Welcome to shalandi webzine

ମୋ ପାନଖିଆ

ପ୍ରସନ୍ନ କୁମାର ହୋତା

ବିଶିଷ୍ଟ ଲେଖକ ପ୍ରଶାସକ ପ୍ରସନ୍ନ କୁମାର ହୋତାଙ୍କ ସ୍ମୃତିରେ ପାନ ଖାଇବାର ଅନ୍ତରଙ୍ଗ ଅନୁଭୂତି


ବିମଳ କିଶୋର ମିଶ୍ର ସାର କଡ଼ା ଅଫିସର୍ -କଡ଼ାପାନ ଖାଉଥିଲେ- 'ପାନଖିଆ' କଥାକୁ ବ୍ୟଙ୍ଗ କରି ସତର୍କ କରି ଦେଉଥିଲେ । ମୋ ବାପା ଆମ ବାପାଙ୍କ କକେଇ ବିଶିଷ୍ଟ ଭୂଦାନନେତା ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଆଦର୍ଶରେ ଅନେକାଂଶରେ ଅନୁପ୍ରାଣିତ - ଘରେ ଚାହା, ପାନ ଆଦି ପାଇଁ ଆଦୌ ଅନୁମତି ନଥିଲା । ତେବେ ମା ମଝିରେ ମଝିରେ ଦ୍ୱିପ୍ରହରରେ ବାପା ଅଫିସ ଯାଇଥିବା ସମୟରେ ଖଣ୍ଡେ ଅଧେ ସାଧାପାନ ଭାତଖିଆ ପରେ ଚୋବାଉଥିଲେ । ପିଲାମାନଙ୍କୁ ବାରଣ ଯୋଗୁଁ ମନା ।
ମୁଁ ଶୈଶବ - ପ୍ରାୟ ଆଠବର୍ଷ ପାଖେଇବା ବେଳେ ପ୍ରଥମକରି ପାନ ଦେଖିଥିଲି ଓ ଖାଇଥିଲି - ବଡ଼ ଭାଇନା ପୂର୍ଣ୍ଣଚନ୍ଦ୍ର ହୋତା ରେଭେନ୍‌ସା କଲେଜର ଛାତ୍ର -ଛୁଟିରେ ଘରକୁ ଆସିଲେ -ନାଲି ନାଲି ମିଠା ମସଲା ପଡ଼ି ଦଶ ବାର ଖଣ୍ଡ ପାନ ତାଙ୍କ ସଙ୍ଗେ କଲେଜଛକରୁ ଆସିଥିଲା -ସେଥିରୁ ମତେ ଖଣ୍ଡେ ମିଳିଥିଲା । ତାହାର ପଚିଶ ବର୍ଷ ପର୍ଯ୍ୟନ୍ତ ମୁଁ ପ୍ରାୟ ପାନ ଖାଇ ନଥିଲି । ଥରେ ଅଧେ ମିଠା ପାନ। ଭଲ ଛାତ୍ର ହୋଇ ଆଇ.ଏ.ଏସ୍. ପରୀକ୍ଷାରେ ପ୍ରଥମ ଦଶ ଜଣଙ୍କ ଭିତରେ ରହି ରେଡ଼ିଓରେ ନାମ କୁହଯିବାରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଜୁବୁଲି ହଲ୍ ହଷ୍ଟେଲର ଆଗତ ବର୍ଷ ପାଇଁ କିଛି ଆଶାୟୀ ଚେଲା ପାଠ ବାଗ ଜାଣିବାକୁ ଚିକେନ୍ ଡିନର ଏବଂ ତାପରେ ଗୁଲୋକନ୍ଦ୍ ପଡ଼ିଥିବା ମିଠା ପାନ ପାଞ୍ଚ ଦଶ ଥର ଖୁଆଇଥିଲେ। ବାସ୍, ପାନଖିଆ ସେତିକି।
୧୯୭୯ରେ କଟକ ଜିଲ୍ଲାପାଳ ହୋଇ ମୁତୟନ ହେଲି । କଟକ ସହରରେ ପଢ଼ା ଓ ସେତେବେଳେ ଯୁବ ଚେହେରା – ପତଳା ଓ ଚଳଚଞ୍ଚଳ । ଇପିକଲ୍‌ର ମ୍ୟାନେଜିଂ ଡାଇରେକ୍‌ଟର ହୋଇ ଦେଶର ସବୁ ବଡ଼ ଶିଳ୍ପପତି, ବ୍ୟାଙ୍କ ଚେୟାରମ୍ୟାନ ମାନଙ୍କୁ ଭେଟି ସମସ୍ତ ପ୍ରସ୍ତୁତି ସହ ତତ୍‌କ୍ଷଣାତ୍ ସାମୂହିକ ତଥ୍ୟ ଓ ସମ୍ୟକ୍ ପ୍ରତ୍ୟୁତ୍ତର ଦେବା ଅଭ୍ୟାସ ହୋଇ ଯାଇଥିଲା । କଟକର କଲେକ୍‌ଟର ହୋଇ ତୁରନ୍ତ ଜାଣିଗଲି ଯେ ଏହି ବୁଦ୍ଧିମତ୍ତାର ପ୍ରୟୋଗ ଅନ୍ୟ ପ୍ରକାରରେ ହେବା ଆବଶ୍ୟକ । ମୁତୟନ ହେବାରୁ ସ୍ଥାନୀୟ ସାମ୍ୱାଦିକ, ଭଦ୍ରଲୋକ, ନେତା ଆଦି ଆସିବାରେ ଲାଗିଲେ –କହିଲେ, ‘ଭଲ ହେଲା ଆପଣ ଆସିଲେ; ଆପଣ ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ । ନିଅନ୍ତୁ ପାନ ଖଣ୍ଡେ ଖାଆନ୍ତୁ ।’ ମୁଁ ଗମ୍ଭୀର ଭାବେ ହାତଯୋଡ଼ି ନମସ୍କାର ହୋଇ କହିବା ଆରମ୍ଭ କଲି, ‘ଆଜ୍ଞା, ମୁଁ ଜନସାଧାରଣଙ୍କ ସେବା କରିବାକୁ ଆସିଛି । ପାନ ଖାଏ ନାହିଁ ।’ ଏଇ ଉତ୍ତରଟା ଅନାବଶ୍ୟକ ବୋଲି ଜାଣିବାକୁ ଦିନେ ଦି’ଦିନରେ ଆତ୍ମଜ୍ଞାନ ଆସିଥିଲା । ଆଗନ୍ତୁକମାନେ କହିଲେ, ‘ବେଶ୍ ବେଶ୍ । ତେବେ ଆପଣ ଚିଫ୍ ମିନିଷ୍ଟରଙ୍କ ନିଜ ଲୋକ ନୁହନ୍ତି । ଝା ସାହେବ (ମୋ ପୂର୍ବରୁ ସୁନାମ ଅର୍ଜିଥିବା ଜିଲ୍ଲାପାଳ) ପାନ ଖାଉଥିଲେ, ଖୁଆଉଥିଲେ । ଆପଣ ଟୋକା ଲୋକ; ଜିଲ୍ଲା ସମ୍ଭାଳିବାକୁ ଭଗବାନ ଆପଣଙ୍କ ସହାୟକ ହେବେ ।’
 
 
ତୁରନ୍ତ ରଣନୀତିରେ ପରିବର୍ତ୍ତନ ହେଲା । ତାପରେ ଯେଉଁ ନେତାମାନେ ଆସିଲେ ଏବଂ ଏପରି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କଥା କହିଲେ, ମୁଁ ଗମ୍ଭୀର ରହିଲି ନାହିଁ, ଆଦର୍ଶ ଉତ୍ତର ଦେବାକୁ ଚେଷ୍ଟା କଲି ନାହିଁ, ମୁରୁକି ହସି ଦେଇ ଚୁପ ରହିଲି । ତେବେ ଆର ବାକ୍ୟଟି ବଳବତ୍ତର ରହିଲା,‘ଆପଣ ପାନ ଖାଉ ନାହାନ୍ତି; ପିଲାଲୋକ! ଵିନୋଦ ଝା ସାହେବ ପାନ ଖାଉଥିଲେ, ଖୁଆଉଥିଲେ ।’ ମନରେ କ୍ଷୋଭ – ମତେ ତେତିଶ ବର୍ଷ ପାଖେଇଲାଣି, ପିଲାଲୋକ ପୁଣି କଣ? ଏଣେ ନିଜ ମୁହଁ ବନ୍ଦ ରଖିବା ମଧ୍ୟ ଦରକାର । ଜଣେ ପାନ ବଢ଼ାଇଲେ, ମୁଁ ପାନଟିକୁ ନେଇ ଖୋଲି ଗୁଣ୍ଡି, ଜର୍ଦ୍ଦା ଆଦି ବାଛି ବାହାର କରିଦେଲି; ସାଧା ପାନ ଭାବି ପାଟିରେ ଭର୍ତ୍ତିକରି ଚୋବାଇଦେଲି । ଆଉ ଯାଏ କେଉଁଆଡ଼େ! -ଦିନରେ ଚନ୍ଦ୍ର ଦେଖାଗଲେ, ରାତିରେ ସୂର୍ଯ୍ୟ ଚମକିଲେ । ଅବଶିଷ୍ଟାଂଶର ପ୍ରଭାବ ଏତେ ବେଶୀ ଯେ ଦୌଡ଼ି ଯାଇ ସଂଲଗ୍ନ ପ୍ରକୋଷ୍ଠ ଓ ବାଥରୁମରେ ମୁହଁ ଧୋଇ ପାଣି ପିଇ ସାଷ୍ଟାମ ହେବାକୁ କିଛି ବେଳ ଲାଗିଗଲା । ତେବେ ସେତେବେଳକୁ ଶୈତାନ ମୋ ଉପରେ ସବାର ହୋଇ ସାରିଲାଣି –ପାନକୁ ସାଧ୍ୟ କରିବି; ‘ପିଲାଲୋକ’ ଅପବାଦରୁ ନିଜକୁ ମୁକ୍ତ କରିବି; ପାନକୁ ସାବାଡ଼ କରିବି । ବୁଦ୍ଧି ଲଗାଇ ଘରୁ ସାଧାପାନ ଆଦି ନେଇ ଖାଇଥିଲେ ହୋଇଥାନ୍ତା -କିନ୍ତୁ ଯେଉଁ ଆଦାନ ପ୍ରଦାନର ଚଳଣୀ ଓ ସୌହାର୍ଦ୍ଦ୍ୟ ପାନ ବିନିମୟରେ ହେବ, ତାହା କଣ ଘରର ସାଧାପାନରେ ସମ୍ଭବ! ଅଗତ୍ୟା କଡ଼ା ପାନକୁ ଝାଡ଼ିଝୁଡ଼ି ଚୁନ ପରିମାଣ କମ କରାଇ ପୁଣି ପାଟିରେ ପୁରାଇବାକୁ ଚେଷ୍ଟା କଲି । ତାହାର ଅନିବାର୍ଯ୍ୟ ଫଳ ଅନୁମେୟ– ପୁନର୍ବାର ବାଥରୁମ ଧାବନ ଓ ପାନୀୟ ଜଳ ସେବନ! ପ୍ରକୃତିସ୍ଥ ହେବାକୁ କିଛିକ୍ଷଣ ଆବଶ୍ୟକ ହେଉଥାଏ । ତେବେ ଜିଦ୍ ଆରମ୍ଭ ହୋଇ ସାରିଥିଲା; ପାନ ଖାଇବା ଆରମ୍ଭ ହୋଇଗଲା । ଛେପ ପକାଇ ପକାଇ ଅସ୍ଥିର । ବାରମ୍ୱାର ବାଥରୁମକୁ ଯାଅ, ଅବା କେହି ନଜାଣିବା ପରି ଟେବୁଲ ତଳ ବାସକେଟ୍‌ରେ କାଗଜ ରଖି ଛେପ ପକାଅ । ଚାରିପାଞ୍ଚ ଥର ନ ଢ଼ୋକି ଛେପ ପକାଇଲେ କ୍ରମଶଃ ପାନକୁ ସମ୍ଭାଳି ହେଲା - ଗୋଟିଏ ଅଧିକ ଲାଭ ହେଲା ଯେ ପାଟିରେ ପାନ ଓ ପାନଜନିତ ରସ ଭରି ଥିବାରୁ ସବୁ କଥାର ବିଶେଷ କରି ରାଜନୈତିକ ମନ୍ତବ୍ୟମାନଙ୍କର ଉତ୍ତର ଦେବା ଆବଶ୍ୟକ ହେଲା ନାହିଁ ; ବିଜ୍ଞଲୋକଙ୍କ ପରି ମୁଣ୍ଡ ଟୁଙ୍ଗାରିଲେ ହେଲା ।
ଏ ପ୍ରକାର ପାନ ପ୍ରହସନ ଆରମ୍ଭ ହୋଇଗଲା– ଓଡ଼ିଆ ଏବଂ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ସ୍ରୋତରେ ମୁଁ ସାମିଲ ହେବାପରି ବ୍ୟବହାର କଲି । କିନ୍ତୁ ଘୋଡ଼ାଚଢ଼ା ଶିଖିବା କଷ୍ଟ –କେବଳ ଆଇ.ଏ.ଏସ୍. ପଦବୀ ଲାଗିଗଲେ ଘୋଡ଼ା ବୋଲ ନ ମାନିପାରେ । ସେହିପରି କଟକୀ କଡ଼ାପାନକୁ ଆୟତ୍ତ କରିବାକୁ ମଧ୍ୟ କିଛି ତାଲିମ ଦରକାର । କ୍ରମଶଃ ଜ୍ଞାନ ଆହରଣ ଦିନକୁ ଦିନ ବୃଦ୍ଧି ପାଇଲା; ଦକ୍ଷତା ବଢ଼ିବାକୁ ସମୟ ଲାଗୁଥାଏ । ଧୁଳିଗୁଣ୍ଡି, ଚମନ୍‌ବାହାର, କିମାମ୍, ଗୋପାଳ ଜର୍ଦ୍ଦା, ବାବା ଜର୍ଦ୍ଦା, ହରିଡ଼ାଖଣ୍ଡି ଗୁଣ୍ଡି, ସୁଦାମ ଗୁଣ୍ଡି, ମିଠା ପତ୍ର ଆଦି ବାକ୍ୟାଂଶର ରହସ୍ୟ ଧୀରେ ଧୀରେ ବୋଧଗମ୍ୟ ହେଲା।
ଏହିପରି ଅପରିପକ୍ୱ ଦକ୍ଷତା ଓ କିଛିମାତ୍ରାରେ ଜ୍ଞାନ ଅର୍ଜନ କରି ମୁଁ ପାନ ସାଗରକୁ ଡେଇଁ ପଡ଼ି ବୁଡ଼ଯିବା ଅବସ୍ଥା ହୋଇଗଲା । ପାନଖିଆ ଆରମ୍ଭର ତିନିମାସ ଅତିକ୍ରମ କଲାଣି । ଦକ୍ଷତା ଆସି ନାହିଁ; ଅନ୍ତତଃ ଛଅ ଥର ଛେପ ପକେଇ ସାରିଲେ ମଧ୍ୟ ଝଡ଼ା ହୋଇଥିବା ପାନଖଣ୍ଡକ ତଥାପି ଏଣେତେଣେ କରି ପକାଉଥାଏ । ମୋ ପେଟ ଦୁର୍ବଳ -ମୁଁ ଯଦି କଡ଼ାପାନ ଭରା ଛେପ ଢ଼ୋକିଦେବି, ତାହା ମୋ ଅନ୍ତନାଡ଼ି ଚିରି ବାହାରିବା ପରି ଅବସ୍ଥା ହୋଇଯିବ –ବାନ୍ତି ହେବ ବା ବାଥରୁମ ଦୌଡ଼ିବାକୁ ହେବ । ତେବେ ହାତେ ମାପି ଚାଖଣ୍ଡେ ଚାଲିବା ଜାଗାରେ ମୁଁ ଦୁଇହାତ ମାଡ଼ିଗଲି ।
ସେତେବେଳକୁ ପ୍ରଥମ ତିନି ଚାରି ମାସରେ ଜିଲ୍ଲାରେ ଆଶାତୀତ ଲୋକପ୍ରିୟ ହୋଇଗଲି । ଚିନି କଳା ବ୍ୟାପାର ହେବା କଥା ଜଣାପଡ଼ି ସହରର ସବୁଠାରୁ ବିଶିଷ୍ଟ ବ୍ୟବସାୟୀ ବାରଜଣ ଅଟକ ଆଇନରେ ଗିରଫ ହୋଇ ସହରରେ ହୁଲୁସ୍ତୁଲ ହେଲା । ଜନସାଧାରଣଙ୍କ ସାମୂହିକ ମଙ୍ଗଳ ହେବାକୁ ସମୟ ଲାଗୁଥିଲା, କିନ୍ତୁ ଏଇ ଗୋଟିଏ ତଥାକଥିତ ‘ବଳିଷ୍ଠ ପଦକ୍ଷେପ’ରେ ମୁଁ ପିଲାଲୋକରୁ ଟାଣୁଆ ଜିଲ୍ଲାପାଳ ରୂପେ ପରିଚିତି ପାଇଗଲି ।
କଟକ ସେତେବେଳେ ଚାରି ଜିଲ୍ଲାର ସମ୍ମିଶ୍ରଣ -ଅବିଭକ୍ତ କଟକରେ ୪୬ ଗୋଟି ବ୍ଲକ୍ ଓ ପଚାଶ ଲକ୍ଷ ଜନସଂଖ୍ୟା । କାମ କରି କରି ଦିନରାତି ଏକ –ଭାଗ୍ୟଦେବୀଙ୍କ କରୁଣାରୁ ସବୁଥିରେ ସଫଳ ଓ ଜନପ୍ରିୟ ହେଲି।
ଏହି ସମୟରେ ରାଜ୍ୟ କୃଷି-ସଚିବ ଶ୍ରୀଯୁକ୍ତ ଶ୍ରୀନିବାସନ୍ ଆମ ଜିଲ୍ଲାର ଜଗତସିଂହପୁରରେ ନୂତନ କୃଷିନୀତି ଓ ଆଭିମୁଖ୍ୟ ବୁଝାଇବା ପାଇଁ କଟକ ଜିଲ୍ଲାର ସବୁ ଏସ୍‌ଡିଓ, କୃଷି ଅଧିକାରୀ ଓ ବିଡିଓ ମାନଙ୍କୁ ଏକାଠି କରାଇବାକୁ ନିର୍ଦ୍ଦେଶ ଦେଲେ । ମୋର ପ୍ରଶାସନିକ ମାଲିକ– ରାଜସ୍ୱ କ୍ଷେତ୍ର କମିଶନର ଶ୍ରୀଯୁକ୍ତ ଭିଜୟଶେଖରନ୍ । ଏହି ଅଫିସର୍ ଦ୍ବୟ ସମ୍ମିଳନୀରେ ଉଦ୍‌ବୋଧନ ଦେବାର ନିର୍ଣ୍ଣୟ ହୋଇଥିଲା । ଆମେ ସମସ୍ତେ ଯାଇ ଦିନ ଦଶଟାରେ ଜଗତସିଂହପୁର ଡାକବଙ୍ଗଳାରେ ପହଞ୍ଚିଗଲୁ । ମୋର ସଠିକ୍ ମନେ ପଡୁନାହିଁ, କଣ କାରଣ ଥିଲା -କିନ୍ତୁ ଅଧିବେଶନ ସେହି ଡାକବଙ୍ଗଳାର ଗୋଟିଏ ବଡ଼ ପ୍ରକୋଷ୍ଠରେ ଅନୁଷ୍ଠିତ ହେଲା– ପ୍ରାୟ ପଚାଶ ଜଣ ଅଫିସର ଖୁନ୍ଦିଖାନ୍ଦି ହୋଇ ବସିଥିଲେ । ତାଙ୍କ ସମ୍ମୁଖରେ ଗୋଟିଏ ଲମ୍ୱା ଟେବୁଲ ଏବଂ ତାପରେ କାନ୍ଥକୁ ଲାଗି ତିନୋଟି ବଡ଼ ଧରଣର ଚୌକୀ ଏବଂ ତାହା ସାମନାରେ ଲାଗିକରି ସେହି ଲମ୍ୱା ଟେବୁଲ । ମୋର ଦୁର୍ଯୋଗ ଥିଲା – ପିଲାଦିନେ ଅନେକଥର ‘ଏପାଖ ଥାଉ, ସେପାଖ ଥାଉ; ମଝିବାଲାକୁ ବାଘ ଖାଉ ।’ -ମତେ ସଦାବେଳେ ବିଛଣାର ମଝିରେ ଭର୍ତ୍ତି କରିଦେଇ ମୋ ଉପର ଭାଇ ଓ ଗାଁରୁ ବୁଲି ଆସିଥିବା ମାଉସୀପୁଅ ଭାଇ ମତେ ଡରାଇବେ ।
ସେହିଦିନ ଜଗତସିଂହପୁର ଡାକବଙ୍ଗଳାରେ ମୁଁ ଅସତର୍କ ହୋଇ ମଝି ଚୌକୀରେ ବସି ପଡ଼ିଲି । ଦୁଇ ଉଚ୍ଚପଦସ୍ଥ ଅଧିକାରୀ ଦୁଇ ପାର୍ଶ୍ୱରେ … ମୋର ଟିକିଏ ହଲିବାକୁ ବି ଜାଗା ନାହିଁ । ମିଟିଂ ଆରମ୍ଭ ହୋଇଗଲା । ସେ କାଳରେ ପ୍ରେଜେଣ୍ଟେସନ ଆଦି ନଥିଲା, ତେଣୁ ଭାଷଣ ଓ ଭାଷଣ । ବଡ଼େ କହିବେ, ସାନମାନେ ଧୀରସ୍ଥିର ହୋଇ ଶୁଣିବେ -ଅତି ଭକ୍ତିରେ କିଛି ଟିପି ପକାଇବେ -କିନ୍ତୁ ପ୍ରଶ୍ନ ପଚାରିବେ ନାହିଁ । ଭାଷଣ-ସ୍ରୋତର କୌଣସି ପ୍ରକାରର ବାଧା ଜାଣତ ଅଜାଣତରେ କରିବା ଅଶାଳୀନ । ମୋର କୌଣସି ଭୂମିକା ହିଁ ନଥିଲା । ମୁଁ ମୂର୍ଖ ମୋ ସହକର୍ମୀମାନଙ୍କ ସଙ୍ଗେ ଉଚ୍ଚପଦସ୍ଥ ମାନଙ୍କ ଆଡ଼କୁ ମୁହଁ କରି ବସିଥିଲେ ହୋଇଥାନ୍ତା -କିନ୍ତୁ ଯୋଗରେ ତ ବିଡ଼ମ୍ୱନା ଅଛି -ପିଚ୍ଛିଳ କାଦୁଅରେ କଚଡ଼ା ଖାଇବାକୁ ଅଛି ଯେ…!
ଶ୍ରୀଯୁକ୍ତ ଶ୍ରୀନିବାସନ୍ ୪୦ ମିନିଟ ଧରି କହିଲେ, ବହୁତ କଷ୍ଟରେ ମୁଁ ଆଖି ଖୋଲା ରଖିଲି । ଏଇଟା ମୋର ଏକ ବିଶେଷ ଦୁର୍ଗୁଣ -ଭାଷଣ ଶୁଣିଲେ ପ୍ରାୟ ମତେ ନିଦ ମାଡ଼େ । ବହୁ ଆୟାସ କରି ଆଖି ଖୋଲା ରଖିଲି । ତାପରେ ଆର୍‌ଡିସି ମହୋଦୟଙ୍କ ଭାଷଣ । ଶ୍ରୀଯୁକ୍ତ ଶ୍ରୀନିବାସନ୍ ଯାହା ଯାହା କହିଥିଲେ ଏକବାରେ ସେହି କଥା ଲମ୍ୱାଇ କରି ଆଉ ପଚାଶ ମିନିଟ । ମତେ ଚୌକୀରୁ ଖସି ପଡ଼ିବାର ଭୟ ହେଲା - କି ଅପଦସ୍ଥ କଥା …ସମସ୍ତଙ୍କ ଆଗେ ଯଦି ଶୋଇଯିବି ଏବଂ ତାପରେ ନାସିକା ବଇଁଶି ଧୀରେ ବାଜେ ତେବେ ଓଡ଼ିଶାର କୃଷିନୀତିର କି ଯେ ଦୁର୍ଗତି ହେବ …ଏବଂ ବୋଧହୁଏ ମୋ ଚାକିରି ବି ଚାଲିଯିବ … କିନ୍ତୁ ଏସବୁ ଡରଭୟ ସତ୍ତ୍ୱେ ଆଖିଦ୍ୱୟ ବନ୍ଦ ହୋଇଯିବା ଉପରେ । ଚାହା ଆଦି ସଭା ପରେ । ଏତେ ଗହଳରେ ଚାହା ବିତରଣ ଅସମ୍ଭବ । ତେଣୁ କୌଣସି ଉପାୟ ବିହୀନ ଅବସ୍ଥା । ପକେଟରେ ହାତ ମାରିଲା ବେଳକୁ କେହି ଜଣେ ଖଣ୍ଡିଏ ପାନ ଦେଇଥିଲେ -ସେଟାକୁ ରୁମାଲ ଭିତରେ ଅତି ସନ୍ତର୍ପଣରେ ଆଣି, କେହି ନ ଦେଖିଲା ପରି ଝାଡ଼ିବା ଆରମ୍ଭ କଲି - କିଛି କ୍ଷଣରେ ନିଦ୍ରା ଲଜ୍ଜାରୁ ରକ୍ଷା ପାଇବା ପାଇଁ ଧୀରେ ପାଟିରେ ପକାଇଦେଲି । ଏବେ ଆଉ ଯାଏ କୁଆଡ଼େ …!
ପାଟିରେ କଡ଼ା ଗୁଣ୍ଡିର ଅବଶିଷ୍ଟାଂଶ ଯଥେଷ୍ଟ ବିପଜ୍ଜନକ ରସ ସୃଷ୍ଟି କରିବା ଆରମ୍ଭ କଲା । ଚାହୁଁ ଚାହୁଁ ମୁହଁ ଭିତରଟା ଭର୍ତ୍ତି ହୋଇଗଲା । ନା କାଢ଼ି ହେଉଛି, ନା ଢ଼ୋକି ହେଉଛି । ମୁଁ ଗୋଟେ ପୁରାହାତ ଧଳାସାର୍ଟ ପିନ୍ଧିଥିଲି । କିଛି ସମୟରେ କଳବାଟେ ଠୋପେ ଅଧେ ଅମାନିଆଁ ଛେପ ସାର୍ଟରେ ନାଲି ଚିହ୍ନ ସୃଷ୍ଟି କରିବା ଆରମ୍ଭ କଲେ - ଭାଷଣ ଧୀରେ ସୁସ୍ଥେ କିନ୍ତୁ ଗମ୍ଭୀର ସ୍ୱରରେ ଚାଲିଛି …ନିଦ ଛାଡ଼ିଗଲା -କିନ୍ତୁ ଏ ନୂଆ ବିପଦର କିପରି ମୁକାବିଲା କରାଯିବ? ଦୁଇପଟ ଚୌକୀରେ ଦୁଇ ବିଶିଷ୍ଟ ପଦାଧିକାରୀ -ତାଙ୍କୁ ଉଠାଇ ଯିବାର ରାସ୍ତା କରିବା ଅସମ୍ଭବ । ଅଗତ୍ୟା ରୁମାଲଟି କାଢ଼ି ମୁହଁରେ ଦେଲି -କିଛି ସମୟରେ ଧଳା ରୁମାଲଟି ସଂପୂର୍ଣ୍ଣ ସାଧବବୋହୂ ପୋକର ରଙ୍ଗ ଧାରଣ କଲା ଆଉ ସେଥିରୁ ରସ ମୋ ଧଳା ସାର୍ଟ ଉପରେ ଅଦିନ ବର୍ଷା ପରି ଠୋପା ଠୋପା ପଡ଼ିବା ଆରମ୍ଭ ହୋଇଗଲା -ଭାଷଣ ପ୍ରାୟ ଆଉ ଦଶ ମିନିଟ ପରେ ସରିଗଲା । ସେତେବେଳକୁ ମୋ ଧଳା ସାର୍ଟ ସଂପୂର୍ଣ୍ଣ ଲାଲ୍ । କିନ୍ତୁ ଦେଖନ୍ତୁ ସମସ୍ତଙ୍କର ମୋ ପ୍ରତି କିପରି ସ୍ନେହ … ସଭାସ୍ଥଳରେ ଥିବା କୌଣସି ସହକର୍ମୀ ଏ ଦୃଶ୍ୟ ଦେଖି ବିଚଳିତ ହୋଇ ନ ଥିଲେ -ନିରୁଦ୍‌ବିଗ୍ନ ଭାବେ ଭାଷଣ ଶୁଣି ଚାଲିଥିଲେ । ଏବଂ ଦୁଇ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ସଭା ଜାରି ରଖିଥିଲେ -ଭାଷଣ ଦେଇ ଚାଲିଥିଲେ । ତିଳେମାତ୍ର ଭ୍ରୁକୁଞ୍ଚନ କରି ନ ଥିଲେ - କୌଣସି କଟୁ ମନ୍ତବ୍ୟ ତ ଦେବା ଦୂରର କଥା । ସଭା ସମାପ୍ତ ହେଲା । ବିଶିଷ୍ଟ ଅତିଥିଦ୍ୱୟ ଉଠି ଠିଆହେଲେ -ଚାହାପାନ ଆଡ଼କୁ ଅନ୍ୟ ପ୍ରକୋଷ୍ଠକୁ ଗଲେ । ମୁଁ ଧାଇଁଲି ବାଥରୁମକୁ । ସାର୍ଟଟି କାଢ଼ି ପାଣିରେ ଧୋଇ ପକାଇଲି, ଚିପୁଡ଼ି ଝାଡ଼ିଝୁଡ଼ି ପିନ୍ଧି ତିନି ମିନିଟରେ ଚାହା ଟେବୁଲ ପାଖରେ ପହଞ୍ଚି ଉଭୟ ଅତିଥିଙ୍କୁ ସ୍ୱହସ୍ତରେ ଚାହା ଆଦି ପରିବେଷଣ କଲି ।
ଅନେକ ଦିନ ପର୍ଯ୍ୟନ୍ତ ମତେ ଘୋର ଲଜ୍ଜା ଅନୁଭବ ହେଲା; କିନ୍ତୁ କେହି -ଶତ୍ରୁ ଅବା ମିତ୍ର -ଏ ବିଷୟରେ ମତେ କୌଣସି କଥା କେବେହେଲେ କହିଲେ ନାହିଁ । ଏପରିକି ଆମ ଗପୁଡ଼ା ଡ୍ରାଇଭର ମଧ୍ୟ କାହାଠାରୁ ଏକଥା ଶୁଣି ପାରି ନ ଥିଲା -ନଚେତ୍ ସେ ମତେ ନିଶ୍ଚୟ ଖବର କରିଥାନ୍ତା ।
ଚାହୁଁ ଚାହୁଁ କଡ଼ାପାନ ଦେହସୁହା ହୋଇଗଲା ଏବଂ ରୀତିମତ ଅଭ୍ୟାସରେ ପରିଣତ ହୋଇଗଲା । କଲେକ୍‌ଟର ପରେ ଡାଇରେକ୍‌ଟର ଅଫ୍ ଇଣ୍ଡଷ୍ଟ୍ରୀଜ୍ ଏବଂ ତାପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଡେପୁଟି ଜେନେରାଲ ମ୍ୟାନେଜର ହିସାବରେ ପୋଷ୍ଟିଂ ହେଲା । ମୁଁ କାମ ବାଉଳାରେ କେବେହେଲେ ଛୁଟି ନେଇ ପରିବାର ସହ ଏଲ୍‌ଟିସି ସୁବିଧା ବା ଛୁଟିରେ ପରିଭ୍ରମଣ ସୁବିଧାର ସଦ୍‌ବ୍ୟବହାର କରିନଥିଲି । ରାଉରକେଲାରେ କିଛି କାମ କଲି, କିନ୍ତୁ ଅନ୍ୟ ପଦବୀର ଜନସାଧାରଣଙ୍କ ସ୍ୱାର୍ଥ ସହ ଗୁରୁତର ଭାବେ ଜଡ଼ିତ ଦାୟିତ୍ୱ ଅପେକ୍ଷାକୃତ କମ ଥିଲା । ଏବଂ ଷ୍ଟିଲ ପ୍ଲାଣ୍ଟରେ ପରିଭ୍ରମଣ ସପରିବାର ଉଡ଼ାଜାହାଜରେ କରି ହେବ । ତେଣୁ ଆମେ ସମସ୍ତେ କାଶ୍ମୀର ବାହାରିଲୁ । ଯାଇ ପହଞ୍ଚିଲୁ ପହେଲଗାଓଁରେ -ଅତି ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗା । ଆମେ ଯେଉଁ ଗେଷ୍ଟ ହାଉସର ଗୋଟିଏ ପାର୍ଶ୍ୱରେ ଦୁଇଟି କୋଠରୀରେ (ଷ୍ଟିଲ୍ ଅଥରିଟିଙ୍କ ବ୍ୟବସ୍ଥା ଥିଲା) ଆରାମରେ ରହିଲୁ; ତାହାର ସଂଲଗ୍ନ କିନ୍ତୁ ଆମ ପଟକୁ ମୁହଁ କରି (ମଝିରେ ଗୋଟିଏ ସବୁଜଲତାର ଛୋଟ ଉଚ୍ଚତା ବିଶିଷ୍ଟ ପ୍ରାଚୀର) ଆଉ ଦୁଇଟି ରୁମ୍ (କଟେଜ୍) । ସେଥିରେ ଦେଖିଲୁ ରହିଛନ୍ତି ଶ୍ରୀ ଦିଲୀପକୁମାର ଏବଂ ଶ୍ରୀମତୀ ସାଇରାବାନୁ । ପରିବାର ତାଙ୍କୁ ଦେଖି ଖୁସି । ମୁଁ କିନ୍ତୁ ସେଥିରେ ସନ୍ତୁଷ୍ଟ ନ ହୋଇ ଚାଲିଲି ପାନ ଦୋକାନ ସନ୍ଧାନରେ । ପୋଲୋ ପଡ଼ିଆ କଡ଼କୁ କ୍ୟାବିନ୍; ସେଠାରେ ବିରାଜମାନ ଜଣେ ବନାରସ ପଣ୍ଡିତଙ୍କ ପରି ଚେହେରା ବିଶିଷ୍ଟ ଭଲ ଧୋତି କୁର୍ତ୍ତା ପିନ୍ଧି ପାନ ଦୋକାନୀ ମହାଶୟ । କିଛିଟା ଭିଡ଼ । ମୁଁ ଚୁପ୍‌ଚାପ୍‌ ଠିଆ ହୋଇ ରହିଥାଏ । କିଛି ସମୟରେ ଦୋକାନୀ ମହାଶୟଙ୍କର ନଜର ମୋ ଉପରେ ପଡ଼ିଲା । ପଚାରିଲେ, ‘କ୍ୟା ଚାହିୟେ?’ ମୁଁ କହିଲି, ‘ମିଠା ପତା ହୈ?’ ସେ ସାମାନ୍ୟ ଅବଜ୍ଞାର ସହିତ କହିଲେ, ‘ହୈ, ଆଗେ ବୋଲିୟେ ।’ ମୁଁ କହିଲି, ‘ବାବା ଜର୍ଦ୍ଦା ୬୦୦ ନମ୍ୱର ହୈ?’ ଏଥର ସେ ସଳଖ ହୋଇ ବସିଗଲେ ଏବଂ ସର୍ବସାଧାରଣଙ୍କ ପ୍ରତି ଅବଜ୍ଞାସୂଚକ ଦୃଷ୍ଟି ନିକ୍ଷେପ କରି କହିଲେ, ‘ହଟିୟେ, ହଟିୟେ! ସାହାବ ଆଗୟେ ହୈଁ । ମୁଝେ ଠିକ୍‌ସେ ପାନ୍ ଲଗାନେ ଦିଜିୟେ ।’ ଲୋକମାନେ ପାହୁଣ୍ଡେ ପଛେଇଗଲେ । ମୁଁ ଅଧ ପାହୁଣ୍ଡେ ଆଗେଇଗଲି -କହିଲି, ‘ପୁରା ଇଲାଇଚି ଔର ନବରତନ୍ କିମାମ୍ ଭି ୬୦୦ ନମ୍ୱର ଚାହିୟେ ।’ ଦୋକାନୀ ମହାଶୟ ମୋ ପ୍ରତି ସ୍ନେହସିକ୍ତ ଚାହାଣୀ ଦେଇ ତାଙ୍କ ପାନ ଡାଲା ସଜାଡ଼ି ନେଲେ । ତଳୁ ଏକ ରୂପା ଥାଳିଆ କାଢ଼ି ରଖିଲେ, ତା ଉପରେ ଗୋଟିଏ ସଫା ନାଲି କନା ପାରିଲେ ଏବଂ ଗୋଟିଏ ବଡ଼ ମିଠା ପାନପତ୍ର କାଢ଼ି ମୋ ଅନୁରୋଧରେ ତାକୁ ଦୁଇ ଖଣ୍ଡ ପାନରେ ପରିଣତ କଲେ । ପ୍ରତ୍ୟେକ ପାନର ଦାମ ପନ୍ଦର ଟଙ୍କା ।
ମୋର ଆଉ କୌଣସି ଉଚ୍ଚ ଅଭ୍ୟାସ ହୋଇ ନଥିଲା, ପରେ ମଧ୍ୟ ନୁହେଁ । ତଥାପି ତିରିଶ ଟଙ୍କା ଟିକେ ଭାରୀ ଲାଗିଲା । ମନକୁ ବୁଝାଇଲି ଯେ ସୁଦକ୍ଷ ପ୍ରଶାସକ ବ୍ୟାସକବି ଫକୀର ମୋହନ ସେନାପତି, ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ତଥା ଶ୍ରୀଯୁକ୍ତ ବିମଳ କିଶୋର ମିଶ୍ରଙ୍କ ପରମ୍ପରାର ଦାୟାଦ ମୁଁ । ସେମାନେ ଦକ୍ଷ ଥିଲେ -ପାନ ଖାଉଥିଲେ । ମୁଁ ତାଙ୍କର ଅନୁକରଣ ମାତ୍ର କରୁଛି ।
ଅନେକ ବର୍ଷ ଏ ବଦଭ୍ୟାସ ରହିଲା । ଅନବରତ ପାନ ଖାଇଲି ନାହିଁ, କିନ୍ତୁ ସପ୍ତାହରେ ଚାରି ପାଞ୍ଚ ଖଣ୍ଡ ହୋଇଯାଏ । ବିଶେଷତଃ ଛୁଟି ଦିନରେ ଦୁଇ ଘଣ୍ଟା ବ୍ରିଜ୍ ଖେଳିଲା ବେଳେ ସ୍ନେହୀ ସିନିୟର ଶ୍ରୀଯୁକ୍ତ ଦେବୀ ବାଗଚୀ, ଶ୍ରୀଯୁକ୍ତ ଦୀପକ ଚାଟାର୍ଜୀ ଆଦି ଥିଲେ ପାନ ଖିଆଟା ଜମିଯାଏ ….।
ଅନେକ ବର୍ଷ ପରେ ମୁଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ହେଲି । ମୋର ମନ୍ତ୍ରୀ ପି.ଏମ.କେ ଦଳର ଡା. ଅମ୍ୱୁମଣି ରାମଦାସ । ସେ ଓ ତାଙ୍କ ରାଜନୈତିକ ଦଳ ତାଙ୍କ ବାପା ଡା. ରାମଦାସଙ୍କ ଦ୍ୱାରା ସୃଷ୍ଟ -କେତେଗୋଟି ସାମାଜିକ ସଂସ୍କାର ଉପରେ ସେମାନଙ୍କ ନୀତିଗତ ଆଭିମୁଖ୍ୟ ସ୍ପଷ୍ଟ… -ସେମାନେ କୋକ୍, ପେପ୍‌ସି, ମ୍ୟାକ୍‌ଡୋନାଲ୍‌ଡ ବିରୋଧୀ । ଏବଂ ନିଶ୍ଚିତଭାବେ ତମାଖୁ ବିରୋଧୀ । ତାଙ୍କ ପ୍ରେରଣାରେ ମୁଁ ମଧ୍ୟ ଲାଗିଗଲି– ସିଗାରେଟ ପ୍ୟାକେଟ ଆଦିରେ ସଚିତ୍ର ସାବଧାନ ଆଇନ ଇତ୍ୟାଦି ପ୍ରଣୟନ କରାଗଲା । ଶ୍ରୀମତୀ ଇନ୍ଦିରା ନ୍ୟୁଇ ପେପ୍‌ସି କୋ.ର ମୁଖ୍ୟ ଆସି ମତେ ଭେଟିଲେ । ମନ୍ତ୍ରୀ କିନ୍ତୁ ନଛୋଡ଼ବନ୍ଦା; ସଭା ସମିତିରେ ଜଙ୍କ୍ ଫୁଡ୍ ଓ ପାନୀୟ ଉପରେ ଲୋକଙ୍କୁ ସତର୍କ କରିବାକୁ ଭାଷଣ ଦେଲେ -WHOକୁ ଚିଠି ଲେଖାହେଲା - ବଳିଷ୍ଠ ପଦକ୍ଷେପ ବିଶ୍ୱବ୍ୟାପୀ ନେବାକୁ । ମୋର ସେହି ତଥ୍ୟ ସମ୍ୱଳିତ ଚିଠିଟି ତିଆରି କରୁ କରୁ ଚାରି ପାଞ୍ଚ ଦିନ ବିଳମ୍ୱ ହୋଇଗଲା । ମତେ ମୋର ମନ୍ତ୍ରୀ ସବୁଥିରେ ସହଯୋଗ କରୁଥିଲେ -ଦୁଇଜଣ ସେକ୍ରେଟାରୀ ଜାଗାରେ ପ୍ରଥମଥର ପାଇଁ ଅନେକ ଦଶନ୍ଧି ପରେ ମତେ ଏକମାତ୍ର ସ୍ୱାସ୍ଥ୍ୟ ସଚିବ କରାଗଲା । ପ୍ରଧାନମନ୍ତ୍ରୀଙ୍କ ପାଖେ ମିଟିଂ ହେଲେ ମନ୍ତ୍ରୀ ମତେ କହିବାକୁ ସଂପୂର୍ଣ୍ଣ ସ୍ୱାଧୀନତା ଓ ସମର୍ଥନ ଦେଇଥିଲେ, କିନ୍ତୁ ଏ ଚିଠି ଯିବାରେ ଚାରି ପାଞ୍ଚ ଦିନ ବିଳମ୍ୱ ହେବାରୁ ସେ ମନ୍ତ୍ରାଳୟ ଭିତରେ ସବୁ ସିନିୟର ଅଫିସରଙ୍କୁ ଏକାଠି କରାଇ ଆଲୋଚନା ସଭା କରିଥିଲେ ଏବଂ ସେମାନଙ୍କୁ ତାଙ୍କର ଆଭିମୁଖ୍ୟ ସବୁକୁ ତ୍ୱରାନ୍ୱିତ କରିବାକୁ କହି ଥିଲେ । ହଠାତ୍ ସେ କହିଲେ -‘ମୁଁ ଶୁଣିଲି, ମୋ ସେକ୍ରେଟାରୀ ପାନରେ ତମାଖୁ ଖାଉଛନ୍ତି । ମୁଁ ମନ୍ତ୍ରୀ ହୋଇ ତାଙ୍କୁ ଯଦି ନ ବୁଝାଇ ପାରିଲି ଆଉ କାହାକୁ କଣ କହିବି?’ ମୁଁ କାଳବିଳମ୍ୱ ନ କରି ତତ୍‌କ୍ଷଣାତ୍ ଠିଆ ହୋଇ ପଡ଼ିଲି -ସମସ୍ତଙ୍କ ସାମନାରେ କହିଲି, ‘ମୈଁ ଉମର ମେଁ ବଡ଼ା ହୁଁ, ଗୁଣ୍ ମେଁ କମ୍ । ଆଜ କାନ ପକଡକେ ମିନିଷ୍ଟର ଜୀ କେ ସାମନେ ପାନ୍ ଛୋଡ଼ନେ କା ୱାଦା କର ରହା ହୁଁ’ -ଏବଂ ତାପରେ ଇଂଲିଶରେ ସେହି କଥା କହିଲି ।
ସ୍ୱାସ୍ଥ୍ୟ ସଚିବ ଥିବା ପର୍ଯ୍ୟନ୍ତ ଆଉ ପାନ ଖାଇଲି ନାହିଁ, କିନ୍ତୁ ଅଦୂରରେ ପାନୁଆ ଦେଖିଲେ ମନ ଉଚ୍ଚାଟ ହୁଏ, ହାତ ବଢ଼ାଇ ଖଣ୍ଡେ ମାଗିବାକୁ ଇଚ୍ଛା ହୁଏ । ବଡ଼ ନିଉଛଣିଆ ବଦଭ୍ୟାସ …ସହଜରେ ଯାଏ ନାହିଁ… ସଂପୂର୍ଣ୍ଣ ଛାଡ଼ିବାକୁ ବହୁତ ସମୟ ଓ କଷ୍ଟ ଲାଗିଥିଲା ।
ଏ ପ୍ରବନ୍ଧ ଲେଖିବାରୁ ପାନ ଖିଲେ ପାଇଁ ପ୍ରବଳ ଇଚ୍ଛା ହେଲାଣି– ଏତେ ଦିନର ପୀରତି… ଥରେ କଳରେ ଜାକିବି, ପରେ ପଛେ ଫୋପାଡ଼ି ଦେବି – ଯାଉଛି ପାଖ ବଜାର ଆଡ଼େ ବୁଲି ଆସେ ….।
ବନ୍ଧୁ ଦେବଦାସ ଛୋଟରାୟ ଗୁରୁଗ୍ରାମରେ ତାଙ୍କ ଜୋଇଁ ଘରକୁ କିଛିଦିନ ପାଇଁ ବୁଲି ଆସିଛନ୍ତି । ମନ ମୁତାବକ ଦୁଇଟି ପାନ ବନାଇ ୧୬୦ ବାବା ଜର୍ଦ୍ଦା କିଞ୍ଚିତ୍ ପକାଇ (ପ୍ରାୟ ତିରିଶ ବର୍ଷ ହେଲା ୬୦୦ କମି କରି ୪୦୦, ତାପରେ ବାବା-୧୬୦ରେ କାମ ଚଳୁଥିଲା) ତାଙ୍କୁ ଯାଇ ଦେଇ ଆଶ୍ଚର୍ଯ୍ୟ ଆନନ୍ଦରେ ଡୁବାଇ ଦେବି– ‘ଭାଙ୍ଗି/ଭଙ୍ଗାଇ ଭୁଞ୍ଜାଇବି ପାନ’ …..ଶ୍ୟାମ କେବଳ ମଲ୍ଲୀମାଳର ବଶ ନୁହନ୍ତି । ପ୍ରଭୁ କିନ୍ତୁ ନିର୍ଦ୍ଦୟ; ଏ ଛୋଟ ପାନ, ଟିକେ ଜର୍ଦ୍ଦାରେ ବିଷ ନ ରଖିଥିଲେ କଣ ଚଳି ନ ଥାନ୍ତା ? ତେବେ ଦୋଷ ତାଙ୍କର ନୁହେଁ; ଆମେ ହେରେସା ଦଳଙ୍କ ଦୋଷ । ମହାପ୍ରଭୁ ମଝିରେ ମଝିରେ କେଡ଼େ ବଢ଼ିଆ ବିଡ଼ିଆ ତାମ୍ୱୁଳ ସେବନ କରନ୍ତି ବୋଲି ପ୍ରଥା ଅଛି । ତମାଖୁ ସତତ ବର୍ଜନୀୟ … କିନ୍ତୁ ମୋ ଚଗଲା ମନ… !!

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment