Welcome to shalandi webzine

ବିସ୍ଥାପନର ଗାଥା

ସରୋଜିନୀ ସାହୁ

ଓଡିଆ ଗଳ୍ପର ଟ୍ରେଣ୍ଡ ସେଟର, ପ୍ରଚଣ୍ଡ ପ୍ରତିଭାଶାଳୀ ଗଳ୍ପ ଲେଖକ, ଦିବଙ୍ଗତ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଛନ୍ତି ତାଙ୍କ ଲେଖିକା ପତ୍ନୀ ସରୋଜିନୀ ସାହୁ । ଏହା ଧାରାବାହିକ ଭାବରେ ପ୍ରକାଶ ପାଇବ ଶାଳନ୍ଦୀ ୱେବଜିନରେ ।

(ପ୍ରକାଶୋନ୍ମୁଖୀ ପୁସ୍ତକ “ଜଗଦୀଶ ମହାନ୍ତି : ଜଣେ ବୋହେମିଆନର କାହାଣୀ” ରୁ ସଂଗୃହିତ )
ଜଗଦୀଶଙ୍କ ପୂର୍ବପୁରୁଷମାନଙ୍କ ଇତିହାସ ଆଡେଇଲେ ବଂଶଟି ବାରମ୍ବାର ବିସ୍ଥାପିତ ହେଉଥିବା ବଂଶ ବୋଲି ବୁଝିହୁଏ । ବାରମ୍ବାର ଭିଟାମାଟି ଛାଡି, ଅନ୍ୟ ନୂଆ ମାଟିକୁ ଆପଣେଇ ନେବାକୁ ପଡିଛି ସେମାନଙ୍କୁ । ଏକଦା ତାଙ୍କ ପୂର୍ବପୁରୁଷ ଥିଲେ ପୁରୀର ବାସିନ୍ଦା । ପୁରୀରୁ ଖୋର୍ଦ୍ଧା । ଖୋର୍ଦ୍ଧାରୁ ଯାଜପୁର । ଯାଜପୁରରୁ ରେମୁଣା । ରେମୁଣାରୁ ମେଦିନୀପୁର ବଳରାମପୁର । ଶେଷରେ ଝାଡଖଣ୍ଡର ଅଡଙ୍ଗ । ଅଧୁନା ଅଡଙ୍ଗରେ କେହି ରୁହନ୍ତି ନାହିଁ । କେହି ଝାରସୁଗୁଡାରେ ତ କେହି ବେଲ୍ପାହାଡରେ । ଆଉ କିଏ ଭୁବନେଶ୍ୱରରେ । ମାତ୍ର ଏବେ ବି ଅଡଙ୍ଗ ଗାଁରେ ରହିଛି ବାରିପଟର ଟୁବି ଗାଡିଆ । ଜଗଦୀଶଙ୍କ ସ୍କଲାରସିପ୍ ଟଙ୍କାରେ ଖୋଳା ଯାଇଥିବା କୂଅ ଓ ତାଳଗଛ ।
ସେମାନଙ୍କ ଭାଗ୍ୟରେ ବୋଧହୁଏ ଲେଖା ଥିଲା ଗୋଟିଏ ଦୁଇଟି ପିଢ଼ୀଠୁଁ ଅଧିକ ରହିପାରିବେ ନାହିଁ ଗୋଟିଏ ସ୍ଥାନରେ । ପୁରୀରୁ ରେମୁଣା ପର୍ଯ୍ୟନ୍ତ, ଥିବା ବଂଶଧରମାନଙ୍କ ନାଁ ଗାଁ ଆଉ କେହି ମନେ ରଖିନାହାନ୍ତି । ତେବେ ରେମୁଣାରୁ ମେଦିନୀପୁରର ବଳରାମପୁର ଯିବା ପୁଣି ସେଇଠୁ ଅଡ଼ଙ୍ଗ ଆସିବା କଥା ସମସ୍ତେ ଜାଣନ୍ତି ।
ନାଗସ୍ୟ ଗୋତ୍ର ଥିବା ଜଣେ ବିଚକ୍ଷଣ ବ୍ୟକ୍ତି ଥିଲେ ରେମୁଣାରେ।  ତାଙ୍କ ନାଁ ଅକ୍ଷୟ ମହାନ୍ତି । ବାଲେଶ୍ୱରରେ ରେମୁଣା କରଣ ସାହିରେ ଥିଲା ତାଙ୍କ ଘର । ମଝିରେ ମଝିରେ ଅକ୍ଷୟ ମହାନ୍ତି ପୁରୀ ଆସୁଥିଲେ । ଜଗନ୍ନାଥ ଦର୍ଶନ ଓ ଗଜପତିଙ୍କ ସଂସର୍ଗ ଲାଭ କରି ଫେରି ଯାଉଥିଲେ । କୈାଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ତର୍କ ଚାଲିଥିଲା ବେଳେ, ତତ୍କାଳୀନ ପୁରୀ ଗଜପତି ରାଜା ଅକ୍ଷୟ ମହାନ୍ତିଙ୍କ ଉପରେ ରୁଷ୍ଟ ହୋଇଥିଲେ, ସେଇଥିରୁ ତିକ୍ତତା ବଢ଼ିଥିଲା । ମାତ୍ର ସେଦିନ ଉପସ୍ଥିତ ଥିବା ମେଦିନୀପୁରର ରାଜା ଅକ୍ଷୟ ମହାନ୍ତିଙ୍କ ଯୁକ୍ତିରେ ପ୍ରଭାବିତ ହୋଇଥିଲେ । ଏ ଘଟଣାର କିଛିମାସ ପରେ, ମେଦିନୀପୁର ରାଜା ଅକ୍ଷୟ ମହାନ୍ତିଙ୍କୁ ଡକାଇ ବଳରାମପୁର ଜମିଦାରୀ ଦାୟିତ୍ୱ ସମ୍ଭାଳିବାକୁ ଦେବା ସହ ବକ୍ସି ଉପାଧି ଦେଇଥିଲେ । ଅକ୍ଷୟ ମହାନ୍ତିଙ୍କ ଦିନକାଳ ବଳରାମପୁର ଓ ମେଦିନୀପୁରରେ ବେଶ୍ କଟିଥଲା । ତାଙ୍କ ପରେ ତାଙ୍କ ପୁଅ ରମାନାଥ ମହାନ୍ତି ଜମିଦାରୀ ସମ୍ଭାଳି ପାରି ନଥିଲେ । ଜୁଲୁମ କରି ଖଜଣା ଆଦାୟ କରୁଥିବାରୁ ପ୍ରଜାମେଳି ହେଇ ଥିଲା । ତେଣୁ ସେ ରାତାରାତି ନିଜ ପୁଅକୁ ଗୋଟେ ବୋଝରେ ମୁଣ୍ଡେଇ ପତ୍ନୀଙ୍କ ସହ ବଳରାମପୁର ଛାଡି ଅଡଙ୍ଗରେ ପହଞ୍ଚିଲେ । ଆଉଗୋଟେ ମତରେ ରମାନାଥଙ୍କ ପୁଅ ସବୁ ମରି ଯାଉଥିଲେ । ଦିନେ ପ୍ରଭୁ ସତ୍ୟନାରାୟଣ ସ୍ୱପ୍ନରେ ନିର୍ଦ୍ଦେଶ ଦେଲେ ସେ ସ୍ଥାନ ତ୍ୟାଗ କରି ସାନ୍ଡ୍ରାର ସାଣ୍ଡ୍ରେଶ୍ୱର ମହାଦେବଙ୍କ ଶରଣରେ ରହିଲେ ତାଙ୍କୁ ଏ ଦୁର୍ଦ୍ଦଶାରୁ ମୁକ୍ତି ମିଶିବ । ତେଣୁ ସେ ଜମିଦାରୀ ଛାଡି ଅଡ଼ଙ୍ଗର ସାନ୍ଡ୍ରାରେ

 
 
ରହିଲେ ।
ଏବେ ବି ମେଦିନୀପୁରରେ ଥିବା ସତ୍ୟନାରାୟଣ ସ୍ଥାନକୁ ଯାଇ ଆମେ ଆମ ପିଲାମାନଙ୍କର ପ୍ରଥମ ମୁଣ୍ଡନ କରେଇ କରି ଆସୁ । ସତ୍ୟ ଯାହାବି ହେଉ ବଳରାମପୁର ଛାଡି ରମାନାଥ କପର୍ଦ୍ଦକ ଶୂନ୍ୟ ହେଇ ଅଡ଼ଙ୍ଗରେ ପହଞ୍ଚିଲେ  । ଜଣେ ତେଲି ଜମିଦାର (ସାହୁକାର) ପାଖରେ ଗୁମାସ୍ତା ଭାବରେ ନିଯୁକ୍ତ ହେଇ ପେଟପାଟଣା ଚଳେଇ ଥିଲେ । ଆଜି ସୁଦ୍ଧା ଅଡ଼ଙ୍ଗ ଗାଁରେ ଜଗଦୀଶଙ୍କ ପରିବାରକୁ ଗୁମାସ୍ତା ପରିବାର ବୋଲି କୁହାଯାଏ । ରମାନାଥଙ୍କୁ ଜମିଦାର ଶହେ ଏକର ଜମି ଦେଇଥିଲେ । ରମାନାଥଙ୍କ ପରେ ସୀତାନାଥ ସେ ଜମିକୁ ସମ୍ଭାଳି ପାରି ନଥିଲେ ନିଜର ଅୟସ ବିଳାସ କାରଣରୁ । ସେ କିଛି କାମ କରୁ ନଥିଲେ । ଏପଟେ ଖୁବ୍ ବିଳାସୀ ସ୍ୱଭାବର ଥିଲେ । ଜମି ବିକି ପରିବାର ଚଳେଇଲେ । ତାଙ୍କର ଚାରି ପୁଅ ଥିଲେ ଦେବେନ୍ଦ୍ର, ନଗେନ୍ଦ୍ର, ଜ୍ଞାନେନ୍ଦ୍ର ଓ ଧୀରେନ୍ଦ୍ର । ଚାରିପୁଅ ଭିତରେ ଦେବେନ୍ଦ୍ର ଥିଲେ ବଡ । ନଗେନ୍ଦ୍ରନାଥ ଥିଲେ ଦ୍ୱିତୀୟ । ନଗେନ୍ଦ୍ରନାଥଙ୍କର ପୁଅ ଥିଲେ ଜଗଦୀଶ । ଜଗଦୀଶଙ୍କ ମା’ଙ୍କ ନାଁ ଥିଲା ସାରଦାବାଳା । ବାପା ମା’ ମରି ଯାଇଥିବାରୁ ପିଲାଦିନୁ ସାରଦାବାଳା ମାମୁଁଘରେ ବଢ଼ିଥିଲେ । ତାଙ୍କ ମା’ ଥିଲେ ମେଦନୀପୁରର ନୟାବସାଣ ର ଝିଅ । ଜଗଦୀଶ ତାଙ୍କ ଗଳ୍ପ ‘ସତୁରି ଦଶକ’ରେ ଏଇ ନୟାବସାଣ କଥା ଲେଖିଛନ୍ତି । ମା’ଙ୍କ ଘର ଥିଲା ନୟାବସାଣରେ । ମା’ଙ୍କ ଜେଜେ ଥିଲେ ମୁର୍ଶିଦାବାଦ ନବାବଙ୍କ ତହସିଲଦାର । ରାଜାରାଜୁଡା ଅମଳରେ ମୟୁରଭଞ୍ଜ ଓ ନୟାବସାଣ ଭିତରେ ଶତ୍ରୁତା ଥିଲା । ମା’ ବଙ୍ଗଳାରେ ପଢ଼ିଥିଲେ । ମାତ୍ର ଓଡିଆରେ କଥା ହେଉଥିଲେ । ବାହାରକୁ ବାହାରିଲେ ଯା ଅଏଁ ଖା ଅଏଁ ରେ କଥା ହୁଅନ୍ତି ।
ବାହାଘର ପରେ ନଗେନ୍ଦ୍ରନାଥ ଗାଁ ସ୍କୁଲରେ ମାଷ୍ଟରୀ ଚାକିରୀ ଛାଡି, ଗୋରୁ ମହିଷାଣୀରେ ଥିବା ଟାଟା ଲୁହାପଥର ଖଣିକୁ କାମ କରିବା ପାଇଁ ଚାଲି ଯାଆନ୍ତି । ପ୍ରଥମେ ଟାଟା କମ୍ପାନୀରେ ଲୁହାପଥର ଖଣିରେ ମଜଦୂର ଭାବେ ଭର୍ତ୍ତି ହୋଇ ପରେ ଷ୍ଟୋର କିପର ଭାବରେ ଯୋଗ ଦିଅନ୍ତି । କିଛିଦିନ ପରେ କ୍ୱାର୍ଟର ପାଇବା ପରେ ପତ୍ନୀ ସାରଦାବାଳାଙ୍କୁ ନେଇ ଆସନ୍ତି । ସେଇ ଗୋରୁମହିଷାଣୀ, ଜଗଦୀଶ ହେରିକା ପାଞ୍ଚ ଭାଇ ଓ ତିନି ଭଉଣୀଙ୍କ ଜନ୍ମସ୍ଥାନ ଭାବରେ ସରକାରୀ ରେକର୍ଡରେ ରହେ ।
ଜଗଦୀଶଙ୍କଠୁ ବଡ ଭାଇମାନେ ହେଲେ ସତ୍ୟେନ୍ଦ୍ର ନାଥ, ମନୀନ୍ଦ୍ର ନାଥ, ବସନ୍ତ କୁମାର ଓ ଜଗଦୀଶଙ୍କୁଠୁଁ ସାନ ଚିନ୍ମୟ । ସତ୍ୟେନ୍ଦ୍ରଙ୍କ ପରେ ବଡ ଭଉଣୀ ଉଷା, ମନୀନ୍ଦ୍ରଙ୍କ ପରେ ସଂଧ୍ୟା ଓ ବସନ୍ତଙ୍କ ପରେ ଜ୍ୟୋସ୍ନାଙ୍କ ଜନ୍ମ ହୁଏ । ଏହିପରି ଆଠ ଭାଇ ଭଉଣୀଙ୍କୁ ନେଇ ତାଙ୍କ ପରିବାର । ତେବେ ସଂଧ୍ୟାଙ୍କ ଜନ୍ମ ପୂର୍ବରୁ ଆଉ ଗୋଟିଏ ଝିଅ ହେଇ ମରି ଯାଇଥିବାରୁ ଜଗଦୀଶ; ତାଙ୍କ ମା’ଙ୍କର ଅଷ୍ଟମ ଗର୍ଭର ସନ୍ତାନ ଥିଲେ । ସେଇ କାରଣଙ୍କୁ ତାଙ୍କ ଡାକ ନାଁ ଦିଆଯାଇଥିଲା କାହ୍ନୁ ।
ବଡଭାଇ ସତ୍ୟେନ୍ଦ୍ର ଓ ସାନ ମଝିଆ ଭାଇ ବସନ୍ତ ବେଲପାହାଡ ସ୍ଥିତ ଟାଟା ରିଫ୍ରାକ୍ଟରିଜରେ କାମ କରୁଥିଲେ । ସେଇଠି ଅବସର ନେବା ପରେ ସ୍ଥାୟୀ ଭାବରେ ରହିଗଲେ । ମନୀନ୍ଦ୍ର ବ୍ରଜରାଜ ନଗର କାଗଜକଳରେ କାମ କରୁଥିଲେ, ସେ ଝାରସୁଗୁଡାରେ ଘର କରି ରହିଲେ । ଜଗଦୀଶ ଓ ଚିନ୍ମୟ ରହିଲେ ଭୁବନେଶ୍ୱରରେ ।
ସିଂହଭୂମର ଅଡ଼ଙ୍ଗ ଗାଁର ଘର ଜମି ସେମିତି ମାଲିକହୀନ ହୋଇ ପଡି ରହିଲା । ସତେ ଯେମିତି ବିସ୍ଥାପନ ଲେଖାଥିଲା ଏ ବଂଶର ଭାଗ୍ୟରେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Image
Sahadev Sahoo
08-06-2022 / 16:57:01

Nice to read family history of Jagdish. Curious to know more, waiting for the next dose.

Image
Sahadev Sahoo
08-06-2022 / 16:57:00

Nice to read family history of Jagdish. Curious to know more, waiting for the next dose.

Leave a comment

Name

Email or Phone No (the information will be not disclosed)

Comment