Welcome to shalandi webzine

ନନ୍ଦନ କାନନ ରେ ଥିବା ଏକ ଗଧର କାହାଣୀ

ଶୁଭଲକ୍ଷ୍ମୀ ଦାସ ବିଶ୍ବାଳ

ମୁଁ ବାର ବାର କହିଛି ଟ୍ରେନ ରେ ପାଇଖାନା ପାଖରେ ସିଟ ରିଜର୍ଭ କରିବନି | ମୁଁ ପାଇଖାନା ଦୁଃର୍ଗନ୍ଧ ସହ୍ୟ କରିପାରେନି | ଟ୍ରେନ ନାଁ ଟା ନନ୍ଦନ କାନନ ଏକ୍ସପ୍ରେସ ହେଲା ବୋଲି କଣ ଏଥିରେ ଯିଏ ଯିବ ପଶୁଙ୍କ ପରିଯିବ ?

ମୁଁ ବାର ବାର କହିଛି ଟ୍ରେନ ରେ ପାଇଖାନା ପାଖରେ ସିଟ ରିଜର୍ଭ କରିବନି | ମୁଁ ପାଇଖାନା ଦୁଃର୍ଗନ୍ଧ ସହ୍ୟ କରିପାରେନି | ଟ୍ରେନ ନାଁ ଟା ନନ୍ଦନ କାନନ ଏକ୍ସପ୍ରେସ ହେଲା ବୋଲି କଣ ଏଥିରେ ଯିଏ ଯିବ ପଶୁଙ୍କ ପରିଯିବ ?
- ଆରେ ଏଇଟା କ'ଣ ବସ ହେଇଚି, ଆଗ ସିଟ ପଛ ସିଟ ଦେଖି ଟିକେଟ କାଟିବି | ଅନଲାଇନ ରିଜର୍ଭେସନ ରେ ଯୋଉ ସିଟ ଆସିଲା , ସେଥିରେ ମୋର କ'ଣ କରିବାର ଅଛି | ଟ୍ରେନ ଚାଲୁ, ପବନ ରେ କିଛି ଜଣାପଡିବନି |
- ଟ୍ରେନ ଛାଡିଲେ ପବନ ରେ ବେଶୀ ଜଣା ପଡିବ |
ସ୍ମୃତି ଓ ସାଗର ଙ୍କ ଏଇଟା ନିତିଦିନିଆ କଥା | ଛୋଟ ଛୋଟ କଥାରେ କଥା କଟାକଟି , ପୁଣି କିଛି ସମୟ ଗଲେ ଚଢେଇ ଛୁଆ ପରି ଗେଲ | ସ୍ୱାମୀ ସ୍ତ୍ରୀ ଦୁଇଜଣ କେତେବେଳେ ବନ୍ଧୁ ତ କେତେବେଳେ ଭାଇଭଉଣୀ ପରି କଳି କରନ୍ତି |
ସାଗର କୁହେ ଏଇଟା ପ୍ରେମ , ଜୀବନ ନବରଷରେ ସମାହାର ଗୋଟିଏ ବି ରସ କମ ହେଲେ ଜୀବନ ପାଣିଚିଆ ଲାଗିବ |
କଷି କାକୁଡି-ମିଠା କାକୁଡି | ଭଜା ବାଦାମ - ସିଝା ବାଦାମ | ପାଣି ବୋତଲ - ମିଠା ଦହି
- ଆରେ ବାବୁ ଟ୍ରେନ ଟିକେ ଚାଲୁ , ଜିନିଷ ପତ୍ର ସଜାଡି ସାରେ, ତା ପରେ ଯାହା ବିକିବା କଥା ବିକିବ |
ଗଲା , ଘରୁ ପାଣି ବୋତଲଟେ ଆଣିଥିଲି ତଳକୁ ଗଡ଼ିଗଲା | ପାଇଖାନା ପାଖ କୁ କବାଟ ପାଖ |
ଆଖି ତରାଟି ସାଗର ଚାହିଁଲେ ସ୍ମୃତି କୁ ? ସାଗର ଙ୍କ ଆଖିରୁ ସ୍ମୃତି ଜାଣିପାରେ , ସାଗରଙ୍କ ମୁଡ଼ କଣ ଅଛି ! ଦୁଇଜଣ ମିଶି ଜିନିଷ ସଜେଇ ରଖିଲେ |
ନନ୍ଦନକାନନ ଏକ୍ସପ୍ରେସ ଏସ ସିକ୍ସ ଚାରି ଓ ଛ ନମ୍ବର ସିଟ | ସାଗରଙ୍କର ତଳ ବର୍ଥ , ସ୍ମୃତି ର ଉପର | ମଝି ବର୍ଥ ର କେହି ଆସିନାହାନ୍ତି | ଟ୍ରେନ ହର୍ନ ମାରିଲା ଛାଡିବ ଛାଡିବ ହେଲା | ସେହି ସମୟରେ ଦୌଡ଼ି ଦୌଡ଼ି ସାମ୍ନା ସିଟର ବି ଦୁଇଜଣ ବୁଢା ବୁଢ଼ୀ ଉଠିଲେ | ସାଗର ତାଙ୍କ ବ୍ୟାଗ ସଜାଡିବାରେ ସାହାଯ୍ୟ କଲା |
- ଦିଲ୍ଲୀ ଯାଉଛନ୍ତି ?
- ନା ଆଲ୍ହାବାଦ , ପୁଅ ସେଠି ରହେ ତା ପାଖକୁ ଯାଉଛୁ | ଆପଣ ଦୁଇଜଣ ?
- ଆମେ ଦିଲ୍ଲୀ ଯିବୁ
- ସେଠି ଚାକିରୀ କରନ୍ତି ?
- ନାଁ , ମୁଁ ଭୁବନେଶ୍ୱର ରେ ଚାକିରୀ କରେ | ଦିଲ୍ଲୀ ରେ ମୋର ଟ୍ରେନିଂ ଅଛି , ଦଶଦିନ ରହିବି | ପତ୍ନୀଙ୍କୁ ବି ସାଙ୍ଗରେ
 
 
ନେଇଯାଉଛି ବୁଲି ଆସିବେ |
ଅପରିଚିତ ଙ୍କ ସହ ବହୁତ ଜଲ୍ଦି ମିଶିଯାନ୍ତି ସାଗର | ନମ୍ର କଥା , ନିଜକୁ ସହଜ କରିଦେବାର ଗୁଣ ତାଙ୍କୁ ଅନ୍ୟଜଣକ ପାଖରେ ବି ସହଜ କରିଦିଏ | ତାହାହିଁ ତାଙ୍କ ବ୍ୟକ୍ତିତ୍ୱ ର ପ୍ଲସ ପଏଣ୍ଟ | ସ୍ମୃତି କାନରେ ଇୟରଫୋନ ଦେଇ ଗୀତ ଶୁଣୁଥିଲେ | ସାଗର ଓ ସେଇ ବୃଦ୍ଧ ଦୁଇଜଣ ଗପୁଥିଲେ | ପ୍ରକୃତ କଥା ସ୍ମୃତି କେବଳ ସେହି ଆଲୋଚନାର ଭାଗ ନନେବା ପାଇଁ କାନରେ ଇୟରଫୋନ ଦେଇ ଗୀତ ଶୁଣିବାର ବାହାନା କରୁଥିଲେ |

ସାଗର ଙ୍କ ଘର ଭଦ୍ରକ ଭଣ୍ଡାରୀ ପୋଖରୀ ଆଉ ସ୍ମୃତି ବାଲେଶ୍ୱର ବାଲିଆପାଳ ର ଝିଅ | ବିବାହ ପରେ ବହିଚାଲିଥିଲା ସମ୍ପର୍କ ର ନଦୀ | ଛତିଶଗଡ଼ ବନ୍ଧ ବାନ୍ଧିଲାପରି ଏଇ ଫୋରଜି ମୋବାଇଲ ଆସିବା ଦିନରୁ ଯେମିତି ଅଟକ ଯାଇଛି ପ୍ରେମର ସ୍ରୋତ | ଦୁଇଜଣ ଗୋଟିଏ ଖଟରେ ଶୋଇ ବି ମୋବାଇଲ ଚାଟିଙ୍ଗ ରେ କଥା ହୁଅନ୍ତି ସେମାନେ | ସାଗର ଭାବନ୍ତି ସ୍ମୃତି କୁ ନୂଆ ମୋବାଇଲ ଟେ କିଣିଦେବା ବୋଧହୁଏ ବଡ ଭୁଲଥିଲା ନହେଲେ ଆଗରୁ ସ୍ମୃତି ଏମିତି ବ୍ୟବହାର କରୁନଥିଲା , ଏତେ ଅନ୍ୟମନସ୍କ ରହୁ ନଥିଲା | ସାଗର ପାଖରେ ଶୋଇ ଚାରି ପଦ କହିଲେ ସ୍ମୃତି ହଁ କି ନାଇଁ ରେ କଥା ସାରିଦିଏ |
ଏବେ କଥା ନହେବା ପାଇଁ ସ୍ମୃତି ନୂଆ ବାହାନା ବାହାର କରିଛି ସେଇଟା ହେଉଛି ଇୟରଫୋନ , ସେ ଇୟାରଫୋନ ରେ କଥା ହେଉ ଥାଏ କି ନାହିଁ ଗୀତ ଶୁଣୁଥାଏ କି ନାହିଁ ସାଗର ଙ୍କୁ ଜଣା ନାହିଁ | ସାଗର କିଛି ପଚାରିଲେ ସେ ଶୁଣେ ନାହିଁ ଆଉ କିଛି ସମୟ ପରେ ଉତ୍ତର ଦିଏ ମୁଁ ଗୀତ ଶୁଣୁଥିଲି ତୁମ କଥା ଶୁଣି ନାହିଁ | ଦିନେ ସାଗର ପରୀକ୍ଷା କରିବା ପାଇଁ , ସ୍ମୃତି ଇୟାରଫୋନ ଦେଇଥିବା ସମୟରେ କହିଲେ ତୁମ ବାପା ସାଇକେଲ ରୁ ପଡିଯାଇଛନ୍ତି | ସ୍ମୃତି ସଂଗେ ସଂଗେ କହିଲେ " କେତେବେଳେ ? ତୁମକୁ କିଏ କହିଲା ? ବ୍ୟସ୍ତ ହୋଇ ଘରକୁ ଫୋନ ଲଗାଉଥିଲେ ସ୍ମୃତି | ସାଗର ଅଟକାଇ କହିଲେ " ନାଇଁ କିଛି ହେଇନି ମୁଁ ଦେଖୁଥିଲି ତୁମେ ସତରେ ଗୀତ ଶୁଣୁଥିଲ ନା ବାହାନା କରୁଥିଲ ?

ସାଗର ବିବାହ ପୂର୍ବରୁ ବାଲେଶ୍ୱର ରେ ଚାକିରୀ କରୁଥିବା ବେଳେ ଗୋଟେ ବଙ୍ଗାଳି ଝିଅ କୁ ଭଲ ପାଉଥିଲେ | ସେ ଝିଅ ତାଙ୍କ ଅଫିସ ରେ ଆକାଉଣ୍ଟାଣ୍ଟ ଥିଲା , ସୁନ୍ଦରୀ ସ୍ମାର୍ଟ ଖଣ୍ଡି ଓଡ଼ିଆ ବଙ୍ଗାଳି ମିଶା ତା କଥା ରେ ଅଫିସ ରେ ସମସ୍ତେ ବାଇଆ ଥିଲେ | ସେତେବେଳେ ବ୍ୟାଚଲର କହିଲେ କେବଳ ସାଗର ଆଉ ଜଣେ ଜୁନିଅର ଆକାଉଣ୍ଟାଣ୍ଟ | ଝିଅ କିନ୍ତୁ ଫସିଥିଲା ସାଗର ବାବୁ ଙ୍କ ପାଲରେ | ପାୟଲ ନାମକ ସେହି ଝିଅ ଦିନେ ଚାନ୍ଦିପୁର ରେ ବୁଲୁ ବୁଲୁ ଗୋଟିଏ ଆଲବମ ସୁଟିଂ ପାଇଁ ଆସିଥିବା ଡ଼ାଇରେକ୍ଟର ଙ୍କ ନଜର ରେ ଆସିଲା ଆଉ ସେହି ଦିନ ସେହି ଲୋକେସନ ରେ ଗୋଟିଏ ଆଲବମ ର ହିରୋଇନ ହେଲା | ସେ ଆଲବମ ରିଲିଜ ହେଲା ପରେ ଏତେ ହିଟ ହେଲା ଯେ ଝିଅ ସାରା ଓଡିଶା ରେ ପରିଚିତ ହୋଇଗଲା | ଝିଅ ଚାକିରୀ ଛାଡିଲା , ଭୁବନେଶ୍ୱର ରେ ରହିଲା | ଆଲବମ ରେ ଆଉ ସିରିଆଲ ରେ ଅଭିନୟ କଲା | ସାଗର ଭଳି ଗୋଟେ ଆଇସକ୍ରିମ କମ୍ପାନୀର ମାର୍କେଟିଙ୍ଗ ମେନେଜର ତାକୁ ବହୁତ ମିଳିବେ ଏମିତି ଧାରଣା ଟେ ତାର ହୋଇଗଲା | ସାଗର ର ମୋବାଇଲ ନମ୍ବର ବ୍ଲକ କରି ରଖିଲା |

ନିଜେ ପ୍ରେମିକା କୁ ଛାଡିଥିଲେ ଗର୍ବ ଲାଗିଥାନ୍ତା କିନ୍ତୁ ପ୍ରେମିକା ପ୍ରେମିକ କୁ ଅଯୋଗ୍ୟ ଭାବି ପ୍ରତ୍ୟାଖ୍ୟାନ କଲେ କେମିତି ଲାଗେ କେବଳ ସାଗର ହିଁ ଜାଣିଥିବେ | ପାୟଲ ତ ଏବେ ଓଡ଼ିଶାର ଜଣେ ପ୍ରତିଷ୍ଠିତ ହିରୋଇନ | ସାଗର ଆୟତ୍ତରେ ଆଉ କିଛି ନଥିଲା |
ସାଗର ସେ ଚାକିରୀ ଛାଡିଦେଲା , ଭବୁବନେଶ୍ୱର ରେ ଗୋଟେ ସପିଙ୍ଗମଲ ରେ ମ୍ୟାନେଜର ଚାକିରୀ କଲା | ଭଲ ଦରମା ଥିଲା , ସେ ଖୋଜିଲା ଏମିତି ଝିଅ ଯିଏ ପାୟଲ ଠାରୁ ସୁନ୍ଦରୀ ଓ ପାଠୋଈ ହୋଇଥିବ | ପୁରା ହିନ୍ଦୀ ଫିଲ୍ମ ହିରୋଇନ ଙ୍କ ପରି ଦିଶୁଥିବ | କିନ୍ତୁ ଆଉଥରେ ପ୍ରେମ କରିବା ସମ୍ଭବ ନଥିଲା | ସାଗର କୁ ଲାଗୁଥିଲା ସବୁ ଝିଅ ଖରାପ | ଏକ ସାଙ୍ଗରେ ତିନି ଚରୋଟି ବୟଫ୍ରେଣ୍ଡ ରଖିଥାନ୍ତି | କୌଣସି ଝିଅଙ୍କ ଚରିତ୍ର ଭଲ ନୁହେଁ | ଏପରି ଏକ ନକାରାତ୍ମକ ଚିନ୍ତାଧାରା ସାଗର ମନକୁ କବଳିତ କରିରଖିଥିଲା |

 ସ୍ମୃତି କୁ ସେ ଦେଖିଥିଲା ତାଙ୍କ ସପିଙ୍ଗମଲରେ , ସ୍ମୃତି ତା' ମାମୁଁଘରକୁ ବୁଲି ଆସିଥିଲାବେଳେ ସପିଙ୍ଗମଲ କୁ ଆସିଥିଲା | ସାଗର ଯେତେବେଳେ ସ୍ମୃତି କୁ ଦେଖିଲା ପ୍ରଥମେ ତ ଭାବିଥିଲା କି କୌଣସି ହିରୋଇନ ହୋଇଥିବ | ସପିଙ୍ଗ କାର୍ଡ ବାହାନାରେ ଫୋନ ନମ୍ବର ନେଇ ପ୍ରେମ ଚାଲିଲା | ବେଶିଦିନ ରହିଲେ ଆଉକିଏ ପୁଣି ନଜର ପକେଇବ ଚିନ୍ତା କରି ଘରେ ପ୍ରସ୍ତାବ ପକେଇ ବାହାଘର ହୋଇଗଲା | ସ୍ମୃତି ସହ ବାହାଘର ଚାରି ବର୍ଷ ହୋଇଗଲାଣି | ବେଳେ ବେଳେ ପାୟଲ ସହ ବି ଦେଖାହୋଇଯାଏ ସାଗର ର | କିନ୍ତୁ ସେ କଥା ହେବାକୁ ସାହସ କରେନା | ପାୟଲ ଚିନ୍ହିପାରେ କି ନାହିଁ କେଜାଣି !

               ସଁ ସଁ ସଁ ସଁ .... ସୁ ସୁ ସୁ .. ଦୁମ ଟ୍ରେନ ରହିଲା | ବାଲେଶ୍ୱର ଷ୍ଟେସନ | କିଛି ଲୋକ ଉଠିଲେ କିଛି ଉଲ୍ଳେଇଗଲେ | ସ୍ମୃତି ସେମିତି ଝରକା ଆରପଟକୁ ଚାହିଁ ଗୀତ ଶୁଣୁଛି | କାହା କଥା ଭାବୁଛି କେଜାଣି ? ନିଶ୍ଚିତ ନିଜ ପୁରୁଣା ପ୍ରେମିକ କଥା ଭାବୁଥିବ | ସାଗର ର ଦୃଢ ବିଶ୍ୱାସ ଯେ ପ୍ରତ୍ୟକ ପୁଅ ପରି ପ୍ରତ୍ୟକ ଝିଅର ବି ଗୋଟିଏ ଅତୀତ ଥାଏ ସେ ଅତୀତ ରେ ଗୋଟିଏ ବା ଅଧିକ ପୁଅ ଙ୍କର ପ୍ରବେଶ ସରିଥାଏ | ସେହି ପୁଅ ମାନଙ୍କ ମଧ୍ୟରୁ ଜଣକୁ ବିବାହ ପରେ ବି ଝିଅଟି ମନେରଖିଥାଏ ଆଉ ଝୁରିହୁଏ | ନିଜ ସ୍ୱାମୀକୁ ସେହି ପୁରୁଷ ସହ ଆର୍ଥିକ ସାହାରୀରିକ ଓ ସାମାଜିକ ଭାବରେ ତୁଳନା କରେ |

- କଣ ଆଣିବି କି ? ସାଗର ପଚାରିଲା ସ୍ମୃତି କୁ |ଉତ୍ତର କିଛି ନାହିଁ | ନିଜେ ଯାଇ ସ୍ମୃତି କାନ ରୁ ଇୟାରଫୋନ ଟା ବାହାର କରିଦେଲା , ଆଉ ପୁଣିଥରେ ପଚାରିଲା କଣ ଆଣିବି କି ?
- ନା , ଟ୍ରେନ ବେଶୀ ସମୟ ରହିବ ନାହିଁ | ତୁମେ ବାହାରକୁ ଯାଆନି |
ସ୍ମୃତି କୁ ବାଲେଶ୍ୱର ରେ ସମସ୍ତେ ଜାଣନ୍ତି | ଦିନ ଥିଲା ସମସ୍ତେ ଭାବୁଥିଲେ ସେ ଓଡ଼ିଆ ଫିଲ୍ମ ରେ ହିରୋଇନ ହବ | ଏବେ ବି ତା ସୌନ୍ଦର୍ଯ୍ୟରେ କିଛି କମି ଆସିନାହିଁ |
ସାଗର କୁ ଲାଗୁଥିଲା କେହି ଜଣେ ଝରକା ବାହାରେ ସ୍ମୃତି କୁ ଦେଖି ଖୁସି ହେଉଛି | ସ୍ମୃତି ତାକୁ ହିଁ ଲକ୍ଷ୍ୟକରି ଆଖି ଠାର ମାରୁଚି | ସ୍ମୃତି ଆଖି କୁ ନିରିଖେଇ ଦେଖିଲା , କିଛି ଜାଣିପାରିଲାନି |
- କଣ ଦେଖୁଛ ?
- ତୁମ ଆଖି ପତା ରେ କଣ ଲାଗିଛି | ସ୍ମୃତି ହାତ ମାରି ପୋଛିଲା | କାହିଁ କଣ ?
- ସଫା ହେଇଗଲାଣି |
ଟ୍ରେନ ଛାଡିଦେଲା | ଦିନ ଚାରିଟା ପାଖ ପାଖି ହୋଇଥାଏ | ସୂର୍ଯ୍ୟଙ୍କ କିରଣ ଟିକେ ଟିକେ କମି ଆସୁଥାଏ | ରାତି ଖାଇବା ପାଇଁ ଟ୍ରେନ ର କର୍ମଚାରୀ ଜଣେ ପଚାରି କି ଗଲାଣି | ସାମ୍ନା ସିଟ ରେ ଥିବା ବୁଢା ବୁଢ଼ୀ କିଛି ଅର୍ଡର କରିନାହାନ୍ତି | ସାଗର ଦୁଇଟି ଭେଜ ଥାଳି ପାଇଁ କହିଛନ୍ତି |
ଜଳେଶ୍ୱର ରେ କେହିଜଣେ ସୌମ୍ୟ ପୁରୁଷ ତରବର ରେ ଆସି ସାଗର ଓ ସ୍ମୃତି ବସିଥିବା ସିଟ ରେ ବସିଗଲା | ସାଗର ସଂଗେ ସଂଗେ ଚିଲ୍ଲେଇଲା
-" ବାବୁ ତୁମ ସିଟ କୋଉଠି ?
-ମୋର ୱେଟିଂ ରେ ଅଛି ଟିଟି ଆସିଲେ କନଫର୍ମ କରିବି |
- ୱେଟିଂ ଅଛି ତ ଅନ୍ୟ ଜାଗାରେ ଯଉଠି ବେଶୀ ଖାଲି ଅଛି ସେ ଜାଗାରେ ବସ | ସ୍ମୃତି କହିଲେ ତାଙ୍କୁ ଯଦି ଅସୁବିଧା ହେଉଛି ଆଗରେ ମଉସା ମାଉସୀଙ୍କ ପାଖରେ ବସ | ପିଲାଟା ଆଗ ସିଟ ରେ ବସିଲା |
ସାଗର ଭାବୁଥିଲେ ଏଇଟା ବଦାନ୍ୟତା କି ପ୍ରେମ ? ସ୍ମୃତି ଘର ବାଲିଆପାଳ | ବାଲିଆପାଳର ସବୁ ଲୋକ ଜଳେଶ୍ୱର ରୁ ଏକ୍ସପ୍ରେସ ଟ୍ରେନ ଧରନ୍ତି | ଏଇ ପିଲା ବି ଜଳେଶ୍ୱର ରୁ ଉଠିଲା , ତେବେ ସ୍ମୃତି କଣ ଆଗରୁ ୟାକୁ ଜାଣିଚି ?

ସାଗର କେବଳ ସ୍ମୃତି ର ଅଙ୍ଗ ଭଙ୍ଗୀ କୁ ଲକ୍ଷ କରୁଥିଲେ | ସାଗର ଙ୍କୁ ଲାଗୁଥିଲା | କିଛି ସମୟ ପୂର୍ବରୁ ଉଦାସ ହୋଇ ଝରକା ଆରପଟର ଟାଙ୍ଗରା ଖେତ ଦେଖୁଥିବା ସ୍ମୃତି ଏବେ ସ୍ମିତା ହାସ୍ୟ ଦେଉଛି | ଇୟରଫୋନ କୁ ଗୁଡେଇ ବ୍ୟାଗରେ ଭରିଦେଇଛି | ଆଉ ସେହି ପିଲାକୁ ଏକଲୟ ରେ ଚାହିଁରହିଛି | ସେ ପିଲା କିନ୍ତୁ ତଳକୁ ମୁହଁ ପୋତି ମୋବାଇଲ ରେ କଣ ଖୋଜୁଛି | ବୋଧ ହୁଏ ସ୍ମୃତିର ମୋବାଇଲ ନମ୍ବର , ଦୁଇ ପରିଚିତ ବନ୍ଧୁ ବୋଧହୁଏ ସାଗର ଅଛନ୍ତି ବୋଲି କଥା ନହୋଇ ପାରି ଚାଟିଙ୍ଗ କରିବେ | ସତକୁ ସତ ସ୍ମୃତି ବି ମୋବାଇଲ ବାହାର କଲେ | ସାଗର ସ୍ମୃତି ହାତରୁ ମୋବାଇଲ ଟି ନେଇ ଗଲେ , କହିଲେ ଏତେ ସୁନ୍ଦର ସନ୍ଧ୍ୟା ବାହାରେ ସୂର୍ଯ୍ୟାସ୍ତ କୁ ଦେଖ | ତୁମେ ପରା କବି ! କବିତାରେ ଏତେ ପ୍ରକୃତିର ବର୍ଣନା କରୁଛ ଆଉ ପ୍ରକୃତି ର ମନ ଲୋଭ ଦୃଶ୍ୟ ଆଖି ସାମ୍ନାରେ ଥିଲା ବେଳେ ତୁମେ ଏ ମୋବାଇଲରେ ଘାଣ୍ଟି ହବ | ସେ ପିଲା ଟି ବି ମୋବାଇଲ ରଖିଦେଲା ଆଉ ବାହାର ର ସୂର୍ଯ୍ୟାସ୍ତ ଦେଖିଲା |
ସାଗର ର ଗୋଟିଏ ଘଟଣା ମନେ ପଡିଲା |
କିଛି ଦିନ ତଳେ ସାଗର ଶଶୁର ଘର କୁ ଯାଇଥିଲା | ସାନ ଶଳା ସହ ବାଲିଆପାଳ ବଜାର ବୁଲି ସନ୍ଧ୍ୟାରେ ଫେରିବା ବେଳେ ଦେଖିଲା ସ୍ମୃତି ମନ୍ଦିର ପାଖରେ ଗୋଟିଏ ପିଲା ସହ ଗପୁଚି | ସାଗର କୁ ଦେଖି ବୋଧହୁଏ ସେ ପିଲା ଚାଲିଗଲା | ସାଗର ମାଛି ଅନ୍ଧାର ରେ ସେ ପିଲାର ଚେହେରା  ଠିକସେ ଦେଖି ପାରିଲାନି କିନ୍ତୁ ଶରୀର ଗଢ଼ଣ ଏବେ ଦୁହିଁଙ୍କ  ସାମ୍ନାରେ ବସିଥିବା ପିଲା ଏହି ପରି ଲାଗୁଥିଲା |

ଖଡ଼ଗପୁର ଜଙ୍କ୍ସନ , ଟ୍ରେନ ପଚିଶ ମିନିଟ ରହିବ | ସାଗର ପିଲାଟିକୁ ଉପଦେଶ ଦେଲା ପରି କହିଲା " ଏଇଠି ବହୁତ ଟିଟିସି  ବୁଲୁଥିବେ କାହାକୁ ଗୋଟେ କହି ସିଟ ଟେ କନଫର୍ମ କରିଦିଅ ନହେଲେ ରାତିରେ ଟ୍ରେନ ଭିତରେ ଆଉ କାହା ଦେଖା ପାଇବନି | ରାତି ସାରା ହଇରାଣ ହେବ |
ସ୍ମୃତି କହିଲେ ହଁ ଆମର ତଳ ଉପର କନଫର୍ମ ହୋଇଛି ମଝି ସିଟ ରେ କେହି ଆସିନାହାନ୍ତି | ଲାଗୁଚି କେହି ଆସିବେନି | ଟିଟି କୁ କହି କରିଦିଅ | ପିଲାଟି ଥରେ ସାଗର କୁ ଆଉଥରେ ସ୍ମୃତି କୁ ଚାହିଁଲା କାହାକଥାରେ କିଛି ଉତ୍ତର ନଦେଇ  ମୋବାଇଲରେ ଗେମ ଖେଳେରେ ଲାଗିଲା |
ସାଗର ସନ୍ଦେହ ବଢ଼ିଲା , ଇଏ ନିଶ୍ଚିତ ସ୍ମୃତିର ପିଲା ଦିନ ସାଙ୍ଗ ହୋଇଥିବ, ନହେଲେ ବର୍ଷେ  ଦୁଇବର୍ଷ ବଡ ହୋଇଥିବ | ଦୁହେଁ ସମାନ ସ୍କୁଲ କିମ୍ବା କଲେଜ ରେ ପଢୁଥିବେ | ଦୁହିଁଙ୍କ ମଧ୍ୟରେ ପ୍ରେମ ଥିବ | ଦୁହେଁ ଅଲଗା ହୋଇ ରହିପାରୁ ନଥିବେ | ଆଜି ସୁଯୋଗ  ମିଳିଛି ଯେତେବେଳେ ସ୍ମୃତି ତାକୁ ମୋବାଇଲ ଚାଟିଙ୍ଗ ରେ କହିଥିବ ଆସିବା ପାଇଁ | ଯଦି ଟିଟିସି  ତାକୁ ମଝି ସିଟ ଦେଇଦିଏ ତେବେ ସାଗର କୁ ରାତିସାରା ଜଗିବାକୁ ପଡିବ |
ସାଗର ବାହାରକୁ ଆସି ଦୁଇଟି ପାଣି ବୋତଲ ଓ କିଛି ସ୍ନାକ୍ସ ନେଇ ଆସିଲା | ବାହାରୁ ଝରକା ବାଟଦେଇ ତାକୁ ଲାଗିଲା ଯେମିତି ସ୍ମୃତି ଓ ସେ ପିଲା କଥା ହେଉଛନ୍ତି | ସେ ଟ୍ରେନ ଭିତରକୁ ଦୌଡିଲା | କବାଟ ପାଖରେ ଆସି ଦେଖିଲା ପିଲାଟି ଗୋଟିଏ ବିସ୍ମୟକର ସ୍ମିତା ହାସ୍ୟ ଦେଇ ବାହାରକୁ ଉଲ୍ଳେଇଗଲା |
ଟ୍ରେନ ଛାଡିଲା , ପିଲାଟି ଆଉ ଚଢିଲା  ନାହିଁ | ସାଗର ଏପଟ ସେପଟ ଦେଖିଲା , ନା  ନାହିଁ | ଗୋଟେ ଚିନ୍ତା ଗଲା | ହୁଏତ ଉଲ୍ଳେଇଗଲା କିମ୍ବା ଅନ୍ୟ କୋଉ  ବଗିରେ ସିଟ ପାଇଗଲା |

 ବୁଢ଼ୀ ସାଗର କୁ କହିଲା ବାବୁରେ ଆମେ ଦୁଇଜଣ ବୁଢା ଲୋକ ଉପର ସିଟ ରେ ଶୋଇଲେ ମୋ ମୁଣ୍ଡ ବୁଲେଇବ ମୁଁ ଖସି ପଢ଼ିବି | ତାଙ୍କର ଆଣ୍ଠୁ ଅସୁବିଧା ଉପରକୁ ଉଠିପାରିବେନି | ତୁମେ ଦୁଇଜଣ ଉପର ସିଟ ରେ ଶୋଇଗଲେ ଆମେ ଦୁଇଜଣ ତଳେ ଶୋଇଯାନ୍ତୁ | ସାଗର କିଛି କହିବା ଆଗରୁ , ସ୍ମୃତି କହିଲେ ହଁ ମାଉସୀ ଏଇଟା କୋଉ ବଡ଼କଥା | ତୁମେ କେବଳ ଆମ ଜିନିଷ କୁ ଟିକେ ନିଘା ରଖିଥିବ | ବୁଢା କହିଲା ମତେ ରାତିରେ ନିଦ ହୁଏନି | ମୁଁ ରାତିସାରା ଚାହିଁଥିବି ଆଉ ସମସ୍ତଙ୍କ ଜିନିଷ ଦେଖୁଥିବି | ସ୍ମୃତି ର ଏହି ଉଭୁଡା ପଡି କଥା ହେବା ସାଗର କୁ ପସନ୍ଦ ହୁଏ ନାହିଁ |

ସାଗର ପାଇଖାନା ଗଲେ , ଫେରି ଦେଖିଲେ ସେ ପିଲା ଟି ପୁଣି ସେହି ସ୍ଥାନରେ ହାଜର |
- କଣ ଭାଇ ସିଟ ପାଇଲାଣି କି ? ପିଲାଟି ସାଗର କୁ ଚାହିଁଲା ଆଉ ହସିଦେଲା | ପିଲାଟିର ହସ ଭାରି ବିରକ୍ତିକର |
ପିଲାଟି ମୋବାଇଲ ଦେଖୁଥିଲା ଆଉ ଗୋଡ ହଲାଉଥିଲା | ସାଗର ଲକ୍ଷ କରୁଥାଏ ପିଲାଟି ତିନିଥର ଗୋଡ ହଲେଇଲା , ସ୍ମୃତି ଚାରିଥର ହଲେଇଲା | ବୋଧହୁଏ ପିଲାଟି କହିଲା ଆଇ ଲଭ ୟୁ , ସ୍ମୃତି ଉତ୍ତର ଫେରେଇଲା ଆଇ ଲଭ ୟୁ ଠୁ | ସାଗର କୁ ସନ୍ଦେହ ଓ ଭୟ ଏତେ ମାତ୍ର ରେ ଘେରିଯାଇଥିଲା ଯେ ସେ ଭାବିପାରୁନଥିଲା ଯେ ସେ ଯାହା ବିଷୟରେ ଏତେ ସବୁ ଖରାପ କଥା ଚିନ୍ତା କରୁଛି ଚାରି ବର୍ଷ ତଳେ ତାକୁ ହାତଧରି ପତ୍ନୀ ରୂପରେ ଘରକୁ ଆଣିଥିଲା |
ଟିଟିସି  ଆସିଲେ, ଟିକେଟ ଚେକ କଲେ | ପିଲାଟି ଜେନେରାଲ ଟିକେଟ ଖଣ୍ଡେ ବାହାର କରି ଦେଖେଇଲା | ଟିଟି ତାକୁ ପାଇଖାନା ପାଖକୁ ନେଇଗଲେ | ସାଗର ମନ ଖୁଶ , ଆଜି ପୁଅ ବନ୍ଧା ହୋଇଯିବୁ | ଟିକେଟ ନକରି  ସ୍ଲିପର ରେ ଉଠିଛୁ ମଜା ନେ | ସ୍ମୃତି କୁ ସେହି ସମୟରେ ଟୟଲେଟ ଲାଗିଲା | ସ୍ମୃତି ଟୟଲେଟ ଗଲା ଓ ଫେରି ଆସିଲା | ସାଗର ଦେଖିଲା ଟୟଲେଟ ପାଖରେ ସେ ପିଲାଟି ସେମିତି ଛିଡା ହୋଇଛି | ଟିଟିସି  ଚାଲିଗଲାଣି | ସାଗର କୁ ଲାଗିଲା ସ୍ମୃତି ନିଶ୍ଚିତ ଟୟଲେଟ ବାହାନାରେ ଯାଇ ଟିଟିସି  କୁ ପଇସା ଦେଇ ସେ ପିଲା କୁ ଏହି ବଗିରେ ରହିବାର ବ୍ୟବସ୍ତା କରିଦେଇଛି |

 ଟ୍ରେନ ବାଙ୍କୁଡ଼ା  ପାରେଇ ମହୁଡ ରେ ଛିଡା  ହୋଇଛି | ବୁଢା ବୁଢ଼ୀ ଦୁଇଜଣ ଘରୁ ଆଣିଥିବା ଖାଇବା ଖାଇ ତଳ ଦୁଇଟି ସିଟ ରେ ଶୋଈଗଲେଣି | ସାଗର  ଓ ସ୍ମୃତି ଦୁହେଁ ଉପର ବର୍ଥ ରେ ଟ୍ରେନ ରୁ ମଗେଇଥିବା ଖାଇବା ଖାଉଛନ୍ତି | ସାଗର କୁ ଲାଗୁଚି ସ୍ମୃତି ତା ଖାଇବା ରୁ କିଛି ସେ ପିଲାକୁ ଦେବାକୁ ଚାହୁଁଚି | ସେପିଲାଟି ଖାଇଲା କି ନାହିଁ ବୁଝିବାକୁ ଚାହୁଁଚି କିନ୍ତୁ ସାଗର ଭୟରେ ଯାଇପାରୁନି |
ଦୁହେଁ ଖାଇ ସାରିବା ପରେ ସାଗର କହିଲା ତୁମେ ସେହି ପ୍ଲେଟ ରେ ହାତ ଧୋଇଦିଅ ମୁଁ ବାହାରେ ରଖିଦେବି , ତୁମେ କାହିଁକି ତଳକୁ ଯିବ | ସାଗର ତଳକୁ ଉଲ୍ଳେଇ ବେସିନ ରେ  ରେ ହାତ ଧୋଇଲା | ପିଲାଟିକୁ ପଚାରିଲା - ଖାଇଲଣି ? ପିଲାଟି ପୂର୍ବପରି ହସିଦେଲା | ସେଥିରୁ ସାଗର ବୁଝିପାରିନାନି କି ସେ ହଁ ହଁ କହିଲା କି ନାଁ ?
ରାତି ଅଧାରେ ସ୍ମୃତି କହିଲା ତାକୁ ବଦହଜମି ହୋଇଛି | ତିନି ଚାରିଥର ଟୟଲେଟ ଗଲା | ସାଗରକୁ କିନ୍ତୁ ଲାଗୁଥିଲା ଏସବୁ ବାହାନା | କୃଷ୍ଣ ଟୟଲେଟ ପାଖରେ ବସିଛନ୍ତି ବୋଲି ରାଧା ବାରମ୍ବାର ଝାଡା ବାହାନାରେ ସେଠିକି ଯାଉଛନ୍ତି | ମୁଁ ତ ଚନ୍ଦ୍ରସେଣା ହେଇ କେବଳ ଦେଖିବା ଛଡା ଆଉ କଣ କରିପାରିବି |
ସାଗର ଭାବୁଥିଲା କହିବି କି " ସ୍ମୃତି ତୁମକୁ କେମିତି ପତଳା ଝାଡା ହେଉଛି ମୁଁ ଦେଖିବି | ତୁମ ସହ ଟୟଲେଟ ଭିତରକୁ ଯିବି | ଛି  କି ଅସନା  କଥା ! ରାତି ସାରା କେବଳ ବୁଢ଼ୀ ଶୋଇଛି ଶାନ୍ତିରେ | ଅନ୍ୟ ଚାରି ଚରିତ୍ର ରାତି ଉଜାଗର , ଅବଶ୍ୟ ସମସ୍ତଙ୍କର କାରଣ ଭିନ୍ନ |
ବୁଢା ଜିନିଷ ଜଗିଥିଲା |
ସାଗର ସ୍ମୃତିକୁ ଜଗିଥିଲା |
ପିଲାଟି ଟିଟିସି  ଆଉ ପୋଲିସ କୁ ଜଗିଥିଲା |
ସ୍ମୃତି ଟ୍ରେନ ରେ ଖାଇବା ଦେଇଥିବା ସେ ଲୋକ କୁ ଜଗିଥିଲା , ଆସିଲେ ତାକୁ ବହେ ଗାଳିଦବ | କେତେ ବାଁଜ୍ଜେ ଖାଇବା ଦଉଚ ଲୋକ ଖାଇକି ମରିଯିବେ |

 ସକାଳ ସାତଟା ବାଜି ପଇଁଚାଳିଶ ମିନିଟ ଆଲ୍ହାବାଦ ଜଙ୍କ୍ସନ ରେ ଗାଡି ରହିଲା | ବୁଢା ବୁଢ଼ୀ ଉଲ୍ଳେଇଗଲେ | ସ୍ମୃତି ବି ଟ୍ରେନ ତଳକୁ ଆସି ଦୁହିଁଙ୍କୁ ପ୍ରଣାମ କଲା | ସାଗର ସିଟ ରେ ବସିଥାଏ | ସ୍ମୃତି କହିଲା " ସେ ବଡ ଖାଲି ବୋତଲ ଟା ଦିଅ , ଟ୍ରେନ କିଛି ସମୟ ରହିବ | ଥଣ୍ଡା ପାଣି ମିଳୁଛି ମୁଁ ନେଇ ଆସେ | ସାଗର ବୋତଲ ବଢ଼େଇଦେଲେ | ଦୁଇ ମିନିଟ ପରେ ଦେଖିଲେ ସ୍ମୃତି ଫେରୁ ନାହିଁ | ବାହାରକୁ ଚାହିଁଲେ "ଥଣ୍ଡା ପେୟ ଜଲ" ଲେଖା ଥିବା ୱାଟର କୁଲର  ପାଖରେ କେହି ନାହିଁ | ଟୟଲେଟ ପାଖରେ ସେ ପିଲା ବି ନାହିଁ | ସ୍ମୃତି ମୋବାଇଲ କୁ କଲ କଲେ | ମୋବାଇଲ ଟ୍ରେନ ଭିତରେ ରେ ଛାଡ଼ି ଯାଇଛି | ସାଗର ବାହାରକୁ ଦୌଡିଲେ | ପ୍ଲାଟଫର୍ମ ସାରା ଖୋଜିଲେ , ପାଇଲେନାହିଁ | ସାଗର ଙ୍କର ଦୃଢ ବିଶ୍ୱାସ ହୋଇଗଲା ସେ ପିଲା ସହ ସ୍ମୃତି ଫେରାର ହୋଇଗଲା | ସେ ଷ୍ଟେସନ ଗେଟ ଆଡକୁ ଦୌଡିଲେ | ଷ୍ଟେସନ ବାହାରେ ବହୁତ ଖୋଜିଲେ | ସ୍ମୃତି ହଳଦିଆ ରଙ୍ଗର ଡ୍ରେସ ପିନ୍ଧିଥିଲେ ସେଥିପାଇଁ ଷ୍ଟେସନରେ ଯେତେ ହଳଦିଆ ଡ୍ରେସ ପିନ୍ଧା ଝିଅ ଥିଲେ ସମସ୍ତଙ୍କୁ ଆଗପଟୁ ଦେଖିଲେ | ଅଧା ଝିଅ ତ କପଡ଼ାରେ ମୁହଁ ଘୋଡେଇ ଅଛନ୍ତି | କେମିତି ଚିନ୍ହିବ ? କାହାକୁ କହିବା ମୋ ସ୍ତ୍ରୀ ଅନ୍ୟ କାହାସହ ପଳେଇଗଲା ବୋଲି ?

ଷ୍ଟେସନରେ ଟ୍ରେନ ଛାଡିବା ପାଇଁ ଡାକରା ହେଲା | ସାଗର ଙ୍କର ମନେ ପଡିଲା ବ୍ୟାଗ, ମୋବାଇଲ ସବୁ ଟ୍ରେନ ରେ ଛାଡ଼ି ଆସିଛି ପୁଣି ଦୌଡିଲେ ନନ୍ଦନ କାନନ ଏକ୍ସପ୍ରେସ ଏସ ସିକ୍ସ ବଗି ଆଡକୁ |  ସିଡିରୁ ତଳକୁ ଓଲ୍ଲାଇଲା ବେଳକୁ ଦେଖିଲେ ଟ୍ରେନ ଧୀରେ ଧୀରେ ଛାଡ଼ିଦେଲାଣି | ସ୍ମୃତି କବାଟ ପାଖରୁ ଖୁବ ଜୋର ରେ ହାତ ହଲେଇ ସାଗର ଙ୍କୁ ଡାକୁ ଛନ୍ତି | କିନ୍ତୁ ସାଗର କୁ ଲାଗୁଚି ସ୍ମୃତି ତାକୁ ହାତ ହଲେଇ ହଲେଇ ବାୟ ବାୟ କରୁଛି  ଆଉ କହୁଛି ବିଦାୟ ସଂଦେହୀ ପ୍ରିୟତମ , ମୁଁ ଏବେ ତୁମ ସନ୍ଦେହ ବାଳୟରୁ ମୁକ୍ତ | ମତେ ଶାନ୍ତି ଦରକାର , ସମ୍ମାନ ଦରକାର, ମୁଁ ମୋ ପିଲାଦିନର ପ୍ରେମ ସହ ଖୁସିରେ ରହିବି , ବିଦାୟ | ସେହି ବଗିର ଅନ୍ୟ କବାଟ ପାଖରେ ପିଲାଟି ଦୁଇପଟ ବାଡା  କୁ ଧରି ଛିଡା ହୋଇଛି ଆଉ ହସୁଚି |

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment