Welcome to shalandi webzine

ଜୀବନ : ସ୍ଵପ୍ନ

ହିରଣ୍ମୟୀ ମିଶ୍ର

ଆମ ଗାଁ, ତାଙ୍କ ଗାଁ ଆଉ ଜେମାଦେଇପୁର ଗାଁ - ଏମିତି ତିନିଟା ଗାଁକୁ ଯୋଉ ଛକରୁ ରାସ୍ତା ଯାଇଥିଲା, ସେଇଠି ଥିଲା ସ୍ୱପ୍ନେଶ୍ୱର ବିଦ୍ୟାଳୟ । ତିନିଟାଯାକ ଗାଁ ପାଇଁ ସେତେବେଳେ ଏଇ ଗୋଟାଏ ସ୍କୁଲ୍ । ସେଇଠି ସେ ଆଉ ମୁଁ ଗୋଟିଏ କ୍ଲାସରେ ପାଠ ପଢୁଥିଲ

ଆମ ଗାଁ, ତାଙ୍କ ଗାଁ ଆଉ ଜେମାଦେଇପୁର ଗାଁ - ଏମିତି ତିନିଟା ଗାଁକୁ ଯୋଉ ଛକରୁ ରାସ୍ତା ଯାଇଥିଲା, ସେଇଠି ଥିଲା ସ୍ୱପ୍ନେଶ୍ୱର ବିଦ୍ୟାଳୟ । ତିନିଟାଯାକ ଗାଁ ପାଇଁ ସେତେବେଳେ ଏଇ ଗୋଟାଏ ସ୍କୁଲ୍ । ସେଇଠି ସେ ଆଉ ମୁଁ ଗୋଟିଏ କ୍ଲାସରେ ପାଠ ପଢୁଥିଲୁ୍ୁ । ସ୍କୁଲ୍ ପଛପଟେ ଗୋଟେ ପୁରୁଣା ମହାଦେବ ମନ୍ଦିର ଥିଲା, ସ୍ୱପ୍ନେଶ୍ୱର ମନ୍ଦିର । ସେଇଥିପାଇଁ କେହି ଜଣେ ସ୍କୁଲ୍ର ଏମିତି ନାଁ ଦେଇଥିବେ ।
ତା’ର କିନ୍ତୁ ଅଲଗା ମତା ସେ କହେ, ‘ସ୍କୁଲ୍ଟା ହେଇଥିବ ପ୍ରଥମେ, କାଇଁକି ନା ସ୍କୁଲ୍ ସମୟ ହେଉଛି ସବୁ ସ୍ୱପ୍ନର ଆରମ୍ଭ ସମୟ ତେଣୁ ଆମ ସ୍କୁଲ୍ ହେଲା ସ୍ୱପ୍ନର ଈଶ୍ୱର, ସ୍ୱପ୍ନେଶ୍ୱର  ।’
ମୁଁ କିଛି ଯୁକ୍ତି କରେନି ତା’ ସହ । ସତକଥା କ’ଣ, ସେକଥା ସମସ୍ତେ ଜାଣନ୍ତି । ହେଲେ ସବୁକଥାକୁ ସ୍ୱପ୍ନ ସହ ଯୋଡ଼ିବା ତା’ର ଗୋଟେ ଗୁଣ  । ସେ ଗୋରା ଥିଲା, ମୋ ରଙ୍ଗ ଟିକେ ଶାବନା  । ଯଦିଓ ସେ ମୋତେ ଗହମ ରଙ୍ଗର ଝିଅ କହୁଥିଲା । ସେ ଥିଲା ବେଶ୍ ଡେଙ୍ଗା  । ମୁଁ ଗେଡ଼ା ନୁହେଁ, କିନ୍ତୁ ଡେଙ୍ଗା ନ ଥିଲି ।
ସେ ବେଶୀ ପାଠପଢ଼ାରେ ମନ ଦିଏନି । ମୁଁ ସବୁବେଳେ ସବୁ ବିଷୟରେ ତା’ଠୁ ଭଲ ନମ୍ବର ରଖୁଥିଲି । ମୋ ମା’ ବାପା ଅପେକ୍ଷା କରିଥିଲେ, ମୋ ପାଠ ପଢ଼ିବା କେତେ ଶୀଘ୍ର ସରିବ  । ଆଉ ଛୋଟମୋଟ ହେଇ ମୁଁ ଯାହାହେଲେ ଗୋଟେ ଚାକିରି କରିଯାଏ  । ସହଜରେ ସେଇଥିପାଇଁ ମୁଁ ମୋର ସବୁ ସ୍ୱପ୍ନକୁ ଗୋଟେ ଅଦେଖା ବାକ୍ସ ଭିତରେ ତାଲା ପକେଇ ସେ ତାଲାର ଚାବି ବି ଜାଣିଶୁଣି ହଜେଇ ଦେଇଥିଲି । ତା’ର କିନ୍ତୁ ସ୍ୱପ୍ନ ଦେଖିବାଟା ଗୋଟେ ପ୍ରକାର ନିଶା ହେଇଯାଇଥିଲା । ସେ ଯେ କ’ଣ କ’ଣ ସବୁ ସ୍ୱପ୍ନ ଦେଖୁଥିଲା, କିଛି ସୀମା ସରହଦ ନାହିଁ ।
କଥା ଥିଲା, ସବୁଦିନ ଖେଳଛୁଟିରେ ସେ ତା’ ସ୍ୱପ୍ନ ଓ ମୁଁ ମୋ ସ୍ୱପ୍ନ କହିବୁ । ମୋର ଭାରି ଆଗ୍ରହ ହେଉଥିଲା ତା’ ସ୍ୱପ୍ନ ସବୁ ଶୁଣିବାକୁ  । ସେ ବଢ଼ିଆ ବନେଇ ଚୁନେଇ ତା ପୂର୍ବରାତିର ସ୍ୱପ୍ନ ସବୁ କହେ । ମୁଁ ତ ସେମିତି କିଛି ସ୍ୱପ୍ନ ଦେଖି ନ ଥାଏ, ସେ ବୟସରେ ଯାହା ସାଧାରଣ କଥା, ପରୀକ୍ଷା ହଲରେ ସମୟ ସରିଯାଉଛି, ମୋର ପାଠ ମନେ ପଡ଼ୁନି, ନ ହେଲେ ମୁଁ ଦଉଡୁଛି, ମୋ ଗୋଡ଼ ପଶିଯାଇଛି କାଦୁଅ ଭିତରେ  ।
ଏଇସବୁ କଥା ତାକୁ କହିବାମାତ୍ରେ ସେ ହସି ହସି ଗଡ଼ିଯାଉଥିଲା, କହୁଥିଲା- ଛି, ଏତେ ଭଲ ପାଠ ପଢୁଛୁ, ଏଇ ସ୍ୱପ୍ନ ଦେଖୁଛୁ ?’
ତା’ପରେ ସେ ଟିକେ ଦୂରକୁ ଘୁଂଚିଯାଇ ଗୋଟେ ଉଚ୍ଚା ପଥର ଉପରେ ବସୁଥିଲା । ଆଉ ବର୍ଣ୍ଣନା କରୁଥିଲା ବିଭିନ୍ନ ଅଭିନୟ ଆଉ ଶବ୍ଦ ସହ ତା’ର ସ୍ୱପ୍ନ ।
ଆଜି ଯଦି ସେ ପାଇଲଟ୍ ହେଇ ଉଡ଼ାଜାହାଜ ଚଲଉଥିବ ତ, କାଲିକୁ
 
 
ଆଇ.ଏ.ଏସ୍  । ପୁଣି ଖରାଛୁଟି ପରେ ନୂଆ କ୍ଲାସର ପାଠପଢ଼ା ଆରମ୍ଭ ହେଲାବେଳକୁ ସେ ନାସାର ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବ ।
ତା’ର ଫି ରାତିରେ ଗୋଟେ ସ୍ୱପ୍ନ ଥିଲା । ତା’ ସ୍ୱପ୍ନସବୁ ବଦଳି ବଦଳି ଯାଉଥିଲେ । ଗୋଟେ କଥା କିନ୍ତୁ ଥିଲା ଯେ ସେ କେବେ ବି ମୋ ଭଳି ଛୋଟକାଟିଆ ସ୍ୱପ୍ନ ଦେଖୁ ନ ଥିଲା । ମୋ ଭଳିଆ ସିଟି ପଢ଼ି ଗାଁ ସ୍କୁଲରେ ପାଠ ପଢ଼ାଇବା କି ଗୋଟେ ଛୋଟ ଅଗଣାରେ ବସି ତା’ ସହ ମୁଢ଼ି, ମିକ୍କ୍ଚର ଚୋବେଇବା, ମୁଁ ଏଇଆ ସ୍ୱପ୍ନ ଦେଖୁଥିଲି ।
ମୋର ଏଇ ସ୍ୱପ୍ନ କଥା ଶୁଣିଲେ ସେ କହୁଥିଲା, “ଆରେ ସ୍ୱପ୍ନ ଦେଖିବ ତ ବଡ଼ ବଡ଼ ସ୍ୱପ୍ନ ! ଏମିତି  ଦୁଃଖିନୀ, ଗୋବର ଗୋଟେଇ ସ୍ୱପ୍ନ କାହିଁ ଦେଖୁଛୁ?”
ସେ ଯେଉଁଠି ବି ଠିଆ ହେଇଥିଲେ, ତାକୁ ସମସ୍ତେ ଚାହୁଁଥିଲେ । ଖୁବ୍ ସୁନ୍ଦର ସେ ଦେଖିବାକୂ । ମୋର ଭାରି ସାମାନ୍ୟ ଚେହେରା, ତା’ ସାମ୍ନାରେ ଆହୁରି ମଳିଚିଆ ଦିଶେ ।
ସେ ଭଲ ଗୀତ ଗାଏ, ଭଲ ଡିବେଟ୍ କହେ, ଭଲ ଅଭିନୟ ବି କରେ । ମୁଁ ଏସବୁ କିଛି ବି କରିପାରେନି । କିନ୍ତୁ ସେ ଭଲ ନମ୍ବର ରଖେନି, ଆଉ ମୁଁ କ୍ଲାସ୍ ପରେ କ୍ଲାସ୍ ଫାଷ୍ଟ୍ ହେଇ ହେଇ ଚାଲେ । ମତେ ଯେ କେହି ଭଲପାଆନ୍ତି, ଏମିତି ନୁହେଁ । କିନ୍ତୁ ତାକୁ ସମସ୍ତେ ଭଲପାଆନ୍ତି, ସାର୍ ଓ ଦିଦିଂକଠୁ ଛୋଟ, ବଡ଼ ସବୁ ପିଲାଯାଏଁ, ଆମର ସେଇ ପାଖଆଖ ଗାଁରେ, ତାକୁ ସମସ୍ତେ ଖୁବ୍ ଭଲପାଆନ୍ତି । ଆମେ କିନ୍ତୁ ସବୁବେଳେ ଏକାଠି ଥାଉ, ଖୁବ୍ ସାଙ୍ଗ ହେଉ ।
ପ୍ରତିବର୍ଷ ଫଳ ବାହାରିବା ପରେ ସେ ଦିନେ, ଦି’ଦିନ କଥା ହୁଏନି ମୋ ସହ । ମୋ ସାମ୍ନାକୁ ନ ଆସି ବାଟ ଭାଂଗି ଚାଲେ । ଆମର ସେଇ ବା୍ର୍ଷିକ ନିରବତାର ସମୟକୁ ଯେତେଶୀଘ୍ର ସମ୍ଭବ କାଟିବା ପାଇଁ ମୁଁ ମୋ ଆଡ଼ୁ ବହୁତ ଚେଷ୍ଟା କରୋ । ତା’ପରେ ତା’ର ସେଇ ପ୍ରଥମ ଅଭିଯୋଗ- ‘ତୁ ଏତେ ଏତେ ନମ୍ବର କେମିତି ରଖୁଛୁ? ମୋର ଭାରି ଈର୍ଷା ହୁଏ ତୋ ଉପରେ!’
ମତେ ସେଇ ମୁହୂର୍ତରେ ଲାଗେ ଯେ ମୋର ଏତେ ନମ୍ବର ରଖି ପ୍ରତି ବର୍ଷ ଫାଷ୍ଟ୍ ହେବାଟି ଗୋଟେ ବଡ଼ ଅନ୍ୟାୟ ଯେମିତି । ଯେମିତି ଜାଣିଶୁଣି ତା’ ପ୍ରତି ଅନ୍ତତଃ ଏଇ ଅନ୍ୟାୟ ମୋର ପୁଣିଥରେ କରିବାର ନ ଥିଲା । ମୁଁ କିନ୍ତୁ ତାକୁ କହିପାରେନି ଯେ, “ମୋର ବି ଈର୍ଷା ହୁଏ, ତୋ ଉପରେ, କେବେ କେବେ, ତୁ ଯେତେବେଳେ ଏତେ ବଡ଼ ବଡ଼ କପ୍ ପାଉ ଗୀତ ପାଇଁ, ଡିବେଟ୍ ପାଇଁ । ଏମିତିକି ତୋର ଏକ ସୁନ୍ଦର ସ୍ୱପ୍ନ ପାଇଁ ବି ମୋର କମ୍ ଈର୍ଷା ହୁଏନି ।’’
ଅଥଚ ଆମେ ପୁଣିଥରେ ସେମିତି ସାଙ୍ଗ ହେଇଯାଉ, ସବୁଠୁ ଭଲ ସାଙ୍ଗ । ଆମେ ସବୁଦିନେ ସେଇ ସ୍ୱପ୍ନ ବ୍ୁଣା ଖେଳ ଖେଳୁ - କିଏ କେତେ ଭଲ ସ୍ୱପ୍ନ ଦେଖିପାରିବ ଆଉ କହିପାରିବ । ସେ କ’ଣ ସତରେ ଏତେ ସୁନ୍ଦର ସ୍ୱପ୍ନ ଦେଖେ ନା ମନକୁ ମନ ଏମିତି ଯୋଡ଼ିଯାଡ଼ି କହେ, କେଜାଣି!
ସେ ଖୁବ୍ ଧନୀ ଘରର ପୁଅ ଆଉ ମୁଁ ଘରେ ପଖାଳ ଖାଇ ପାଖ ସ୍କୁଲରେ ପାଠପଢ଼ା ସାରି ଗାଁ କଲେଜରେ ପଢ଼ିବା ନିଶ୍ଚିତ ଥିଲା । ସ୍କୁଲରେ ସାଙ୍ଗ ହେବାବେଳେ ଏସବୁ କିଛି ଜଣାପଡୁ ନ ଥିଲା । ଧୀରେ ଧୀରେ ଆମ ଭିତରେ ଥିବା ସାମାଜିକ ପାର୍ଥକ୍ୟ ଦିଶୁଥିଲା କେବେ କେବେ, ଆମ ବନ୍ଧୁତାରେ ଏସବୁ କିଛି ଫରକ ଆଣି ନ ଥିଲା କିନ୍ତୁ ।
ଏମିତି ଏମିତିରେ ସ୍ଟୁଲ୍ ସରିଯିବା ପରେ ମୁଁ ଆମ ଗାଁ କଲେଜରେ ପଢ଼ିଲି । ସେଇ ଛକ ଉପରେ, ସ୍କୁଲ ଠୁ ଟିକିଏ ଆଗକୁ  । ବସ୍ଷ୍ଟପରେ ମୁଁ ତାକୁ ହାତ ହଲେଇ ବିଦାୟ ଜଣେଇଲି ; ତା’ ବାପା ତାକୁ ଦୂର ସହରର ଭଲ କଲେଜରେ ପାଠ ପଢିବାକୁ ଛାଡ଼ି ଆସିଲେ ।
ସେ ଚିଠି ଲେଖେ- “ଭାରି ମନେପଡୁଛୁ ତୁ, ତୋ ସାଙ୍ଗେ କଥା ବନ୍ଦ କରିବା ଆଉ ତୁ ନିଜ ଆଡୁ ଆସି କଥା ହେବା, ପୁଣି ସ୍କୁଲ ଗେଟ୍ ସାମ୍ନା ଦୋକାନରୁ ତେନ୍ତୁଳି ଖଟା, ଫିଙ୍ଗର କିଣି ଖାଇବା, ସବୁ ମନେପଡୁଛି । ଆଉ ତୁ ସ୍ୱପ୍ନ ଦେଖୁଛୁ ନା ନାହିଁ? ଜାଣିଥିବୁ, ସ୍ୱପ୍ନ ବଡ଼ ନ ହେଲେ ଜୀବନ କେବେ ବଡ଼ ହେବନି  । ମୁଁ ତ କେତେ ସ୍ୱପ୍ନ ଦେଖିଛି ଏ ଭିତରେ, ରହ ଦେଖାହେଲେ କହିବି ।’
ଆଉ କେବେ କେବେ ତା’ ଚିଠିର ପୃÂା ଭର୍ତ୍ତି ହେଇଥାଏ ଖାଲି ତା ସ୍ୱପ୍ନର ବର୍ଣ୍ଣନାରେ । ମୁଁ ପଢେ଼, ଉତ୍ତର ଲେଖେ! ମୋ ସ୍ୱପ୍ନ ବଡ଼ ହୁଏନି । ଗାଁ ମୁଣ୍ଡର ସେଇ ଛକ ସେପଟେ ଥିବା ଅଦୃଶ୍ୟ ଇଲାକା ବା ସେ ପଢୁଥିବା ସହର, କିଛି ଦିଶେନି ମତେ ସ୍ୱପ୍ନରେ । ମୁଁ ଯେବେ ବି ଦେଖେ, ସେଇ ପୁରୁଣା, ଅଭ୍ୟସ୍ତ ସ୍ୱପ୍ନ  ।
ଖାଲି ସ୍ୱପ୍ନ ଦେଖା ନୁହେଁ, ସ୍ୱପ୍ନକୁ ନେଇ କେତେ କଥା ଲେଖେ ସେ । କୋଉ ଆର୍ମେନିଆନ୍ ରହସ୍ୟବାଦୀ ଜର୍ଜ ଗୁଡ୍ ଜିିଏଫଙ୍କ କଥା ଲେଖେ  । ସେ କୁଆଡେ଼ କହୁଥିଲେ ଯେ ସବୁ ମଣିଷ ସ୍ୱପ୍ନଚାରୀ ବା ସୋମ୍ନାମ୍ବୁଲିଷ୍ଟ୍ । ମୁଁ ପର ଚିଠିରେ ଯୁକ୍ତ ଫେରାଏ- “ସ୍ୱପ୍ନଚାରୀ ମାନେ ହେଉଛି ନିଦରେ ଉଠି ଯିଏ ଚାଲବୁଲ କରେ, ଏଇଟା ଗୋଟେ ରୋଗ ହେଇପାରେ ।’’ 
ସେ ମତେ ଆହୁରି ତତ୍ତ୍ୱ ଶୁଣାଏ । ସିଗମଣ୍ଡ୍ ଫ୍ରଏଡ କଥା କହେ । ବୁଝାଇ ବୁଝାଇ ଲେଖେ ସେଇ ମାର୍କିନ୍ ସ୍ୱପ୍ନଚାରୀ ଏଡ୍ଗାର୍ କ୍ୟାସେଙ୍କ କଥା, ଯିଏ ପ୍ରାୟ ନିଦ୍ରିତ ଅବସ୍ଥାରେ ରହି ୧୪,୩୦୬ଟି ଭବିଷ୍ୟବାଣୀ କରିଥିଲେ । ସ୍ୱପ୍ନରେ ସ୍ୱପ୍ନରେ ତାଙ୍କ ପାଖକୁ ଆସୁଥିଲା ନିଦେ୍ର୍ଧଶ, ସାଧାରଣ ଲୋକମାନଙ୍କ ପ୍ରଶ୍ନର । ସ୍ୱପ୍ନ ଦେଖିବା, ସ୍ୱପ୍ନ ସମ୍ପର୍କରେ ପଢ଼ିବା, ଜାଣିବା, ପୁଣି ସେ ସ୍ୱପ୍ନସବୁକୁ ମୋ ଆଗରେ ବଖାଣିବା - ଏସବୁ ତା’ର ଯେମିତି ଥିଲା ଗୋଟେ ପ୍ରିୟ ବିଳାସ ବା ପ୍ରବଣତା ।
ଏ ଭିତରେ ଆମ ହାତକୁ ମୋବାଇଲ୍ ଫୋନ୍ ଆସିସାରିଥିଲା । ମୁଁ ଗାଁ ସ୍କୁଲରେ ଶିକ୍ଷକତା ଚାକିରି ଆରମ୍ଭ କରିସାରିଥିଲି ଓ ସେ ତା’ର ପାଠପଢ଼ା ସାରି ବ୍ୟାଙ୍କ୍ ଅଫିସର ଚାକିରି ପାଇଗଲା । ଖୁବ୍ ବେଶୀ ଭଲ ନମ୍ବର ନ ରଖି ବି ସେ ଭଲ ଚାକିରି କରିଥିଲା । ତଥାପି ସେ ଆଉରି ବଡ଼ ବଡ଼ କଥା ସ୍ୱପ୍ନ ଦେଖୁଥିଲା । ଆମେ କଥା ହେଉଥିଲୁ ଫୋନରେ, କେବେ ହ୍ୱାଟ୍ସଆପରେ ବି । ତେବେ ସେଇ କିଶୋର ବେଳର ବା ଆଦ୍ୟ ତାରୁଣ୍ୟର ଉଦ୍ବେଳନ ଆଉ ହୁଏତ ନ ଥିଲା । ବା ହୁଏତ ଥିଲା, କିନ୍ତୁ ଟିକେ ସ୍ଥିର ହେବାକୁ ଆରମ୍ଭ କରିଥିଲା ଆମ ମନ । ଆମେ ଉଭୟ ବଡ଼ ହେଇସାରିଥିଲୁ । ଜାଣିବାକୁ ଆରମ୍ଭ କରିଥିଲୁ ସମ୍ଭବତଃ ଯେ ସବୁ ପିଲାବେଳର ଗପ ବା ସ୍ୱପ୍ନ ଜୀବନ କାହାଣୀରେ ବଦଳେନି ।
ସେ ଗାଁକୁ ଆସିଲେ ଆମ ଘରକୁ ବି କେବେ କେମିତି ଆସୁଥିଲା । କିନ୍ତୁ ସେ ବେଶୀ ସମୟ ରହିପାରୁ ନ ଥିଲା ପିଲାଦିନ ଭଳି ; ଏବେ ସେ ତା’ ବ୍ୟାଂକ୍ କାମ କଥା ଗପୁଥିଲା ମୁଁ ସ୍କୁଲର ପରୀକ୍ଷା, ଖାତାଦେଖା, ପିଲାଙ୍କର ପିକନିକ୍ କଥା କହୁଥିଲି । କେବେ କେମିତି ସେ ଗପୁଥିବା ସ୍ୱପ୍ନ କଥା ଆସିଯାଉଥିଲା ତ ସେ ଅନ୍ୟମନସ୍କ ହେଇଯାଉଥିଲା । ମୁଁ ଜାଣିପାରୁଥିଲିଲ ସେ ସହଜ ହେଇପାରୁନି ମୋ ସହ । ହୁଏତ ଆମ ଜୀବନର ରାସ୍ତା ଏଇଠୁ ଭିନ୍ନ ଭିନ ହେବାର ସଂକେତ ଥିଲା । ସବୁ ବଦଳି ବଦଳି ଯାଉଥିଲା ।
ସେ ମତେ ଆଉ ଆଗ ଭଳି ଚିଡ଼ଉ ନ ଥିଲା କି ମୋ ପ୍ରତି ତା’ର ଆଉ ଈର୍ଷା ବି ନ ଥିଲା ବୋଧହୁଏ । ସେତିକିବେଳକୁ ତା’ ବାପା ଚାଲିଗଲେ । ସେ ଗାଁକୁ ଆସିଲା, ଶୁଦ୍ଧିକ୍ରିୟା ପାଇଁ  । ମୁଁ ସେତେବେଳେ ଶୁଣିଲି, ଅଳ୍ପଦିନ ତଳେ ତା’ର ଗୋଟେ ବଡ଼ ଆକ୍ଟିଡେଂଟ୍ ହେଇଥିଲା । ଭାବିଲି, ତାକୁ ପଚାରିବି “ଏତେ ବଡ଼ କଥା ମୋଠୁ ଲୁଚେଇଲା କେମିତି?’ କିନ୍ତୁ ବାପା ଚାଲିଯିବା ପରର ଉଦାସୀନତା ତାକୁ ଏତେ ଚୁପଚାପ୍ କରି ଦେଇଥିଲା ଯେ ମୁଁ କିଛି ପଚାରି ପାରିଲିନି ।
ସେ ସ୍କୁଲକୁ ଆସେ, ମତେ ଦେଖା କରିବାକୁ  । ଅଥଚ ମୁଂଡ ଝୁଙ୍କାଇ ବସେ, ଚୁପଚାପ । ଆମେ ସ୍କୁଲ  ପଛପଟର ସେଇ ପଥର ପାଖକୁ ଯାଉ । ସେଇ ବଡ଼ ପଥରଟା ସେମିତି ଥାଏ; ସେ କିନ୍ତୁ ତା ଉପରେ ଆଉ ବସେନି କି କାଲି ରାତିର, ପଅରଦିନ ରାତିର କି ତା’ଠୁ ଗତଥର ଦେଖା ନ ହେବା ପରଠୁ ଏବେଯାଏଁ କ’ଣ କ’ଣ ସ୍ୱପ୍ନ ଦେଖିଛି, ସେ ବିଷୟରେ କିଛି ବି କହିପାରେନି । ମତେ ଆଶ୍ଚର୍ଯ୍ୟ ଲାଗେ, ଏତେ ସ୍ୱପ୍ନ ଦେଖୁଥିବା ପିଲାଟା ଏମିତି ଚୁପଚାପ କେମିତି ହେଇଗଲା  । ସେ ସେମିତି କିଛି ସମୟ, ଏପଟ ସେପଟ କଥା କହି ଫେରିଯାଏ, ମୁଣ୍ଡ ନୁଆଁଇ ।
ସ୍ୱପ୍ନ ସବୁ କ’ଣ ଏମିତି ସରିଯାଇପାରନ୍ତି ତା’ର? ଆମ ଘରେ ଅପେକ୍ଷା କରନ୍ତି ତା’ଠୁ କିଛି ଗୋଟେ ଶୁଣିବା ପାଇଁ । ତା’ ବାପା ଯିବା ପରେ ତା ମା’ ବିଭିନ୍ନ ରୋଗରେ ଶେଯରେ ପଡ଼ି ରହନ୍ତି । ଆମ ଜୀବନକୁ ନେଇ କିଛି କଥା ଉଠିପାରେନା । ମୋ ପାଇଁ ବାହାଘର ପ୍ରସ୍ତାବ ଆସେ । ମୁଁ ତାକୁ ଫୋନରେ ଜଣାଏ । ସେ କିଛି ପ୍ରତିକ୍ରିୟା ଜଣାଏନି । ମୋ ବାପା, ମା’ର ବ୍ୟସ୍ତତା ବଢେ଼ । ମତେ ‘ହଁ’ କହିବାକୁ ପଡେ଼, ଆମ ବ୍ଲକର ବି.ଡି.ଓ. ଅରୁଣାଭ ଘରୁ ଆସିଥିବା ପ୍ରସ୍ତାବରେ  । ସେକଥା ବି ତାକୁ ଜଣାଏ ମୁଁ ଫୋନରେ  । ସେ କହେ ଅରୁଣାଭ ତାର ସହପାଠୀ ; ସେ ଜାଣେ, ସେ ଭଲ ପିଲା, ମୋର ତାକୁ ବାହା ହେଇଯିବା ଉଚିତ ।

ଠିକ୍ ଭାବରେ କହିଲେ ସେ ମତେ କେବେ ପ୍ରେମ ନିବେଦନ କର ନ ଥିଲା, କି ଆମ ଭିତରେ ଏମିତି କିଛି କଥା ହେଇ ନ ଥିଲା ଯେ ସେ ମତେ ବାହାହେବ । ଖାଲି ଯାହା ତା’ର ସବୁ ସ୍ୱପ୍ନ ସେ ମୋ ସହିତ ବାଂଟୁଥିଲା । ସେଇ ସ୍ୱପ୍ନସବୁକୁ ଶୁଣି ଶୁଣି ମୁଁ ବୋଧହୁଏ ମୋ ଜୀବନର ସତକୁ ଭୁଲିଯାଇଥିଲି ।
ଏଣିକି ମୁଁ ଅରୁଣାଭ ସହ ଚାଟିଂ କଲି । ଆମେ କଥା ହେଲୁ ଫୋନରେ । ଜୀବନରେ ପ୍ରଥମଥର ପାଇଁ ସ୍ୱପ୍ନ ପରି କିଛି ଗୋଟାଏ ଘଟିବାକୁ ଯାଉଥିଲା ମୋ ସହ । ଆମ ଘରେ ବି ବାହାଘର ପାଇଁ ଯୋଗାଡ଼ରେ ବ୍ୟସ୍ତ ରହିଲେ । ଅରୁଣାଭଙ୍କ କଥାରେ ରାଜି ହେଇ ମୁଁ ମୋର ଚାକିରି ଛାଡ଼ିବାକୁ ପ୍ରସ୍ତୁତ ହେଉଥିଲି । ଭାବୁଥିଲି କ’ଣ କ’ଣ ସବୁ କରିଦେଲେ ମୁଁ ଭୁଲିଯାଇପାରିବି ତାକୁ । ତଥାପି ପାରୁ ନ ଥିଲି ।
କାହିଁକି ଜାଣେନି, ଦିନେ ଭାବିଲି ଅରୁଣାଭକୁ କହିବି, ତା’ କଥା । ହୁଏତ କହିଦେଲେ ହାଲୁକା ଲାଗିବ ମତେ । ସେ କେମିତି ସ୍ୱପ୍ନ ଦେଖୁଥିଲା, ଆମେ ପିଲାବେଳେ କେମିତି ସାଙ୍ଗ ହେଉଥିଲୁ, ସେ କେମିତି ମୋ ସ୍ୱପ୍ନସବୁକୁ ନିରିମାଖି, ଦୁଃଖିନୀ କାଟାଗୋରିର କହି ମତେ ଚିଡ଼ାଉଥିଲା । ସବୁକଥା, ମାନେ ଯାହା ଯେତିକି କହିହେବ, ନିଜକୁ, ନିଜ ହୃଦୟକୁ. ଅସଂପୃକ୍ତ ରଖି, ଯେମିତି ଅରୂଣାଭ ମନରେ ଟିକିଏ ବି ପ୍ରଶ୍ନ ନ ଆସେ ।
କେତେ ସମୟ ମୁଁ ଏମିତି ତା’ କଥା ଲେଖିବା ପରେ ଅରୁଣାଭ ପଟୁ ଗୋଟେ ହସମୁଖ୍ ଇମୋଜି ଆସିଲା ଆଉ ତା’ ତଳେ ଧାଡ଼ିଏ ମେସେଜ୍ “”ଓଃ, ଶୁଭ୍ରାଂଶୁ କଥା କହୁଛ, ବିଚରା ।’’
ମୁଁ ଟିକେ ରାଗିଗଲି । ମେସେଜ୍ ପଠାଇଲି “କେତେ ଭଲରେ ଜାଣିଛ ତାକୁ ! ବିଚରା କାହିଁକି?’
“ସେ ହିଁ ତ ପ୍ରଥମେ ତମ କଥା କହିଥିଲା ଆମ ଘରେ । ଆମେ ଖୁବ୍ ଭଲ ସାଙ୍ଗ ଥିଲୁ । ତା’ର ଯୋଉ ଆକ୍ସିିଡେଂଟ୍ ହେଇଥିଲା, ମୁଁ ତ ବସିଥିଲି ତା’ ବାଇକରେ । ଏକାସାଙ୍ଗେ ଆମେ ଛିଟ୍କି ଯାଇ ପଡ଼ିଥିଲୁ ଗୁଡ଼ାଏ ଦୂରରେ । ପୋଲିସ୍ ନେଇ ଭର୍ତ୍ତିି କରିଥିଲା ହସ୍ପିଟାଲରେ । ଭାରି ଦୁଃଖଲାଗେ ମତେ ତା ପାଇଁ  । ବିଚରା । ପୁଅର୍ ଗଏ ।’’ ଅରୁଣାଭ ଲେଖିଲା! ପୁରା ସ୍କ୍ରିିନ୍ ଭର୍ତ୍ତି ହେଇଯିବା ଭଳି ମେସେଜ୍ । ମତେ ରାଗ ମାଡ଼ିଲା । ଏସବୁ ସହ ତା’ର ବିଚରା ହେବାର କ’ଣ ଅଛି? ଦୁଇଜଣ ଯାକର ତ ଦୁର୍ଘଟଣା ହେଇଥିଲା । ପୁଣି ବିଚରା କାହିଁକି?
ମୁଁ ଏଥର ଧୈର୍ଯ୍ୟ ହରାଇଲି । ଫୋନ୍ ଲଗେଇଲି ଅରୁଣାଭକୁ । ଜେରା କଲା ଭଳି ସ୍ୱରରେ ପଚାରିଲି, “‘ବିଚରା କାହିଁକି କହୁଛ ତାକୁ? ତମେ ଜାଣିନ ଜମାରୁ ତାକ୍ୁ   । ସ୍ୱପ୍ନରେ ସ୍ୱପ୍ନରେ ସେ ହ୍ୱାଇଟ୍ ହାଉସରେ ପ୍ରେସିଡେଂଟ ହେଇଯାଇପାରେ ; ବଢ଼ିଆ ଗୀତ ଗାଏ, ବହୁତ ଭଲପାଆନ୍ତି ତାକୁ ସମସ୍ତେ । ବିଚରା କାହିଁକି କହୁଛ?’’
“ଓଃ, ତମେ ଜାଣିନ ବୋଧହୁଏ  । କେମିତି କହିବି ଜାଣିପାରୁନି । ସେଇ ଆକ୍ସିିଡେଂଟ ପରେ, ହି ଇଜ୍ ଇମ୍ପୋଟେଂଟ  ।
ମୋବାଇଲ୍ ବନ୍ଦ କରିଦେଲି ମୁଁ  । ମୋର କଣ ହେଲା, ମୁଁ ଜାଣିପାରିଲିନି । ସେମିତି କେତେ ସମୟ ଧରି ମୁଁ ନ ଥିଲି, ମୋ ଭିତରେ  । ପୁଣିଥରେ ମୋବାଇଲ୍ ଖୋଲିଲି, ମେସେଜ୍ ବକ୍ସ୍ ଖୋଜିଲି । କାହିଁ କେତେଦିନରୁ ତା’ ସହ ମୋର ମେସେଜ୍ ବି ନାଇଁ ।
ଇଂଟରନେଟର ଡାଟା ଅଫ୍ ରଖି ଧୀରେ ଧୀରେ ଦେଖିଲି ହ୍ୱାଟସ୍ଆପ୍ । ଡାଟା ଅନ୍ କଲି ତ ଅରୁଣାଭର ମେସେଜ୍ ଥିଲା, “ଡାକ୍ତର କହଲେ, ସେ ଇମ୍ପୋଟେଂଟ ହେଇଯାଇଛି ।”’ ମୁଁ ଅଫ୍ କରିଦେଲି ପୁଣିଥରେ ମୋବାଇଲ୍ । ଭଲକରି ଜାଣିଥିଲେ ବି ପୁଣିଥରେ ଖୋଜିଲି ଡିକ୍ସିନାରି । ପୁଣିଥରେ ଖୋଜିଲି ସେ ଶବ୍ଦର ଅର୍ଥ ।
ପୁଣିଥରେ ଭାବିଲି “”ଅରୁଣାଭ ମିଛ କହୁନାହାନ୍ତି ତ ।’
ମତେ ପଚାରିବାକୁ ହେବ, ହେଲେ କାହାକୁ? ଗାଁରେ ଥିବା ତା’ ବୁଢ଼ୀମା’କୁ? କିଏ ଆଉ ଅଛି ଏମିତି, ଯାହାକୁ ମୁଁ ପଚାରିପାରିବି ତା’ କଥା, ଏମିତି ଗୁରୁତର କଥା  ।
ତା’ପରେ ମୋର ମନେହେଲା ତା’ର କେହି ନାହାନ୍ତି । ସତରେ ସେମିତି ନିକଟତର ବୋଲି କେହି ଜଣେ ବି ତ ନାହାନ୍ତି ତା’ର । ସେ ତ ମତେ କେତେଥର କହିଛି ଯେ ମୋ ଛଡ଼ା ଆଉ କେହି ବି ତା’ର ସ୍ୱପ୍ନ ବିହ୍ୱଳତାକୁ ବୁଝିପାରିବନି । କେମିତି ସହିଥିବ ସେ କଷ୍ଟ, ଯେଉଁଦିନ ତାକ୍ତର କହିଥିବେ ଏ କଥା । ସକାଳୁ ମୁଁ ଅରୁଣାଭକୁ ମେସେଜ୍ କଲି ଓ ତା’ ଠିକଣା ଆଣିଲି । ମତେ ଯିବାକୁ ହେବ ତା’ ପାଖକୁ ।
ମୋବାଇଲରେ ରିଂ ହେଉଥିଲା । ସେ ଫୋନ୍ ଧରୁ ନ ଥିଲା । କେତେବେଳେ ତା’ ମୋବାଇଲ୍ ବ୍ୟସ୍ତ ରହୁଥିଲା ତ କେତେବେଳେ ସେ ଧରୁ ନ ଥିଲା ।
ମତେ ଯିବାକୁ ହେଲା ତା’ ପାଖକୁ  । ତା’ର ସେଇ କେହି ନ ଥିବା ଶୂନ୍ଶାନ୍ ଘରେ ମୁଁ ପହଂଚିଗଲି ତ ସେ ମତେ ଦେଖି ଆଶ୍ଚର୍ଯ୍ୟ ହେଲା ।
“ଫୋନ୍ କାଇଁ ଧରୁନୁ” - ପଚାରି ପଚାରି ତା’ ଘରସାରା ବୁଲିଆସିଲି ମୁଁ  ।
“ବ୍ୟସ୍ତ ଥିଲି”, ମତେ ମୁହଁ ଲୁଚେଇବାର ଚେଷ୍ଟାରେ କହିଲା ସେ  ।
ମୁଁ ତା’ ପାଖରେ ଯାଇ ଠିଆହେଲି । ସେ ମତେ ଏବେ ପଚାରିଲା, “ତୋ ବାହାଘର ବାର୍ତ୍ତା ଦେବାକୁ ଆସିଛୁ ନା କ’ଣ ?’’
ମୁଁ କହିଲି, ‘’ହଁ, ଆଉ ଗୋଟେ କଥା ବି କହବାକୂ ଆସିଲି । ମୁ ବହୁତ ଦିନ ପରେ କାଲି ରାତିରେ ଗୋଟେ ସ୍ୱପ୍ନ ଦେଖିଲି । ତୁ ଫୋନ୍ ଧରିଲୁନି ତ ତତେ ଶୁଣେଇବାକୁ ଚାଲିଆସିଲି ।’’
“ହ୍ାଟ୍? ଚାଳିଶ କି.ମି. ବାଟ ଆସିଛୁ ମତେ ତୋ ସ୍ୱପ୍ନ ଶୁଣେଇବା ପାଇଁ ? ତତେ ବା କୋଉ ସ୍ୱପ୍ନ ଦେଖି ଆସେ ?” ଏଇ କଥାଟା ସହ ଆମେ ପୁରୁଣାଦିନକୁ ଫେରିଗଲୁ ଯେମିତି ।
ମତେ ଲାଗିଲା, ସେ ଏବେ ଆଉ ମୋ’ଠୁ ଦୂରରେ ନାହିଁ, ମୋ’ଠୁ ମୁହଁ ଲୂଚେଇ ପାରିବନି ।
ମୁଁ କହିଲି, ‘ ହେଲା, ମୋର ତ ସବୁବେଳେ ସେଇ ଛୋଟ ସ୍ୱ୍ୱପ୍ନ । ତୁ ଯେ ଅନେକ ଦିନ ହେଲାଣି ତୋ ସ୍ୱପ୍ନ କଥା ମତେ ଶୁଣେଇନୁ । ଭାବିଲି, ବାହାହେଇ ଚାଲିଯିବା ପୂର୍ବରୁ ତୋ’ଠୁ ଆଉ ଥରେ ଶୁଣିଯାଇଥାଏ ସେଇସବୁ ସ୍ୱପ୍ନ କଥା ।’’
“କୋଉ ସ୍ୱପ୍ନ?’’ ସେ ପଚାରିବାକୁ ଚାହୁଁଥିଲା ବୋଧହୁଏ  ।
ମୁଁ ତା’ର ଆଉରି ପାଖରେ ଠିଆହେଇ କହିଲି, “‘ମନେ ଅଛି, ତୁ ଦିନେ ମତେ ତୋର ଗୋଟେ ସ୍ୱପ୍ନ କଥା କହିଥିଲୁ  । ଫିଜିର ସମୁଦ୍ରକୂଳରେ ଗୋଟେ ପ୍ରାଇଭେଟ୍ ବିଚ୍ କିଣିଥିଲୁ ତ ସେଠି କେବଳ ତୁ ଆଉ ମୁଁ ବସିଥିଲେ, ସମୁଦ୍ରକୁ ମୁହଁ କରି, ସାରା ପୃଥିବୀକୁ ପଛକରି ।’’
ଆମେ ଏବେ ଦୁହେଁ ପାଖାପାଖି ବସିଥିଲୁ, ତା’ ଖଟ ଉପରେ! ମୁଁ ପୁଣି କହିଲି “ସେଇ ସ୍ୱପ୍ନ କଥା କହ ତ ଆଉ ଥରେ । ତୋର ସେଇ ଦ୍ୱୀପର ମାଲିକ ହେବା କଥା । ଟାପୁ ଭଳି ଗୋଟେ ଶୃନ୍ଶାନ୍ ଦ୍ୱୀପ, ଚାରିପଟେ ସମୁଦ୍ର । ସମୁଦ୍ରରେ ଆସି ଲାଗିବ ଗୋଟେ କ୍ରୁଜ୍ । ଆମେ କ୍ରୁଜ୍ ଭିତରକୁ ଯିବା- ଯେଉଁଥିରେ କେହି ନ ଥିବେ, ଖାଲି ତୁ ଆଉ ମୁଁ  ।
ସେ ଚୁପ୍ ରହିପାରିଲାନି ଆଉ । ନିରବତା ଭଙ୍ଗ କହିଲା, “ସେସବୁ ଛାଡ଼, ତୋର ସ୍ୱପ୍ନ କଥା କହ, ଯାହା କହିବାକୁ ତୁ ଏତେ ବାଟ ଆସିଛୁ, ତୋର କାଲି ରାତିର ସେଇ ସ୍ୱପ୍ନ କଥା  ।”
ମୁଁ କହିଲି, “ ମୋର ତ ସବୁଦିନେ ଛୋଟ ସ୍ୱପ୍ନ । ମୁଁ ଏଇ ଘରଟାକୁ ସ୍ୱପ୍ନ ଦେଖିଲି କାଲି ରାତିରେ । ସତ କହୁଛି, ଏମିତି ଦେଖିଲି ଯେ ଲାଗିଲା ଏଇଟା ସ୍ୱପ୍ନ ନୁହେଁ, ସତ । ଦେଖିଲି, ଦେଖିଲି ଯେ ତୁ ଏଇଠି ବସିଛୁ, ଚା’ ପିଇବା ପାଇଁ ବ୍ୟସ୍ତ ହେଉଛୁ  । ମୁଁ ଆମର ପୁଅ ଓ ଝିଅକୁ ସ୍କୁୁଲ୍ ପଠେଇବାକୁ ପ୍ରସ୍ତୁତ କରୁଛି । ମୋ ନିଦ ଭାଙ୍ଗିଗଲା । ମୁଁ ପୁଣି ଆଖି ବୁଜିଲି ତ ପୁଣି ଦେଖିଲି ତୁ ସ୍ଟୁଟରରେ ଆମ ଛୁଆଙ୍କୁ ନେଇ ଯାଉଛୁ ସ୍କୁଲରେ ଛାଡ଼ିବା ପାଇଁ । ମୁଁ ହାତ ହଲେଇ ଟା ଟା କରୁଛି, ଏଇଠି, ଏଇ ସ୍କି୍ରିନ୍ ଆଡେ଼ଇ ।’’’
ସେ ଥମ୍ ପଡ଼ିଗଲା । ତା’ ଆଖି ଲୁହ ଛଳଛଳ ହେଇଗଲା  । ବହୁତ କଷ୍ଟରେ ମୋ ଦୁଇହାତକୁ ଜାବୁଡ଼ି ଧରି ସେ କହିଲା, “ମୁଁ ଏବେ ଗୋଟିଏ ସ୍ୱପ୍ନ ଦେଖିବାକୁ ଚାହୂଛି ଯେ ତୁ ବୋହୁ ହେଇ ଖୁସିରେ ଅଛୁ । ଅରୁଣାଭ ଖୁବ୍ ଭଲ ପିଲା । ତତେ ସେ କହିଛି ବୋଧେ ମୋ କଥା ।
‘ମୁଁ ତା’ ପାଦତଳେ ବସିପଡ଼ି ତା’ ମୁହଁକୁ ଚାହିଁଲି । ସେ ଯାଏଁ ତା’ ପାପୁଲି ଭିତରେ ମୋର ଦୁଇ ପାପୁଲି ଥିଲା- “ଏ ସ୍ୱପ୍ନ ସବୁ ତ ଆମର ଥିଲା । ଏଇ ସବୁ ସ୍ୱପ୍ଣ ଭିତରେ ଅରୁଣାଭ କିଏ?”
ସେ ଛୋଟ ଛୁଆଙ୍କ ଭଳି କାନ୍ଦି କାନ୍ଦି କହିଲା, “ବେଳେବେଳେ ଗୋଟିଏ ସତ ଏମିତି ସହସ୍ର ସହସ୍ର ସ୍ୱପ୍ନକୁ ମାରିଦେଇପାରେ ।’’
ମୁଁ ତା’ ଲୁହ ପୋଛିଦେଲି ମୋର ଶାଢ଼ିର ପଣତରେ  । ମୋ ପାଖରେ କିଛି ନ ଥିଲା କହିବାକୁ ଆଉ । ସେ ଜାଣିସାରିଥିଲା ମୁଁ କ’ଣ କହିବାକୁ ଚାହୁଁଥିଲି । ତଥାପି ମୁଁ କହିଲି, ‘ଆମେ କିନ୍ତୁ ସେମିତି ହେବାକୁ ଦେବାନି । ସତ ବୋଲି କିଛି ଥାଏ କି, ଆମେ ନ ଭାବିଲେ? ଆଉ ସେମିତି ଦେଖିଲେ ସତଠୁ ବଡ଼ ସ୍ୱପ୍ନ କିଛି ଅଛି?”

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment