Welcome to shalandi webzine

ମୁଠାଏ ବାଲି ଦୁଇମୁଠା ଅନ୍ଧାର

କ୍ଷୀରୋଦ ବିହାରୀ ବିଶ୍ବାଳ

ଜୁଲାଇ ମାସର ହାଲୁକା ତତଲା ରାତି, କ୍ଲବଘର ଛାତଉପରେ ହେଁସଟେ ପାରି ଶୋଉଥିଲୁ ଆମେ ପାଂଚଜଣ । ମଝିରେ ବାଇନଭାଇ, ବାଁ ପଟେ ହରି ଆଉ ଲିଟୁ , ଡାହାଣ ପଟକୁ ମୁଁ ଆଉ କଟି ।

ଜୁଲାଇ ମାସର ହାଲୁକା ତତଲା ରାତି, କ୍ଲବଘର ଛାତଉପରେ ହେଁସଟେ ପାରି ଶୋଉଥିଲୁ ଆମେ ପାଂଚଜଣ । ମଝିରେ ବାଇନଭାଇ, ବାଁ ପଟେ ହରି ଆଉ ଲିଟୁ , ଡାହାଣ ପଟକୁ ମୁଁ ଆଉ କଟି ।

ଆମେ ଚାରିଜଣ ସାଂଗ, ଗାଁ ସ୍କୁଲରେ ନବମ ଶ୍ରେଣୀ । ଏକା ବାଇନଭାଇ ଆମଠୁ ଦଶ ଏଗାର ବର୍ଷ ବଡ଼ । କିନ୍ତୁ ବଡ଼ ବୋଲି ତା' ଭିତରେ ଗର୍ବ ଜମାରୁ ନାହିଁ । ସଭିଙ୍କ ସହିତ ମିଶିଯାଏ । ସେ ବୁଢ଼ାଙ୍କ ସହିତ ବିଡ଼ି ଟାଣିଦିଏ ତ, ଆମ ସହିତ କାଚବାଟି ବି ଖେଳେ ।

ରାତିରେ ଆମେ କ୍ଲବ୍ ଘର ଛାତ ଉପରେ ଶୋଇବା ବେଳେ,  ବାଇନଭାଇ କେତେ ଜଣା-ଅଜଣା କଥା କହେ ।
ତା'କୁ ସବୁ କଥା ମାଲୁମ୍ ।
ବେହେରା ଘର ବୋହୂର ଛୁଆ କାହିଁକି ହଉନି ?
ସବୁକଥାରୁ ଚୁପାଛଡ଼େଇ ପଚାରୁଥିବା ନରୁ ବାରିକ, ବାରିକ କାମ ଛାଡ଼ି , ହଲର ମେସିନ କାହିଁକି ପକେଇଲା ?
ହରିମାଷ୍ଟର ଝିଅ ଭୁଏନସର୍ ରେ କ'ଣ କରେ ?
କେତେ ଗପ , କେତେ କାହାଣୀ , କେତେ ରହସ୍ୟ, ସବୁ କଥା ତାକୁ ମାଲୁମ୍ ।

ବେଳେ ବେଳେ ବାଇନ ଭାଇର କଥା , ସମୁଦ୍ର କୂଳିଆ ଗାଁର ଛାତଉପରେ ବୋହୂଥିବା ସମୂଦ୍ର ପବନ ପରି, ଦେହକୁ ଶିହରେଇଦିଏ । ତା' କଥାରେ ତାଳଦେଇ ସମୂଦ୍ର କୂଳର ଝାଉଁବଣ ବି ଗୀତଗାଏ ।
ଥରେ ବାଇନ ଭାଇ କହିଲା ।
"ଯେଉଁବର୍ଷ ଆଶାଢ଼ରେ ମଳମାସ ପଡ଼େ । ଜଗନ୍ନାଥ ହୁଅନ୍ତି ନବକଳେବର । ସେହି ମଳମାସରେ ପଡ଼ୁଥିବା ଅମାବାସ୍ୟା ରାତିରେ, ଗୋଟେ ଅଲୌକିକ ଘଟଣା ଘଟେ ।

- କି ଘଟଣା ? ଆମେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ ।

ବାଇନ ଭାଇ କହିଲା ।
"ସେ ସମୂଦ୍ର ପାଖ ଝାଉଁବଣ ପାଖରେ ଯୋଉ ସବୁଠୁ ଉଚ୍ଚା ବାଲିଗଦା ଅଛି , ସେଇଠି ଗୋଟେ ବଡ୍ଡ ସିଜୁବଣ ଥିଲା । ଏବେ ସିଜୁବୁଦା ସବୁ କମିଗଲାଣି । ଅନେକ ଆଗରୁ ସେ ସିଜୁବଣ ଭିତରେ ଥିଲା  ମାଁ ସିଜୁଣି ଚଣ୍ତୀ ଙ୍କ ପିଠ । ଏବେ ଆଉ ସେ ପିଠ ନାହିଁ, କିନ୍ତୁ ମାଁ ଅଛନ୍ତି ଅଦୃଶ୍ୟରେ । "

ମୋତେ ଟିକେ ଡର ଲାଗୁଥାଏ । ମୋ ଡାହାଣ ହାତ କଟିର ଛାତି ଉପରେ, ଆଉ ଡାହାଣ ଗୋଡ଼ କଟିର ଜଂଘ ଉପରେ ରଖି ତା'କୁ ଯାବୁଡ଼ି ଧରିଥାଏ ।
କଟି ଟିକେ ସାହସି ପିଲା ।  ମୋତେ କହିଲା "ଇମିତି ଛୁଆଙ୍କ ଭଳି କ'ଣ ଡରୁଛୁ ବେ । ଆ ମଝିକି ଆ ।"
ମୁଁ କଟିର ଉପର ବାଟେ ଡେଇଁଗଲି । ଏବେ ବାଇନ ଭାଇ ଓ କଟି ମଝିରେ ମୁଁ ।

ବାଇନ ଭାଇ ପୁଣି କହିଲା । "ମଳମାସର ଅମାବାସ୍ୟା ରାତି, ଠିକ ବାରଟାରେ, ଏକୁଟିଆ, ଉଲଗ୍ନ ହେଇ,  ଯିଏ ସେ ବାଲିଗଦା ଅଣ୍ତାଳିବ, ସେ ପାଇବ ଭାଗ୍ୟର ଚାବିକାଠି । "

-ଚାବିକାଠି ! ଆମେ

 
 
ଆହୁରୀ ଆଶ୍ଚର୍ଯ୍ୟ ହେଇ ତା ମୁହଁକୁ ଚାହିଁଲୁ ।
ଆମେ ତା' ଅଂକାବଂକା କଥା ବୁଝିପାରୁନୁ ବୋଲି ସେ ବୋଧହୁଏ ଜାଣିପାରିଲା ।
କହିଲା "ସେ ବାଲି ତଳୁ ଯାହା ମିଳିବ । ପାଇଥିବା ଲୋକ ସେହି ଦରବ କୁ ନେଇ ଆଗେଇଲେ , ବିଶ୍ୱ ପ୍ରସିଦ୍ଧ ହେବ ।

 ବିରବର ମହାପାତ୍ର , ପାଇଥିଲେ କଲମ ଗୋଟେ । ଏବେ ଦେଖ, ସେ ଭାରତର ବଡ଼ ଲେଖକ ।
କଇଁରୁ ସାହୁ ପାଇଥିଲା ତେଲ ଡବା ଟେ , ଏବେ ତା'ର ବାଲେଶ୍ୱରରେ ତିନିଟା ପେଟ୍ରୋଲ ପମ୍ପ ।
ଭାଲୁ ଜେନା ପୁଅ ରାକେଶ ସିରିଂଚ୍ ଟେ ପାଇଥିଲା ଯେ ,  ସେ' ଏବେ ଡାକ୍ତର ହେଲାଣି । "

କଟି ଅତି ଆଗ୍ରହ ରେ ପଚାରିଲା
- "ବାଇନ ଭାଇ,  ସେ ମଳମାସ କେବେ ଅଛି ?
- କେବେ କ'ଣ ବେ ? ଏବେ ଚାଲିଛି ପା । ଏବର୍ଷ ନବକଳେବର ହବ ତୁ ଶୁଣିନୁ କି ! ଏହି ଅମାବାସ୍ୟା ଦିନ କେଉଁ ସାହସୀ ଲୋକର ଭାଗ୍ୟ ବଦଳିବ ଦେଖିବା ? "
ବାଇନ ଭାଇ ଆକାଶକୁ ଦେଖି-ଦେଖି କହୁଥିଲା । ଆଉ ମୁଁ କଣେଇ କଣେଇ ସେ ଝାଉଁବଣ କୁ ଦେଖୁଥିଲି ।

***

ପରଦିନ ସ୍କୁଲ୍ ରେ ମୁଁ ଆଉ କଟି କାହାକୁ କିଛି ନକହି, ପ୍ଲାନିଂ କଲୁ । ଦୁହେଁ ଯିବା । ଉଲଗ୍ନ ହେଇ ଅଣ୍ତାଳିବା । ଯାହା ଭାଗ୍ୟରେ ଯାହା ଥିବ ଦେଖିବା ଆଉ.....

ଅମାବାସ୍ୟା ରାତି , ସେଦିନ ରାତିରେ ଦେହ ଭଲ ନଥିବାର ବାହାନା କରି ଆମେ ଦୁହେଁ କ୍ଲବ ଘର କୁ ଆଉ ଗଲୁନାହିଁ ।

ରାତି ସାଢ଼େ ଏଗାର । ଦୁହେଁ ନିଜ ନିଜ ଘରୁ ବାହାରିଆସି, ଗାଁରୁ ସମୁଦ୍ର ଆଡ଼କୁ ଯାଇଥିବା ରାସ୍ତାର ବରଗଛ ପାଖରେ ଭେଟ ହେଲୁ ।

ଏରିଆ ଶୁନଶାନ୍ । ଅମାବାସ୍ୟାରେ ସମୁଦ୍ରର ଗର୍ଜନ । ଛାତିଭିତରଟା ବି ସମୁଦ୍ର ଢେଉପରି ଚଳଚଂଚଳ । ଦୁହେଁ ଦୁହିଁଙ୍କୁ ସାହସ ଦେଇ ଉଲଗ୍ନ ହେଲୁ । ଲୁଗା ସବୁ ଗଛରେ ଝୁଲେଇ ଦେଇ , ଆଗେଇଲୁ ।

 ଅନ୍ଧାର ରେ ବାଲି ଭିତରେ ହାତପୁରେଇ ଏପଟ ସେପଟ ଅଣ୍ତାଳିଚାଲିଥିଲୁ । ନା ,  କିଛି ବି ମିଲୁନି । ଅନ୍ଧାରରେ ଅଣ୍ତାଳୁ ଅଣ୍ତାଳୁ ମୋ ହାତ କଟିର ଚଢ଼ିରେ ବାଜିଗଲା ।
"ଆବେ ହେଇ...ତୁ ପୁରା ଲଂଗଳା ହେଇନୁ ? "
ମୁଁ କଟି ଉପରେ ରାଗିକି ନିଆଁ
"ଖୋଲ୍, ସେ ଚଢ଼ିଖୋଲ୍  , ସେଥିପାଇଁ କିଛି ମିଳୁନି ଆଉ ।" କଟି ମୋ କଥାରେ ଚଢ଼ି ଖୋଲି ଫିଙ୍ଗିଦେଲା । ଆଉ ଗୋଟେ ମିନିଟ୍ ଭିତରେ
-"ପାଇଗଲି ... ପାଇଗଲି ..." କହି , କଟି ଗାଁ ଆଡ଼କୁ ଦୌଡ଼ିଲା । ମୋ ହାତରେ ସେଯାଏଁ କିଛି ବି ବାଜିନି । କିନ୍ତୁ ଏକୁଟିଆ ହେଇଯିବା ଭୟରେ ମୁଁ ବି ଦୌଡ଼ିଲି ତା' ପଛେପଛେ।

ବରଗଛ ପାଖରେ ପହଁଚି ଦେଖିଲାବେଳକୁ ଗୋଟେ ଲମ୍ବା ଛୁରୀଟେ ।" ଛୁରୀ ପାଇଲେ କ'ଣ ହବ, ଏକଥା ତ ବାଇନ ଭାଇ କହିନଥିଲା ।"
କଟି କହିଲା " ଚାଲ ଯିବା, କ୍ଲବ ଘରୁ ବାଇନ ଭାଇକୁ ଉଠେଇ ପଚାରିବା ? "

ବାଇନ ଭାଇ ସବୁ ଶୁଣିଲା । କହିଲା " ତୁ ଗୋଟେ ବଡ଼ ସେଫ୍ ହବୁ । "
-ସେଇଟା କଣ ?
-ବେ ବଡ଼ ବଡ଼ ହୋଟେଲ୍ ରେ ରୋଷେୟା ଙ୍କୁ ସେଫ୍ କହନ୍ତି । ବହୁତ ଦରମା ।
- ମୁଁ ରୋଷେୟା ହେମିନି ।" କଟି ଟିକେ ମନ ଉଣାକରି କହିଲା । ତା' ମୁହଁ ଦେଖି ବାଇନ ଭାଇ କହିଲା ।
-ତେବେ ତୁ ଗୋଟେ ଛୁରୀ କମ୍ପାନୀର ମାଲିକ ହବୁ । ନହେଲେ ଟାଟା ଭଳିଆ ଗୋଟେ ଷ୍ଟିଲ୍ ପ୍ଲାଣ୍ଟର ମାଲିକ ହେଇଯିବୁ ।

ସେଦିନ ରାତି କଟିର ଟାଟା କମ୍ପାନୀ ମାଲିକ ହେବାର ରଂଗିନ ସ୍ୱପ୍ନରେ କଟିଲା,  ଆଉ ମୋରକିଛି  ନପାଇବାର ଅନୁଶୋଚନା ରେ।

*****
ସକାଳ ହେଲା ବେଳକୁ ଗାଁ ଲୋକେ ଦଳ ଦଳ ହେଇ ସମୂଦ୍ର ଆଡ଼େ ଦୌଡ଼ୁଛନ୍ତି । ମୁଁ ଘରକୁ ଧାଇଁଲି । ବାପା ଅସି ବୋଉ କୁ କହୁଥିଲେ " ଶୁଣିଲୁଣି ! ଗୋପାଳପୁର ପଣ୍ତାଘର ଝିଅ, ଯୋଉ ହଜିଯାଇଥିଲା ! କିଏ ଗୋଟେ ତା' ଗଳାକାଟି , ମାରି , ସିଜୁବଣ ପାଖ ବାଲିରେ ପୋତିଦେଇଥିଲା । କାଲି ରାତିରେ କୁକୁର ମାନେ ବାଲି ସବୁ ଖେଳେଇଦେଇଛନ୍ତି କି କ'ଣ, ଶବଟା ଦିଶୁଚି । "

ବୋଉ ପାଖକୁ ଲାଗି ଆସି ପଚାରିଲା
- କିଏ ମାରିଛି ?
ବାପା ଆହୁରି ଧିର କଣ୍ଠରେ କହିଲେ
- କେଜାଣେ କିଏ ମାରିଛି । କିନ୍ତୁ କହୁଛନ୍ତି , ମାରିଥିବା ଲୋକର ଚଢ଼ିଟେ ପଡ଼ିଛି ସେଇଠି । ପୋଲିସ୍,  କୁକୁର ଧରି  ଆସୁଛି । ସେ ଚଢ଼ି ଶୁଙ୍ଘିକି ଖୋଜିବ ।"

ମୁଁ ବାପାଙ୍କ କଥା ଶୁଣି ଜୁଲାଇ ମାସର ଗରମରେ ବି ଥରୁଥିଲି । ଛୁରି ଟେ ପାଇ, ଷ୍ଟିଲ ପ୍ଲାଣ୍ଟ୍ ମାଲିକ ହେବାର ସ୍ୱପ୍ନ ଦେଖୁଥିବା କଟି , କ'ଣ ଖୁନିଆସାମୀ ହବ ! ଜେଲ୍ ଯିବ .. ! ଆଉ ... ତା' ସହିତ କ'ଣ ମୁଁ ବି !

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment