Welcome to shalandi webzine

ତୁଳିକା ମିଶ୍ରର କୁକୁର

ସୁଲଗ୍ନା ମହାନ୍ତି

କୁଁକୁଁକୁଁକୁଁ... ନିଜ ଶବ୍ଦରେ ନିଜ ଆଖି ଖୋଲିଗଲା । ମିଞ୍ଜିମିଞ୍ଜି ଆଖି ଖୋଲି ଚାରିଆଡକୁ ଚାହିଁଲା ପ୍ରଦୀପ । ଏତେ ବଡ ଅମରି ବଣ ! ଏଡେ ଡେଙ୍ଗା ଡେଙ୍ଗା ଗଛ? ଆଉ ସେଇ ଭିତରେ କାଇଁକି ଶୋଇଛି ସେ? ସେତିକିବେଳକୁ ଦୁଇଟି କାଠବେଙ୍ଗ ତା’ ମୁହଁ ସାମ୍ନାରେ ଡେଇଁ ଡେଇଁ ଚାଲିଲେ। ଏଡେ ଏଡେ ବେଙ୍ଗ ! ସେ ସ୍ୱପ୍ନ ତ ଦେଖୁନି?

କୁଁକୁଁକୁଁକୁଁ... ନିଜ ଶବ୍ଦରେ ନିଜ ଆଖି ଖୋଲିଗଲା । ମିଞ୍ଜିମିଞ୍ଜି ଆଖି ଖୋଲି ଚାରିଆଡକୁ ଚାହିଁଲା ପ୍ରଦୀପ । ଏତେ ବଡ ଅମରି ବଣ ! ଏଡେ ଡେଙ୍ଗା ଡେଙ୍ଗା ଗଛ? ଆଉ ସେଇ ଭିତରେ କାଇଁକି ଶୋଇଛି ସେ? ସେତିକିବେଳକୁ ଦୁଇଟି କାଠବେଙ୍ଗ ତା’ ମୁହଁ ସାମ୍ନାରେ ଡେଇଁ ଡେଇଁ ଚାଲିଲେ। ଏଡେ ଏଡେ ବେଙ୍ଗ ! ସେ ସ୍ୱପ୍ନ ତ ଦେଖୁନି? ନା କାଲିର ନିଶା ଉତୁରିନି? ହଁ... ଦ୍ୱିତୀୟ ଅନୁମାନଟା ଠିକ୍ ବୋଧେ! ଦେଶୀ ମଦ କୋଉ ସହଜରେ ଉତୁରିବ ଯେ? ପ୍ରଦୀପ ପୁଣି ଆଖି ବୁଜିଦେଇ କିଛି ସମୟ ଶୋଇପଡିଲା ।

ଆଖି ବୁଜିଦେଲା ମାତ୍ରେ ଆସିଗଲା ସାମ୍ନାରେ ପୁଣି ସେଇ ଦୁଧ ଅଳତା ରଙ୍ଗର ମୁହଁ । ଜିଭ ଲମ୍ବେଇ ଖତେଇ ହଉଚି ତାକୁ ଆଉ ତା’ ପରେ ଓଠରେ ଦୁଷ୍ଟାମୀର ହସଟିଏ । ପ୍ରଦୀପ ବି ସେମିତି ଆଖିବୁଜି ହସିଦେଲା । ଏଇ ମଲ୍ଲୀଫୁଲିଆ ହସ ଖଣ୍ଡିକ ହିଁ ତ ତା’ର ଜୀବନ । ଏଇ ହସ ଖଣ୍ଡିକ ନଥିଲେ ଜୀବନ ଧରି କେମିତି ରୁହନ୍ତା ପ୍ରଦୀପ? ବାପାମା’ ଚାଲିଗଲା ପରେ ଗାଁରୁ ଆସି ଦାଦାଖୁଡୀଙ୍କ ପାଖରେ ରହିବାର ତିନି ବର୍ଷ ହେଲା । ଏମିତିରେ ଦାଦାଙ୍କର ସେଇ ଦୁଇ ବଖୁରିଆ ଘରେ ନିଃଶ୍ୱାସ ରୁନ୍ଧି ହୁଏ ତା’ର । ତାଙ୍କ ପିଲାଙ୍କୁ ଗଣିତ ବିଜ୍ଞାନ ପଢେଇ ଟ୍ୟୁସନ୍ ଖର୍ଚ୍ଚ ନ ବଞ୍ଚେଇ ଦେଉଥିଲେ ଖୁଡୀ କେବେଠୁ ତାକୁ ଗୋଇଠା ମାରି ଘରୁ ବାହାର କରିଦେଇଥାନ୍ତେ । ପ୍ରଦୀପର ବାପା କଷ୍ଟକରି ପଠଉଥିବା ପଇସାରେ ପାଠପଢି ଦାଦା ଚାକିରୀ କଲେ ବୋଲି ଯେ ଖୁଡି ପ୍ରଦୀପକୁ ଭଲ ପାଇବେ ସେଇଟା କୋଉ ଶାସ୍ତ୍ରରେ ଲେଖା ହେଇଛି?

ସେଇ ଖୁଡିଙ୍କ ମୁହଁମୋଡା ଆଉ ଦାଦାଙ୍କର କିଛି ନ ଜାଣିପାରିବାର ଭଙ୍ଗୀ ଭିତରେ ପ୍ରଦୀପକୁ ଯଦି କିଛି ଖୁସି ଦେଇ ପାରୁଥିଲା ସେଇଟା ଥିଲା ରାଧାମାଧବ କଲେଜ ଗେଟ୍ ପାଖରେ ସବୁଦିନ ସକାଳ ୯ଟାରେ ନିଜ ଧଳା ଲମ୍ବା ହୋଣ୍ଡା ସିଟିରୁ ସଜଫୁଟା ଫୁଲର ବାସ୍ନା ଖେଳେଇ ଓହ୍ଲଉଥିବା ଫୁଲେଇ ଝିଅ ତୁଳିକା ମିଶ୍ର । ସହରର ଗୋଟେ ନାମକରା ଧନୀ ବ୍ୟବସାୟୀ ପରେଶ ମିଶ୍ରର ଗେହ୍ଲୀ ନନ୍ଦିନୀ । ସେତେବେଳେ ତାକୁ ଦେଖି କଲେଜ ପାଖ ଦୋକାନରେ ପାନରେ ଚୂନ ଲଗାଉଥିବା ଗୋପାଳ ଭାଇର ହାତ, ଦୋକାନ ପାଖରେ ଗୋଟିଏ ଗୋଡ ଟେକି ମୁତୁଥିବା କୁକୁରର ନିଃଶ୍ୱାସ ଆଉ କଲେଜ ଉପରେ ଉଡିକି ଯାଉଥିବା ମେଘ ବି ଥିର ହେଇ ରହିଯାଉଥିଲା ଘଡିଟିଏ ପାଇଁ । ସେଇଠି ଯେତିକି ପୁଅ ଥିଲେ ସବୁ ଷ୍ଟାଚ୍ୟୁ ହେଇ ରହି ଯାଉଥିଲେ ତୁଳିକା ଯାଦୁରେ । ଆଉ ଝିଅଗୁଡା ସବୁ ଠିଆ ହେଇ ରହୁଥିଲେ ସେଇ ଯାଦୁଟି ନିଜେ ହାତେଇ ନେବା ପାଇଁ ।

ଦୁଇବର୍ଷ ହେଲା ଗୋଟିଏ କ୍ଲାସ୍‌ରେ ପଢ଼ୁଥିଲେ ବି ତୁଳିକା ମିଶ୍ର ସାଙ୍ଗରେ କଥା ହବାକୁ ସାହସ ନଥିଲା ପ୍ରଦୀପର । ତୁଳିକା ମିଶ୍ର ସୁନ୍ଦରୀ ସେଥିରେ ସନ୍ଦେହ ନ ଥିଲା । ହେଲେ ତା’ ମନର ରୂପ କିଭଳି ସେକଥା କେହି କେବେ ଜାଣିନଥିଲେ । କାରଣ ଯଦିଓ ତା’ ପଛରେ କଲେଜ ସାରା ଟୋକା, ହେଲେ କାହାରି ସାହସ ଜୁଟୁ ନଥିଲା ନିଜ ମନକଥା ତୁଳିକା ମିଶ୍ରକୁ କହିବାକୁ । ଆଉ ସେମିତିରେ ବି ଏଭଳି ମୁହଁଟେକି ଦେଖିବା ପାଇଁ ବି ଗୋଟିଏ ସାମାଜିକ ପଦ ପ୍ରତିଷ୍ଠା ରହିବା ଆବଶ୍ୟକ । କଥାହେବା ତ ବହୁତ

 
 
ଦୂରର କଥା । ତେବେ ଏଇଟା ସତକଥା ଯେ ଜହ୍ନରାତିରେ ଛାତ ଉପରେ ବସି ଥଣ୍ଡା କାକର ଖାଇଖାଇ ତୁଳିକା ମିଶ୍ରକୁ ନେଇ ଖାତା ଭର୍ତ୍ତି କବିତା ଲେଖିବା ପାଇଁ କୌଣସି ଖାନଦାନୀ ଘରର ପୁଅ ହବାର କୌଣସି ଆବଶ୍ୟକତା ନଥିଲା । ସେଇଥିପାଇଁ ପ୍ରଦୀପର ଛୋଟିଆ ଟ୍ରଙ୍କଟିରେ ବହି ସଂଖ୍ୟା କମ ଆଉ କବିତା ଖାତା ସଂଖ୍ୟା ଅଧିକ ହେବାରେ ଲାଗିଥିଲା ।

ପ୍ରେମ ବାଇଆ ପ୍ରଦୀପ ସବୁଦିନ ସକାଳୁ ଚାଲିବାକୁ ଯାଉଛି କହି ତୁଳିକା ମିଶ୍ରର ବିରାଟକାୟ ଘର ଚାରିପଟେ ଘେରାଏ ବୁଲିଆସୁଥିଲା ଆଉ ସେଇଠି ଲୁଚିଲୁଚି ଦେଖୁଥିଲା ତୁଳିକା ମିଶ୍ର ଆଉ ତା’କୁକୁରକୁ । ଧଳା ଗୁଲୁଗୁଲୁ ଛୋଟିଆ ପୋମେରାଆନ କୁକୁରଟିଏ ଧରି ସବୁଦିନ ସକାଳୁ ବୁଲିବାକୁ ବାହାରୁଥିଲା ସେ । କେତେବେଳେ ତାକୁ ତଳେ ଚାଲିବାକୁ ଦଉଥିଲା ତ କେତେବେଳେ ନିଜ ଛାତିରେ ଚାପିଧରି ଚାଲୁଥିଲା ତୁଳିକା ମିଶ୍ର । ତାକୁ ଦେଖି ପ୍ରଦୀପର ଇଚ୍ଛା ହଉଥିଲା କୁକୁରଟିକୁ ଟାଣିଆଣି ନିଜେ ତୁଳିକା ମିଶ୍ରର ଛାତିରେ ମୁହଁ ଗୁଞ୍ଜି ଦିଅନ୍ତା । ମନଭରି ଗେଲ ହୁଅନ୍ତା । ତୁଳିକା ମିଶ୍ର ତାକୁ ମୁହଁରେ ଓଠରେ ଆଖିରେ ବୋକ ଦିଅନ୍ତା ।

ତେବେ ଦୁଃଖର କଥା ତୁଳିକା ମିଶ୍ର ସତରେ ଛାଡ ସ୍ୱପ୍ନରେ ବି କେବେ ପ୍ରଦୀପକୁ ଗେଲ କରୁନଥିଲା । ଏମିତି ଦିନଗୁଡା କଟି ଯାଉଥିବା ସମୟରେ ଦିନେ ଦାଦାଖୁଡି ଗାଁକୁ ଯାଇଥିବା ବେଳେ ନିଜ ସବୁଠୁ ଭଲ ସାଙ୍ଗ ରବି ସାଙ୍ଗେ ଲୁଚିକି ମଦ ପିଇବାକୁ ଯାଇଥିଲା ପ୍ରଦୀପ । କେବଳ ରବି ହିଁ ଥିଲା ଯିଏ ଜାଣିଥିଲା ପ୍ରଦୀପର ପ୍ରେମ ଆଉ ତା’ର ପ୍ରେମ କବିତାର ଗୋପନୀୟ ରହସ୍ୟକୁ । ଆଉ ସେଇ ହିଁ ପ୍ରଦୀପର ସାହସ ବାନ୍ଧୁଥିଲା ଯାଇ ତୁଳିକା ମିଶ୍ର ସାଙ୍ଗରେ କଥା ହବାକୁ। ହେଲେ ପ୍ରଦୀପର ତୁଳିକା ମିଶ୍ର ନାଁ ଶୁଣିଲେ ହିଁ ଛାତି ଧଡଧଡ କରୁଥିଲା ଆଉ ଖୁବ ଜୋର୍‌ରେ ମୁତ ମାଡ଼ୁଥିଲା । ସେଦିନ ରବି ମଦ ନିଶାରେ କହିଥିଲା ତା’ର କବିତା ସବୁକୁ ଗୋଟିଏ ପ୍ରେମପତ୍ର ସହ ପଠେଇବାକୁ ତୁଳିକା ମିଶ୍ର ପାଖକୁ । ତେଣିକି ଯାହା ହବ ଦେଖାଯିବ । ହେଲେ ପ୍ରଦୀପ ଏଥିରେ ସହମତ ନଥିଲା । କହିଥିଲା, “ବନ୍ଧୁ । ମୁଁ ହେଲି ଅଶୀ ଦଶକର ଗରିବ ପ୍ରେମିକ ପ୍ରବର I ଆଉ ତୁଳିକା ମିଶ୍ର ହେଲା ନୂଆ ଜେନେରେସନ୍‌ର ହିରୋଇନ । ସେ ଏଇ ଗପ କବିତା ସବୁ କ’ଣ ବୁଝୁଥିବ? ତାକୁ ମୋ ଭଳି କବି ନୁହେଁ ବରଂ ଗୋଟେ ହିରୋ ଦରକାର ଯିଏ ତା’ ଶରୀରର ଉତ୍ତାପ ତା’ ଛାତିର ଉଦ୍ଦୀପନାକୁ ବଢେଇ ପାରୁଥିବ । ତୁ ମତେ ଦେଖ । ମୁଁ ତ ନିଜେ ଏତେ ଥଣ୍ଡା!” ଏତିକି କହି ସକେଇ ସକେଇ କାନ୍ଦି ପକେଇଥିଲା ପ୍ରଦୀପ । ତା’ ପିଠିକୁ ଆଉଁସି ଦେଇ ତାକୁ ବୋଧ ଦେଇଥିଲା ରବି।

ତେବେ ତିନିଦିନ ପରେ ମର୍ଣ୍ଣିଙ୍ଗ୍ ୱାକ୍‌ରେ ପ୍ରଦୀପ ଦେଖିଲାନି ତୁଳିକା ମିଶ୍ର କି ତା’ କୁକୁରକୁ । କୁଆଡେ ଗଲା ସେ? ତା’ ଦେହ ଭଲ ଅଛି ତ? ସେଦିନ କଲେଜ ବି ଆସିଲାନି ସେ । ପ୍ରଦୀପ ଜାଣିପାରିଲାନି କାହାକୁ ପଚାରିବ । ତୁଳିକା ମିଶ୍ର ବିନା କଲେଜ କ’ଣ ପୂରା ସହରଟା ତାକୁ ଖାଲି ଖାଲି ଲାଗୁଥାଏ । ଚାରିଦିନ ପରେ ତୁଳିକା ମିଶ୍ର କଲେଜକୁ ଫେରିଲା । ତେବେ ତା’ ମୁହଁରେ ସେଇ ହସ ନାହିଁ। ସରାଗ ନାହିଁ । ଆଖି ଫୁଲା ଫୁଲା । ମୁହଁ ଶୁଖିଲା । ପିଲାଙ୍କ ପାଖରୁ ଜାଣିବାକୁ ପାଇଲା ତୁଳିକା ମିଶ୍ରର ପ୍ରିୟ କୁକୁରଟି ହଠାତ୍ ଦିନେ ରାସ୍ତାକୁ ଦୌଡି ଆସିଲା ବେଳେ ଗୋଟେ ଗାଡି ତଳେ ଆସି ପ୍ରାଣ ହାରିଦେଇଛି । ସେଇଥିପାଇଁ ତୁଳିକା ମିଶ୍ରର ଏଇ ବିଧବା ରୂପ । ପ୍ରଦୀପର ହୃଦୟ ଇର୍ଷାରେ ଜଳିଗଲା ଆଜି । ସେ ଭାବିଲା ତୁଳିକା ମିଶ୍ରର ସେଇ ଧଳା ପୋମେରିଆନ କୁକୁର ନୁହେଁ ବରଂ ସେ ନିଜେ ମରି ଯାଇଥାନ୍ତା କି ! ତା’ ମୃତ୍ୟୁରେ ହେଲେ ଏମିତି ଦୁଇ ଟୋପା ଲୁହ ବୋହି ପଡିଥାନ୍ତା ତୁଳିକା ମିଶ୍ର ଆଖିରୁ ।

ସେଦିନ କ୍ୟାଣ୍ଟିନ୍‌ରେ ଖାଉଖାଉ ରବି କହିଲା, “ତୁଳିକା ମିଶ୍ର ନୂଆ କୁକୁରଟିଏ କିଣିବା ପୂର୍ବରୁ ତୁ ତାକୁ ଯାଇ କୁକୁରଟିଏ ଗିଫ୍ଟ ଦେଇଦେ ପ୍ରଦୀପ । ଦେଖିବୁ ସେ କେମିତି ଦୌଡିଆସି ତତେ ଚୁମି ପକେଇବ !”
- ତୁ ସତ କହୁଚୁ ରବି? ବରାଟି ଛିଣ୍ଡଉ ଛିଣ୍ଡଉ ପ୍ରଦୀପର ହାତ ସେଇଠି ଅଟକି ଗଲା ।
- ସତ ନୁହେଁ ଆଉ କ’ଣ ମିଛ? ଗୋଟିଏ କିଣିପକା ପୋମେରିଆନ୍ କୁକୁର । ଆଉ କିଛି ଦିନରେ ତା’ ଜନ୍ମଦିନ । ଦେଇଦେବୁ ସେଦିନ କୁକୁରଟା ।
- ଆରେ ସତେ ତ ! ମୁଁ ଭୁଲି ଯାଇଥିଲି । ଦଶ ଅକ୍ଟୋବର; ତା’ ଜନ୍ମଦିନ । ଆଚ୍ଛା କହିଲୁ କେତେ ପଡିବ ସେମିତି ଗୋଟେ କୁକୁର?
- ତିନି ହଜାରରୁ ପଚାଶ ହଜାର ଯାଏଁ ଅଛି ।
- ଏଁ... କ’ଣ କହିଲୁ? ତିନି ହଜାର? ମତେ ଏଠୁ ପିଟିପିଟି ଛକଯାଏଁ ନେଲେ ବି ହଜାରେ ଟଙ୍କା ଆଣିପାରିବି ନାହିଁ ମୁଁ । ଆଉ ତୁ କହୁଚୁ ତିନି ହଜାର? ଆକାଶରୁ ପଡିଲା ପ୍ରଦୀପ ।
- ତା’ହେଲେ ଆଉ କ’ଣ କରିବୁ? ମୁଁ ଯାହା କହିଲେ ତ ତୁ ମନା କରୁଚୁ ! ଟିକିଏ ଚିଡିଗଲା ରବି । ପ୍ରଦୀପ କାନ କୁଣ୍ଡେଇଲା । ହଉ ଦେଖେ ମୁଁ କ’ଣ କରିପାରିବି କହି ଟେବୁଲରୁ ଉଠି ହାତ ଧୋଇବାକୁ ଗଲା ।

ଦୁଇଦିନ ଚାଲିଗଲା । ଯେମିତି ହେଲେ କୁକୁର କିଣିବ ପ୍ରଦୀପ । ରବି ଦୋକାନରେ ବୁଝି ଦେଇଛି ଗୋଟିଏ କୁକୁର । ପ୍ରଦୀପ କିଛି ପଇସା ଜମା କରିଛି। ହେଲେ ପୂରା ପଇସା ଏବେଯାଏଁ ଯୋଗାଡ କରିପାରିନାହିଁ ସେ । ସେଦିନ ସକାଳେ ଖୁଡି ନିଜ କାମରେ ବ୍ୟସ୍ତ ଥିଲାବେଳେ ଖଟ ସଜାଡିବା ବାହାନାରେ ଦାଦାଙ୍କ ରୁମ୍‌କୁ ଗଲା ପ୍ରଦୀପ । ଦାଦା ମନ୍ଦିର ଯାଇଛନ୍ତି । ପିଲା ଟ୍ୟୁସନ । ପ୍ରଦୀପ ପାଦ ଚିପିଚିପି ଦାଦାଙ୍କ ପ୍ୟାଣ୍ଟ ପକେଟରେ ହାତ ପୂରେଇଛି କି ନାହିଁ ପଛରେ ଖୁଡି । ଚୋର ଚଣ୍ଡାଳ କହି ସେଦିନ ଘରଦ୍ୱାର ଏକାକାର କରିଦେଲେ ସେ । ମନ୍ଦିରରୁ ଫେରିବା ପରେ ଦାଦାଙ୍କୁ ସବୁ କହି ପ୍ରଦୀପକୁ କାନମୋଡା ଖୁଏଇବାକୁ ବି ଭୁଲି ନଥିଲେ । ତା’ପରେ କହିଲେ ଘରୁ ବାହାରି ଯିବାକୁ । ଛୁଆମାନେ ସେତେବେଳେ ଟ୍ୟୁସନ ଫେରି ଆସିଥାନ୍ତି । ପାଖରେ ଠିଆହେଇ କିରିକିରି ହେଇ ହସୁଥାନ୍ତି । ପ୍ରଦୀପକୁ ବହୁତ ଅପମାନ ଲାଗିଲା ଆଉ କାନ୍ଦ ବି ! ଏତେ ଗାଳିମନ୍ଦ ! ସେ ଦିନ ପ୍ରଦୀପ ଭାବିଲା ସତରେ ଘର ଛାଡି ପଳେଇବ । ହେଲେ ଯିବ କୁଆଡେ? ତଥାପି ନିଜ ଟ୍ରଙ୍କ ଖୋଲି ସବୁ କବିତା ଖାତା ବାହାର କଲା ଆଉ ଗୋଟିଏ ମୁଣିରେ ରଖିଲା । ତା’ପରେ କାହାରିକୁ କିଛି ନ କହି ଘର ବାହାରକୁ ଚାଲିଗଲା । ପଛପଟୁ ଖୁଡିଙ୍କ ପାଟି ଶୁଭୁଥାଏ । ହେଲେ ସେ କିଛି ଆଉ ଶୁଣିବାକୁ ଚେଷ୍ଟା କଲାନି ।
ଘରୁ ବାହାରି ଆସି ପ୍ରଥମେ ପ୍ରଦୀପ ଭାବିଲା ସହର ବାହାରେ ବହି ଯାଉଥିବା ଛୋଟିଆ ନଦୀଟିରେ ନିଜ ଖାତାଗୁଡିକୁ ଭସେଇ ଦେବ । ସାଇକେଲ ଚଲେଇ ସେଇଠି ସେ ପହଞ୍ଚିଲା । ହେଲେ ଖାତାଗୁଡିକୁ ଫୋପାଡି ଦେବାକୁ ତା’ ହାତ ଗଲାନି । ସେ ଚାଲିଲା ରବି ପାଖକୁ । ରବି ତାଙ୍କର ଚିହ୍ନା ପାନ ଦୋକାନକୁ ସକାଳୁ ଆସିବ ବୋଲି କହିଥିଲା । ହେଲେ ସେତେବେଳେ ଯାଏଁ ସେ ଆସି ନଥାଏ । ପ୍ରଦୀପ ପାନ ଦୋକାନୀକୁ ଦେଲା ଖାତାଗୁଡିକ ରବିକୁ ଦେଇଦେବା ପାଇଁ । ତା’ ପରେ ସେଇଠୁ ସିଧା ଗଲା ଗୋଟିଏ ପୁରୁଣା ମଦ ଦୋକାନକୁ । ସେଇଠି ଶସ୍ତା ମଦ ମିଳେ । ମନଭରି ପିଇବ ସେ । ଯାଇକି ପକେଟରେ ଯେତିକି ପଇସା ଅଛି ସେତିକି ଉଡେଇଦେଲା ମଦରେ ।
ମଦ ନିଶାରେ ସେଇଠୁ ଧୀରେଧୀରେ ସାଇକେଲ ଚଳେଇ ପୁଣି ସେଇ ନଦୀ ପାଖକୁ ଗଲା ପ୍ରଦୀପ । ସାଇକେଲକୁ କଡେଇ କି ରଖିଲା । ଏଇଠିକି ପ୍ରାୟ କେହି ଆସନ୍ତିନି । ଛୋଟିଆ ନଦୀଟିଏ । ଦୁଇପଟେ ଅମରି ଗଛର ବଣ ! ସାପ ବେଙ୍ଗର ଉତ୍ପାତ । ପୋଲ ଉପରେ ଠିଆ ହେଇ ନଦୀ ଭିତରକୁ ଉହୁଁକି ପଡି ଦେଖିଲା । ଛୋଟ ନଦୀ ହେଲେ ବି ପାଣି ଗଭୀର ଅଛି। ଆଖିରୁ ତା’ର ଦୁଇଟୋପା ଲୁହ ବାହାରି ସେଇ ନଦୀ ପାଣିରେ ମିଶିଗଲା । ହଠାତ୍ ପ୍ରଦୀପର ପେଟ କାମୁଡି ଓଟାରୀ ପକେଇଲା । ବାନ୍ତି ହେଇଯିବ ବୋଧେ ! ସତକୁ ସତ ଭକ ଭକ କରି ସେଇ ପୋଲ ଉପରେ ବାନ୍ତି କରି ପକେଇଲା ପ୍ରଦୀପ । ଏବେ କ’ଣ କରିବ? ପାଣି ଭିତରକୁ ଡେଇଁ ପଡିବ? ପାଣିକୁ ପୁଣି ଚାହିଁଲା ପ୍ରଦୀପ । ନା ଥାଉ ! ମଣିଷକୁ ନିଜ ଜୀବନ ପାଇଁ ନାହିଁ ନଥିବା ଲୋଭ ଯେ !
ସେଇଠି ବସିପଡିଲା ପ୍ରଦୀପ । କିଛି ସମୟ ସୁସ୍ତେଇଲା; ପାଦରେ ନଦୀ ପଠାକୁ ଓହ୍ଲେଇଲା ସେ । ସେଠି ଯାଇ ଟିକିଏ ମୁହଁ ଧୋଇବ । ଗତ ରାତିରେ ଟିକିଏ ବର୍ଷା ହେଇଚି । ଗୋଡ ଖସିଯିବ । ପାଦ ବଢେଇଲା ଧୀରେ ଧୀରେ । ତଳକୁ ଓହ୍ଲେଇ ମୁହଁ ଧୋଇଲା । ମୁହଁ ଧୋଉଧୋଉ ହଠାତ ସେଇଠି ବସି କାନ୍ଦି ପକେଇଲା । ଛି ! କି କଲବଲିଆ ଜୀବନ ତା’ର । ୟାଠୁ ତ ତୁଳିକା ମିଶ୍ରର ସେଇ କୁକୁର ଜୀବନ ଭଲ । ଏମିତି ହିନୀମାନିଆ ଜୀବନ ନ ପାଇ ସେଇ କୁକୁର ଜୀବନ ହେଲେ ପାଇଥାନ୍ତା ସେ ! ଧକେଇ ଧକେଇ ପୁଣି କିଛି ସମୟ କାନ୍ଦିଲା ପରେ ଆଖିରୁ ଲୁହ ପୋଛିଲା ସେ, ଆଉ ଠିଆ ହେଲା । ତେବେ ଟିକିଏ ଉପରକୁ ଉଠିଛି କି ନାହିଁ ହଠାତ୍ ମୁଣ୍ଡ ଜୋର୍‌ରେ ବୁଲେଇଦେଲା ତା’ର । ସେ ସେଇଠି ମୁଣ୍ଡଟିକୁ ଧରି ପଡିଗଲା । ଏମିତି କେତେ ଯେ ସମୟ ପଡିରହିଛି ପ୍ରଦୀପ ସେଇଟା ତା’ର ନିଜର ବି ମନେ ନାହିଁ ।
ସର୍ ସର୍ ହେଇ କିଛି ଗୋଟିଏ ଶବ୍ଦ ହେଲା । ତା’ ପରେ ସଲସଲ ଲାଗିଲା । ହାତ ଉପରେ କିଛି ଗୋଟିଏ ଚାଲିଗଲା ଭଳି ଲାଗିଲା । ସାପଟିଏ କି? ଇଲୋ ବୋଉଲୋ ! ହାତଟାକୁ ନିଜ ଆଡକୁ ଭିଡି ଆରିଲା ପ୍ରଦୀପ । ହେଲେ ଇଏ କ’ଣ? ତା’ ହାତ କାହିଁ? ହାତ ଜାଗାରେ ଏଇ କୁନି କୁନି ଗୋଡ କଣ ଦିଶୁଚି? ଆଉ ସେଥିରେ ଧଳା ରୋମ ଗୁଡାଏ? ଠିକ୍ ସେଇ ତୁଳିକା ମିଶ୍ରର କୁକୁର ଭଳି? ମନେ ମନେ ହସିଲା ପ୍ରଦୀପ । ତା’ ମାନେ ସେଇ ଟୋକି ଖଣ୍ଡକ ସ୍ୱପ୍ନରେ ବି ତା’ ପିଛା ଛାଡିବ ନାହିଁ ତା’ହେଲେ ! ଆଖିକୁ ପୁଣି ଖୋଲିଲା ପ୍ରଦୀପ। ଆଖିକୁ ମଳିବା ପାଇଁ ଫେର୍ ନିଜର ଦୁଇ ପାପୁଲିକୁ ଆଖି ପାଖକୁ ଆଣିଲା ବେଳକୁ ଦେଖିଲା ସେଇ ରୁମୁରୁମୁଆ ଗୋଡ ! ପ୍ରଦୀପ ଚମକି ପଡିଲା। ଏଥର ନଜର ପକେଇଲା ନିଜ ପୂରା ଦେହ ଉପରେ । ଚମକି ପଡି ଉଠିକି ବସିଲା ସେ । ଇଏ କ’ଣ? ସେ ଯେ ଚାରି ଗୋଡରେ ଠିଆ ହେଇଚି । ଆଉ ତା’ର ଦେହ ଯାକ ଲୋମ ! ପ୍ରଦୀପର ଛାତି ଥରି ଉଠିଲା । ହେ ଭଗବାନ ! ଏଇ ଥରକ କ୍ଷମା କରିଦିଅ ! ଆଉ କେବେ ସେ ଏମିତି ଶସ୍ତା ମଦପିଇ ମରିବା କଥା ଭାବିବନି । ତାକୁ ଏମିତି ଦଣ୍ଡ ଦିଅନି ! ଏଇ ସ୍ୱପ୍ନରୁ ଉଠେଇ ଦିଅ ତାକୁ । ହେ ଜଗନ୍ନାଥ ! ଦୟା କର !
ହେଲେ କାହିଁ ଜଗନ୍ନାଥ ତ ତା’ କଥା ଶୁଣିଲେନି । ସେ ସେମିତି ସେଇ ଅମରି ଗଛ ଚାରିକଡେ ବୁଲି ଆସିଲା । ବେଙ୍ଗଟିଏ ତାକୁ ଦେଖି ଆଖି ମାରି ଚାଲିଗଲା । ପ୍ରଦୀପ ନଦୀ କୂଳକୁ ଆସି ପାଣିରେ ନିଜକୁ ଚାହିଁଲା । ଇସସସସ୍! ଇଏ କିଏ ପାଣିରେ? ୟାକୁ ତ ସିଏ ଜାଣିଛି ! ଏଇ ଧଳା ପୋମେରିଆନ୍‌କୁ ତ ସବୁଦିନ ସକାଳୁ ତୁଳିକା ମିଶ୍ର ଛାତିରେ ଜାବୁଡି ଧରି ମର୍ନିଙ୍ଗ୍ ୱାକ୍ କରେ ! ଆଉ ଏଇ କୁକୁର ଯେ ଏଠି? ତା’ ପରେ ସେ ନିଜକୁ ନିଜେ ଚାପୁଡା ମାରିଲା ଖୁରାରେ । ଆରେ ବୁଡବକ୍ ! ଏଇଟା ତ ତୁ ନିଜେ ! ତା’ ହେଲେ କ’ଣ ପ୍ରଦୀପ ପାଲଟିଯାଇଛି ତୁଳିକା ମିଶ୍ରର କୁକୁର? ବେହୋସ୍ ହେଲା ପୂର୍ବରୁ ଯେଉଁ ଶେଷ ଇଚ୍ଛାଟି ମନରେ ଭାବିଥିଲା ଶେଷରେ ସେଇ ଇଚ୍ଛାଟି ପୂରଣ କଲେ ଭଗବାନ? ଜୀବନସାରା ତା’ କଥା ଶୁଣି ନଥିବା ସେଇ ଇଶ୍ୱର ଶେଷରେ ତା’ର କୁକୁର ହେବା ଅଭିଳାଷ ଶୁଣି ତଥାସ୍ତୁ କହିଲେ? ଧନ୍ୟରେ ଭଗବାନ ! ଧନ୍ୟ ଧନ୍ୟ ! ମନ ଭିତରେ ଏତିକି କଥା ଭାବିବା ପରେ ବି ପ୍ରଦୀପର କାହିଁକି କେଜାଣି ମନେ ହଉଥିଲା ସେ ସ୍ୱପ୍ନ ଦେଖୁଚି ଆଉ କିଛି ସମୟ ପରେ ସେ ନିଦରୁ ଉଠି ପଡିବ । ହେଲେ ସେମିତି କିଛି ବି ହେଲାନି । ସେଇଠି ବହୁତ ସମୟ ବସି ରହିଲା ପରେ ଏଇଟା ଆଉ ସ୍ୱପ୍ନ ଭଳି ଲାଗୁନଥିଲା । ଦୂରରେ ଦୁଇ ଦୁଇଥର ସାପର ଗର୍ଜନ ଶୁଣିଲା ପରେ ପ୍ରଦୀପ ଭାବିଲା ସ୍ୱପ୍ନ ହଉ କି ସତ ହଉ ଆଗ ନିଜ ଜୀବନ ବଞ୍ଚେଇ ଏଠୁ ବାହାରି ଯିବା ଭଲ I
ଉପରକୁ ଚଢି ପ୍ରଦୀପ ଦେଖିଲା ତା’ ସାଇକେଲଟି ସେମିତି ଡେରା ହେଇଚି ପୋଲରେ ଯେମିତି ସେ ଛାଡିକି ଯାଇଥିଲା । ତେବେ ଅବିକା ସେ ଚଲେଇ କି ଯାଇପାରିବ କି ସାଇକେଲଟି? ସହର ସାରା ଲୋକଙ୍କ ପ୍ରତିକ୍ରିୟା କେମିତି ହବ ଯେତେବେଳେ ସେମାନେ ଦେଖିବେ କୁକୁରଟେ ସାଇକେଲ ଚଳେଇ କି ଯାଉଛି? ପ୍ରଦୀପର ବହୁତ ଇଚ୍ଛା ହେଲା ଲୋକଙ୍କୁ ସେମିତି ଟିକେ ଚମ୍‌କେଇ ଦେବା ପାଇଁ । ହେଲେ ସାଇକେଲ ଚଲେଇବା ତ ଦୂରର କଥା ସେଇ ଡେରା ହେଇଥିବା ସାଇକେଲକୁ ସେ ସିଧା ବି କରିପାରିଲାନି । ରାସ୍ତାରେ କିଛି କିଛି ଗାଡି ମଟର ଚାଲୁଥାନ୍ତି । ସହର ଭିତରକୁ ଚାଲିକି ଯିବାକୁ କେତେ ଯେ ସମୟ ଲାଗିବ ତାକୁ କିଏ ଜାଣିଲା? ଦାଦାଖୁଡି କ’ଣ ଆଉ ଖୋଜିଥିବେ ତାକୁ? ରବି ଏବେ କ’ଣ କରୁଥିବ? ଏମିତି ବହୁତ କଥା ଭାବିଭାବି ଆଉ ନିଜକୁ ଗାଡିଚକରୁ ବଞ୍ଚେଇ ବଞ୍ଚେଇ ସେଇ ରାସ୍ତାକଡରେ ଚାଲିଚାଲି ଆସିଲା ପ୍ରଦୀପ । ଏମିତି କେତେ ଯେ ସମୟ ଚାଲିଛି ସେ ଆଉ ମନେନାହିଁ । ତେବେ ସହର ଭିତରେ ପହଞ୍ଚିଲା ବେଳକୁ ଗୋଡ ଚାରୋଟିରୁ ଛାଲ ଉତୁରି ଯାଇଥିଲା ତା’ର ।
ହେଲେ ଏବେ କୁଆଡେ ଯିବ ସେ? ଦାଦାଙ୍କ ଘରକୁ ଯିବ? ଯାଇକି କ’ଣ କରିବ? ତାଙ୍କ ଛୁଆମାନେ ତାକୁ ଗେଲ କରିପାରନ୍ତି ହେଲେ ଖୁଡି ଗୋଟିଏ ଲାତ ମାରି ଘରୁ କାଢିଦେବେ । ତାଙ୍କ ରାଗ ଆଗରେ ଦାଦାକି ଛୁଆଙ୍କର କିଛି କଥା ରହିବନି । ତା’ହେଲେ କୁଆଡେ ଯିବ ସେ? ତୁଳିକା ମିଶ୍ର ଘରକୁ ଯିବ କି? ହେଲେ ତା’ ଘର ଆଗରେ ଯେ ଏଡେ ବଡ ଲୁହା କବାଟ! କେମିତି ଯିବ ସେଇ କବାଟ ଡେଇଁ? ପୁଣି ସେଇ କାଦୁଅ ଭିତରେ ପଶି ଦେହ ଯୋଉ ନାସନା ! ଭାଗ୍ୟ ଭଲ ଏବେଯାଏଁ କୋଉ ଚଗଲା ଟୋକା ଭାଗ୍ୟରେ ପଡିନି । ନହେଲେ ଟେକାମାଡ ଖାଇ ଗୋଟେ ଗୋଡ ଛୋଟା ହେଇସାରନ୍ତାଣି କେତେବେଳୁ ! ତା’ହେଲେ ଏଇନେ କ’ଣ କରିବ ସେ? ରବି ପାଖକୁ ଯିବ କି? ହଁ ଠିକ୍ କଥା ! ରବି ପାଖକୁ ହିଁ ଯିବ । ଚେଷ୍ଟା କରିବ ତାକୁ ଇଙ୍ଗିତରେ ସବୁ ବୁଝେଇବାକୁ । ଜଣେଇ ଦେବ ଯେ ସିଏ ହିଁ ତା’ ସାଙ୍ଗ ପ୍ରଦୀପ ଆଉ କୁକୁର ପାଲଟିଯାଇଛି ଭାଗ୍ୟ ଦୋଷରୁ । ହୁଏତ ରବି ତାକୁ ତା’ ପୂର୍ବ ରୂପକୁ ଫେରେଇ ଆଣିଦେଇପାରେ । କେଉଁ ତାନ୍ତ୍ରିକ ଫାନ୍ତ୍ରିକକୁ ଦେଖା କରିବାକୁ ହେବ ଯେମିତି ଟିଭିରେ ହୁଏ ! ତେବେ ରବି ହିଁ ଗୋଟିଏ ଲୋକ ଯିଏ ଏଇ କାମ କରିବ ! ଠିକ୍ କଥା ! ପ୍ରଦୀପ ମନରେ ଏଇଆ ଭାବି ରବିର ବସାମୁହାଁ ହେଲା । ସେଦିନ ରବି ବସାରେ ପହଞ୍ଚିଲା ବେଳକୁ ସନ୍ଧ୍ୟା । ରବି ବୋଧେ ବସାରେ ନାହିଁ । ବାହାରେ ତା’ ବାଇକ୍‌ଟା ତ ଦିଶୁନି କାହିଁ । ସେଇଠି ଗୋଟେ ଗଛତଳେ ବସି ରହିଲା ପ୍ରଦୀପ । ଆଜି ଦିନସାରା କିଛି ଖାଇନି । ପେଟ ଓଟାରି ହେଇଯାଉଛି । ସେଦିନ ରାତିରେ ରବି ଫେରିଲା ଡେରିରେ । ପ୍ରଦୀପ ଆଉ ତାକୁ ଭେଟି ପାରିଲାନି । ସେଇଠି ଗଛତଳେ ଅପେକ୍ଷା କଲା ସକାଳ ହବାକୁ । ସକାଳୁ ସକାଳୁ ରବି ହାଫ୍ ପ୍ୟାଣ୍ଟ ଆଉ ଗଞ୍ଜିଟିଏ ପିନ୍ଧି ବସାରୁ ଯେମିତି ବାହାରିଛି ପ୍ରଦୀପ ଦୌଡି ଯାଇ ରବି ଚାରିକାଡେ ବୁଲିଲା । ରବିକୁ ଦେଖି ଖୁସି ହେଇ ଲାଞ୍ଜ ହଲେଇବାରେ ଲାଗିଲା । ରବି ତାକୁ ଆଶ୍ଚର୍ଯ୍ୟ ହେଲା । ତା’ ମୁହଁ ଦେଖି ଜଣା ପଡ଼ୁଥିଲା ସେ ରାତିରେ ଭଲରେ ଶୋଇନି । ନିଶ୍ଚୟ ପ୍ରଦୀପର ନିରୁଦ୍ଦିଷ୍ଟ ହବା ଖବର ତା’ ପାଖେ ପହଞ୍ଚିଥିବ ।
ରବି ତଳକୁ ନଇଁପଡି ପ୍ରଦୀପକୁ ଧରିଲା । ତା’ପରେ ଟିକିଏ ହସିଦେଲା ଆଉ ତାକୁ ଟେକି ନେଇ ବସା ଭିତରକୁ ଚାଲିଗଲା । ବସା ଭିତରକୁ ଆଣି ରବି ପ୍ରଥମେ ତାକୁ ନଳ ତଳେ ବସେଇ ଭଲକି ଗାଧେଇ ଦେଲା ଆଉ ଖାଇବାକୁ ଦେଇଥିଲା ବାସିରୁଟି ଓ ତରକାରୀ । ତେଣିକି ପ୍ରଦୀପ ଯାହା ଭାବୁଥିଲା ଠିକ୍ ସେଇଆ ହେଲା । ଦାଦା ତାକୁ ଖୋଜିଖୋଜି ରବି ବସାକୁ ଆସିଥିଲେ । ତେବେ ରବି କହିଥିଲା ସେ ପ୍ରଦୀପକୁ ଦେଖିନି ବୋଲି । ପୋଲିସ୍ ପ୍ରଦୀପର ସାଇକେଲ ଆଉ ଲୁଗାପଟା ପାଇଥିଲେ ନଦୀପଠାରୁ । ଯଦିଓ ପ୍ରଦୀପର ଦେହ ପାଣିରୁ ମିଳିନଥିଲା ପୋଲିସ୍ ବିଶ୍ୱାସ କରୁଥିଲା ଯେ ପ୍ରଦୀପ ବୋଧେ କୁଆଡେ ବହିଯାଇଛି । ଦାଦା ପୁଣି ରବି ବସାକୁ ଆସିଥିଲେ । ମନଦୁଃଖ କରୁଥିଲେ । କାହିଁକି ପ୍ରଦୀପକୁ ଗାଳିଦେଲେ ବୋଲି ନିଜକୁ ଦୋଷ ଦଉଥିଲେ । ପ୍ରଦୀପ ଦାଦା ଚାରିପଟେ ଘୂରିଘୂରି ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତା’ ଉପରକୁ କାହାରି ଧ୍ୟାନ ଯାଇନଥିଲା । ଦୁଇଚାରି ଦିନ ତାକୁ ଖୋଜିବା ପରେ ବି ଏଇ ଛୋଟିଆ ନଦୀରେ ତା’ ଦେହ ନ ମିଳିବା ହେତୁ ସମସ୍ତେ ବିଶ୍ୱାସ କରୁଥିଲେ ଯେ ହୁଏତ ପ୍ରଦୀପ କୁଆଡେ ଜାଣିଶୁଣି ନିଖୋଜ ହେଇଯାଇଛି ଆଉ ଦିନେ ନା ଦିନେ ସେ ଫେରିଆସିବ ।
ୟା ଭିତରେ ସପ୍ତାହେ ବିତି ଯାଇଥିଲା । ରବି ପ୍ରଦୀପର ବହୁତ ଯତ୍ନ ନଉଥିଲା । ତାକୁ ଭଲକରି ଖାଇବାକୁ ଦଉଥିଲା । ତା’ ଦେହର ବାଳ ଭଲରେ କୁଣ୍ଡେଇ ଦଉଥିଲା । ଏବେ ରବି କଲେଜ ଯିବା ବି ଆରମ୍ଭ କରି ଦେଇଥିଲା । ତେବେ ଦୁଇଟି କଥା ପାଇଁ ପ୍ରଦୀପର ମନ ଭାରି ଦୁଃଖ ଥିଲା । ପ୍ରଥମ ହେଲା ସେ ରବିକୁ ଯେତେ ଇଙ୍ଗିତ ଦେଲେ ବି ରବି ବୁଝି ପାରୁନଥିଲା ସେଇ କୁକୁରଟି ହିଁ ପ୍ରଦୀପ ବୋଲି । ଆଉ ଦ୍ୱିତୀୟ କଥା ହେଲା ଯେତେ ଇଚ୍ଛା ହେଲେ ବି ପ୍ରଦୀପ ମୁହଁ ଖୋଲି ପଚାରି ପାରୁନଥିଲା ତା’ ହୃଦୟର ରାଣୀ ତୁଳିକା ମିଶ୍ର କେମିତି ଅଛି ବୋଲି ! ସେ ଜାଣିବାକୁ ଚାହୁଁଥିଲା ତୁଳିକା ମିଶ୍ର କ’ଣ ତାକୁ କେବେ ଦେଖିଥିଲା? ଜାଣିଥିଲା? ତା’ ନିରୁଦ୍ଧିଷ୍ଟ ହବା ଖବର ପାଇବା ପରେ ତୁଳିକା ମିଶ୍ର କ’ଣ ଦିନେ ବି ତା’ ବିଷୟରେ ଭାବିଥିଲା? ହେଲେ କେମିତି ପଚାରିବ ସେ ଏତେ କଥା ରବିକୁ ! ମୁହଁ ଖୋଲିଲେ ସେ ଖାଲି ଶୁଣି ପାରୁଥିଲା ଗୋଟିଏ ଶବ୍ଦ, ଭୋଭୋ !
ସେ ଦିନ ରାତିରେ ଆଲମାରୀ ଖୋଲି ମୁଣିଟି ବାହାର କଲା ରବି । ମୁଣିଟି ଦେଖି ପ୍ରଦୀପ ଲାଗି ଆସିଲା ରବିର ଗୋଡ ପାଖକୁ । ଏଇଟା ତ ତା’ କବିତା ଖାତା ମୁଣି ! ରବି ଗୋଟିଏ ପରେ ଗୋଟିଏ କବିତା ପଢି ଚାଲିଲା । କୋଉ କବିତା ପଢି ସେ ମୁରୁକି ମୁରୁକି ହସୁଥାଏ ତ କୋଉ କବିତା ପଢି ତା’ ଆଖିରେ ଲୁହ ଜକେଇ ଆସୁଥାଏ । ପ୍ରଦୀପକୁ ବି ଭାରି ଜୋର୍‌ରେ କାନ୍ଦ ଲାଗିଲା । “ତୁ ହିଁ ମୋର ପ୍ରକୃତ ବନ୍ଧୁରେ ! ମତେ ମନେ ପକେଇ କେତେ କାନ୍ଦୁଛୁ !” କବିତା ଖାତାଗୁଡିକୁ ପୁଣି ମୁଣିରେ ପୂରେଇ ରଖିଦେଲା ରବି । ତା’ ପରେ ପ୍ରଦୀପକୁ କୋଳକୁ ଉଠେଇ ତା’ ମୁହଁକୁ ଚାହିଁଲା । ପ୍ରଦୀପ ବି ରବିର ଆଖିରେ ଆଖି ମିଶେଇ କହିବାକୁ ଚେଷ୍ଟା କଲା, “ହଁ ବନ୍ଧୁ । ଠିକ୍ ଜାଣିପାରୁଛୁ । ଚିହ୍ନେ ମତେ ! ମୁଁ ହେଲି ତୋ ସାଙ୍ଗ ! ଏବେ ଏଇ କୁକୁର ରୂପରୁ ମୁକ୍ତ କରେ ମତେ । ଶୁଣିପାରୁଛୁ? ମତେ ପୁଣିଥରେ ସେଇ ପୁରୁଣା ପ୍ରଦୀପ କରିଦେ । ଆଉ ହବ ଯଦି ମତେ ଟିକିଏ ମୋ ତୁଳିକା ମିଶ୍ରଙ୍କୁ ଦେଖେଇ ଦେ । ତାକୁ ନ ଦେଖି ଏତେଦିନ ହବ ମୋ ଦେହ ମନ ଖାଲି ଛଟପଟ !” ପ୍ରଦୀପର ମନ କଥା ବୁଝିପାରିଲା ଭଳି ରବି ବି ତାକୁ ଚାହିଁ ହସିଦେଲା । ତା’ ଗାଲରେ ସେ ବୋକ ଦେଲା ଆଉ ଛାତିରେ ଜାବୁଡି ଧରିଲା । ପ୍ରଦୀପର ଆଖିରେ ଲୁହ ଜକେଇ ଆସିଲା । ଓହୋ ! ଏତେ ଦିନକେ ଯାଇ ରବି ମତେ ଚିହ୍ନଲା ଆଜି । ସେଦିନ ରାତିରେ ପରମ ଶାନ୍ତିରେ ଜାକିଜୁକି ହୋଇ ଶୋଇପଡିଲା ପ୍ରଦୀପ ।
ପରଦିନ ରବିବାର । ସକାଳୁ ରେଡି ହେଲା ରବି । ରବିକୁ ଏତେ ସଜବାଜ ହେବାର କେବେ ଦେଖିନି ପ୍ରଦୀପ । ରବି ତା’ପରେ ପ୍ରଦୀପକୁ ଉଠେଇ ନେଇ ବସେଇଲା ନିଜ ବାଇକ୍ ଆଗରେ । “ଡେଇଁବୁନି ବାଇକରୁ । ବୁଝିଲୁ?” ପ୍ରଦୀପର ପିଠି ଆଉଁସି ଦେଇ କହିଲା ରବି । ତା’ପରେ ବାଇକ୍ ଷ୍ଟାର୍ଟ କରି ଚଳେଇଲା ଧୀରେଧୀରେ । ଥଣ୍ଡା ପବନ ଖାଇ ପ୍ରଦୀପକୁ ବି ବହୁତ ବଢିଆ ଲାଗୁଥାଏ । କିଛି ସମୟ ପରେ ରବି ଯେତେବେଳେ ଗାଡିଟି ମଧୁନଗର ଆଡକୁ ବୁଲେଇଲା ସେତେବେଳେ ପ୍ରଦୀପର ଛାତି ଧଡଧଡ କଲା । ଆରେ ! ଏପଟେ ତ ତୁଳିକା ମିଶ୍ର ଘର ! ତା’ହେଲେ ରବି କ’ଣ ତା’ କଥା ବୁଝିପାରିଛି? ତୁଳିକା ମିଶ୍ରକୁ ଥରେ ଦେଖେଇ ଦେବ ବୋଲି ତାକୁ ଏତିକି ଦୂର ନେଇକି ଆସିଛି? “ବା! ଦୋସ୍ତ ! ମାନିଗଲି ତତେ ଆଜି ! ସାଙ୍ଗ ହବ ତ ଏମିତି !” ମନେମନେ କୁରୁଳି ଉଠିଲା ପ୍ରଦୀପ । ହେଇଟି ଦେଖାଗଲାଣି ତୁଳିକା ମିଶ୍ରର ଧଳା ରଙ୍ଗର ଦୋତାଲା ଘର । ଗେଟ୍ ବାହାରେ ବାଇକ ରଖିଲା ରବି । ଆରେ ! ରବିର ବହୁତ ସାହସ ତ ! ପ୍ରଦୀପକୁ ତ ସେଇ ଘରକୁ ଆଖି ଉଠେଇ ଦେଖିବାକୁ ଡର ଲାଗେ । ଆଉ ରବି ତା’ ଘର ଆଗରେ ଗାଡି ରଖିଲାଣି ଯେ !
ରବି ଗାଡିରେ ଷ୍ଟାଣ୍ଡ ଦେଇ ପାଖ ଖୁଣ୍ଟରେ ପ୍ରଦୀପକୁ ଆଗ ବାନ୍ଧିଦେଲା । ତା’ପରେ ଗେଟ ବାଡେଇଲା । ଭିତରୁ ନିଶୁଆ ଦରୁଆନଟି ମୁଣ୍ଡ କାଢି ଉପରୁ ତଳଯାଏଁ ଦେଖିଲା ରବିକୁ ।
- କ’ଣ ହେଲା?
- ମୁଁ ତୁଳିକା ମାଡାମ୍‌ଙ୍କ ସାଙ୍ଗରେ ପଢେ । ତାଙ୍କୁ କହିବ ରବି ଡାକୁଛି ।
ଦରୁଆନଟି ଗେଟ୍‌ଟି ଦେଇ ପୁଣି ଚାଲିଗଲା । କିଛି ସମୟ ପରେ ଫେରିଲା ଆଉ କହିଲା, “ଭିତରକୁ ଆସନ୍ତୁ ।” ରବି ଭିତରକୁ ଗଲା । ପ୍ରଦୀପ ଭୁକିବା ଆରମ୍ଭ କରିଦେଲା । “ଆରେ ମତେ ନ ନେଇ କ’ଣ ଭିତରକୁ ଯାଉଛୁ ମ ! ତୋ’ ଭାଇ ଏଇଠି ବନ୍ଧା ହେଇଚି ଆଉ ତୁ ଭାଉଜକୁ ଭେଟିବାକୁ କୁଆଡେ ଯାଉଛୁ?” ରବି ତାକୁ ଦେଖି ପାଟିରେ ହାତ ଦେଇ ଚୁପ୍ ହବାକୁ ଇଙ୍ଗିତ କଲା । ପ୍ରଦୀପ ଚୁପ୍ ହେଇଗଲା । “ଓହୋ ! ଭିତରକୁ ଯାଇ ତୁଳିକାକୁ ଆଗ ସବୁକିଛି କହିବ ବୋଧେ ରବି । ତା’ ପରେ ତାକୁ ଭିତରକୁ ନବ !” ଖୁସିରେ ସେଇ ଖୁଣ୍ଟ ଚାରିପଟେ ଘେରାଏ ବୁଲିଆସିଲା ପ୍ରଦୀପ ଆଉ ରବି ଗେଟ ଭିତରକୁ ପଶିଗଲା।
କିଛି ସମୟ ପରେ ସତକୁ ସତ ରବି ବାହାରକୁ ଆସିଲା ଆଉ ପ୍ରଦୀପକୁ ଖୁଣ୍ଟରୁ ବାହାର କରି ହାତରେ କୋଳେଇ ନେଲା । ପ୍ରଦୀପ କୁରୁଳି ଉଠିଲା । ରବି ଫେର୍ ଗେଟ୍ ଭିତରକୁ ପଶିଲା । ପ୍ରଦୀପ ଦେଖିଲା ଘର ନୁହେଁ ତ ସତେ ଯେମିତି ରାଜପ୍ରାସାଦ । ସାମ୍ନାରେ ଫୁଲ ବଗିଚା । ସେଇ ଫୁଲ ବଗିଚା ଭିତରେ ବସିଛି ତା’ ଫୁଲରାଣୀ । ଉଫ୍‌ଉଫ୍ ! ପ୍ରଦୀପକୁ ଲାଗିଲା ଦୁନିଆ ଯେମିତି ସେଇଠି ସ୍ଥିର ହେଇଗଲା । ସ୍ଥିର ହେଇଗଲା ପୃଥିବୀର ଆବର୍ତ୍ତନ ! ହେଲେ ସେଇଟା ଥିଲା କ୍ଷଣିକ ପାଇଁ । ଆଉ ଏକ ଭୂମିକମ୍ପ ଅପେକ୍ଷା କରିଥିଲା ପ୍ରଦୀପକୁ । ତାକୁ ରବି ହାତରେ ଦେଖିବା ମାତ୍ରେ ଦୌଡି ଆସିଲା ତୁଳିକା ମିଶ୍ର ଆଉ ତାକୁ ଓଟାରି ନେଇଗଲା ନିଜ କୋଳକୁ । ତାକୁ ଚୁମା ପରେ ଚୁମା ଦେବାକୁ ଲାଗିଲା ମୁହଁରେ, ପାଟିରେ, କାନରେ, ଦେହରେ । ଲାଜରେ ଓଦା ହେଇଗଲା ପ୍ରଦୀପ ଆଉ ହେଇଗଲା ପ୍ରେମରେ ଅଣନିଃଶ୍ୱାସୀ । ଓଃ ! ଆଜି ସେ ମରିଗଲେ ବି ତା’ର ଆଉ ଦୁଃଖ ନାହିଁ । ତୁଳିକା ମିଶ୍ରର ସେଇ ଗୋଲାପ ପାଖୁଡା ଓଠ ଆଜି ତା’ ମୁହଁକୁ ଛୁଇଁଛି । “ଏଇଥିପାଇଁ ମତେ ଏଠିକି ଆଣିଥିଲା ମୋ ଭାଇ ରବି ! ତୋ’ ଉପରେ ମୋର ଋଣ ବାକି ରହିଲାରେ !” ଆଉ କ’ଣ ଦରକାର ଏଇ ତୁଚ୍ଛ ଜୀବନରେ ! ଜୀବନ ଏଇଠି ସାର୍ଥକ ହଉ ! ସେଦିନ ତୁଳିକା ମିଶ୍ର ହାତରେ ପ୍ରଦୀପକୁ ଟେକିଦେଇ ଚାଲିଗଲା ରବି । ପ୍ରଦୀପକୁ କାନ୍ଦ ମାଡ଼ୁଥିଲା ରବିକୁ ଛାଡିଲା ବେଳେ। ସେ ଭାବିଥିଲା ରବି ଗଲାବେଳେ ତାକୁ ଗେଲ କରିକି ଯିବ । ହେଲେ ରବି ଏକମୁହାଁ ହେଇ ଚାଲିଗଲା । ହଁ ! କେତେ ମନଦୁଃଖ ହଉନଥିବ ତା’ର ! ହଉ ଠିକ୍ ଅଛି... ପରେ ପୁଣି ଦେଖା ହବନି କି? ଏବେ ଟିକିଏ ତୁଳିକା ମିଶ୍ରକୁ ସମୟ ଦିଆଯାଉ ।
ତୁଳିକା ମିଶ୍ର ! ଏଇ ତୁଳିକା ମିଶ୍ର ଏକ ରହସ୍ୟ । ଏଇ ତୁଳିକା ମିଶ୍ର ଏକ ପ୍ରହେଳିକା ! ହେଲେ ସେଇ ତୁଳିକା ମିଶ୍ର ଆଜି ତା’ର ଏତେ ପାଖରେ । ତାକୁ ଏବେ ନିରିଖେଇ ଦେଖୁଥିଲା ପ୍ରଦୀପ । ସେ ଜାଣିନଥିଲା ତୁଳିକା ମିଶ୍ରର ଡାହାଣ ପାଖ ଗାଲରେ ଛୋଟିଆ କଳାଯାଇଟେ ଅଛି । ସେ ଜାଣିନଥିଲା ତୁଳିକା ମିଶ୍ର ହସିଲାବେଳେ ତା’ ଦୁଇ ଆଖିକୁ ପୂରାପୂରି ବୁଜିଦିଏ । ଆଉ ସେ ଜାଣିନଥିଲା ତୁଳିକା ମିଶ୍ରର ସାମ୍ପୁକରା ବାଳରୁ ସବୁବେଳେ ଜୁଇ ଫୁଲର ବାସ୍ନା ଆସେ । ପ୍ରଦୀପର ବିଶ୍ୱାସ ହଉନଥିଲା ଯେ ତା’ ସ୍ୱପ୍ନ ସୁନ୍ଦରୀ ଆଜି ତା’ର ଏତେ ପାଖରେ। ଆଉ ପ୍ରଦୀପକୁ ପାଇ ତୁଳିକା ମିଶ୍ର ଯେମିତି ମଣିଷ ମାନୁନଥିଲା । ତା’ ଘରେ ଖାଲି ତା’ ବାପାମା ଆଉ ଗୋଟିଏ ଚାକରାଣୀ ରହୁଥିଲେ । ଘରଲୋକ ଭାରି ଖୁସିଥିଲେ ଯେ ତାଙ୍କ ଝିଅ ଆଜି ଏତେ ଦିନ ପରେ ମନ ଖୋଲି ହସୁଥିଲା । ସେଥିପାଇଁ ସେମାନେ ବି ପ୍ରଦୀପକୁ ଭଲପାଇ ବସିଥିଲେ । ହେଲେ ପ୍ରଦୀପର ମନଦୁଃଖ ଥିଲା ଯେ ସେମାନେ ତାକୁ ତା’ ନାଁରେ ନ ଡାକି ଟମି ବୋଲି ଡାକୁଥିଲେ।
ତୁଳିକା ମିଶ୍ର ଯେବେ ପ୍ରଦୀପ ଓରଫ ଟମିକୁ ନିଜ କୋଠରୀକୁ ନେଇଥିଲା ସେଇଦିନ ପ୍ରଦୀପର ଆଖି ଏଡେଏଡେ ହେଇଯାଇଥିଲା । ଏମିତି ସୁନ୍ଦର ଶୋଇବା ଘର ସେ କେବଳ ଟିଭିରେ ଦେଖିଥିଲା । ଏତେ କଅଁଳ ଶେଜ । ଗୋଲାପୀ ପରଦା ଗୋଲାପୀ ଚାଦର ଗୋଲାପୀ ତକିଆ । ଆଉ ତା’ ଉପରେ ସେ ଆଉ ତୁଳିକା ମିଶ୍ର । ଓଃ ! ପ୍ରଦୀପର ଦେହ ହାତ କ’ଣ ହେଇଯାଉଥିଲା ! ସତକୁ ସତ ସେଇଦିନ ପ୍ରଦୀପକୁ ଜାବୁଡି ଧରି ଶୋଇଥିଲା ତୁଳିକା ମିଶ୍ର । ତା’ ଦେହର ଉତ୍ତାପରେ ରୋମାଞ୍ଚିତ ହେଇ ଯାଇଥିଲା ପ୍ରଦୀପର ଦେହ ମନ ଆତ୍ମା ସବୁକିଛି । ସେ ଆଉଟିକେ ଆଉଜି ହେଇ ପଡିଥିଲା ତୁଳିକା ମିଶ୍ରର ତୀଖ ଛାତି ପାଖକୁ । ତୁଳିକା ମିଶ୍ର ନିଦର ହସିହସି କହିଥିଲା, “ଇସସ୍ ! କି ଦୁଷ୍ଟ !”
ତୁଳିକା ମିଶ୍ର ଏବେ ପ୍ରଦୀପକୁ ନିଜେ ଗାଧେଇ ଦଉଥିଲା । ନିଜ ହାତରେ ଖୁଏଇ ଦଉଥିଲା । ତୁଳିକା ମିଶ୍ରର ହାତ ବାଜିଲେ ପ୍ରଦୀପ ଦେହରେ ଏମିତିରେ ବିନା ଦିଆସିଲିରେ ନିଆଁ ଲାଗିଯାଉଥିଲା । ପ୍ରଦୀପ ଏବେ ଘଣ୍ଟା ଘଣ୍ଟା ନିରେଖି ଦେଖୁଥିଲା ତୁଳିକା ମିଶ୍ରର ସୌନ୍ଦର୍ଯ୍ୟ ଆଉ ତା’ ପ୍ରସାଧନ । ତୁଳିକା ମିଶ୍ର ନିଜ ସୁନ୍ଦର ମୁହଁରେ କମ୍ପାକ୍ଟ ପାଉଡର, ରୁଜ, ବଡବଡ ଆଖିରେ କାଜଲ ଆଉ ଆଇ ଲାଇନର୍ ଏବଂ ତା’ ସରୁ ନାଲି ଓଠରେ ଲିପସଫିକ୍ ଲଗେଇଲା ବେଳେ ପ୍ରଦୀପ ତାକୁ ପାଖରେ ବସି ପିଇଗଲା ଭଳି ଦେଖୁଥିଲା । ତୁଳିକା ମିଶ୍ର ହସୁଥିଲା । କହୁଥିଲା, “ଏମିତି ଡାହାଣାଟା ଭଳି କ’ଣ ଚାହିଁଚୁ କିରେ?” ପ୍ରଦୀପ ଲାଜରେ ମୁହଁ ପୋତି ଦଉଥିଲା ।
ସେଦିନ ତୁଳିକା ମିଶ୍ର ଗାଧେଇ ସାରି ଯେତେବେଳେ ବେଧଡକ୍ ହେଇ ପ୍ରଦୀପ ସାମ୍ନାରେ ନିଜ ଦେହରୁ ତଉଲିଆ ଖସେଇ ଦେଲା ସେଦିନ ପ୍ରଦୀପକୁ ଲାଗିଲା ତା’ ନିଶ୍ୱାସ ଯେମିତି ବନ୍ଦ ହେଇଯିବ । ଆଖି ବନ୍ଦ କରିଦେଲା ସେ ! ତୁଳିକା ମିଶ୍ର ହସିଦେଲା । “ଉଁ... ଭାରି ଛଇ !” ହେଲେ କେତେ ସମୟ ଏମିତି ନିଜକୁ ନିୟନ୍ତ୍ରଣ କରି ରଖିବ ପ୍ରଦୀପ? ସେ ଧୀରେ ଧୀରେ ଆଖି ଖୋଲିଲା । ଆଗରେ କ’ଣ ଦେଖୁଚି ସେ? ଇଏ କୋଣାର୍କର ତ୍ରୁଟିବିହୀନ ମୂର୍ତ୍ତି ନା ଖଜୁରାହୋର ମନୋହରୀ ଅପ୍ସରୀ? ତୁଳିକା ମିଶ୍ର ଦେହରେ ଖୁନ୍ଦି ହେଇ ରହିଛି ଯେମିତି ଲକ୍ଷେ ସୁନ୍ଦରୀଙ୍କ ଯୌବନ ଆଉ ଏଇ ଅମୂଲ୍ୟ ସମ୍ପତ୍ତିର ରକ୍ଷାକର୍ତ୍ତା ହଉଚି ସେ । ହଁ । କେବଳ ଆଉ କେବଳ ସେ... ପ୍ରଦୀପ ! ତା’ ଛାତି ଆଉରି ଟିକିଏ ଚଉଡା ହେଇଗଲା !
ଦିନବେଳେ ଯେବେ ତୁଳିକା ମିଶ୍ର କଲେଜ ଯାଉଥିଲା ସେତେବେଳେ ବହୁତ ଏକୁଟିଆ ହେଇ ଯାଉଥିଲା ପ୍ରଦୀପ । ସେ କ’ଣ କେବେ କଲେଜ ଯାଇ ପାରନ୍ତାନି ତୁଳିକା ମିଶ୍ର ସାଙ୍ଗରେ? ତାକୁ ବି କଲେଜ ମନେ ପଡ଼ୁଥିଲା । ସହପାଠୀ ପଠାପଢା କ୍ୟାଣ୍ଟିନ୍ ଆଉ ରବି । ରବି ସେଇଦିନଠୁ ଆଉ କେବେ ତୁଳିକା ମିଶ୍ର ଘରକୁ ଆସି ନଥିଲା । ତେବେ ପ୍ରଦୀପ ବୁଝି ପାରୁନଥିଲା ତୁଳିକା ମିଶ୍ର ସାଙ୍ଗେ କେମିତି କଥାବାର୍ତ୍ତା ଆରମ୍ଭ କଲା ରବି ଆଉ ତା’ ଘରକୁ ଆସିବାର ସାହସ କଲା କେମିତି ! ତା’ କାରଣ ଯାହା ବି ହଉ ହେଲେ ରବି ପାଇଁ ହିଁ ଆଜି ତୁଳିକା ମିଶ୍ରର କୋଳରେ ଶୋଉଛି, ଦୁଧଭାତ ଖାଉଛି, ତା’ ଗୋଲାପୀ ଓଠରୁ ଚୁମା ନଉଚି ପ୍ରଦୀପ । ସେଥିପାଇଁ ସେ ରବି ପାଖେ ଚିରକୃତଜ୍ଞ ।
ସେଦିନ ସନ୍ଧ୍ୟାରେ ତୁଳିକା ମିଶ୍ର ପ୍ରଦୀପକୁ ସାଙ୍ଗରେ ନେଇ ବାହାରକୁ ବୁଲିବାପାଇଁ ବାହାରିଗଲା । ଗୋଟିଏ ଗଛତଳେ ଠିଆ ହେଲା ଆଉ ଘଣ୍ଟା ଦେଖିଲା। “ଆରେ ! ଏଇ ଯେ ରବି !” ପ୍ରଦୀପ ମନେ ମନେ ରବି କଥା ଭାବିଲା ବେଳକୁ ସତକୁ ସତ ସେଦିନ ରବି ସେଇଠି ଆସି ପହଞ୍ଚିଲା । ତାକୁ ଦେଖି ତୁଳିକା ମିଶ୍ର ପଚାରିଲା, “କ’ଣ ହେଲା? କ’ଣ ହେଲା କଲେଜରେ କିଛି କହିଲନି? ଏଠିକି ଡାକିଲ ଯେ ମତେ?” ସେତେବେଳେ ପ୍ରଦୀପ ଜାଣିପାରିଲା ଯେ ରବି ଆଉ ତୁଳିକା ମିଶ୍ର କଲେଜରେ ସବୁଦିନ ଭେଟୁଛନ୍ତି । ପ୍ରଦୀପକୁ ପ୍ରଥମଥର ପାଇଁ ଟିକିଏ ଇର୍ଷା ହେଲା ରବି ଉପରେ । ସେମାନେ ତଳେ ବସିଲେ । ତୁଳିକା ମିଶ୍ର କୋଳରେ ପ୍ରଦୀପ । ହଠାତ ନିଜ ବ୍ୟାଗରୁ ଗୋଟିଏ ଖାତା କାଢିଲା ରବି । ସେଇ ଖାତା ଦେଖି ପ୍ରଦୀପର ଆଖିରେ ଗୋଟିଏ ଚମକ ଖେଳିଗଲା । ତା’ କବିତା ଖାତା । ତା’ ମାନେ ଆଜି ରବି ତୁଳିକା ମିଶ୍ରକୁ ପ୍ରଦୀପର ପ୍ରେମ କାହାଣୀ କହିବାକୁ ଯାଉଛି? ଆଜି ତୁଳିକା ମିଶ୍ର ଜାଣିପାରିବ ପ୍ରଦୀପ ହୃଦୟରେ ତା’ ପାଇଁ କେତେ ପ୍ରେମ କେତେ ଆବେଗ ! ରବି ତୁଳିକା ମିଶ୍ର ହାତକୁ ବଢେଇ ଦେଲା ଖାତାଟି । କହିଲା, “ଏଇ ଖାତାଟି ବିଷୟରେ କହୁଥିଲି । ପଢିକି ଦେଖ ।”
ତୁଳିକା ରବି ହାତରୁ ଖାତା ନେଇ ଖୋଲିଲା । କବିତା ଖାତାରେ ନାଁ ନାହିଁ । ପ୍ରଦୀପ ନିଜେ ହିଁ ତ ସେଥିରେ ନାଁ ଲେଖୁ ନଥିଲା କାଳେ କେବେ ଖୁଡିଙ୍କ ହାତରେ ପଡିଯିବ ବୋଲି । ତୁଳିକା କବିତା ପଢିବା ଆରମ୍ଭ କଲା । ଶେଷ କବିତା ସରିଲା ବେଳକୁ ତା’ ଆଖିରେ ଲୁହ ଭର୍ତ୍ତି । ରବିକୁ ଚାହିଁ କହିଲା, “ରବି... ତୁମେ ଏଇଟା ଲେଖିଛ?” ପ୍ରଦୀପ କହିବାକୁ ମୁହଁ ଖୋଲିଲା, “ନାଁ ଏଇଟା ମୁଁ ଲେଖିଛି ।” ହେଲେ ଖାଲି କହିପାରିଲା ଭୋଭୋ !
- ହଁ ତୁଳିକା, ଏଇ କବିତା ସବୁ ମୁଁ ଲେଖିଛି । ରାତିରାତି ତୁମ କଥା ଭାବି ଲେଖିଛି । ଜହ୍ନକୁ ଦେଖି ତମକୁ ମନେ ପକେଇ ଲେଖିଛି ।
- “ତା’ ହେଲେ ତୁମେ ମତେ ଏତେଦିନ ହେଲା ଏଇଟା ଦେଖେଇ ନଥିଲ କାହିଁକି?” ତୁଳିକା ମିଶ୍ର ଆଖିରୁ ଲୁହ ପୋଛି କହିଲା ।
- ମତେ ଡର ଲାଗୁଥିଲା କାଳେ ତୁମେ ମୋ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଦେବ ।
- ଏମିତି କବିତାର କବିକୁ କେବଳ କେଉଁ ପାଗଳୀ ହିଁ ପ୍ରତ୍ୟାଖ୍ୟାନ କରିଦେବ । ଏତେ ସୁନ୍ଦର କବିତା ମୁଁ ଜୀବନରେ କେବେ ପଢିନି ।
- ସତରେ ତୁଳିକା?
- ହଁ ରବି ସତ । ଜାଣିଛ କଲେଜରେ ମୋ ପଛରେ ବହୁତ ପୁଅ । ହେଲେ ମୁଁ ଜାଣିଚି ସେମାନେ ମୋ ରୂପ ନ ହେଲେ ମୋ ପଇସା ପାଇଁ ମୋ ପଛରେ । ସେମାନେ ମତେ ମଣିଷ ଭାବେ ଚିହ୍ନି ନାହାନ୍ତି । କିନ୍ତୁ ତୁମ କବିତା ପଢି ମୁଁ ଜାଣିପାରିଛି ତୁମେ ମୋ ଆତ୍ମାକୁ ଚିହ୍ନିଛ !
- ତମେ ସତ କହୁଚ ତୁଳିକା? ତା’ ମାନେ ତୁମେ ବି ମୋତେ ଭଲପାଅ?
- ହଁ ରବି । ମୁଁ ବି ତୁମକୁ ଭଲ ପାଏ ।
“ଭୋଭୋ ଭୋଭୋ...” ରବି ଆଉ ତୁଳିକା ମିଶ୍ରର ଏଇ କଥାବାର୍ତ୍ତା ଶୁଣି କିଛି ସମୟ ପାଇଁ ପ୍ରଦୀପର ଚେତା ଯେମିତି ବୁଡି ଯାଇଥିଲା । କ’ଣ ଶୁଣୁଛି ସେ? ରବି କ’ଣ ପାଗଳ ହେଇଯାଇଛି? କ’ଣ କରୁଛି ସେ? ପ୍ରଦୀପର କବିତାକୁ ନେଇ ତୁଳିକାକୁ ମିଛ କହୁଛି? ଥରେ ବି ଭାବୁନି ଯେ କ’ଣ ହବ ଯେତେବେଳେ ପ୍ରଦୀପ ସତକୁ ସତ ଫେରିଆସିବ ! ନା ରବି ଜାଣିଛି ଯେ ପ୍ରଦୀପ ଫେରି ଆସିଲେ ବି ତା’ର କେବେ ବି ସାହସ ହବନି ତୁଳିକା ମିଶ୍ର ଆଗରେ ମୁହଁ ଖୋଲିବାକୁ ! ସେ ଯେ ଡରୁଆ ! ମାଇଚିଆ ! ସେ ଖାଲି ସିଗାରେଟ ଟାଣି ଜାଣେ । ତାରା ଗଣି ଜାଣେ ଆଉ ଜହ୍ନରାତିରେ କବିତା ଲେଖିଜାଣେ । ପ୍ରେମିକାକୁ ମନ କଥା କହିବାର କଳାରେ ସେ ଯେ ବିଲ୍‌କୁଲ୍ ଫେଲ୍ !
ଆଉ ଏଇ ରବି ପୁଣି କେବେ ଭଲ ପାଇଲା ତୁଳିକା ମିଶ୍ରକୁ? ଏକଥା ତ କାଇଁ କେବେ ସେ କହିନି ପ୍ରଦୀପକୁ? ଭୋଭୋ ହେଇ ଭୁକିଲା ପ୍ରଦୀପ । ରବି ତାକୁ ଦେଖି ଖଣ୍ଡି କାଶ ମାରିଲା । ସେଇ ଖଣ୍ଡି କାଶରେ ଯେମିତି ସେ କହୁଥିଲା, “ଆରେ ବୁଡବକ୍ । ଦିନରାତି ଚବିଶ ଘଣ୍ଟା ଗୋଟିଏ ଝିଅ ବିଷୟରେ ମୋ ଆଗରେ ଗପିଲେ ମତେ ବି ତ ସେଇ ଝିଅ ସାଙ୍ଗରେ ପ୍ରେମ ହେଇଯିବ । ଏଡିକି ଛୋଟ କଥାଟେ ଜାଣିନୁ? ତୁ ସତରେ ଭୋଳା !” “ଭୋଭୋ…” ଆଉଥରେ ଭୁକିଲା ପ୍ରଦୀପ । ନା ଏଇଟା ହେଇପାରିବ ନାହିଁ। ତା’ ପ୍ରେମ ଉପରେ କାହାରି ଅଧିକାର ନାହିଁ । ଆଉ ରବି ତା’ ପ୍ରେମ ଉପରେ କେବେ ଭାଗ ବସେଇ ପାରିବନି ।
ପ୍ରଦୀପ ରବି ଆଡକୁ ଚାହିଁଲା । ପ୍ରଥମଥର ପାଇଁ ତାକୁ ରବି ମୁହଁ ଏଡେ ଅସୁନ୍ଦର ଦିଶିଲା । ମନ ଭିତରର ମଇଳା ମୁହଁ ଉପରେ ଦିଶିଗଲେ ମୁହଁଟି ବି ଆପେ ଆପେ ଅସନା ଦେଖାଯାଏ ବୋଧେ ! ତା’ହେଲେ ଏଇଥିପାଇଁ ରବି ତାକୁ ଏତେ ଯତ୍ନରେ ନିଜ ଘରେ ରଖିଥିଲା? ସଫା ସୁତର କରିଥିଲା? ଖାଇବାକୁ ଦେଇଥିଲା? ତା’ ହେଲେ ପ୍ରଦୀପକୁ ହିଁ ଉପହାର ସ୍ୱରୂପ ଦେଇ ପ୍ରଥମେ ମନ ଜିଣିଥିଲା ସେ ତୁଳିକା ମିଶ୍ରର? ଆଉ ଏବେ ତା’ରି କବିତା ପଢେଇ କହୁଛି କ’ଣ ନା ଏଗୁଡା ସିଏ ଲେଖୁଛି ବୋଲି? ଆଉ ଏଇ ତୁଳିକା ମିଶ୍ର ବି ଏଡିକି ଓଲି?? ଥରେ ବି ପଚାରି ପାରୁନି ଯେ କାଇଁ ଦେଖି… ଏବେ ଗୋଲାପ ଉପରେ କବିତାଟେ ଫାନ୍ଦି ମତେ କହିଲ ! ସେତେବେଳକୁ ଦେଖାଯାଆନ୍ତା କିଏ କେତେ ପାଣିରେ ! ହେଲେ ତୁଳିକା ମିଶ୍ର ମନରେ ଏମିତି କିଛି କଥା ଆସିନଥିଲା । ଓଲଟା ସେ ଆଉ ରବି କିଛି ଗୋଟେ କଲେଜ କଥା ପକେଇ ହସୁଥିଲେ।
ଆଜି ପ୍ରଥମଥର ପାଇଁ ତୁଳିକା ମିଶ୍ରଙ୍କୁ ହସୁଥିବାର ଦେଖି ପ୍ରଦୀପ ରାଗିଯାଇଥିଲା । କିଛି ସମୟ ସେମିତି ଗପସପ ହେବାପରେ ରବି ତୁଳିକା ମିଶ୍ରର ହାତ ଧରିଲା । ତୁଳିକା ମିଶ୍ର ଲାଜେଇ ଗଲା । ପ୍ରଦୀପ ଆଉ ରହିପାରିଲାନି । ତୁଳିକା ମିଶ୍ରର କୋଳରୁ ଡେଇଁପଡି ରବିର ଡାହାଣ ହାତକୁ ନିଜ ଦାନ୍ତରେ ଯେତେ ଶକ୍ତି ଅଛି ସେତେ ଯୋର୍‌ରେ କାମୁଡି ପକେଇଲା । ସତେ ଯେମିତି ଆଜି ଛିଣ୍ଡେଇ ପକେଇବ ! ରବି ମା’ଲୋ ବୋପାଲୋ ହେଇ ସେଇଠି ଗଡିପଡିଲା । ତୁଳିକା ମିଶ୍ର ପ୍ରଦୀପକୁ ଯେତେ ଛଡଉଥାଏ ପ୍ରଦୀପ ସେତିକି ଜୋର୍‌ରେ କାମୁଡି ଚାଲିଥାଏ । ଶେଷରେ ବଡ କଷ୍ଟରେ ପ୍ରଦୀପକୁ ଆଉ ରବିକୁ ଅଲଗା କରାହେଲା । ରବି ହାତ ରକ୍ତରେ ଜୁଡ଼ୁବୁଡ଼ୁ । ପ୍ରଦୀପ ଦାନ୍ତରେ ରକ୍ତ ।
ସେଇଠୁ ଗୋଟିଏ ଅଟୋ ଡାକି ରବିକୁ ହସ୍ପିଟାଲ ପଠେଇଲା ତୁଳିକା ମିଶ୍ର। ନିଜେ ଚାଲିକି ଘରକୁ ଫେରିଲା । ସେ ଦିନ ପ୍ରଥମଥର ପାଇଁ ତୁଳିକା ମିଶ୍ର ପ୍ରଦୀପକୁ ଗେହ୍ଲା କରି ଖୁଏଇଲାନି କି ପାଖରେ ଶୁଏଇଲାନି । ପ୍ରଦୀପ କୁଁକୁଁ ହେଇ ପାଖକୁ ଆସିଲେ ତାକୁ ତଡିଦେଲା ଆଉ ମୁହଁ ଶୁଖେଇ ବସିଲା । ପ୍ରଦୀପ ଜାଣି ପାରୁନଥିଲା ଯେ ତୁଳିକା ମିଶ୍ର ଏମିତି କାଇଁକି ବ୍ୟବହାର କରୁଛି? ଏମିତି କଣ ଭୁଲ ହେଇଗଲା ତା' ଦ୍ୱାରା? ସବୁ ଭୁଲ ତ ରବିର | ବେଇମାନ ସେ | ସାଙ୍ଗ ହିସାବରେ ସେ ଗୋଟିଏ କଳଙ୍କ | ହେଲେ ଏ ବୋକି ତୁଳିକା ମିଶ୍ର ସେ କଥା ବୁଝିଲେ ତ |
ପରଦିନ ସକାଳ ହଉହଉ ରବିକୁ ଦେଖା କରିବାକୁ ଦୌଡିଲା ତୁଳିକା ମିଶ୍ର । ପ୍ରଦୀପ ଭାବିଥିଲା ସେ ଏମିତି କରି ରବି ଆଉ ତୁଳିକା ମିଶ୍ରକୁ ପରସ୍ପରଠୁ ଦୂରେଇ ଦବ । ହେଲେ ପ୍ରକୃତରେ ତା’ର ଏଇ କାଣ୍ଡ ପାଇଁ ରବି ଆଉ ତୁଳିକା ମିଶ୍ର ବେଶୀ ପାଖକୁ ଆସି ଯାଇଥିଲେ । ତୁଳିକା ମିଶ୍ର ଏବେ ସବୁଦିନ ରବି ପାଖକୁ ଯାଉଥିଲା । ତା’ଯତ୍ନ ନଉଥିଲା ଆଉ ରବିକୁ ନିଜ ହାତରେ ଖୁଏଇ ଦଉଥିଲା । ଟିକିଏ ଭଲ ହେଲା ପରେ ରବି ଥରେ ଘରକୁ ଆସିଥିଲା ଆଉ ସେତେବେଳେ ପ୍ରଦୀପକୁ ନିଜ କୋଳରେ ନଧରି ଗୋଟିଏ ମୋଟା ଚେନ୍‌ରେ ବାନ୍ଧି ଦେଇଥିଲା ତୁଳିକା ମିଶ୍ର । ଏବେ ରବି ଆଉ ତୁଳିକା ମିଶ୍ର ମିଶିକି ସବୁଆଡେ ବୁଲୁଥିଲେ । ପାର୍କ ପିକ୍‌ନିକ୍ ସିନେମା । ହେଲେ ତୁଳିକା ମିଶ୍ର ପ୍ରଦୀପକୁ ଆଉ ସାଙ୍ଗରେ ନଉ ନଥିଲା । ତାକୁ ନୂଆ ସାଥିଟିଏ ମିଳି ଯାଇଥିଲା ।
ସେଦିନ ସନ୍ଧ୍ୟାରେ ତୁଳିକା ମିଶ୍ର ଘରେ କେହି ନାହାନ୍ତି । ବାପା ମା’ କୋଉ ବାହାଘରକୁ ଯାଇଛନ୍ତି ଆଉ ଚାକରାଣୀ ଛୁଟିରେ । ବାହାରେ ଦରୁଆନ ବି କାଇଁ କଉଠି ଦେଖାଯାଉନି । ପ୍ରଦୀପ ଆଜି ବହୁତ ସତର୍କ । ତୁଳିକା ମିଶ୍ରର ସବୁ ଦାୟିତ୍ୱ ଆଜି ତା’ଉପରେ । ତୁଳିକା ମିଶ୍ର ଆଜି ଭାରି ସୁନ୍ଦରୀ ଦିଶୁଚି । ହଳଦୀ ରଙ୍ଗର ଶାଢୀଟେ ପିନ୍ଧିଚି । ଖୋଲା ବାଳରେ ପରୀଟିଏ ପରି ଦିଶୁଚି । କି

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment