Welcome to shalandi webzine

ତାଳଗଛ ଓ କିଆଲଟିର ଠିକଣା

ସରୋଜିନୀ ସାହୁ

ଓଡିଆ ଗଳ୍ପର ଟ୍ରେଣ୍ଡ ସେଟର, ପ୍ରଚଣ୍ଡ ପ୍ରତିଭାଶାଳୀ ଗଳ୍ପ ଲେଖକ, ଦିବଙ୍ଗତ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଛନ୍ତି ତାଙ୍କ ଲେଖିକା ପତ୍ନୀ ସରୋଜିନୀ ସାହୁ । ଏହା ଧାରାବାହିକ ଭାବରେ ପ୍ରକାଶ ପାଇବ ଶାଳନ୍ଦୀ ୱେବଜିନରେ ।

ସାହିର ନାଁ ସାନ୍ଡ୍ରା । ଗାଁ ନାଁ ଅଡ଼ଙ୍ଗ । ପାଖ ସହରର ନାଁ ବହଡାଗୋଡା । ଜିଲ୍ଲାର ନାଁ ସିଂହଭୂମ୍ । ସବୁଜିମା ଭରା ଏ ଗାଁ । ମାଟି ଦୋରସା । କିଆନଟିର ଗାଢ଼ ସବୁଜ ରଙ୍ଗର କାନ୍ଥ ଲମ୍ବି ଯାଇଛି ଯେ ଗାଁ ମୁଣ୍ଡର ଶେଷ ଘରଟି ପାଖରେ ସରିଛି । ସେଇ ସବୁଜ କାନ୍ଥ କଡ଼େକଡ଼େ ଆଗେଇ ଗଲେ, ଆମ୍ବ, ପଣସ, ତାଳଗଛର ସବୁଜ ଚାନ୍ଦୁଆ ଢ଼ାଙ୍କି ରଖିଥାଏ ରାସ୍ତାକୁ । ଅଡଙ୍ଗ ଥିଲା ତତ୍କାଳୀନ ବିହାରରେ, ଅଧୁନା ଝାଡଖଣ୍ଡ ଅଧିନରେ । ଓଡ଼ିଶା ସୀମାନ୍ତ ଅଡଙ୍ଗ ଗାଁ ଠାରୁ ବାର କିଲୋମିଟର ଦୂର । ପାଖର ବଡ ସହର ବହଡାଗୋଡା ଆଠ କିଲୋମିଟର ଦୂର ଅଡ଼ଙ୍ଗରୁ । ବାରିପଦାର ଦୂରତା ପଞ୍ଚାଶ କିଲୋମିଟର । ଗୋଟେ ପଟେ ଅଠାଅଶୀ କିଲୋମିଟର ଦୂରରେ ଜାମ୍ଶେଦପୁର ଆଉ କଲିକତା ଶହେ ଅଶୀ ।
ଏକଦା ଏ ଅଞ୍ଚଳ ଓଡିଶାର ଅଂଶବିଶେଷ ଥିଲା । ସିଂହଭୂମ, ଖରସୁଆଁ, ଷଢ଼େଇକଳା ଓ ମେଦିନୀପୁର ଆଦିରେ ଏବେ ବି ନିଜ ଭିଟାମାଟି ଜାବୁଡି ପଡିରହିଛନ୍ତି ଅନେକ ଓଡିଆ ପରିବାର, ବଙ୍ଗ ବିହାରରେ ରାଜନେତାଙ୍କ ଛତ୍ରଛାୟା ତଳେ, ଓଡିଶା ସରକାରଙ୍କ ଉଦାସୀନତା ଭିତରେ ।
ଅଡ଼ଙ୍ଗ ଗାଁ ଟି ବେଶ ବଡ଼ ଗାଁ । ଖଣ୍ଡାୟତ ଓ ବ୍ରାହ୍ମଣ ପରିବାର ବେଶୀ ରହିଛନ୍ତି । ଅଡ଼ଙ୍ଗ ଗାଁର ଗୋଟେ ପଟେ ଅଛନ୍ତି ସାଣ୍ଡ୍ରେଶ୍ୱର ମହାଦେବ । ତାଙ୍କ ନାଁ ଅନୁଯାୟୀ ସେ ପାଖ ଜାଗାର ନାଁ ସାନ୍ଡ୍ରା । ହୁଏତ ‘ଷଣ୍ଢ’ ରୁ ‘ଷଣ୍ଢ’ ହୋଇଯାଇଥିବ କାଳକ୍ରମେ । ଗାଁଟି ପାଖରେ ରହିଛି ତିନୋଟି ରାଜ୍ୟର ସୀମାନ୍ତ । ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ (ବିହାର) ବାରିପଦା କିମ୍ବା ବହଡାଗୋଡା ଆଡୁ କଲିକତା ଯିବା ରାସ୍ତାରେ ଯିବା ରାସ୍ତାରେ ଦୁଇଟି ବସ୍ ଷ୍ଟପ୍ ପଡେ, ବାରସତୀ ଓ ଫେଙ୍କୋଘାଟ । ପ୍ରକୃତରେ ରାସ୍ତାଟି ହେଉଛି ମୁମ୍ବାଇ-କଲିକତା ଜାତୀୟ ରାଜପଥ, ତାରି ଭିତରେ ଦି’ଟି ଷ୍ଟପେଜ ଇଏ । ବାରସତୀ ଠୁଁ ଫେଙ୍କୋଘାଟ ଅପେକ୍ଷାକୃତ ବଡ ଷ୍ଟପେଜ । ଗାଁର ସହ ସହ ଯୋଗାଯୋଗ କରିବା ପାଇଁ ଅନ୍ୟ ରାସ୍ତାଟିଏ ଅଛି ଜଗନ୍ନାଥ ପ୍ରସାଦ ନାଁରେ । ତେବ ଅଡ଼ଙ୍ଗ ଗାଁର ସାନ୍ଡ୍ରାକୁ ସବୁଠୁଁ ପାଖ ରାସ୍ତା ବାରସତୀ ଷ୍ଟପେଜ । ସେଇଠୁ ଦୁଇ ତିନି କିଲୋମିଟର ଚାଲି ଚାଲି ଗାଁରେ ପହଞ୍ଚିବାକୁ  ହୁଏ । କେହି କେହି ଶଗଡରେ ଆସୁଥିଲେ । ଆଜିକାଲି ·ରିଚକିଆ ରାସ୍ତା ହେଲାଣି । ବାରସତୀ, ଛୋଟିଆ ଗାଁ ଟିଏ ରାସ୍ତାକଡରେ । ଗାଁରେ ଅଧିକାଁଶ ଆଦିବାସୀ ଭୂମିଜ ଶ୍ରେଣୀର ଲୋକେ ବସବାସ କରନ୍ତି । ଜାତୀୟ ରାଜପଥର ବାମ ଦିଗରେ ଅଣଓସାରିଆ ପିଚୁରାସ୍ତାଟେ ଯାଇ କିଛିବାଟ ପରେ ମାଟି ପାଦଚଲା ରାସ୍ତାରେ ମିଶି ଯାଇଛି । ଦି ପାଖରେ ଚାଳଘର । ଘର ସରିଗଲେ ଦିଶେ ଗୋଟେ ବଡ ଦିଘୀ । ସେଇଠୁ ଅଧ କିଲୋମିଟର ଗଲେ ଦିଶେ ଗାଁ ମୁଣ୍ଡ । ଦିଘୀକୁ ଲାଗି ସମାଧି ମାଳ ମାଳ । ଧଳା ସମାଧି ମାନ ଛିଡା ହେଇଥାଏ ହଳଦିଆ ମାଟିରେ । ଗାଁରେ ପହଞ୍ଚିଲା ବେଳକୁ ପାଦ ହଳଦିଆ ରେଣୁରେ ଲେପି ହେଇ ଯାଇଥାଏ । ଆଜିକାଲି ଗାଁ ଯାଏ ଓ ଗାଁ ଭିତରେ ବି ପକ୍କା ରାସ୍ତା ହେଇଯାଇଛି ।
ସାନ୍ଡ୍ରାରେ ରୁହନ୍ତି କୁମ୍ଭାର, ଭୂମିଜ, ସୂତାର (ରାଢ଼ୀ) ଆଉ ଖଣ୍ଡାୟତ ଜାତିର ଲୋକ । ଖଣ୍ଡାୟତମାନଙ୍କୁ ସେଠି ଓଡିଆ କୁହାଯାଏ, ଯଦିଓ ସେମାନେ ବଙ୍ଗଳାରେ କଥା ହେବାକୁ ଭଲ ପାଆନ୍ତି । ସେ ଗାଁରେ ଜମା ଦୁଇଟି କରଣ ବଂଶ ଅଛି । ଗୋଟିଏ
 
 
ପଟ୍ଟନାୟକ ସଂଜ୍ଞାଧାରୀ ଅନ୍ୟଟି ମହାନ୍ତି । ପଟ୍ଟନାୟକ ବଂଶର ଘର ଅଛି, ମାତ୍ର ସମସ୍ତେ ପେଟପାଟଣା ଉଦ୍ଦେଶ୍ୟରେ, ଚାଷ ଜମି ଭାଗ ଦେଇ ବାହାରେ ରୁହନ୍ତି । ମହାନ୍ତି ବଂଶଟି ଖୁବ୍ ବଡ । ଶହେ ରୁ ଅଧିକ ହେବେ ଜ୍ଞାତି କୁଟୁମ୍ବ ମିଶିଲେ । କିଆନଟିକୁ ଲାଗି ଯେଉଁ ଘର ଧାଡି ଧାଡି ଲମ୍ବିଛି ସେ ସବୁ ମହାନ୍ତି ବଂଶର । ଖଞ୍ଜାକୁ ଖଞ୍ଜା ଯୋଡି ହେଇଛି, ଚାଳକୁ ଚାଳ ଲଗାଲଗି ହେଇ । ବାରିପଟେ ଗଲେ ସମସ୍ତଙ୍କ ବାରିକୁ ପଡିଥିବା ଦୁଆର ଖୋଲେ ଗୋଟେ ଲମ୍ବା ସନ୍ତସନ୍ତିଆ ପାଦଚଲା ରାସ୍ତାରେ । ସମସ୍ତଙ୍କ ବାରିପଟେ ଗୋଟେ ଗୋଟେ ଗାଡିଆ ।
ମହାନ୍ତି ବଂଶରେ ବି ବୁଢ଼ାବୁଢ଼ୀଙ୍କୁ ଛାଡିଦେଲେ ବେଶୀ ଲୋକ ଗାଁରେ ରୁହନ୍ତି ନାହିଁ । ଜାମ୍ସେଦ୍ପୁରରେ ଟାଟା କମ୍ପାନୀରେ କି ରାଉରକେଲାରେ, ବାରିପଦା କି ବହଡାଗୋଡା କିମ୍ବା ଝାଡଗ୍ରାମରେ ଚାକିରୀ କରନ୍ତ ।
ଏ ବଂଶର କିଛି ଥାଉ କି ନଥାଉ, ଅଛି ପ୍ରଚଣ୍ଡ ଓଡିଆ ପ୍ରୀତି । ଫକୀର ମୋହନଙ୍କ ଠୁଁ ବିଭୂତି ପଟ୍ଟନାୟକ ସଜା ହୋଇଥାନ୍ତି ବହିଥାକରେ । ସାଙ୍ଗରେ ଥା’ନ୍ତି ବଙ୍କିମଚନ୍ଦ୍ରଙ୍କ ଠୁଁ ଶରତ ଚନ୍ଦ୍ର ଯାଏ ।
ଅଢ଼ଙ୍ଗରେ ପୂର୍ବରୁ ମାଇନର୍ ଯାଏ ସ୍କୁଲର ଶିକ୍ଷା ବ୍ୟବସ୍ଥା ଥିଲା । ହାଇସ୍କୁଲ ପାଇଁ ଖଣ୍ଡା ମୈାଜା (ଖଣାମଦା) ହାଇସ୍କୁଲ୍କୁ ଯିବାକୁ ପଡୁଥିଲା । ୧୯୪୦ରେ ଅନେକ ଓଡିଆଙ୍କ ପ୍ରଚେଷ୍ଟାରେ ଖଣ୍ଡାମୈାଜା ସ୍କୁଲଟି ପ୍ରତିଷ୍ଠା ପାଇଥିଲା । ପୂର୍ବରୁ ସିଂହଭୂମ ରୂପେ ପରିଚିତ ଏଇ ସ୍ଥାନ ଗୁଡିକ ଅଧୁନା ପୂର୍ବ ସିଂହଭୂମ୍ ଜିଲ୍ଲା ଅନ୍ତର୍ଗତ । ସେଇଠି ଅଡଙ୍ଗ ଗାଁରେ ଜଗଦୀଶଙ୍କ ଭିଟାମାଟି ରହିଛି । ବର୍ତ୍ତମାନ ଘର ନାହିଁ ଡିହ ଓ ଅଯତ୍ନ ବର୍ଦ୍ଧିତ କିଛି ଗଛ ରହିଛି ମାଟିଗଦା ଉପରେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment