Welcome to shalandi webzine

ଠାକୁରାଣୀ

ପରେଶ ପଟ୍ଟନାୟକ

ଗତ ଶତାବ୍ଦୀର ଷାଠିଏ ଦଶକରେ ଆମର ପିଲାଦିନଟି କଟିଥିଲା ଗୋଟେ ଗାଁରେ । ବାପା ସେଠି ଚାକିରୀ କରୁଥିଲେ ଶିକ୍ଷକ ଭାବରେ । ସେତେବେଳେ ଗାଁଟି ପଙ୍କ କାଦୁଅ ଓ ସାପବେଙ୍ଗ ଅଧ୍ୟୁଷିତ ଥିଲା । ବିଜୁଳୀ ଲାଇନ୍ ଆସି ନଥିଲା । ସନ୍ଧ୍ୟା ପରେ ଅନ୍ଧାରର ରାଜୁତି ଥିଲା ସବୁ ଆଡ଼େ ।

ଗତ ଶତାବ୍ଦୀର ଷାଠିଏ ଦଶକରେ ଆମର ପିଲାଦିନଟି କଟିଥିଲା ଗୋଟେ ଗାଁରେ । ବାପା ସେଠି ଚାକିରୀ କରୁଥିଲେ ଶିକ୍ଷକ ଭାବରେ । ସେତେବେଳେ ଗାଁଟି ପଙ୍କ କାଦୁଅ ଓ ସାପବେଙ୍ଗ ଅଧ୍ୟୁଷିତ ଥିଲା । ବିଜୁଳୀ ଲାଇନ୍ ଆସି ନଥିଲା । ସନ୍ଧ୍ୟା ପରେ ଅନ୍ଧାରର ରାଜୁତି ଥିଲା ସବୁ ଆଡ଼େ ।ସ୍କୁଲ ପରିସରରେ ଗୋଟେ ଚାଳଛପର ଘରେ ଆମେ ରହୁଥିଲୁ । ମାଟିର ଚଟାଣ, ମାଟିର କାନ୍ଥ । ବର୍ଷା ଦିନେ ଖୁବ ସନ୍ତସନ୍ତିଆ ପରିବେଶ ।
ସବୁଠୁ ଦୟନୀୟ ସ୍ଥିତି ଥିଲା ସ୍ୱାସ୍ଥ୍ୟସେବାର । ନା ଗ୍ରାମରେ କେହି ଡାକ୍ତର ଥିଲେ, ନା ଆଖପାଖରେ କୌଣସି ଡାକ୍ତରଖାନା । ବର୍ଷାଦିନେ ଗାଁଟି ସମ୍ପୂର୍ଣ୍ଣ ରୂପେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲା । ଗାଁକୁ ସଂଯୋଗ କରୁଥିବା ମାଟିର ରାସ୍ତାଟି ପଙ୍କକାଦୁଅରେ ଲଟପଟ ହେଉଥିଲା । ତା ସାଙ୍ଗକୁ ଲୋକମାନେ ରାସ୍ତାକୁ ଠାଏ ଠାଏ ହାଣିଦେଇ ଜଳ ନିଷ୍କାସନର ବାଟ କରୁଥିଲେ । ଯିବା ଆସିବା ସମ୍ପୂର୍ଣ୍ଣ ଦୁରୂହ ।
ବୋଉ କହୁଥିଲା, ଏଇଟା ଲଙ୍କାପୁରୀ । ଆମେ ସମସ୍ତେ ରାବଣ ହାତରେ ବନ୍ଦୀ । ମାତ୍ର ଏଠି ରାବଣ କିଏ, ତାହା ସ୍ପଷ୍ଟ ହେଉନଥିଲା । ଅବଶ୍ୟ ଇଙ୍ଗିତଟା ବାପାଙ୍କ ଆଡ଼କୁ ଯାଉଥିଲା । ବର୍ଷାଦିନର ରାସ୍ତାଘାଟର ଅବସ୍ଥା ଦେଖି ଲୋକେ କହୁଥିଲେ, ଯମବି ଆସିବନି ଏ ରାସ୍ତାରେ ।
ଆମେ ସେତେବେଳେ ବାଳୁତ । ତେଣୁ ଖୁସି ହୋଇ କହୁଥିଲୁ,"ଭଲ ହେଲା । ଯମ ନ ଆସିଲେ ଭଲ । ଲୋକମାନେ ଆଉ ମରିବେନି ।' ତେବେ ଆମର ବା ଲୋକମାନଙ୍କର କଟୁକ୍ତିକୁ ଖାତିର ନ କରି କେହିନା କେହି ଚାଲି ଯାଉଥିଲେ ମୃତ୍ୟୁପଥରେ । ଆମେ ସେତେବେଳେ ଆଶ୍ଚର୍ଯ୍ୟ ହୋଇ କହୁଥିଲୁ, ଯମ ତେବେ ଆସିଥିଲା । ବିଚରା ବଡ଼ କଷ୍ଟରେ ଆସିଥିବ! ତାର ମଇଁଷୀ ବାହାନଟା ଏ କାଦୁଅ ପଙ୍କରେ ବଡ଼ ହୀନସ୍ତା ହୋଇଥିବ । ସେତେବେଳେ ଯମର ବାହାନ ଥିଲା ଏକ ବିରାଟ ମଇଁଷୀ, କଳା ଓ କଦାକାର ।
ରୋଗ ବୈରାଗ ହେଲେ ଲୋକଙ୍କର ଭରସା ଥିଲା ଦୁଇଟି ଜିନିଷ ଉପରେ । ପ୍ରଥମ ହେଲା ମନ୍ତୁରା ପାଣି, ଯାହା ଗାଁର ବୟସ୍କ ନାରୀ ବା ପୁରୁଷ କେହି ଦେଇପାରୁଥିଲେ ଓ ଦ୍ୱିତୀୟ ହେଲା ଦୈବୀ ଆଶୀର୍ବାଦ । ଗାଁରେ ବିଜେ ହୋଇଥିଲେ ମା ଜାଗୁଳାଇ ଠାକୁରାଣୀ । ସବୁ ବିପଦ ଆପଦକୁ ସାହା ହୋଇ ମା ଜାଗୁଳାଇ ଭକ୍ତମାନଙ୍କୁ ସୁରକ୍ଷା ଦେଉଥିଲେ । ତେବେ ମା' କେବଳ ସୁରକ୍ଷା ଦେଉଥିଲେ, ଦେହ ଖରାପର କୌଣସି ନିର୍ଦ୍ଦିଷ୍ଟ ଉପଚାର ଦେଉନଥିଲେ । ସେଥିପାଇଁ ଲୋକମାନେ ନିର୍ଭର କରୁଥିଲେ ବାବା ଲୋକନାଥଙ୍କ ଉପରେ ।
ବାବା ଲୋକନାଥଙ୍କ ମନ୍ଦିର ଗ୍ରାମରେ ଅବସ୍ଥିତ ନ ଥିଲା । ଗ୍ରାମରେ ଥିଲେ ପ୍ରଭୁ ଗତୀଶ୍ୱର । ସେ ମଧ୍ୟ ଭକ୍ତମାନଙ୍କ ମନୋବାଂଛା ପୂରଣ କରୁଥିଲେ । ବିଶେଷକରି ସାପକାମୁଡ଼ା ଆକ୍ରାନ୍ତମାନେ ପ୍ରଭୁ ଗତୀଶ୍ୱରଙ୍କ ପୀଠରେ ଜଳ ଢ଼ଳା ଖାଇ ସୁସ୍ଥ ହେଉଥିଲେ । କିନ୍ତୁ ଦେହଖରାପର ନିଦାନ ଥିଲା ବାବା ଲୋକନାଥଙ୍କ ପାଖରେ । ବାବା ଲୋକନାଥଙ୍କ ମନ୍ଦିର ଥିଲା ଗ୍ରାମଠାରୁ ଦଶ କିଲୋମିଟର ଦୂରରେ ଓ ସବୁଠୁ ପ୍ରତ୍ୟକ୍ଷ ଲୋକନାଥ ପୁରୀରେ ବିଜେ ହୋଇଥିଲେ ।
ରୋଗ ଧରିବାମାତ୍ରେ ପ୍ରଭୁ ଲୋକନାଥଙ୍କୁ ଗୋଟାଏ ରୂପ ଯାଚଜ୍ଞା କରିବା କ୍ଷଣି ରୋଗ ଛାଡ଼ି ପଳାଉଥିଲା । ଆଖି ବିନ୍ଧୁଛି, ଲୋକନାଥ ପ୍ରଭୁଙ୍କୁ ଗୋଟାଏ ଆଖିର ରୂପ ଦାନ କରିଦିଅ । ମୁଣ୍ଡ ବିନ୍ଧୁଛି, ଲୋକନାଥଙ୍କୁ ମୁଣ୍ଡ ଯାଚଜ୍ଞା କର । କାନ ଟାଣୁଛି,
 
 
କାନ ଦାନ କର । ପେଟ ଖରାପ, ପେଟ ଦାନ କର । ଶରୀରର ଯେଉଁ ଅଙ୍ଗପ୍ରତ୍ୟଙ୍ଗକୁ ରୋଗ ଆକ୍ରାନ୍ତ କରୁଥିଲା, ସେହି ଅଙ୍ଗର ରୂପ ପ୍ରଭୁ ଲୋକନାଥଙ୍କୁ ଦାନ କରିବାର ଯାଚଜ୍ଞା କଲାପରେ ସୁଫଳ ମିଳୁଥିଲା ।
ଏହି ଯେ ରୂପ ଦାନ କରିବା କଥା କହୁଛି, ତାହା ତତ୍‍କ୍ଷଣାତ ଦାନ କରିବାର ନଥିଲା । କାରଣ ସେସବୁ ହାତପାଆନ୍ତାରେ ନଥାଏ । ସଙ୍ଗେ ସଙ୍ଗେ ଦେବାର ମଧ୍ୟ ସୁଯୋଗ ନାହିଁ । ବର୍ଷକୁ ଥରେ ସେସବୁ ଦେବାକୁ ହୁଏ । ଜାଗର ଅମାବାସ୍ୟା ବେଳକୁ । ଜାଗର ଆମାବାସ୍ୟାକୁ ପ୍ରଭୁ ଲୋକନାଥଙ୍କ ପୀଠରେ ଏକ ବଡ଼ଧରଣର ମେଳା ବସୁଥିଲା । ଲୋକମାନେ ସେତେବେଳେ ହିସାବ କରୁଥିଲେ । ସେମାନେ ବର୍ଷ ସାରା କଣ ସବୁ ରୂପ ଯାଚଜ୍ଞା କରିଛନ୍ତି ଠାକୁରଙ୍କୁ । ସେହି ପବିତ୍ର ଦିନରେ ଠାକୁରଙ୍କୁ ଏହିସବୁ ରୂପ ଦାନକରି ଲୋକମାନେ ଯାଚଜ୍ଞାମୁକ୍ତ ହେଉଥିଲେ ।
ଏଇ ରୂପଗୁଡ଼ିକ ମଧ୍ୟ ଅଦ୍ଭୁତ । ତାହା ସବୁ ଧାତୁ ନିର୍ମିତ ଅଙ୍ଗପ୍ରତ୍ୟଙ୍ଗର କ୍ଷୁଦ୍ରକାୟ ରୂପ ବା ମିନିଏଚର । ସେସବୁ ମଧ୍ୟ କେବଳ ଜାଗର ଅମାବାସ୍ୟାର ମେଳନରେ ମିଳୁଥାଏ । ମନ୍ଦିର ପାଖରେ ରୂପର ଦୋକାନ ମେଲାଇ ବସିଥାଆନ୍ତି ଦୋକାନୀ । ଲୋକମାନେ ସେଇ ଦୋକାନରୁ କିଣିନିଅନ୍ତି, ଆବଶ୍ୟକତାର ରୂପ ସବୁ । ହିସାବ ଅନୁସାରେ କଣ କଣ ଯାଚଜ୍ଞା ହୋଇଛି ଗତ ଏକ ବର୍ଷ ମଧ୍ୟରେ । ଆଖି, ନାକ, ପାଟି, କାନ, ପେଟ, ଗୋଡ଼ ଓ ମୁଣ୍ଡ । ସେସବୁ ସେହିଦିନ ହିଁ ସେଇଠି ସମର୍ପିତ ହେଉଥିଲା ।
ଅବଶ୍ୟ କିଛି ଧନୀକ ଲୋକ ଅଧିକ ସଂଖ୍ୟାରେ ରୂପ କିଣିନେଇ ଘରକୁ ଯାଉଥିଲେ । ଏହି ଆଶଙ୍କାରେ ଯେ କାଳେ ଆସନ୍ତାବର୍ଷ ତାହା ମିଳିବ କି ନ ମିଳିବ, ପାଖରେ କିଛି ଷ୍ଟକ ରହିଥିବା ଭଲ । ତେବେ ରୂପର ଏହି ଦାନକ୍ରିୟା କେବଳ ଜାଗର ଦିନ ହିଁ ସୀମିତ ରହୁଥିଲା । ଲୋକମାନେ ମଧ୍ୟ ହିସାବ ବରାବର ରଖୁଥିଲେ । ପ୍ରଭୁ ଲୋକନାଥ ଟିକେ ରାଗୀ ଠାକୁର ବୋଲି ଶୁଣାଅଛି । ତେଣୁ ତାଙ୍କ ହିସାବ ଏପଟ ସେପଟ କରିବ ଅବା କିଏ?
ନିର୍ଦ୍ଦିଷ୍ଟ ରୋଗର ନିର୍ଦ୍ଦିଷ୍ଟ ଉପଚାର ନଦେଲେ ବି ମା' ଜାଗୁଳାଇ ଠାକୁରାଣୀ ଗ୍ରାମବାସୀଙ୍କୁ ସର୍ବୋଚ୍ଚ ସୁରକ୍ଷା ପ୍ରଦାନ କରୁଥିଲେ । ଲୋକମାନଙ୍କ ମତରେ ମା ଜାଗୁଳାଇ ଠାକୁରାଣୀ ମଧ୍ୟରାତ୍ରରେ ଗାଁରେ ବୁଲୁଥିଲେ । ଗାଁ ଚାରିପଟେ ଥରେ ନିଶ୍ଚୟ ବୁଲିଆସୁଥିଲେ । ସେତେବେଳେ ବିଜୁଳୀ ଆଲୁଅ ଆସିନାହିଁ ଗ୍ରାମକୁ । କିରାସିନିର ଲଣ୍ଠନ ବା ପୋଲାଙ୍ଗ ତେଲର ଡିବି ଏକମାତ୍ର ଭରସା । ଲୋକମାନେ ଖୁବ୍‍ଶୀଘ୍ର ଖାଇପିଇ ଶୋଇଯାଆନ୍ତି । ମାଆଙ୍କ ଦାୟିତ୍ୱରେ ରହିଯାଏ ଗ୍ରାମ । ମାଆଙ୍କ ସୁରକ୍ଷା ସତ୍ତ୍ୱେ ଗ୍ରାମରେ ଯେ ଛୋଟମୋଟ ଚୋରି ହେଉନଥିଲା, ତା ନୁହେଁ । ଚୋରି ହେଉଥିଲା । ଲୋକମାନେ ବିଶ୍ୱାସ କରୁଥିଲେ ଯେ, ଏହି ଚୋରମାନଙ୍କୁ ମା' ଠାକୁରାଣୀ ଦଣ୍ଡ ଦେବେ । ସେମାନେ ଦିନେ ରକ୍ତବାନ୍ତି କରି ମରିବେ ।
ରକ୍ତବାନ୍ତି କରି ମରୁଥିବା ସେଇ ଚୋରମାନଙ୍କୁ ଅବଶ୍ୟ ଚିହ୍ନଟ କରାଯାଇ ପାରୁନଥିଲା । ତେବେ ଗାଁକୁ ଭୂତ, ପ୍ରେତ, ପିଶାଚ ଓ ଦୁର୍ବିପାକରୁ ଯେ ମା' ଠାକୁରାଣୀ ରକ୍ଷା କରୁଥିଲେ, ଏହା ଉପରେ କାହାର କିଛି ସନ୍ଦେହ ନଥିଲା । ମା' ଠାକୁରାଣୀଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ଯାଚଜ୍ଞା ଦିଆଯାଉଥିଲା । ଏହା ବିବିଧ ଓ ବ୍ୟାପକ ।
ପିଲାମାନେ ପରୀକ୍ଷା ଦେବାକୁ ଯିବେ, ଦିଅ ମାଆଙ୍କୁ ଗୋଟାଏ ଯାଚଜ୍ଞା କରିଦିଅ । ଆଜି ବାଁ ଆଖି ଡେଉଁଛି, କୋଉଠି କିଛି ଅଘଟଣ ଘଟିପାରେ, ଦିଅ, ମାଆଙ୍କୁ ଗୋଟାଏ ଯାଚଜ୍ଞା କରିଦିଅ । ଛାତି ଉପରେ ଝିଟିପିଟି ପଡ଼ିଲା, ଏଇଟା ଅଶୁଭ ସୂଚନା । ଦିଅ ମା'ଙ୍କୁ ଯାଚଜ୍ଞା କର । ରାତିରେ ଖରାପ ସ୍ୱପ୍ନ ଦେଖିଲ, ସକାଳକୁ ମନ ଖରାପ । ଦିଅ ମା'ଙ୍କୁ ଯାଚଜ୍ଞା ଦେଇଦିଅ । ସବୁବେଳେ ସବୁସମୟରେ ମାଆଙ୍କୁ ଯାଚଜ୍ଞା ଦେଇ କାର୍ଯ୍ୟ ହାସଲ କରିବାକୁ ପଡୁଥିଲା । ଏମିତିକି ତାସ୍‍ ଖେଳିଲାବେଳେ ବି ଜିତିବାକୁ ମାଆଙ୍କୁ ଡାକିବାକୁ ପଡୁଥିଲା, ମା' ମୋତେ ବା ଆମକୁ ଏ ଖେଳରେ ଜିତାଇ ଦିଅ, ଅମୁକ ଦେବି । ବାପାଙ୍କଠୁ ମାଡ଼ଗାଳି ଶୁଣିବା ପୂର୍ବରୁ ମାଆଙ୍କୁ ଡାକିବାକୁ ହେଉଥିଲା । ମା! ବାପା ଯେମିତି ଆଜି ନ ବାଡାନ୍ତି, ସାହା ହୁଅ ମା ।
ଏହି ଯାଚଜ୍ଞା ଭିତରେ ରହୁଥିଲା ଭୋଗ ରାଗ, କଳାଶାଢ଼ି, ଶଙ୍ଖା ସିନ୍ଦୂର, ମାଜଣା । କଥାଟା ଖୁବ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ କୁକୁଡ଼ା ବି ଯଚା ହୋଇଯାଉଥିଲା । ଯଦି କୁକୁଡ଼ା ଯାଚଜ୍ଞା ହୋଇଛି, ତେବେ ଆମେମାନେ ବହୁତ ଖୁସୀ । ମାଆଙ୍କ ପାଖରେ କୁକୁଡ଼ା ବଳି ପଡ଼ିବ, କିନ୍ତୁ ମାଂସ ଘରକୁ ଆସିବ । ଖୁବ୍‍ ଜମିବ ତରକାରୀ । ଏମିତିରେ କୁକୁଡ଼ା ମାଂସର ଆମ ରୋଷଘରକୁ ପ୍ରବେଶ ଉପରେ ନିଷେଧାଜ୍ଞା ଥିଲା । କିନ୍ତୁ ମାଆଙ୍କ ପ୍ରସାଦ ଭାବରେ ତାହା ଘରେ ସସମ୍ମାନ ପ୍ରବେଶ କରିପାରୁଥିଲା ।
ଏମିତିବି ମୁଁ ମନେମନେ ମାଆ ଠାକୁରାଣୀଙ୍କୁ ପ୍ରାର୍ଥନା କରୁଥିଲି, ମା', ମୋ ବୋଉକୁ ସଦ୍‍ବୁଦ୍ଧି ଦିଅ । ସେ ମଝିରେ ମଝିରେ ଗୋଟାଏ ଗୋଟାଏ କୁକୁଡ଼ା ଯାଚଜ୍ଞା କରୁ । କାରଣ ଏ କଳାଶାଢ଼ି, ଶଙ୍ଖାସିନ୍ଦୂର, ମାଜଣା ପ୍ରଭୃତି ଯାଚଜ୍ଞାରୁ ପ୍ରକୃତରେ ଆମକୁ କିଛି ମିଳୁନଥିଲା । ଭୋଗରାଗରୁ ଅବଶ୍ୟ ପ୍ରସାଦ ମିଳୁଥିଲା, ମାତ୍ର କୁକୁଡ଼ା ମାଂସର ପ୍ରସାଦ ଥିଲା ସବୁଠାରୁ ଲୋଭନୀୟ ।
ଆମ୍ଭେମାନେ ବିଶ୍ୱାସ କରୁଥିଲୁ ଯେ, ମା ଜାଗୁଳାଇଙ୍କ ସୁରକ୍ଷା ଭିତରେ ହିଁ ଆମର ଜୀବନ ଗଢ଼ିହେଉଛି । ସେଥିପାଇଁ ଆମେ ପ୍ରତି କଥାରେ "ମାଆ ଜାଗୁଳାଇ', ମାଆ ଜାଗୁଳାଇ ବୋଲି ଡାକୁଥିଲୁ । ଆମ ଜିଭରେ ସତେ ଯେମିତି ସବୁବେଳେ ଏହି ଡାକ ବସା ବାନ୍ଧି ରହିଥାଏ । ପ୍ରତିବେଳେ ପ୍ରତି କଥାରେ ଏହି ମାଆ ହିଁ ସାହା ଭରସା ଥିଲେ ଆମର ।
ସେଇ ଗାଁରେ ବାପାଙ୍କର ଶିକ୍ଷକ ଚାକିରୀର ଅନ୍ତ ହୋଇଥିଲା । ବାପା ଅବସର ନେଲେ ଓ ଆମେ ସବୁ ଆମ ନିଜ ଗାଁକୁ ଫେରିଆସିଲୁ । ବାପା ତାଙ୍କ ପୈତୃକ ଗ୍ରାମ ଖଜୁରିଆରେ ନିଜର ଘର ତିଆରି କଲେ ଓ ଆମେ ସବୁ ଏବେ ସେଇଘରେ ରହିଲୁ । କିନ୍ତୁ ଆମର ପୁରୁଣା ଅଭ୍ୟାସ ଯାଇନଥାଏ । ଆମେ ଏବେ ବି ପ୍ରତି କଥାରେ ମା' ଜାଗୁଳାଇ, ମା' ଜାଗୁଳାଇ ହେଉଥାଉ ।
ଏକଥା କିନ୍ତୁ ଭଲ ଲାଗିନଥିଲା ଆମର ଗାଁରେ ଥିବା ବଡ଼ବାପା ପୁଅଝିଅ ଭାଇଭଉଣୀଙ୍କୁ । ସେମାନେ ଆମକୁ ସବୁକଥାରେ ଖୁଞ୍ଚା ମାରୁଥିଲେ: ତମର ଜାଗୁଳାଇ ଠାକୁରାଣୀ କ'ଣ ଏତେ ଦୂରରୁ ଆସି ତମକୁ ସାହା ହେବେ!
ଆମେ ଯୁକ୍ତି କରୁଥିଲୁ: କାହିଁକି ସାହା ହେବନି । ଠାକୁର ଠାକୁରାଣୀ ଯେତେ ଦୂରରେ ଥିଲେ ବି ଭକ୍ତର ଡାକ ଶୁଣନ୍ତି ।
ଏ ସମ୍ପର୍କରେ ମୁଁ ଜାଣିଥିବା ଗୋଟାଏ ଦୁଇଟା କାହାଣୀ ଶୁଣାଇବା ପୂର୍ବରୁ ସେମାନେ କହନ୍ତି: ଗାଁ ଠାକୁରାଣୀ ଗାଁରେ ରହନ୍ତି । ଏଠି ଡାକିବମାନେ ମା' ବ୍ରାହ୍ମଣୀ ଦେଈଙ୍କୁ ଡାକିବ ।
ଆମ ଗ୍ରାମର ଗ୍ରାମଦେବତୀ ଥିଲେ ମା' ବ୍ରାହ୍ମଣୀ ଦେଈ । ସେ ମଧ୍ୟ ଅଳଗୁମର ମା' ଜାଗୁଳାଇଙ୍କ ଭଳି ପ୍ରତ୍ୟକ୍ଷ ଠାକୁରାଣୀ ଥିଲେ ଓ ଆମ ଗ୍ରାମକୁ ସୁରକ୍ଷା ଦେଉଥିଲେ । ଆମ ଗାଁ ଲୋକଙ୍କ ମତରେ ସିଏ ମଧ୍ୟ ମଧ୍ୟରାତ୍ରରେ ଗାଁ ଚାରିପଟେ ବୁଲୁଥିଲେ । ଗ୍ରାମକୁ ସୁରକ୍ଷା ଦେଉଥିଲେ । ଆମ ଗ୍ରାମର ଲୋକମାନେ ମଧ୍ୟ କଥା କଥାକେ ମା' ବ୍ରାହ୍ମଣୀ ଦେଈ ଭରସା ବୋଲି କହୁଥିଲେ ।
ଆମେ ଭାଇଭଉଣୀମାନେ ଚିନ୍ତିତ ହୋଇପଡ଼ିଥିଲୁ ।
ମୁଁ କହିଥିଲି: ଆମେମାନେ ହେଲୁ ମା' ଜାଗୁଳାଇଙ୍କ ଭକ୍ତ । ଆମେ ଯେ ଆଜି ପର୍ଯ୍ୟନ୍ତ ପରୀକ୍ଷାରେ ପାସ୍‍ କରିଛୁ, ଦେହ ଭଲ ଅଛି, ସବୁବେଳେ ତାସ୍‍ ଖେଳ, ବାଘବକରୀ ଖେଳରେ ଜିତିଛୁ, ସବୁ ମା' ଜାଗୁଳାଇଙ୍କ କରୁଣାରୁ ହୋଇଛି । ଆମେ ତାଙ୍କୁ ଡାକିବୁ ।
ଆମ ଗାଁର ଭାଇଭଉଣୀମାନେ କହିଲେ: ଜାଗୁଳାଇ ଆମ ଗାଁକୁ ଆସିପାରିବେନି । ଏ ଗାଁକୁ ଜଗିଛନ୍ତି ମା' ବ୍ରାହ୍ମଣୀ ଦେଈ!
: ଆମେ ଆକୁଳରେ ଡାକିଲେ ମା' ଜାଗୁଳାଇ ନିଶ୍ଚୟ ଶୁଣନ୍ତି । ସେ ଆମ ପ୍ରାର୍ଥନା ଶୁଣିଲେ ଆମକୁ ସାହାଯ୍ୟ କରିବାକୁ ନିଶ୍ଚେ ଆସିବେ ।
: ତେବେ ଗଣ୍ଡଗୋଳ ହୋଇଯିବ!
: ସେ ତ ଆକାଶ ମାର୍ଗରେ ଆସିବେ । ସୂକ୍ଷ୍ମ ରୂପରେ ଆସିବେ ।
: ତଥାପି ଗଣ୍ଡଗୋଳ ହେବ ।
: ଠାକୁର ଠାକୁରାଣୀଙ୍କ ଭିତରେ କଣ ଗଣ୍ଡଗୋଳ ହୁଏ?
: ନିଶ୍ଚୟ ହୁଏ । ଯିଏ ଯାହା ଅଞ୍ଚଳ ଜଗିକି ଅଛନ୍ତି । କିଏ କାହା ଜାଗାରେ ଜବରଦସ୍ତ ପଶିଲେ ଗଣ୍ଡଗୋଳ ହେବନି?
ମୋର ଏତିକିବେଳେ ମନେ ପଡ଼ିବାକୁ ଥିଲା ଇତିହାସ ବହିରେ ପଢ଼ିଥିବା କିଛି କିଛି ତଥ୍ୟ । ଏମିତିରେ ଇତିହାସରେ ମୋତେ ପରୀକ୍ଷାରେ ପାସ୍‍ କରାଇଥିବା ଠାକୁରାଣୀ ହେଉଛନ୍ତି ମା' ଜାଗୁଳାଇ । ଇତିହାସ ଅନୁସାରେ ଗୋଟାଏ ଗୋଟାଏ ରାଜ୍ୟରେ ଥାଆନ୍ତି ରାଜା । ସେ ରାଜ୍ୟକୁ ଶାସନ କରୁଥାଆନ୍ତି । ପଡ଼ୋଶୀ ରାଜା ସେ ରାଜ୍ୟରେ ପ୍ରବେଶ କଲାମାତ୍ରେ ଯୁଦ୍ଧ ହୁଏ । ଠିକ୍‍ ସେହିଭଳି ଗ୍ରାମ ସବୁ ଗ୍ରାମଦେବତୀଙ୍କ ଶାସିତ ଅଞ୍ଚଳ । ସେଠି ଆଉ କାହାର ଅନୁପ୍ରବେଶରେ ଗଣ୍ଡଗୋଳ ହେବା ସ୍ୱାଭାବିକ ।
ମୋତେ ଏତିକିବେଳେ ଦେଖାଗଲା ଏକ ଯୁଦ୍ଧର ଚିତ୍ର । ଆମେ ସାହାଭରସା ପାଇଁ ମା' ଜାଗୁଳାଇଙ୍କୁ ଡାକୁଛୁ । ମା' ଜାଗୁଳାଇ ଆକାଶ ମାର୍ଗରେ ଆସୁଛନ୍ତି ଆମକୁ ସାହା ହେବାପାଇଁ । ଠିକ୍‍ ଏତିକିବେଳେ ଆମ ଗ୍ରାମର ସୀମାନ୍ତରେ ତାଙ୍କୁ ବାଧା ଦେଉଛନ୍ତି ମା' ବ୍ରାହ୍ମଣୀଦେଈ । ଆକଶମାର୍ଗରେ ସେମାନଙ୍କ ଭିତରେ ଯୁଦ୍ଧ ହେଉଛି । ଏହି ଯୁଦ୍ଧର ଫଳସ୍ୱରୂପ ଆକଶରୁ ଛିଣ୍ଡା ଫୁଲମାଳ ତଳେ ପଡୁଚି । କେହି ସେ ଅଦୃଶ୍ୟ ଶକ୍ତିଙ୍କର ଯୁଦ୍ଧକୁ ଦେଖିପାରୁନାହାନ୍ତି । କିନ୍ତୁ ବାୟୁମଣ୍ଡଳରେ ଗୋଟାଏ ଅସ୍ଥିରତା ବା ଗୁଂଜରଣ ଥିବା ପରି ମନେ ହେଉଛି ।
ମା' ଜାଗୁଳାଇ ଫେରିଯାଉଛନ୍ତି । ତାଙ୍କୁ ବ୍ରାହ୍ମଣୀ ଦେଈ ଗ୍ରାମରେ ପୂରାଇ ଦେଉନାହାନ୍ତି । ଏଭଳି ଏକ କାଳ୍ପନିକ ଚିତ୍ର ଦେଖିବାପରେ ମୁଁ ମନେମନେ ସ୍ଥିରକରି ନେଇଥିଲି ଯେ, ନା! ଆଉ ମା' ଜାଗୁଳାଇଙ୍କୁ ଡାକିବା ଠିକ୍‍ ହେବନାହିଁ । ଏ ଅଯଥା ଗଣ୍ଡଗୋଳରୁ କିଛି ଫାଇଦା ମିଳିବାର ନାହିଁ । ବରଂ ଏଣିକି ମା' ବ୍ରାହ୍ମଣୀ ଦେଈ ସାହା ବୋଲି ଡାକିବା ଉଚିତ୍‍ ହେବ ।
ଏକଥା ଆହୁରି ସ୍ପଷ୍ଟ ଓ ନିରୂପିତ ହୋଇଗଲା ଯେତେବେଳେ ଆମ ଘରେ ପୂଜା ହେଲାବେଳେ ଗୋଟାଏ ପତ୍ର ମା' ବ୍ରାହ୍ମଣୀ ଦେଈଙ୍କ ନାମରେ ପଡ଼ିଲା । ଆଗରୁ ଅଳଗୁମରେ ଆମେ ଥିଲାବେଳେ ସେଇ ଭୋଗଟା ମା' ଜାଗୁଳାଇଙ୍କୁ ଦିଆଯାଉଥିଲା । ଏବେ ଆମ ଗାଁ ଘରେ ସେ ଭୋଗ ବଢ଼ାହେଲା । ମା' ବ୍ରାହ୍ମଣୀ ଦେଈଙ୍କ ନାମରେ । ଏ ଦୃଶ୍ୟ ଯଦିଓ ହୃଦୟ ବିଦାରକ ଥିଲା, କିନ୍ତୁ ଆମେ ବାସ୍ତବତାକୁ ଗ୍ରହଣ କରିନେବାକୁ ବାଧ୍ୟହେଲୁ ।
ଏଣିକି ଆମ ଅଭ୍ୟାସରେ ପରିବର୍ତ୍ତନ ଆସିଲା । ଆମେ ଆଉ କଥା କଥାକେ ମା' ଜାଗୁଳାଇ ଭରସା ନ କହି ମା' ବ୍ରାହ୍ମଣୀ ଦେଈ ଭରସା ବୋଲି କହୁଥିଲୁ । ଦିନ ଗଡ଼ି ଚାଲିଲା । ସମୟ ପୁଣି ମୋଡ଼ ନେଲା ଯେତେବେଳେ ଆମକୁ ଗାଁର ଘର ଛାଡ଼ିବାକୁ ହେଲା । ଆମର ନୂଆ ଠିକଣା ହେଲା ଭୁବନେଶ୍ୱର ।
ଆମର ଯେତେବେଳେ ଭୁବନେଶ୍ୱରରେ ଘର ହେଲା, ସେତେବେଳେ ଜଣେ ବ୍ରାହ୍ମଣ ଆସିଲେ ଘର ପ୍ରତିଷ୍ଠା କରିବାକୁ । ପୂଜା କଲାବେଳେ, ଭୋଗ ବାଢ଼ିଲାବେଳେ, ସେ ପଚାରିଲେ: ଆପଣଙ୍କର ଏଠି ଠାକୁରାଣୀ କିଏ?
ମୁଁ କହିଲି: ମୋତେ ଜଣାନାହିଁ ।
ପୂଜକ ବ୍ରାହ୍ମଣ ଆଶ୍ଚର୍ଯ୍ୟ ହେଲେ । ପଚାରିଲେ: ଏ ଜାଗାଟାତ ପୁଣି କୋଉ ଜଣେ ଠାକୁରାଣୀଙ୍କ ଅଞ୍ଚଳରେ ଯାଉଥିବ?
ମୋତେ ପ୍ରକୃତରେ ଜଣାନଥିଲା ଯେ ଆମ ଭୁବନେଶ୍ୱର ଘରଟା କୋଉ ଠାକୁରାଣୀଙ୍କ ଅଧୀନରେ ଆସୁଛି । ସିଏ ମଧ୍ୟ ମା' ଜାଗୁଳାଇ ଆମେ ପ୍ରଥମେ ରହୁଥିବା ଅଳଗୁମ ଗ୍ରାମକୁ ପ୍ରଦକ୍ଷିଣ କଲାଭଳି, ଅଥବା ମା' ବ୍ରାହ୍ମଣୀଦେଈ ଆମର ପୈତୃକ ଗ୍ରାମ ଖଜୁରିଆରେ ପ୍ରଜାମାନଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିଲାଭଳି, ଏହି ଅଞ୍ଚଳକୁ ସୁରକ୍ଷା ଦେଉଥିବେ । ଭକ୍ତମାନଙ୍କୁ ସାହା ହେଉଥିବେ । ସିଏ ମଧ୍ୟ ମଧ୍ୟରାତ୍ରରେ ତାଙ୍କ ଇଲାକାରେ ବୁଲି ଆସୁଥିବେ ।
ମୁଁ ପ୍ରକୃତରେ ଏତେ କଥା ଜାଣିନଥିଲି । ତେଣୁ ନୀରବ ରହିଲି ।
ବୋଉ ପ୍ରସ୍ତାବ ଦେଲା: ମା' ବ୍ରାହ୍ମଣୀ ଦେଈଙ୍କ ନାମରେ ଭୋଗ ବାଢ଼ିଦିଅ ।
ମୁଁ ଟିକେ ମୃଦୁ ପ୍ରତିବାଦ କଲି: ମା' ବ୍ରାହ୍ମଣୀ ଦେଈ କଣ ଏତେ ଦୂରରୁ ଆମ ଗାଁ ଛାଡ଼ି, ଏଠି ଆସି ଆମର ସାହା ହୋଇପାରିବେ? ବରଂ ମା' ଜାଗୁଳାଇଙ୍କୁ ପୂଜା ଦେଇଦିଅ । ଅଳଗୁମଟା ଏଠିକି ପାଖ ହେବ ।
ବୋଉ ଅପ୍ରସନ୍ନ ଦିଶିଲା । କହିଲା: ଆମେ କୋଉ କାଳୁ ଅଳଗୁମ ଛାଡ଼ିଲେଣି ।
ମୁଁ କହିଲି: ମା ଜାଗୁଳାଇ କଣ ଆମକୁ ଭୁଲି ଯାଇଥିବେ?
ବୋଉ କିଛି ଉତ୍ତର ଦେଇପାରିଲା ନାହିଁ । ଆମ ଅଭ୍ୟାସ ୟା ଭିତରେ ବଦଳି ଯାଇଥିଲା । ଆମେ ଆଉ କଥାକଥାକେ ମା' ଜାଗୁଳାଇ କହୁନଥିଲୁ କିମ୍ବା ତାଙ୍କ ପାଇଁ କିଛି ଯାଚଜ୍ଞା କରୁନଥିଲୁ । ମା' ବ୍ରାହ୍ମଣୀଦେଈଙ୍କୁ ମଧ୍ୟ ଭୁଲିବାକୁ ଆରମ୍ଭ କରୁଥିଲୁ ।
ପୂଜକ ବ୍ରାହ୍ମଣ ବ୍ୟସ୍ତ ହେଉଥିଲେ । ସେ ତାଙ୍କର ପୂଜାକାର୍ଯ୍ୟ ଆଗକୁ ବଢ଼ାଇନେଲେ । ଏମିତି ଏମିତି ସେ ପୂଜା ସାରିଦେଲେ । ପୂଜା ସରିବା ପରେ ତାଙ୍କୁ ବିଦାକୀ ଦେଇ ବିଦାୟ ଦେଲାବେଳେ କଥାଟା ମୋର ମନେପଡ଼ିଲା । ପଚାରିଲି: କାହା ନାମରେ ପୁଣି ପୂଜା କଲେ? ମା' ବ୍ରାହ୍ମଣୀ ଦେଈ ନା ମା' ଜାଗୁଳାଇ!
ପୂଜକ କହିଲେ: ମୁଁ ମା' ଦକ୍ଷିଣ କାଳୀଙ୍କ ନାମରେ ପୂଜା ବାଢ଼ିଦେଲି ।
ମୁଁ ବିସ୍ମିତ ହେବାଭଳି ପଚାରିଲି: ଇଏ ପୁଣି କିଏ?
ସେ ମୋତେ ଆଶ୍ୱସ୍ତ କଲାଭଳି କହିଲେ: ସିଏ ଆମ ଗାଁ ଠାକୁରାଣୀ । ଭାରି ପ୍ରତ୍ୟକ୍ଷ ଦେବୀ । ଡାକିଲେ "ଓ' କରନ୍ତି । ମୁଁ ତାଙ୍କୁ ଖୁବ୍‍ ମାନେ ।
ମୁହଁରେ ପ୍ରକାଶ ନ କଲେ ବି ମୁଁ ମନେମନେ ଅସନ୍ତୁଷ୍ଟ ହେଲି । ଏ ଠାକୁରାଣୀ ଆମ କଥା ବୁଝିବେତ? ଆମକୁ ସାହା ହେବେତ?
ବ୍ରାହ୍ମଣ ପୂଜକ ବିଦାକୀ ନେଇ ଆମମାନଙ୍କୁ ଆଶୀର୍ବାଦ କରି ଫେରିଗଲେ । ମୁଁ ଜାଣେନା, କୋଉ ଠାକୁରାଣୀଙ୍କ ଶାସନ ଅଞ୍ଚଳ ଭିତରେ ଆମ ଭୁବନେଶ୍ୱର ଘରଟି ଅଛି । ମା ଜାଗୁଳାଇ, ମା' ବ୍ରାହ୍ମଣୀ ଦେଈ ଅବା ମା' ଦକ୍ଷିଣକାଳୀଙ୍କ ସହିତ ଏ ଠାକୁରାଣୀଙ୍କର କି ପ୍ରକାର ସମ୍ପର୍କ ଅଛି ଜାଣେନା । ଆମେ ତାଙ୍କୁ କଥାକଥାକେ ନ ଡାକିଲେ ବି ସେ ଅସନ୍ତୁଷ୍ଟ ହେଉନଥିବେ, ତାଙ୍କର ବରଦ ହାତ ଆମ ମଥା ଉପରେ ସଦା ଥିବ ବୋଲି ମୁଁ ଆଶାକରେ ।
ଇତିମଧ୍ୟରେ ଦେଶ ବହୁତ ଅଗ୍ରଗତି କରିଛି । ଗ୍ରାମେ ଗ୍ରାମେ ଡାକ୍ତର ଅଛନ୍ତି ଓ ଔଷଧ ଦୋକାନ ସ୍ଥାପନା ହେଲାଣି । ଗୋଟାଏ ଗୋଟାଏ ଅଞ୍ଚଳରେ ଏକାଧିକ ଡାକ୍ତରଖାନା । ଏବେ ଦେହ ଖରାପ ହେଲେ ବାବା ଲୋକନାଥଙ୍କୁ ରୂପ ଯାଚଜ୍ଞା କରିବାର ପରମ୍ପରାଟି ବିଲୁପ୍ତପ୍ରାୟ । ଜାଗରମେଳା ହେଉଛି । କିନ୍ତୁ ସେ ରୂପ ବିକ୍ରୀ କରୁଥିବା ଦୋକାନୀର ପସରା ଦିଶୁନାହିଁ । ଅଙ୍ଗପ୍ରତ୍ୟଙ୍ଗର କ୍ଷୁଦ୍ର ଧାତବ ପ୍ରତିରୂପଗୁଡ଼ିକ ଯେ ବିକ୍ରୀ ହେଉଥିଲା, ତାହା ଆଉ ନାହିଁ । ସେ ରୂପ ପ୍ରସ୍ତୁତ କରୁଥିବା କାରିଗରମାନେ ୟା ଭିତରେ ପେଷା ବଦଳାଇ ସାରିବେଣି ।
ଏବେ ବିଶ୍ୱାସ କରିବାକୁ କଷ୍ଟ ହେଉଛି ଯେ ଦିନେ ସ୍ୱାସ୍ଥ୍ୟସେବାର ଏହିପରି ଏକ ପରମ୍ପରା ଥିଲା । ଯାହା ହଜିଯାଇଛି । ମନ୍ତୁରା ପାଣି ମଧ୍ୟ ଆଉ ମିଳୁନାହିଁ । ମିଳିଲେ ବି ତାକୁ ବିଶ୍ୱାସର ସହ ଗ୍ରହଣ କରୁ ନାହାନ୍ତି କେହି ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment