Welcome to shalandi webzine

ଚନ୍ଦ୍ରର ମୃତ୍ୟୁ

ପରେଶ ପଟ୍ଟନାୟକ

ପଢିଥିବା ଭଲ ବହି ସମ୍ପର୍କରେ ଏକ ଆଲୋଚନା ଲେଖିଛନ୍ତି ଗାଳ୍ପିକ ପରେଶ କୁମାର ପଟନାୟକ । ପୁସ୍ତକଟି ହେଉଛି ଚନ୍ଦ୍ରର ମୃତ୍ଯୁ ।

ଏବେ ଦ୍ଵିତୀୟ ଥର ପାଇଁ ପଢ଼ିଲି ଡଃ ଗୋକୁଳାନନ୍ଦ ମହାପାତ୍ରଙ୍କ ରଚିତ, ୧୯୬୬ ମସିହାରେ ପ୍ରକାଶିତ ବିଜ୍ଞାନଭିତ୍ତିକ ଉପନ୍ୟାସ “ଚନ୍ଦ୍ରର ମୃତ୍ୟୁ” ।  ପ୍ରଥମ ଥର ପାଇଁ ବହିଟି ପଢ଼ିଥିଲି ଅନେକ ଦିନ ତଳେ । ମୋର ସ୍କୁଲ ଦିନରେ । କିଛି ମାତ୍ରାରେ ଭୁଲି ଯାଇଥିଲି । ସେତେବେଳେ ଭଲଲାଗିଥିଲା ଅବଶ୍ୟ ।
ଏବେ ଏତେ ଦିନ ପରେ ଯେତେବେଳେ ପୁନରାୟ ପଢ଼ିଲି, ଅଭିଭୂତ ହୋଇଗଲି । ବିଜ୍ଞାନଭିତ୍ତିକ ଏତେ ସୁନ୍ଦର ଉପନ୍ୟାସ ଆଉ ଅନ୍ୟ କୌଣସି ଭାରତୀୟ ଭାଷାରେ ଲେଖା ହୋଇଛି କି ନାହିଁ ସନ୍ଦେହ । “ଚନ୍ଦ୍ରର ମୃତ୍ୟୁ” ଏକ ଉଚ୍ଚକୋଟୀର କାଳଜୟୀ ଉପନ୍ୟାସ । ଉପନ୍ୟାସଟି ଲେଖାହୋଇଥିଲା ୧୯୬୬ ମସିହା ପୂର୍ବରୁ । ୟା ଭିତରେ ବିଜ୍ଞାନ କ୍ଷେତ୍ରରେ ପୃଥିବୀ ଅନେକ ପାଦ ଆଗେଇ ଯାଇଛି । ଅନେକ ବୈପ୍ଲବିକ ପରିବର୍ତନ ଘଟିଯାଇଛି ବୈଜ୍ଞାନିକ ଉଦ୍ଭାବନ ଓ ଗବେଷଣାରେ । କିନ୍ତୁ ଯେଉଁ ସବୁ ବୈଜ୍ଞାନିକ ତଥ୍ୟକୁ ଆଧାର କରି “ଚନ୍ଦ୍ରର ମୃତ୍ୟୁ” ରଚିତ ହୋଇଥିଲା, ତାହା ଏବେ ମଧ୍ୟ ଠିକ ସେହିପରି ଅମଳିନ ଅଛି । ଏହି ଉପନ୍ୟାସ ପ୍ରକାଶନର ପ୍ରାୟ ତିନି ବର୍ଷ ପରେ ମଣିଷ ଚନ୍ଦ୍ରପୃଷ୍ଠରେ ପାଦ ଦେଇଛି । ଚନ୍ଦ୍ର ସମ୍ପର୍କରେ ଅନେକ ନୂତନ ଗବେଷଣା ହୋଇଛି । ଅନେକ ନୂତନ ତଥ୍ୟ ପ୍ରକାଶିତ ହୋଇଛି । କିନ୍ତୁ ଉପନ୍ୟାସର କାହାଣୀରେ ଉତ୍ତରଣ ଓ ସମାପ୍ତି ଚମକପ୍ରଦ ରହିଆସିଛି।  
ପୁସ୍ତକଟି ସୁଖପାଠ୍ୟ, ତଥ୍ୟଭିତ୍ତିକ ତଥା ବିଜ୍ଞାନସମ୍ମତ । ବିଜ୍ଞାନ ଓ କଳ୍ପନାର ଅଦ୍ଭୁତ ସମ୍ମିଶ୍ରଣ । ବିଚିତ୍ର ଓ ରୋମାଞ୍ଚକର । ଶେଷ ପର୍ଯଂତ ପାଠକକୁ ଆଚ୍ଛନ୍ନ କରିରଖେ ଅନେକ ଅଜଣା ବୈଜ୍ଞାନିକ ତଥ୍ୟ । ପାଞ୍ଚ ହଜାର ବର୍ଷ ତଳର ନାୟକ ଉତ୍କଳାବର୍ତ ହଠାତ ଆବିର୍ଭୂତ ହୁଏ ପୃଥିବୀରେ । ଚନ୍ଦ୍ରରେ ତିରିଶ ବର୍ଷ ପୃଥିବୀରେ ପାଞ୍ଚ ହଜାର ବର୍ଷ । ସେ କହେ ଚନ୍ଦ୍ରରେ ଦିନେ ଥିଲା ମାନବ ସଭ୍ୟତା । ଚନ୍ଦ୍ରର ଲଳନା  ସହିତ ପୃଥିବୀ ମଣିଷର ବିବାହ ସେ କାଳଖଣ୍ଡର ଏକ ଅଦ୍ଭୁତ ବର୍ଣନା। ଚନ୍ଦ୍ରରେ ଥିବା ଉନ୍ନତ ମାନବସଭ୍ୟତାର ଚିତ୍ର କଳ୍ପନାପ୍ରସୂତ ହୋଇପାରେ। ମାତ୍ର ଅସମ୍ଭବ ନୁହେଁ । ସେ ସଭ୍ୟତା କ୍ରମେ ଧ୍ଵଂସ ହୋଇଗଲା । ଧ୍ଵଂସଲୀଳାର ସେହି ଚାଂଚଲ୍ୟକର କାହାଣୀ ହେଉଛି “ଚନ୍ଦ୍ରର ମୃତ୍ୟୁ” । ଉପନ୍ୟାସର ଆଉ ଏକ ଉଲ୍ଲେଖଯୋଗ୍ୟ ଆବେଦନ ହେଉଛି ଏହାର ସାର୍ବଜନୀନତା । ଅର୍ଥାତ ସବୁ ବର୍ଗର ପାଠକମାନେ ଏହାକୁ ପଢିପାରିବେ ଓ ଉପଭୋଗ କରିପାରିବେ । ଏହା ମଧ୍ୟ ପାଠକଙ୍କ ବିଜ୍ଞାନ ଦୃଷ୍ଟିକୁ ପ୍ରସାରିତ କରିବ।
ଡଃ ମହାପାତ୍ର ଓଡ଼ିଶାରେ ବିଜ୍ଞାନଭିତ୍ତିକ ଉପନ୍ୟାସ ରଚନାର ଯେଉଁ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ତାହା ଏବେ ଦୁର୍ବଳ ହୋଇପଡିଛି । ଆଉ ନୂତନ ସ୍ୱାଦର ବୈଜ୍ଞାନିକ ଉପନ୍ୟାସ ଲେଖା ହେବାର ଦେଖା ଯାଉନାହିଁ । ନବ ପ୍ରଜନ୍ମର ଲେଖକଗଣ  ଯଦିଓ ବିଜ୍ଞାନର ବ୍ୟାପକ ଉପଯୋଗ କରୁଛନ୍ତି,

 
 
ବିଜ୍ଞାନଭିତ୍ତିକ ଉପନ୍ୟାସ / ଗଳ୍ପ ରଚନାରେ ଆଉ ମନୋନିବେଶ କରୁନାହାନ୍ତି ।
ଆଜି ଡଃ ଗୋକୁଳାନନ୍ଦ ମହାପାତ୍ର ଆମ ଗହଣରେ ନାହାନ୍ତି । କିନ୍ତୁ ସେ ଯେଉଁ ସବୁ ବିଜ୍ଞାନଭିତ୍ତିକ ଉପନ୍ୟାସ ଲେଖି ଯାଇଛନ୍ତି ତାହା ଓଡ଼ିଆ ବାଣୀଭଣ୍ଡାରର ଅମୁଲ୍ୟ ସମ୍ପଦ । ସେହି ସବୁ ପୁସ୍ତକର ବ୍ୟାପକ ପ୍ରଚାର ଓ ପ୍ରସାର ହେବା  ଆବଶ୍ୟକ ।
“ଚନ୍ଦ୍ରର ମୃତ୍ୟୁ” ଭଳି ଏକ ଚମତ୍କାର ଉପନ୍ୟାସ ଅନ୍ୟାନ୍ୟ ଭାରତୀୟ ଭାଷାକୁ ତଥା ଇଂରାଜୀ ଭାଷାକୁ ଅନୁଦିତ ହେବା ଆବଶ୍ୟକ । ଡଃ ମହାପାତ୍ରଙ୍କର ଆଉ ଏକ ଚମକପ୍ରଦ ଉପନ୍ୟାସ ହେଉଛି "ପୃଥିବୀ ବାହାରେ ମଣିଷ" । ତାହା ମଧ୍ୟ ସମପରିମାଣରେ ବହୁବିକ୍ରୀତ ଓ ବହୁ ଆଦୃତ ।
ଆଜିକୁ ବହୁ ବର୍ଷ ତଳେ ଉପନ୍ୟାସଟିକୁ ପାଠ କରି ମୁଁ ଯେଉଁ ଶିହରଣ ଅନୁଭବ କରିଥିଲି, ଆଜି ମଧ୍ୟ ସେହିପରି ଶିହରିତ ହେଉଛି । ମୁଁ ଓଡ଼ିଶାର ପାଠକମାନଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ସେମାନେ ପଢନ୍ତୁ ଡଃ ମହାପାତ୍ରଙ୍କର ବିଜ୍ଞାନଭିତ୍ତିକ ଉପନ୍ୟାସ ସବୁ । ସେମାନେ ନିଶ୍ଚୟ ଗର୍ବ ଅନୁଭବକରିବେ ଯେ ଓଡ଼ିଆ ଭାଷାରେ ଏହିପରି ଉପନ୍ୟାସସବୁ ଦିନେ ଲେଖାଯାଇଥିଲା ।

ଡଃ ମହାପାତ୍ରଙ୍କର ଦେହାନ୍ତ ହେଲା ୨୦୧୩  ମସିହାରେ । ଅନେକ ବିଜ୍ଞାନଭିତ୍ତିକ ଉପନ୍ୟାସ ଓ ପୁସ୍ତକର ସେ ସ୍ରଷ୍ଟା । ଓଡିଆ ସାହିତ୍ୟ ଭଣ୍ଡାରକୁ ତାଙ୍କ ଅବଦାନର ତୁଳନା ନାହିଁ ।

ମୁଁ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି ଓ ସମ୍ମାନ ଜଣାଉଛି।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment