Welcome to shalandi webzine

ରବି ଭାଇ : ଜଣେ ପ୍ରିୟ ମଣିଷ

ପରେଶ ପଟ୍ଟନାୟକ

ପ୍ରଖ୍ୟାତ ନାଟ୍ୟକାର ଗାଳ୍ପିକ ରବୀନ୍ଦ୍ର ନାଥ ଦାସଙ୍କର ପରଲୋକ ହୋଇଯାଇଛି ଗତ ୨୦.୦୪.୨୦୨୨ ରେ । ୧୯୪୨ ରେ ଜନ୍ମିତ ଶ୍ରୀ ଦାସ ନାଟକ “ବିଷର୍ଣ ପୃଥିବୀ” ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ତାଙ୍କ ସମ୍ପର୍କରେ ସ୍ମୃତି ଚାରଣ କରିଛନ୍ତି ଗାଳ୍ପିକ ପରେଶ କୁମାର ପଟ୍ଟନାୟକ

ରବିଭାଇ - ଓରଫ ରବୀନ୍ଦ୍ରନାଥି ଦାସଙ୍କ ସହିତ ପରିଚୟ ବିଗତ ଶତାବ୍ଦୀର ନବମ ଦଶକର ପ୍ରାରମ୍ଭରେ । ସେଇ ସମୟରେ ସଦ୍ୟ ବିଶ୍ଵବିଦ୍ୟାଳୟରୁ ବାହାରି ଆମେ କର୍ମସଂସ୍ଥାନ ଖୋଜୁଛୁ । ସାହିତ୍ୟରାଜ୍ୟରେ ନୂଆ ନୂଆ ପାଦ ଦେଇଛୁ । ସ୍ଵପ୍ନ ଦେଖୁଛୁ ।
ଠିକ୍‌ ସେତିକିବେଳେ ଜଣେ  ସ୍ନେହୀ ବଡ଼ଭାଇ ତୁଲ୍ୟ ରବିଭାଇ ଆବିର୍ଭୂତ ହୋଇଗଲେ ଜୀବନରେ । କଳ୍ପନା ଫ୍ଲାଟର ଡି-୬ ଘରଟି ଆମର ଚରାଭୂଇଁ ପାଲଟିଗଲା । ଆମେ ଡଲିଅପାଙ୍କ ସାନ ଭାଇ ହୋଇଗଲୁ । ପିକୁନ୍‌ର ମାମୁଁ । ରବିଭାଇଙ୍କ ଛୋଟ ସଂସାର ଭିତରେ ଆମ ପାଇଁ ଜାଗା ତିଆରି ହୋଇଗଲା ।
ରବି ଭାଇ ସେତେବେଳେ ପ୍ରତିଷ୍ଠିତ ନାଟ୍ୟକାର । ବିଭିନ୍ନ ପତ୍ରପତ୍ରିକାରେ ଗଳ୍ପ ଲେଖୁ ସେ ଚମତ୍କୃତ କରୁଥାଆନ୍ତି ପାଠକମାନଙ୍କୁ | ଆମେ ତାଙ୍କ ପାଖରେ ବସି, ତାଙ୍କରି ଉତ୍ସାହରେ ସାହିତ୍ୟରେ ନିଜର “ଅଆ କଖ” ଲେଖିବା ଆରମ୍ଭ କଲୁ । ମୁଁ ପିଲାଦିନେ କଟକଆକାଶବାଣୀର ଶିଶୁ ସଂସାର କାର୍ଯ୍ୟକ୍ରମରୁ ଗୋଟିଏ ଗୀତ ଶୁଣିଥାଏ । ଗୀତଟି ମୋର ଅତ୍ୟନ୍ତ ପ୍ରିୟ ଗୀତ । “ଜହ୍ନମାମୁଁ କି କହିବ ଥରେ ସରଗପୁର କଥା”  | ଥରେ ମୁଁ ସେ ଗୀତଟି ବିଷୟରେ କହିବାବେଳେ ରବି ଭାଇ କହିଲେ ଯେ, ଗୀତଟିକୁ ସେ ଲେଖିଥିଲେ | ମୁଁ ବିସ୍ମୟ ବିମୂଢ଼ ହୋଇଗଲି । ମୋର ଯାହା ଯେତିକି ମନେ ପଡ଼ୁଛି ସେ ଓଡ଼ିଆ ସିନେମାରେ ଗୀତ ବି ଲେଖିଥିଲେ । ଭଜୁଥା

 
 
ମାଳାବସି, ଯାଉଥା ଗଙ୍ଗା କାଶୀ । ତାଙ୍କର ବହୁବିଧ ସାହିତ୍ୟ ରଚନା ମଧ୍ଯରେ ତାକୁ ନାଟକରେ ଅଧିକ ସଫଳତା ମିଳିଥିଲା ଓ ନାଟ୍ୟକାର ରବୀନ୍ଦ୍ରନାଥ ଦାସ ଭାବରେ ସେ ସବୁଠି ପରିଚିତ ଥିଲେ ।
ଯେତେବେଳେ ରବିଭାଇ ଭୂଦାନ ଅଫିସ୍‌କୁ ବଦଳି ହୋଇ ଆସିଗଲେ, ଆମର ଦିନରେ ବି ସାହିତ୍ୟ ଖଟି ଆରମ୍ଭ ହୋଇଗଲା ସେଇ ଅଫିସ୍‌ରେ । ଭୁବନେଶ୍ବର ପୁରୁଣା ଷ୍ଟେସନବଜାର ପାଖରେ କଦଳୀଗୋଦାମ ପାଖରେ ଥାଏ ସେହି ଅଫିସ୍‌ଟି । ସେହି ଅଫିସ୍‌ରେ କବି ପ୍ରସନ୍ନ ପାଟ୍ଟଶାଣୀ, କବି ସୁରେଶ ପରିଡ଼ା, କବି ପ୍ରଦୀପ ବିଶ୍ଵାଳ ଓ ମୁଁ ଏକାଠି ହୋଇ ଯାଉଥିଲୁ । ଖିଆପିଆ ହୋଇଯାଏ ରବିଭାଇଙ୍କ ଘରେ । ଉତ୍ତୀର୍ଣ  ରାତିଯାଏଁ ଆମର ସାହିତ୍ୟ ଆଲୋଚନା ଚାଲେ । ରବିଭାଇଙ୍କ ପରିବାର ଭିତରକୁ ପୁପୁନ ଆସେ, ନବଜାତ ସଦସ୍ୟ ଭାବରେ । ଗରିମୁଲ୍ଲା ନାମରେ ରବିଭାଇଙ୍କର ଜଣେ ଓ. ଏ.ଏସ୍‌. ବନ୍ଧୁ ସେଠି ବସି ଆମ ସମସ୍ତଙ୍କ ହାତ ଦେଖନ୍ତି ଓ ଭବିଷ୍ୟତବାଣୀ କରନ୍ତି ।
ରବିଭାଇଙ୍କ ଘରକୁ ସେତେବେଳେ ବହୁ ପ୍ରତିଷ୍ଠିତ ସାହିତ୍ୟିକ, ଯୁବ ସାହିତ୍ୟିକ, ପତ୍ରିକା ସମ୍ପାଦକ, ନବାଗତ ଲେଖକ ଆସନ୍ତି । ଡଲିଅପା ସମସ୍ତଙ୍କୁ ଖୋଇପେଇ ଅତିଥିଚର୍ଚ୍ଚା କରନ୍ତି । ଆମର ସମ୍ପର୍କର ପରିସର ବଢିବାରେ ଲାଗିଥାଏ ।
ମଝିରେ ମଝିରେ ରବି ଭାଇଙ୍କର ନାଟକ ହୁଏ । ନାଟକ ପାଇଁ ଡଲି ଅପାଙ୍କ ପରିଶ୍ରମ ଓ ସହଯୋଗ ଅବର୍ଣ୍ଣନୀୟ । ସବୁ କଳାକାରଙ୍କ ଯିବା ଆସିବା, ଖାଇବା ପିଇବା ସବୁ କିଛି ବୁଝନ୍ତି ଡଲି ଅପା । ନାଟକର ଲେଖକ ସିନା ରବି ଭାଇ, ବ୍ୟବସ୍ଥାପକ କିନ୍ତୁ ଡଲି ଅପା । ଏଇ ସମୟ ଭିତରେ ରବିଭାଇଙ୍କ “ବିଷର୍ଣ ପୃଥିବୀ” ନାଟକଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଏ । ଆମମାନଙ୍କର ଖୁସିର ସୀମା ରହେ ନାହିଁ ।
ଏକଥା ବି ମନେ ଅଛି ଯେ ଡଲିଅପାଙ୍କ ସାଙ୍ଗରେ ମୁଁ ଅକ୍ଷୟ ମହାନ୍ତି ସଙ୍ଗୀତ କାର୍ଯ୍ୟକ୍ରମକୁ ଯାଇଛି । ରବିଭାଇ ଆମ ଗାଁକୁ ଯାଇଛନ୍ତି। ଆମ ଘରର ସମସ୍ତଙ୍କ ସହିତ ପରିଚିତ ହୋଇଛନ୍ତି । ଆମ ସମସ୍ତଙ୍କୁ ସ୍ନେହର ଡୋରରେ ବାନ୍ଧି ରଖିଛନ୍ତି । ସେତେବେଳେ ଆମର ଭୁବନେଶ୍ବରରେ ସାହିତ୍ୟ ମହଲରେ ପରିଚୟ ଥଲା ରବିଭାଇଙ୍କ ଭାଇ ହିସାବରେ । ସେ ପରିଚୟ ଏବେ ବି ସେମିତି ରହିଯାଇଛି କ୍ରମେ ଆମର ଖଟି ଭାଙ୍ଗିଯାଏ । ଚାକିରୀ ଦାୟରେ ଆମର କାର୍ଯ୍ୟବ୍ୟସ୍ତତା ବଢ଼ିଯାଏ । ନିୟମିତ ଦେଖା ହୋଇପାରେନା । କିନ୍ତୁ ସମୟ ପାଇଲେ ମୁଁ ଛୁଟିଯାଏ ରବିଭାଇଙ୍କୁ ଦେଖା କରିବାକୁ । ମଝିରେ ସେ କିଛି ଦିନ ଖଦୀ ଗ୍ରାମୋଦ୍ୟୋଗ ବୋର୍ଡ଼କୁ ଆସିଥିଲେ । ମୁଁ ସେଇଠି ତାଙ୍କ ପାଖରେ ଯାଇ ବସେ । ଗପସପ ହୁଏ | ସମୟ ବିତେ ।
ୟା ଭିତରେ କାହିଁ କେତେ ବର୍ଷ ବିତିଯାଇଛି । ରବିଭାଇ ରିଟାୟାର କରି କଳ୍ପନାଫ୍ଲାଟର ଘର ଛାଡ଼ି ନିଜ ଘରକୁ ଗଲେ । ଅବସର ପରେ ଓଡ଼ିଆ ସାହିତ୍ୟ ଏକାଡେମୀର ସଚିବ ଭାବରେ ସେ ନିଯୁକ୍ତି ପାଇବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଥିଲା । ତାଙ୍କର ପିଲାମାନେ ପ୍ରତିଷ୍ଠିତ ହୋଇଛନ୍ତି । ସେମାନଙ୍କର ବାହାଘର ହୋଇଛି । ଆମେ ବାହାଘରରେ ସାମିଲ ହୋଇଛୁ । ଖୁସି ହୋଇଛୁ । କିନ୍ତୁ ଅଶିଦଶକର ଅତୀତ ଅତୀତ ହୋଇ ରହିଯାଇଛି । ବହୁମୁଲ୍ୟ ସ୍ମୃତି ହୋଇ ରହିଯାଇଛି ।
ରବିଭାଇ - ଦୁର୍ବଳ ଚେହେରାର କ୍ଷୀଣକାୟ ବ୍ୟକ୍ତି ଜଣେ । କିନ୍ତୁ ସେଇ କ୍ଷୀଣ ବ୍ୟକ୍ତି ଭିତରେ ଥାଏ ସାରା ସଂସାରକୁ ସ୍ନେହ ଆଦରରେ ବାନ୍ଧି ପାରିବାର ସାମର୍ଥ୍ୟ । ରବିଭାଇ ଭାରି ତୁରୁତୁରିଆ । ଏତେ ତରତର ହୋଇ ତାଙ୍କ କଥା ସାରିଦେବେ ଯେ ଅନେକ କଥା ଅବୁଝା ରହିଯାଏ । କିନ୍ତୁ ଯାହା ବୁଝାପଡ଼େ ତାହା ହେଲା ତାଙ୍କର ସ୍ନେହ ଓ ଭଲ ପାଇବା । ପ୍ରତିଟି କଥା ସ୍ନେହସିକ୍ତ । ମୋଟା ନିଶ ଆଉ ମୋଟା ଚଷମା । ବାହାରକୁ ଜଣାପଡ଼େ ରାଗୀ ଆଉ ଚିଡ଼ଚିଡ଼ା ହୋଇଥିବେ । କିନ୍ତୁ ଅସଲରେ ଏଇ ଚେହେରାର ଅନ୍ତରାଳରେ ଥାଏ ଗୋଟେ ଛଳଛଳ ଲୋକର ସମ୍ବେଦନପଣ । ନିକଟକୁ ଗଲେ ହିଁ କେବଳ ବୁଝିହୁଏ ତାଙ୍କର ବ୍ୟକ୍ତିତ୍ବକୁ । ମୁଁ ଜାଣେନା, କାହିଁକି ସେ ଆମକୁ ଏତେ ଭଲ ପାଆନ୍ତି । ଯୋଉଠି ଯାହାକୁ ଭେଟିଲେ, ସେ ଆମ କଥା କୁହନ୍ତି, ପରେଶ ଆଉ ପ୍ରଦୀପ । ତାଙ୍କ ଭଲ ପାଇବାର ସ୍ପର୍ଶରେ ଆମର ଜୀବନ ଧନ୍ୟ ହୋଇଯାଇଛି ।
ଏଇ ମାତ୍ର କେଇଟି ଦିନ ତଳେ ତାଙ୍କଠୁ ଆସିଥିଲା ଫୋନ୍‌ । ଖୁବ୍‌ ସ୍ନେହର ସହିତ ସେ ମୋ ସାଙ୍ଗରେ କଥା ହୋଇଥିଲେ । ବହୁତ ଭଲ ଲାଗିଥିଲା ସେଦିନର କଥାଭାଷା । କହିଥିଲି ଯିବି, ନିଶ୍ଚୟ ଯିବି । ଦେଖାକରି ଆସିବି । ଯିବି ଯିବି ବୋଲି ବିଚାର କରୁକରୁ ନିୟତିର ବିଚାର ବଦଳିଯାଏ । ହଠାତ୍‌ ଖବର ମିଳେ ଯେ ରବି ଭାଇ ଅସୁସ୍ଥ । ଡାକ୍ତରଖାନାରେ ଭରି ହୋଇଛନ୍ତି । ବନ୍ଧୁ ପ୍ରଦୀପ ବିଶ୍ଵାଳ ଓ ମୁଁ ଡାକ୍ତରଖାନାକୁ ଯାଉ । ମାତ୍ର ସେତେବେଳକୁ ସେ କୋମାରେ । କଥା ଭାଷାର ପ୍ରଶ୍ନ ହିଁ  ନାହିଁ । ଆମେ ଆଶା କରି ବସୁ ଯେ, ସେ ଫେରି ଆସିବେ । କିଛି ଗୋଟାଏ ମିରାକ୍ଳ ହେବ । ସେ ପୁଣି କୋମାରୁ ସ୍ଵାଭାବିକ ଅବସ୍ଥାକୁ ଫେରିବେ । ଘରକୁ ଫେରିବେ । କଥାଭାଷା ହେବ । କିନ୍ତୁ ସେପରି ହୁଏ ନାହିଁ । ଫେରେ ତାଙ୍କର ପ୍ରାଣହୀନ ପାର୍ଥିବ ଶରୀର ।
ଜୀବନରେ ଅନେକ ଲୋକଙ୍କୁ ଭେଟିଛି । ମାତ୍ର ରବିଭାଇଙ୍କ ଭଳି ଲୋକଟିଏ ଭେଟି ନାହିଁ । ଏତେ ସ୍ନେହ ଓ ଆଦର ତାଙ୍କର ମୋ ପ୍ରତି ଯେ, ତାହା ଭୁଲିବାର ନୁହେଁ | କେବଳ ମୁଁ ନୁହେଁ, ବହୁ ନବଜାତ ଲେଖକ ଲେଖିକାଙ୍କ ପ୍ରତି ତାଙ୍କର ସ୍ନେହ ଓ ପ୍ରୋତ୍ସାହନରପଟାନ୍ତର ନାହିଁ । ସେ ଥିଲେ ଜଣେ ଭଦ୍ରଲୋକ । ଭଦ୍ର ଲେଖକ । ସେ ଓ ତାଙ୍କ ପରିବାର ଗୋଟିଏ ସ୍ନେହୀ ପରିବାର । ପରକୁ ଆପଣାର କରିପାରୁଥିବା ପରିବାର । ରବି ଭାଇଙ୍କ ପରି ଜଣେ ସ୍ନେହୀ, ଉପକାରୀ, ଅମାୟିକ ଭଦ୍ରଲୋକଙ୍କ ସହିତ ବନ୍ଧୁତା ଥିଲା ବୋଲି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଆମର ସ୍ମୃତିରେ ସେ ଚିରକାଳ ଅମର ।

ସବୁଠୁ ପ୍ରିୟ, ସବୁରି ପ୍ରିୟ, ରବିଭାଇ ଚିର ଉଜ୍ଵଳ ଆମରି ସ୍ମୃତିରେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 1

Image
Sahadev Sahoo
03-05-2022 / 05:20:26

Love of a senior writer towards the newcomers is rare now a days. An affectionate person and a great human being, besides being an accomplished writer.Your write up moved me.

Leave a comment

Name

Email or Phone No (the information will be not disclosed)

Comment