Welcome to shalandi webzine

ଅଧାଲେଖା ଇତି

ସାଗରିକା ପାଣିଗ୍ରାହୀ

ମେଡିକାଲ କଲେଜର ଲାବୋରେଟରୀ ଟେବୁଲରେ ପଡିଥିଲା କଙ୍କାଳଟିଏ । କ୍ୟାନସର ସ୍ପେସାଲିଷ୍ଟ ଅର୍ଣ୍ଣବ ପଏଣ୍ଟରରେ ସ୍ପର୍ଶ କଲେ କଙ୍କାଳକୁ । ହଠାତ୍ ଅନୁଭବ କଲେ ଏକ ବିଜୁଳି କରେଣ୍ଟ ଖେଳିଗଲା ତାଙ୍କ ସମଗ୍ର ଶରୀରରେ । କେହିଜଣେ ଛାତ୍ର କହିଲା--ସାର୍ କଙ୍କାଳକୁ ନେଇ ପାଠ ପଢିଲା ବେଳେ ମାଟି ତଳୁ ସଦ୍ୟ ଏକ ଫସିଲ ଆବିଷ୍କାର କଲା ପରି ଲାଗୁଛି

ମେଡିକାଲ କଲେଜର ଲାବୋରେଟରୀ ଟେବୁଲରେ ପଡିଥିଲା କଙ୍କାଳଟିଏ । କ୍ୟାନସର ସ୍ପେସାଲିଷ୍ଟ ଅର୍ଣ୍ଣବ ପଏଣ୍ଟରରେ ସ୍ପର୍ଶ କଲେ କଙ୍କାଳକୁ । ହଠାତ୍ ଅନୁଭବ କଲେ ଏକ ବିଜୁଳି କରେଣ୍ଟ ଖେଳିଗଲା ତାଙ୍କ ସମଗ୍ର ଶରୀରରେ । କେହିଜଣେ ଛାତ୍ର କହିଲା--ସାର୍ କଙ୍କାଳକୁ ନେଇ ପାଠ ପଢିଲା ବେଳେ ମାଟି ତଳୁ ସଦ୍ୟ ଏକ ଫସିଲ ଆବିଷ୍କାର କଲା ପରି ଲାଗୁଛି । ଆଉ ଜଣେ ଛାତ୍ର କହିଲା-- ନା ସାର୍ ଆଜି ଆଉ ପଢିବାନି , ବରଂ ଏ କଙ୍କାଳଟି ଏକ ଅନୁଢା ଯୁବତୀର ନା କେଉଁ ପୁରୁଷର ତାହା ଆଲୋଚନା କରାଯାଉ । ନିଜ ହୃଦୟ ରେ ମୁଣ୍ଡ ଟେକୁଥିବା ଏକ ଉତୁଙ୍ଗ ଉର୍ମିକୁ ରୋକି ନେଉନେଉ ଅର୍ଣ୍ଣବ କହିଲେ-ଏ କଙ୍କାଳଟି କାହାର ତାହା ମୋ ଆଲୋଚନାର ପରିସରଭୁକ୍ତ ନୁହେଁ, ତୁମେ କରିପାର ।
ହଲରୁ ବାହାରି ଆସୁ ଆସୁ ସେ ଚୁପ୍ ହୋଇଯାଉଥିଲେ ଠିକ୍ ଯେମିତି ଝଡ ଆସିବା ପୂର୍ବରୁ ଥମ୍ ହୋଇଯାଏ ପୃଥିବୀ । ସେ ଜାଣିଥିଲେ କଙ୍କାଳଟି କାହାର ।
ଘରକୁ ଫେରିବା ବେଳେ ସେ ଅନୁଭବ କରୁଥିଲେ ଅୟୁତ ଯୁଗର କ୍ଳାନ୍ତି ।ତାଙ୍କ କାନରେ ଗୁଞ୍ଜରିତହେଉଥିଲା ମୃତ୍ୟୁସହ ଲଢେଇ କରି ହାରିଯାଇଥିବା ରୁଚିରାର କେଇପଦ କଥା-ସମୁଦ୍ର କି ନଈକୂଳକୁ ନ ଗଲେ କ'ଣ ବାଲିଘର ତିଆରି କରି ହୁଏନା ।
ନିଜ ମନର ନଈପଠାରେ କାହାର ସ୍ପର୍ଶସବୁ ଯେବେ ମୁଠା ମୁଠା ବାଲି ହୋଇ ଆସ୍ତରଣଟିଏ ସୃଷ୍ଟି କରେ,ବାଲିଘରଟିଏ ତ ଗଢିହେବ ସାର୍ । ଆଉ ଯଦି ନା ତେବେ ମତେ ଥରେମାତ୍ର ନେଇ ଚାଲନ୍ତୁ ସମୁଦ୍ର କୂଳର ଏକ ନିରୋଳା ବାଲୁକାଶଯ୍ୟାକୁ । ସତସତିକା ସଂସାରତ କରିପାରିବିନି ହେଲେ ସନ୍ଧ୍ୟାର ସେଇ ରମଣୀୟ ସୂର୍ଯ୍ୟାସ୍ତର ସ୍ପର୍ଶରେ କିଛି ମୁହୁର୍ତ୍ତର ଖୁସିକୁ ସାଉଁଟିନେବି ବାଲିଘରଟିଏ ଗଢି । ଗୋଟିଏ ମାତ୍ର ସର୍ତ୍ତ ଆପଣ ମତେ ନେଇଯିବେ ସେଠିକୁ । ମୁଁ ଡାକ୍ତରଖାନାର ଏଇ ଚାରିକାନ୍ଥର କୋଠରୀରେ ଅଣନିଃଶ୍ବାସୀ ହୋଇପଡିଲିଣି । କେବଳ ଥରେ ମାତ୍ର ଆକୁଳ ଅନୁରୋଧ ତାର ।
ଘରେ ପହଞ୍ଚୁ ପହଞ୍ଚୁ ଅର୍ଣ୍ଣବ ମୋହଗ୍ରସ୍ତ ପରି ତାଙ୍କସଦ୍ୟ ବିବାହିତା ପତ୍ନୀକୁ କହିଲେ -ଚିନ୍ମୟୀ ଚାଲ ସମୁଦ୍ର କୂଳକୁ ଯିବା, ତୁମେ ତୁମ ପସନ୍ଦର ବାଲିଘର ତିଆରି କରିବ । କିନ୍ତୁ ପରୋକ୍ଷରେ ସେ ଅନୁଭବ କରିବାକୁ ଚାହୁଁଥିଲେ ତାଙ୍କ ଜୀବନର ସେ ଅଭାବନୀୟ ସନ୍ଧ୍ୟାର ସେ ଉଷୁମ ଆବେଗର ବନ୍ଧନକୁ । ତାର ସେ କଙ୍କାଳର ସ୍ପର୍ଶ ଓ ବିଜୁଳି କରେଣ୍ଟର ଅନୁଭବ ସବୁକିଛି ଉଖାରି ପକାଉଥିଲା ତାଙ୍କ କ୍ଷତକୁ । ବିସୃତିର ଅତଳ ଗର୍ଭକୁ ଠେଲିଦେଇଥିବା ସୃତିର କ୍ଷତଟା ସତେ ଯେମିତି କାହାର ହାତବାଜି କେଞ୍ଚି ହୋଇଗଲା ।
ଡାକ୍ତର ଅର୍ଣ୍ଣବ ଓ ଚିନ୍ମୟୀ ବାହାରିଲେ ଟାଟା ମିମୋରିଆଲ ହସ୍ପିଟାଲ ନିକଟସ୍ଥ ତାଙ୍କ ଫ୍ଲାଟରୁ ସମୁଦ୍ର -କୂଳକୁ । ଠିକ୍ ଯେମିତି ସେ ରୁଚିରାର ଆକୁଳ ଅନୁରୋଧ ଏଡି ନ ପାରି ତାକୁ ନେଇ ଯାଇଥିଲେ ସମୁଦ୍ରକୂଳକୁ । ଗାଡି ଡ୍ରାଇଭ କରି ଗଲାବେଳେ
ଖୁସିରେ ଜପୁଥିବା ପତ୍ନୀକୁ ଶୁଣୁଥିଲେ ସିନା ହେଲେ ସେ ମନେ ମନେ ଭାବୁଥିଲେ ରୁଚିରାର ଅଜବ ପ୍ରସ୍ତାବକଥା ।
ବ୍ଳଡ କ୍ୟାନସର ରୋଗରେ ଆକ୍ରାନ୍ତା ଥିଲା ଷୋଡଷୀ ରୂପସୀ ରୁଚିରା । ତାର ଟ୍ରିଟ୍‌ମେଣ୍ଟ କରୁଥିଲେ ଯୁବଡାକ୍ତର ଅର୍ଣ୍ଣବ । ଅଜବ ଖିଆଲି ଝିଅଟିଏ, ସ୍ବପ୍ନମଖା ଆଖି, ଛାତିରେ ଛାତିଏ ଭଲପାଇବା ଅର୍ଣ୍ଣବଙ୍କ ପ୍ରତି ।
 
 
ଅର୍ଣ୍ଣବଙ୍କ ଅଜାଣତରେ ଏକାନ୍ତ ଥିଲା ତାର ଅନୁଭବ । ଅଦ୍ଭୁତ ଖିଆଲ ତାର, ଟ୍ରିଟ୍‌ମେଣ୍ଟ ବେଳେ ଅର୍ଣ୍ଣବ ତାକୁ ସାନ୍ବନା ଦେଇପାରୁ ନ ଥିଲେ, କ୍ୟାନସରର ଥାର୍ଡଷ୍ଟେଜ । ଆଜିର ଇଣ୍ଟରନେଟ ଯୁଗରେ କେଉଁ କଥା ବା ଅଜଣା ରହିପାରେ ଯେ ।
ରୁଚିରାର ସର୍ତ୍ତ ଥିଲା ଅର୍ଣ୍ଣବ ହିଁ ନେଇଯିବେ ତାକୁ ସମୁଦ୍ରକୂଳକୁ । ଆଉ ସତକୁ ସତ ଦିନେ ଅର୍ଣ୍ଣବ ତାକୁ ନେଇଗଲେ ଜୁହୁ ବିଚକୁ ଟାଟା ମିମୋରିଏଲ ହସ୍-ପିଟାଲର ରୁଦ୍ଧ କୋଠରୀରୁ ମୁକ୍ତ ପରିସରକୁ । ସେଠାରେ ପହଞ୍ଚି ପ୍ରଗଳ୍ଭା ହୋଇ ଉଠୁଥିଲା ସେ । ଆକୁଳ ନିବେଦନ ତାର, କହିଥିଲା--ମତେ ଥରେ ମାତ୍ର ଆଲିଙ୍ଗନ କର ଡାକ୍ତର, ମୁଁ ମୋ ଭଲପାଇବାର ଉଷ୍ଣତାକୁ ଆଜି କେଇଟା ମୁହୂର୍ତ୍ତ ଅନୁଭବ କରିବାକୁ ଚାହେଁ । ତୁଷାର ପାତ ପରିଧିରେ ଧିରେ ଶୀତଳ ମୃତ୍ୟୁ ମତେ ସ୍ପର୍ଶ କରୁଛି ପ୍ରତିଦିନ । ଅତିଶୀଘ୍ର ସେ ହୁଏତ ଆଚ୍ଛାଦିତ କରିବ ମୋର ସମଗ୍ର ସତ୍ତାକୁ । କେବଳ କେଇ ମୁହୂର୍ତ୍ତର ଉଷ୍ଣତାକୁ ପାଥେୟ କରି ବଞ୍ଚିଯିବି ମୃତ୍ୟୁ ପର୍ଯ୍ୟନ୍ତ । ଏତିକି କହି ସେ ଲୋଟି ଯାଇଥିଲା ଅର୍ଣ୍ଣବଙ୍କ ଛାତିରେ । ହିମବାହ ପରି ଶୀତଳ ହୋଇଯାଉଥିବା ରକ୍ତର ଉଷ୍ଣତାରେ ବହି ଯାଉଥିଲେ ଯୁବ ଡାକ୍ତର ଅର୍ଣ୍ଣବ ।
ସେ କହିଚାଲିଥିଲା - ମୋର ଶେଷ ଇଚ୍ଛା କ'ଣ ଜାଣ ଡାକ୍ତର? ମୁଁ ମୋର ଏ ଶରୀରକୁ ଦାନ କରୁଛି ଏ ହସ୍ପିଟାଲକୁ । ତୁମେ ଯେତେବେଳେ ତାକୁ ସ୍ପର୍ଶ କରିବ,  ମୁଁ ଆରପାରିରେ ଥାଇ ଅନୁଭବ କରିବି ତୁମ ହାତର ସ୍ପର୍ଶ । ସେତେବେଳେ ତୁମେ ମୋ କଙ୍କାଳକୁ ସ୍ପର୍ଶ କରି କ'ଣ ଶିହରଣଟିଏ ଅନୁଭବ କରିପାରିବ?
ଅର୍ଣ୍ଣବଙ୍କ ପାଖରେ ଏହାର ଉତ୍ତର ନ ଥିଲା । ସେ ଭାବୁଥିଲେ କି ବିଚିତ୍ର ଏ ଝିଅର ସ୍ବପ୍ନ,କି ଅଦ୍ଭୁତ ଏ ପ୍ରଶ୍ନ? କଙ୍କାଳକୁ ଛୁଇଁ ଶିହରଣ ସେ ପୁଣି ଏକ ଡାକ୍ତର ଯାହା ପାଇଁ ହୃଦୟ କେବଳ ଏକ ହାତମୁଠା ଆକୃତିର ଏକ ବସ୍ତୁ ।
ସେମାନେ ପହଞ୍ଚିସାରିଥିଲେ ଜୁହୁ ବିଚରେ । ପୁରୀର ବେଳାଭୂଇଁକୁ ଦରାଣ୍ଡୁଥିବା ଚିନ୍ମୟୀଙ୍କୁ ସେ ନେଇଗଲେ ଆପାତତଃ କିଛିଟା ବେଶୀ ବାଲିଥିବା ସ୍ଥାନକୁ । ଚିନ୍ମୟୀ କହିଲେ ମତେ ବାଲିଘର ତିଆରି କରିବାକୁ ଭଲ ଲାଗେ। ହେଉ ପଛେ କ୍ଷଣିକ ଖୁସି କିନ୍ତୁ ତାକୁ ମନରେ ସାଇତି ରଖି ମଣିଷ ବଞ୍ଚେ । ଦଃଖର ଅନୁଭବରେ ତାକୁ ଲେଉଟି ଦେଖିଲେ ସେ କାଳେ ପୁଣି ଚେନାଏ ଖୁସି ଝାଡିଦିଏ ଓଠରେ । ଏମିତି ବଡରୁ ଛୋଟ ହେବାରେ ଛପି ରହି-ଥାଏ ବାଲ୍ୟ ଚପଳତାର ଆନନ୍ଦ ।
ବାଲିଘରଟିଏ ତିଆରିବାକୁ ବାଲିରେ ଗାତ ଖୋଳୁଥିବାବେଳେ ତାଙ୍କ ହାତରେ କିଛି ଶକ୍ତ ଜିନିଷଟେ ବାଜିଲା। ଆଃ,ଚିତ୍କାର କରି ଉଠିଲେ ସେ । ରୁଚିରାର ଉଷ୍ଣତାକୁ ଅନୁଭବ କରୁଥିବା ଅର୍ଣ୍ଣବଙ୍କ ଧ୍ୟାନ ଭଙ୍ଗହେଲା । ସେ ଶୀତଳ କଣ୍ଠରେ କହିଲେ, ଆରେ କ'ଣ ହେଲା ।
ଚିନ୍ମୟୀଙ୍କ ହାତରେ ଥିଲା ଏକ ବଡଫରୁଆ । ତାକୁ ଖୋଲି ଦେଖିଲେ ସେ ।  ଭିତରେ ଥିଲା ପରସ୍ପର ଆଲିଙ୍ଗନବଦ୍ଧ ଏକ ଯୁଗଳ ମୂର୍ତ୍ତି । ତାକୁ ଦେଖି ଚିନ୍ମୟୀ କହୁଥିଲେ--ଦେଖିଲ, କାହାର ଏ ଅଧାଲେଖା ଶାଶ୍ଵତପ୍ରେମ କାହାଣୀ । ହୁଏତ ରୂପ ପାଇ ନ ଥିବ । ବୁଢୀଅସୁରୁଣୀ ସାତତାଳ ପଙ୍କ ଭିତରେ ଫରୁଆରେ ତା ଜୀବନଟିକୁ ସାଇତି ରଖିଲାପରି ତା ଅଧାଲେଖା ପ୍ରେମ କାହାଣୀକୁ ଫରୁଆରେ ଭର୍ତ୍ତିକରି କାଳର କରାଳ ଗର୍ଭରୁ ଲୁଚେଇ କବର ଦେଇଥିଲା ଏ ବାଲିରେ ।
ଅର୍ଣ୍ଣବ ଦୀର୍ଘଶ୍ବାସଟିଏ ନେଇ କହିଲେ--ହଁ ସବୁ ଅଧାଲେଖା ପ୍ରେମକାହାଣୀ ଏ ବାଲିଘର ପରି ।
ସବୁ ପ୍ରେମ କାହାଣୀର ଇତି ନ ଥାଏ । କେବେକେବେ ଇତିରୁ ଆରମ୍ଭ ହେଉଥାଏ।
ଚିନ୍ମୟୀ କିନ୍ତୁ ହଜିଯାଉଥିଲେ ବାଲିଘରଟିଏ ତିଆରି କରିବାରେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment