Welcome to shalandi webzine

ଶ୍ରୀକୃଷ୍ଣଙ୍କ ହସ

କ୍ଷୀରୋଦ ବିହାରୀ ବିଶ୍ବାଳ

ଗତକାଲି ଯାଇଛି  କୁମାର ପୂର୍ଣମୀ କିନ୍ତୁ ଚନ୍ଦ୍ର କିରଣରେ ଟିକେ ବି ଆଞ୍ଚ ଆସିନି | ଶୀତ ଧୀରେ ଧୀରେ ଜାବୁଡ଼ି ଧରିଲାଣି ଧରାକୁ | ଗାଁଲୋକଙ୍କ  ବସ୍ତାରୁ ଚାଦର କମ୍ବଳ ଏଯାଏଁ ବାହାରିନି | ଘର ଭିତରେ ଥଣ୍ଡା ଜଣାପଡୁନଥିବା ବେଳେ ଘର ବାହାରେ ହାଲୁକା କୋହଲା ପବନରେ ଦେହରେ ଶିହରଣ ଖେଳିଯାଉଛି |

ଗତକାଲି ଯାଇଛି  କୁମାର ପୂର୍ଣମୀ କିନ୍ତୁ ଚନ୍ଦ୍ର କିରଣରେ ଟିକେ ବି ଆଞ୍ଚ ଆସିନି | ଶୀତ ଧୀରେ ଧୀରେ ଜାବୁଡ଼ି ଧରିଲାଣି ଧରାକୁ | ଗାଁଲୋକଙ୍କ  ବସ୍ତାରୁ ଚାଦର କମ୍ବଳ ଏଯାଏଁ ବାହାରିନି | ଘର ଭିତରେ ଥଣ୍ଡା ଜଣାପଡୁନଥିବା ବେଳେ ଘର ବାହାରେ ହାଲୁକା କୋହଲା ପବନରେ ଦେହରେ ଶିହରଣ ଖେଳିଯାଉଛି |

ରାତି ବାରଟା ପଇଁଚାଳିଶ ପାଖାପାଖି |  ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ରେଳଧାରଣା କୁ କାଖରେ ଧରିଥିବା ପରି  ଗାଁ ମାଟି ରାସ୍ତା ଟି  ସମାନ୍ତରାଳ ହୋଇ କିଛି ବାଟ ଲମ୍ବି ଯାଇଛି ରେଳଗାଡିର ଲୁହା ରାସ୍ତା ସହିତ । ଗୋଟେ ମୁଣ୍ତିଆଣୀ ପାଖରେ ମାଟି ରାସ୍ତାଟି ରେଳଧାରଣା ତଳେ ପଶି ଆଗକୁ ଚାଲିଚାଲିଯାଇଛି |

ସେଇଠି ଥିବା ପୋଲ ଉପର ରେଳ ଧାରଣାରେ ବସିଛି ଜଣେ ଯୁବକ | ଜହ୍ନ ଆଲୁଅ ରେ ତା ହାତ ଘଣ୍ଟା ର ଫିତା ଚମକୁଛି । ଆଉ ଚମକୁଛି ସାର୍ଟ ରେ ଥିବା ଲମ୍ବା ଲମ୍ବା ଧଳା ପଟି |

କେଜାଣି କେତେ ସମୟରୁ ସେ ସେମିତି ବସିଥାଏ | ବେଳେବେଳେ ଜହ୍ନକୁ ତ ବେଳେବେଳେ ସାମ୍ନା ରେ ଥିବା ଗଛକୁ ଦେଖୁଥାଏ |

ବାଇନ ଭାଇ ପଛରୁ ରହି ତାକୁ ଲକ୍ଷ କରୁଥାଏ | ସେ ଯୁବକ କିନ୍ତୁ ଥରେ ବି ପଛକୁ ଚାହିଁନି |

ବାଇନ ଭାଇର ପାଦ ରେଳଧାରଣା ରେ ଥିବା ଖଣ୍ଡ ଖଣ୍ଡ ପଥର ଉପରେ ପଡିଯିବାରୁ ପଥର ଖସିବାର ଶବ୍ଦ ହେଲା | ସେ ଲୋକଟି ଟିକେ ଚମକିବା ପରି ପଛକୁ ଦେଖିଲା | ବାଇନଭାଇ ପାଇଖାନାରେ ବସିବା ଭଳି ବସିପଡିଲା | 
- କିଏ ? ଲୋକଟି କିଛି ଭୟ ଓ କିଛି ଧମକ ଦେବା ଭଙ୍ଗୀରେ ପଚାରିଲା |
- ମୁଁ ଝାଡା ବସିଛି କଥା ହେବିନି | ବାଇନଭାଇ ଉଚ୍ଚସ୍ୱରରେ କହିଲା |
- ହେଲେ ତୁମେତ କଥା ହେଲ ...
- ଆଉ ହେବିନି |

କିଛି ସମୟ ଦୁହେଁ ନିରବ ରହିବା ପରେ ବାଇନ ଭାଇ ପୁଣି ପଚାରିଲା
-ତୁମର ସରିଲାଣି କି ?
-- କ'ଣ ?
-ଯାହା କରିବା ପାଇଁ ଆସିଥିଲ |
-- ତୁମେ କଣ ଭାବୁଛ ମୁଁ ଏଠିକି ପେଟ ସଫା କରିବାକୁ ଆସିଛି ? ମୋତେ ଦେଖିକି ସେମିତି ଲାଗୁଚି କି, ମୁଁ ଏଇ କାମ ପାଇଁ ଏଠିକି ଆସିଥିବି ବୋଲି ?
ବାଇନ ଭାଇ ହସିଦେଲା | ବାଇନଭାଇ ସବୁ କଥାରେ ହସିଦିଏ । ସେ ପରିସ୍ଥିତି କି ପରିବେଶ କିଛି ଦେଖେନି ସବୁବେଳେ ଦାନ୍ତ ଦେଖେଇ ଦିଏ । ବାଇନଭାଇ ର ହସ ସେ ଯୁବକ କୁ ଟିକେ ରଗେଇଦେଲା |

- ହସିଲ କାହିଁକି ? ଯୁବକଟି ରାଗରେ ପଚାରିଲା ।
ବାଇନ ଭାଇ ଚୁପ | କିଛି ଉତ୍ତର ନଦେଇ କୁନ୍ଥାଉଥାଏ ଆଉ ତଳୁ ଘାସ ଗୋଟେ ଆଣି ଚୋବାଉଥାଏ | ସେ ଯୁବକ ଉତ୍ତର ନପାଇ , ପୁଣି ଜହ୍ନ କୁ ଦେଖିଲା |

 
 
align="justify">ଯୁବକଟିକୁ କିଛି ସମୟ ଚୁପ ରହିବାର ଦେଖି ବାଇନ ଭାଇ ଆରମ୍ଭକଲା ।

- ଆଜି ଗୁନା ସାହୁ ଝିଅ ବାହାଘର ଥିଲା | ଗୁନା ସାହୁ ପୁଅ ରୁଦ୍ର ମୋ ସାଙ୍ଗ ତ | ସେ କହିଲା "ବାଇନ ତୁ ନରହିଲେ କିଛି ହବନି "| ଗାଁ ଲୋକଙ୍କ ପାଇଁ କୁକୁଡ଼ା ଆଉ ବରଯାତ୍ରୀଙ୍କ ପାଇଁ ଖାସି କରିଥିଲେ | କାଳୁ ନନା ରୋଷେଇୟା , ଯାହା ଚୁଲିରୁ ବାହାରିଲା "ବାଇନ ତୁ ଆଗେ ଚାଖ ,  ଦିନ ସାରା ଚାଖି ଚାଖି ପେଟ  ଗଡ଼ବଡ଼ | ବର ଆସି ଗାଁ ମୁଣ୍ଡରେ । ମୁଁ କହିଲି ନା ଆଉ ହବନି ଟିକେ ସଫା କରି ଆସିବି | "
ଏତିକି କହି ବାଇନ ଭାଇ ଲମ୍ବା ହାଇଟେ ମାରିଲା ।

ବାଇନ କଥା ଶୁଣି ଯୁବକଟି ବିରକ୍ତ ହେଇ କହିଲା |
-ତୁମକୁ ମୁଁ କଣ କିଛି ପଚାରିଛି ? ତାପରେ ଆଉ ଗୋଟେ କଥା ,  ୟେ ରାତି ଗୋଟାଏ ରେ ଗାଁ ପାଖରେ କୋଉଠି ଜାଗା ମିଳିଲାନି ।  ତୁମେ ଏତେବାଟ ଆସିଛ ପେଟ ସଫା କରିବାକୁ ? "
ଯୁବକ କୁ ରାଗୁଥିବାର ଦେଖି ବାଇନଭାଇର ସେହି ଚିରାଚରିତ ହସ । ହସିହସି କହିଲା..
--ଯାହାର ଯେମିତି ଅଭ୍ୟାସ ନା ଆଉ , ଅଭ୍ୟାସ କଣ ବଦଳେଇ ହବ ? ଆମ ଗାଁ ମହାପାତ୍ର ବୁଢା ! ତା'ର ଏଇମିତି ନିଈତି ରାତି ଗୋଟାଏରେ ପେଟ ଡାକିବ , ପାଇଖାନା ପସନ୍ଦ ନୁହଁ | ବିଲକୁ ଯାଏ | ଦିନେ ଗାଁରେ ଚୋର ପଶିଲେ | କିଏ ଗୋଟେ ପୋଲିସ କି ଫୋନକରିଦେଇଛି | ପୋଲିସ ଗାଁ କୁ ପଶିଲା ବେଳକୁ ଚୋର ଫେରାର, ଧରାପଡି଼ଲା ମହାପାତ୍ର ବୁଢା |ଯିଏ ଯେତେ କହିଲେ ପୋଲିସ ଶୁଣିଲାନି | ଗୋଟେଦିନ ବୁଢା ଥାନାରେ ରହିଲା | ରାତି ଗୋଟାଏରେ ଯେତେବେଳେ ବୁଢା କହିଲା "ସାର ପାଇଖାନା ଯିବି" ସେତିକିବେଳେ ପୋଲିସର ବିଶ୍ୱାସ ହେଲା, ଘରେ ଆଣି ଛାଡିଲା |

 

ବାଇନ ଭାଇର କଥା ସରିନଥିଲା | ଯୁବକଟି ଚାଲିଯିବାର ଉପକ୍ରମ ପୂର୍ବକ ଠିଆ ହେଲା |
-ରୁହ ରୁହ,  ମୁଁ ଟିକେ ଧୋଇକି ଆସେ କଥା ହବା |" ଆଦେଶ ଦେବା ଭଳି କହିଦେଇ ବାଇନଭାଇ ସେ ଗଛ ପାଖକୁ ଗଲା । ବୋତଲେ ପାଣି ସାରି ଫେରିଲା |

- ତୁମେ ତ ଆମ ଗାଁ ପିଲା ପରି ଲାଗୁନ | ଘର କୋଉଠି ? ରେଳରୁ ଖସିପଡ଼ିଲ କି ? ନା ଭୁଲ ରେ ଉଲ୍ଳେଇ ପଡ଼ିଲ ?
ଯୁବକ ଟି କିଛି ବି ଉତ୍ତର ନଦେଇ  ବାଇନ ଭାଇକୁ ଦେଖୁଥାଏ | ବାଇନ ଭାଇ ପାଖକୁ ଆସିଲା | ହାତ ଠାରି ରେଳଧାରଣାରେ ବସିବାକୁ ଇସାରା ଦେଲା | ନିଜେ ସାମ୍ନାରେ ବସିଲା | ଯୁବକଟି ଯନ୍ତ୍ର ପରି ବସିପଡିଲା | ବାଇନ ଭାଇ ପୁଣି ଆରମ୍ଭ କଲା |
- ଏମିତି ହୁଏ ବେଳେ ବେଳେ | ଥରେ ମୁଁ ସୁରଟ ରୁ ଫେରୁଥାଏ | ଗୋଟେ ଜାଗାରେ ଟ୍ରେନ ବହୁତ ସମୟ ରହିଲା | ସନ୍ଧ୍ୟା ହେଇ ଆସୁଥାଏ | ପାଖରେ ଘାସ ପଡିଆ ଦେଖିକି ମୁଁ ବୋତଲଟେ ନେଇ ଚାଲିଗଲି | ଠିକ ଉସାସ୍ ହେଲା ବେଳକୁ ଟ୍ରେନ ଛାଡି଼ଦେଲା | ଆମ ଗାଁ ପିଲା ସବୁ ସେ ଟ୍ରେନ ରେ ଥିଲେ ବୋଲି ସେ ଗାଡ଼ିରୁ ମୋ ଜିନିଷ ପତ୍ର ଗାଁ ରେ ପହଁଚିଲା,  ନହେଲେ ସବୁ ଯାଇଥାନ୍ତା |
- ଆଉ ତୁମେ ସେଇଠୁ ଉସାସ ହେଇ ଗାଁକୁ ଫେରିଲ ?
ଟିକେ ହସିକି ପଚାରିଲା ଯୁବକ ଟି |
ବାଇନ ଭାଇ ବି ହସିଦେଲା |

ବାଇନଭାଇ କହିଲା
- ଦେଖ, ରେଳ ଲାଇନ କୁ ରାତିରେ ଲୋକେ ଦୁଇଟି କାମ ପାଇଁ ଆସନ୍ତି । ଗୋଟେ ଯାହା ମୁଁ କଲି ଆଉ ଗୋଟେ .....
- ଯାହା ମୁଁ କରିବାକୁ ଆସିଛି .... ଯୁବକ ଟି ଏକ ଆଦ୍ର ଓ ଦୃଢ଼ କଣ୍ଠ ରେ କହିଲା |
- ହଁ... ମୋତେ ଲାଗୁଥିଲା, ୟେ ସୁଇସାଇଡ୍  କେସ୍ । ହଉ କିଛି ଖାଇଛ ନା ଡାଇରେକ୍ଟ୍ ଟ୍ରେନ୍ ରେ କଟିବ ବୋଲି ଆଇଚ ?
ଯୁବକଟି ଆଶ୍ଚଯ୍ୟ ହୋଇ ଦେଖିଲା ଓ କହିଲା "ହଁ ରୁଟି ଖାଇଛି
--ଆରେ ମୁଁ ସେ ଖାଇବା କଥା ପଚାରୁନି ମ , ଏଇ ନିଦବଟିକା, ବାଇଗଣ ବିଷ ଏମିତି ସବୁ ଖାଇକି ଆସନ୍ତି ନା, ରେଳ ଲାଇନ କୁ । ସେସବୁ କିଛି ଖାଇଛକି ?
ଯୁବକଟି ମୁଣ୍ତ ହଲେଇ ଇସାରାରେ ମନା କଲା ।
-ହଉ  ମରିବ ବୋଲି ୟେ ନିସ୍ପତ୍ତି ଟା କେତେବେଳେ ନେଲ ? ମାନେ ବହୁତ ଦିନରୁ ଭାବୁଥିଲ ନା ଆଜି ସଂଧ୍ୟାରେ ହଠାତ୍ ଭାବିଲ ମରିଯିବି ?
ଯୁବକ ଟି ସେମିତି ଚୁପ୍ । ସେ ବୋଧହୁଏ ଚାହୁଁଥିଲା ବାଇନ ଭାଇ ସେଠୁ ଚାଲିଯାଉ । ହାତଘଡ଼ି ଦେଖିଲା ।
ବାଇନ ଭାଇ ବି ନଇଁପଡ଼ି ଯୁବକର ହାତଘଡ଼ି ଦେଖି କହିଲା "ସମୟ ବହୁତ ଅଛି । ଗୋଟେ ଚାଳିସ୍ ରେ ପୁରୁଷୋତ୍ତମ କ୍ରସ୍ କରିବ । ଆହୁରି ଅଧଘଣ୍ଟେ ଅଛି । ମୋ ମତରେ ଯେତେବେଳେ ମରିବାର ଇଛା ହବ ସେତେବେଳେ ମରିଯିବ । ସମୟ ଗଡ଼ିଗଲେ ମରିବାର ଇଛା ମରିଯାଇପାରେ ।
ମୁଁ ସୁରଟରେ ଥିଲାବେଳେ । ମୋର ଥରେ ଦିନ ଗୋଟାଏରେ ବ୍ଲୁଟୁଥ୍ ଇୟରଫୋନ୍ ଟେ କିଣିବାକୁ ଇଛା ହେଲା । ମାର୍କେଟ ଗଲି । ସବୁ ଦୋକାନ ବନ୍ଦ । ସଂଧ୍ୟା ପାଞ୍ଚରେ ଦୋକାନ ଖୋଲିବା ବେଳକୁ ମୋର ଇଛା ମରିସାରିଥିଲା ।  ଆଉ ଇୟରଫୋନ୍  କିଣିଲିନି ।
ଯୁବକଟି ପଚାରିଲା
-ତୁମେ ସବୁବେଳେ ଏମିତି ଫାଲତୁ ଗପ ସବୁ କୁହ , କି ମୋତେ ଏକୁଟିଆ ଦେଖି ମଜା କରୁଛ  ? ମୋ ସିଚ୍ୟୁଏସନ୍ କ'ଣ, ମୋ ମାନସିକ ଅବସ୍ଥା କ'ଣ, ତୁମଭଳିଆ ସାଧାରଣ ଲୋକ ବୁଝିପାରିବନି ।
-ସାଧାରଣ !
ବାଇନଭାଇ ଠିଆ ହେଲା । ଜହ୍ନ ଆଡ଼କୁ ମୁହଁ କଲା ଓ କହିଲା
-ନିଦା ଫାଦଲି କହିଥିଲେ
ଏକ ଆଦମିମେ ହୋତେହେଁ ଦଶ ବିସ୍ ଆଦମୀ
ଜବ ଭି ଦେଖନା କଇବାର ଦେଖନା ,
ଯାଣିଛ ନିଦା ଫାଦଲୀ କେତେବଡ଼ ସାୟର୍ ! ମୁଁ ସୁରଟ ରେ ଥିଲା ବେଳେ.....
- ତୁମର ସେ ଫାଲତୁ ସୁରଟ କାହାଣୀ ବନ୍ଦ କରତ । ଯୁବକଟି ବି ବିରକ୍ତିରେ ଠିଆ ହେଇ କହିଲା ।

ଯୁବକଟିର ଅବସ୍ଥା ଦେଖି ବାଇନଭାଇ ଚୁପ୍ ରହିଲା । ପାଖାପାକି ପନ୍ଦର କୋଡ଼ିଏ ମିନିଟ୍ କେହି କିଛି କଥା ହେଲେ ନାହିଁ । ବାଇନଭାଇର ତ ପାଟି ଖଲବଲ । ଏତେ ସମୟ ସେ ଚୁପ୍ ରହିପାରେନି । ବିନାକାରଣରେ ବାଇନଭାଇ ହସିଲା ଓ ତାହସରେ ନିରବତା ଭଂଗ ହେଲା । ଯୁବକଟି ତା'କୁ ଦେଖୁଥିବାର ଲକ୍ଷକରି ବାଇନଭାଇ ପୁଣି ଆରମ୍ଭକଲା

- ଦେଖ ମରିବାକୁ ବେଶି ସମୟ ଲାଗେନି । ଚଳନ୍ତା ରେଳ ଥରେ ଗେଲ କରିଦେଲେ ତୁମେ ଯାଣିପାରିବନି କେମିତି ମଲ ବୋଲି ।  ଶୁଣ ମରିବାର ଅଛିତ ମନ ଶାନ୍ତକରି ମରିବ । ଇହ ଲୋକରେ ଅଶାନ୍ତି ପାଇପାଇ ଆସିଲ ପରଲୋକ କୁ ତ ଶାନ୍ତିରେ ଯାଅ । ଥରେ ବି ତୁମକୁ ମୁଁ ଅଟକେଇଲିଣିକି କୁହ ? ମରିବା ପାଇଁ ମୋ ଠାରୁ ତୁମକୁ କିଛି ଅସୁବିଧା ନାହିଁ । ମୋର କେବଳ କହିବା କଥା ଏତିକି କି  ମରିବା ସମୟ ଟା ଟିକେ ଚେଂଜ୍ କରିଦିଅ । ସକାଳ ହେବା ଆଗରୁ ଆହୁରି ଚାରିଟା ସୁପରଫାଷ୍ଟ ଅଛି । ଗୋଟେ ତ ଠିକ ସୂର୍ଯ୍ୟ ଉଦୟ ଆଗରୁ କ୍ରସ୍ କରିବ । ତୁମେ ମାଇଣ୍ତ ସେଟ କର ଲାଷ୍ଟ ଗାଡ଼ିରେ କଟିବ , ହେଲା ।
ହଉ .... କହିଲ ତୁମ ନାଁ କଣ ଓ ଘର କୋଉଠି ?

ଯୁବକଟି ମୁଣ୍ତରେ ହାତଦେଇ ବସିପଡ଼ିଲା । ଯୁବକର ଭାବ ଦେଖି ବାଇନ ଭାଇ କହିଲା
-"ହଉ କହିବା ଦରକାର ନାହିଁ । ଗୋଟେଦିନ ପରେ ଖବରକାଗଜରେ ତ ନାଁ ଗାଁ ଠିକଣା ଓ ଆତ୍ମହତ୍ୟାର କାରଣ ସବୁ ବାହାରିବ ପଢ଼ିଦେବିନି !

ଯୁବକଟି ଟିକେ କାନ୍ଦିଲା । ଆଖିରୁ ଲୁହ ପୋଛି କହିଲା ।
-ମୋ ନାଁ ଗାଁ ଜାଣିଯିବ କିନ୍ତୁ ମୃତ୍ୟୁର କାରଣ ଯାଣିପାରିବନି ।

ବାଇନ ଭାଇ ସ୍ୱଭାବ ବସତଃ ହସିଦେଲା । ଯୁବକଟି ପୁଣି ରାଗିଲା । ଯୁବକର ରାଗ ଦେଖି ବାଇନଭାଇ କଥା ସଳଖକଲା
-କଥା କ'ଣ କି, ମୋ ର ୟେ ହସିବାର ବଦଅଭ୍ୟାସ ପାଇଁ ମୁଁ ବହୁତ ହଇରାଣ ହେଇଛି । ଥରେ ବାରିକ ସାହିର ଗୋଟେ ମାଇକିନିଆ ଦଉଡ଼ି ଦେଇକି ମରିଥିଲା । ତାର ଆଖି ଆଉ ଜିଭ ପଦାକୁ ଏମିତି ବାହାରି ପଡ଼ିଥାଏ ଲାଗୁଥାଏ ଯେମିତି ସେ ଭଙ୍ଗିକରିକି କାହାକୁ ଖତେଇ ହଉଛି ।
ସାରା ଗାଁ ରୁଣ୍ତ ହେଇଥାନ୍ତି । କନ୍ଦାକଟା ଚାଲିଥାଏ । ମୋତେ କିନ୍ତୁ ତା ମୁହଁ ଦେଖିଦେଲେ ହସ ଲାଗେ । ଥରେ ଚାପିଲି, ଦୁଇଥର ଚାପିଲି, ତୃତୀୟ ଥର ବେଳକୁ ଓଠ ଫଟେଇ ହସ ବାହାରି ପଡ଼ିଲା । ତାଙ୍କ ଘର ଲୋକେବାଡ଼େଇବା ଆଗରୁ ଦୌଡ଼ିକି ପଳେଇଆସିଲି । ହା ହା .... ପୁଣି ଜୋରଜୋର ରେ ହସିଲା ବାଇନ ଭାଇ ।

ପୁରୁଷୋତ୍ତମ ଏକ୍ସପ୍ରେସ୍ ଚାଲିଗଲାଣି । ତା ପଛେ ପଛେ ଗୋଟେ ମାଲଗାଡ଼ି ବି ପାରେଇ ଗଲାଣି । ଦୁଇଜଣ ରେଳଧାରଣା ଉପରୁ ଉଠିଆସି ପାଖରେ ପଡ଼ିଥିବା ଗୋଟେ ସିମେଣ୍ଟ ଚଟାଣ ଉପରେ ବସିଛନ୍ତି । ଯୁବକ ଜଣକ ଟିକେ ଟିକେ ଥରୁଥାଏ । ଭୟରେ କି ଶୀତରେ ଜାଣିବା ମୁସ୍କିଲ୍ ।

ଯୁବକଟି ଜହ୍ନକୁ ଦେଖୁଥାଏ , ଆଉ ବାଇନଭାଇ ଯୁବକଟିକୁ । ଯୁବକଟି ଚିନ୍ତା କରୁଥିଲା ୟେ ଲୋକ ମୋ ମନକଥା ବୁଝିପାରୁନି । ବାଇନଭାଇ ବି ଭାବୁଥିଲା ଯୁବକଟି ତା' ମନକଥା ବୁଝିପାରୁନି ।
ଶୁନଶାନ ଯାଗା , ଅନେକ ସମୟ ନିରବ ରହିବା ପରେ ବାଇନଭାଇ ପୁଣି ଆରମ୍ଭକଲା ।

-ମୋର ଗୋଟେ ସାଙ୍ଗର ସ୍ତ୍ରୀ ଗୋଟେ ଅଲଗା ପୁଅକୁ ଭଲ ପାଉଥିଲା । ଦିନେ ତା ସ୍ତ୍ରୀ ପ୍ରେମିକ କଥାରେ ତା' ପଖାଳରେ ବିଷ ଦେଇଦେଲା ।
--ତା'ପରେ କଣ ହେଲା ? ଯୁବକଟି ପଚାରିଲା ।
- ତାପରେ.... ? ତାପରେ ମୋ ସାଙ୍ଗ ଯାଣିପାରିଲା , ସେ ପଖାଳ ଖାଇଲାନି । ଏବେ ସେ ସ୍ତ୍ରୀ ରାନ୍ଧଣା ଭଲ ଲାଗୁନି ବୋଲି କହି ସବୁବେଳେ ହୋଟେଲ୍ ରେ ଖାଉଛି । ବାଇନଭାଇ ମୁହଁରୁ କଥା ଛଡ଼େଇ ଯୁବକଟି ପ୍ରଶ୍ନକଲା ।
- ଏତେ ଅବିଶ୍ୱାସରେ କ'ଣ ସ୍ୱାମୀ-ସ୍ତ୍ରୀ ହୋଇ ଗୋଟିଏ ଘରେ  ରହିହବ ?

 ବାଇନଭାଇ କହିଲା
-ହଁ , ରହିବାକୁ ହୁଏ । ଫେସବୁକ୍ ଡିପି ରେ , ହ୍ୱାଟ୍ସଆପ୍ ଷ୍ଟାଟସ୍ ରେ ଏକ ସୁନ୍ଦର ପରିବାର ଦେଖେଇବାକୁ ହୁଏ ।
- ତୁମେ ଫେସବୁକ୍ ହ୍ୱାଟ୍ସଆପ୍ ବି ଯାଣିଛ ? ଯୁବକ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।
-କଥା କଣକି ମୁଁ ସୁରଟରେ ଥିଲା ବେଳେ.... ବାଇନଭାଇ କଥା କୁ ଅଧାରୁ କାଟି ଯୁବକ କହିଲା
-"ହଁ ହଁ....ମୁଁ ବୁଝିଗଲି ବୁଝିଗଲି "

କିଛିସମୟ ର ନିରବତା ପରେ ବାଇନ ଭାଇ ପଚାରିଲା
-ତୁମର ବି ସ୍ତ୍ରୀ ସେମିତି କିଛି କରିଛି କି ?
-- ନା , ସେ ଯାହା କରିଛି ମୋ ସାମ୍ନାରେ କରିଛି ।
ଯୁବକର କଥା ଶୁଣି ବାଇନଭାଇ ପୁଣି ଥରେ ହସିଲା । ତା'ହସ ଆଉ ଯୁବକକୁ ବିରକ୍ତ କଲାନାହିଁ ।

ବାଇନଭାଇ ଯୁବକ କୁ କହିଲା "ଦେଖ କେତେଜଲ୍ଦି ମୋ ବିରକ୍ତିକର ହସ ତୁମ ଦେହସହା ହେଇଗଲା ! ଏମିତି ଟିକେ ଟିକେ ସହିବା ଶିଖିଗଲେ, ଦୁଃଖ ବି ଖୁସି ଦବ " । ନିଜକୁ ଦୁର୍ବଳ ଭାବିବା ହିଁ ସବୁଠୁ ବଡ଼ ପାପ । ଏଣୁ ଆଖିଉପରେ ହାତରଖି ଆଲୋକ ଖୋଜିବା ଛାଡ଼ । ନିଜ ଶରୀର ପରିତ୍ୟାଗ କରନାହିଁ ବରଂ  ଯାହାକିଛିବି ତୁମକୁ ଶାରୀରିକ ମାନଶିକ ବୌଦ୍ଧିକ ଭାବରେ ଦୁର୍ବଳ କରିଦେଉଛି ତାକୁ ପରିତ୍ୟାଗ କର ।

ବାଇନ ଭାଇର କଥା ଶୁଣି ଯୁବକ କୁ ଲାଗିଲା, ବାଇନ ଭାଇ କୃଷ୍ଣ ଆଉ ସେ ଅର୍ଜୁନ ।
-ତୁମେ ଏତେକଥା କୋଉଠୁ ଶିଖିଲ ? ସତକୁହ ତ  କିଏ ତୁମେ ? ଅତି କୋମଳ ହୋଇ ଯୁବକଟି ପଚାରିଲା ବାଇନ ଭାଇକୁ ।
-ବାଇନଭାଇ ହସିଲା .... କହିଲା
--ସୁରଟରେ ଥିଲାବେଳେ କିଛି କିଛି ବହି ପଢ଼େ, ସେଇଠୁ ମନେ ରହି ଯାଇଛି ।
ଯୁବକଟି ହସିଲା ଏକ ଖୋଲା ହସ ।  ଠିକ୍ ବାଇନଭାଇ ପରି ।

ଆଉଗୋଟେ ଟ୍ରେନ୍ ବିକଟାଳ ଶବ୍ଦ କରି ଚାଲିଗଲା ।

-ଏବେ କୁହ କ'ଣ ହେଇଛି ? ବାଇନଭାଇ ପଚାରିଲା ।
-ଯୁବକ ହୃଦୟ ଖୋଲା ଉତ୍ତର ରଖିଲା ।
-- ମୁଁ ସରୋଜ ବେହେରା । ହାଇସ୍କୁଲ୍ ପାସ ପରେ ଆଉ ପଢ଼ିଲିନି । ଘର ଅବସ୍ଥା ଭଲ ନଥିଲା ବାହାରକୁ ପଳେଇଲି । ମୁମ୍ବାଇରେ ଗୋଟେ ଗେରେଜ୍ ରେ କାମ କଲି , ସେଇଠୁ ଡ୍ରାଇଭିଂ ଶିଖି କିଛିଦିନ ଦରମାରେ ଡ୍ରାଇଭିଂ କଲି । ଲୋନରେ ଗାଡ଼ି ଟେ କରି ଚଲେଇଲି । ଗୋଟିଏ ଗାଡ଼ିରୁ ବାରବର୍ଷ ଭିତରେ ମୋର ସାତଟା ଗାଡ଼ି ହେଇଗଲାଣି । ମୁମ୍ବାଇରେ ଘରବି ଅଛି ମୋର ।

ତିନିବର୍ଷ ତଳେ ନିଳଗିରି ରୁ ବାହା ହେଇଥିଲି । ବାହାଘର ପ୍ରଥମ ବର୍ଷ ଟା ଠିକ ଥିଲା । ମୋ ପାଖରେ ପାଂଚଟା ଓଡ଼ିଆ ପିଲା ଡ୍ରାଇଭିଂ କରୁଥିଲେ । ମୋ ସ୍ତ୍ରୀ ତାର ଗୋଟେ ସାଙ୍ଗକୁ ଡ୍ରାଇଭର ରଖିବାକୁ କହିଲା । ରଖିଦେଲି । ମୁଁ ଜାଣି ନଥିଲି ସେ ଏତେ କାଣ୍ତ କରିବ ବୋଲି ।
କହୁକହୁ କାନ୍ଦି ପକଉଥାଏ ସରୋଜ ।
-ତା'ପରେ ।
ଆଇମା ଗପ ଶୁଣିଲା ବେଳେ ହୁଁ ମାରିବା ପରି ପଚାରିଲା ବାଇନଭାଇ ।
-- ମୁଁ ମୋ ସ୍ତ୍ରୀ କୁ ଜୀବନ ଠୁ ଅଧିକ ଭଲପାଏ । ତା'ର ପାଠ ଅଧିକ । ବାହାଘର ପରେ ସବୁ ରୋଜଗାର ଟଙ୍କା ତା'ଏକାଉଣ୍ଟ୍ ରେ ରଖୁଥିଲି ।
ଚାରିଦିନ ପାଇଁ ମୁଁ ରାଜସ୍ଥାନ ଯାଇଥିଲି ଭଡ଼ାରେ । ସବୁଦିନ ସକାଳେ - ସଂଧ୍ୟାରେ ତା' ସହିତ କଥା ହୁଏ । ଫେରିକି ଦେଖିଲି ଘରେ ସେ ନାହିଁ । ପଡ଼ୋଶି କହିଲେ ତିନିଦିନ ହେଲା ଘରେ ତାଲା ପଡ଼ିଛି । ଗାଁ କୁ ଫୋନ କଲି ତାଙ୍କ ଘରକୁ ଫୋନ କଲି କେହି କିଛି ଜାଣିନାହାନ୍ତି କହିଲେ । ଥାନାରେ ମିସିଂ କମ୍ପଲେନ୍  ଦେଲି । ସେ ଯୋଉଦିନରୁ ଯାଇଛି ତା ସାଙ୍ଗ ବୋଲି କହୁଥିବା ସେ ଡ୍ରାଇଭର୍ ବି ସେଇଦିନ କାମକୁ ଆସିନଥିଲା । ତାଙ୍କ ଘର ସହିତ କଥା ହେଇ ଯାଣିଲି ସେ ଦୁହେଁ ଆଗରୁ ଭଲ ପାଉଥିଲେ ଆଉ ସୁଯୋଗ ଦେଖି ଫେରାର୍ ହେଇଯାଇଛନ୍ତି । ସେମାନେ ଭୁବନେଶ୍ୱର ରେ କୋଉଠି ଲୁଚିକି ଅଛନ୍ତି । କାହାକୁ ବି ଠିକଣା ଦଉ ନାହାନ୍ତି ।

ବାପା ଙ୍କ କଥାରେ ଅପହରଣ କେଶ୍ ଟେ  ଦବାକୁ ଥାନାକୁ ଗଲି । ଥାନାବାଲା କେଶ ରଖିଲେନି  । କହିଲେ ଇନକ୍ୱାରୀ ପରେ କେଶ୍ ରେଜିଷ୍ଟର ହବ । ତୁ ତୋ ସ୍ତ୍ରୀକୁ ମାରିଦେଇଥିବୁ ଯଦି !
ମୁଁ ଏତେ ଭଲ ପାଉଥିବା ମୋ ମୋ ସ୍ତ୍ରୀ କୁ କଣ ମାରିପାରିବି ?
ତା'ପାଇଁ କଣ କରିନଥିଲି, ପୋଡ଼ାମୁହିଁ ଏମିତି କାହିଁକି କଲା ? ମୋ ଇଜ୍ଜତ , ତା ଇଜ୍ଜତ, ଦୁଇ ପରିବାର ର ଇଜ୍ଜତ ସବୁ ମାଟିରେ ମିଶେଇଦେଲା ।

ସରୋଜ କାନ୍ଦୁଥାଏ ଓ ବାଇନ ଭାଇକୁ ଦେଖୁଥାଏ । ଭାବୁଥିଏ କି ବାଇନଭାଇ ଏବେ ପୁଣି ହସିଦବ ।

 ବାଇନଭାଇ କିନ୍ତୁ ହସିଲାନି ।

-ଏତିକି କଥାରେ ତୁମେ ମରିବାକୁ ଆସିଛ ? ବାଇନ ପଚାରିଲା ।
--ନା , ସେ ଚାହୁଁଛି ମୁଁ ମରିଯାଏ ।
-ମାନେ ?
--ଆଜି ସକାଳେ ସେ ଫୋନ କରିଥିଲା । କହିଲା ମୁଁ ମରିଗଲେ ସେ ଖୁସିରେ ରହିବ । ମୁଁ ତା ବାଟର କଣ୍ଟା । ବାହା ହେବା ଠାରୁ ତାର ସବୁ ଇଛା ପୂରଣ କରିଛି । ଏଇ ଶେଷଇଛା କ'ଣ ପୁରଣ କରିପାରିବିନି ?

ଏଥର ବାଇନ ଭାଇ ହସିଲା ଏକ ବିଦୃପ ହସ ।
କହିଲା
-ଏମିତି ନାରୀର ଶେଷ ଇଛା ବୋଲି କିଛି ନଥାଏ । ପ୍ରେମିକ ଥିବା ସ୍ତ୍ରୀର ଇଛା ପୁରଣରେ ଯଦି ସ୍ୱାମୀ ମାନେ ଲାଗିଯିବେ ତ ସମାଜର ଅଧା ପୁରୁଷ ଗଛରେ ଝୁଲୁଥିବେ ନଚେତ ଟ୍ରେନ ଲାଇନ୍ ରେ ଶୋଇଥିବେ ।
ଯାଣିଛ, ଦୁଇଜଣଙ୍କ ମଝିରେ କେହିଜଣେ ଆସିଲେ ଗ୍ରହଣ ଲାଗିଯାଏ । ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର, କିମ୍ବା ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ । ସେମିତି ସମ୍ପର୍କରେ କେହି ପସିଲେ ଜୀବନରେ ଗ୍ରହଣ ଲାଗିଯାଏ । ସେ ଗ୍ରହଣ ବେସି ସମୟ ରହେନାହିଁ । ବିଶ୍ୱାସ କର, ତୁମ ଜୀବନର ୟେ ଗ୍ରହଣ ବି ହଟିଯିବ ।
ତୁମେ ଗାଡ଼ି ଡ୍ରାଇଭର ପରା ! ରାସ୍ତାରେ ପଥର ଆସିଲେ ପଥର ହଟେଇ ରାସ୍ତାରେ ଆଗେଇବ , କି ସେ ପଥରରେ ମୁଣ୍ତ ପିଟିହବ ?
ପଥର ହଟେଇବା ପାଇଁ ସାହସ ସଞ୍ଚୟ କର । ଏତେ ଦୁର୍ବଳ ହୁଅନି । ଆମ ପୁରୁଷ ମାନଙ୍କୁ ବଞ୍ଚିବାକୁ ହବ । ସବୁ ପଥର କୁ ହଟେଇବାକୁ ହବ । "

ଏତକ କହିବା ବେଳେ ବାଇନ ଭାଇର ଆଖି କେମିତି ଲାଲ୍ ହୋଇଅସୁଥିଲା । ସ୍ୱରରେ ଥିଲା ଏକ ରକ୍ତମୁଖା ବାଘର ଗର୍ଜନ ।

ସରୋଜ ଉପରେ କିନ୍ତୁ ବାଇନଭାଇ କଥାର କିଛି ଫରକ ପଡ଼ିନଥିଲା ବୋଧହୁଏ । ସରୋଜ କହିଲା
- ମୋ ଗାଡ଼ିଆଗରେ ମୁଁ ଲେଖିଥିଲି "ପ୍ରତ୍ୟେକ ସୂର୍ଯ୍ୟ ଉଦୟ ଏକ ପୁନର୍ଜନ୍ମ.... ଜନ୍ମହୁଅ, କର୍ମକର ରାତିରେ ପୁଣି ମରିଯାଅ"
ସେକଥା ମୋପାଇଁ ସତ ହୋଇଯିବ । କାଲି ସକାଳ ସୂର୍ଯ୍ୟ ଉଦୟ ଦେଖିବାର ସୌଭାଗ୍ୟ ମୋର ନାହିଁ ।
ଏତକ କହି ପୁଣିଥରେ ରେଳଧାରଣା ଉପରକୁ ଚାଲିଗଲା ସରୋଜ । ତା'ପଛେ ପଛେ ବାଇନଭାଇବି ଯାଇ ରେଳଧାରଣାରେ ବସିଲା ।

ପରବର୍ତ୍ତି ଟ୍ରେନ୍ ଆସିବାକୁ ଆଉ କିଛି ସମୟ ଥାଏ ।

ବାଇନଭାଇ କହିଲା
-ହଉ ତୁମେ ଯଦି ଆତ୍ମହତ୍ୟାକୁ ନିଜର ଶେଷ ନିଷ୍ପତ୍ତି ବୋଲି ଧରିନେଇଛ ତେବେ ମୁଁ ତୁମକୁ କାହିଁକି ବାଧାଦେବି ?
ଯଦି ମରିବା ହିଁ ଶେଷ ନିଷ୍ପତ୍ତି ତେବେ ମୋର ଗୋଟେ ଉପକାର କରିକି ଯାଅ । ତୁମ ସ୍ତ୍ରୀ ପାଇଁ ଏତେ ସବୁକଲ । ଆଉ ଯିଏ ତୁମ ମୃତ୍ୟକୁ ବାରଟା ପଇଁଚାଳିସ୍ ରୁ ତିନିଟା ପଇଁଚାଳିସ୍ ତିନି ଘଣ୍ଟା ଘୁଂଚେଇ ଦେଲା ତା'ପ୍ରତି ବି କିଛି ଉପକାର କର ।
-କୁହ ..... ମୁଁ ଶେଷ ମୂହୁର୍ତ୍ତରେ କ'ଣ କରିପାରିବି ? ଯଦି କିଛି ମାଗିବାର ଅଛି ତ ମାଗ । ଦେବାର କ୍ଷମତା ଥିଲେ ନିଶ୍ଚିତ ଦେବି ।"
ଦାନବୀର ବଳୀରାଜା, ବାମନ ଅବତାର ବିଷ୍ଣୁଙ୍କୁ ମାଗିବାର ଅଭୟ ଦେବାପରି କହିଲା ସରୋଜ ।

ବାଇନ ଭାଇ କହିଲା
-ମୋର ଟଙ୍କା ପଇସା କିଛି ଦରକାର ନାହିଁ । କେବଳ ଟିକେ ପରିଶ୍ରମ କରିବାକୁ ହବ । ତଳେ ସାଇକେଲ ରେ ତିନି ରଡ଼ ମଝିରେ ବସ୍ତାଟେ ଅଛି । ତାକୁ ମୁଁ ଏକା ଟେକି ପାରୁନି । ଦୁଇଜଣ ମିଶିକି ତାକୁ ଉପରକୁ ନେଇଆସିବା । ଏତିକି ସାହାଯ୍ୟ କେବଳ କରିବ ।
- ବସ୍ତା ରେଳଲାଇନ୍ ଉପରକୁ କାହିଁକି ଆଣିବ ? ସନ୍ଦେହ ନଜର ରେ ପଚାରିଲା ସରୋଜ ।

ବାଇନ ଭାଇ ହସିହସି କହିଲା
-ସେ ବସ୍ତାରେ ମୋ ସ୍ତ୍ରୀ ର ମୃତ ଦେହ ଅଛି ।
ତୁମେ ରେଳ ଧାରଣାରେ ଶୋଇଲା ବେଳେ ମୁଁ ମୋ ସ୍ତ୍ରୀ କୁ ବି ତୁମ ପାଖରେ ଶୁଆଇଦେବି । ସମସ୍ତେ ଭାବିବେ ତୁମେ ଦୁହେଁ ପ୍ରେମ କରୁଥିଲ ଆଉ ଆତ୍ମହତ୍ୟା କରିଦେଲ ।
ତୁମେ ମରିଗଲେ ତୁମ ସ୍ତ୍ରୀ ଖୁସ୍ , ତା ଇଛା ପୁରଣ କରି ତୁମେ ବି ଖୁସ୍ , ପୋଲିସ୍ ଆଉ ମୋତେ ସନ୍ଦେହ କରିବନି ଏଣୁ ମୁଁ ବି ଖୁସ୍ । ଗୋଟେ ହେପି ଏଣ୍ତିଂ ହବ ଆଉ ।

ଏତିକି କହି ସରୋଜ ର ହାତ ଧରି ଏକ ରକମ ଘୋଷାରି ନେବା ପରି ତଳକୁ ଭିଡ଼ିନେଲା ବାଇନଭାଇ । ଝାପ୍ସା ଆଲୁଅରେ ବାଇନ ଭାଇକୁ ଗୋଇଠାଟେ ମାରି ବିଲବାଟ ଦେଇ ଘରଆଡ଼କୁ ଦୌଡ଼ିଲା ସରୋଜ । ପଛରୁ ଶୁଭୁଥିଲା ପଂଚଜନ୍ୟ ଶଂଖ ପରି ରେଳଗାଡ଼ିର ହର୍ଣ୍ଣ୍ ଓ ତା ସହିତ ତାଳଦେଇ ବାଇନ ଭାଇର ବିକଟାଳ ହସ । ହା ହା ହା......

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment