Welcome to shalandi webzine

ଭିନ୍ନ ଏକ ଚନ୍ଦ୍ରସେଣା

କବିତା କୁମୁଦ ମେହେର

କାନ୍ଦର ଲହରୀ ଭାସି ଆସୁଥିଲା ଗେଟ୍ ଯାଏ । ସ୍କୁଟିକୁ ଷ୍ଟାଣ୍ଡରେ ରଖୁ-ରଖୁ ଥାନା ବାରଣ୍ଡାରୁ ହୋ-ହଲ୍ଲା ଶବ୍ଦ ତାଙ୍କ କାନରେ ପିଟି ହେଲା ,ବିରକ୍ତ ହୋଇଗଲେ ଦୀପ୍ତି ମେଡମ୍ ।

କାନ୍ଦର ଲହରୀ ଭାସି ଆସୁଥିଲା ଗେଟ୍ ଯାଏ । ସ୍କୁଟିକୁ ଷ୍ଟାଣ୍ଡରେ ରଖୁ-ରଖୁ ଥାନା ବାରଣ୍ଡାରୁ ହୋ-ହଲ୍ଲା ଶବ୍ଦ ତାଙ୍କ କାନରେ ପିଟି ହେଲା ,ବିରକ୍ତ ହୋଇଗଲେ ଦୀପ୍ତି ମେଡମ୍ ।
ଆଜି ସକାଳ ଠାରୁ ଅଶାନ୍ତି ତାଙ୍କ ପିଛା ଛାଡୁନାହିଁ ।ପୁଅର ପାଠପଢାକୁ ନେଇ ସ୍ୱାମିଙ୍କ ସହ ଯୁକ୍ତିତର୍କ । ଘରେ ନ ପଶୁଣୁ ଚାଳ ବାଜିଲା ପରି ପୁଣି ଅଫିସ ପଶିବା ଆଗରୁ ଏ ପାଲା ।
ଚାରିମାସ ପୁରିନାହିଁ ।ବହୁତ ଧରାଧରି କରି ନିଜ ସହର ଦାନାପୁରକୁ  ଆସିଛନ୍ତି ସେ ।ଛୋଟ ସହରଟିଏ ।ବଡ଼ ସହର ପରି ବଡ-ବଡ଼ ଘଟଣା, ଦୁର୍ଘଟଣା ପ୍ରାୟ ହୁଏନାହିଁ ।ହାଣ୍ଡିଆ ପିଇ ସ୍ୱାମି- ସ୍ତ୍ରୀର ଝଗଡ଼ା ,କୁକୁଡ଼ା ଚୋରି ପରି ଛୋଟ-ଛୋଟ ଘଟଣା ମାନ ଘଟେ ଏଠାରେ ।
" ଧେତ୍..ମଣିଷର ଶାନ୍ତି ନାହିଁ କେଉଁଠି " ବାରଣ୍ଡାରେ ପାଦ ଦେଉ ଦେଉ ତାଙ୍କ ମୁହଁରୁ ବାହାରି ପଡିଲେ ଏ ଶବ୍ଦମାନେ ।
ବାରଣ୍ଡାରେ କିନ୍ତୁ ଏକ ଅଦ୍ଭୁତ ଦୃଶ୍ୟ ଅପେକ୍ଷା କରିଥିଲା ତାଙ୍କୁ।
ନାଲି ଓ ନୀଳ ରଙ୍ଗ ମିଶା ସମ୍ବଲପୁରୀ ଶାଢ଼ୀ ।ମେଚିଙ୍ଗ ବ୍ଲାଉଜ ଓ ଚୁଡ଼ି ।ସୀମନ୍ତରେ ଭର୍ତ୍ତି  ସିନ୍ଦୁର ସହ କପାଳରେ ଚନ୍ଦ୍ର ପରି ଲାଲ ବିନ୍ଦି ।
ଶାଢ଼ୀ ଉପରେ ପୁଣି କାନ୍ଧରେ ପଡ଼ିଛି ମାଟିଆ ରଙ୍ଗର ଗାମୁଛା । ପାଖରୁ ଦେଖିଲେ ସ୍ପଷ୍ଟ ଦିଶୁଛି ନାକ ତଳର ନିଶ ଆଉ ଗାଲରେ ଫୁଟି ବସୁଥିବା ଦାଢ଼ି ।ସେହି ଶାଢ଼େ ପାଞ୍ଚ ଫୁଟିଆ ମଣିଷକୁ ଦେଖି  ଥମିଗଲା ତାଙ୍କ ପାଦ ।ହେଲେ ,ଥାନାରେ ଏହାର କି କାମ ।
"ମୋର୍ ଛୁଆମାନ୍ କୁ ଖୁଜି ଦିଅଗୋ ଆଜ୍ଞା ।ତମକୁ
ବିନତି କରୁଛେ ।ତମର୍ ବୁଆ-ମାଆ କେ ଶହେ ଜୁହାର୍ କରୁଛେ"।                                                                    
ଦୀପ୍ତି ମେଡମଙ୍କ ଗୋଡ ଦୁଇଟାକୁ ଜାବୁଡ଼ି ଧରି କରୁଣ କଣ୍ଠରେ ପାଟିକରି  ପୁଣି ଜୋର୍ ରେ କାନ୍ଦ ଆରମ୍ଭ କଲା ଲୋକଟି ।ଇନ୍ ଚାର୍ଜ ମେଡମଙ୍କୁ ଦେଖି ଉପସ୍ଥିତ ସବୁ କର୍ମଚାରୀ ଜଣେ ପରେ ଜଣେ ସେଠାରୁ ଖସିବା ଆରମ୍ଭ କରି ଦେଉଥିଲେ ।
"ଛାଡ୍ ...ଛାଡ୍ କହୁଛି ମତେ।ନ ହେଲେ ହାଜତରେ ପୁରେଇ ଦେବି"।ଜବରଦସ୍ତି ଦୁଇ ଗୋଡ଼କୁ ତା ଠାରୁ ଛଡ଼େଇଲେ । ଅଫିସରେ ପହଞ୍ଚି, ଚୌକିରେ ବସି ଦମ୍ ନେଲେ ସେ ।
ପାଣିଗ୍ଲାସଟିକୁ ଆଣି ପିଇଲା ପରେ ମନଟା ଟିକେ ଥଣ୍ଡା ହେଲା। ।ଆଖି ଆଗରେ ଦିଶିଲା, ଲୋକଟାର ବିକଳ ଭାବ ।ସେ କଣ ଛୁଆ ଖୋଜିଦିଅ କହୁଥିଲା   ।
"ଛୁଆ" ଶବ୍ଦରୁ ସରକାରଙ୍କ ତାଗିଦା କଥା ମନେ ପଡିଗଲା ।ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ମହିଳା ଓ ଶିଶୁବିଭାଗରୁ ଆସିଥିବା ଚିଠି ପଡ଼ିଛି ଆଖି ସାମ୍ନାରେ ,ଟେବୁଲ ଉପରେ ।ସେ ସଙ୍ଗେ-ସଙ୍ଗେ ଡକେଇଲେ ତାକୁ।
ସେ ଆସି ବସିପଡ଼ିଲା ,ତଳେ ।ମେଡମ ପାଖରେ ତା କାନ୍ଦର ଲହରୀ ପୁଣି ବଢିଗଲା ।
"   କଣ ହେଲା ଠିକ ଭାବରେ ନ କହିଲେ କେମିତି ବୁଝିବି । କିଏ ନେଲା ? କାହାକୁ ନେଲା ?
 
 
କେବେ ନେଲା ? ସବୁ ଖୋଲି କି କହ ମତେ "।
ଆଜ୍ଞାଗୋ ..."ସେ ରଇଖିଅ ଦାମୋଦର ମୋର ଘର ପାଖେ ରହୁଥିଲା ।ହେ ମୋର ଛୁଆକୁ ନେଇଛେ ।ବିନ୍ ମାଆର୍ ଛୁଆ ଗୋ। । କେନ ଥିଵେ ? କେନ୍ତା କରୁଥିବେ ? କିଜାନି ? ଖୁଜି ଦିଅ ଗୋ ତାହାକୁ "।
ତା ଲୁହମାନେ ଆଖିରୁ ଟପ୍-ଟପ୍ ଝରୁଥିଲେ । ଭିଜି ଯାଉଥିଲା ତା ପିନ୍ଧାଶାଢ଼ୀ ।
ଦୀପ୍ତି ମେଡମ ବଢ଼ିଛନ୍ତି ଏଠି,   ଏହି ସହରରେ ।ଏଠାକାର ଭାଷା,ଚାଲି ଚଳଣୀ କୁ ସେ ବୁଝିଛନ୍ତି ଠିକ୍ ଭାବରେ ।
"ବିନ୍  ମାଆର୍ ବେଲେ ,ତମେ ଛୁଆଙ୍କ କଣ ଲାଗ" ? ପଚାରିଲେ ସେ ।
"ମୁଇ ତାଙ୍କର ବୁଆ ଗୋ "।ଗାମୁଛାରେ ଲୁହ ପୋଛୁ-ପୋଛୁ କହିଲା ସେ । 
"ଅଦ୍ଭୂତ କଥା ,ରୂପ ଧରିଛ ସ୍ତ୍ରୀ ର ଆଉ କହୁତ ତମେ ଛୁଆଙ୍କ ବାପା। ତୁମେ ସ୍ତ୍ରୀ କି ପୁରୁଷ ପ୍ରଥମେ କହ "।ଟିକିଏ ଶକ୍ତ ହୋଇ ବଡ଼ ପାଟିରେ କହିଲେ ମେଡମ ।
ମୋର୍ ନାଆ ରମେଶ ଆଜ୍ଞା ।ଇନୁ ପନ୍ଦର କିଲୋମିଟର ଦୁରିଆ ଦମକିବାହାଲ ଗାଁନ ମୋର୍ ଘର୍ ।ମୋର୍ ମାଏଝି, ଛୁଆ ଆଉ ଗାଁନ ବୁଆ ,ଦଦା ,ସାଙ୍ଗସାଥୀ ସଭେ ଅଛନ୍।
ଲୋକଟି କହୁଥିଲା ।କହି ଚାଲିଥିଲା ତା ଜୀବନର ସେହି ନିର୍ମମ ସତ୍ୟକୁ ,ଦିପ୍ତୀ ମେଡମଙ୍କ ପାଖରେ ।
ସେମାନେ ତିନି ଭାଇ , ସେ ସାନ।ସ୍ୱଚ୍ଛଳ ଚାଷୀ ପରିବାର ।ଅଭାବ ଅସୁବିଧା କିଛି ନ ଥିଲା ଜୀବନରେ ।ତା ଭାଇମାନେ କିନ୍ତୁ ଜମା ଖୁସି ନ ଥିଲେ ,ତା ଜନ୍ମରେ ।ଆଶା କରିଥିଲେ ଭଉଣୀ ଆସିଲେ ରାକ୍ଷୀ ବାନ୍ଧିବ ତାଙ୍କୁ । ପୁଣି ଗୋଟିଏ ଭାଇକୁ ଦେଖି ମନ ଭାଙ୍ଗିଗଲା ତାଙ୍କର ।ମାଆ, ବାପା ସହିତ ସମସ୍ତଙ୍କର ମନ ଖଟ୍ଟା ହୋଇଗଲା ,ତାକୁ ଦେଖି ।
ଶରୀର ଗଠନରେ ପୁଅ ସିନା,ମନ ଥିଲା ତାର ଝିଅ ପରି ।ସ୍କୁଲ ଯିବା ପର୍ଯ୍ୟନ୍ତ ସେ ପିନ୍ଧୁଥିଲା ଝିଅ ଡ୍ରେସ ।ମାଆ ପିନ୍ଧଉଥିଲା ତାକୁ।
ତାର କୋମଳ ସ୍ୱର,ଚାଲିବା   ଭଙ୍ଗୀ କିନ୍ତୁ ଜମା ପୁରୁଷପିଲା ପରି  ନ ଥିଲା ।କିଶୋର ବୟସ ହେବା ପରେ ଅଧିକ ଲାବଣ୍ୟ ଦେଖାଗଲା ତା ଠାରେ ।
ଏହିଠାରୁ ନୂଆ ମୋଡ଼ ନେଲା ତା ଜୀବନ ।ଟାହିଟାପରା କଲେ ପଡୋଶୀ ।ତା ବନ୍ଧୁବାନ୍ଧବ ଆହା ଚୁ-ଚୁ କଲେ ।ତାର ଶିକ୍ଷକମାନେ କହୁଥିଲେ ,ସେ ପୁରୁଷ ଭିତରେ କୁଆଡେ ନାରୀଟିଏ।
ଉପେକ୍ଷା କରୁଥିଲେ ତାର ବାପା-ଭାଇ।ଦୂରେଇ ଯାଉଥିଲେ
ତାର ସାଙ୍ଗ-ସାଥୀ ।ତାକୁ ଦେଖିଲେ ମୁହଁରେ ଲୁଗାଦେଇ ହସୁଥିଲେ ଝିଅମାନେ ।
ରମେଶ ଏକଲା ପଡି ଯାଉଥିଲା ।ମନ ବିଦ୍ରୋହ କରୁଥିଲା। ।ଇଛା ହେଉଥିଲା ଦୂରକୁ ,ବହୁ ଦୂରକୁ ଚାଲିଯିବାକୁ ।କେବଳ ମାଆର ମମତା ଟିକକ ବାନ୍ଧି ରଖିଥିଲା ତାକୁ।
ତାର ବହୁତ ଇଛା କଲେଜ ପଢ଼ିବା ପାଇଁ  । ଦଶମ ଶ୍ରେଣୀ   ପାସ ମଧ୍ୟ କଲା ପ୍ରଥମ ଶ୍ରେଣୀରେ ।ବାପା କିନ୍ତୁ କଲେଜ ନାଆରେ ବିରକ୍ତ ହୋଇଗଲେ ।" ଗାଁରେ କମ ହେଲା ଯେ ,ଇଜ୍ଜତ ନେବାକୁ ଯିବୁ ସହରକୁ"।ସେ ଦିନ କହିଥିଲେ ତାକୁ।
ବିଦ୍ରୋହ କରୁଥିଲା ତା କିଶୋର ମନ । ସେ କିଛି ବୁଝିପାରୁ ନ ଥିଲା ।ସେ କଣ ଅଲଗା ବଡ ଦୁଇ ଭାଇଙ୍କ ଠାରୁ ।ସେ ଗାଁର ଅନ୍ୟ ପିଲାଙ୍କ ପରି ଅଧନଙ୍ଗଳା ହୋଇ ଡୁବକି ମାରୁଛି କେନାଲରେ।ସାଙ୍ଗମାନଙ୍କ ସହ ଚୋରି କରୁଛି ,ସାହୁ ବୁଢ଼ାର ଆମ୍ବ। ।ବଡଭାଇ,ବାପାଙ୍କ କଥାକୁ ମାନିଆସିଛି ସବୁବେଳେ । କଣ ଭୁଲ କଲା ସେ  ।ତା ଠାରୁ କାହିଁକି ଦୂରେଇ ଯାଉଛନ୍ତି ସମସ୍ତେ ।
ହଁ ,ଥରେ ଭୁଲ କରିଥିଲା ନବମ ଶ୍ରେଣୀରେ ।ଘରେ ମାଆ ନ ଥିଲାବେଳେ ମାଆର ସ୍ନୋ,ପାଉଡର,ବିନ୍ଦି ନିଜେ ଲଗେଇ ଥିଲା ।ମାଆର ଶାଡି ପିନ୍ଧି ଉଲ୍ଲସିତ ହୋଇଥିଲା,ଦର୍ପଣରେ ନିଜକୁ ନିଜେ ଦେଖି । ଧରା ପଡିଗଲା ମାଆ ପାଖରେ କିନ୍ତୁ ସେଦିନ ।
ତାର ଏବେ ମଧ୍ୟ ମନେଅଛି ,ମାଆର୍ କି ବିକଳ କାନ୍ଦଣା ।ସେ କାନ୍ଦି-କାନ୍ଦି କହିଥିଲା ତାକୁ "ଦେଖ ପୁଅ ,ତୁ ପୁରୁଷ ହୋଇ ମୋ ପେଟରୁ ଜନ୍ମ ନେଇଛୁ ।ପୁରୁଷ ହୋଇ ରହ "।
ନାରୀ ହେବାର ଅକଳ୍ପନୀୟ ଇଚ୍ଛା ଓ ପୁରୁଷ ହୋଇଥିବାର ଅସହାୟତା ତାକୁ ଅଲଗା କରି ଦେଉଥିଲା ।ସେ ବଞ୍ଚୁଥିଲା ଏକଲା ହୋଇ ।ଦିନେ କିନ୍ତୁ ମାଆର ଆକସ୍ମିକ ମୃତ୍ଯୁ ବନ୍ଧନମୁକ୍ତ କରିଦେଲା ତାକୁ ।ଗାଁର ପଞ୍ଜୁରୀ ଛାଡି ସେ ଉଡ଼ି ଆସିଲା ସହରର ନୀଳ ଗଗନକୁ ।
ଘରୁ ଆଣିଥିବା ଟଙ୍କାରେ ପେଟ ଭରିଲା କେତେଦିନ ।ଦୋକାନ ବାରଣ୍ଡାରେ କଟି ଯାଉଥିଲା ରାତି ।ଭୋକ କିନ୍ତୁ ଦିନେ ଦେଖେଇଦେଲା ତା ଶକ୍ତି ।ହାତପାତି ସେ ଛିଡାହେଲା ଗୋଟିଏ ହୋଟେଲ ସାମ୍ନାରେ ।
ହୋଟେଲ ମାଲିକର ଆଖିରେ ଆଶ୍ଚର୍ଯ୍ୟ ଭାବ ।ଦୁଇ ଚାକର ପିଲାଙ୍କ ମୁହଁରେ ମୁଚୁକୁନ୍ଦ ହସ  ।ଆଶ୍ରା  ପାଇଗଲା ସେଠି ।କିଛି ଦିନ ଭିତରେ ତାର ଅଣ୍ଟା ହଲା ଚାଲି ଖୁବ ଆକର୍ଷିତ କଲା ଗ୍ରାହକଙ୍କୁ  ।
ହୋଟେଲରେ କାମ କରିବା ଦିନଠୁ ପ୍ରତ୍ୟେକ ରାତ୍ରୀ ଅଭିଶପ୍ତ ହେଉଥିଲା ତା ପାଇଁ ।ଅନ୍ଧକାର ଯନ୍ତ୍ରଣା ନେଇ ଆସୁଥିଲା।ସବାଳୁଆ ପରି ହାତମାନେ ତା ଦେହରେ ସାଲୁବାଲୁ ହେଉଥିଲେ ପ୍ରତି ରାତିରେ।
ଧୀରେ-ଧୀରେ ଅଭ୍ୟସ୍ତ ହୋଇଗଲା। ସ୍ୱାଭାବିକ ଲାଗିଲା ଏସବୁ। ସେଠି ତିନିବର୍ଷର ରହଣୀ ତାର  ।ସମସ୍ତେ ଖୁସି ଥିଲେ ,ତା ଉପରେ ।ତାର ମନ କିନ୍ତୁ ଖୋଜୁଥିଲା କିଛି ନୂଆଁ ।
ଏବେ ପୁଣି ଥରେ ତାର ଆକାଶମୁହାଁ ହେବାର ବେଳ,ବିନା ଲକ୍ଷ୍ୟରେ ସେ ଚାଲୁଥିଲା ।ମନ ଟାଣୁଥିଲା ଆଗକୁ-ଆଗକୁ ।ପାଦ ଥମିଗଲା ଝାରସୁଗୁଡ଼ା ରେଳଷ୍ଟେସନ ପାଖ ଝୁମ୍ପୁଡି ବସ୍ତିରେ ।
ମନ ଟାଣିଲା କହିଲେ ଭୁଲ୍ ହେବ।ତାକୁ ମୀନନୟନୀ ବାନ୍ଧିଦେଲା ସେଠି ।ତେଣୁ ଅଟକି ଗଲା ସେଠାରେ ।
ନିଜ ପାଇଁ ବସା ଖୋଜିଲା ।ପେଟ ପାଇଁ ଦାନା ଯୋଗାଡ଼ କଲା। ସେ ସବୁଦିନ ଭେଟୁଥିଲା ତା ସ୍ୱପ୍ନର ନାୟିକା ରୂପକୁମାରୀକୁ ।ମଜୁରୀ କରିଯିବା ବାଟରେ ।ତାଠୁ ଅଧିକା କଣ ତାକୁ ଦରକାର ଯେ ।
ରୂପକୁମାରୀ...ପଙ୍କ ଗାଡ଼ିଆରେ ପଦ୍ମଟିଏ ।ଘାୟଲ ହୋଇଯାଏ ତା ଓଠର ଧାରେ ହସରେ ।ଛାତିରେ ସାଇତିକରି ରଖେ ତାକୁ ।ଘର, ଗାଁ,ତା ଅତୀତ ସବୁ ଅଦୃଶ୍ୟ ହୋଇ ଯାଉଥାନ୍ତି ତା ହୃଦୟରୁ, ତାକୁ ଦେଖିବା ପରେ  ।
"ତା ହେଲେ ତମେ ତାକୁ ପ୍ରେମ କରୁଥିଲ" ? ଅଜସ୍ର ଉତ୍ସୃକତା
ଏବେ ଦିପ୍ତୀ ମେଡମଙ୍କ ମନରେ ।
"ନାହିଁଗୋ ମେଡମ ,ମୁଇ ଏକଲା ନାଇଁ କରୁଥାଇ,ସେ ବି ମତେ ଲଭ କରୁଥିଲା"।
ଏବେ ମଧ୍ୟ ଲଜ୍ଜାର ଅରୁଣିମା ତା ମୁହଁରେ ।ଖୁସିର କଲ୍ଲୋଳ ତା ଆଖିରେ ଝଲସି ଯାଉଥିଲା ।
ସେ କହୁଥିଲା । ଫର୍ଦ୍ଦ-ଫର୍ଦ୍ଦ କରି ଖୋଳୁଥିଲା ତା ହୃଦୟର ବହି। ।କେମିତି ଏକ ବର୍ଷଣମୁଖର ରାତ୍ରୀରେ ,ରୂପକୁମାରୀ ଆସିଲା ତା ଝୁମ୍ପୁଡିଘରକୁ ।କହିଲା ବାପା-ମାଆ ର ଅତ୍ୟାଚାରର କଥା ।ଆଉ ମଧ୍ୟ କହିଲା ତା ହୃଦୟର କଥା  ।
ସେ ଦିନ ଖୁସିରେ ଆତ୍ମହରା ହୋଇଥିଲା ରମେଶ ।ଦୁଇ ଖଣ୍ଡ ପିନ୍ଧା କପଡା,ଆଉ ତା ପାଖରେ ଥିବା ତିନି ହଜାର ଟଙ୍କା
ଧରି ରୂପକୁମାରୀ ସହ ଫେରାର ହୋଇଗଲା,ସକାଳ ହେବା ଆଗରୁ ।
ପୁଣି ନୂଆଁ ଜାଗା,ନୂଆଁ ଲୋକ ।   ଏ  ଥର କିନ୍ତୁ ସେ ଏକା ନ ଥିଲା ।ସାଥୀରେ ଥିଲା ତାର ଜୀବନସାଥୀ ।କେଇଟା ମାସ ନ ଯାଉଣୁ, କୁନି ଝିଅର କୁଆଁ -କୁଆଁ କାନ୍ଦ ଶୁଭିଲା  ।ତା କାନ୍ଦରେ କମ୍ପିଗଲା ଝୁମ୍ପୁଡି ବସ୍ତିଟା ।ସଖି କଣ୍ଢେଇ ପରି । ତା କୋଳରେ ଖେଳିଲା ଝିଅ ।ତା ପଛକୁ ଦୁଇବର୍ଷ ପରେ ଆସିଲା ପୁଅ ।ତା ସଂସାର ହସୁଥିଲା ଖିଲି-ଖିଲି ହୋଇ।
"ସେମାନେ କଣ ତମ ନିଜ ସନ୍ତାନ " ?ମେଡମଙ୍କ ଆଖିରେ ଅବିଶ୍ୱାସର ଚିହ୍ନ ।
" ହଏଗୋ ମେଡମ ହେନ୍ତା କେନ୍ତା କହେସ ଗୋ  ,ମୋରନୁ ଜନମ ହେଲା ଛୁଆ ଅନ୍ ସେମାନେ " ଛାତିରେ ହାତ ରଖି କହିଲା ସେ ।ତା ମୁହଁରେ ପିତୃତ୍ଵର ଗର୍ବ ଫୁଟି ଉଠୁଥିଲା ।
ଅବଶ୍ୟ ତା ପାଖ ପଡୋଶୀ ସାବଧାନ କରିଥିଲେ ।ଅଚିହ୍ନା ଲୋକଟିଏ ତା ଘରକୁ ଯିବା-ଆସିବା କରୁଥିବା କଥା କହିଥିଲେ । ତାର କିନ୍ତୁ ଅଖଣ୍ଡ ବିଶ୍ୱାସ ରୂପକୁମାରୀ ଉପରେ ।ପବନରେ ଉଡେଇ ଦେଇଥିଲା ତାଙ୍କର କଥା ।
ଦିନେ ସନ୍ଧ୍ୟାରେ କାମରୁ ଘରକୁ ଫେରି ଦେଖିଲା ,ଉଜୁଡି ଯାଇଛି ତା ସଂସାର ।ଶୁଣିଲା ଭୋକ-ଶୋଷରେ  ଆକୁଳ ଦୁଇ ଛୁଆଙ୍କ ଆକୁଳ କ୍ରନ୍ଦନ।ସେତେବେଳେ ବୁଝିଲା ସବୁ କଥା ।କିଏ ଉଡେଇ ନେଇଛି ତା ସ୍ତ୍ରୀକୁ ।
ଦାରୁଣ ଦୁଃଖରେ ବୁଡ଼ିଗଲା ସେ।ବିଗିଡ଼ି ଗଲା ତା ମାନସିକ ସ୍ଥିତି , କେଇ ଦିନ ଯାଏ  ।ପୁଣି ସେ ଅଣ୍ଟା ସଳଖି ଠିଆ ହେଲା ,ଦୁଇ ଛୁଆଙ୍କ ମୁହଁରେ ଦାନା ଦେବା ପାଇଁ ।ପୁଣି ଖଟିଲା ଆଗପରି,ସକାଳୁ ସଞ୍ଜ ଯାଏ ।ଲାଗିପଡ଼ିଲା ନୂଆଁ ନୀଡ଼ଟିଏ
ଖୋଜିବାକୁ ।
"ତୋ ସ୍ତ୍ରୀ ତତେ ଛାଡି ଅନ୍ୟ ପୁରୁଷ ସହ ପଳେଇଲା ,କେମିତି ମାଇକିନିଆ କିରେ  ?   ଦୀପ୍ତି ମେଡମଙ୍କ ମୁହଁରେ ରାଗ ସହ ଘୃଣା ଫୁଟି ଉଠୁଥିଲା, ରୂପକୁମାରୀ ପ୍ରତି ।
"ହେନ୍ତା ନାଇଁ କହଗୋ ଆଜ୍ଞା ।ମୋର୍ ମିତାଲ କୁଲି କାମ କରୁଥିବାର ଲୋକ ପାଖେ ,ହେତକି ଦିନ ରହେଲା, ହେଟା ମୋର୍ ଭାଗ୍ୟର କଥା।  ମୁଇ ତାହାକେ କେଭେଁ ଦୋଷ ନାଇଁ ଦିଏ ।ଡ୍ରାଇଭର ସଙ୍ଗେ ଗଲା ଯେ,ଟିକେ ବନେକରି ରହେବା ।
"  ଆଉ ତମର ଏ ସ୍ତ୍ରୀ ବେଶ"?ଦୀପ୍ତି ମେଡମଙ୍କ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚି ସାରିଥିଲା।
"ହେଟା ପରେ...ସେନୁ ଦୁଇ ଛୁଆକୁ ଧରି ପଲେଇ ଆସଲି ,ଇ ଦୀମାପୁର କେ ।ହେଇ ଯିବାନ ଛ-ଆଠ ମାସ "।
ପୁଣି ଥରେ ସେ ଜୀବନକୁ ବଞ୍ଚିଲା ।ନୂଆଁ ମୋଡ଼ ନେଲା ସମୟ,ଏଠାକୁ ଆସିବା ପରେ । ଭେଟିଲା ଗୋକୁଳ ନନ୍ଦକୁ, ତା ପରି ମଣିଷଟିଏ ।
ଗୋକୁଳ ଜୀବନ ବଞ୍ଚିବା ଶିଖାଇଲା ।ସ୍ନେହ କଲା ତା ଛୁଆ ମାନଙ୍କୁ ।ରୂପକୁମାରୀ ଯିବା ପରଠୁ ସେ ବୁଝିପାରିଥିଲା ନିଜକୁ ,ତେଣୁ ଗୋକୁଳାନନ୍ଦର ପ୍ରେମକୁ ସ୍ୱୀକାର କରିବାରେ ତାର ଆପତ୍ତି ନ ଥିଲା ।
ଗୋକୁଳର ଇଚ୍ଛାକୁ ସମ୍ମାନ ଦେଇ ସେ ନାରୀ ହେବାକୁ ପ୍ରସ୍ତୁତ ହେଲା  ।
ଠିକ ହେଲା ,ତାର ଲିଙ୍ଗ ପରିବର୍ତ୍ତନ କରିବ କଟକରେ ।ହେଲେ ତାର ପୁଅ-ଝିଅ ?
ଏତିକିବେଳେ ଛୁଆଙ୍କ ଦାୟିତ୍ୱ ନେବାକୁ ଆଗେଇ ଆସିଲା, ତାର ପଡୋଶୀ ଦାମୋଦର।ସେ କେବଳ ପଡୋଶୀ ନ ଥିଲା,ଥିଲା ତାର ଅନ୍ତରଙ୍ଗ ବନ୍ଧୁ ।ତା ହାତରେ ଛୁଆଙ୍କ ସବୁ ଦାୟିତ୍ୱ ଦେଇ ଗୋକୁଳ ସହ ସେ ଗଲା କଟକ ।
କଟକରେ ଅପରେସନ ତଥା ବିବାହ ହୋଇଗଲା , ସୁରଖୁରରେ  ।ସେଠାରୁ ଫେରି ଦେଖୁଛି,ତାର ପ୍ରିୟ ବନ୍ଧୁ ଫେରାର ହୋଇ ଯାଇଛି ,ତାର ଦୁଇ ଛୁଆକୁ ଧରି ।
"କେତେଦିନ ହେଲା ଏ ଘଟଣାକୁ ।ତମେ ନିଜେ ଖୋଜା ଖୋଜି କଲକି ନାଇଁ "?  ମନଟା ଆଦ୍ର ହୋଇ ଯାଉଥିଲା ଦୀପ୍ତି ମେଡମଙ୍କ ।
"ଦୁଇ ଦିନ ହଉଛେ ଗୋ ଆଜ୍ଞା ।ଆମେ ମାଏଝି -ମୁନୁଷ ଆଖେ-ପାଖେ ଖୁଜି ସାଇଲୁନ ।ଜଖା-ପାଗଲ ମିତାଲ ମୁଇ ଖୁଜୁଛେ ।ନାଇଁ ପାଏବାର ।ଏତକିଟେ ଦିନ ହେଲା ନ ମୋର୍ ଛୁଆମାନକୁ ନାଇଁ ଦେଖିକରି ମୋର୍ ଆଏଖ ଫୁଟି ଯାଉଛେ ଗୋ"।
"ସବୁ  କଥା ଠିକ ଭାବରେ ଦରଖାସ୍ତରେ ଲେଖି କରି ତୁମେ
ଘରକୁ ଯାଅ । ସାତ ଦିନ ଭିତରେ ତମ ଛୁଆମାନେ ତମକୁ ମିଳିଯିବେ " ।ଥାନା ଅଧିକାରୀ ଦୀପ୍ତି ମହାନ୍ତିଙ୍କ ପୋଲିସ ପୋଷାକରୁ ବାହାରି ଆସି ମାଆଟିଏ କହିଲା ।
ମେଡମଙ୍କୁ ଢୋ କରି ମୁଣ୍ଡିଆଟେ ମାରିଲା ରମେଶ ବିଶ୍ୱାଳ ଉର୍ଫ ଶାନ୍ତି ନନ୍ଦ । ସ୍ୱାମିର ହାତ ଧରି ସେ ଫେରୁଥିଲା ଘରକୁ ଆଉ ଗେଟରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଦିପ୍ତୀ ମେଡମ ଦେଖୁଥିଲେ ଦୁହିଁଙ୍କୁ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment