Welcome to shalandi webzine

ପୁସ୍ତକ ଓ ପ୍ରକାଶକ

ସହଦେବ ସାହୁ

ସମସାମୟିକ ସାହିତ୍ୟ ସମସ୍ୟା ଉପରେ ଏକ ଅନୁଶୀଳନ

୧୯୯୫-୯୬ର କଥା । ମୁଁ ଜଣେ କଂଗ୍ରେସ ଦଳର ବିଧାୟକଙ୍କ ଘରେ ବସିଥିଲି। ସେ ମୋର ଜଣେ ଘନିଷ୍ଠ  ବନ୍ଧୁଙ୍କର ଦାଦା । ଆମେ ବସି ଗପ କରୁଥିଲୁ । ଦେଖିଲି ସେହି ଘରେ ପଡିଥିବା ଖଟ  ତଳେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ   ରଚିତ ରାମାୟଣ ଓ  ମହାଭାରତ ଗଦାହୋଇଛି । ଖୁଡୀଙ୍କୁ ମଜାରେ କହିଲି,  କଣ ଦାଦା ବହି ବେପାର କଲେଣି କି? ଖୁଡୀ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ସେ ତାଙ୍କର ଦୁଇ ଶହ ବହି ନେଇଆସିଛନ୍ତି। ତୁମେ ଦୁଇଟା ନେଇଯାଅ ।  ସେ ରାମାୟଣ ମହାଭାରତର ଖଣ୍ଡେ ଖଣ୍ଡେ ବହି ଦେଲେ। ସେହି ବହି ଏବେ ବି ମୋ ପାଖରେ ଅଛି । ମୁଁ ଓ ମୋ ସ୍ତ୍ରୀ ଏବଂ ମୋର ଝିଅ ଓ ଝିଆରୀ ସେହି ବହି ପଢି ସାରିଛୁ ।
ଜଣେ ପ୍ରକାଶକଙ୍କ ସହିତ ବସିଥିବା ବେଳେ କଥା ପ୍ରସଙ୍ଗରେ ମୁଁ ତାଙ୍କୁ ବିଧାୟକଙ୍କ ଘରେ ମୁଖ୍ୟମନ୍ତ୍ରୀଙ୍କ ବହି ସମ୍ପର୍କରେ କହୁଥିଲି । ପ୍ରକାଶକ କହିଲେ। ପୁସ୍ତକ ଶେଷରେ ପାଠକ ପାଖରେ ପହଞ୍ଚିଲା ।
ଲେଖକ ଓ ପ୍ରକାଶକ ଅଭିଯୋଗ କରନ୍ତି ଯେ ପାଠକ ସଂଖ୍ଯା କମି ଯାଉଛି । ପଚାଶ ବର୍ଷ ଭିତରେ ପ୍ରକାଶକ ଯେତିକି ବହି ଛାପୁଥିଲେ, ଲୋକ ସଂଖ୍ଯା ବୃଦ୍ଧି ଓ ଶିକ୍ଷାର ପ୍ରସାର ସତ୍ତ୍ବେ ଏବେ ସେତିକି କିମ୍ବା ତା ଠାରୁ କମ ବହି ଛପଯାଉଛି ଏବଂ  ତାହା ମଧ୍ୟ ବଜାରରେ ବିକ୍ରି ହେଇପାରୁ ନାହିଁ । ଏହା ସତ୍ୟ ଓଡ଼ିଶାରେ ବହି ବିକ୍ରି ହେଉନି । ଓଡିଆ ସାହିତ୍ୟ ପ୍ରତି ଆଦର ହ୍ରାସର କାରଣ ଭିତରୁ ଗୋଟିଏ ହେଲା ଲୋକମାନେ ପିଲାଙ୍କୁ ଇଂରାଜୀ   ମାଧ୍ୟମ ସ୍କୁଲରେ ପଢଉଛନ୍ତି । ପିଲାମାନେ ଓଡିଆ ଶିଖୁ ନାହାନ୍ତି । ଓଡିଆ ପଢୁ ନାହାନ୍ତି ।
କିଛି ବର୍ଷ ତଳେ କଟକ ମଙ୍ଗଳାବାଗର ଜଣେ ପତ୍ରିକା ବ୍ୟବସାୟୀ ପୂଜା ବେଳକୁ ଯେତିକି ପୂଜା ସ୍ବତନ୍ତ୍ର ସଂଖ୍ଯା ଓଡିଆ ପତ୍ରିକା ରଖୁଥିଲେ ତା ଠାରୁ ଅଧିକ ବଙ୍ଗଳା ପତ୍ରିକା ବିକୁଥିଲେ । ମୁଁ ତାଙ୍କୁ ପଚାରିଲି, କଟକରେ କଣ ଏତେ ବଙ୍ଗାଳୀ ଅଛନ୍ତି ? ଏତେ ଗୁଡିଏ ପତ୍ରିକା ବିକ୍ରି ହେଉଛି ।  ସେ କହିଲେ, କେବଳ ବଙ୍ଗାଳୀ ନୁହନ୍ତି, ଅନେକ ଓଡିଆ ଅଛନ୍ତି, ଯୋଉମାନେ ବଙ୍ଗଳା ପୂଜା ପତ୍ରିକା କିଣନ୍ତି । ବଙ୍ଗଳା ପୂଜା ପତ୍ରିକାକୁ ଅପେକ୍ଷା କରନ୍ତି ।

 
 
ସାହିତ୍ୟରେ ରୁଚି ରଖିଥିବା  ଲୋକ ବା  ଜଣେ ପାଠକ ଭାଷା ଜାଣିଥିଲେ ମୂଳ ଭାଷାରେ ପଢିବାକୁ ପସନ୍ଦ କରେ । ବଙ୍ଗଳା ପତ୍ରିକା କିଣୁଥିବା ପାଠକ ଓଡିଆ ବହି ମଧ୍ୟ କିଣେ ।  କିନ୍ତୁ ବଙ୍ଗଳା ପତ୍ରିକା ପଢୁଥିବା ଓଡିଆ ପାଠକଙ୍କ ସଂଖ୍ଯା କମି ଗଲାଣି । ସେମାନେ ବୟସ୍କ । ସେମାନଙ୍କ ସଂଖ୍ଯା କମି ଯାଉଛି । ମଙ୍ଗଳାବାଗରେ ସେହି ପତ୍ରିକା ବ୍ୟବସାୟୀ କରୋନା  ସମୟରେ ପତ୍ରିକା ବିକ୍ରି ବନ୍ଦ କରି ଦେଇଛନ୍ତି ।
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ସ୍କୁଲ କଲେଜ ବା  ବିଶ୍ବ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ବାପା ମୁଖ୍ୟତ  ନିମ୍ନ ବା  ନିମ୍ନ ମଧ୍ୟବିତ୍ତ ଶ୍ରେଣୀର । ଅନେକ ଚାଷୀ ପରିବାରରୁ ଆସିଛନ୍ତି । ସେମାନେ ସ୍ବଚ୍ଛଳ । କିନ୍ତୁ ସେମାନେ ଦାରିଦ୍ର୍ୟ ପ୍ରତ୍ୟକ୍ଷ କରିଛନ୍ତି । ସେମାନଙ୍କ ଅବଚେତନରେ ରହୁଛି କାଳେ ପୁଣି ସେମାନେ ତଳକୁ ଖସି ଯିବେ । ପିଲାଟି ସ୍କୁଲକୁ ଗଲେ ତା ଉପରେ ଚାପ , କେମିତି ସେ ଭଲ ପଢିବ, ଭଲ ନମ୍ବର ରଖିବ , ଇଞ୍ଜିନିଅର ହେବ, ଉଚ୍ଚ ଦରମା ପାଇ ଚାକିରି କରିବ । ଗଳ୍ପ କବିତା ଉପନ୍ୟାସ ପଢିବା ସମୟର ଅପଚୟ ।
ପିଲାଙ୍କର ସାହିତ୍ୟ ପ୍ରତି ରୁଚି ଅସୁନାହିଁ । ସୁଯୋଗ ଦିଅ ଯାଉନାହିଁ । ମୁଁ ଜାଣିଥିବା ମୋର ଦୁଇ ଜଣ ବନ୍ଧୁଙ୍କର ପୁଅ କଲେଜରେ ପଢୁଥିବା  ବେଳେ ଗପ ଲେଖୁଥିଲେ ।  କିନ୍ତୁ ସେମାନଙ୍କର ବାପା ମା  ସେମାନଙ୍କୁ ନିରୁତ୍ସାହିତ  କଲେ । ସେମାନେ ଏବେ ବଡ ଚାକିରି କରୁଛନ୍ତି । ମୋଟା  ଅଙ୍କର ଦରମା ପାଉଛନ୍ତି । ବିଦେଶକୁ ଯାଉଛନ୍ତି । ଦିନକୁ ଅଠର ଘଣ୍ଟା କାମ କରୁଛନ୍ତି । ଗଳ୍ପ ଉପନ୍ୟାସ ସହିତ ସମ୍ପର୍କ ତୁଟି ଯାଉଛି । ସାହିତ୍ୟଠାରୁ ସେମାନେ ବହୁ ଦୂରକୁ ଚାଲିଯାଇଛନ୍ତି ।
ଓଡ଼ିଶାରେ ଯେ ବହି  ବିକ୍ରି ହେଉ ବନାହିଁ ତାହା ସତ୍ୟ ନୁହେଁ , ଓଡ଼ିଶାରେ ବହୁଳ ସଂଖ୍ୟାରେ ବହି ବିକ୍ରି ହେଉଛି । କିନ୍ତୁ ଓଡିଆ ବହି ନୁହେଁ । ଚେତନ ଭଗତଙ୍କ ଗୋଟିଏ ବହି ଯେତିକି ବିକ୍ରି ହୁଏ,  ତାର ଦଶ ଭାଗରୁ ଭାଗେ ପ୍ରସିଦ୍ଧ ଓ ପୁରସ୍କୃତ ଓଡିଆ ଲେଖକଙ୍କ ବହିଟିଏ ବିକ୍ରି ହୁଏ ନାହିଁ । ରସ୍କିନ ବଣ୍ଡ କିମ୍ବା ମାରକ୍ଵେଜଙ୍କର ବହି ଓଡ଼ିଶାରେ ଯେତେ ବିକ୍ରି ହୁଏ ସେତିକି କୌଣସି ଓଡିଆ ଲେଖକଙ୍କର ବହି ବିକ୍ରି ହୁଏ ନାହିଁ ।
ପୁସ୍ତକ ବିକ୍ରି ହେବାର କାରଣ ବହିର ପ୍ରସାର ଓ ପ୍ରଚାର । ଇଂରାଜୀ   ଖବରକାଗଜରେ ବହିର ସବିସ୍ତାର ସମୀକ୍ଷା ପ୍ରକାଶ ପାଏ।  ପାଠକ ସମୀକ୍ଷା ପଢି ବହିଟି କିଣିବାକୁ ଆଗ୍ରହ କରେ । କେତେକ ବହିର ଆଲୋଚନା ଟିଭି ରେ ହୁଏ । ପତ୍ରିକାରେ ସମୀକ୍ଷା ବାହାରେ । ପାଠକ ବହିରେ କଣ ଅଛି ଜାଣିଲେ ପଢିବାକୁ ଆଗ୍ରହ ବଢିବ । ଓଡିଆ ବହିର ପ୍ରଚାର ପାଇଁ କିଛି ଉଦ୍ୟମ ହୁଏ ନାହିଁ । ଅତି ବେଶିରେ ଖବର କାଗଜରେ ବହି  ପାଇଁ ଗୋଟିଏ ପାରାଗ୍ରାଫ ବାହାରେ । ଯାହା ବିଜ୍ଞାପନ ସଦୃଶ । ଦ୍ବିତୀୟରେ ବହିଟି ସହଜରେ ଉପଲବ୍ଧ ହେବା  ଜରୁରୀ । ଏବେ ଆମାଜନ ଓ ଫ୍ଲିପକାର୍ଟ  ପରି ଇ- କମର୍ସ ପ୍ଲାଟଫର୍ମରେ ବହି ବିକ୍ରି ହେଲାଣି । କିନ୍ତୁ ସବୁ ପ୍ରକାଶକ କରୁ ନାହାନ୍ତି । ପୁସ୍ତକ ବିକ୍ରି ହେବ, ଯଦି ପାଠକ ବହିଟି ସମ୍ପର୍କରେ ଜାଣି ପାରିବ ଏବଂ  ବହିଟିକୁ ସେ ସହଜରେ ପାଇ ପାରୁଥିବ ।  

 

ଶାଳନ୍ଦୀ ସାହିତ୍ଯ

COMMENTS - 4

Image
Jagannath Mohanty
31-03-2022 / 11:32:31

ନିଛ୍ଛକ ସତ କଥା।

Image
Shabnam
29-03-2022 / 12:42:04

ଲେଖାଟି ଭଲ ହେଇଛି। ବର୍ତ୍ତମାନ ର ସ୍ଥିତି ଆଉ ସମୟକୁ ଠିକ୍ ଭାବେ ଉପସ୍ଥାପନ କରାଯାଇଛି। ଆପଣଂକ ଲେଖା ସବୁ ବେଳେ ଉଚ୍ଚ କୋଟିର।

Image
ବିଷ୍ଣୁପଦ ମହାନ୍ତ
29-03-2022 / 10:25:37

ବର୍ତ୍ତମାନ ଓଡ଼ିଆ ଭାଷା ପଢିବା କଥା ତ ଦୂରର କଥା spelling ବି ଲେଖି ପାରୁନାହାନ୍ତି ଓଡ଼ିଆ ମାନେ ଯୋଉ ରାଜ୍ୟ କିମ୍ବା ଦେଶ ଯିବେ ସେମାନେ ଓଡ଼ିଆ ଛାଡି ତାଙ୍କ ଭାଷା କହିବେ ।

Image
Nandita Mohanty
29-03-2022 / 10:18:29

ସୁନ୍ଦର ଉପସ୍ଥାପନା .ଏକଥା ସତ ଯେ ଅନେକ ଗଳ୍ପ/କବିତା ପଢିବା ଲେଖିବାକୁ ସମୟର ଅପଚୟ ବୋଲି ମନେ କରନ୍ତି .ପଢ଼ିବାର ଆଗ୍ରହ ଆସିଲେ ହିଁ ଜଣେ ବହି ଓ ପତ୍ରିକା କିଣିବ ।ସେଥିପାଇଁ ପ୍ରଚାର/ପ୍ରସାର ନିତ୍ୟାନ୍ତ ଜରୁରୀ

Leave a comment

Name

Email or Phone No (the information will be not disclosed)

Comment