Welcome to shalandi webzine

ଲେଖକ ଓ ପାଠକ

ସହଦେବ ସାହୁ

ସମସାମୟିକ ସାହିତ୍ୟ ଓ ତଜ୍ଜନିତ ସମସ୍ଯା ସମ୍ପର୍କରେ ଏକ ଅନ୍ତରଙ୍ଗ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ଜଣାଶୁଣା ଗାଳ୍ପିକ ସହଦେବ ସାହୁ ।

ମୋର ଜଣେ ବନ୍ଧୁ ଗପ ଲେଖୁଥିଲେ, କିଛି ବର୍ଷ ହେଲା ଲେଖା ବନ୍ଦ କରିଦେଇଛନ୍ତି I ତାଙ୍କ ସହିତ ମୋର ଦେଖା ହୋଇଗଲା ତାଙ୍କ ଲେଖାଲେଖି ସମ୍ପର୍କରେ ପଚାରିବାରୁ ସେ କହିଲେ, କଣ ଲେଖିବା, କାହିଁପାଇଁ ଲେଖିବା ? ପଢୁଛି କିଏ ?
ଓଡ଼ିଆରେ ଲେଖୁଥିବା କୌଣସି ଲେଖକ ତାଙ୍କ ରୋଜଗାର ପାଇଁ ଲେଖେ ନାହିଁ I ଅଳ୍ପ କେତେଜଣ ଲେଖକଙ୍କୁ ଛାଡିଦେଲେ, ପତ୍ରିକା ସମ୍ପାଦକ ବା ପୁସ୍ତକ ପ୍ରକାଶକ ଲେଖକଙ୍କୁ ପାରିତୋଷିକ ଦିଅନ୍ତି ନାହିଁ I ଯେଉଁ କେତେଜଣ ପାରିତୋଷିକ ପାଆନ୍ତି, ତାହା ବଂଚିବା ପାଇଁ ଯଥେଷ୍ଟ ନୁହେଁ I ଲେଖକ ପାଠକ ପାଇଁ ଲେଖେ, ଯଦି ପାଠକ ନପଢିବେ ଲେଖକର ଲେଖିବାକୁ ଆଗ୍ରହ ଆସିବ ନାହିଁ I ଏହା ସ୍ୱାଭାବିକ କଥା I
ଏହି କଥା ସତ ଯେ ପାଠକଙ୍କ ସଂଖ୍ୟା କମି କମି ଯାଉଛି I ଜଣେ ପତ୍ରିକା ସମ୍ପାଦକ କହୁଥିଲେ, ଗତ ଦୁଇ ବର୍ଷ ଭିତରେ ଓଡ଼ିଶାର ବିଭିନ୍ନ ସହରରେ ମାଗାଜିନ ଷ୍ଟଲ ବନ୍ଦ ହୋଇଯାଇଛି I ନିକଟରେ ଗୋଟିଏ ସମ୍ଭ୍ରାନ୍ତ ବିଶ୍ୱବିଦ୍ୟାଳୟର ଓଡ଼ିଆବିଭାଗର ବାର୍ଷିକ ଉତ୍ସବରେ ଗଳ୍ପ ଉପରେ ଆଲୋଚନା ହେଉଥିଲା I ଜଣେ ଅତିଥି ସଭାରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ମଂଚାସୀନ ଗାଳ୍ପିକଙ୍କର କୋଉ ବହି ପଢିଛ ବୋଲି  ପ୍ରଶ୍ନ ପଚାରିଲେ I ମଂଚାସୀନ ଅତିଥିମାନେ ପ୍ରତିଷ୍ଠିତ ଗାଳ୍ପିକ ଓ ଗାଳ୍ପିକା ଥିଲେ I ଓଡ଼ିଆବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମଂଚାସୀନ କୌଣସି ଗାଳ୍ପିକ ଓ ଗାଳ୍ପିକାଙ୍କର ଖଣ୍ଡିଏ ବହି କିମ୍ବା ଗପ ପଢିଥିବା କହିପାରିନଥିଲେ I ଓଡ଼ିଆ ସାହିତ୍ୟ ପଢ଼ୁଥିବା ଛାତ୍ରଛାତ୍ରୀ ଯେତେବେଳେ ପଢ଼ୁନାହାନ୍ତି, ସାଧାରଣ ପାଠକ କଣ ପଢୁଥିବେ ?
ତିରିଶ - ଏକତିରିଶ ବର୍ଷ ତଳେ ଜଣେ ଅଫିସରଙ୍କ ଭୋଜିରେ ମହାପାତ୍ର ବାବୁଙ୍କ ସହିତ ଦେଖାହୋଇଥିଲା I ସେ ଜଣେ ଇଞ୍ଜିନିଅର, କିନ୍ତୁ ସାହିତ୍ୟରେ ତାଙ୍କର ରୁଚି ଥିଲା I ସେ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରଚୁର ପଢୁଥିଲେ I ମତେ କହିଲେ, ଆପଣଙ୍କର ଗୋଟିଏ ଗପ ମୁଁ ପଢ଼ିଥିଲି I ସେତେବେଳକୁ ମୋର ଅଳ୍ପ କେତୋଟି ଗଳ୍ପ ପ୍ରକାଶିତ ହୋଇଥିଲା I ମତେ ଖୁସି ଲାଗିଲା I ପଚାରିଲି, ଗପଟି କେମିତି ଲାଗିଲା?

 
 
ସେ କହିଲେ, ଚଳିବ I ଲେଖାଲେଖି ଚାଲୁ ରହୁ, ଭଲ ହେବ I ମୁଁ ଭାବୁଥିଲି ସେ ମୋ ଗପ ଉପରେ ପ୍ରଶଂସା ଅଜାଡି ଦେବେ, କିନ୍ତୁ ତାଙ୍କର ମପାଚୁପା ମନ୍ତବ୍ୟ, କୁଣ୍ଠିତ ପ୍ରଶଂସା, ମତେ ନିରୁତ୍ସାହିତ କରୁଥିଲା I ସେ ମୋର ମନୋଭାବ ବୁଝିପାରିଲେ ଏବଂ କହିଲେ, ପାଠକ ପାଖରେ ଅପସନ୍ସ ବହୁତ I ସେ ମାସକୁ ଧରନ୍ତୁ ଶହେ କିମ୍ବା ଦେଢ଼ଶହ ଟଙ୍କାରେ ପତ୍ରିକା କିମ୍ବା ବହି କିଣିବ ( ସେତେବେଳେ ଶହେ ଟଙ୍କାର ମୂଲ୍ୟ ବହୁତ ଥିଲା ) I ସେ ଟଲଷ୍ଟୟ, ଦସ୍ତୋଭସ୍କି, ସମରସେଟ ମମ କିମ୍ବା ମନୋଜ ଦାସ, ଶାନ୍ତନୁ ଆଚାର୍ଯ୍ୟଙ୍କ ବହି କିଣିପାରେ I ଆପଣଙ୍କର ବହି କାହିଁକି କିଣିବ, ଯଦି, ଆପଣଙ୍କ ଲେଖାରେ କିଛିଟା ଭିନ୍ନତା, ନୂତନତ୍ୱ ନ ଥାଏ ?
ଗପ କବିତା ଉପନ୍ୟାସ ଲେଖା ଚାଲିଛି I ଲେଖକ ଲେଖିବ, ନଲେଖି ଜଣେ ଲେଖକ ରହିପାରିବ ନାହିଁ I ସ୍ତମ୍ଭକାର ସରଳ ଦାସ ହିସାବ କରି ଦେଖିଛନ୍ତି ୧୬୦୦ ରୁ ଉର୍ଧ୍ଵ ଗାଳ୍ପିକ ୨୦୨୧ ରେ ୬୦୦୦  ରୁ ଅଧିକ ଗପ ଲେଖିଛନ୍ତି ( ଏହି ତଥ୍ୟ saraljatil.com ସାଇଟ ରେ ଉପଲବ୍ଧ ) I ବର୍ଷକୁ ୬୦୦୦ ରୁ ଅଧିକ ଓଡ଼ିଆ ବହି ଛପାଯାଉଛି  I ତେବେ ଏତେ ସବୁ ଲେଖା ପଢୁଛି କିଏ, ଯାଉଛି କୁଆଡେ ?
ତିରିଶ ବର୍ଷ ପରେ ମହାପାତ୍ର ବାବୁଙ୍କ ସହିତ ମୋର ଅକସ୍ମାତ ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡରେ  ଦେଖା ହୋଇଗଲା I ସେ ପତ୍ରିକା ଓ ବହି କିଣୁଥିଲେ I କଥାବାର୍ତ୍ତା ଭିତରେ ଆମେ ପରସ୍ପରକୁ ଚିହ୍ନି ପାରିଲୁ I ସେ ପଚାରିଲେ, ଆପଣଙ୍କ ଲେଖା ବର୍ଷେ ପାଖାପାଖି ମୁଁ ଦେଖିନି ! ଏହି ବର୍ଷକ ଭିତରେ ମୁଁ ଅଳ୍ପ କେତୋଟି ଗପ ଲେଖିଥିଲି ଏବଂ ଯୋଉ ପତ୍ରିକାରେ ସେସବୁ ପ୍ରକାଶିତ ହୋଇଥିଲା ସେହି ପତ୍ରିକା ସମ୍ଭବତଃ ତାଙ୍କ ହାତରେ ପଡି ନଥିବ I ମୁଁ କହିଲି ଆଜିକାଲି ପଢୁଛି କିଏ , କାହା ପାଇଁ ଲେଖିବ ? ଆଗ୍ରହ ଆସୁନାହିଁ I
ମହାପାତ୍ର ବାବୁ କହିଲେ, ଆପଣ କାହିଁକି ଏମିତି ଭାବୁଛନ୍ତି ? ମତେ ପଚସ୍ତରି ବର୍ଷ ହେଲାଣି, ମୁଁ ପଢେ I ପ୍ରତିମାସରେ କିଛି ପତ୍ରିକା ଓ ବହି କିଣେ I ମତେ ଯେଉଁ ଲେଖକଙ୍କର ଗପ ଭଲ ଲାଗେ, ସେମାନଙ୍କ ଗପ ପତ୍ରିକାରେ ବାହାରିଥିଲେ, ମୋ ଆଖିରେ ପଡିଲେ, ସେ ପତ୍ରିକା ମୁଁ କିଣିନିଏ I ଆପଣ କାହିଁକି ଭାବୁନାହାନ୍ତି, ମୋ ଭଳି କେହି ଜଣେ ଆପଣଙ୍କର ପାଠକ ଅଛନ୍ତି, ସେ ଆପଣଙ୍କ ଲେଖା ପଢିବାକୁ ଭଲ ପାଏ I ଆପଣ ସେହି ଗୋଟିଏ ପାଠକ ପାଇଁ ଲେଖନ୍ତୁ I

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment