Welcome to shalandi webzine

ଗପ ସେହି ପାହାଡ ଘେରା ଜଙ୍ଗଲ ଭିତରେ ଅଛି

ଦେବବ୍ରତ ମଦନରାୟ

କଥାକାରଙ୍କ ସହିତ କଥାବାର୍ତ୍ତା

ପ୍ରଶ୍ନ : ଆପଣଙ୍କର ବର୍ତ୍ତମାନ ସମୟର ସାହିତ୍ୟ କର୍ମଟି  କଣ? ଏବେ କଣ କରୁଛନ୍ତି? ଭାବୁଛନ୍ତି ବା  ଯୋଜନା କରୁଛନ୍ତି? 
ଦେବବ୍ରତ ମଦନରାୟ – ନୂତନ ଗଳ୍ପ ସଂକଳନ ପାଇଁ ପ୍ରସ୍ତୁତି  ପର୍ବ । ତେଇଶିତମ ଗଳ୍ପ ସଂକଳନର ପଦଧ୍ୱନି ମୋତେ ବାନ୍ଧି ରଖିଛି ଚାରିକାନ୍ଥ ଭିତରେ । ନଅଟି  ଗଳ୍ପ ଲେଖି ସାରିଛି । ଆଉ ଛଅଟି ଗଳ୍ପ ଲେଖିବି । ଚରିତ୍ର ସବୁ ଆତଯାତ ହେଉଛନ୍ତି ନିଜ ନିଜ ବାଗରେ । ଶୁଣିପାରୁଛି ସେମାନଙ୍କର ଆବେଗମୟ କଥୋପକଥନ । କଥା ଦେଉଛି ପୂଜାରେ ସେମାନଙ୍କ ସହିତ ଆପଣଙ୍କୁ ପରିଚିତ କରାଇବି । ସେମାନଙ୍କୁ ଆପଣ ଚିହ୍ନି ପାରିବେ ।
ପ୍ରଶ୍ନ : ଆପଣ ଏବେ କଣ ପଢୁଛନ୍ତି ବା  ନିକଟ ଅତୀତରେ କଣ ପଢିଛନ୍ତି ? ଆପଣଙ୍କୁ ଭଲ ଲାଗିଥିବା ବହି  ବା  ଲେଖା ସମ୍ପର୍କରେ କୁହନ୍ତୁ।   
ଦେବବ୍ରତ ମଦନରାୟ – କୌଣସି ବହିକୁ ଏକାଥରେ ପଢି ସାରିଥିବା କଥା  ମୋର ମନେ ନାହିଁ । ନିଜର ସାରସ୍ଵତ ସର୍ଜନ କର୍ମ ସହିତ ‘ନବଲିପି’ର ସମ୍ପାଦନା  ବିଶେଷ କାରଣ । ମୋ ଟେବୁଲ ଉପରେ ଅଛି ଝୁମ୍ପାଲାହିରୀଙ୍କ Interpreter of Maladies , ମାରକ୍ଵେଜଙ୍କ No one writes to the Colonel । ଅବଶ୍ୟ ମାରକ୍ଵେଜଙ୍କ ବହିଟିକୁ ବହୁ ବର୍ଷ ତଳେ ପଢିଥିଲି । ପୁଣି ଥରେ ପଢୁଛି । କଥା ଶୈଳୀ ଚରିତ୍ର ଚିତ୍ରଣ ସହିତ ମନସ୍ତାତ୍ଵିକ ବିଶ୍ଳେଷଣର ବୈଚିତ୍ରଭାବ ବହିସବୁକୁ ମହିମାନ୍ଵିତ କରିଛି । ଏହି ବହି ସବୁକୁ ପଢିଲେ ଜାଣି ହେବ ଜୀବନ ଓ ଜଗତ ପ୍ରତି ଆମେ କେତେ ପ୍ରତିଶ୍ରୁତିବଦ୍ଧ।
ସାହିତ୍ୟ ପାଇଁ ମାଧ୍ୟମ ବଦଳୁଛି । ଏବେ ଇ -ବୁକ, ଇ -ମ୍ୟାଗାଜିନ୍, ୟୁ ଟୁବ , ଅଡ଼ିଓ ବୁକ, ପଡକାଷ୍ଟ,  ଷ୍ଟୋରି ଟେଲିଂ ପ୍ରଭୃତି ମାଧ୍ୟମ ଆସୁଛି । ଏହି ସବୁ ନୂଆ ମାଧ୍ୟମର

 
 
ଭବିଷ୍ୟତ ବା ଉପଯୋଗୀତା ସମ୍ପର୍କରେ ଆପଣଙ୍କ ମତ କଣ ? ଏଥିପାଇଁ ଆପଣଙ୍କ ପ୍ରସ୍ତୁତି କିପରି ?
ଦେବବ୍ରତ ମଦନରାୟ -ଏହି ସବୁ ମାଧ୍ୟମ ଆସିଛି ବୋଲି ଆମେ ଅତି ସହଜରେ ପାଠକଙ୍କ ସହିତ ସମ୍ପର୍କ ସ୍ଥାପନ କରି ପାରୁଛୁ । ବହିଟି ପ୍ରକାଶିତ ହେବାର ପର ମୁହୂର୍ତରେ ସୁଖବର ହୋଇ ପ୍ରସାରିତ ଓ ପ୍ରଚାରିତ ହୋଇ ପାରୁଛି । ସାମାଜିକ ଗଣମାଧ୍ୟମକୁ ସମ୍ମାନ ଦେଇ ଏହାର ଉପଯୋଗ କରିବା ଉଚିତ । ଆଉ ସେହି ସମୟ ନାହିଁ । ସତ ଓ ଅସତ ସାହିତ୍ୟର ବିଚାରବୋଧ ନାହିଁ । କେଉଁ ସୃଷ୍ଟି ବଞ୍ଚି ରହିବ ତାହା ଚିନ୍ତା କରିବା ମଧ୍ୟ ଆବଶ୍ୟକ ନାହିଁ । ଅନେକ କିଛି ବଦଳି ଯାଇଛି । ଜାଣେ, ପଦ୍ମଫୁଲଟି ଯେଉଁଠି ଫୁଟିଲେ ବି ତାହା ଶାଶ୍ଵତ ସୌନ୍ଦର୍ଯ ହରାଇବ ନାହିଁ ।
ପ୍ରଶ୍ନ : ଆପଣଙ୍କୁ ଆପଣଙ୍କ ବୃତ୍ତି କିପରି ପ୍ରଭାବିତ କରେ । ସାହିତ୍ୟରେ ବୃତ୍ତିର ପ୍ରଭାବ ଆପଣଙ୍କୁ କେବେ ବାଧକ ହୋଇଛି କି? ସେ ସମ୍ପର୍କରେ କୁହନ୍ତୁ।  
ଦେବବ୍ରତ ମଦନରାୟ - ଅବସର ନେବା ଚାରି ବର୍ଷ ହେଲାଣି । ତେବେ ଚାକିରି କରୁଥିବା ସମୟରେ ଲେଖିବା ପାଇଁ ଆଦୌ ଅସହଜ  ଅନୁଭବ କରିନାହିଁ । କାମାକ୍ଷାନଗରରେ ସାଢେ ତିନି ବର୍ଷର ରହଣୀ ଭିତରେ ମୋର ସାରସ୍ଵତ ସର୍ଜନ ଧାରାରେ ପରିବର୍ତନ ହୋଇଛି ଆଦିବାସୀ ଜୀବନ ଶୈଳୀ ଅତି ନିକଟରୁ ଦେଖିବା ପରେ କଥାବସ୍ତୁ ବଦଳି ଯାଇଛି । ସେଠାକୁ ନ ଯାଇଥିଲେ “ଚିତ୍ର ବାଘ” ଲେଖିବା ସମ୍ଭବ ହୋଇ ନ ଥାନ୍ତା । ଗପ ସେହି ପାହାଡ ଘେରା ଜଙ୍ଗଲ ଭିତରେ ଅଛି । ସହରରେ ନୁହେଁ । ଚାକିରି କାଳରେ ଅନେକ ଜାଗା ବୁଲିଥିବା ହେତୁ ବିଭିନ୍ନ ଚରିତ୍ରଙ୍କ ସହିତ ଭେଟ ହୋଇଛି । ତେଣୁ ଅତି ସହଜରେ ଗପ ଲେଖିପାରିଛି । ଏବଂ  ଏବେ ବି ଲେଖିପାରୁଛି ।
ପ୍ରଶ୍ନ : ପାଠକର ପ୍ରତିକ୍ରିୟା ଲେଖକକୁ ଉତ୍ସାହିତ କରେ । ଆପଣ ପାଠକର ପ୍ରତିକ୍ରିୟା ପାଇଲେ । ଯେହେତୁ ପାଠକକୁ ଭଲ ଲାଗିଛି,  ଆପଣ ଆପଣଙ୍କ ପରବର୍ତୀ ଲେଖାକୁ ସେମିତି ବା   ପାଠକକୁ ଆହୁରି ଭଲ ଲାଗିବ ବୋଲି ବୁଲାଇ ବଙ୍କାଇ ଦେବାର ଲୋଭରେ ପଡନ୍ତି କି ? ପାଠକର ପ୍ରତିକ୍ରିୟାର ପ୍ରଭାବ କେମିତି ଆପଣଙ୍କ ଉପରେ ?
ଦେବବ୍ରତ ମଦନରାୟ -ପ୍ରତିକ୍ରିୟା ଆସିଲେ ଖୁସି ଲାଗେ । ଆଗରୁ ଚିଠି ମାଧ୍ୟମରେ ଆସୁଥିଲା । ବର୍ତମାନ ହ୍ଵାଟ୍ସ ଆପରେ । ଚିଠିଗୁଡିକୁ ସାଇତି କରି ରଖିଛି ବର୍ଷ ବର୍ଷ ଧରି । ମାତ୍ର ହ୍ଵାଟ୍ସ ଆପରେ କିମ୍ବା ଫୋନରେ କେହି ପ୍ରତିକ୍ରିୟା ଜଣାଇଲେ, ତାହା ଗୁରୁତ୍ବହୀନ ହୋଇ ପଡେ । ଗପଟିକୁ ଲେଖି ସାରିବା ପରେ ଆଉ ବୋଧେ ଗୋଟିଏ ସେହି ଭଳି ଗପର ସର୍ଜନା ଆବଶ୍ୟକ ମନେ ହୋଇ ନହିଁ । ପ୍ରତି ଗପରେ ବଦଳୁଛି ସମୟ । ଶୈଳୀ । ମନର ଅନ୍ତର୍ଦ୍ୱନ୍ଦ । ଚରିତ୍ରର  ମୁହଁର ରଙ୍ଗ ।
ପ୍ରଶ୍ନ : ଆପଣଙ୍କ ଲେଖାଲେଖିର ପ୍ରଣାଳୀ ବିଷୟରେ କୁହନ୍ତୁ ? କେମିତି ଲେଖନ୍ତି? କେତେବେଳେ ଲେଖନ୍ତି? ଲେଖିବାର ପ୍ରାକ ପ୍ରସ୍ତୁତି  ସବୁ କଣ ?
ଦେବବ୍ରତ ମଦନରାୟ-ଗପ ସାରିବାକୁ ପାଞ୍ଚ ଛଅ ଦିନ ଲାଗେ । ମାତ୍ର ତାହା ପୂର୍ବରୁ ପନ୍ଦର ଦିନ ଧରି ପ୍ରସ୍ତୁତି । ମନ ଆକାଶରେ ଗପ ମେଘ ହୋଇ ଘୋଟି ଆସିବା ମୁହୂର୍ତକୁ ଅପେକ୍ଷା କରିବାକୁ ପଡେ । ସାଢେ ତିନିଟା ରାତିରୁ ସକାଳ ଦଶଟା ପର୍ଯଂତ ଲେଖା ଲେଖି କରିବା ସମୟ । କେବେ କେବେ ଉଠି ପାରେନି । ଦିନର ଅବଶିଷ୍ଟ ସମୟ ନବଲିପି ସମ୍ପାଦନା  କରିବା କାର୍ଯରେ । ନ ହେଲେ ଅନ୍ୟାନ୍ୟ ସମ୍ପାଦନା । ସମୟ ମିଳିଲେ କାଠଯୋଡି ନଦୀ କୂଳରେ ବୁଲେ । ଯେଉଁଠି ଅଛି ପବନ, ଗଛ, ନଈ ଧାର, ମେଘ, ଆକାଶ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 3

Image
arjita
12-04-2022 / 14:57:51

good

Image
arjita
12-04-2022 / 14:57:07

nice

Image
Bipin bihari Mohanty
06-04-2022 / 17:46:46

Debabrata Madan Ray is one of the best writer of odisha.His interview shows his culture and dedication for writing.

Leave a comment

Name

Email or Phone No (the information will be not disclosed)

Comment