁଠି ପଶୁପକ୍ଷୀମାନଂକ ଚିତ୍ର ସବୁଠି ତାଂକ କୁହୁକ ହାତର ସ୍ପର୍ଶ ବାରି ହେଇ ପଡେ । ତାଙ୍କର ଚିତ୍ର ଗୁଡିକ ସ୍ଵତନ୍ତ୍ର ଓ ଅନ୍ୟ ମାନଙ୍କ ଠାରୁ ଭିନ୍ନ । ତାଙ୍କର ଚିତ୍ର ସବୁ ଭାରତ ଭିତରେ ଓ ବାହାରେ ମଧ୍ୟ ଆଦୃତ ହୋଇଛି । ବହୁତ ପ୍ରତିଷ୍ଟିତ ଗ୍ୟାଲେରୀ ରେ ସ୍ଥାନ ପାଇଛି । ତାହା ସାଲାରଜଙ୍ଗ ସଂଗ୍ରହାଳୟ, ମିଥ୍ରି ଭାନାମ, ହାଇଦ୍ରାବାଦର ଭାରତୀୟ ବିଦ୍ୟା ଭବନ, ୱାଶିଂଟନ୍ ଡିସିରେ ଥିବା ଭାରତୀୟ ଦୂତାବାସ, ପିଟ୍ସବର୍ଗର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ମାନଙ୍କରେ ତାଙ୍କ ପ୍ରତିଭାର ଜୟଗାନ କରୁଛି ।
ସେ ଏପରି ଜଣେ ଉତ୍ସର୍ଗୀକୃତ ଚିତ୍ରଶିଳ୍ପୀ ଥିଲେ ଯେ, ମୃତ୍ୟୁ ପର୍ଯ୍ଯନ୍ତ ତାଙ୍କ ହାତରେ ଥିଲା ତୁଳି । ସେ ଜୀବନକୁ ଗୋଟିଏ ଶିଳ୍ପୀର ଦୃଷ୍ଟିରେ ଦେଖି ଚାଲିଥିଲେ ଶେଷ ପର୍ଯ୍ଯନ୍ତ। ତାଙ୍କର ଅସଂଖ୍ଯ ଚିତ୍ର ଏବେ ବି ଲୋକଲୋଚନକୁ ଆସିପାରି ନାହିଁ । ତାଙ୍କର ସମସ୍ତ ଚିତ୍ର ଏକ ସ୍ଵତନ୍ତ୍ର ଗ୍ୟାଲେରୀରେ ପ୍ରଦର୍ଶିତ ହେବା ଆବଶ୍ୟକ । ଯଦିଓ ହାଇଦରାବାଦରେ ଅନେକ ଚିତ୍ର ଗ୍ୟାଲେରୀ ଅଛି । ଶେଷାଗିରିଙ୍କ ସମସ୍ତ ଚିତ୍ର ରଖିବା ପାଇଁ ସେଠାରେ ସ୍ଥାନ ନାହିଁ । ତାଙ୍କ ସମ୍ପର୍କରେ ଏକ ବୃତ୍ତଚିତ୍ର ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଚଳଚିତ୍ର ନିର୍ଦେଶକ ଧନରାଜ (ଦାସୀ ଚଳଚିତ୍ର ପାଇଁ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ତେଲେଗୁ ନିର୍ଦେଶକ) । ଏହି ବୃତ୍ତ ଚିତ୍ର ବିଭିନ୍ନ ମହଲରେ ବେଶ ଆଦୃତ ଓ ପ୍ରଶନଶିତ ।
୨୦୧୨ ମସିହାରେ ଶେଷ ନିଶ୍ବାସ ତ୍ଯାଗ କରିଥିବା ଏହି ମହାନ ଶିଳ୍ପୀ ଆନ୍ଧ୍ର ସରକାର ଏବଂ ଭାରତ ସରକାରଂକ ଦ୍ବାରା ସମ୍ମାନୀତ ହୋଇଛନ୍ତି । ତାଂକର ଚିତ୍ରକଳା ଆନ୍ଧ୍ର ଲଳିତ କଳା ଏକାଡେମୀ ଓ ଜାତୀୟ ଲଳିତ କଳା ଏକାଡେମୀ ଗ୍ଯାଲେରୀ ସମେତ ବହୁ ପ୍ରତିଷ୍ଠିତ ଆର୍ଟ ଗ୍ଯାଲେରୀରେ ସ୍ଥାନୀତ ହୋଇଛି । ସଂପ୍ରତି ତାଂକର ସୁଯୋଗ୍ଯ ପୁତ୍ର ଅବସର ପ୍ରାପ୍ତ ଚିଫ୍ ଇଂଜିନିୟର ଶ୍ରୀ କୋଣ୍ଡାପାଲ୍ଲୀ ବେଣୁଗୋପାଳ ରାଓ ଏବଂ ପୁତ୍ରବଧୂ ତଥା କବି ଡଃ କୋଣ୍ଡାପାଲ୍ଲୀ ନିହାରିଣୀ ତାଂକର ଚିତ୍ରସବୁର ସଂଗ୍ରହ ଓ ସଂରକ୍ଷଣ ପାଇଁ ଉଦ୍ଯମରତ । ହାଇଦ୍ରାବାଦସ୍ଥିତ ନିଜ ବାସ ଭବନରେ ଅନେକ ପ୍ରସିଦ୍ଧ

 
 
ଚିତ୍ରସବୁକୁ ସେମାନେ ଯତ୍ନର ସହ ପ୍ରଦର୍ଶିତ କରିଛନ୍ତି । ତଥାପି ଆହୁରି ଅନେକ ଚିତ୍ର ଗୋଦାମରେ ପଡି ରହିଛି । ସେ ସବୁକୁ ଉଦ୍ଧାର କରି ପ୍ରଦର୍ଶନ କରିବା ବ୍ଯୟସାପେକ୍ଷ ଏବଂ ବିନା ସରକାରୀ ପୃଷ୍ଠପୋଷକତାରେ ଅସମ୍ଭବ । ଆସନ୍ତା ୨୦୨୪ ରେ ଶିଳ୍ପୀଂକର ଜନ୍ମ ଶତବାର୍ଶିକୀ । ଏଥିପାଇଁ ତେଲେଂଗାନା ସରକାର , କେଂଦ୍ର ସରକାର ତଥା ତାଂକର ପ୍ରଶଂସକମାନେ ଆଗେଇ ଆସିବା ଆବଶ୍ଯକ। ତାଙ୍କର ଛବିଗୁଡିକର ଏକକ ପ୍ରଦର୍ଶନୀ ଭାରତର ବିଭିନ୍ନ ସ୍ଥାନରେ ଆୟୋଜିତ ହେବା ଦରକାର । ଏହି ମହାନ ଶିଳ୍ପୀଙ୍କ ପ୍ରତି ତାହା ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment