Welcome to shalandi webzine

ଆପଣା ପାଇଁ

ପୁଣ୍ୟପ୍ରଭା ଦେବୀ

ରିଟାୟାର୍ କରିବାକୁ ଆଉ ମାତ୍ର ଦୁଇମାସ ବାକି ଥିଲା ସୁନନ୍ଦଙ୍କର । ଝିଅ କାନାଡାରେ ଆଉ ପୁଅ ଦିଲ୍ଲୀରେ ରହିଥିଲାବେଳେ ସମୟଟାକୁ କେମିତି କଟେଇବେ ଯେତେବେଳେ ଭାବିପାରୁ ନ ଥିଲେ ସୁନନ୍ଦ

ରିଟାୟାର୍ କରିବାକୁ ଆଉ ମାତ୍ର ଦୁଇମାସ ବାକି ଥିଲା ସୁନନ୍ଦଙ୍କର ।
ଝିଅ କାନାଡାରେ ଆଉ ପୁଅ ଦିଲ୍ଲୀରେ ରହିଥିଲାବେଳେ ସମୟଟାକୁ କେମିତି କଟେଇବେ ଯେତେବେଳେ ଭାବିପାରୁ ନ ଥିଲେ ସୁନନ୍ଦ ସେତିକିବେଳେ ଖବରଟା ଆସି ପହଂଚିଯାଇଥିଲା । ଏକଦମ୍ ଅବିଶ୍ୱସନୀୟ ଆଉ ଅକଳ୍ପନୀୟ । ଶୁଖିଯାଇଥିବା ପୋଖରୀ ଭିତରୁ ପାଂଚକିଲୋର ରୋହିମାଛଟାଏ ଡେଇଁପଡ଼ିଲା ପରି । ଷୋହଳ ବର୍ଷ ହେଲା ତାଙ୍କର ନିରୁଦ୍ଧିଷ୍ଟା ପତ୍ନୀ ନୀହାରିକା ଏବେ କନ୍ୟାକୁମାରୀରେ ଅଛନ୍ତି । ସେ ରହିଛନ୍ତି ଗୋଟିଏ ମାନସିକ ଚିକିତ୍ସାଳୟରେ । ଖବରଟା ଆସିଥିଲା ସହିଦନଗର ପୋଲିସ୍ ଥାନାରୁ । ବହୁତ ଖୋଜାଖୋଜି ପରେ ସୁନନ୍ଦ ମିଶ୍ରଂକୁ ଠାବ କରିଥିଲେ ପୋଲିସ୍ । ପିଞ୍ଜରାରେ ରହିଥିବା ପକ୍ଷୀଟିର ବସାଟିକୁ ଅଗନାଅଗନି ବନସ୍ତ ଭିତରୁ ପାଇଗଲା ପରି । ସମସ୍ତ ପୁରୁଣା ଫାଇଲ ଖୋଜାଖୋଜି କଲା ପରେ ଜାଣିଥିଲେ ଯେ ସୁନନ୍ଦ ମିଶ୍ରଂକର ପତ୍ନୀ ନୀହାରିକା ନିଖୋଜ ହୋଇଯାଇଥିଲେ ଷୋହଳ ବର୍ଷ ତଳେ । ହୁଏତ ଇଏ ସେହି ମହିଳା ଜଣକ ହୋଇପାରନ୍ତି କି କ'ଣ ।
ଖବରଟା ପାଇଲା ବେଳେ ସକାଳ ଏଗାରଟା । ସେତେବେଳେ ଅଫିସରେ ଥିବା କଥା ସୁନନ୍ଦଙ୍ଗର । କିନ୍ତୁ ରିଟାୟାର୍ ପରେ ଝିଅ ପାଖକୁ କାନାଡା ଯିବେ ବୋଲି ଭିସା କରିବା ପାଇଁ ଯିବାକୁ ଥିବାରୁ ଘରେ ରହିଯାଇଥିଲେ ସେଦିନ । ଖବରଟା ପାଇ ସୁନନ୍ଦ ଏତେ ବିହ୍ୱଳ ହୋଇଗଲେ ଯେ ପୋଲିସ୍ ଇନିସ୍ପ୍ପେକ୍ଟରଙ୍କୁ ବସେଇ ଧନ୍ୟବାଦ ଦେବେ କିମ୍ବା ଫ୍ରଜରୁ ଜୁସ୍ ବାହାର କରି ପିଇବାକୁ ଦେବେ ସେକଥା ବି ଭୁଲିଯାଇଥିଲେ । ହାତରେ ଧରିଥିବା ରିପୋର୍ଟ ସହିତ ପତ୍ନୀଙ୍କର ଫଟୋଟିକୁ ସେ ଆଉରି ଥରେ ଦେଖିଲେ । ସେଇ ଫଟୋରେ ଯେଉଁ ବ୍ଲୁ ରଙ୍ଗର ଶାଢ଼ିର ଅଂଚଳ ଉଡେ଼ଇ ଗେଟ୍ ବାଟେ ଚାଲିଯାଇଥିଲେ ନୀହାରିକା ଶେଷଥର ପାଇଁ ତାଙ୍କର ସେହି ଆକର୍ଷଣୀୟ ଫଟୋଟିକୁ ଚୁମି ପକେଇଲେ ସୁନନ୍ଦ । ବାରମ୍ବାର, ପିଲାଟି ହାତରେ ଚକୋଲେଟ୍ ପାଇ ଲୋଭରେ ଚାଟି ପକେଇଲା ପରି । ପୋଲିସ୍ ଦି’ଜଣ ଆଶ୍ଚର୍ଯ୍ୟ । ଭାବିଲେ ଏ ଭଦ୍ରଲୋକ କ'ଣ ପାଗଳ ହୋଇଗଲେ କି ଆଉ!
ନା । ସୁନନ୍ଦ ପାଗଳ ହୋଇ ନ ଥିଲେ । ସେମାନେ ଚାଲିଗଲା ପରେ ଫୋନ୍ କଲେ ଦିଲ୍ଲୀରେ ଥିବା ପୁଅ ରକ୍କି ପାଖକୁ ଆଉ କାନାଡାରେ ଥିବା ଝିଅ ଶିଖାକ୍ଛା ଶିଖା ଯେ ଏତେବେଳେ ନିଘୋଡ଼ ନିଦରେ ଶୋଇରହିଥିବ ସେକଥା ବି ଖିଆଲ ହେଲା ନାହିଁ ସୂନନ୍ଦକ୍ର ।
ନିଘୋଡ଼ ନିଦରେ ଶୋଇପଡ଼ିଥିଲା ବୋଲି ଚମକି ଉଠିଥିଲା ଶିଖା । ବାପାଙ୍କ ସହତ କଥା ହେଲା ପରେ ଖୁସି... ଆନନ୍ଦ... ଉତ୍ତେଜନା... ! ଏତେ ଆନନ୍ଦ ଯେ ସେ ତାଂର ବରକୁ ବି ଉଠେଇ ଦେଇଥିଲା ସେଇ ଅଧରାତିରୋ ତା'ର ପିଲାଦିନେ ବର୍ଷାରେ ଭିଜି ଭିଜି ଯେମିତି ନାଚି ଉଠୁଥିଲା, ଫୋନ୍ କୁ ଧରି ସେମିତି ଲୀଳାୟିତ ଛନ୍ଦରେ କହିଥିଲା, '“ମୁଁ ଆସିଯାଉଚି ବାପା । ଆଜିକାଲି ଭିତରେ ଫ୍ଲାଇଟ୍ ଟିକେଟ୍ ପାଇଗଲା ପରେ ।'
“ଏବେ ତୋର ଆସିବା ଦରକାର ନାହିଁ ମା ।" ଉଜ୍ଜ୍ୱସିତ ହୋଇ ସୁନନ୍ଦ କହିଥିଲେ, ''ଏବେ ଖାଲି ଆମ ଦୁଇଜଣଙ୍କୁ ଏକୁଟିଆ ଛାଡ଼ିଦେ' କିଛିଦିନ ପାଇଁ । ହେଲା ?''
ରକ୍କି କିନ୍ତୁ ମୋଟେହେଲେ ମାନି ନ ଥିଲା । କହିଥିଲା କାଲି ପ୍ରଥମ ଫ୍ଲାଇଟ୍ ରେ ମୁଁ ଆସିଯାଉଛି ବାପା । । ଆମେ ଦି'ଜଣ ମିଶି କନ୍ୟାକୁମାରୀ ଯାଇ ମାଆକୁ ନେଇ ଆସିବା । ସେଦିନ ଆଉ ସୁନନ୍ଦଙ୍କ୍ ଭୋକଶୋଷ ନ ଥିଲା
 
 
। ତାଙ୍ଗର ମନ ପ୍ରାଣ ହୃଦୟ ସବୁ ପୂରିଯାଇଥିଲା ଶ୍ରାବଣର ନଭ ପରି । ନୀହାରିକା ଆସିବେ ଏଇ ଘରଟା ପୂଣି ଉତ୍ସବମୁଖର ହୋଇ ଉଠିବ ଆଗଦିନ ପରି । ମେଘମାଳାକୁ ଦେଖି ମୟୂରଟିଏ ବିହ୍ୱଳ ହେବା ପରି ସେଇ ସ୍ୱପ୍ନରେ ସୁନନ୍ଦ ନିମଜିତ ହୋଇଯାଇଥିଲେ ।
ନୀହାରିକା ତ କେବଳ ପତ୍ନୀ ନ ଥିଲେ ତାଙ୍କର, ସେ ଥିଲେ ଏକାଧାରରେ ପ୍ରେମିକା, ଜାୟା ଆଉ ତାଙ୍କ ପିଲାଙ୍କର ଜନନୀ । ସବୁ ରୂପରେ ସବୁ ଭାବରେ କିଣି ନେଇଥିଲେ ସୁନନ୍ଦଙ୍କ । ବିଜେବି. କଲେଜରେ ପଢ଼ିଲା ସମୟରୁ ପ୍ରେମା ସୁନନ୍ଦ ବି.ଏ. ପରେ ଓ.ଏ,ଏସ୍. ପାଇଯାଇଥିଲେ ଆଉ ନୀହାରିକା ବାଣୀବିହାରରେ ଇଂଲିଶରେ ଏମ୍.ଏ. କଲା ପରେ ବିବାହ । ତା'ପରେ ରକ୍କି୍ ଆଉ ଶିଖାକଂର ଜନ୍ମ । ଏ ଘରଟିକୁ ନିର୍ମାଣ ସମୟରେ କେତେ ସଂଘର୍ଷ କରିବାକୁ ହୋଇ ନ ଥିଲା ନୀହାରିକାଙ୍କୁ ସୁନନ୍ଦ ତ ବଦଳି ହୋଇ କେବେ ସମ୍ବଲପୁରରେ ରହୁଥିଲେ ତ ଆଉ କେବେ କୋରାପୁଟରେ । ତା'ରି ଭିତରେ ବି ପିଏଚଡି କରିନେଇଥିଲେ ନୀହାରିକା । ତା'ପରେ ଚାକିରିଟା ବି ପାଇଯାଇଥିଲେ ଅନାୟାସରେ, ତାଙ୍କର ଉଜ୍ଜଳ ପ୍ରତିଭା ପାଇଁ । ସେତେବେଳେ କିନ୍ତୁ ଏଇଠି ରହିଥିଲେ ସୁନନ୍ଦ । ସେଇ ଦୁର୍ଘଟଣା ଘଟିବା ସମୟରେ ।
ରକ୍କି ସେତେବେଳେ ମାଟ୍ରିକ୍ ପରୀକ୍ଷା ଦେଇ ସାରିଥିଲା ଆଉ ଶିଖା ପଢୁଥିଲା ସେଭେଂଥ୍ କ୍ଲାସରେ । ଡି.ଏ.ଭି. ସ୍କୁଲରେ ସେଦିନ ବି ନୀହାରିକା ପିଲାମାନଙ୍କୁ ଖାଇବାକୁ ବାଢ଼ି ଦେଇଥିଲେ ସକାଳର ଜଳଖିଆ । ଶିଖାର ଲଂଚ୍ ଡବା ବି ତା'ର ବ୍ୟାଗରେ ରଖିଦେଇଥିଲେ । ଶୈଳବାଳାରେ ଚାକିରି କରୁଥିବାରୁ କଟକ ବସ୍ ଧରିବାକୁ ଯିବାବେଳେ ପୁଣି ଗେଟ୍ ପାଖରୁ ଫେରିଆସି ସୁନନ୍ଦଙ୍କୁ କହିଥିଲେ “ଶୁଣ, ତମ ବାପପୁଅ ଦି'ଜଣକ ପାଇଁ ମାଂସ ତରକାରି ରଖିଦେଇଛି । ମନେକରି ଗରମ କରି ଖାଇଦେବ । ସୁଶୀଳାକୁ୍ କହିଦେଇଛି ରାତିରେ ରୁଟି ତରକାରି କରିଦେବାକୁ । ଆଜି ତ ଆମ କଲେଜର ବାର୍ଷିକ ଉତ୍ସବ ବୋଲି ଜାଣିଚ । ମୋର ଫେରୁ ଫେରୁ ବୋଧହୁଏ ରାତି ନଅଟା ହୋଇଯିବ । ତେଣୁ ମୋ ପାଇଁ ଅପେକ୍ଷା ନ କରି ଖାଇଦେଇଥିବ । ହେଲା?” ସେ ତରତର ହୋଇ ଗେଟ୍ ପାଖରେ ଚାଲିଗଲା ବେଳକୁ ତାଙ୍କର ହାଲୁକା ନୀଳ ରଂଗର ଅଂଚଳକୁ ଚାହିଁରହି ଆମୋଦିତ ହୋଇଯାଇଥିଲେ ସୁନନ୍ଦ । ଯେଉଁ ନୀଳ ଅଂଚଳଟା ଏପର୍ଯ୍ୟନ୍ତ ବି ସୁନନ୍ଦକଂର ଆଖି ଆଗରେ ସମୁଦ୍ରର ଜଳ ପରି ତରଙ୍ଗାୟିତ ହୋଇଯାଏ ।
ସବୁଦିନ ଗୋଟାଏ ବେଳକୁ ଅଫିସରୁ ଆସନ୍ତି ସୁନନ୍ଦ । ସେଦିନ ବି ଅଫିସରୁ ଫେରି ଖାଇବାବେଳକୁ ମାଂସ ତରକାରି ଖୋଜି ହୋଇଥିଲେ ବାପ-ପୁଅ ଦିଜଣ ଯାକ । ଖାଇବା ଟେବୁଲ୍, ଗ୍ୟାସ୍ ଷ୍ଟୋଭ୍ ପାଖରେ ଆଉ ଜାଲି ଆଲମାରିରେ ବି । ଖୋଜି ଖୋଜି ନ ପାଇଲାରୁ ରକ୍କି କହିଥିଲା, “ବାପା ଫୋନ୍ କରି ମାଆଙ୍କୁ ପଚାର ।''
ସୁନନ୍ଦଙ୍କର ଫୋନରେ ଏକଥା ଶୁଣି ହସିପକେଇଥିଲେ ନୀହାରିକା । କହିଥିଲେ, “ହେ ଭଗବାନ । ଏତେ ଭୁଲାମନ ତମର? ମୁଁ ପରା କହିଥିଲି ମାଇକ୍ରୋୱ୍ୱେଭ୍ ଭିତରେ ରଖିଦେଇଛି ବୋଲି । ଭୁଲିଗଲ? ଆଉ ଶୁଣ । ଫ୍ରିଜରେ ଖିରି ଅଛି । ଶିଖା ପାଇଁ ଟିକିଏ ରଖିଦେଇ ବାପପୁଅ ଖାଇନେବ । ହେଲା?”
“ତା'ହେଲେ ଟ୍ୟାକ୍ସି କରି ଚାଲି ଆସିବ ।'' ସୁନନ୍ଦ କହିଲେ, “ବାଟରୁ କିଛି ପାଚିଲା କଦଳୀ ବି ନେଇ ଆସିବ ମନେକରି ।''
ନୀହାରିକାଙ୍କର ନଅଟା ବେଳକୁ ଫେରିବା କଥା । ନଅଟା, ସାଢେ଼ ନଅଟା, ଦଶଟା ବାଜିଲା, ଅଥଚ ବାରମ୍ବାର ତାଙ୍କର ମୋବାଇଲରେ ନମ୍ବର ମିଳାଇଲା ବେଳକୁ ସୁଇଚ୍ ଅଫ୍ ।
କ'ଣ ହେଲା! ଛାତିରୁ ଅତଡ଼ା ଖସିପଡ଼ିଲା ସୁନନ୍ଦଙ୍କର । ଆଜିକାଲି ଯେତେସବୁ ଗଣ୍ଡଗୋଳ ହେଉଛି ସେ ଦେଖୁଛନ୍ତି ଟି.ଭି.ରେ । ଏମିତି ହୋଇ ନ ଥିବ ତ ତାଙ୍କୁ କେହି କିଡନ୍ୟାପ୍ କରି ନେଇଥିବ? ବିପୁଳ ପରିମାଣର ଟଙ୍କା ପାଇଁ କିମ୍ବା ରେପ୍ କରି ଦେଇଥିବେ କେତେଜଣ ମିଶି ।
ନୀହାରିକାଙ୍କୁ ଅଠତିରିଶ ବର୍ଷ ହେଲେ ବି ଝିଅଟିଏ ପରି ଦେଖାଯାଆନ୍ତି ପତଳା ହୋଇଥିବାରୁ । ପତଳା ଆଉ ସୁନ୍ଦର ଗଠନର । ପାଂଚ ଫୁଟ ପାଂଚ ଇଂଚ ଲମ୍ବା ଶରୀର ସହିତ ଉଜ୍ଜ୍ୱଳ ରଂଗଟି ବେଶ୍ ଆକର୍ଷଣୀୟ ତାଙ୍କର । ସେଇଥିପାଇଁ କଲେଜରେ ପଢୁଥିବା ସମୟରେ କେତେ ଟୋକା ତାଙ୍କ ପଛରେ ପଡ଼ିଯାଇଥିଲେ । ଯେଉଁମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଥିଲା । ପରେ ଅମରେଶ ଆଇ.ଏ.ଏସ୍. ପାଇଥିଲା ତ ପ୍ରମୋଦ ଆଇ.ଆଇ.ଏମ୍.ରେ ଜଏନ୍ କରିଥିଲା ବାଂଗାଲୋରରେ ।
କିନ୍ତୁ ସମସ୍ତଙ୍କୁ ଉପେକ୍ଷା କରିଦେଇ ସୁନନ୍ଦଂକ ଗଳାରେ ବରମାଲ୍ୟ ପିନ୍ଧାଇ ଦେଇଥିଲେ ନୀହାରିକା । ସେମାନଙ୍କ ଭିତରୁ କେତେଜଣ ପଛରେ ସିଭିଲ୍ ସଭିସେସ୍ ପାଇଗଲା ପରେ ସୁନନ୍ଦ ପଚାରିଥିଲେ, “ତମର ଦୁଃଖ ହେଉନାହିଁ ନୀହାର୍? ଅନୁତାପ ହେଉନାଇଁ ମତେ ବାହା ହୋଇଥିବାରୁ? ଆଜି ଯେ ରତ୍ନାକର ଆଉ ବିକାଶ ଆଇ.ଏ.ଏସ୍. ପାଇଗଲେ, ରମେଶ, ଅନୁପମ, ସୁହୃଦ ପାଇଗଲେ ଆଇ.ଆର.ଏସ୍ । ସେମାନଙ୍କ ଭିତରୁ କାହାକୁ ଜଣକୁ ବାହା ହୋଇଥିଲେ ତମେ ତ ରାଣୀ ହୋଇ ବସିଥାଆନ୍ତ । ଆଉ ଯାହାକୁ ବରିନେଲ ନା ତା'ର ଦରମା ସେମିତି ବେଶୀ, ନା ଅଛି ପାୱାର କି ଉପୁରି?''
ସୁନନ୍ଦକଂର ପାଟିରେ ହାତ ରଖିଦେଇ ନୀହାରିକା କହିଥିଲେ, “ମୁଁ ଯାହା ପାଇଛି ତାହା ମୁଁ ଜାଣେ । ପରେ ଦେଖିବ ରୁହ, ସେମାନକଂର ପନôୀମାନଙ୍କଠାରୁ ମୁଁ ନିଶ୍ଚୟ ସୁଖରେ ରହିଥିବି ।'
କାମ କରି କରି ସଂଘର୍ଷ କରି କରି କେତେ ସୁଖୀ ହୋଇଥିଲେ ନୀହାରିକା ସେକଥା ଜଣାପଡୁଥିଲା ତାଙ୍କର ମୁହଁରୁ ଆଉ ବ୍ୟବହାରରୁ! ଡାଇନିଂ ଟେବୁଲେରେ ଖାଇବାକୁ ବାଢ଼ି ଦେଲାବେଳେ ବଗିଚାରେ ପାଣି ଦେଲାବେଳେ କି ସ୍ୱାମୀ ଓ ପିଲାଙ୍କୁ ଶାସନ କଲାବେଳେ ଲାଗୁଥିଲା ସେ ଯେମିତି ସତରେ ଜଣେ ରାଣୀ ପାଲଟି ଯାଇଛନ୍ତି!
ସେହି ରାଣୀ ଜଣକ ଯେ ହଠାତ୍ ଏମିତି ନିରୁଦ୍ଧିଷ୍ଟ ହୋଇଯିବେ ସେକଥା କିଏ ବା କାହିଁକି ଭାବିଥାଆନ୍ତା ? ସେ ଦିନ ସମୟ ଗଡ଼ିଯାଇଥିଲେ ବି ଫେରି ଆସି ନ ଥିଲେ ନୀହାରିକା । ଫୋନ୍ କଲା ପରେ ଡେଡ୍ ଥିବାରୁ ଏମିତି ଡରିଯାଇଥିଲେ ସୁନନ୍ଦ ଯେ ହାତପାଦ ଅଚଳ ହେଲା ପରି ଲାଗୁଥିଲା । କ'ଣ ହୋଇଥିବ ନୀହାରର ? ରେପ୍, ମର୍ଡର, କିଡନ୍ୟାପ୍ । ହେ ଭଗବାନ୍ । ମୁଁ ଏବେ କ'ଣ କରିବି ?
ତାଙ୍କର ସେ ଭୟଭୀତ ମୁହଁକୁ ଦେଖି ଶିଖା ପଚାରିଲା, “କ'ଣ ହେଲା ବାପା? ମାଆ କ'ଣ ହଜିଯାଇଛି?”
“ନାଇଁ ନାଇଁ ।'” ତରବର ହୋଇ ସୁନନ୍ଦ କହିଉଠିଲେ, “ବଡ଼ମାନେ କ'ଣ ହଜନ୍ତି? ସିଏ ବୋଧେ ତାଙ୍କର କେଉଁ ସାଙ୍ଗ ଘରେ ଅଟକି ଯାଇଥିବ କି କ'ଣ!''
ନୀହାରିକାଙ୍କର ସହକର୍ମୀ ବିପ୍ର ମିଶ୍ରଙ୍କୁ ଫୋନ୍ ଲଗାଇଲେ ସୁନନ୍ଦ । ସବୁ ଶୁଣି କଥାଟାକୁ ଲଘୁ କରିଦେବାକୁ ଯାଇ ସେ କହିଲେ, “ଡରନ୍ତୁ ନାହିଁ ସୁନନ୍ଦ ବାବୁ, ଆପଣଙ୍କର ପତ୍ନୀ ହୁଏତ ସିପ୍ରା ମହାନ୍ତିଙ୍କ ଘରକୁ ଯାଇଥିବେ କି କ'ଣ! ଉତ୍ସବ ସରିଗଲା ପରେ ଦେଖିଥିଲି ତାଙ୍କରି ସହିତ କଥା ହେଉଥିଲେ ନୀହାରିକା ମ୍ୟାଡାମ୍ । ରୁହନ୍ତୁ, ମୁଁ ତାଙ୍କୁ ଫୋନ୍ କରି ଆପଣଙ୍କ କହୁଛି ।''
ଟିକିଏ ପରେ ବିପ୍ର ମିଶ୍ର ହତାଶ ଗଳାରେ କହିଥିଲେ ଯେ “ସିପ୍ରା ମ୍ୟାଡାମ୍ କହିଲେ ନୀହାରିକା ମ୍ୟାଡାମ୍ ସେଇ ସାଙ୍ଗେ ସାଙ୍ଗେ ଚାଲିଗଲେ ଗୋଟାଏ ଟ୍ୟାକ୍ସି କରି ।'' ତା'ପରେ ପୁଣି କହିଲେ,“ସାର, ଆପଣ ଟିକେ ଥାନାକୁ ଯାଇ ଏଫ.ଆଇ.ଆର୍ ଦେଇଆସିଲେ କେମିତି ହୁଅନ୍ତା ? ଯଦି କହିବେ ମୁଁ ବି ଯିବି ଆପଣଙ୍କ ସାଙ୍ଗରେ ।'' ସହଜେ ତ ସୁନନ୍ଦ ଡରିଯାଇଥିଲେ । ବିପ୍ର ମିଶ୍ରଙ୍କର କଥା ଶୁଣି ତାଙ୍କୁ ଲାଗିଲା ତାଙ୍କର ଗୋଡ଼ ତଳେ ଯେମିତି ଆଉ ମାଟି ନାହିଁ । ଟିକିଏ ସମୟ ପରେ ବିପ୍ର ମିଶ୍ର ଆସି ପହଂଚି ଯାଇଥିଲେ । ଦୁହେଁ ଥାନାକୁ ଯାଇ ସମସ୍ତ ବିବରଣୀ ଲେଖି ରିପୋର୍ଟ ଦେଇ ଫେରିଆସିଲା ପରେ ଘରକୁ ଯାଇ ଦେଖିଥିଲେ ପୁଅ ଝିଅ ଦିଜଣ ଯାକ ଗେଟ୍ ପାଖରେ ଅପେକ୍ଷା କରି ଛିଡ଼ା ହୋଇଛନ୍ତି ହତାଶ ମୁହଁରେ ।
“କ'ଣ କିଛି ଖବର ମିଳିଲା ବାପା?'' ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିବା ରକ୍କି, ଯିଏ ସବୁବେଳେ ଭଉଣୀକୁ ଚିଡେ଼ାଉଥାଏ, ଲାଗିଲା ହଠାତ୍ ଯେମିତି ସେ ବୟସ୍କ ହୋଇଯାଇଛି! “
“କାଲି ଆଡ଼କୁ ସବୁ ଜଣାଯିବ ।''
“କାଲି? ତା' ମାନେ ମାଆ ଆଜି ଘରକୁ ଆସିବ ନାହିଁ?'' ପଚାରିଲା ଶିଖା ।
ଘର ଭିତରକୁ ଗଲା ପରେ ସୁନନ୍ଦଙ୍କର ହଠାତ୍ ଖିଆଲ ହେଲା ଯେ ପିଲା ଦି'ଜଣ ଡିନର ଖାଇ ନାହାନ୍ତି ।
ରାତିରେ କିନ୍ତୁ ପିଲାମାନେ କିଛି ହେଲେ ବି ଖାଇଲେ ନାହିଁ । ସୁନନ୍ଦ ପୁରା ଅଭୁକ୍ତ । ପିଲାମାନେ ଶୋଇପଡ଼ିଲା ପରେ ସେ ଖାଲି ଦାଣ୍ଡ ବାରନ୍ଦାରୁ ଗେଟ୍ ପର୍ଯ୍ୟନ୍ତ ଚାଲିବାରେ ଲାଗିଥିଲେ ରାତିସାରା, ଉଦବିଘ୍ନ ଆଉ ଅବସନ୍ନ ହୋଇ ।
ଫୋନ୍ ନମ୍ବର ଦେଇ ଆସିଥିଲେ ବି ରାତି ପାହିଲା ଆଗରୁ ସେ ପହଂଚିଯାଇଥିଲେ ଥାନାରେ । ଥାନାବାବୁଙ୍କ ସାମ୍ନା ଚେୟାରରେ ଲଥକରି ବସିପଡ଼ି ପଚାରିଥିଲେ,“କିଛି ଖବର ମିଳିଲା ସାର୍?''
ଦୋଷ କଲା ପରି ଥାନାବାବୁ ଆଖି ମିଳାଇ ପାରୁ ନ ଥିଲେ ସୁନନ୍ଦଙ୍କ ସହ । ସେମିତି ତଳକୁ ଚାହିଁ କହିଥିଲେ, “ଆମେ ସମସ୍ତ ପୋଲିସ୍ ଷ୍ଟେସନକୁ ବାର୍ତା ପଠେଇ ଦେଇଛୁ ସାର୍ । ଆଶା କରାଯାଏ ଖୁବ୍ ଶୀଘ୍ର ଖବର ମିଳିଯିବ ।''
ଘରକୁ ଆସି ସୁନନ୍ଦ ଦେଖିଥିଲେ ପିଲା ଦି’ଜଣ ଦାଣ୍ଡ ବାରନ୍ଦାରେ ବସିଛନ୍ତି । କାନ୍ଦ କାନ୍ଦ ହୋଇ ପଚାରିଥିଲେ, “ମାଆର କିଛି ଖବର ମିଳିଲା ବାପା? ସେ କେତେବେଳେ ଫେରିବ?''
ସୁନନ୍ଦଙ୍କର ଛାତି ଭିତରେ ହାବୁକାଏ ରକ୍ତ ଉତୁରି ପଡ଼ିଥିଲା । ଲାଗୁଥିଲା ସେ ଯେମିତି ସେଇଠି ଭୁଷୁଡ଼ି ପଡ଼ିବେ! କିନ୍ତୁ ନିଜକୁ ଆୟତ୍ତ କରିନେଇ କହିଥିଲେ, “ଥାନାବାବୁ କହିଛନ୍ତି ଶୀଘ୍ର ଫେରି ଆସିବେ ତମର ମାଆ । ଆଗେ ଚାଲ, ଚା'ଫା' ଟିକିଏ ଖାଇନେଲା ପରେ ଯାଇ ଯାହା ଭାବିବା ।”'
ସୁନନ୍ଦ ଚା' କଲା ବେଳକୁ ତାଙ୍କ ପାଖରେ ଛିଡ଼ାହୋଇ ରକ୍କି କପ୍ ପ୍ଲେଟ୍ ରଖିଥିଲା ଆଉ ଶିଖା ବିସ୍କୁଟ୍ ଆଣି ରଖିଦେଇଥିଲା ଖାଇବା ଟେବୂଲ୍ ଉପରେ ନିରବରେ! ଚା' ଖାଉ ଖାଉ ସୁନନ୍ଦ ଝିଅକୁ ଚାହିଁ କହିଥିଲେ, “ତୁ ରେଡ୍ଡି ହୋଇଯାଆ ମା । ତୋର ପୁଣି ସ୍କୁଲ୍ ଅଛି ନା । ମୁଁ ଏବେ ବ୍ରେଡ୍ ବଟର ରେଡି କରିଦେବି ତୁମର ଖାଇବା ପାଇଁ ଆଚ୍ଛା ମା, ସୁଲକୁ ସେଇ ବ୍ରେଡ୍ ବଟର ନେଲେ ତୋର ଚଳିବ?''
ବାପାଙ୍କର କଥାରେ କେତେ କୋମଳତା ଥିଲା କେଜାଣି, ଶୁଣୁ ଶୁଣୁ ପୁଣି କାନ୍ଦିପକେଇଲା ଶିଖା । କହିଲା, “ଭାଇକୁ ଏକୁଟିଆ ଛାଡ଼ିଦେଇ ମୁଁ କେମିତି ସ୍ପୁଲ୍ ଯିବି ବାପା?” ପରୀକ୍ଷା ପରଠାରୁ ରକ୍କି ଏବେ ଏକା ଏକା ରହୁଥିଲା । କିନ୍ତୁ ତା'ର ଏକଲାପଣକୁ କେହି ହେଲେ ଅନୁଭବ କରୁ ନ ଥିଲେ ଆଜି କିନ୍ତୁ ନୀହାରିକାର ଅନୁପସ୍ଥିତି ଶୂନ୍ୟତା ଭରିଦେଇଥିଲା ଘର ଭିତରେ, ଦର୍ଶକ ଚାଲିଗଲା ପରେ ରଙ୍ଗମଂଚ ଖାଲି ହୋଇଗଲା ପରି ।
ଦିନେ ନୁହେଁ କି ଦି'ଦିନ ନୁହେଁ, ପ୍ରାୟ ଆଠ ଦଶଦିନ ଶିଖା ଆଉ ସ୍କୁଲ୍ ଯାଇ ନ ଥିଲା । ଭାଇ ଭଉଣୀ ଦି'ଜଣ ଯାକ ନିରବରେ କ'ଣ ଏତେ ଭାବୁଥିଲେ କେଜାଣି । ସୁଶୀଳା ଯାହା ରାନ୍ଧିଦେଇ ଯାଉଥିଲେ ବି ତାକୁ କୌଣସିମତେ ଦୁହେଁ ଖାଇଦେଉଥିଲେ ବାପା ମନଦୁଃଖ କରିବେ ବୋଲି । ନିଜର କାମ ନିଜେ କରି ନେଉଥିଲେ ଦି'ଜଣ ଯାକ! ସୁନନ୍ଦ ଆଶ୍ଚର୍ଯ୍ୟ ହୋଇଯାଉଥିଲେ ମନେ ମନେ ସେହି ଚିନ୍ତା ଭିତରେ । ୟା'ରି ଭିତରେ ପିଲାମାନେ କେତେ ବଡ଼, କେତେ ପରିପକ୍ୱ ହୋଇଗଲେଣି ସତରେ! ଦୁଃସମୟ କ'ଣ ଏମିତି ଶିକ୍ଷା ଦେଇପାରେ ।
ଟି.ଭି.ରେ ଆଉ ଖବରକାଗଜମାନଂକରେ ବିଜ୍ଞାପନ ଦେଇ ଦେଇ ନିରାଶ ହୋଇଯାଇଥିଲେ ସୁନନ୍ଦ । ତା'ପରଠୁଁ ଉପରିସ୍ଥ ଅଫିସରଙ୍କୁ କୁହାବୋଲା କରି ଏଇ ଭୁବନେଶ୍ୱରରେ ରହିଯାଇଛନ୍ତି ସେ ଏତେବର୍ଷ ହେଲା ।
ତାଙ୍କର ସେହି ଇପ୍ସିତ ଖବରଟି ଆଜି ପାଇଲେ ସୁନନ୍ଦ, ଦୀର୍ଘ ଷୋହଳ ବର୍ଷ ପରେ । ଯେତେବେଳେ ତାଙ୍କର ସମସ୍ତ ଆଶାର ପତ୍ରଗୁଡ଼ିକ ଶୁଖିଯାଇ ମାଟିରେ ମିଶିଯାଇଥିଲା । ଜଳହୀନ ମରୁଭୂମିରେ ଗଛ ଦୁଇଟିକୁ ବଢେ଼ଇଲା ପରି ପିଲା ଦି’ଜଣଙ୍କୁ କେତେ କଷ୍ଟରେ ପାଳିଛନ୍ତି ସୁନନ୍ଦ, ସେକଥା ସେ ନିଜେ ଜାଣନ୍ତି । ପ୍ରତି ଦିନ, ପ୍ରତି ମୁହୂର୍ତରେ ଅଫିସ୍-ଘର, ଘର-ଅଫିସ୍ ହେଲାବେଳେ ଭାବିଛନ୍ତି ସତରେ କ'ଣ ସେ ପାରିବେ? ଖୁବ୍ ବେଶୀ ମେଧାବୀ ନ ହେଲେ ବି ପିଲା ଦି’ଜଣ ଉତ୍ତୀର୍ଣ୍ଣ ହୋଇ ଯାଉଥିଲେ । ପ୍ରାଇଭେଟ୍ କଲେଜରେ ପଢ଼ିସାରି ଇଞ୍ଜନିୟର ହୋଇ ରକ୍କି ନଏଡାରେ ଗୋଟିଏ ବଡ଼ କମ୍ପାନିରେ ମ୍ୟାନେଜର ଆଉ ଝିଅ ବ୍ୟାଙ୍କରେ ଚାକିରି କରୁଛି କାଲିଫର୍ଣ୍ଣିଆରେ ।
ରକ୍କି ଆସି ପହଂଚିଯାଇଥିଲା ତା' ପରଦିନ ସକାଳ ଦଶଟାରୋ । ଘରେ ପହଂଚୁ ପହଂଚୁ ଏକଦମ୍ ବାଚାଳ ହୋଇଯାଇଥିଲା । କହିଲା, “ମୁଁ କହୁ ନ ଥିଲି ବାପା ମାଆ ଆମର ନିଶ୍ଚୟ ମିଳିଯିବେ । ଟିକେ ଡେରି ହେଲା, କିନ୍ତୁ ମିଳିଗଲେ ତ । ରିଟାୟାର୍ କଲାପରେ ତୁମକୁ ତ ତାଂକର କଂପାନି ମିଳିଯିବ ।”
ସୁନନ୍ଦଙ୍କ ପାଖରୁ ନୀହାରିକାଂକର ଫଟୋଟିକୁ ନେଇ କହିଲା, “'ମା ଠିକ୍ ସେମିତି ଦିଶୁଛନ୍ତ ବାପା । ସେଇ ଆଗ ପରି ନୁହେଁ ?''
ଏକ ବିଷର୍ଣ୍ଣ ହସ ହସି ସୁନନ୍ଦ କହିଲେ, “ଆରେ ପାଗଳା, ଏଇଟା ପରା ତାଙ୍କର ସେଇ ପୁରୁଣା ଫଟୋ । ଷୋହଳ ବର୍ଷ ପରେ ହସ୍ପିଟାଲରେ ରହି ରହି ତାଙ୍କର ଚେହେରା କ'ଣ ଆଉ ଏମିତି ଦିଶୁଥିବ ?''
ସତକୁ ସତ ନୀହାରିକାଙ୍କୁ ଆଉ ଚିହ୍ନି ହେଉ ନ ଥିଲା । ଅଫିସରେ ସମସ୍ତ ଓପଚାରିକ କାମ ସାରିଦେଇ ସେ ଯେତେବେଳେ ହସ୍ପିଟାଲ୍ ଭିତରକୁ ଯାଇ ନୀହାରିକାଙ୍କୁ ଦେଖିଲେ ବିବ୍ରତ ହୋଇପଡ଼ିଥିଲେ । ସତରେ କ'ଣ ଇଏ ନୀହାରିକା । ଏତେ ମୋଟୀ । ଏମିତି ଧଳା ଧଳା ଅସଂଯତ କେଶ ଶୂନ୍ୟ ବିଷାଦ ଦୃଷ୍ଟି ସହିତ ଆଖି ତଳର କଳାଦାଗ ଦେଖି ସୁନନ୍ଦ ଯେମିତି ଭୂଲୁଣ୍ଠିତ ହୋଇଗଲେ । ଧଳା ଗାଉନ୍ ପରିହିତା ସେଇ ମହିଳାଙ୍କୁ ଦେଖିଦେଇ ରକ୍କିି ବାପାକଂର କାନ୍ଧରେ ହାତ ରଖି କହିଥିଲା, “ଚାଲ ବାପା, ମାଆଙ୍କ ପାଖକୁ ଚାଲ ।''
ଏତେସବୁ ପରିବର୍ତନ ସତ୍ତେ୍ୱ ନୀହାରିକା ଚିହ୍ନି ହେଉଥିଲେ; । କିନ୍ତୁ ସୁନନ୍ଦ କି ରକ୍କିଙ୍କୁ ଦେଖି ନୀହାରିକା ଜାଣିପାରୁ ନ ଥିଲେ ଏମାନେ କିଏ? କାରଣ ତାଙ୍କର ସ୍ମୃତିଶକ୍ତି ଆଉ କିଛି ହେଲେ ବି କାମ କରୁ ନ
ିଲା ।
ସ୍ମୃତି ନ ଥାଉ କିମ୍ବା ରୂପ ବଦଳିଯାଇଥାଉ, ସୁନନ୍ଦ କିନ୍ତୁ କୋଳେଇ ଆଣିଥିଲେ ନୀହାରିକାଙ୍କୁ । ତାଙ୍କର କାନ୍ଧରେ ହାତରଖି ଚାଲୁ ଚାଲୁ ଲାଗୁଥିଲା ତାଙ୍କ ଜୀବନଟା ଯେମିତି ପଲୁବିତ ହୋଇଯିବ ଆଉ ଥରେ । “ଦେଖ ନୀହାର!” ଘରର ଗେଟ୍ ପାଖରେ ଟ୍ୟାକ୍ସିରୁ ଓହ୍ଲେଇଲା ପରେ ସୁନନ୍ଦ କହିଥିଲେ, “ଏଇ ଯେଉଁ ମଧୁମାଳତୀ ଗଛଟିକୁ ତମେ ଲଗେଇଥିଲନ । ସେଥିରେ କେତେ କେତେ ଫୁଲ ଫୁଟିଛି ଆଜି ।'” ନୀହାରିକାଙ୍କର ଦୃଷ୍ଟି କିନ୍ତୁ ଶୂନ୍ୟ ଲାଗୁଥିଲା । ସିଏ ଯେମିତି କେଉଁ ଦିଗହଜା ମରୁଭୂମିରେ ହଜିଯାଇଛନ୍ତି । ।
ସୁନନ୍ଦ କିନ୍ତୁ ଆଶା ଛାଡ଼ି ନ ଥିଲେ । ଥିରୁଅନନ୍ତପୁରମର ମନସ୍ତତ୍ତ୍ୱବିଦ୍ ଡାକ୍ତର କହିଛନ୍ତି ତାଙ୍କ ଉପରେ ଏତେବଡ଼ ଅତ୍ୟାଚାରଟାକୁ ସେ ବରଦାସ୍ତ କରିପାରି ନ ଥିଲେ । ରେପ୍ ପରି ଜଘନ୍ୟ କ୍ରିୟାକୁ କେଉଁ ମହିଳା ଅବା ସହିପାରିଥାଆନ୍ତା? ଆମେମାନେ ତ ଏତେ ବର୍ଷ ହେଲା ଚିକିତ୍ସା କରି ଆସିଲୁଣି । ଏବେ ଆପଣଙ୍କର ପାଳି । ଦେଖନ୍ତୁ, ପୁରୁଣା ସ୍ଥାନ କି ପୁରୁଣା ଜିନିଷ ସବୁ ଦେଖିଦେଲେ ହୁଏତ ତାଙ୍କର ସ୍ମୃତିଶକ୍ତି ଫେରି ଆସିପାରେ ।
ଅନେକ କହିଥିଲେ ନୀହାରିକାଙ୍କ ପାଇଁ ନର୍ସଟିଏ ରଖିବା ପାଇଁ । ସୁନନ୍ଦ କିନ୍ତୁ ରାଜି ହୋଇ ନ ଥିଲୋ । ଘରେ ଖାଲି ଜଣେ କାମବାଲୀ ଯାହା ଥିଲା । ଆଉ ଜଣେ ଆସି ରାନ୍ଧିଦେଇ ଯାଉଥିଲା ସକାଳ ଦଶଟା ବେଳେ ସାରାଦିନ ପାଇଁ । ଆଉ ବାକି ସବୁକାମ ସୁନନ୍ଦଙ୍କର ।
ସୁନନ୍ଦ ସମସ୍ତ କାମ କରିଦେଉଥିଲେ ନୀହାରିକାକଂର । ସକାଳେ ଦାନ୍ତ ଘଷିବାଠୁଁ ଆରମ୍ଭ କରି ଚା' ପିଆଇଦେବା, ଗାଧୋଇଦେବା, ଖୁଆଇଦେବା ଇତ୍ୟାଦି । ୟା'ରି ଭିତରେ ଶିଖା ବି ଆସି ଦୁଇମାସ ରହି ଚାଲିଗଲା । ରକ୍କି ବି ଆସିଯାଏ ଦି' ଚାରିଦିନ ଛୁଟି ଥିଲେ । ନୀହାରିକାଙ୍କୁ ପୁରୁଣା ସିନେମା ଦେଖାନ୍ତି ସୁନନ୍ଦ । ପୁରୁଣା ଦିନର ଆଲବମରୁ ଫଟୋ ଦେଖାଇ କହନ୍ତି- ଏଇ ଦେଖ ନୀହାର! ଆମର ବାହାଘର ଫଟୋ । ଏତେବଡ଼ ଗୋଟାଏ ବେଣୀ କରି ତମେ କେମିତି ଗାଉଁଲିଆ ଦେଖାଯାଉଥିଲ । କହିଦେଇ ହସିଦିଅନ୍ତି ନୀହାରିକାଙ୍କ ମୁହଁକୁ ଚାହିଁ । ପୃଷ୍ଠା ଓଲଟାଇ ପୁଣି କହନ୍ତି ଏଇ ଦେଖ ନୀହାର! ଶିଖା ଆମର ଯେତେବେଳେ ନୂଆ ନୂଆ ଚାଲି ଶିଖୁଥିଲା । ହଁ, ଆମେ ସମସ୍ତେ ଯେତେବେଳେ ମହୀଶୂର ଯାଇଥିଲେ, ଦେଖୁଛ?
ଯେତେ ଲାଗିଲେ ବି ଯେତେ ଚେଷ୍ଟା କଲେ ବି ସ୍ମୃତି ଆଉ ଫେରୁ ନ ଥିଲା ନୀହାରିକାଙ୍କର ।
ମଝିରେ ମଝିରେ ସମସ୍ତେ ଆସନ୍ତି ନୀହାରିକାଙ୍କୁ ଶଂଖୁଳି ଯିବା ପାଇଁ । ସୁନନ୍ଦଙ୍କର ବଡ଼ ଭଉଣୀ ଆଉ ନୀହାରିକାଙ୍କର ଭାଇ ଭାଉଜମାନେ । ଦେଖିଦେଇ ନିରାଶ ହୋଇ ଫେରିଯାଆନ୍ତି । ମନେ ମନେ ଭାବନ୍ତି, ଆହା । ସତରେ କ'ଣ ଇଏ ଆଉ ସ୍ମୃତି ଫେରି ପାଇବ? ସୁନନ୍ଦଙ୍କ ଅପା ତ ମନେ ମନେ ଅଶାନ୍ତ ହୋଇଯାଆନ୍ତି । ଭାବନ୍ତି ଏ ପାଗଳୀଟାକୁ ପୁଣି କାଇଁକି ଘରକୁ ଆଣୁଥିଲା କେଜାଣି । ଏଇଟାର କାମ କରି କରି ମୋ ଭାଇଟା ତ ଅଧାପ୍ରାଣ ହୋଇଗଲାଣି ।
ସେମିତି ଦିନେ ସକାଳେ ନୀହାରିକାଙ୍କୁ ଗାଧୋଇବା ଆଗରୁ ତାଙ୍କ କେଶରେ ରଂଗ ଲଗେଇ ଦେଉଥିଲେ ସୁନନ୍ଦ । ଖାଇବା ଟେବୁଲ୍ ପାଖରେ ବସି ଭାଇର ଏ ଢଙ୍ଗ ଦେଖି ମୁହଁମୋଡ଼ା ଦେଇ ଅପା କହିଲେ, “ହଇରେ ସୁନୁ, ଇଏ ତ କିଛି ଜାଣୁନାଇଁ କି ବୁଝୁନାଇଁ, କାଇଁକି ଅକାରଣଟାରେ ତା ପିଛା ଏତେ ଲାଗିଛୁ?”
ପତ୍ନୀ କେଶରେ ରଙ୍ଗବ୍ରସ୍ ଚଲାଉ ଚଲାଉ ସୁନନ୍ଦ ହସିଦେଇ କହିଲେ, “ସିଏ ଜାଣୁ କି ନ ଜାଣୁ ମୁଁ ତ ଜାଣୁଛି । ରଂଗ ଲଗେଇ ଗାଧୋଇସାରିଲା ପରେ ନୀହାର କେତେ ସୁନ୍ଦର କେତେ ୟଙ୍ଗ ଦେଖାଯିବ ମୁଁ ତ ଦେଖିବି ।'”

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment