Welcome to shalandi webzine

ରାଣ

ସତ୍ୟ ମିଶ

ଗାଁରୁ ଜେଜେମା, ଜେଜେବାପା ଆସି ତାଙ୍କ ଘରେ ପହଂଚିଗଲେ ମୀମା ଖୁବ୍ ଖୁସୀ ହୋଇଯାଏ । ଏତେ ଖୁସୀ ହୋଇଯାଏ ଯେ ସେମାନଙ୍କ ପାଖ ଛାଡେ଼ ନାହିଁ ।

ଗାଁରୁ ଜେଜେମା, ଜେଜେବାପା ଆସି ତାଙ୍କ ଘରେ ପହଂଚିଗଲେ ମୀମା ଖୁବ୍ ଖୁସୀ ହୋଇଯାଏ  । ଏତେ ଖୁସୀ ହୋଇଯାଏ ଯେ ସେମାନଙ୍କ ପାଖ ଛାଡେ଼ ନାହିଁ  । ନିଜ ବାପା କିମ୍ବା ମା ଡାକିଲେ ବି ଅଣଦେଖା କରିଦିଏ  । ଜେଜେ ମା’, ଜେଜେବାପାଙ୍କ ସହିତ ଖେଳେ, ତାଙ୍କଠୁ ଗପ ଶୁଣେ, ନିଜ ସାଥୀମାନଙ୍କ ସହିତ ସେ ଖେଳୁଥିବା ଖେଳ ବିଷୟରେ ବନେଇଚୁନେଇ କହେ, ସେ ସବୁ ଖେଳର ନିୟମକାନୁନ ବୁଝାଇ ଦୁହିଁଙ୍କୁ ଭିଡ଼ିଭିଡ଼ି ବାହାରକୁ ନେଇ ସେସବୁ ଖେଳ ଖେଳିବାକୁ ବାଧ୍ୟକରେ  ।
କିନ୍ତୁ ଏଥର ତା’ର କ’ଣ ହୋଇଛି କେଜାଣି, ଗୋଟାଏ ଜିଦ୍ ଧରି ବସିଛି, ଜେଜେମା’ ତାଙ୍କ ଘରକୁ ଆସିବେ ନାହିଁ  । ଜେଜେବାପା ଆସିବାରେ ମନା ନାହିଁ; କିନ୍ତୁ ଜେଜେମା ? ନା, ସେ ଜମା ଆସିବେ ନାହିଁ  । ସେ ଆସିବା ମନା  । ସେ ଆସିବା କଥା ଶୁଣିଲେ ମୀମା ଜୋରରେ କାନ୍ଦ ଆରମ୍ଭ କରୁଛି ଓ ସେ କାନ୍ଦ ସହଜରେ ବନ୍ଦ ହେଉନାହିଁ  ।
ପ୍ରାୟ ପନ୍ଦରଦିନ ତଳେ କୁନିଝିଅ ମୀମା ସହିତ ତା ବାପା ମା’, ତପନ ଓ ତାପସୀ ଆସି ଗାଁରେ ରହିଛନ୍ତି  । ହସଖେଳରେ ସମୟ ବିତୁଛି  । ଗାଁର ବିଲ, ବଗିଚା, ଗାଈ, ବାଛୁରୀ, ପୋଖରୀ, ସବୁ ମୀମାକୁ ଭଲ ଲାଗୁଛି  । ବାହାରେ ଚଳପ୍ରଚଳ ହେଉଥିବା ବୁଲା କୁକୁରକୁ ଦେଖି ଏ ଗୁଡ଼ିକ କାହାର ବୋଲି ପଚାରୁଛି  । ବୁଲାଷଣ୍ଢ ଦେଖୁଲେ ନୂଆନୂଆ ଲାଗୁଛି  । ତାକୁ କଣ ଦିଲ୍ଲୀ ସହରର ରାସ୍ତାଘାଟରେ ଏସଟୁ ଜୀବଜନ୍ତୁ ଦିଶୁଥିବେ ? ସବୁ ଠିକ୍ ଚାଲିଛି  । ଗାଁର ସରଳ, ଆନନ୍ଦମୟ ଜୀବନ  । କିନ୍ତୁ ଜେଜେମା ‘, ଜେଜେବାପା ତାଙ୍କ ସହିତ ଦିଲ୍ଲୀ ଆସିବା କଥା ଉଠିବାମାତ୍ରେ ଏତେ ଜୋରରେ ଜିଦ୍ ଧରି ବସୁଛି ଯେ ତାକୁ ବୁଝାଇବା ଅସମ୍ଭବ ହୋଇପଡ଼ୁଛି  । କାନ୍ଦି କାନ୍ଦି ତଳେ ଗଡ଼ୁଛି  । ସେଇ ଗୋଟାଏ କଥା- ଜେଜେବାପା ଆସନ୍ତୁ  । ଜେଜେମା” ଗାଁରେ ରହନ୍ତୁ  ।
“ବାପା ଆମ ସହିତ ଆସିଲେ ମା” କ’ଣ ଗାଁରେ ଏକା ରହିପାରିବେ ? ” ବୋଲି ତପନ ପଚାରିଥିବା ପ୍ରଶ୍ନର ଅତି ସହଜ ଉତ୍ତର ଦେଇ ମୀମା କହିଥିଲା, “ ତାହେଲେ ଜେଜେବାପା ବି ନ ଆସନ୍ତୁ  । ଏଠି ରହନ୍ତୁ  ।”
କୁନିଝିଅର ଅବୁଝାପଣ ଦେଖି ଥରେ ତପନ ରାଗରେ ତା ପିଠିରେ ଛୋଟ ଚାପୁଡ଼ାଟିଏ ବି ଥୋଇଥିଲା  । ଫଳ ଏଇଆ ହେଲା ଯେ ମୀମାର କାନ୍ଦ ଆହୁରି ଜୋର୍ ହେଲା  । ଏକାଥରେ ମୋହନ ଓ ନଳିନୀ ଦୌଡ଼ିଆସି ନିଜ ପୁଅ ତପନକୁ ଗାଳିଦେଲେ, “ଛୋଟ ଛୁଆ, କ’ଣ ବୁଝୁଛି ଯେ ତାକୁ ଏମିତି ଶାସନ କରୁଛୁ? ଯା ଛାଡ଼ିଦେ ତାକୁ  । ପରେ ମାନିଯିବ ନାହିଁ?’
କିନ୍ତୁ ଜେଜେବାପାଙ୍କ କଥା ଶୁଣି ମୀମା ଆହୁରି ଜୋରରେ ଚିଲ୍ଲେଇ କହିଲା, ‘ ନା, ପରେ ବି ମାନିବି ନାହିଁ  । ଜେଜେମା’ ଆଦୌ ଆସିବେ ନାହି  ।’
 
 
ମୋହନ ଟିକିଏ ବିଚଳିତ ହେଲେ ବି ତାଙ୍କ ମୁହଁରୁ ସେ କଥା ଜାଣିହେଲା ନାହିଁ  । ତପନ ରାଗରେ ଗରଗର ହୋଇ କହିଲା, ବାପା, ମା’, ତମେ ଦୁହେଁ ତାକୁ ଆଉ ଗେଲ କରନାହିଁ  । ଛୋଟଛୁଆ ବୋଲି କ’ଣ ଏମିତି ଜିଦ୍ ଧରିବ? ଜେଜେମା’ ନ ଆସନ୍ତୁ ବୋଲି ଅଡ଼ିବସିବ?”
“ବସିବରେ ବସିବ  ।   ତା’ବୋଲି ତୁ ତାକୁ ମାରିବୁ ନା କ’ଣ ?’  ନଳିନୀଙ୍କ ଏଇ ପଦକ କଥା ଶୁଣିବା ମାତ୍ରେ ମୀମା ଯାଇ ତାଙ୍କ ଦେହରେ ଗୁଡ଼ାଇ ହୋଇଗଲା  । ଜେଜେମା, ନାତୁଣୀଙ୍କ ଗେଲ, ଖେଳ ଭିତରେ ସେତେବେଳର ଯୁକ୍ତି ଆପେଆପେ ବନ୍ଦ ହୋଇଗଲା  ।
କଥାଟି ଏତେ ମାତ୍ରାରେ ଅସ୍ୱାଭାବିକ ଥିଲା ଯେ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହୋଇନଥାନ୍ତା  । ପିଲାଟିଦିନରୁ ମୀମା ନିଜ ମା ବାପାଙ୍କଠାରୁ ବଳି ଜେଜେମା’ ଜେଜେବାପାଙ୍କୁ ଆଦରିଛି  । ବେଶି ଗେହ୍ଲା, ସ୍ନେହ ପାଇଆସିଛି  । ଦିଲ୍ଲୀରୁ ଫୋନରେ କହେ, “ଏତେଦିନ ହେଲାଣି ଆମ ଘରକୁ ଆସୁନ କାହିକି?  କାଲି ଏଠିକି ଚାଲିଆସ  । ତା’ ମତିରେ ‘କାଲି’ର ସମୟବୋଧ ସେମିତି  । ସେମାନେ ଦିଲ୍ଲୀ ଆସିଲେ ତାଙ୍କୁ ଏୟାରପୋର୍ଟରୁ କାରରେ ଆଣିବା ପାଇଁ ତପନ ସହିତ ମୀମା ବି ଆସେ  । ତା’ର ପ୍ଲେ ସ୍କୁଲ୍ ଛୁଟି ଥାଉ କି ନଥାଉ, ସେ ଏୟାରପୋର୍ଟ ଆସିବ ହିଁ ଆସିବ  । କେତେବେଳେ ସେ ଦୁହେଁ ଏୟାରପୋର୍ଟ ଭିତରୁ ବାହାରିବେ ବୋଲି ଭୋକଶୋଷ ଭୁଲି ଗେଟ୍ ପାଖରେ ବାଟକୁ ଅନାଇ ଠିଆ ହୋଇ ରହେ ତପନ ସହିତ  । ସାଥୁରେ ତାପସୀ ଥଲେ କହେ, “ମୁଁ ମା’ଙ୍କ ପାଖରେ ଏଠି ଠିଆହୋଇ ଦେଖୁଛି  । ବାପା, ତମେ ଟିକିଏ ଯାଇ ଦେଖ, ସେପଟୁ ଯଦି ଜେଜେମା’, ଜେଜେବାପା ଆସୁଥିବେ । ‘ ନିଜ ନିଜ ସୁଟକେଶ ଗଡ଼ାଇ ସେ ଦୁହେଁ ଆସୁଥିବାର ଦେଖିବା ମାତ୍ରେ ଖୁସିରେ ଏମିତି ଉଚ୍ଛନ୍ନ ହୁଏ, ଯେମିତିକି ନିଜେ ଦୌଡ଼ିଯାଇ ସେ ସୁଟକେଶ୍ ସହିତ ଦୁଇ ମଣିଷଙ୍କୁ ବୋହି ଆଣିବ !
ଆଉ ଦିଲ୍ଲୀ ଛାଡ଼ି ଗାଁକୁ ଫେରିବା ବେଳେ? ଏୟାରପୋର୍ଟର ଡିପାର୍ଚର୍ ଗେଟ୍ ପାଖରେ ମୀମାର କରୁଣ କାନ୍ଦ କେତେଥର ମୋହନ ଓ ନଳିନୀଙ୍କ ଆଖିକୁ ଓଦା କରିଦେଇଛି  । ଝିଅକୁ ବୁଝାଇସୁଝାଇ ସେଠୁ ଘରକୁ ଫେରାଇନେବା ତପନ ଓ ତାପସୀଙ୍କ ପାଇଁ ଗୋଟାଏ ପୀଡ଼ାଦାୟକ ଦାୟିତ୍ୱ  ।
ମୋହନ ଅପେକ୍ଷା ନଳିନୀ ମୀମାର ଅଧିକ ପ୍ରିୟ  । କପଟ ଅଭିମାନରେ ମୋହନ କହନ୍ତି, ‘ ତୁ ଜେଜେମା’ଙ୍କ ପାର୍ଟିର ଲୋକ  । ମୋତେ ଆଦୌ ଭଲପାଉନୁ  । ସବୁବେଳେ ଖାଲି ଜେଜେମା’ଙ୍କ କଥା ମାନି ଚଳୁଛୁ  ।’
‘ତମେ କାହିଁକି ଜେଜେମା’ଙ୍କ ନାଁରେ ସବୁବେଳେ ମିଛ କହୁଛ?’
“କ’ଣ ମିଛ କହିଲି ?”
“ସେ କ’ଣ ଖେଳରେ ଚିଟିଙ୍ଗ୍ କରନ୍ତି? ଆଦୌ ନୁହେଁ । ଓଲଟା ତମେ ଚିଟିଙ୍ଗ୍  କରୁଛ ।” ମୀମା ଯାଇ ଜେଜେମା ‘ଙ୍କ ଦେହରେ ଜଡ଼ାଇଯାଏ  ।
ଏବେ ସେଇ ମୀମାର ଜିଦ୍, ଜେଜେମା ଗାଁରେ ହିଁ ରହିବେ  । ତା’ର ଦିଲ୍ଲୀ ଘରକୁ ଆଦୌ ଆସିବେ ନାହିଁ  । ଶିଶୁ ମନରେ କେଉଁଠି କେଉଁ ରହସ୍ୟ ଲୁଚିରହିଛି, କିଏ ଜାଣୁଛି?
ଯେତେ ଜେରା କଲେ ସୁଦ୍ଧା ମୀମାର ଏଇ ଅସମ୍ଭବ ଜିଦର କାରଣ ଜଣାପଡ଼ିଲା ନାହିଁ  । ଯେତେ ପ୍ରକାର ପ୍ରଶ୍ନ, ଅନୁସନ୍ଧାନ, ସନ୍ଧାନ କରାଯାଇପାରେ, ସବୁ କରାଗଲା  । ତାପସୀ କେତେ କୌଶଳରେ କଥା ଭିଡ଼ିବାକୁ ଚେଷ୍ଟାକଲା  । ତପନ ଧମକାଇଲା  । ଜେଜେବାପା ମୋହନ ଗେଲରେ ପଚାରିଲେ  । ଖୋଦ୍ ଜେଜେମା’ ବି ଅଭିମାନ କରି ପ୍ରଶ୍ନକଲେ, ‘କ’ଣ ହେଲା ମୀମା, ମୋତେ କାହିଁକି ଆସିବାକୁ ମନା କରୁଛୁ ?’
‘ନା, ତମେ ଆସିବନି ।’ଗୋଟିଏ ଜିଦ୍  । କିଛି ହେତୁ ନାହି, କୈଫିୟତ ନାହିଁ, ଯୁକ୍ତି ନାହିଁ  । ଏତେ ଗୁଲଗୁଲିଆ କୁନି ଛୁଆଟିଏ ପୁଣି ଏମିତି ଜିଦ୍ ଧରିପାରେ? ନଳିନୀ ଭାବିଚିନ୍ତି କହିଲେ, ‘ୟାକୁ ନିଶ୍ଚୟ କିଏ ଗୁଣି କରିଛି । ମୋର ଶତ୍ରୁ କରିଦେବା ପାଇଁ ଲାଗିଛି  ।’ ଅନେକ ଜଣାଶୁଣା ଚରିତ୍ରକୁ ସନେ୍ଦହ କରି ସେ ମନେମନେ ଛାଣିବାରେ ଲାଗିଲେ ଓ ଶେଷରେ ଦୁଇଜଣ ଆତ୍ମୀୟଙ୍କ ଉପରେ ନିଜର ସନେ୍ଦହ ଓ ଆରୋପ ଠୁଳକରି ନିଜ ସ୍ୱାମୀଙ୍କ କାନରେ କହିଲେ, “ଏହା ନିଶ୍ଚୟ ସେମାନଙ୍କର କାମ ।”
“ଚୁପ୍, ଚୁପ୍, ସେମିତି କୁୁହନାହିଁ ।” ମୋହନ କହିଲେ, ‘ଗୁଣିଗାରେଡି ସବୁ ମିଛ ।’
କିଚୁ ମୀମା ମନରେ ଜେଜେମା’ଙ୍କ ପ୍ରତି କୌଣସି ଶତୃତା କିମ୍ବା ଅନାଦରର ଲେଶମାତ୍ର ସୂଚନା ଦିଶିଲା ନାହିଁ । ସେମିତି ପାଖରେ ଆସି ଘଷିହୁଏ, ମିଛିମିଛିକା ଖାଇବାଜିନିଷ ଆଣି ଖୁଆଏ । ଗପ ଶୁଣେ । କେବଳ ଜେଜେମା” ଖୋଇଲେ ହିଁ ଖାଇବ ବୋଲି ଜିଦ୍ ଧରିବସେ । କିନ୍ତୁ ଦିଲ୍ଲୀ ଯିବାକଥା ଉଠିଲେ ଧରିବସେ, ନା, ଜେଜେମା ଯିବେନାହିଁ ।’
ତପନ କହିଲା, ‘ ଏତେ ଛୋଟପିଲାର ଏତେ ବଡ଼ ଜିଦ୍ ଆଦୌ ଭଲ ନୁହେଁ  । ବିଗିଡ଼ିଗଲାଣି  । ସେ ଚାହୁଛି, ସବୁକଥା ତା’ଇଚ୍ଛା ଅନୁସାରେ ହେବ  । ଆଉ ଫୁସୁଲାଫୁସୁଲି କରି ଲାଭନାହିଁ  । କଠୋର ଶାସନ ଦରକାର  ।’
‘ପାଂଚ ବରଷର ଛୁଆକୁ କ’ଣ ଶାସନ କରିବୁରେ? ଖେଳିବା ବୟସ ତାର । ତୁ କ’ଣ ରାଗି ମାଗି ମାଡ଼ଦେବାକୁ ତିଆର ହେଲୁଣି !’
ତାପସୀର ମତ ହେଲା, “ଏପରି ବ୍ୟବହାର ଅତି ଅସ୍ୱାଭାବିକ । ୟାକୁ ନେଇ ଚାଇଲ୍ଡ ସାଇକୋଲୋଜିଷ୍ଟଙ୍କ ପାଖକୁ ଯିବା । ସେମିତି ଛାଡ଼ିଦେଲେ ପରେ ପୁଣି କ’ଣ ବିକାର ବାହାରିବ, କିଏ ଜାଣେ?”
ନଳିନୀଙ୍କର ଦୁର୍ବଳ ଆପତ୍ତି ସତ୍ୱେ୍ୱ ସ୍ଥିର ହେଲା ଯେ ମୀମା ଜିଦ ଧରୁଛି ତ ଧରୁ । କାନ୍ଦିକାନ୍ଦି ତଳେ ଗଡୁ । ତା କଥାରେ କ’ଣ ଘର ଚାଲିବ? ଜେଜେବାପା, ଜେଜେମା ଦିଲ୍ଲୀ ଯିବେ । ପ୍ୟାକିଙ୍ଗ୍ ଆରମ୍ଭ ହେଲା ।
ଦିଲ୍ଲୀର ଶୋଭା ଆର୍କେଡ୍ ଭିତରେ ଥିବା ପାଂଚଟି ଅତିକାୟ କୋଠାର ବନ୍ଧନୀ ଭିତରେ ଯେଉଁ ଘାସଲନ୍ ଓ ବଗିଚା ଜାକିଜୁକି ହୋଇ ରହିଛି, ତାଜୁ ଲାଗିରହିଛି ପିଲାମାନଙ୍କର ଖେଳ ଚକଡ଼ା ଦି ଚାରିଟା ଛୋଟ ବଡ଼ ଦୋଳି, କିଛି ଚିକଣ ଖସଡ଼ା, ଛନ୍ଦାଛନ୍ଦି ଦଉଡ଼ି ଧରି ଉପରକୁ ଚଢ଼ିବା ପାଇଁ ନକଲି କାନ୍ଥ, ଗୋଲକଧନ୍ଦା ଆଉ ଏମିତି କିଛି । ପ୍ରତିଦିନ ସନ୍ଧ୍ୟା ବେଳେ ପିଲାଙ୍କ ଖେଳ, କିଚିରିମିଚିରି କୋଳାହଳରେ ଜାଗାଟି ସଜୀବ ହୋଇଯାଏ ।
ଅଳ୍ପଦୂରରେ ପଡ଼ିଥିବା ସିମେଂଟ ଆସନ ଉପରେ ବସି ଚାରିଜଣ ବୟସ୍କ ଲୋକଙ୍କ ଗପର ଆସର ଚାଲିଥୁଲା । କିଛି ଦୂରରୁ ମୋହନ ତାଙ୍କଆଡ଼କୁ ଆସୁଥିବାର ଦେଖୁ ତାଙ୍କ ଭିତରୁ ଜଣେ ବଡ଼ପାଟିରେ ଡାକିଲେ, ଆରେ ଓଡ଼ିଶାର ବାବୁ, ମୋହନ ବାବୁ, ଆସ, ଆସ । ଏଠି ବସ । କେବେ ଆସିଲ?”
“ଏକା ଆସିଲ ନା ମ୍ୟାଡାମ୍ ସାଥିରେ ନେଇ ଆସିଲ?”
“ତମ ଦେହ କେମିତି ଅଛି ? ଭାବିଜୀ କେମିତି ଅଛନ୍ତି?”
“ଓଡ଼ିଶାର ଖବର କ’ଣ ? ଆଉ ବାତ୍ୟା ଆସୁଛି ନା ନାହିଁ?’
ମୋହନ ନିଜେ କାହାକୁ କିଛି ପଚାରିବା ଆଗରୁ ଅନ୍ୟମାନଙ୍କ ପ୍ରଶ୍ନର ଏମିତି ଏକ ପାହାଡ଼ରେ ତାଙ୍କୁ ପୋତିହେବାକୁ ପଡ଼ିଲା  । ପାହାଡ଼ ଭିତରୁ ଝାଡ଼ିଝୁଡ଼ି ହୋଇ ଉଠିବା ପରେ ପଚାରିଲେ,’ମୋଂଠୁ ତ ଏତେକଥା ଆଦାୟ କରିନେଲେ  । ଏଥର କହ ତମ ବିଷୟରେ ।’
ଶୁ୍କ୍ଲାଜୀ ହସିହସି ମୋହନଙ୍କ ପିଠିରେ ହାତ ଥାପୁଡ଼ାଇ କହିଲେ, ଆରେ ୟାର, ଆଉ ଖବର କଣ ? ଦିଲ୍ଲୀ ତ ସବୁବେଳେ ଦିଲ୍ଲୀ । ଏମିତି ସବୁ ଚାଲିଛି  । ସଂଜବେଳେ ଏଠି ପିଲାଛୁଆଙ୍କ ଖେଳ ଦେଖ ସମୟ କଟୁଛି  । ତାଙ୍କ ବାପମା’ ସବୁ କାମରେ ବ୍ୟସ୍ତ  । ଆମ ହାତରେ କାମ ନାହିଁ  । ତମେ ତ ଭାଇ ନିଜ ଗାଁରେ ରହି ଖେତୀବାଡ଼ÿି ଦେଖୁଛ ଭାଗ୍ୟବାନ୍ ଲୋକ  । ଆମେ ଏଠି ବସି ଗପ, ତାମସା କରୁଛୁ  । ଛୁଆମାନଙ୍କ ଉପରେ ବି ନଜର ରହୁଛି  । ‘
ତାଙ୍କ ମୁହଁରୁ କଥା ଛଡ଼ାଇନେଇ ରାଜପାଲ କହିଲେ, ‘ ବାକୀ ବାତଚିତ୍ ବାଦ ମେଁ  । ପହଲେ ଚାୟ୍ ପିଓ  ।’ ଗୋଟାଏ ଫ୍ଲାସ୍କ ଓ ବିଡ଼ାଏ କାଗଜକପ୍ ବାହାର କରି ରାଜପାଲ୍ ସମସ୍ତଙ୍କ ପାଇଁ ଚା ଢାଳିଲେ  । ସମସ୍ତଙ୍କ ହାତରେ ଗରମ ଟା’କପ୍ ପହଂଚି ସାରିବା ପରେ ବି ଫ୍ଲାସ୍କ ଖାଲି ନ ହେବାରୁ କହିଲେ, ‘ ଯିଏ ଆଗ କପ୍୍ ଖାଲି କରିବ, ତାକୁ ପୁଣି ଚା’ ମିଳିବ  । ଆହୁରି ତିନି ଚାରିକପ୍ ବଳିଛି  । ଆମ ଦୋସ୍ତମାନେ ଆଜିକୁଆଡେ ଯେ ଗଲେ ? ଭାସ୍କର କାହିଁ ? ଖୁରାନା କାହିଁ ? ବାନାର୍ଜୀଦାଦା କାହାନ୍ତି ?
ପ୍ରଥମେ ଯା’ର କପ୍ ଖାଲିହେଲÿା, ସେ ଶୈଲେଶ୍ ପାର୍ମାର୍ ।
“ତମଘରୁ ଆସିଥିବା ଚା’ ମୁଁ ଏକା ପୁରା ଫ୍ଲାସ୍କ ଟିଏ ପିଇପାରିବି’- ପାର୍ମାର୍ କହିଲେ ।
‘ତା’ ହେଲେ କାଲି ମୁଁ ପୁରା ବାଲ୍ଟିଏ ଚା’ କରାଇ ଆଣିବି ।’
ଶୁକ୍ଲାଜୀ ଜୋରରେ ଆପତ୍ତି କଲେ, “ ସେକଥା ହୋଇପାରିବନି, ରାଜପାଲ୍୍  । କାଲି ବୃହସ୍ପତି ବାର  । ମୋର କଫି ଆଣିବା ପାଳି ବୋଲି ଭୁଲିଗଲଣି କି?
ମୋହନ ଦେଖିଲେ, ଚିଲଡ୍ରେନ୍ ପ୍ଲେ ଏରିଆ ବୋଲି ଯାହାକୁ କୁହାଯାଉଛି, ସେଠି ଛୋଟଛୋଟ ପିଲାଙ୍କ କୋଳାହଳ । ଏ ପଟେ ବୟସ୍କ ମଣିଷମାନଙ୍କର ଖଟି । ମଝିରେ ଗୋଟିଏ ପିଢ଼ି ପୂରା ଅନୁପସ୍ଥିତ । ଘରେ କାର୍ଯ୍ୟ ବ୍ୟସ୍ତ, ଅଥବା ଅଫିସରୁ ଫେରିନାହାଂତି ।
ହଠାତ୍ ସାମ୍ନାରେ ଦିଶିଲେ ବିଦ୍ୟାବେନ  । ପାରମାରଙ୍କ ପନôୀ  । ମୋହନ ଭାବିଲେ ସେ ନିଜ ସ୍ୱାମୀଙ୍କୁ କିଛି କହିବାକୁ ଆସିଛନ୍ତି  । କିନ୍ତୁ ସେ ସିଧା ମୋହନଙ୍କ ପାଖକୁ ଆସି ଅଭିଯୋଗ କଲେ, ‘ନଳିନୀ ଦିଦି ତ ଦିଲ୍ଲୀ ଆସିଛନ୍ତି, ତେବେ ଘରୁ ବାହାରୁନାହାନ୍ତି କାହିଁକି? ଆଗରୁ ତଳକୁ ଆସି ଲେଡିଜ୍ ଗ୍ରୁପରେ ମିଶି ଗପସପ କରୁଥିଲେ  । ମଜାମଜା କଥା କହୁଥିଲେ  । ଜଗନ୍ନାଥଜୀଙ୍କ କାହାନୀ ଶୁଣାଉଥିଲେ  । କିନ୍ତୁ ଏଥର ଦିଦିଙ୍କର ଦେଖା ମିଳୁନାହିଁ  । ସେ ଚାରିଦିନ ତଳୁ ଆସି ପହଂଚିଲେଣି ବୋଲି ଖବର ରଟିଗଲାଣି  ।’
ପକେଟରୁ ମୋବାଇଲ୍ ବାହାରକରି ମୋହନ ନଳିନୀଙ୍କୁ ଡାକିଲେ “କ’ଣ କରୁଛ ?
“ଘରେ ଅଛି  । ମୀମା ତାର ଛବିବହି ଖୋଲି ମୋତେ ଦେଖାଉଛି  ।’
“ତମ ସାଥୀମାନେ ତମକୁ ଖୋଜୁଛନ୍ତି  । ପାର୍କକୁ ଆସୁନାହଁ କାହିଁକି? ମୀମାକୁ ବି ନେଇଆସ  ।’
“ମୋର କ’ଣ ଯିବାକୁ ଇଚ୍ଛା ନାହିଁ ? ହେଲେ, ମୀମା ଛାଡୁନାହିଁ  । ନିଜେ ବି ବାହାରକୁ ଯାଇନାହିଁ  । ତମକୁ ସିନା ଛାଡ଼ିଦେଲା, ମୋତେ ଆକଟିରଖୁଛି  । ଘରୁ ବାହାରକୁ ଯିବାକୁ ଛାଡୁଛି କେଉଁଠି ଯେ ମୁଁ ଆସିବି?’
“ଆରେ, ଇଏ କି କଥା ? ମୀମାକୁ କହ ମୁଁ ତମକୁ ଡାକୁଛି  । ତାକୁ ବି ଡାକୁଛି  ।’
ଜେଜେବାପା ଓ ଜେଜେମାଂଙ୍କ ଭିତରେ କ’ଣ କଥାବାର୍ତା ଚାଲିଛି, ମୀମା ଜାଣିଗଲା  । ମୋବାଇଲ୍ ପାଖକୁ ମୁହଁ ନେଇ ବଡ଼ପାଟିରେ କହିଲା, “ଜେଜେମା ଘରୁ କୁଆଡେ଼ ଯିବେନାହିଁ  ।’
ମୋହନ ମୋବାଇଲ୍ ବନ୍ଦ୍ କରି ବିଦ୍ୟାବେନଙ୍କୁ କହିଲେ, “ ତାଙ୍କ ଗେହ୍ଲୀ ନାତୁଣୀ ତାଙ୍କୁ ଛାଡୁନି  । ପାଖରେ ବସାଇ ଡ୍ରଇଂ ଦେଖାଉଛି  । ମୁଁ କାଲି ସନ୍ଧ୍ୟାରେ ତାଙ୍କୁ ନେଇ ଆପଣଙ୍କ ସାମ୍ନାରେ ହାଜର କରାଇବି  ।”
ହଁ, ଆଣନ୍ତୁ କାଲି  । ଦିଦିଙ୍କୁ କହନ୍ତୁ ବିଦ୍ୟାବେନ କସମ୍ ଲଗାଇ ଡାକିଛି  । ନିଶ୍ଚୟ ଆସିବେ ।’
ବିଦ୍ୟାବେନ୍ ଚାଲିଗଲେ । ତାଙ୍କ ସ୍ୱାମୀ ଅଳ୍ପ ହସି କହିଲେ, “ଏ କସମ୍ କ’ଣ ଦରକାର ଥିଲା ?’
“କସମ” ବିଷୟରେ ଥଟ୍ଟା ପରିହାସ ଆରମ୍ଭ ହୋଇ କିଛି ଆଗେଇବା ପରେ ମୋହନ କହିଲେ, ଏଇ କସମ ଜିନିଷକୁ ତୁଚ୍ଛ ବୋଲି ଭାବିବ ନାହି  । ଖୁବ୍ ଶକ୍ତିଶାଳୀ, ଧାରୁଆ ଅସ୍ତ୍ର ଏଇଟା  । ଆମ ଭାଷାରେ ଆମେ କହୁ “ରାଣ”  । ଏମିତି ରାଣ ଦେଇ ଅନେକ ଲୋକ ଅନେକ କଥା ହାସଲ କରିନିଅନ୍ତି  । ପନôୀମାନେ ପତିମାନଙ୍କୁ ନିୟନ୍ତ୍ରଣ କରନ୍ତି  । ଯାହା ଚାହୁଁଛନ୍ତି, ତାହା ଛଡ଼ାଇନିଅନ୍ତି, ଏଇ ରାଣ ବଳରେ  । ମୁଁ ତ ଭାବୁଛି, ଯେଉଁଦିନ ପୁରୁଷମାନେ କସମକୁ ଅସ୍ୱୀକାର କରିବେ, ସେହିଦିନ ସବୁ ପନôୀ, ପ୍ରେମିକା, ମା ଭଉଣୀ ଆଉ ଯାବତୀୟ ନାରୀ ଏଠି ଜନ୍ତରମନ୍ତରରେ ହରତାଳ କରିବେ  । ସବୁଆଡେ଼ ର୍ୟାଲି ବାହାରିବ  । ମୋତେ କିନ୍ତୁ ଭାରି ଖୁସି ଲାଗିବ  ।
ସନ୍ଧ୍ୟା ଆସର ସରିବା ପରେ ଘରେ ପହଂଚିବାମାତ୍ରେ ନଳିନୀଙ୍କୁ କହିଲେ, ‘ ତଳକୁ ଆସି ଲନରେ ବସିବାପାଇଁ ତମର ମନ ହେଉନାହି ?
‘ମନ ତ ହେଉଛି ଭାରି । କିନ୍ତୁ ମୀମା ଛାଡ଼ିଲେ ତ ଆସିବି ! ‘
“ମୁଁ ମୀମାକୁ ବୁଝାଇଦେଉଛି । କାଲିଠୁ ତମେ ଓ ମୀମା ମୋ ସହିତ ଆସିବ । ”
‘ନା, ଜେଜେମା ଯିବେ ନାହିଁ ।’ ମୀମା ମଝିରୁ କହିଲା ।
ମୀମାର କଣ୍ଠରେ ଅସ୍ୱାଭାବିକ ଦୃଢ଼ତା ଦେଖି ମୋହନ କହିଲେ, ‘ଯିବେ ନାହିଁ ମାନେ?’
“ଜେଜେମା’ ଘରେ ରହିବେ । କୁଆଡେ଼ ଯିବେନାହିଁ  । କେମିତି ଯିବେ? ମୁଁ ତ ତାଙ୍କୁ ଜଗି ବସିଛି ।”
‘କାହିଁକି ବାହାରକୁ ଯିବେ ନାହିଁ ?’
କିଛି କାରଣ ନ କହି ମୀମା କହିଲା, “ନା, ଯିବେନାହି ।’
ନିଜ ସୁଟକେସ୍ ଭିତରେ ଅନେକଦିନରୁ ବନ୍ଦୀହୋଇ ପଡ଼ିଥିବା ପୁରୁଣା ହାତଘଂଟାଟିଏ ବାହାର କରି ମୋହନ ଦିନେ ନିଜ ବାଁ ହାତରେ ବାନ୍ଧିଲେ  । ହାତଘଂଟା ପିନ୍ଧି ସମୟ ଦେଖିବା ସଉକ ଆଉ ନ ଥିଲେ ସୁଦ୍ଧା ବର୍ଷ ବର୍ଷ ଧରି ଘରେ ସଂରକ୍ଷିତ ଜିନିଷଗୁଡ଼ିକୁ ବେଳେବେଳେ ବ୍ୟବହାର ତ କରିବାକୁ ପଡ଼ିବ  ।
ମୀମା ଦୌଡ଼ିଆସି କହିଲା, “ ଜେଜେବାପା, ଏଇ ଘଂଟାଟି କାହାର?”
‘ମୋର  । ‘
‘କେଉଁଠୁ ପାଇଲ?”
“ମୋ” ସୁଟକେସରେ ଥିଲା  । ଆଜି ପିନ୍ଧିଲି  ।’
‘ମୋତେ ଦେବ ?”
“ତୁ ଘଂଟା ନେବୁ? କ’ଣ କରିବୁଲୋ ମା ‘ ? ତୁ ଘଂଟା ଦେଖି ସମୟ ହିସାବ କରିବା ଶିଖିଲୁଣି ?”
“ପ୍ଲିଜ୍, ମୋତେ ଏଇ ଘଂଟାଟା ଦିଅ  । ପ୍ଲିଜ୍ ପ୍ଲିଜ୍  ।”
ତାପସୀ ଦୌଡ଼ିଆସି କହିଲେ, “ ତାକୁ ଘଂଟା ଦିଅନ୍ତୁନି ବାପା  । ତମଠୁ ଘଂଟା ନେଇ ସାଙ୍ଗସାଥୀଙ୍କୁ ଦେଖାଇ ଖେଳିବ, ନ ହେଲେ କେଉଁଠି ଫୋପାଡ଼ିଦେବ  । ଚାରିଦିନ ପରେ ଆଉ ସେ ଜିନିଷ ଦେଖିବାକୁ ମିଳିବ ନାହିଁ  । ଅନେକ ଜିନିଷ ଏମିତି ନଷ୍ଟ ହେଲାଣି  ।”
ନିଜ ମା’ଙ୍କ କଥାକୁ ଆଦୌ କାନରେ ନ ପକାଇ ମୀମା ପୁଣି ଜେଜେବାପାଙ୍କ ଦେହରେ ଘଷିହୋଇ କହିଲା, ‘ଦିଅନା, ମୋତେ, ପ୍ଲିଜ୍ ତମ ଘଂଟା ଦିଅ  । ଏଇ ନେଳି ଘଂଟାଟିଏ ମୋର ଖୁବ୍ ଦରକାର  ।’
ମୋହନ ମଧ୍ୟ ନିଜ ବୋହୂର ଚେତାବନୀ ମାନିଲେ ନାହିଁ  । ନିଜ ହାତରୁ ଘଂଟାଟି ବାହାରକରି ମୀମା ହାତରେ ଦେଲେ  । “ଛୋଟ ପିଲାଟି ଏତେ ମନକରି ଜିନିଷଟିଏ ମାଗୁଛି  । ହଜିଲେ ହଜୁ  । ମୋର ଆଉ ଘଂଟା ଅଛି  ।’
କିନ୍ତୁ ତାପସୀ ମୀମା ହାତରୁ ଘଂଟାଟି ଛଡ଼ାଇନେଇ କହିଲେ, “ତାକୁ ଏମିତି ଦେଇ ଚାଲିଲେ ଘରର କେତେ ଜିନିଷ ଚାଲିଯିବ  । ଗଲାଣି ମଧ୍ୟ  । ଏଇ ତଳେ ପାର୍କରେ ଯେଉଁ ଦଳେ ପିଲାଙ୍କୁ ଖେଳିବାର ଦେଖୁଛ, ତାଙ୍କ ପାଖରେ ଦେଖିବ ଦାମୀ କଲମ, ହାତଘଂଟା, ମୋବାଇଲ୍, ତାସମୁଠା, ଆହୁରି କେତେ କ’ଣ ଜିନିଷ  । ନିଜ ନିଜ ଖେଳଣା ଅପେକ୍ଷା ଏମିତି ସବୁ ଜିନିଷରେ ପିଲାଙ୍କର ଭାରି ଆଗ୍ରହ  । ନିଜ ନିଜ ଘରୁ ଉଠାଇଆଣନ୍ତି୍ି, ନିଜ ଭିତରେ ଦିଆନିଆ ହୋଇ ଖେଳନ୍ତି, ଝଗଡ଼ା କରନ୍ତି, ଫିଙ୍ଗାଫୋପଡ଼ÿା କରନ୍ତି  । କିଛିଦିନ ପରେ ସେସବୁ ଜିନିଷର ଆଉ ପତ୍ତା ମିଳେନାହିଁ  । ଖାଲି ମୋର ନୁହେଁ, କଲୋନିର ମା’ ମାନଙ୍କର ଏମିତି ଅଭିଯୋଗ ରହିଛି  । ହେଲେ, ପିଲାମାନେ ମାନୁଛନ୍ତି କୋଉଠି ?’
‘କେହି ମାନୁନାହାନ୍ତି ତ ମୀମା କାହିଁକି ମାନିବ? ଦେ’, ତାକୁ ଘଂଟା ଦେଇଦେ  । ନ ହେଲେ ମୋତେ ଭଲ ଲାଗିବନି  । ‘
ନିତାନ୍ତ ଅନିଚ୍ଛା ସତ୍ୱେ ତାପସୀ ମୀମାକୁ ଘଂଟାଟି ଫେରାଇଦେଇ କହିଲା, “ଖୁବ୍ ଯନôରେ ରଖୁବୁ  । ଦୁଇଦିନ ପରେ ବାପାଙ୍କୁ ଫେରାଇଦେବୁ  । ଆଉ ମାଗିବୁ ନାହିଁ  । ଏଇଟା ତୋର ଖେଳଣା ନୁହେଁ  ।”
ମୀମାର ଶୁଖିଯାଇଥିବା ମୁହଁଟି ପୁଣି ଉଜ୍ଜ୍ୱଳ ଦିଶିଲା  ।
ବିଦ୍ୟାବେନ୍ଙ୍କ ରାଣ, ଡେରିରେ ହେଲେ ମଧ୍ୟ, କାମ ଦେଲା  । ମୋହନଙ୍କ ସାଙ୍ଗରେ ସେଦିନ ନଳିନୀ ଓ ମୀମା ମଧ୍ୟ ଲିଫ୍ଟରେ ତଳକୁ ଆସିଲେ  । ପାର୍କ ପାଖରେ ପହଂଚି ମୋହନ କହିଲେ, ‘ଦେଖ, ତମ ଗ୍ରୁପ୍ ସେଠି ଜମିଆସିଲାଣି  । ହେଲେ, ତମ ଗ୍ରୁପ୍ ଆମ ଗ୍ରୁପ୍ ଭଳି ଏତେ ଇଂଟରେଷ୍ଟିଙ୍ଗ ହେବନାହିଁ  ।’
“କେମିତି ଜାଣିଲ?”
“ଆମ ଗ୍ରୁପରେ  ପ୍ରତିଦିନ କିଏ ନା କିଏ ଫ୍ଲାସ୍କରେ ଚା କିମ୍ବା କଫି ନେଇ ଆସନ୍ତି  । ତମ ଲେଡିଜମାନଙ୍କ ଭିତରେ କେବଳ ଗସିପ୍ ଛଡ଼ା ଆଉ କିଛି ଥାଏ ?”
‘ଆଜି ଟିକିଏ ତମ ବନ୍ଧୁମାନଙ୍କୁ ପଚାର, ସେମାନେ ଯେଉଁ ଚା’, କଫି ଧରି ଆସୁଛନ୍ତ୍ି, ତାକୁ କିଏ ତିଆରି କରି ଫ୍ଲାସ୍କରେ ଭରି ତାଙ୍କ ହାତରେ ଦେଉଛି?”
ଜେଜେମା, ଜେଜେବାପାଙ୍କ କଥା ଚୁପଚାପ୍ ଶୁଣୁଥୁବା ମୀମା ଉଛ୍ୱସିତ ହସ ହସି ତାଳିମାରି ଘୋଷଣା କଲା, ଆଂଟିମାନେ ଘରେ ଚା’କରନ୍ତି  । ଅଙ୍କଲମାନେ ତାକୁ ନେଇ ପାର୍କକୁ ଆସନ୍ତି  । ମୀମା, ନଳିନୀ ଓ ମୋହନ ନିଜନିଜ ଗୋÂୀରେ ସାମିଲ ହୋଇଗଲେ  । ପ୍ରୟ ଅଧଘଂଟା ପରେ ପିଲାଙ୍କ ଖେଳଜାଗାରୁ କଜିଆ ଓ ପରେପରେ କାନ୍ଦ ଶୁଣି ସମସ୍ତଙ୍କ ଆଖି ସେପଟକୁ ଘୁରିଗଲା  । କାନ୍ଦୁଥିବା ପିଲାଟି ମୀମା  । ନାତୁଣୀ କାନ୍ଦୁଥିବାର ଦେଖୁ ନଳିନୀ ସେପଟକୁ ଦୌଡ଼ିଗଲେ  । ମୋହନ ବି ନିଜ ଆସନରୁ ଉଠୁଥିଲେ, କିନ୍ତୁ ପିଲାଙ୍କ ଭିତରେ ଏମିତି କଳି, କାନ୍ଦ ସାଧାରଣ କଥା ମନେକରି ପୁଣି ବସିଗଲେ  । କିଛିସମୟ ପରେ ସମସ୍ତେ ପୁଣି ମିଶି ଖେଳିବେ  । କିନ୍ତୁ ମୀମା କାହିଁକି କାନ୍ଦୁଛି, ସେକଥା ଜାଣିବା ପାଇଁ ମନ ଉଚ୍ଛନ୍ନ ହେଲା  । ସେ ସହଜରେ କାନ୍ଦିବା ଛୁଆ ନୁହେଁ  । ମୀମାର କାନ୍ଦ ବନ୍ଦ ହେଉ ନ ଥିବାର ଦେଖି ନଳିନୀ ତାକୁ ନେଇ ଘରକୁ ଫେରିଗଲେ  । ମୋହନଙ୍କୁ ବି ଆଉ ପାର୍କରେ ବସିବାକୁ ଭଲ ଲାଗିଲା ନାହିଁ  । ବନ୍ଧୁମାନଙ୍କଠାରୁ ବିଦାୟ ନେଇ ସିଏ ବି ଘରକୁ ଫେରିଆସିଲେ  । ମୀମାର କାନ୍ଦ ଆହୁରି ବନ୍ଦ୍ ହୋଇ ନଥାଏ  ।’ 
‘କ’ଣ ହେଲା? ମୀମା କାନ୍ଦିଲା କାହିଁକି?’
“ତା’ କଥା ମୁଁ କିଛି ବୁଝିପାରୁନି  । ଧକେଇ ଧକେଇ କାନ୍ଦୁଛି  । କିଛି ସ୍ପଷ୍ଟ କହିପାରୁନାହିଁ  । ମୁଁ ଯାହା ବୁଝିଲି, ବବି ବୋଲି କେହି ଦୁଷ୍ଟ ଟୋକାଟିଏ ମୀମା ହାତରୁ ତମେ ଦେଇଥୁବା ଘଂଟା ଛଡ଼ାଇ ନେଇଛି  ।’
‘ନେଇଯାଇଛି ତ ଫେରାଇଦେବ ! କାନ୍ଦୁଛୁ କାହିଁକି ମୀମା? ଚାଲ୍ ଯିବା, ତାକୁ ମାଗି ତୋ ଘଂଟା ମୁଁ ଫେରାଇ ଆଣିବି  ।’
“ନା, ବବି ଘଂଟା ଦେବ ନାହିଁ  ।’
“କାହିଁକି ଦେବନି ଲୋ ମା’? ନିଶ୍ଚୟ ଦବ  ।’
‘ମୁଁ ତାକୁ ଘଂଟା ଦେଇଛି  ।”
“ତା’ ହେଲେ ଆଉ କାନ୍ଦୁଛୁ କାହିଁକି ? ତୁନି ହୋଇଯା ଏଥର  । ଘଂଟା କଥା ପରେ ବୁଝିବା  ।” କିଛିସମୟ ପରେ କଲିଂବେଲ୍ ଟିପି କିଏ ଡାକିବାର ଶବ୍ଦ ଶୁଭିଲା  । ଭିତରୁ ତାପସୀ ଆସି କବାଟ ଖୋଲିଲା  । ବାହାରେ ଥିବା ଦୁଇଜଣ ମଣିଷଙ୍କୁ ଦେଖି ତାପସୀ ସମ୍ଭ୍ରମରେ କହିଲା, “ଓଃ ଆପଣ ? କି ଭାଗ୍ୟ ଆମର ! ଘରେ ଆପଣଙ୍କ ପାଦ ପଡ଼ିଲା  । ଆସନ୍ତୁ, ଆସନ୍ତୁ  ।”
ରାଜପାଲ୍ ଓ ତାଙ୍କ ନାତି ବବି  ।
ବବିକୁ ନିଜ ଘରେ ଦେଖୁବାମାତ୍ରେ ମୀମା ଚିହିଁକିଉଠିଲା  । ତା’ର କ୍ରୋଧମିଶା କାନ୍ଦ ଆଉଟିକିଏ ତୀବ୍ର ହୋଇଗଲା  । ଶୋଭା ଆର୍କେଡର ସବୁ ଅନ୍ତେବାସୀ କେବଳ ଲନରେ, ପାର୍କରେ କିମ୍ବା ବାହାରେ ହିଁ ପରସ୍ପରକୁ ସାକ୍ଷାତ କରି କଥାବାର୍ତା ହୁଅନ୍ତିି, କିନ୍ତୁ କେହି କାହା ଘରକୁ ଯା” ଆସ କରିବା ଖୁବ୍ ବିରଳ ବୋଲି ମୋହନ ଶୁଣିଥିଲେ  । ତେଣୁ ତାଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗିଲା  । ପ୍ରାରମ୍ଭିକ କଥାବାର୍ତା ଓ ଚା’, ବିସ୍ଟୁଟର ଚର୍ଚ୍ଚା ପରେ ରାଜପାଲ ନିଜ ପକେଟରୁ ନେଳୀ ଡାଏଲ୍ ଥବା ଘଂଟାଟି ବାହାରକରି ପଚାରିଲେ, ଏଇଟା ଆପଣଙ୍କର?’
“ହଁ, ମୋ ନାତୁଣୀକୁ ଦେଇଥିଲି  । କ ‘ଣ ହେଲା?’ ମୋହନ ପଚାରିଲେ ।
ବବିକୁ ନିଦେ୍ର୍ଧଶ କରି ରାଜପାଲ ଆରମ୍ଭ କଲେ, “ଏଇ ଟୋକା ହେଜଛି ମୋ ପୁଅର ପୁଅ  । ପକ୍କା ବିଛୁଆତିଟିଏ  । ପିଲାମାନଙ୍କ ଭିତରେ ବିଗ୍ ବୁଲି  । ସବୁ ପିଲା ୟାକୁ ଡରନ୍ତି  ।’
‘ଡରିବେ କାହିଁକି ? ସେସବୁ ତ ପିଲା ଖେଳ !’
“ଏଥର କଥାଟା ପିଲାଖେଳଠାରୁ ଟିକିଏ ଆଗକୁ ବଢ଼ିଯାଇଛି  । କ’ଣ ହୋଇଛି, ଶୁଣନ୍ତୁ  ।” ତା’ପରେ ରୋହିଣୀ ଓ ତାପସୀଙ୍କୁ ଅନାଇ କହିଲେ, “ଆପଣମାନେ ବି ବସି ଶୁଣନ୍ତୁ  । ଆପଣଙ୍କ ନାତୁଣୀ କାନ୍ଦି କାନ୍ଦି ଘରକୁ ଆସିବାରୁ ମୁଁ ଜାଣିଲି ଯେ ଆମ ବବି କିଛି ବଦମାସି କରିଥିବ  । ସବୁଦିନ ତା’ ବିଷୟରେ କିଛି ନା କିଛି ଅଭିଯୋଗ ଆସେ  । ତା’ ଗୁଣ ଦେଖ ତା’ ମା’ ତାକୁ ମୋଗାମ୍ବୋ ବୋଲି ନାଁ ଦେଇଛି  ।’
‘ନା, ନା, ନା, ବବିର ଦୃଢ଼ ଆପତ୍ତି, ମୋତେ ମା’ ବବି କହନ୍ତି, କେହି ମୋତେ ମୋଗାମ୍ବୋ କହନ୍ତି ନାହିଁ  ।’
‘ହଉ ହେଲା, ଏବେ ମୋଗାମ୍ବୋ ନୁହେଁ, ବବି ! ତୁ ତ ଭାରି ସୁନାପିଲାଟିଏ ? ତୋ କଥାସବୁ ଆଗ ଅଙ୍କଲ, ଆଂଟିଙ୍କୁ ଶୁଣା  । ତା’ ପରେ ଦେଖିବା, ତୁ ମୋଗାମ୍ବୋ ନା ବବି  । ‘
ରାଜପାଲ କହିଥବା କଥାଟି ଏହିପରି :
ବୁଦ୍ଧିରେ କିମ୍ବା ପାଠରେ ପ୍ରଖର ନ ହେଲେ ବି ବବିର ସ୍ୱଭାବ ସବୁବେଳେ ହୁଣ୍ଡାଳିଆ  । ସାଙ୍ଗସାଥୀଙ୍କୁ ଧମକ ଦେଇ ଡରାଇ ରଖିବା ତା’ର ଅଭ୍ୟାସ  । ଆଜି ତା’ର ସାଙ୍ଗସାଥୀଙ୍କ ପାଖକୁ ଯାଇ, କିଛି ଖୋଳତାଡ଼ କରିବାପରେ, ରାଜପାଲ ଯାହା ଶୁଣିଲେ, ସେକଥା ଟିକିଏ ତେଢ଼ା ଲାଗିବାରୁ ସେ ବବିକୁ ସାଥିରେ ନେଇ ନିଜେ ଆସିଲେ  । ଗତ କିଛିମାସ ତଳୁ ବବି ଗୋଟାଏ ନୂଆ ଅସ୍ତ୍ର ପ୍ରୟୋଗ କରିଚାଲିଛି  । ଯାହା ସହିତ ତା’ର ମନୋମାଳିନ୍ୟ ହୁଏ, ତାକୁ କହେ ତୋ ବାପାଙ୍କ ରାଣ  । ଅର୍ଥାତ୍ ତୁ ଯଦି ମୋ କଥା ନ ମାନିବୁ ତେବେ ତୋ ବାପା ମରିଯିବେ  । ଆଉ କାହାକୁ କୁହେ, ତୋ ଡ୍ରଇଂ ମୋତେ ନ ଦେଲେ ତୋ ମା’ ରାଣ  । ଅନ୍ୟ କେହି ଏମିତି କଥା କରନ୍ତି ନାହିଁ  ।
କିଛି ଆମୋଦିତ ହୋଇ ମୋହନ ହସିବାକୁ ଆରମ୍ଭ କରୁଥୁଲେ, କିନ୍ତୁ ରାଜପାଲ କହିଲେ, ଛୋଟ ପିଲାଙ୍କ ମନରେ ଏପରି କଥାର କଣ ପ୍ରଭାବ ପଡୁଥିବ, ଆମେ ବଡ଼ମଣିଷମାନେ ବୁଝିପାରିବା ନାହିଁ  । ବବିର କଥା ବି ପ୍ରଥମରେ ପିଲାମାନେ ଏଡ଼ାଇଦେଉଥିଲେ, କିନ୍ତୁ ଛ’ ସାତ ମାସ ତଳେ ଯେତେବେଳେ କିଆରାର ବାପା ହାର୍ଟ୍ ଆଟାକରେ ମରିଗଲେ, ଆମ ବବି ଗର୍ବର ସହିତ ଘୋଷଣା କରିପକାଇଲା ଯେ ସେ କିଆରା ଉପରେ ତା ବାପାଙ୍କ କସମ ଜାରି କରିଥଲା  । ତା’ ସତ୍ୱେ କିଆରା ତାକୁ କ୍ୟାରମ ଖେଳରୁ ବାହାର କରିଦେଇଥିଲା  । ତେଣୁ ତା’ ବାପା ମରିଗଲେ  । ପିଲାମାନେ ଖୁବ୍ ଡରିଗଲେ  । ସେଇ ଡର ଆହୁରି ଅନେକଗୁଣ ବଢ଼ିଗଲା, ଯେତେବେଳେ ସେ ତା’ହାତରେ ବନ୍ଧା ହୋଇଥିବା ଡେଉଁରିଆଟିଏ ଦେଖାଇ କହିଚାଲିଲା ଯେ ତାକୁ ଠାକୁରାଣୀଙ୍କ ପୂଜକ ସେଇଟି ଦେଇଛନ୍ତି  । ତେଣୁ ସେ ଯାହା କସମ ଲଗାଇବ, ତାହା ଫଳିବ ହିଁ ଫଳିବ  । ଆଉ ଏକଥା ଯଦି କୋଉ ପିଲା ଯାଇ ଘରେ ବାପ ମାଙ୍କୁ କିମ୍ବା ଅନ୍ୟ କାହାକୁ କହିବ, ତେବେ ଯାହାକୁ କହିବ, ତା’ ଉପରେ ମନକୁମନ ରାଣ ପଡ଼ିଯିବ  । ସେ ମରିବ  ।”
ତାପସୀ ହସିହସି କହିଲା, “ଏବେ ପୁଣି ଦିଲ୍ଲୀ ସହରରେ, ଏକଥା ଶୁଣି ବିଶ୍ୱାସ କରିବା ମଣିଷ ଅଛନ୍ତି? ଯେତେ ଛୋଟ ପିଲା ହୁଅନ୍ତୁ ନା କାହିଁକି?
‘ବେଟୀ, ତୁ ଦିଲ୍ଲୀ ବିଷୟରେ କ’ଣ ଜାଣିଛୁ ! ଯେତିକି ଆଗୁଆ, ତା’ଠୁ ବେଶି ପଛୁଆ  । ଯେତିକି ଧର୍ମବିଶ୍ୱାସ, ସେତିକି ଅନ୍ଧବିଶ୍ୱାସ  । ଖବରକାଗଜରେ ପଢୁଥିବା ବଡ଼ ବଡ଼ିଆମାନେ ବି କେମିତି ବାତୁଳ ହେଉଛନ୍ତି  । ଆଉ ଏମାନେ ତ ନିର୍ବୋଧ ପିଲା ! ଶୁଣିଥୁବୁ ତ ବେଟୀ, ବମ୍ବେରେ ଜଣେ ପୁଲିସ୍ ଅଫିସରଙ୍କ୍ୁ ପାକିସ୍ଥାନର ଆତଙ୍କବାଦୀ ଗୁଳିକରି ମାରିଦେଲେ  । ଜଣେ ମହାନ ମଣିଷ ଘୋଷଣା କଲେ, ମୋତେ ହଟହଟା କରିଥିବାରୁ ମୁଁ ସେଇ ଅଫିସରଙ୍କୁ ଅଭିଶାପ ଦେଇଥିଲି  । ତେଣୁ ସେ ଗୁଳିଖାଇ ମଲେ । ‘ ଏମିତି ବିଶ୍ୱାସ ଦିଲ୍ଲୀର ପ୍ରତି ଗଳିକନ୍ଦିରେ ଖୁନ୍ଦିହୋଇ ରହିଛି  । ଆଉ ଆମ ବବି ଯଦି କହୁଛି ଯେ ତା’ ରାଣ ପଡ଼ିଥିବାରୁ କିଆରାର ଅଙ୍କଲ ମରିଗଲେ, ତେବେ କ’ଣ ବଡ଼କଥାଟେ ହୋଇଗଲା?’
‘ମୋହନଙ୍କୁ କଥାଟା ଉଭଟ ଲାଗୁଥିଲା, କିନ୍ତୁ ସେ କିଛି କହିଲେ ନାହିଁ  । ରାଜପାଲଙ୍କ ବୟାନ ଜାରି ରହିଲା  ।
କେବେ ବବି ହାତରେ ଗୋଟାଏ ନେଳି ଡାଏଲବାଲା ଛୋଟ ହାତଘଂଟାଟିଏ ପଡ଼ିଲା  । ସାଙ୍ଗସାଥୀଙ୍କୁ ଦେଖାଇ ବାହାଦୂରି ଦେଖେଇଲା  । ତମ ମୀମା ଘଂଟାଟି ମାଗି ଏପଟସେପଟ କରି ଖେଳିବାବେଳେ ତା ହାତରୁ ପଡ଼ି ଘଂଟାଟି ଭାଙ୍ଗିଗଲା  । ବବି ତ ସହଜେ ବବି  । ସେ କେମିତି ମୀମାକୁ ଛାଡ଼ିଦିଅନ୍ତା? ମୀମାର ସବୁଠୁ ପ୍ରିୟ ମଣିଷ ତା’ ଜେଜେମା’ ବୋଲି ଜାଣି ତା’ ବାଣ ଛାଡ଼ିଦେଲା  । ତୋତେ ତୋ ଜେଜେମା’ଙ୍କ ରାଣ  । ମୋତେ ଠିକ୍ ସେମିତି ଘଂଟାଟିଏ ଆଣି ନ ଦେଲେ ତୋ ଜେଜେମା’ ଗଲେ ବୋଲି ଜାଣିଥା ।’
ଘଂଟାଟି ଫେରାଇବା ମୀମା ପକ୍ଷରେ ସମ୍ଭବ ନଥିଲା  । ସେ କାନ୍ଦିକାନ୍ଦି ନେହୁରା ହେବାରୁ ବବି, ରଷିତପସ୍ୱୀ ପରି, ନିଜ ରାଣକୁ ଟିକିଏ କୋହଳ କରିଦେଲା, ‘ ସେ ତ ତାଙ୍କ ଗାଁରେ ଅଛନ୍ତି  । ଏବେ କିଛି ହେବନି  । ଯେବେ ଏଠିକି ଆସିବେ, ମୋ ଆଖି ତାଙ୍କ ଉପରେ ପଡ଼ିବ, ସେ ଆଉ ବଂଚିବେନି  । ଯଦି ତାଙ୍କର ଭଲ ଚାହୁଁଛୁ, ତେବେ ମୋତେ ମୋ ଘଂଟା ଫେରାଇଦେ ।’
ଆଜି ଅବିକଳ ସେମିତି ଘଂଟାଟିଏ ଆଣି ବବିକୁ ଦେଇସାରିଛି ମୀମା  । କିନ୍ତୁ ଘଂଟାଟି ପାଇବା ପରେ ବି ବବି ତା’ ରାଣକୁ ଫେରସ୍ତ ନେଉନାହିଁ  । ସେଥିପାଇଁ ମୀମାର କାନ୍ଦ  । ସେ କାନ୍ଦ ପଛରେ ରହିଛି ଭୀଷଣ ବେଦନା  । ସବୁ ପିଲା ଏବେ ବବିର ବିରୋଧୀ  । କିନ୍ତୁ ମନରୁ ଡର ଯାଉନାହିଁ ତାଙ୍କର  । ମୁଁ ଯାଇ ନ ପଚାରିଥିଲେ ଏସବୁ କଥା କ’ଣ ଜଣାପଡ଼ିଥାନ୍ତା?
ତାପସୀ ଟିକିଏ ହସିବାର ଉପକ୍ରମ କରୁଥିବାର ଦେଖି ରାଜପାଲର ପକ୍ଷ ନେଇ ମୋହନ କହିଲେ, କଥାଟି ସତ, ତାପସୀ  । ହସିବାର କିଛି ନାହିଁ  । ଏଇ ଚାରି, ପାଂଚ ଛଅ ବର୍ଷ ବୟସରେ ଛୁଆମାନେ ମରଣ ବିଷୟରେ ଜାଣିବାକୁ ଆରମ୍ଭ କରନ୍ତି  । ସବୁ ମଣିଷଙ୍କୁ ଯେ ମରିବାକୁ ପଡ଼ିବ, ଏକଥା ସେମାନେ ବୁଝିନଥାନ୍ତି  । ତାଙ୍କ କୁନି ମନରେ ଧାରଣା ଥାଏ ଯେ କେବଳ କେଇଜଣ ମହିଳାଙ୍କୁ ହିଁ ମରିବାକୁ ପଡ଼ିବ  । କାଳେ ସେହି କେତେଜଣଙ୍କ ଭିତରେ ନିଜର ପ୍ରିୟମଣିଷ କେହି ଆସିଯିବ, ଏମିତିକା ଡର ମନରେ ବସାବାନ୍ଧି ରହେ  । ମୋର ଧାରଣା, ସେହି ଆଶଙ୍କାରୁ ହିଁ ରାଣ ଭଳି ଜିନିଷ, ଯାହାକୁ ଏଠି “କସମ” ବୋଲି କହୁଛନ୍ତି, ମନରେ ଅହେତୁକ ଭୟ ଜନ୍ମାଇଦିଏ  । ତେବେ ଅହେତୁକ ବୋଲି କହିବାକୁ ମୁଁ କିଏ? ମୋ ପାଇଁ ଅହେତୁକ ହୋଇପାରେ, ପିଲାଙ୍କ ପାଇଁ ନୁହେଁ  । ବାଘ, ଡ୍ରାଗନ, ସାପ, ଡକାୟତକୁ ଡରନ୍ତୁ କି ନ ଡରନ୍ତୁ, ‘ ରାଣ’ କୁ ଡରିବେ ହିଁ ଡରିବେ, ଯେଉଁ ପରିବାର ବା ସମାଜରେ ବ୍ଲାକମେଲିଂର ଏହି ଅଜବ ଅସ୍ତ୍ରଟି ଚଳୁଥିବ  । ତେଣୁ ମୀମୀର ଡରକୁ ଆମେ ସମ୍ମାନ ଦେବା ଉଚିତ  ।
ମୋହନଙ୍କ ଛୋଟ ଭାଷଣ ଶୁଣି ରାଜପାଲ ତାଳି ମାରିଲେ  । ମୀମା ଟିକିଏ ସାହସ ପାଇ କହିଲା: ‘ ବବି କହୁଛି, ତା’ ରାଣ ଯେମିତି ଥିଲା, ସେମିତି ରହିଛି  । ଆଉ ସପ୍ତାହେ ସେ ଘଂଟା ପିନ୍ଧି ଦେଖବ  । ତା’ପରେ ରାଣ ଫେରାଇନେବ । ‘ ରାଜପାଲ ବବିକୁ ଭିଡ଼ିଆଣି କହିଲେ, “ ସାହେବଜାଦା, ଏବେ ତୋର ଏଇ ଖେଳ ଖତମ  । ଯାହା କହିଥିଲି, ମନେଅଛି  । ଶୀଘ୍ର  ।’ ଘୋଷିଥିବା ମନ୍ତ୍ରଟିଏ ଉଚ୍ଚାରଣ କରିବା ପରି ବଡ଼ପାଟିରେ ବବି ଘୋଷଣା କଲା, ‘ମୋ କସମକୁ ମୁଁ ମୀମାଠୁ ଫେରାଇନେଲି  । ସତ୍ୟ ସତ୍ୟ ସତ୍ୟ  । ଫେରାଇନେଲି  ।’ 
ମୋହନ, ରୋହିଣୀ, ରାଜପାଲ ଓ ତାପସୀ ଜୋରରେ ହସିଲେ  । ମୀମା ମୁହଁରେ ଚମକ ଆସିଗଲା  । ଟିକିଏ ହସ ବି ଫୁଟିଆସିଲା  । ଜେଜେମାଙ୍କ କୋଳରେ ଯାଇ ବସିଗଲା, ଯେମିତିକି ସେଇଟି ତା’ର ଚିରବାଂଛିତ ସିଂହାସନ  । ରାଜପାଲ ପୁଣି କଠୋର ଦୃଷ୍ଟିରେ ବବିକୁ ଅନାଇ କହିଲେ, “ଖାଲି ସେତିକି? ମୁଁ କ’ଣ କହିଥିଲି, ଭୁଲିଗଲୁ କି?’
ବବି ନିଜ ଦୁଇକାନକୁ ଦୁଇହାତରେ ମୋଡ଼ି ଧରି ବସ୍ଉଠ୍ ହେଲା  । କେତେ ଥର, କେହି ଜାଣିନାହାନ୍ତି  ।
ମୋହନ ବବି ମୁଣ୍ଡରେ ହାତ ଆଉଁଶି କହିଲେ, ‘ବେଟା, ତୁ ଏ ଘଂଟାଟି ରଖ୍  ।’
କିନ୍ତୁ ବବି ରଖିଲା ନାହିଁ  ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment