Welcome to shalandi webzine

ଜନ୍ମଲଗ୍ନ ଓ ଶୈଶବର ଦିନ

ସରୋଜିନୀ ସାହୁ

ଓଡିଆ ଗଳ୍ପର ଟ୍ରେଣ୍ଡ ସେଟର, ପ୍ରଚଣ୍ଡ ପ୍ରତିଭାଶାଳୀ ଗଳ୍ପ ଲେଖକ, ଦିବଙ୍ଗତ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଛନ୍ତି ତାଙ୍କ ଲେଖିକା ପତ୍ନୀ ସରୋଜିନୀ ସାହୁ ।

( ପୁସ୍ତକ “ଜଗଦୀଶ ମହାନ୍ତି : ଜଣେ ବୋହେମିଆନର କାହାଣୀ” ରୁ ସଂଗୃହିତ )


ସେ ଜନ୍ମ ହେବେ ସେମିତି କିଛି ପ୍ରତୀକ୍ଷା ନଥିଲା । ଢ଼ିଙ୍କିରେ ଚାଉଳ ଚୂନା କୁଟା ହେଉଥିଲା । ବଗିଚାରେ କାମ ଚାଲିଥିଲା । ଗାଈ ଦୁହାଁ ହେଉଥିଲା । ଦହି ମନ୍ଥା ହେଉଥିଲା । ସବୁକିଛି ଥିଲା ନିୟମିତ । ଜନ୍ମ ହେବା ଥିଲା ଗୋଟେ କ୍ରମ । ସେଦିନ ଗୋଧୂଳି ବେଳା ଟିକେ ଅନ୍ୟମନସ୍କ ଥିଲା । ସାର୍ଟିଫିକେଟରେ ୧୭ ଫେବୃୟାରୀ ୧୯୫୨ । ବାହାଘର ବେଳେ ଶ୍ୱଶୁର ଯେତେବେଳେ ଜାତକ ସୁଝୁଛି କି ନାହିଁ ଗଣନା କରିବା ପାଇଁ ଜଗଦୀଶଙ୍କୁ ମାଗିଲେ, ଜଗଦୀଶ କହିଲେ, “ଆମର କାହାରି ଜାତକ ନାହିଁ । ତେବେ ମୋ ଜନ୍ମ ସଂଧ୍ୟା ପାଞ୍ଚଟାରେ । ସେଦିନ ଶନିବାର ଥିଲା ଓ ତିଥିରେ ଭୈାମ ଏକାଦଶୀ ପଡୁଥିଲା । ସାର୍ଟିଫିକେଟରେ ୧୭ ଫେବୃୟାରୀ ୧୯୫୨ ମସିହା ।”
ଜ୍ୟୋତିଷ କହିଥିଲେ, ନା, ୧୯୫୨ ମସିହା ୧୭ ଫେବୃୟାରୀରେ ଭୈାମ ଏକାଦଶୀ ପଡିନାହିଁ । ଶନିବାର ମଧ୍ୟ ନୁହଁ । ବରଂ  ୧୯୫୧ ମସିହା ୧୭ ଫେବୃୟାରୀରେ ଭୈାମ ଏକାଦଶୀ ପଡୁଛି ଓ ତାହା ଶନିବାର ହିଁ ଅଛି । ସେଇ ଦିନଠୁ ଜଗଦୀଶ ତାଙ୍କ ଲେଖକୀୟ ବାୟୋଡାଟାରେ ୧୯୫୧ ମସିହା ୧୭ ଫେବୃୟାରୀ ବୋଲି ଲେଖିଥିଲେ ।
ସେ କହୁଥିଲେ ମୁଁ ଶନିବାର ଜନ୍ମ ତ, ଶନିବାର ଜନ୍ମିତ ପିଲାମାନେ ଟିକେ ଅସନା ପୋଚରା ହୁଅନ୍ତି । ସଫାସୁତୁରା ରହି ପାରନ୍ତିନି ଆଦୈା । ତାଙ୍କର ଗୋଟିଏ ଗୋଡ ଅନ୍ୟ ଗୋଡଠୁଁ ସାମାନ୍ୟ ଛୋଟ ବୋଲି ତାଙ୍କର ଧାରଣା ଥିଲା । ସେ ଏସବୁ କଥା ସେତେବେଳେ କହୁଥିଲେ; ଯେତେବେଳେ ମୁଁ ପଚାରୁଥିଲି, ଯେ ତୁମର ସବୁ ଭାଇ ଭଉଣୀ ତ ଏତେ ସଫା ସୁତୁରା ତୁମେ କାହିଁକି ଏମିତି ଅଯତ୍ନରେ ରୁହ ? ଅବା ମୁଁ ଯେତେବେଳେ  ପଚାରେ ତମେ କାହିଁକି ଏମିତି ଇଂରାଜୀର କରୋସିଭ୍ ‘ଏ’ ଭଳି ଛିଡା ହୁଅ ବଡ ଅନସ୍ମାର୍ଟ ଲାଗେ । ବଶମ୍ବଦ ପରି  ମନେହୁଏ । ସେ କୁହନ୍ତି ମୋ ଦୁଇ ଗୋଡ ବୋଧହୁଏ ସମାନ ନୁହେଁ । ତାଙ୍କର ସବୁବେଳେ ଗୋଟେ ଧାରଣା ଥିଲା ସେ ଆଦୈା ସୁନ୍ଦର ନୁହନ୍ତି । ସେ ଯେତେବେଳେ ଏକଥା କୁହନ୍ତି ମୁଁ ତାଙ୍କୁ ତାଙ୍କ ଯୁବ ଅବସ୍ଥାର କଥା ମନେପକେଇ ଦିଏ, ମୁଣ୍ଡରେ ଗୋଛା ଗୋଛା ଚୁଟି, ପତଳା ଡେଙ୍ଗା ଶ୍ୟାମଳ ଯୁବକଟିର ବେଶ୍ ଆକର୍ଷଣୀୟ ଚେହେରା ଯାହାକୁ ଆମେ ସଂଜୟ ବୋଲି ଜାଣୁଥିଲୁ  । ତା’ ଛଡା  ସୈାନ୍ଦର୍ଯ୍ୟ ଚେହେରାରେ ନଥାଏ, ଥାଏ ହୃଦୟରେ, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି  ଜାଣିଥିବେ ।
ମୟୁରଭଞ୍ଜ ଜିଲ୍ଲାର ଗୋରୁ ମହିଷାଣୀରେ ତାଙ୍କର ଜନ୍ମ, ଡାକ୍ତରଖାନାରେ ହୋଇଥିଲା । ଡାକ୍ତରଖାନାରୁ ଦିନକ ପରେ ଟାଟା  କମ୍ପାନୀର ଲୁହାପଥର ଖଣିର କ୍ୱାର୍ଟରକୁ ସେ ଆସିଥିଲେ । ଅବଶ୍ୟ କ୍ୱାଟର ଗୁଡିକୁ କ୍ୟାମ୍ପ ବୋଲି କୁହାଯାଉଥିଲା । କ୍ୟାମ୍ପ ଏଇଥିପାଇଁ, ଖଣିରୁ ଲୁହାପଥର ସରିଗଲେ କ୍ୟାମ୍ପ୍ ଉଠେଇ ଚାଲିଯିବେ ଖଣି ମାଲିକ୍ । ଜଗଦୀଶ କହୁଥିଲେ ତାଙ୍କର ସେଇ କ୍ୱାର୍ଟରଟିକୁ ସେମାନେ ନିଜ ଘର ବୋଲି ଭାବୁଥିଲେ । ସେ ଘରେ ଗୁହାଳ ଢ଼ିଙ୍କିଶାଳ ଓ ବଗିଚା  ସବୁକିଛି ଥିଲା ।
ଗୋରୁମହିଷାଣୀର ପି.ଏନ୍. ବୋଷ୍ ସ୍କୁଲରେ ଜଗଦୀଶ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ତେବେ ତାଙ୍କୁ ଯେତେବେଳେ ଆଠବର୍ଷ ହୋଇଥିଲା ତାଙ୍କ ସବା

 
 
ସାନଭାଇ ଅର୍ଥାତ୍ ଜଗଦୀଶଙ୍କ ପରେ ଆଉ ଗୋଟିଏ ପୁଅ ଜନ୍ମ ହେଇଥିଲା, ସେଇ ଗୋରୁମହିଷାଣୀରେ । ଜଗଦୀଶଙ୍କ ସବୁ ଭାଇଭଉଣୀ ଗୋରୁମହିଷାଣୀରେ ହିଁ ଜନ୍ମ ହେଇଥିଲେ । ସାନଭାଇ ଚିନ୍ମୟର ଜନ୍ମ ପରେ, ସବୁଠୁଁ ବେଶୀ ଦୁଃଖି ହେଇଥିଲେ ଜଗଦୀଶ । ତାଙ୍କର ଧାରଣା ଥିଲା ତାଙ୍କୁ ଆଉ କେହି ପଚାରିବେନି । ଏକଥାଟି ବଡ ଭାଇ ଭଉଣୀମାନେ ତାଙ୍କ ମୁଣ୍ଡରେ ପୁରାଇ ଦେଇଥିଲେ ଯେ ଆଜିଠୁଁ ତୋତେ ଆଉ କେହି ଗେହ୍ଲା କରିବେନି । ଯାହା ତାଙ୍କୁ  କୋମଳ ବୟସରେ ଖୁବ  ଆଘାତ ଦେଇଥିଲା  ।
ମୟୁରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଲୁହାପଥର ଖଣିର ସନ୍ଧାନ ପାଇଁ ଜଣେ ଭୂତତ୍ତ୍ୱବିତ୍ ଙ୍କୁ ଏ ଅଂଚଳରେ ନିଯୁକ୍ତ କରିଥିଲେ । ଯାହାଙ୍କ ନାଁ ଥିଲା ପ୍ରମଥ ନାଥ ବୋଷ୍ । ପରେ ପରେ ଟାଟା କମ୍ପାନୀ ଏଇ ଖଣି ଅଂଚଳକୁ ଲିଜ୍ ରେ  ନେଇଥିଲା । ସେଇ ଖଣି ଅଂଚଳର ଗୋଟେ ଛୋଟ ପାହାଡ ଉପରେ ପ୍ରମଥ ନାଥଙ୍କ ସ୍ମୃତିରେ ଗୋଟେ ସ୍ତମ୍ଭରେ ଲେଖା ଯାଇଥିଲା ପି.ଏନ୍. ବୋଷ । ଜଗଦୀଶ ସେହି ପି.ଏନ୍. ବୋଷ୍ ଙ୍କ  ନାଁରେ ଥିବା ସ୍କୁଲରେ ବିଦ୍ୟା ଶିକ୍ଷା ଆରମ୍ଭ କରିଥିଲେ । ସ୍କୁଲ୍ ରେ  ତାଙ୍କର ନାଁ ଲେଖା ହେବା ବେଳକୁ ତାଙ୍କ ଉପରେ ଥିବା ବଡ ଭଉଣୀ ଓ ଓ ଭାଇ, ସେଇ ସ୍କୁଲ୍ ରେ କିଏ ହାଇସ୍କୁଲରେ ତ କିଏ ମାଇନର୍ ଓ ଆଉ କିଏ ପ୍ରାଥମିକ ଶ୍ରେଣୀରେ ପଢୁଥାନ୍ତି । ଜଗଦୀଶ ସ୍କୁଲ ଗଲାବେଳକୁ ତାଙ୍କ ମୁଣ୍ଡରେ ବଡ ଚୁଟି କେରାଏ ଥାଏ । ଜନ୍ମବାଳ । ସତ୍ୟନାରାୟଣ ସ୍ଥାନ, ଯେଉଁଠି ସେମାନଙ୍କର ଏକଦା ଜମିଦାରୀ ଥିଲା ସେଠି ଚୁଟି ପଡିବାର ଥିଲା; ମାତ୍ର ପଡି ପାରି ନଥାଏ, ମେଦିନୀପୁରକୁ ଯାଇ ଚୁଟି ପକାଇବା ପାଇଁ ସମୟ ହେଉ ନଥିବାରୁ । ଜଗଦୀଶ ପାଞ୍ଚଛଅ ବର୍ଷ ଯାଏ ସ୍ତନ୍ୟପାନ କରୁଥିଲେ । ସ୍କୁଲ୍ ରୁ  ଆସି ବସ୍ତାନି ଫୋପାଡି ମା’ କୋଳରେ ପଶିଯାଉଥିଲେ । ମା’ଙ୍କର କୋଡପୋଛା ଥିଲେ ।
ଜଗଦୀଶଙ୍କ ପ୍ରକୃତ ନାଁ ଥିଲା ନାରାୟଣ । ମା’ଙ୍କର ଅଷ୍ଟମ ଗର୍ଭ ହୋଇଥିବାରୁ ଡାକ ନାଁ କାହ୍ନୁ ଓ ଭଲ ନାଁ ନାରାୟଣ ରଖାଯାଇଥିଲା । ସ୍କୁଲ୍ ରେ ନାମ  ଲେଖେଇଗଲା ବେଳେ ହେଡ୍ ମାଷ୍ଟରଙ୍କୁ ସେ ନାଁ ଟି ପସନ୍ଦ ଆସି ନଥିଲା । ସେ ଜଗଦୀଶଙ୍କ ବାପାଙ୍କର ପରିଚିତ ଥିଲେ । ସେ କହିଥିଲେ ନାରାୟଣ ବଦଳରେ ଆଧୁନିକ ନାଁ ଟିଏ ଦିଆଯାଉ । ତାଙ୍କ ବାପା ରାଜି ନ ହେବାରୁ ନାରାୟଣ ବଦଳରେ ଜଗଦୀଶ ରଖା ଯାଇଥିଲା ।
ସ୍କୁଲରେ ମହନ୍ତ ସାର୍ ବୋଲି ଜଣେ ସାର୍ ଥା’ନ୍ତି ଯିଏ ଶ୍ରେଣୀରେ ସାହିତ୍ୟ ପଢ଼େଇଲା ବେଳେ କବିତା କେମିତି ଲେଖାଯାଏ ଶିଖାଉଥିଲେ । କେମିତି ଅକ୍ଷରକୁ ଗଣିବ । ଛନ୍ଦ ଓ ଯତିପାତ ପଡିବ । ସବୁଠୁଁ ବଡ କଥା ମନରେ ଚିତ୍ରଟିଏ କଳ୍ପନାକରି ଶବ୍ଦ ସବୁ ଯୋବା ଇତ୍ୟାଦି । ଜଗଦୀଶଙ୍କ ସବୁ ବଡ ଭାଇଭଉଣୀ ମାନଙ୍କର କିଛି ନା କିଛି ପ୍ରତିଭା ଥିଲା । ସବା ବଡଭାଇ ସତ୍ୟେନ୍ଦ୍ର ଯିଏ ଏମ୍.ପି.ସି କଲେଜରେ ପଢୁଥିଲେ, ସେ ବେହେଲା ବଜଉଥିଲେ । ମୂର୍ତ୍ତି ଗଢୁଥିଲେ । ତାଙ୍କ ତଳ ମନୀନ୍ଦ୍ର କବିତା ଲେଖୁଥିଲେ । ଗୁରୁ ମହାନ୍ତି ତାଙ୍କ ପ୍ରିୟ କବି ଥିଲେ । ତାଙ୍କ ତଳ ସଂଧ୍ୟା ଖୁବ୍ ପଢ଼ାପଢ଼ି କରୁଥିଲେ ତାଙ୍କର ସାହିତ୍ୟରେ ରୁଚି ଥିଲା । ତାଙ୍କ ତଳ ବସନ୍ତ ବେଞ୍ଜୋ ଓ ତବଲା ବଜଉଥିଲେ । ତାଙ୍କ ତଳ ଜ୍ୟୋସ୍ନା ନାଚ ଗୀତ ଇତ୍ୟାଦି ପରିବେଷଣ କରି ଅନେକ କପ୍ ଜିତି ଆସୁଥିଲେ । ଜଗଦୀଶଙ୍କର ସେମିତି କିଛି ପ୍ରତିଭା ନଥିଲା । ବଡ ଭଉଣୀ ସନ୍ଧ୍ୟା ଦିଦି ସଙ୍ଗେ ରହି ବିଭିନ୍ନ ଗପ କବିତା ବହି ପଢୁଥିଲେ ଯାହା ।
ପି.ଏନ୍. ବୋଷ୍ ସ୍କୁଲରେ ଥିବାବେଳେ ଜଗଦୀଶଙ୍କର ଜଣେ ବନ୍ଧୁ ଥିଲା ସୁରଜିତ୍ ମିଶ୍ର । ତା’ ବାପା ଥିଲେ ଖଣିର ଡାଇରେକ୍ଟର । ପଶ୍ଚିମ ଓଡିଶା ପଟର ଲୋକ ଥିଲେ ସେମାନେ । ଗୋରୁମହିଷାଣୀର ସବୁଠୁ ଆକର୍ଷଣୀୟ ଜାଗା ଥିଲା ଡାଇରେକ୍ଟର ବଙ୍ଗଳା । ତା’ ଭିତରକୁ ପଶିବା ସାଧାରଣ ବ୍ୟକ୍ତି ପାଖରେ ସମ୍ଭବ ନଥିଲା । ମାତ୍ର ଜଗଦୀଶ ସୁରଜିତର ଘରକୁ ଯାଉଥିଲେ । ଗପ ବହିର ଦିଆନିଆ ହେଉଥିଲା । “ମନମୋହିନୀ” ସିରିଜ୍ ପଢୁଥିଲେ ଦୁହେଁ । ଥରେ ସୁରଜିତ୍ ର  ମା’ଙ୍କ ଦୃଷ୍ଟିରେ ଏ ବହି ପଡି ଯାଇଥିଲା ସେ ପାଖକୁ ଡାକି ଏ ସବୁ ନ ପଢ଼ିବା ପାଇଁ କହିଥିଲେ ଓ ପ୍ରଜାତନ୍ତ୍ରର ମୀନାବଜାର ପୃଷ୍ଠା ଦେଖେଇ, ଏମିତି ଗପ କବିତା ସବୁ ପଢ଼ ବୋଲି କହିଥିଲେ ।
ଏପଟେ ମହନ୍ତ ସାର୍ କିଛି ପିଲାଙ୍କୁ ପ୍ରଜାତନ୍ତ୍ରର ମୀନାବଜାରରେ ମୀନାଭାଇ ହେବାକୁ ପ୍ରବର୍ତ୍ତାଇ ଥିଲେ । ସେତେବେଳେ ମୀନାବଜାରର ଜହୁରୀ ଭାଇ ଥା’ନ୍ତି ରାମପ୍ରସାଦ ମହାନ୍ତି । ଜଗଦୀଶ ମୀନା ଭାଇ ହେବା ପରେ କବିତାଟିଏ ପଠେଇଥିଲେ; ଯାହା ପ୍ରଜାତନ୍ତ୍ରର ମୀନାବଜାର ପୃଷ୍ଠାରେ ପ୍ରକାଶ ପାଇଥିଲା । ସେତେବେଳକୁ ସେ ପଞ୍ଚମରେ ପଢୁଥାନ୍ତି । କବିତା ବାହାରିବା ପରେ ସୁରଜିତ୍ ର ମା’ ତାଙ୍କୁ ଡକେଇ ଫ୍ରିଜ୍ ରୁ  ମିଠେଇ କାଢ଼ି ଖୁଆଇ ଥିଲେ । କିନ୍ତୁ ଘରକୁ ଫେରିବା ପରେ ଜଗଦୀଶଙ୍କ ମା’ ତାଙ୍କୁ ଏସବୁ ନକରି ପାଠ ପଢ଼ିବା ପାଇଁ ଉପଦେଶ ଦେଇଥିଲେ । ବାପା ଜାଣିଲେ ବିରକ୍ତ ହେବେବୋଲି ଚେତେଇ ଦେଇଥିଲେ ବି । ତାଙ୍କ ବାପାଙ୍କ କାନରେ ଏ ଖବର ପଡିବାରୁ ସେ ତାଙ୍କ ମା’ଙ୍କୁ କହିଥିଲେ ପିଲା ଉପରେ କଡା ନଜର ରଖ ।
ମାତ୍ର ପରବର୍ତ୍ତୀ ସମୟରେ ସୁରଜିତ୍ ଙ୍କ  ମା’ଙ୍କ ପ୍ରୋତ୍ସାହନରେ ଗୋଟେ ହାତ ଲେଖା ପତ୍ରିକା ସେମାନେ ପ୍ରକାଶ କରିଥିଲେ । ସେ ସଂପର୍କରେ ଜଗଦୀଶ ତାଙ୍କ “ବାଲିଘର” ଗଳ୍ପରେ ଏମିତି ଲେଖିଛନ୍ତି । “ପ୍ରଶାନ୍ତ ର ମା’, ମୋତେ ଓ ସୁରଜିତକୁ  ଗୋଟେ ହାତଲେଖା ପତ୍ରିକା ବାହାର କରିବାକୁ କହିଥିଲେ । ଆମର ସେ ପତ୍ରିକା ପାଇଁ ପ୍ରଶାନ୍ତର ଭଉଣୀ ବି କବିତାଟିଏ ଲେଖିଥିଲା । ପ୍ରଶାନ୍ତର ମା’ ହିଁ ଆମ ପତ୍ରିକାର କଭର୍ ଚିତ୍ର କରି ଦେଇଥିଲେ । ସେ ପତ୍ରିକାଟି ହାତରୁ ହାତ ହୋଇ ବାପାଙ୍କ ଅଫିସ୍ ରେ  ପହଞ୍ଚି ଥିଲା ଓ ବାପା ପତ୍ରିକାଟି ଧରି ଗଦ୍ ଗଦ୍ ହୋଇଥିଲେ ଏଇଥିପାଇଁ ନୁହେଁ ଯେ ମୁଁ ପତ୍ରିକାଟିର ଯୁଗ୍ମ ସଂପାଦକ ଥିଲି ବୋଲି । ବରଂ ସେ ପତ୍ରିକାଟିର ପ୍ରଶଂସାରେ ପଞ୍ଚମୁଖ ଥିଲେ ଏଥିପାଇଁ ଯେ ଖୋଦ୍ ଡାଇରେକ୍ଟରଙ୍କ ପତ୍ନୀଙ୍କ ଚିତ୍ର ଓ ତାଙ୍କ ଝିଅର କବିତା ସେଥିରେ ଅଛି ।
ଯେଉଁଦିନ ଜଗଦୀଶଙ୍କ କବିତା ପ୍ରଜାତନ୍ତ୍ର ପୃଷ୍ଠାରେ ପ୍ରକାଶ ପାଇଥିଲା, ମା’ଙ୍କୁ ଛାଡିଦେଲେ, ଆଉ ସବୁ ଭାଇ ଭଉଣୀ ବହୁତ ଖୁସି ହୋଇଥିଲେ । ମଧ୍ୟବିତ୍ତ ପରିବାର ଏଇ ଅସୁବିଧା । ବାପା ମା’ ସ୍ୱପ୍ନ ଦେଖନ୍ତି ପୁଅ ଡାକ୍ତର କି ଇଞ୍ଜିନିୟର ହେଉ । କବି ସାହିତ୍ୟିକ କି ଚିତ୍ରକର ହେଇ ଜୀବନ ବର୍ବାଦ୍ ନକରୁ ।
ସେ ଯାହା ବି ହେଉ, ବାପା, ମା’ଙ୍କ ଅନିଚ୍ଛା ସତ୍ତ୍ବେ ଜଗଦୀଶଙ୍କର ସାହିତ୍ୟିକ ଜୀବନର ମୂଳଦୁଆ ପିଲାଟି ବେଳୁ ପଡିଥିଲା ଓ ସେଥିପାଇଁ ମହନ୍ତ ସାର୍ ଓ ସୁରଜିତ୍ ମିଶ୍ରର ମା’ ହିଁ ପ୍ରେରଣାଦାତା ଓ ଦାତ୍ରୀ ଥିଲେ । ତା’ ପରଠୁଁ ମୀନାବଜାର ପୃଷ୍ଠାରେ ଜଗଦୀଶଙ୍କ ଗଳ୍ପ କବିତାମାନ ପ୍ରକାଶ ପାଇଥିଲା । ଏମିତି ଦେଖିବାକୁ ଗଲେ ସବୁଠୁଁ ବଡ ପ୍ରେରଣାଦାତ୍ରୀ ଥିଲେ ସଂଧ୍ୟାଦିଦି । ସେ ଲାଇବ୍ରେରୀରୁ ବିଭିନ୍ନ ବହି ଯୋଗାଇ ଜଗଦୀଶଙ୍କୁ କ୍ରଶମଃ ପକ୍ୱ କରି ଗଢ଼ି ତୋଳିବାରେ ସାହାଯ୍ୟ କରିଥିଲେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment