Welcome to shalandi webzine

ଚଉଠି ପାଟ

ପ୍ରସନ୍ନ କୁମାର ହୋତା

ଏ ଯେଉଁ ବେଳର କଥା ସେତେବେଳକୁ ସିନେମା ହଲ ସବୁ କିଛି କିଛି ଆରମ୍ଭ ହୋଇଯାଇଥିଲେ ।  କିନ୍ତୁ ରଙ୍ଗମଂଚର ମଧ୍ୟ ଭଦ୍ର ସମାଜରେ ଆଦର ଥିଲା । କାଠ ଚୌକୀରେ ବସି ବାବୁଭାୟା ଲୋକ ସସ୍ତ୍ରୀକ ଓ ସପରିବାର ଆସି ଓଡିଆ ନାଟକ ଟିକେଟ କରି ଦେଖୁଥିଲେ । ଉପଭୋଗ କରୁଥିଲେ ।

ଏ ଯେଉଁ ବେଳର କଥା ସେତେବେଳକୁ ସିନେମା ହଲ ସବୁ କିଛି କିଛି ଆରମ୍ଭ ହୋଇଯାଇଥିଲେ ।  କିନ୍ତୁ ରଙ୍ଗମଂଚର ମଧ୍ୟ ଭଦ୍ର ସମାଜରେ ଆଦର ଥିଲା । କାଠ ଚୌକୀରେ ବସି ବାବୁଭାୟା ଲୋକ ସସ୍ତ୍ରୀକ ଓ ସପରିବାର ଆସି ଓଡିଆ ନାଟକ ଟିକେଟ କରି ଦେଖୁଥିଲେ । ଉପଭୋଗ କରୁଥିଲେ । ରଙ୍ଗମଂଚ ଦୁସ୍ଥ  କଳାକାରମାନଙ୍କରେ ଭର୍ତୀ  ହୋଇ ରହିଥୁଲା । ସିନେମା ସହିତ ସଂପୃକ୍ତ ପ୍ରାୟ ସମସ୍ତଙ୍କ ଅବସ୍ତା କ୍ରମଶଃ ସ୍ଵଚ୍ଛଳ ହୋଇ ଆସିଥିଲା । ରଙ୍ଗମଂଚ ସହ ଜଡିତ ସମସ୍ତେ ଉଣା ଅଧିକେ ' ଖଣ୍ଡେ ଖାଇ ଦଣ୍ଡେ ଜୀଇ ମନ୍ତ୍ରରେ ଜୀବନ ବିତାଉଥିଲେ । ରଙ୍ଗମଂଚର ମାଲିକମାନେ ଯୌଥ ଚେଷ୍ଟା ଦ୍ଵାରା ନାଟକ ପ୍ରଦର୍ଶନ ବଞ୍ଚାଇ ରଖିଥିଲେ । ଯୌଥ ଚେଷ୍ଟା ହେଲା ନାଟ୍ୟକାରକୁ ନାମମାତ୍ର ପାରିଶ୍ରମିକ ଦେବା, କଳାକାର ଙ୍କୁ ଅନିୟମିତ ଦରମା ଦେବା ଏବଂ ସ୍ଥଳବିଶେଷରେ ସମସ୍ତେ ମିଳିମିଶି ନିଜ ଘରୁ ଦରକାର ପଡିଲେ କୌଣସି ସୁଦୃଶ୍ୟ ଫୁଲଦାନୀ ବା ଛୋଟ ଗାଲିଚା, ବା ଟେବୁଲ କ୍ଲଥକୁ, ପେନ୍‌ ଷ୍ଟାଣ୍ଡ ଆଦି ସାମୟିକ ଭାବେ ଆଣି ନାଟକର ଅଂଶ ଭାବେ ବ୍ୟବହାର କରୁଥିଲେ। ଆଭିଜାତ୍ୟ ଓ ନିର୍ଧନର ସଂଘର୍ଷ ନାଟକୀୟ ବସ୍ତୁର କାହାଣୀର ଆଧାର | ଜମିଦାର ବାପା ଓ ବିଦ୍ରୋହୀ ପୁତ୍ରର ପ୍ରାୟ ଅବଶ୍ୟମ୍ଭାବୀ ସଂଘର୍ଷ ଘଟୁଥିଲା - ନାଟକୀୟ ଉତ୍କଣ୍ଠା  ଓ ନାଟକୀୟ ପରିସ୍ଥିତି ବାଦ ଦେଇ ନାଟକ ହେବ କିପରି ! ତେଣୁ ଜମିଦାର ବାପା ନିଶ୍ଚୟ ଗୋଟିଏ ସିଲ୍ମ ଡ୍ରେସିଙ୍ଗ ଗାଉନ ପିନ୍ଧି ମଞ୍ଚରେ ତାଙ୍କ ସଂଳାପ କହିବେ । ତତ୍‌କାଳୀନ ଓଡିଶାରେ ଅସାଧାରଣ ଦାରିଦ୍ର  ଥିଲା । କେତେ ଘରେ, କେତେ ଗୋଷ୍ଠୀ ସମୂହରେ ଦୁଇ ଓଳା ଚୁଲି ବର୍ଷଯାକ ଲାଗିବା  ଧନବାନର ପରିଚୟ ଥିଲା । ବରା ପିଆଜି ଓ ଛୋଟ ଗ୍ଲାସ, କପ୍‌, ଚାଲୁ ଚାହା ସଙ୍ଗେ ଧୁଳିଗୁଣ୍ଡି ଅବା ବିଡିଆପାନ ମନର ସଂକୀର୍ଣତାକୁ ଅବଲୀଳାକ୍ରମେ ଅତିକ୍ରମ କରିଯାଉଥିଲା । ସଂସ୍କୃତିରେ ଆଭିଜାତ୍ୟ ଥିଲା । ସୌନ୍ଦର୍ଯ୍ୟ ବୋଧର ଆଲୋଚନାରେ ସୌଜନ୍ୟ, ସୌହାର୍ଦ୍ୟ ଓ ସୁରେନ୍ଦ୍ର ମହାନ୍ତିଙ୍କ କାହାଣୀ ପରି ସଙ୍ଗୀତମୟ ଶବ୍ଦର ଆଭିଜାତ୍ୟ ଛତ୍ରେ ଛତ୍ରେ ଫୁଟି ଉଠିଥିଲା । କଳାକାରମାନେ କଳାପ୍ରତି ଉତ୍ସର୍ଗୀକୃତ ଥିଲେ । ଲାଭକ୍ଷତିର ହିସାବ ଏତେ ନଥିଲା । ତେବେ ଆମ ସ୍ନେହୀ  ନାୟକ ତାଙ୍କର ଦୈନନ୍ଦିନ ଜୀବନରେ ଲାଭକ୍ଷତିର ହିସାବ ମଧ୍ୟ ରଖୁନଥିଲେ  । ସେହିପରି ସରଳ ଓ ସବୁ ଦେଇ ପକାଇବା ମନୋବୃତ୍ତିର ଜୀବନ । ତଥାପି ତାଙ୍କୁ ଚୋରୀ କରିବାକୁ ପଡିଲା ..... ରଙ୍ଗମଞ୍ଚରେ ଏକ ଅପୂର୍ବ ନାଟକ ପ୍ରଦଶିତ ହେବ । ପ୍ରଭାବଶାଳୀ ନାରୀ ଚରିତ୍ର- କିନ୍ତୁ ଭାଗ୍ୟର କଥା, ନାରୀ ଚରିତ୍ର  ଡ୍ରେସିଙ୍ଗ ଗାଉନ୍‌ ପିନ୍ଧି ଅବତୀର୍ଣ୍ ହେଉ ନଥିଲେ | ସୁବିଧା ବି ଅସୁବିଧା ବି ! ସାଧାରଣ ଘରର ସୁନ୍ଦରୀ ଝିଅ ଧନୀ ଘରକୁ ବୋହୁ ହୋଇ ଯାଇଛନ୍ତି । ନାଟକ ଆରମ୍ଭ ସୂତ୍ରଧାରଙ୍କ ନାଟକୀୟ ଠାଣିରେ ନାଟକର ପଟ୍ଟଭୂମିର ପରିଚୟ ପ୍ରଦାନ ଓ ତା ପରେ ଉତ୍କଣ୍ଠା  । ପରଦା ଉଠିବ ନାଟକର ପ୍ରଥମ ଦୃଶ୍ୟ ସୁଧୀବୃନ୍ଦଙ୍କ ସମକ୍ଷରେ । ପ୍ରଥମ ଦର୍ଶନ ଏକାନ୍ତ ପ୍ରଭାବଶାଳୀ, ମନୋଜ୍ଞ ହେବା ଦରକାର । ତେଣୁ ସବୁ ପ୍ରସ୍ତୁତି ସେ ପ୍ରଥମ ଦୃଶ୍ୟ ପାଇଁ । ନାଟକ କିଛି ସହଜ କଥା ନୁହେଁ । ଅନେକ ମାସର ସାଧନା ପରେ ଗୋଟିଏ ଭଲ ବହି ଉତୁରେ ବା ସାଧୁଭାଷାରେ - ନାଟକପୋଯୋଗୀ ବିବେଚିତ ହୁଏ | ତାପରେ କେତେ ପ୍ରକାରର ଆନୁସଙ୍ଗିକ କାର୍ଯ୍ୟ ଚାଲେ । ମୁଖ୍ୟ ଅଭିନେତା
 
 
ଓ ଅଭିନେତ୍ରୀ ବଛା ହେବା, ପ୍ରଭାବଶାଳୀ ଖଳ ଚରିତ୍ର, ହାସ୍ୟରସ କରି ଚାତୁର୍ଯପୂର୍ଣ  କଥା ଓ ଅଙ୍ଗଭଙ୍ଗୀ କରିପାରୁଥିବା କଳାକାର, ଏ ସମସ୍ତଙ୍କର ତାତ୍ପର୍ଯ୍ୟ ରହିଛି । ତାପରେ ସିନ୍‌, ବ୍ୟାକଡ୍ରପ, ସଂଗୀତ, ନୃତ୍ୟ ଆଦି | ଏବଂ ମଞ୍ଚ ଉପରେ ପ୍ରତ୍ୟେକ ସିନ୍‌ରେ କଣ କଣ ସାମଗ୍ରୀ କିପରି ଭାବେ ସଜା ହୋଇ ରହିବ । ତାପରେ ଆଲୋକ ବ୍ୟବସ୍ଥା । ନାଟକର ସଫଳତା ପାଇଁ ଠିକ୍‌ ଠାକ୍‌ ଆଲୋକ ବ୍ୟବସ୍ଥା ପ୍ରତ୍ୟେକ ସିନ୍‌ ପାଇଁ ସ୍ଵତନ୍ତ୍ର ହୋଇପାରେ ।
ଏପରି, ସେପରି ଛୋଟ ବଡ ଅନେକ କଥା । ତା ମଧ୍ୟରେ ଅଭ୍ୟାସ ବା ରିହର୍‌ସାଲ୍‌ । ଏସବୁରେ ନାଟ୍ୟକାର ଅନେକ ପ୍ରକାରରେ ଜଡିତ | ଖାଲି ଭଲ ନାଟକ ଲେଖି ହାତ ଟେକି ବସିଗଲେ ଭଲ ରୂପେ ନାଟକ ପରିବେଷିତ ହେବାର କୌଣସି ଗ୍ୟାରେଣ୍ଟି  ନାହିଁ  । ବିଶେଷତଃ, ନାଟ୍ୟଚିତ୍ର  ଓ ସଂଳାପରେ ତାଙ୍କ ଯୋଗଦାନ ନିର୍ଦେଶକଙ୍କ ଠାରୁ କିଛି କମ୍‌ ନୁହେଁ ।
ନାଟକ ଅଭିନୟ ଅଭ୍ୟାସ ଆରମ୍ଭହେଲା । ସେତେବେଳର ସମାଜରେ ନାରୀ ଅଭିନେତ୍ରୀ ହାତ ଗଣତା । ନାଟକରେ, ସିନେମାରେ ଭାଗନେବାକୁ ଅନେକ ଝିଅ ଏବଂ ତାଙ୍କ ଅଭିଭାବକମାନେ ଆଗଭର ହେଉ ନ ଥିଲା । ସୌଭାଗ୍ୟକୁ ନୃତ୍ୟଗୁରୁ ଯେ କି କଳାପ୍ରେମୀ  ଠାରୁ ସ୍ଵୀକୃତି ପାଇବା ଆରମ୍ଭ କରି ସାରିଥିଲେ ଓ ପରେ ସାରା ଭାରତ ତଥା ଆନ୍ତର୍ଜାତିକ ଖ୍ୟାତି ମଧ୍ୟ ଅର୍ଜନ କଲେ, ତାଙ୍କ ସୌମ୍ୟ ଦର୍ଶନା ପତ୍ନୀଙ୍କୁ ମୁଖ୍ୟ ଅଭିନେତ୍ରୀ ଭୂମିକା କରିବାକୁ ପ୍ରବର୍ତାଇଲେ । ସଂଳାପ ଓ ଅଭିନୟଶୈଳୀ ରହିଲା ଯୁବକ ନାଟ୍ୟକାର ଓ ବୟସ୍କ ନିର୍ଦେଶକଙ୍କ ଦାୟିତ୍ଵ । ନାଟ୍ୟକାର ନିବିଷ୍ଟ ଚିତ୍ତରେ ସଂଳାପ ଓ ଅଭିନୟ ଶିଖାଉଥିବା ହେତୁ ନିର୍ଦେଶକ ତାଙ୍କୁ ସୁଦର୍ଶନ ବନ୍ଧୁ ପତ୍ନୀଙ୍କ ଦାୟିତ୍ଵ  ଦେଇ ଅନ୍ୟାନ୍ୟ ଗୁରୁତର କାର୍ଯ୍ୟରେ ଲାଗିଲେ । ନାଟକରୁ ସଂଳାପ, ସଂଳାପରୁ ଆଳାପ ଏବଂ ଅଜାଣତରେ କିଛି ବ୍ୟତିକ୍ରମ ପ୍ରଳାପ .... ଏହିତ ଜୀବନର ନାଟକ |
ଏବେ ଆସନ୍ତୁ ମୋ ଆଦ୍ୟ କଲେଜ ଜୀବନର ସୌଭାଗ୍ୟପୂର୍ଣ ମୁହୂର୍ତରୁ କିଛି ର ବିବରଣୀ ଶୁଣିବା । କଲେଜରେ ପହଞ୍ଚିଲା ବେଳକୁ ବର୍ଷ ଦି ବର୍ଷରେ ମୋର କିଛିଟା ଛାତ୍ର ପ୍ରତିଭା ଓ ପରିଚୟ ଅଳ୍ପ ଅଳ୍ପ ଜଣା ପଡିବା ଆରମ୍ଭ ହୋଇ ସାରିଥିଲା । କିଛି ସ୍ନେହୀ ପରିବାରରେ ମତେ ଅନାବିଳ ଆତିଥ୍ୟ ମିଳେ । ଘରର ପୁଅର ଭଲ ସାଙ୍ଗ ହିସାବରେ । ଏକ ରବିବାରରେ ମୁଁ ସାଇକେଲ ଚଲାଇ ପହଞ୍ଚେ ମୋଠାରୁ ଉପରେ ପଢୁଥିବା ଏବଂ ବେଶୀ ଖ୍ୟାତ ବନ୍ଧୁଙ୍କ ଘରେ । ନାଟ୍ୟକାର ମଉସା ଖାସି ମାଂସ ଆଣିଛନ୍ତି, ଓ ମାଉସୀ ( ମୋ ବନ୍ଧୁଙ୍କ ମା) ବାକି ଭାତ ତରକାରୀ ଆଦି କେତେ ପ୍ରକାରର ବ୍ୟଞ୍ଜନ କରିଥାନ୍ତି । ମଉସା ବୋଧେ ଜରୁରୀ କାର୍ଯ୍ୟ ବଶତଃ ବାହାରକୁ ଯାଇଥାନ୍ତି । ମାଉସୀ ପୁଅକୁ ତାଗିଦ୍‌ କରି ଖାଇବା ପିଇବାରେ ଭୀରୁ ଓ ଅପଟୁ ମତେ ପେଟପୁରା ଖୁଆଇବାକୁ ଅନବରତ ଚେଷ୍ଟା କରୁଥାନ୍ତି । କିନ୍ତୁ ମୁଁ ତାଙ୍କ ପୁଅଠାରୁ ବୟସରେ ସାନ ହୋଇଥିଲେ ମଧ୍ୟ ସେ ଲମ୍ବା ଓଢଣା ଟାଣିଥାନ୍ତି । ମୁଁ ତାଙ୍କର ସ୍ନେହ ସିକ୍ତା ସରୁ ଲମ୍ବା ଗୋରା ଆଙ୍ଗୁଳି ଛଡା ଆଉ କିଛି ଦେଖିପାରୁନଥାଏ । ବୟସରେ କନିଷ୍ଠ ହେଲେ ବି ମୋର ସୌନ୍ଦର୍ଯ୍ୟବୋଧ ଆରମ୍ଭ  ହୋଇ ଯାଇଥାଏ । ଅନାବିଳ ସ୍ନେହର ଏକ ସ୍ଵୟଂ ସଂପୂର୍ଣ  ଅପୂର୍ବ ମନୋଜ୍ଞ ଦେବୀ ମୂର୍ତୀଙ୍କୁ କଳ୍ପନା କରି ଭକ୍ତି ତଥା ଆନନ୍ଦରେ ଭୂରି ଭୋଜନ କରୁଥାଏ । ମଉସା ଶ୍ୟାମଳ, ମାଉସୀ ଗୋରା ଓ ସୁନ୍ଦରୀ, ଯେମିତି  ରାଧାକୃଷ୍ଣ । ତେବେ ରାଧାଙ୍କୁ କୃଷ୍ଣତ ଘରେ ସମ୍ମାନ ଦେଇ ରଖିପାରିନଥିଲେ । ଏଠି ମଧ୍ୟ ଭାବନ୍ତୁ କ୍ରମଶଃ ସେହି ଅବସ୍ଥା ।
ରାଧା ସଂଳାପ ଶିଖୁଛନ୍ତି ମନଧ୍ୟାନ ଦେଇ । ଯାହା ମୁଁ ପରେ ଆକଳନ କରିଛି- ସବୁ ତଥ୍ୟ ସଠିକ ଜାଣିବା ବା ବୁଝିବା ମୋ ପରି ଅର୍ବାଚୀନ ବାଳୁତ ପକ୍ଷେ ଅସମ୍ଭବ- ତେବେ କିଛି 'ଚୋରକଳା' ପ୍ରବେଶ କରିଥିଲା- ସଂଳାପ ଓ ଆଳାପରେ | ପ୍ରଳାପ ସ୍ତର ଆମ ଦୁଷ୍ଟମନରେ ଅନାବଶ୍ୟକ ଓ ଅପ୍ରମାଣିତ ଭାବନା ମାତ୍ର ।
ନାଟକର ପ୍ରଥମ ଦୃଶ୍ୟକୁ ପ୍ରଭାବଶାଳୀ କରିବା ପାଇଁ ଆଲୋକ ସଜ୍ଜା-ରିତିମତ ଫାଷ୍ଟକ୍ଲାସ ହୋଇଥାଏ । ପରଦା ହଟିବାକ୍ଷଣି ହାଲୋଳମୟ ଆଲୋକ ଜଳିଭଉଠି ସାରା ମଞ୍ଚକୁ ଏକ ସ୍ଵପ୍ନ ରାଇଜରେ ପରିଣତ କରିଦେବ । ପ୍ରଥମ ସିନ୍‌ ହେଉଛି- ଚଉଠି ରାତିରେ ସିଲ୍କ  ପାଟ ପିନ୍ଧି ଥିବା ସୁନ୍ଦରୀ ବୋହୁ ସୁସଜ୍ଜିତ ପଲଙ୍କ ଉପରେ ବସିଥିବେ । ସ୍ଵାମୀ ସଙ୍ଗେ ଭାବି ମିଳନର ଉତ୍କଣ୍ଠା   ନେଇ । ନାଟକର ପ୍ରଥମ ପ୍ରଦର୍ଶନ ଦିନ ନିର୍ବାଚିତ ହୋଇଗଲା । ଅଧେ ଟିକେଟ ଓ ଅଧେ ନିମନ୍ତ୍ରିତ ପ୍ରଭାବଶାଳୀ ଅତିଥିବୃନ୍ଦ। ସେମାନେ ପ୍ରଥମ ଦିନ ନାଟକ ଦେଖି  ଭଲ କହିଲେ ଓ ପତ୍ର ପତ୍ରିକାରେ ପ୍ରଶଂସା କରି ଲେଖିଲେ, ଆଗତ ଦିନ ମାନଙ୍କରେ ଦର୍ଶକମାନଙ୍କ ସୁଅ ଛୁଟିବ | ତେଣୁ ନାଟକର ପ୍ରଥମ ରଜନୀ ସଫଳ ହେବା ଏକାନ୍ତ ଆବଶ୍ୟକ ।
ସବୁ ବ୍ୟବସ୍ଥା  ସୁରୁଖୁରୁରେ ଆଗେଇ ଚାଲିଲା । ନାଟ୍ୟକାର ବୋହୁ ପାଟଶାଢୀ ପିନ୍ଧି କିପରି ପଲଙ୍କ ଉପରେ ବସିବେ, ସେଥିପତି ଧାନ ଦେବାକୁ ଚାହିଁଲେ | ନିର୍ବାଚିତ ପାଟଶାଢୀ ପିନ୍ଧି ଯେତେବେଳେ ସୁନ୍ଦରୀ ବନ୍ଧୁପତ୍ନୀ ପଲଙ୍କରେ ବସି ଗୋଟେ ପଟକୁ ଆଉଜି ପଡିଲେ, ଦେଖାଗଲା ପାଟରେ ଦୁଇ ତିନି ଜାଗାରେ ରଫୁ ହୋଇଛି । ବଜ୍ରପାତ! ସବୁ ଉଦ୍ୟମରେ ପାଣି ପକାଇଦେଲା କିଏ ଯେପରି । ଉଜ୍ଜ୍ଵଳ ଝଲସି ଉଠିବା ଆଲୋକର ସେ ପାଟର ଦୁରବସ୍ଥା ସମସ୍ତଙ୍କ ନଜରକୁ ଆସିଯିବ । ଏବଂ ପ୍ରଥମ ରଜନୀର ଏତେ ଆୟୋଜନରେ ଏ ଖୁଣ ଚନ୍ଦ୍ରରେ କଳଙ୍କ ପରି । ସେତେବେଳକୁ ଦିନ ସାଢେ ତିନିଟା | ସଂଧ୍ୟା ସାତଟାରେ ପରଦା ଉଠିବ । ଛଟା ସୁଦ୍ଧା ସୁନ୍ଦର ପାଟ ଦରକାର ଯାହାକୁ ଦେଖିଲେ ଦର୍ଶକ ଦଳ ଆଭିଜାତ୍ୟ ଘରର ଚଉଠି ପାଟରୂପେ ଗ୍ରହଣ କରିବେ । ନାଟ୍ୟକାର ଦେଖିଲେ ବନ୍ଧୁପତ୍ନୀ କାନ୍ଦ କାନ୍ଦ । ନିର୍ଦେଶକ, ମାଲିକ ଆଦି କାମ ଚଳାଇ ଦେବାକୁ କହୁଛନ୍ତି ପାଟକୁ ଓଲଟା କାନି କରି ଦୁରବସ୍ଥା ଲୁଚାଇ ଚଳାଇବାକୁ । ଆଉ ଏକ ଭଲ ଚଉଠି ପାଟ ଯାହା ନାଟ୍ୟକାରଙ୍କ ମାନସପଟର ନାୟିକା ପାଇଁ ଉପଯୁକ୍ତ, କେଉଁଠାରୁ ମିଳିବ !
ସେ ସ୍ନେହଭରା ଚାହାଣୀରେ ଅଭିନେତ୍ରୀଙ୍କୁ ବାକି ପ୍ରସ୍ତୁତି ଭଲରେ କରିବାକୁ କହି ତୁରନ୍ତ ବାହାରକୁ ଚାଲିଗଲେ । ସମସ୍ତେ ତାଙ୍କୁ ଖୋଜୁ ଖୋଜୁ ପ୍ରାୟ ଘଣ୍ଟେ ମଧ୍ୟରେ ସେ ଏ ଅପୂର୍ବ ପାଟଶାଢୀ ଧରି ଫେରିଆସିଲେ | କହିବା ବାହୁଲ୍ୟ ଯେ ନାଟକର ପ୍ରଥମ ରଜନୀ ସର୍ବଜନ ଆଦୃତ ହେଲା । ପ୍ରଥମ ସିନ୍‌ ଆଶାତୀତ ପ୍ରଭାବଶାଳୀ ହେଲା ଏବଂ ସୁନ୍ଦରୀ ମୁଖ୍ୟ ଅଭିନେତ୍ରୀ ନାଟ୍ଯକାରଙ୍କୁ ଅନୁରୋଧ କଲେ ଯେ ସେ ସମଗ୍ର ନାଟକ ଯାକ ସେହି ପାଟ ସେ ପିନ୍ଧିବେ ।  ପ୍ରାୟ ଚଉଦ ସପ୍ତାହ ସଫଳ ନାଟକ ଭାବେ ସେ ନାଟକ ଚାଲିଲା । ଭୁବନେଶ୍ବର, ପୁରୀ ଓ ବ୍ରହ୍ମପୁର, ତଥା କେନ୍ଦ୍ରାପଡା ଆଦିରୁ ଭଲ ଘରର ଲୋକମାନେ ସେ ନାଟକ ଦେଖିଲେ । ନାଟ୍ୟକାରଙ୍କୁ ଅନେକ ସମ୍ମାନ ମିଳିଲା ।
ଏ ସୃଷ୍ଟି ନିୟମ ଅନୁସାରେ ଚାଲେ ବୋଲି ଭାବିବା ଠିକ୍‌ ନୁହେ । ହୁଏତ ପ୍ରକୃତି ନିୟମ କିଛି ମାନି ଚାଲେ । କିନ୍ତୁ ପାପ ପୂଣ୍ୟ ବା କର୍ମଫଳ ସଦାବେଳେ ଫଳେ ବୋଲି ଭାବିବା ଅନେକ ସମୟରେ ଭୁଲ ପ୍ରମାଣିତ ହୁଏ । ତେଣୁ ଧାର୍ମିକ ଲୋକମାନେ ପ୍ରାରବ୍ଧ କଥା କୁହନ୍ତି ଇତ୍ୟାଦି । ଭଲ ଲୋକ ଯେ ଭଲରେ ରହିବେ ଏପରି ଅକାଟ୍ୟ ନିୟମ ନାହିଁ । ଭଗବାନ ସୃଷ୍ଟିର ମାଲିକ, କିନ୍ତୁ ଶଇତାନ ମଧ୍ୟ ତାର ଭାଗ ଭିଡି ନେଉଥାଏ ।
କେତେ ବର୍ଷ ପରେ ମାଉସୀଙ୍କ ଅଚାନକ ଦେହ ଖରାପ ଆରମ୍ଭ ହେଲା ଓ ଚାହୁଁ ଚାହୁଁ ଦ୍ରୁତ ଅବନ୍ନତି ଘଟିବାରେ ଲାଗିଲା | କ୍ୟାନସର ବ୍ୟାଧି ତାଙ୍କୁ କବଳିତ କରି ସାରିଥିଲା । ଏକେତ ସେତେବେଳେ ଜ୍ଞାନର ଅଭାବ, ସମ୍ବଳର ମଧ୍ୟ ସ୍ଵଳ୍ପତା  ଓ ଭାଗ୍ୟ ପ୍ରତିକୂଳ । ମାଉସୀଙ୍କ ଶେଷ ସମୟ ଆସିଗଲା । ସବୁ କଷ୍ଟ ସତ୍ଗେ ସେ ଅମ୍ଳାନ ବଦନରେ ସମସ୍ତଙ୍କ କଥା ବୁଝିବାକୁ ଚେଷ୍ଟାରୁ ବିରତ ହୋଇ ନଥିଲୋ କିନ୍ତୁ ଦେଖୁ ଦେଖୁ ଶେଷ ଅବସ୍ଥା ଆସିଗଲା ପରି ଜଣା ପଡିଲା। ସେଦିନ ସାବିତ୍ରୀ ଅମାବାସ୍ୟା । ସାମୀ ପୁତ୍ଵ  କନ୍ୟା ପରିବେଷ୍ଟିତା ସେ ଦେବୀମୂର୍ତୀ  ଶେଷ ପର୍ଯ୍ୟନ୍ତ ନିଜ କଷ୍ଟ ଅନ୍ୟଙ୍କୁ ଜଣାଉନଥିଲେ ।  କାଳେ ସତ୍ୟବାନଙ୍କୁ ତଥା ସ୍ଵଜନ ଙ୍କୁ କଷ୍ଟ ହେବ ଭାବି । ସ୍ଵଭାବତଃ ସ୍ନେହୀ ଓ କିଛି ନକରି ପ।ରୁଥିବାରୁ ଗ୍ଲାନି ବୋଧରେ ମଉସା ଚରମ ମୁହୂର୍ତ ପଖେଇ ଆସିଲା ବୋଲି ଅନୁମାନ କରି, ଦେବୀ ପ୍ରତିମା ମାଉସୀଙ୍କ ଦୁଇ ପାପୁଲିକୁ ନିଜ ହାତରେ ସାଉଁଟି ନେଇ କହି ପକାଇଲେ । “ ସାରା ଜୀବନ, ତୁମେ ମୋର କେତେକଲ ! କେତେ ସେବା ଆଦର ଦେଲ | ମୁଁ ଅଧମ ତୁମ ପାଇଁ କିଛି ହେଲେ କରିପାରିଲି ନାହିଁ  । ମୁଁ ଯଦି ଜାଣତ ଅଜାଣତରେ ତୁମ ପ୍ରତି ଅନ୍ୟାୟ କରିଛି, ତୁମେ କ୍ଷମା କରିଦିଅ । ମୁଁ ଦୋଷୀ” ।
ମାଉସୀ ସକାଳୁ ସେ ପର୍ଯ୍ୟନ୍ତ କିଛି କହିବା ଅବସ୍ଥାରେ ହିଁ  ନଥିଲେ । ତତ୍‌କାଳୀନ ଓଡିଆ ଭାଷାରେ ତାଙ୍କ ପାଟି ପଡି ଯାଇଥିଲା । ତଥାପି ସେ ମୁହୂର୍ତରେ ତାଙ୍କ ନୟନ ଯୁଗଳ ନିମିଳିତ ହେଲା । କିଛି ଲୁହ ବାହାରିଲା - ଏବଂ କେତୋଟି ଶବ୍ଦ ମଧ୍ୟ , “ ତୁମେ ପିଲାଙ୍କ ପାଇଁ ବହୁତ କଲ। ସେ ଦୁହେଁ ମୋର ଦୁଇ ରତ୍ନ; ମୋ ଗର୍ବ । ମୋ ପାଇଁ ବି ବହୁତ କରିଛ । ତେବେ ମୋର ଚଉଠି ପାଟ କେମିତି .... ?”
ବାକ୍ୟ ଅସମାପ୍ତ ରହିଲା | ସତ୍ୟବାନ ରହିଲେ, ସାବିତ୍ରୀ  ଯମରାଜଙ୍କ ପାଖକୁ ଚାଲିଗଲେ । କଟକ ଗଳିର କୁକୁରମାନେ ସେ କୃଷ୍ଣପକ୍ଷ  ରାତିରେ ମଧ୍ୟ ପୂଣ୍ଠିମା ଜହ୍ନ ଦେଖି ଉଚ୍ଛନ୍ନ ହୋଇ ଭୁକିବା ପରି କ୍ରନ୍ଦନ କରିଥିଲେ ବୋଲି କୁହାଯାଏ ।  ଜନୈକ ପୁରୁଣା କାଳିଆ ବୁଢୀଙ୍କ ରାତି ଅଧରେ ନିଦ ଭାଙ୍ଗଯାଏ ।  ସେ ସାହି ପଡିଶାରେ ବିଡ୍‌ ବିଡ୍‌ ହୋଇ କଣ କହିଲେ, ସମସ୍ତେ  ବୁଝି ପାରିଲେ ନାହିଁ  । ତାଙ୍କ ପରି ପୁରୁଖା ପୁରୁଖା ଅଳ୍ପ କେଇ ଜଣ ମୁଣ୍ଡ ହଲାଇ ହଁ ଭରିବା ଦେଖା ଯାଇଥିଲା। ବୁଢୀ କହିଲେ ଯେ, ଅମାବାସ୍ୟାର ଅନ୍ଧାର ଥିଲା; କିନ୍ତୁ ରାତି ଅଧରେ ହଠାତ ତାରାମାନେ ଜଳି ଉଠିବା ପରି ଲାଗିଲା । ଏବଂ ସେ ସାହୀର ରସ୍ତା ଓ ଆକାଶ ଅସ୍ପଷ୍ଟ କିନ୍ତୁ ଦୃଶ୍ୟମାନେ ହେଲେ । ସାହୀ ଠାକୁରାଣୀଙ୍କ ମଣ୍ଡପରୁ ଏକ ଉଜ୍ଜ୍ଵଳ ଶିଖା ପାଟ ଲୁଗାରେ ଘୋଡାଇ ହେବା ପରି ଧଳା ମେଘ ଖଣ୍ଡରେ ଭାସିଗଲା..... | ଶ୍ବାନ ସମୂହ ଚୋର ଚିହ୍ନି ପାରନ୍ତି ନାହିଁ ।  ମନ ଚୋରୀ ଧରିବାତ ଦୂରର କଥା !... କିନ୍ତୁ ସ୍ନେହମୟୀ ପବିତ୍ର ଆତ୍ମାର ଆବିର୍ଭାବ ଓ ଅନ୍ତର୍ଧାନ ଦର୍ଶନ କରି ଜାଣନ୍ତି .... ଏବଂ ସେମାନେ ବିଚିତ୍ର ସ୍ଵରରେ କାନ୍ଦନ୍ତି । ସାହୀରୁ ସାହୀ ଅନ୍ୟ କୁକୁରମାନେ ମଧ୍ୟ ପାଳି ଧରନ୍ତି । ସେ କାନ୍ଦ ବିଦ୍ୟାପୁରୀରୁ ଟପି, ବାଲୁ ବଜାର ଦେଇ ପୁରୀଘାଟ ଗଡାରେ କାଠଯୋଡୀ ପାଣିରେ ମିଶିଯାଏ....|
କଣ ପଚାରୁଛନ୍ତି “ ଘଟଣା ସତ୍ୟ କି ନାହିଁ ?”
“ସବୁ ଅସତ୍ୟ | କ୍ଷଣ ଭଙ୍ଗୁର ସଂସାରରେ ସବୁ ଅସତ୍ୟ ! !

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment