Welcome to shalandi webzine

ଦମ ଦମର ଦିଦି ଗୋ

କୃପାସାଗର ସାହୁ

ମୁଁ ଛୁଟିରେ ଗାଁକୁ ଆସିଥିବାର ଖବର ପାଇ କମଳି ନାନୀ ଆମ ଘରକୁ ଆସିଥିଲା ।
ସେ ମୋର ମଝିଆଁ ମାମୁଙ୍କ ଝିଅ । ମୋଠୁ ଦୁଇ ତିନି ବର୍ଷ ବଡ଼ । ତା’ର ବାହାଘର ସମୟରେ ମୁଁ ମା’ ସାଙ୍ଗରେ ବେଭାର ନେଇ ଯାଇଥିଲି ।

ମୁଁ ଛୁଟିରେ ଗାଁକୁ ଆସିଥିବାର ଖବର ପାଇ କମଳି ନାନୀ ଆମ ଘରକୁ ଆସିଥିଲା ।
ସେ ମୋର ମଝିଆଁ ମାମୁଙ୍କ ଝିଅ । ମୋଠୁ ଦୁଇ ତିନି ବର୍ଷ ବଡ଼ । ତା’ର ବାହାଘର ସମୟରେ ମୁଁ ମା’ ସାଙ୍ଗରେ ବେଭାର ନେଇ ଯାଇଥିଲି । ତା’ପରେ ତା’ ସହ ଆଉ ଦେଖା ହୋଇନି । ଓଡ଼ିଶା ବାହାରେ ଚାକିରି ଏବଂ ଘନଘନ ବଦଳି ଯୋଗୁଁ ମାମୁଘର ସହ ଯୋଗାଯୋଗ ସମ୍ଭବ ହୋଇନି । ତା’ପରେ ଥରେ ଅନ୍ୟ ବିରାଦରକୁ ଗଲେ ଅଧିକାଂଶ ଗାଁର ଝିଅ ଗୁମ ହୋଇଯାଆନ୍ତିନି କି?
ତଥାପି କଲିକତାରେ କାମ କରୁଥିବା ସନାଭାଇନାଙ୍କ ସମ୍ପର୍କରେ ଉଡ଼ାଖବର ମୋ କାନରେ ବାଜିଥିଲା । ସେ ଖବର ହେଲା ଯେ ସେ ସେଠି ଜଣେ ବଙ୍ଗାଳୀ ସ୍ତ୍ରୀକୁ ନେଇ ଘରେ ରଖିଛନ୍ତି ।
ମୋତେ ପଢ଼ାଘରେ ଏକଲା ପାଇ ମୁହଁରେ ହସ ଫୁଟାଇବାର ଅପଚେଷ୍ଟା କରି କମଳି ନାନୀ ମୋ ପାଖରେ ପଡ଼ିଥିବା ତକ୍ତା ଉପରେ ବସିଲା । ଉଜ୍ୱଳ ଶ୍ୟାମବର୍ଣ୍ଣର ଏ ନାନୀର ରଙ୍ଗ ମହଳଣ ପଡ଼ିଯାଇଥିଲା । ତା’ର ଆଖିପତା ତଳେ ଭ୍ରୂଲତାର ଛାଇର ଭ୍ରମ ସୃଷ୍ଟିକରି ଦିଶୁଥିଲା ଅର୍ଦ୍ଧଚନ୍ଦ୍ର ଆକୃତିର କାଳିମାର ଦାଗ ।
ମୁଁ ଔପଚାରିକତା ସହକାରେ ପଚାରିଲି- ନାନୀ, କେମିତି ଅଛୁ?
କମଳି ନାନୀର ମୁହଁରୁ ହସ ଲିଭିଗଲା । ସେ କହିଲା- ଅରୁରେ! ମୋର ଦୁଃଖର କଥା ତୁ ତ ଶୁଣିଥିବୁ ।
ମୁଁ କିଛି ନଜାଣିଲା ପରି ପଚାରିଲି- ତୋର ପୁଣି କି ଦୁଃଖ?
ସେ କୌଣସି ମତେ ଆଖିପତାରେ ଟଳଟଳ ହେଉଥିବା ଦୁଇବୁନ୍ଦା ଅଶ୍ରୁକୁ ସମ୍ବରଣ କରି ଏକ ଦାର୍ଶନିକ ସୁଲଭ ପାଲଟା ପ୍ରଶ୍ନ କଲା- ଗୋଟେ ସ୍ତ୍ରୀ ଲୋକର ସବୁଠୁ ବଡ଼ ଦୁଃଖ କ’ଣ ହୋଇପାରେ?
ସେ ନିଜେ ତା’ର ଉତ୍ତର ଦେଲା- ଜଣେ ସ୍ତ୍ରୀ ସକାଶେ ସ୍ୱାମୀର ଅବହେଳାଠାରୁ ବଳି ବଡ଼ ଦୁଃଖ ଆଉ କିଛି ଅଛି?
ସେ ତା’ର ଦୁଃଖର ପେଟରା ଖୋଲି ଚାଲିଲା । - ତୋ ଭାଇନା
 
 
ତିନିବର୍ଷ ହେଲା ଘରକୁ ଆସୁନାହାନ୍ତି । ନା ତାଙ୍କର କୌଣସି ଚିଠି । ନା କିଛି ଖବର । ସେଠି ସେ ଜଣେ ବଙ୍ଗାଳୁଣୀକୁ ଘରେ ରଖିଛନ୍ତି । ସେ ଯେଉଁ ତିନିବର୍ଷ ତଳେ ଆସିଥିଲେ ଭାଗୁଆରିଙ୍କଠୁ ସଞ୍ଜା ପଇସା, ପୁଣି ଚୁଡ଼ା ଚାଉଳ କୁଢ଼େଇ କରି ନେଇ ଗଲେ ଯେ ସିଆଡ଼େ ଠାକିଲେ ।
ମୁଁ ତା’ କଥାରେ ବାଧା ଦେଇ କହିଲି- ଭାଇନା ଯେବେ ଗାଁକୁ ଆସିଥିଲେ ତୁ ତାଙ୍କ ସହ କଲିକତା ଗଲୁନି?
- ମୋତେ ସେ କ’ଣ ନେଲେ ଯେ ମୁଁ ଗଲିନି! କହିଲେ- ତୁ ସେଠି ଚଳିପାରିବୁନି । ତା’ପରେ ଏଠି ଘରବାଡ଼ି, ଜମିଜମା, ଆମ୍ବତୋଟା, ନଡ଼ିଆଗଛ ଏସବୁକୁ ଦେଖିବ କିଏ? ସବୁ ଭୂତ ଚରିଯିବେ ।... ଆଚ୍ଛା ତୁ କହିଲୁ, ମୁଁ ଏକଲା ମାଇପି ଲୋକଟା ଏସବୁର ହେପାଜତ କରିପାରିବି? ଖାଲି ଭାଗୁଆରିଙ୍କୁ ପୋଷିବା ସାର ହେବ ସିନା!
ସେ ପୁଣି ଯୋଡ଼ିଲା- ଆଗରୁ ମାସେ ଦି’ ମାସରେ କିଛି ଟଙ୍କା ମନିଅର୍ଡ଼ର କରି ପଠୋଉଥିଲେ । ଏବେ ତା’ ବି ବନ୍ଦ । ଜମିରୁ ଯୋଉ ଚାଉଳ ଗଣ୍ଡାଏ ମିଳୁଛି, ଗଛରେ ଯୋଉ ନଡ଼ିଆ ପୁଞ୍ଜାଏ ଫଳୁଛି, ସେତିକି ମୋ ପେଟର ଭରଣା ପାଇଁ ଯଥେଷ୍ଟ । କିନ୍ତୁ ସେତିକିରେ କ’ଣ ମୋ ଦୁଃଖ ସରିଯିବ? ଠାକୁରେ ତ ମୋ କୋଳରେ ପିଲାପାତି ଦେଲେନି । ମୁଁ କାହା ମୁହଁ ଚାହିଁ ବଞ୍ôଚବି କହିଲୁ? ବୋଝ ଉପରେ ନଳିତା ବିଡ଼ା ପରି ଭଗାରିଏ ଖୁଣ୍ଟା ଦେଲେ ଯେ ମୁଁ କୁଆଡ଼େ ବାଂଝ; ଆଉ ସେଇଥିପାଇଁ ମୋ ଗେରସ୍ତ ଛାଡ଼ି ପଳେଇଚି!
ଆଉ ସେ ତା’ର ଉଦ୍‌ଗତ ଅଶ୍ରୁଧାରକୁ ନିୟନ୍ତ୍ରଣ କରିପାରିଲାନି । ଲୁହ ପୋଛି ବାଷ୍ପାକୁଳ କଣ୍ଠରେ କହିଲା- କନିଅର ମଞ୍ଜି ଗୁଡ଼ ଖାଇ ଜୀବନ ହାରି ଦେବାକୁ ମନ କରୁଛି ।
ମୁଁ ତା’ ହାତ ଧରି ପକାଇ କହିଲି- ସେମିତିଆ ଅମଙ୍ଗଳିଆ କଥା ମନରେ ପାଞ୍ଚନା । ଆଚ୍ଛା, ମୁଁ ତୋ ପାଇଁ କ’ଣ କରିପାରିବି, କହିଲୁ!
- ତୁ ତ ଏବେ କଲିକତାକୁ ବଦଳି ହୋଇ ଆସିଲୁଣି । ତୁ ଖଣ୍ଡିଏ ଚିଠି ନେଇକି ଯା’ । କାଳେ ତୋ ଯୋଗୁଁ ମୋ ନିଉଛୁଣା ଭାଗ୍ୟଟା ବଦଳି ଯିବ!
ସେ ପୁଣି କହି ଚାଲିଲା- କେତେ ରଜ ଗଲା, କେତେ ଦୁର୍ଗାପୂଜା, କେତେ ଦୋଳ । ସେ ଅଇଲେନି । କରୋନା ମାତିଲା ପରେ କେତେ ଲୋକ କଲିକତା ଛାଡ଼ି ପଳେଇ ଆସିଲେ- କେନ୍ଦ୍ରାପଡ଼ାର ପାଇପ ମିସ୍ତ୍ରୀ, ଆଳିର ପରିବା ବିକାଳି, ଆମ ଧୋୟା ଅଞ୍ଚଳରୁ ଯାଇଥିବା କେତେ ମୂଲିଆ, ମୋଟିଆ । ତାଙ୍କ ବାଟ ଚାହିଁ ଚାହିଁ ଆଖିରୁ ପାଣି ମଲା । ସେ ଅଇଲେନି । ମୋ ଖାଇଲି ଆଖି ସବୁବେଳେ ଡେଉଁଚି । ମୋ କଥା ଛାଡ଼, ସେ କେମିତି ଅଛନ୍ତିି ହେଲେ ଖବରଟା ଦିଅନ୍ତେ!
ମୁଁ ପ୍ରସ୍ତାବ ଦେଲି- ମୋ ହାତରେ ଚିଠି କିଆଁ ଦେବୁ? ତୁ ମୋ ସହ ଚାଲୁନୁ!
- ତୁ କେମିତିଆ ନାପସନ୍ଦିଆ କଥା କହୁଚୁ କିରେ, ଅରୁ! ୟା ଆଗରୁ ଭବାନୀପୁରରେ ପରିବା ଦୋକାନ ଦେଇଥିବା ଆମ ଗାଁର ଦି’ ଭାଇଙ୍କ ହାତରେ ଚିଠି ପଠାଇଥିଲି । ସେଠି ସେ କ’ଣ ଓଲଟ ପାଲଟ କରି କହିଲେ ଯେ ସେ ସ୍ତ୍ରୀ ଲୋକ ମାର ନମାର ହେଲା । ପାଟିକରି ଏମିତି ବ୍ରହ୍ମାଣ୍ଡ କମ୍ପେଇଦେଲା ଯେ ପଡ଼ା ଲୋକ ଜମା ହୋଇଗଲେ । ଏ ଚଷା ଭୁଷା ଲୋକ ସେଠୁ କେମିତି ଖସି ଆସିବେ ବାଟ ପାଇଲେନି । ତା’ର ସଉତୁଣୀ ହୋଇ ମୁଁ ଗଲେ ସେ ମୋତେ ରଖିବ? ତୁ ଅଫିସର ହୋଇଚୁ । ତୋ ସହ ସେ ଅଭଦ୍ର ବେଭାର କରିପାରିବନି । ସେଇ ଭରସା ଅଛି ବୋଲି ତୋତେ କହୁଚି!
- ହଉ, ଚିଠି ଦେ । ମୁଁ ଯିବି ଭାଇନାଙ୍କ ପାଖକୁ ।
ସେ ଶୁଖିଲା ହସଟିଏ ହସି କହିଲା- ମୋ ଅକ୍ଷର ତ ବିଲେଇ ଗୁହ! ତା’ପରେ ମୋତେ କ’ଣ ଚିଠି ଲେଖି ଆସିଚି! ତୁ ଲେଖି ଦେ- ସେ ଅଳି କଲା ।
ମୁଁ କାଗଜ କଲମ ଆଣି କହିଲିି- ହଉ, କ’ଣ ଲେଖିବି କହ ।
- ଲେଖ... ଦମଦମର ଦିଦି ଗୋ...
ମୁଁ ନାନୀ ମୁହଁକୁ ବଲବଲ କରି ଚାହିଁ କହିଲି- ୟେ କ’ଣ! ଭାଇନାଙ୍କୁ ନୁହଁ, ତୋର ସେ ସଉତୁଣୀକୁ ସମ୍ବୋଧନ କରି ଲେଖିବି?
- ହଁ । ମୋ ସୁନା ଭାଇଟା ପରା! ତାକୁ ଟିକିଏ ବାଗେଇ କରି ଲେଖିବୁ । ରଗେଇବୁନି ।
- ହଉ ତୁ କହିଯା...
- ଲେଖ....
ନାନୀର ଡିକ୍ଟେସନ ଅନୁସାରେ ଚିଠି ଲେଖିଲା ପରେ ସେ ଆଶ୍ୱସ୍ତ ହୋଇ ମୋ ମୁଣ୍ଡରେ ହାତ ବୁଲାଇ କହିଲା- ଭଗବାନ ତୋର ବଡ଼ତି କରନ୍ତୁ ।
ଶେଷରେ, ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି- ତୁ ଏମିତି ସାଲିସ କରି କ’ଣ ଲେଖିଲୁ ଯେ?
- ଆଉ କ’ଣ କରିବି? କୋର୍ଟ କଚେରିକି ଯିବି? କୋର୍ଟ କଚେରିର ହାଲ ତୋତେ କଣ ଅଛପା? ମୋ ବାପା ଦାଦା ଗୁଣ୍ଠେ ଘର ବାଡ଼ି ପାଇଁ କେସ କରି ନୟାନ୍ତ ହୋଇ ଆରପାରିକୁ ଚାଲିଗଲେ ପଛେ କେସର ଫଏସଲା ହୋଇପାରିଲାନି ।
- ତା’ ହେଲେ ତୋତେ କିଏ ନ୍ୟାୟ ଦେବ ବୋଲି ଭାବିଛୁ?
‘ଠାକୁରେ ଅଛନ୍ତି’ କହି ସେ ଦୁଇହାତ ମୁଣ୍ଡରେ ଯୋଡ଼ିଲା ।
ଏଇ କମଳି ନାନୀ ଆମ ମାମୁଘର ପୁଅଝିଅଙ୍କ ମଧ୍ୟରେ ଥିଲା ସବୁଠୁ ବେଶୀ ହସଖୁସୀ ମିଜାଜର । ପିଲାଦିନେ ତା’ରି ନେତୃତ୍ୱରେ ଆମେ ତୋଟାକୁ ଯାଇ ଆମ୍ବ ତୋଳୁ, ନାଳକୁ ଯାଇ ମାଛ, କଙ୍କଡ଼ା ଧରୁ, ପୋଖରୀରୁ କଇଁଫୁଲ ତୋଳୁ । ସେଦିନର ମୁସୁକୁରୀ ମୁହିଁ ନାନୀ ଆଜି ପାଲଟିଛି ଅଶ୍ରୁମୁଖୀରେ । ତେଣୁ ତା’ ଉପରେ ବିରକ୍ତ ନ ହୋଇ ସମବେଦନା ବ୍ୟକ୍ତ କରି କହିଲି- ନାନୀ, ତୁ ଧନ୍ୟ!
ଦମଦମ ଯିବା ରାସ୍ତାରେ ଭାବୁଥିଲି- ଏ ସନା ଭାଇନାଟା କେଡ଼େ ଚୁପ ଶୟତାନ! ଦେଖିବାକୁ ତୁନୀ ମୁହଁ କାଙ୍କ । କିନ୍ତୁ ମନ ଭିତରେ ଏତେ ମଇଳା! ଛି! ଯାହାକୁ ରଖିଛି ସେ ପୁଣି ଜଣେ କାମବାଲୀ? ବଡ଼ ଭଉଣୀର ବର ହିସାବରେ ଗୁରୁଜନ ହେଲେ ବି ଦେଖାହେଲେ ତାଙ୍କୁ ଦି’ ପଦ ଶୁଣାଇଦେବି ବୋଲି ଭାବିଥିଲି- ତମେ ମଣିଷ ନା ପଶୁ? ତମର ଟିକିଏ ହେଲେ ବିବେକ ନାହିଁ? ତମ ହୃଦୟରେ ଟିକିଏ ହେଲେ ଦୟାମାୟା ନାହିଁ? ଏଣେ ବିବାହିତା ସ୍ତ୍ରୀ ଘରେ ସଢ଼ୁଛି! ତମେ ସେଠି ଲୀଳା ଲଗେଇଛ? ତାଙ୍କର ଏଇ କଦର୍ଯ୍ୟ କାରନାମାର କୈଫିୟତ ମାଗିବାକୁ ଭାବିଥିଲି ।
ହାଓଡ଼ା ଷ୍ଟେସନ, ବି.ଏନ.ଆର ଏବଂ ଧର୍ମତାଲା - କଲିକତାର ଏଇ ତ୍ରିଭୁଜୀୟ ପରିସୀମା ଭିତରେ ମୋର ଜ୍ଞାନ ସୀମିତ ଥିଲା । ଖାଲି ଏତିକି ଜାଣିଥିଲି ଯେ ଦମଦମରେ ଗୋଟିଏ ଏୟାରପୋର୍ଟ ଅଛି । ସନାଭାଇନାଙ୍କ ଠିକଣା ଖୋଜିବାକୁ କଷ୍ଟ ହେବ ବୋଲି ଭାବୁଥିଲି । କିନ୍ତୁ ଅଫିସ୍‌ର ଜିପ ଡ୍ରାଇଭର ସ୍ଥାନୀୟ ଲୋକ ହୋଇଥିବାରୁ ବେଲଗାଛିଆ ଯାଏ ନିର୍ବିଘ୍ନରେ ଚାଲିଗଲୁ । ଜେସୋର ରୋଡ଼ରେ ପହଞ୍ôଚ ଜେସଫ କମ୍ପାନୀର ଷ୍ଟାଫ କ୍ୱାଟର ଖୋଜିବା ପାଇଁ ଟିକିଏ କସରତ କରିବାକୁ ପଡ଼ିଲା ।
ଗୋଟିଏ ଝଙ୍କା ବରଗଛ ତଳେ କେତେଜଣ ଯୁବକ ପିଚୁ ଟିଣ ଉପରେ କେରମ ବୋର୍ଡ଼ ରଖି ଖେଳୁଥିଲେ । ସେମାନେ କମ୍ପାନୀ କ୍ୱାର୍ଟରର ରାସ୍ତା ଦେଖାଇଦେଲେ । ହାତରେ କୁଇନ ଧରିଥିôବା ଯୁବକ ପଚାରିଲା- କାକେ ଚାହି?
- ସନାତନ ମହାପାତ୍ର ।
- ଓଡ଼ିଶ୍ୟାର ଲୋକ?
- ହାଁ, ହାଁ ଓଡ଼ିଶାର ଲୋକ - ମୁଁ ଉତ୍ତର ଦେଲି ।
- ବାମପାଶ୍ୱର୍ର ଗଳିଆଡ଼େ ହାତଦେଖାଇ କହିଲା -
ସୁଜା ଯାନ । ନଅ ନମ୍ବର କ୍ୱାଟର ।
ଗଳି ରାସ୍ତାରେ ଗାଡ଼ି ବୁଲାଇବାର ଅସୁବିଧା ହେବାର ଅନୁମାନ କରି ଡ୍ରାଇଭର ଗଛମୂଳେ ଗାଡ଼ି ରଖିଲା ଏବଂ କେରମ ଖେଳର ଅନ୍ୟତମ ଦର୍ଶକ ସାଜିଲା ।
ମୋର ଶାନ୍ତି ନିକେତନ ବ୍ୟାଗ କାନ୍ଧରେ ଝୁଲାଇ ମୁଁ ପଦବ୍ରଜରେ ଆଗକୁ ଚାଲିଲି । ଗୋଟିଏ ଜାଗାରେ ଘର ସାମ୍‌ନାରେ ପାଇପରୁ ଭୁସଭୁସ ପାଣି ବାହାରି ଡ୍ରେନରେ ବହି ଯାଉଥାଏ । ସେଠି କିଛି ଲୋକଙ୍କର ସ୍ନାନ, ଦନ୍ତମର୍ଜନ, ବସ୍ତ୍ର ପ୍ରକ୍ଷାଳନ ପ୍ରଭୃତି ସକାଳର ବିଳମ୍ବିତ ଜୀବନଚର୍ଯ୍ୟା ଚାଲୁ ରହିଥାଏ । କେତୋଟି ଛୋଟ ପିଲା ଡ୍ରେନରେ କାଗଜ ଡଙ୍ଗା ଭସାଉଥାନ୍ତି ।
ଧାଡ଼ି ଧାଡ଼ି ହୋଇ ଠିଆ ହୋଇଥିବା କମ୍ପାନୀର ଘର ଗୁଡ଼ାକ କେଉଁ ମାନ୍ଧାତା ଅମଳର । ଇଟା ଉପରେ ନାଲି ରଙ୍ଗର ପଲସ୍ତରା ହୋଇଥିବା ଟାଇଲ ଛାତର ଘର । ନଅ ନମ୍ବର ଘର ବାରନ୍ଦାରେ ସ୍ତ୍ରୀଲୋକ ଜଣେ ସିଲେଇ ମେସିନ ଧରି ବସିଥିଲେ । ଘର କାନ୍ଥରେ ଗୋଟିଏ ଛୋଟ ଟିଣ ସାଇନବୋର୍ଡ଼ ଟଙ୍ଗା ହୋଇଥିଲା । ସେଥିରେ ଲେଖାଥିଲା- ରେଖା ଲେଡିଜ ଟେଲର ।
ସେହି ସ୍ତ୍ରୀ ଲୋକଙ୍କୁ ଦୋଦୋପାଞ୍ଚ ହୋଇ ପଚାରିଲି- ଏଇଟା କି ସନାତନ ଭାଇନାର ବାଡ଼ି? ମାନେ ଏଠି ଓଡ଼ିଶ୍ୟାର ସନାତନ ମହାପାତ୍ର ଥାକେ କି?
ସିଲାଇ ମେସିନର ଘୂର୍ଣ୍ଣନର ଘର୍ ଘର୍ ଶବ୍ଦ ବନ୍ଦ ହୋଇଗଲା । ଜବାବ ମିଳିଲା- ହାଁ, ଆପନି କେ?
ଆମି ସନାତନ ଭାଇନାର ଶ୍ୟାଲା । କମଳି ଦିଦି ମୋର ମାମାର ଝିଅ- ମାନେ ମେୟେ । ଆମାର ନାମ ଅରୁଣ । ଆପନି କି ଦିଦିର...? ସନାଭାଇନାଙ୍କ ସହ ତାଙ୍କର ସଂପର୍କ ବିଷୟରେ ସନ୍ଦୀହାନ ହୋଇ ଅଧା ପ୍ରଶ୍ନକୁ ଗିଳିପକାଇଲି ।
- ଆମି ଉନାର ମିସେସ୍‍, ବୋଲୁନ ।
କଲିକତାରେ ଆସ୍ଥାନ ଜମାଇବାକୁ ହେଲେ ବଙ୍ଗଳାରେ କହିବା ଜରୁରୀ ବୋଲି ଜାଣିଥିଲି । ତେଣୁ ତେଡ଼ାମେଡ଼ା କରି ବଙ୍ଗଳା ଭାଷା କହିବାକୁ ଚେଷ୍ଟା କରୁଥିଲି । ସେ ମୋର ବିକୃତ ବଙ୍ଗଳା ଓ ତଜ୍ଜନିତ ଅପ୍ରସ୍ତୁତତାକୁ ଧରିପାରି କହିଲେ- ଆମି ଓଡ଼ିଆ ଜାନି । ଓଡ଼ିଆତେ ବୋଲୁନ । କି କାଯ ଆଛେ?
ତାଙ୍କ ମୁଖନିଃସୃତ ସ୍ୱଗତୋକ୍ତି- ଆର୍ ଏକ୍‌ଟା ଅକ୍ରୂର ପାଠିଏଛେ- ମୋ ଶ୍ରବଣ ଯନ୍ତ୍ରରୁ ବାଦ୍ ଯାଇନଥିଲା ।
ସେ ପ୍ରକାଶ୍ୟରେ କହିଲେ- କଥା କି ବୋଲ ।
- କମଳି ଦିଦି ମୋ ହାତରେ ଗୋଟେ ଚିଠି ଦେଇଛି ।
ସେ ହଠାତ୍ ଉତ୍‌କ୍ଷିପ୍ତ ହୋଇ କହିଲେ- କ’ଣ ଲେଖିଛି ତମ ଦିଦି? ଚିଠିରେ ଗାଳି ଦେଇଛି । ଲେଖିଚି ଯେ ଠାକୁର ମା’ କାହାଣୀର ମାଲ୍ୟାଣୀ ପରିକା ମୁଁ ତା’ ବରକୁ ରଖିଛି ମେଣ୍ଢା କରି? ଓକିଲ ନୋଟିସ ପଠେଇଛି? ମୋ ନାଁରେ ନାଲିସ କରିବ? ୟା ଆଗରୁ ଦି’ଟା ଲୋକ ବି ସେ ପଠେଇଥିଲା । ୟାଙ୍କ କାନରେ ଫୁସୁରୁ ଫୁସୁରୁ ହୋଇ କହୁଥିଲେ- ହିନ୍ଦୁ ବିଏ ଆଇନ ଅନୁସାରେ, ତୁମେ ଦୁଇଟା ସ୍ତ୍ରୀ ‘ବିଏ’ କରିପାରିବନି । ତୋ ସ୍ତ୍ରୀ କେସ୍ କଲେ ତୋ ଚାକିରି ଚାଲିଯିବ । ତମ ଦୁହିଁଙ୍କୁ ଜେଲ ହୋଇଯିବ । ଏଥର ଏଇ ଧମକ ଦେଇଛି ତମ ଦିଦି?
- ନାଇଁ, ନାଇଁ, ତା’ ନୁହଁ । ତମେ ଚିଠି ପଢ଼ିଲେ ଜାଣି ପାରିବ ।
ସେ ଶାନ୍ତ ହୋଇ କହିଲେ- ଆମି ଓଡ଼ିଆ ବୁଝତେ ପାରି । ଏକଟୁ ଏକଟୁ ବୋଲତେ ପାରି । କିନ୍ତୁ ପଢ଼ିତେ ପାରିନା । ତମେ ପଢ଼ି ଶୁଣାଅ ।
ପଚାରିଲି- ସନାତନ ଦାଦା ଘରେ ନାହାନ୍ତି କି?
- ଅଛନ୍ତି । ଶୋଇଛନ୍ତି । ଶରୀର ଭଲ ନାଇଁ ।
ମୋର କୁହୁଡ଼ିଆ କଣ୍ଠ ସ୍ୱର ଏବଂ ଆମ ଦୁହିଁଙ୍କ କଥୋପକଥନ ବାରି ପାରି ସନା ଭାଇନା ଖୁଁ ଖୁଁ କାଶି ପଚାରିଲେ- କେ ଏସ୍‌ଛେ ରେଖା?
ଚଢ଼ାଗଳାରେ ଦିଦି ଜବାବ ଦେଲେ- ଚୁପଚାପ ଶୋୟେ ଥାକ । ବେଶୀ ମାଥାପେଚି କରୋନା ।
ଘର ଭିତରେ ନୀରବତା ଖେଳିଗଲା । କିନ୍ତୁ ମୁଁ ଜାଣି ପାରିଲି ସନା ଭାଇନା ଏବେ ଉତ୍‌କର୍ଣ୍ଣ ହୋଇ ଆମ କଥା ଶୁଣିବେ ।
ଏ ଦିଦିର ନାଁ ରେଖା ବୋଲି ଜାଣି ମୁଁ ଆମୋଦିତ ହେଲି । କାହିଁ ସିନେମା ଜଗତର ଅପରୂପା ନାୟିକା- ସେ ପାନପତ୍ରର ମୁହଁ, ଡାଳିମ୍ବ ଗଛର ଦେହ ଏବଂ କୁନି ଅହିରାଜର ବେଣୀ! ଆଉ କାହିଁ ଏ ଦିଦି! ୟାଙ୍କର ମେଦବହୁଳ ଶରୀରରେ ଖାଲି ଟଣାଟଣା ଆଖି ଦୁଇଟା ଛଡ଼ା ସୌନ୍ଦର୍ଯ୍ୟର ଆଉ କୌଣସି ଚିହ୍ନ ତ ଆଖିରେ ପଡ଼ିଲାନି! ସନା ଭାଇନା କ’ଣ ଦେଖି ୟାଙ୍କ ପ୍ରେମପାଶରେ ପଡ଼ିଲେ? ୟାଙ୍କ ତୁଳନାରେ କମଳି ନାନୀର କଟିଙ୍ଗ ଢ଼େର ସୁନ୍ଦର ।
ଓଠରେ ସ୍ମିତ ହସ ଖେଳାଇ କହିଲି- ବସିବାକୁ କହିବେନି ଦିଦି?
‘ଓୟେ ମା’ କହି ସେ ବସିଥିବା ଚେୟାରଟି ମୋତେ ଦେଇ ଭିତରୁ ଷ୍ଟୁଲଟିଏ ଆଣି ବସିଲେ ଏବଂ କହିଲେ- ପଢ଼ କି ଲେଖିଛି ତମ ଦିଦି!
ମୁଁ ଚିଠିଟାକୁ ଏକା ନିଃଶ୍ୱାସରେ ପଢ଼ିଲି :
: ଦମଦମର ଦିଦିକୁ କମଳିର ରାମ ରାମ । ଦିଦି, ତମ ନାଁ ମୁଁ ଜାଣିନି । ୟା ବି ଜାଣିନି ଯେ ତମେ ମୋଠୁ ବୟସରେ ବଡ଼ କି ସାନ । କଲକତି ଚଳଣି ଅନୁସାରେ ତମକୁ ‘ଦିଦି’ ବୋଲି ଡାକୁଛି ।
ଦିଦି, ମୋର ବର ଯାଇ ସେଠି ରହିଲେ । ତିନିବର୍ଷ ବିତିଗଲା । ତାଙ୍କର ଚିଠି ନାହିଁ କି ଦେଖାନାହିଁ । ମୋର ଏମିତିକା ମନ୍ଦ ଭାଗ୍ୟ ଯେ ବାହାଘରର ତିନିଚାରିଟା ବର୍ଷ ତାଙ୍କ ସହ ଘର କରିପାରିଲିନି । ମୋର ଏପାରିରେ କେହି ନାହିଁ କି ସେପାରିରେ କେହି ନାହିଁ । ମୋର କୋଳ ଶୂନ୍ୟ । ଗଛଟିଏ ବଡ଼ ହେବ । ସେଥିରେ ଫୁଲଫଳ ଧରିବନି କି ସେଠିି ଶୁଭିବନି ଚଢ଼େଇଙ୍କ କିଚିିରି ମିଚିରି- ତାକୁ କେମିତି ଲାଗିବ କହିଲ!
ମୁଁ ଜାଣେନି, ତମଠି ଏମିତି କ’ଣ ଅଛି ଯାହା ମୁଁ ଦେଇପାରିଲିନି । ତମେ ବୋଧେ ହୋଇଥିବ, କନକଗୋରୀ, ଅପୂର୍ବ ସୁନ୍ଦରୀ । ତମେ ବୋଧେ ହୋଇଥିବ ଢ଼େର ପାଠୋଇ । ମୋର ଶିକ୍ଷାଦୀକ୍ଷା ବୋଇଲେ କିିଛି ନାହିଁ । ମୋ ପାଖରେ ଖାଲି ଏତିକି ଗୁଣ ଅଛି ଯେ ମୁଁ ତାଙ୍କୁ ପ୍ରାଣ ଦେଇ ଭଲପାଏ ।
ବେଳେବେଳେ ଏମିତି ମନେହୁଏ ଦିଦି, ଯେ ତମ ପାଖରେ ସେ କିଛି ଦିନ ରହିଲେ, ମୋ ପାଖରେ ରହନ୍ତେ କି କିଛି ଦିନ! ସେମିତିକା ଭାଗବଣ୍ଟାରେ ବି ମୁଁ ରାଜି । ଏତେ ବଡ଼ ମହାମାରୀ ଆସି ଦେଶଟାକୁ ନାରଖାର କରି ଦେଲା । ଥରେ ଆସି ଦେଖିଲେନି ତାଙ୍କ କମଳି ମଲା କି ରହିଲା! ପୁଣି କରୋନା ମାଡ଼ି ଆସୁଛି ବୋଲି ଶୁଣିଲିଣି । ଏବେ ଯଦି ନ ଆସିବେ, ଆଉ କ’ଣ ମୋର କୋକେଇ ଉଠିଲା ବେଳେ ଖଇକଉଡ଼ି ବିଞ୍ôଚବାକୁ ଆସିବେ? ନା ସେତକ ବି ମୋ ଭାଗ୍ୟରେ ଜୁଟିବନି!
ଏ ଚିଠି ମୋର ଭାଇ ନେଇ ଯାଉଛି । ତା’ ହାତରେ ମୁଁ ମୋର ଦି’ ପଟ ସୁନା ବଟ ଫଳ, ଗୋଟେ ହରଡ଼ଫାଳିଆ ହାର, ହଳେ କାନଫୁଲ ଆଉ ହଳେ ରୂପାର ପାଉଁଜି ଦେଇଛି । ଆଉ ସବୁ ଗହଣାଗାଣ୍ଠି ବିକିଭାଙ୍ଗି ଖାଇଲିଣି । ଏସବୁ ମୋ ଶାଶୂଘରର ସନ୍ତକ ବୋଲି ସାଇତିଛି । ଏସବୁ ତମକୁ ଭଲ ମାନିବ । ଏସବୁ ତମେ ରଖ । ଆଉ ମୋ ବରକୁ ଛାଡ଼ି ଦିଅ ।
ଇତି । ସ୍ନେହର କମଳି
ମୁଁ ଗହଣା ପୁଡ଼ିଆଟା ବ୍ୟାଗରୁ ବାହାର କରି ବଢ଼ାଇଲି । ଦିଦି ସେଆଡ଼େ ଦୃକ୍‌ପାତ କଲେନି । ତାଙ୍କ ନାକପୁଡ଼ା ଥରି ଉଠିଲା । ହାତର ପାଣି କାଚ ଝଣଝଣ କରି ଉଠିଲା । କଣ୍ଠ ବାଷ୍ପାକୁଳ ହୋଇ ଉଠିଲା ।
କମଳି ନାନୀର ଚିଠିରେ ନଥିଲା ଧାଡ଼ିଏ କଟାକ୍ଷ କିମ୍ବା ସାମାନ୍ୟତମ କଟୂକ୍ତି । ସତେ ଯେମିତି ସେଥିରେ ଥିଲା କୌଣସି ଦେବୀଙ୍କ କରୁଣା ପାଇଁ ବିନମ୍ର ଯାଚଞା । ମୁଁ ଏବେ ଅବାକ୍‍ ହେଉଥିଲି- ଏମିତି କ’ଣ ସମ୍ଭବ? ଜଣେ ନାରୀ ନିଜର ଈର୍ଷା, ଅସୂୟାର ହଳାହଳକୁ ଘୋରିବାଟି ପିଇ ନିଜର ସପତ୍ନୀ ପାଖରେ ବଢ଼ାଇଦିଏ ସମର୍ପଣର ହାତ?
ନାନୀର ଡିକ୍ଟେସନ୍‍ ଅନୁସାରେ ଯନ୍ତ୍ରବତ୍‍ ଚିଠି ଲେଖିଲାବେଳେ ଚିଠିର ଅନ୍ତର୍ନିହିତ କାରୁଣ୍ୟକୁ ମୁଁ ଠିକ ଭାବେ ଧରିପାରି ନଥିଲି । ଏବେ ଏକା ନହସରେ ପଢ଼ିଲାବେଳେ ମୁଁ ବିଚଳିତ ହୋଇ ପଡ଼ିଥିଲି ଏବଂ ଭାବୁଥିଲି, ଜଣେ ନିଃସହାୟା ନାରୀ ନିଜର ସୋହାଗ ରକ୍ଷା ପାଇଁ ନିଜର ସ୍ୱାଭିମାନକୁ କିପରି ଜଳାଞ୍ଜଳି ଦେଇପାରେ ।
ମୁଁ ମନଶ୍ଚକ୍ଷୁରେ ଦେଖିପାରୁଥିଲି କମଳି ନାନୀର ଅସହାୟତାକୁ । କେମିତି ସେ ନିଜର ସ୍ୱାମୀକୁ ପାଇବାପାଇଁ ବୃନ୍ଦାବତୀ ପାଖରେ ନିତିପ୍ରତି ଜାଳିଥିବ ସଞ୍ଜବତୀ । କେମିତି ବଳଦେବଜୀଉଙ୍କ ପାଖରେ ଯାଚିଥିବ ରସାବଳି । ମା’ ଜାଗୁଳେଇ, ମା’ ଧାମୁରେଇ, ମା’ ଗୋଜବାୟାଣୀଙ୍କ ଦରବାରରେ ପଡ଼ିଥିବ ଅଧ୍ୟା, ଆଉ ପଟ୍ଟାମୁଣ୍ଡାଇର ପୀରବାବାଙ୍କ ଦରଘାରେ ଚଢ଼ାଇଥିବ ଚାଦର । ଏବଂ ଏ ସମସ୍ତ ପ୍ରଚେଷ୍ଟାରେ ନିଷ୍ଫଳ ହେଲା ପରେ ସେ ଅର୍ଜି ଦେବାକୁ ସ୍ଥିର କରିଥିବ ତା’ର ସଉତୁଣୀର ଇଜଲାସରେ ।
ସେ ଦିଦି ଥମ ହୋଇବସିଲେ । ଭାବୁଥିଲି, ମୁଁ ପୁରୁଷ ହୋଇ ଯଦି ଚିଠିର ମାର୍ମିକତାରେ ଦ୍ରବୀଭୂତ ହୋଇଗଲି, ତା’ ହେଲେ ଜଣେ ନାରୀର ବେଦନା ତାଙ୍କ ହୃଦୟତନ୍ତ୍ରୀକୁ ଥରାଇ ଦେବନି କାହିଁକି? ତାଙ୍କୁ କ’ଣ ଲାଗିଲା ସତେ ଯେମିତି ଏ ଚିଠି ନୁହେଁ ଏକ ଜଣାଣ । ଦୁର୍ଗାଷ୍ଟକ ସ୍ତବ? ପରକ୍ଷଣରେ ଭାବିଲି, ମୋର ଅନୁମାନ ବି ଭ୍ରମାତ୍ମକ ହୋଇ ପାରେ । ଦୁଇ ସପତ୍ନୀ ସାଧାରଣତଃ ପରସ୍ପରର ଘୋର ପରିପନ୍ଥୀ । ଦୁହିଁଙ୍କ ମିଳନର ପରିଣତି ଘଟେ ହାତାହାତି, କେଶକେଶିରେ । ତେଣୁ ମୁଁ ଦିଦିଙ୍କ ମୁହଁକୁ ଅବାକ୍‍ ହୋଇ ଚାହିଁଥିଲି ।
ସେ ପ୍ରକୃତିସ୍ଥ ହୋଇ କହିଲେ- ତମ ଦିଦିକୁ କହିବ, ମୋତେ ସଉଦା କରି ଆସିନି । ସେ ମୋତେ ଦୋଷ ଦବନି । ତମ ଦାଦାର ଗାଁରେ ସ୍ତ୍ରୀଟିଏ ଅଛିି ବୋଲି ଜାଣିଥିଲେ ମୁଁ କ’ଣ ତାଙ୍କୁ ଆପଣେଇଥାନ୍ତି? ମୋର କୁତୁରୁମିଆ ବର ମୋତେ ଛାଡ଼ି ପଳେଇଲା ପରଠୁ ମୁଁ ତିନି ଚାରିଜଣ ବାବୁଙ୍କ ଘରେ କାମ କରି ବେଶ ଚଲିଯାଉଥିଲି । ତମ ଦାଦାର ଘରେ ଖାଲି ରାତ୍ରିବେଲା ଦି’ଟା ଚା’ଲ ଫୁଟାଇ ଦେଉଥିଲି । ସକାଲ ବେଲା ‘ପାନ୍ତା’ ଭାତରେ ତାଙ୍କ କାମ ଚଲିଯାଉଥିଲା ।
ତିନିବର୍ଷ ତଳର କଥା... । ଦିନେ ଆସି ଦେଖେ ତ ସେ ବିଛଣାରେ ଶୋଇ ଥରୁଛନ୍ତି । ଆଉ କାଶୁଛନ୍ତି ତୁହାକୁ ତୁହା । ପଡ଼ା ଡାକ୍ତର ରୋଗଟା ମେଲେରିଆ କି ନିମୋନିଆ ଧରି ପାରିଲେନି । ତାଙ୍କୁ ବଡ଼ ଡାକ୍ତରଖାନା ନେଲି । ସେଠି ସେ ପନ୍ଦର ଦିନ ରହିଲେ । ମୁଁ ତାଙ୍କ ଘର ଜଗି ରହିଲି । ୟା ଭିତରେ ସରକାର ରେଲ ଲାଇନ କରିବାକୁ ମୋ ଝୋଁପଡ଼ି ଭାଙ୍ଗି ଦେଲା । ୟେ ତାଙ୍କ ଆଡ଼ୁ କହିଲେ- ତୁ ଏଠି ରହିଯା । ମୁଁ ମୋ ପୁଅକୁ ଧରି ତାଙ୍କ ଘରେ ଆସି ରହୁରହୁ ରହିଗଲି । ତମକୁ ଆଉ ଅଧିକା କ’ଣ ବୋଲିବି?
ସେ ଟିକିଏ ବିରତି ନେଇ କହିଲେ- ଗଲା ବର୍ଷ ତାଙ୍କୁ କରୋନା ହେଲା । ପଡ଼ାବାଲା ଜାଣିପାରି ପୁଲିସ ଡାକି ତାଙ୍କୁ ହାସପାତାଲରେ ଭର୍ତ୍ତି କରିଦେଲେ । ଏବେ ୟେ ପୁଣି ଜରରେ ପଡ଼ିଛନ୍ତି । ଏଥର ମୁଁ ତାଙ୍କୁ କାନି ଘୋଡ଼େଇ ରଖିଛି । ଲେମ୍ବୁପାଣି, କାଢ଼ା, ନାଲି ଚା’, ଦୋରନ୍ଧା ଭାତ ଦେଇ କରୁଛି ଘରୋଇ ଚିକିତ୍ସା । ତାଙ୍କ ଫ୍ୟାକ୍ଟ୍ରିରେ କେବେଠୁ ତାଲା ଝୁଲୁଚି । ‘ମାଇନା’ ବନ୍ଦ । କରୋନା ଯୋଗୁଁ ମୋତେ ବି ସୋସାଇଟିିରେ କାମ କରିବାକୁ ଛ’ମାସ ପୂରେଇ ଦେଲେନି । ମୋଦି କହିଲେ, ଲୋକଙ୍କୁ ଛଟେଇ କଲେ ବି ‘ମାଇନା’ ଦିଅ । ସବୁ ଲୋକ କ’ଣ ଦାତା ଷଣ୍ଢ ଯେ ମୋଦି କଥା ଶୁଣିବେ! ମୋତେ ଅବଶ୍ୟ କେଇଜଣ ବାବୁଆଣୀ ଦି ତିନିମାସର ପଇସା ଦେଲେ । ମା’ କାଲୀ ତାଙ୍କର ମଙ୍ଗଲ କରନ୍ତୁ ।
ଏବେ ଘର ଚଳାଇବା ମୁସ୍କିଲ । ସେଥିପାଇଁ ଗୋଟେ ପୁରୁଣା ମେସିନ ଆଣି ପକେଇଛି । ନ ହେଲେ ତମ ରୋଗିଣା ଦାଦାକୁ କୋଉଠୁ ପଥି ଦେବି ନା ମୋ ଛୁଆଙ୍କ ମୁହଁରେ ଦାନା ଦେବି? ନା, ଆଉ ହବନି । ଦୁର୍ଦ୍ଦିନର ବନ୍ୟା ଜଲରେ ମୁଁ ନାକଯାଏ ବୁଡ଼ିଲିଣି ।
ଏହା କହି ସେ ଭୋ ଭୋ ହୋଇ କାନ୍ଦିଲେ ଏବଂ ମୁଣ୍ଡରେ ହାତ ଦେଇ ବସିଲେ । କହିଲେ- ମୋର ତ ଫୁଟା କପାଲ । ଯୋଉ ଡାଲକୁ ଧରିଲି, ସେ ଡାଲ ଭାଙ୍ଗିଲା । ଏବେ ମୁଁ କରିବି କ’ଣ?
ଏହି ସମୟରେ ପୁଅ ପିଲାଟିଏ ଗୋଟିଏ ବର୍ଷିକିଆ ଝିଅକୁ କାଖେଇ କରି ଆଣି ସେଠି ପହଞ୍ôଚଲା ଏବଂ ମା’ କାନ୍ଦୁଥିବାର ଦେଖି ତା’ ବେକରେ ହାତ ଗୁଡ଼ାଇ ମୋ ଆଡ଼େ ଚାହିଁଲା ପ୍ରଶ୍ନାକୁଳ ଆଖିରେ । ସତେ ଯେପରି ତା’ ମା’ର କଷ୍ଟ ପାଇଁ ମୁଁ ହିଁ ଦାୟୀ ।
ପିଲା ଦୁଇଟିକୁ ଦେଖି ମୁଁ ଅପ୍ରସ୍ତୁତ ହୋଇ ପଡ଼ିଲି । ସନା ଭାଇନାର ଏଠି ପିଲା ଅଛନ୍ତି ବୋଲି ମୋର ବିଲକୁଲ ଧାରଣା ନଥିଲା । ଜାଣିଥିଲେ ମିଠା କିମ୍ବା ଚକୋଲେଟ ପ୍ୟାକେଟଟିଏ ଧରି ଆସିଥାନ୍ତି ।
ମନେ ପଡ଼ିଲା, ମୋ ବ୍ୟାଗରେ ବିସ୍କୁଟ ପ୍ୟାକେଟଟିଏ ଅଛି । ଟୁରିଂ ଚାକିରି ହୋଇଥିବାରୁ ବ୍ୟାଗରେ ସଦାବେଳେ ବିସ୍କୁଟ ପ୍ୟାକେଟଟିଏ ପଡ଼ିଥାଏ । ସେଇଟାକୁ ସେ ପୁଅ ହାତକୁ ବଢ଼ାଇଦେଲି ।
ଦିଦି କାନିରେ ଲୁହ ପୋଛି ପୁଅକୁ ନିର୍ଦ୍ଦେଶ ଦେଲେ- ତୋମରା ଦୁଇଜନ ବିସ୍କୁଟ ଖେୟେ ଏଖାନେ ଖେଲ । ଆର ବାଇରେ ଯାବିନା । ଏକଟୁ ପରେ ଆମି ଭାତ ଦେବ ।
ଦିଦି ମୋତେ ପଚାରିଲେ- ଭୁଲିଗଲି । କ’ଣ ନାଁଟା କହିଥିଲ?
- ଅରୁଣ ।
- ଅରୁଣ, ବସ, ମୁଁ ଚା’ କରି ଆଣେ ।
- ନାଇଁ, ଚା’ ଥାଉ । ମୁଁ ଏକ୍ଷଣି ଚାଲିଯିବି ।
- ତମେ ରିସ୍ତାରେ ଦେଓର । ଆମ ବାଡ଼ିକୁ ଆସି ସେମିତି କେମିତି ଚାଲିଯିବ?
ଦିଦି ଚା’ ତିଆରି କରିବାକୁ ଭିତରକୁ ଗଲାବେଳେ ମୋ ମୁଣ୍ଡରେ ବିଭିନ୍ନ ପ୍ରକାର ଭାବନା ଗୋଳିପାଣିର ମାଛପରି ଫକଫକ ଡେଇଁଲେ । ଭାବୁଥିଲି ଏ ଯେଉଁ ପରକୀୟ ସଂପର୍କଟି ମୁଣ୍ଡ ଟେକିଛି, ଏଥିପାଇଁ ଦୋଷ କାହାର? ସନା ଭାଇନାର ନା ଦିଦିର? ସନାଭାଇନା କ’ଣ ଜାଣିଜାଣି ଦଲଦଲ ଭିତରେ ଗୋଡ଼ ଭର୍ତ୍ତି କରିଦେଲା ନା ଏଥିପାଇଁ ଦିଦି ଦାୟୀ? ନା ଏ ଏକ ଆକସ୍ମିକ ସଂଯୋଗ- ଯେମିତି ନିଝୁମ ଝଡ଼ରାତ୍ରିରେ ଦୈବାତ୍‍ କ୍ରମେ ଗୋଟିଏ ନୀଡ଼ରେ ରହିଛନ୍ତି ଦୁଇଟି ଡେଣା ଭଂଗା ଚଢ଼େଇ? ମୋ ମନଟା ବିଦ୍ରୋହ କରି ଉଠୁଥିଲା ଏଥିପାଇଁ ଯେ ଦୋଷ ଯାହାର ହୋଇ ଥାଉନା କାହିଁକି କମଳି ନାନୀକୁ ଦଣ୍ଡ ମିଳିବ କାହିଁକି? ଜଣେ ପ୍ରୋଷିତଭର୍ତ୍ତୃକା ଅସହାୟା ନାରୀ ପ୍ରତି ବିଧାତାର ଏକ ଅବିଚାର?
ଭିତରେ ସନାଭାଇନା ଓ ଦିଦିର ବାର୍ତ୍ତାଳାପ ଶୁଭିବାରୁ ମୋ ଭାବନାରେ ବିରତି ପଡ଼ିଲା ।
- ଏୟ, ନିଅ ଚା’ ଖାଅ ।
ସନାଭାଇନାର କମ୍ପିତ କଣ୍ଠରୁ ଅନୁନୟ ଶୁଭିଲା- ଅରୁଣକୁ ଟିକିଏ ଦେଖନ୍ତି । ପିଲାଟା ଏତେ ବାଟରୁ ଆସିଛି ।
ପୁଣି ଛାଟ ପଡ଼ିଲା ତାଙ୍କ କଟୂକ୍ତିର- ନାଇଁ, ଚୁପଚାପ ଚା’ ଖିୟେ ଶୁଅ । ସୁସ୍ଥ ଲୋକଟାକୁ ରୋଗ ଦେବ କି?
ସନା ଭାଇନା ଚୁପ ହୋଇଗଲେ ଏକ ସୁଧାର ଚାଟପରି ।
ନିଃଶବ୍ଦରେ ଦିଦି ଓ ମୁଁ ଚା’ ପିଇଲାବେଳେ ନିଜ ନିଜ ଚିନ୍ତାରେ ବୁଡ଼ି ରହିଥିଲୁ । ମୋତେ ଏବେ ଦିଶୁଥିଲା ଚାରିଆଡ଼େ କେବଳ ଦୁଃଖ ଆଉ ଦୁଃଖ । କମଳି ନାନୀର ଦୁଃଖ । ଦିଦିର ଦୁଃଖ । କରୋନା ଯୋଗୁଁ ଦେଶବିଦେଶର ଅପ୍ରମିତ ଦୁଃଖ । ତଥାଗତ ବୁଦ୍ଧଙ୍କର ବାଣୀ- ଜୀବନ ଦୁଃଖମୟ- ଏହାର ସତ୍ୟତା ମୁଁ ବୋଧେ ପ୍ରଥମ କରି ଉପଲବ୍ଧି କରୁଥିଲି । କିନ୍ତୁ ତାଙ୍କର ଉକ୍ତିର ପରବର୍ତ୍ତୀ ଧାଡ଼ି କମଳି ନାନୀ ପାଇଁ କେତେଦୂର ଶ୍ରେୟସ୍କର? ସ୍ୱାମୀକୁ ପାଇବାପାଇଁ ପ୍ରତ୍ୟାଶା ତ୍ୟାଗ କରି ସେ କ’ଣ ଶାନ୍ତି ପାଇବ? ସେମିତି ହେବା ସମ୍ଭବ?
ଦିଦି ଚା’ କପଟାକୁ ସଶବ୍ଦରେ ତଳେ ଥୋଇ ଦେବାରୁ ମୋ ଚିନ୍ତାରେ ବ୍ୟାଘାତ ଘଟିଲା । ସେ ସହସା ବିସ୍ଫୋରଣ କରି ଉଠିଲେ- ନେଇଯା, ତମ ଦାଦାଙ୍କୁ ଏଠୁ ନେଇଯା । ତାଙ୍କର ବୋଧେ ମାଥା ଖରାପ ହେଲାଣି । ସେ ରାତିସାରା ଶୋଉ ନାହାନ୍ତି କି କାହାକୁ ଶୁଆଇ ଦେଉନାହାନ୍ତି । ମଝିରେ ମଝିରେ ଉଠି ପଡ଼ି ବସୁଛନ୍ତି । ସତେ ଯେମିିତି କେହି ଦୂରରୁ ଆବାଜ ଦେଇ ଡାକୁଛି! ଖାଲି ଗୋଡ଼ହାତ ଛାଟୁଛନ୍ତି ଏବଂ ପଲେଇ ଯିବାପାଇଁ ତାଙ୍କ ଗୋଡ଼ ଖଜବଜ ହଉଚି । ସେ ଏଠିକାର ଧୂଲି ଧୂଆଁରେ ବଞ୍ôଚବେନି । ଏ ଚିରରୁଗ୍‍ଣ ଲୋକଟି ବୋଧେ ଗାଁର ପାଣି ପବନରେ ବଞ୍ôଚଯିବ ।
ତମ ଦିଦିକୁ କୁହ ମୋତେ ଲାଞ୍ଚ ଯାଚିବା ଦରକାର ନାହିଁ । ଏ ଗହଣା ଗାଣ୍ଠି ନେଇ ତମ ଦାଦା ପଛରେ ଖର୍ଚ୍ଚ କର । ମୁଁ ମରିଯିବିନି । ମୁଁ ବଞ୍ôଚବି ।
ଏହାପରେ ସେ ସୁଁ ସୁଁ ହୋଇ କାନ୍ଦିଲେ । ପାଖରେ ଲସରପସର ହେଉଥିବା ଝିଅଟାକୁ ଦେଖାଇ କହିଲେ- ଏଇ ମେୟେଟା କିନ୍ତୁ ମରିଯିବ । ଏଇଟା ତମ ଦାଦାର ରକ୍ତର । ତା’ ବାବାକୁ ଦଣ୍ଡେ ଛାଡ଼ୁନି । ମଉକା ମିଲିଲେ ତା’ର ବାବାର ବେକରେ ‘ବାଦୁଡ଼’ ପରି ଝୁଲି ପଡ଼ୁଛି ।
ଛୁଆ ଦୁଇଟି ଆସି ମା’କୁ କୁଣ୍ଢେଇ କାନ୍ଦିଲେ ।
ତମ ଦାଦାକୁ ଏଠୁ ନେଇଯା- ମୁଁ ଜାଣିପାରୁନଥିଲି ଏ ଥିଲା ଦିଦିିର ହୃଦୟର କଥା ନା ଏହା ଥିଲା ବାରମ୍ବାର ଠୋକ୍‌କର ଖାଇ ଜୀବନ ପ୍ରତି ଦିକ୍‌ଦାର ହୋଇଥିବା ଏକ ଅବଳା ନାରୀର ବୈରାଗ୍ୟର ଭାଷା?
ଗାଡ଼ି ନେଇକରି ଆସିଥିଲି । ଦିଦିର ଭାବପ୍ରବଣତାର ସୁଯୋଗ ନେଇ କହି ପାରିଥାନ୍ତି- ମୁଁ ତା’ ହେଲେ ସନା ଭାଇନାଙ୍କୁ ନେଇ ଯାଉଛି ।
କିନ୍ତୁ ଏହା କହିବାକୁ ମୋର ବିବେକ ବାଧା ଦେଲା । ମୋର ଦାୟିତ୍ୱ ଥିଲା ଏକ ଦୂତର ଦାୟିତ୍ୱ- ଯାହା କି ମୁଁ ସମ୍ପନ୍ନ କରିଛି । ସନା ଭାଇନାଙ୍କୁ ସାଥିରେ ନେଇ ଯିବା ଥିଲା ମୋର ‘ବ୍ରିଫ୍‌’ର ବାହାରେ ।
ଯଦିଓ ମୁଁ କମଳି ନାନୀର ନରମପନ୍ଥୀ ଚିନ୍ତାଧାରାକୁ ସମର୍ଥନ କରିପାରୁନଥିଲି, ତଥାପି ଏ ମାମଲାରେ କୌଣସି ଅତର୍କିତ ପଦକ୍ଷେପ ନେବାକୁ ସତ୍‌ସାହସ ଜୁଟାଇପାରୁନଥିଲି ।
ମୁଁ ଜାଣିଥିଲି, ଏଭଳି ମାମଲାରେ କାନୁନର ଦିଶାନିର୍ଦ୍ଦେଶ ସୁସ୍ପଷ୍ଟ । ସେହି କାନୁନର କଠୋର ଧାରା ଆଗରେ କମଳି ନାନୀର ସୋଲୋମନୀୟ ସାଲିସର ପ୍ରସ୍ତାବ ବାଏଁ ବାଏଁ ଉଡ଼ିଯିବ ଏକ ପାଗଳିନୀର ହାସ୍ୟାସ୍ପଦ ପ୍ରଳାପ ପରି । ତା’ ସପକ୍ଷରେ ରାୟ ଶତ ପ୍ରତିଶତ ଯିବ । ତା’ହେଲେ ନିଜର ନ୍ୟାଯ୍ୟ ଦାବି ସାବ୍ୟସ୍ତ କରିବାକୁ ସେ ପଶ୍ଚାତ୍‍ପଦ କାହିଁକି? ଜଣକର ବିଜୟର ପରିଣାମ ଯେ କେତେକ ନିରୀହ ପ୍ରାଣୀଙ୍କ ପାଇଁ ଆଣିପାରେ ଅକଥନୀୟ କ୍ଳେଶ- ଏହା କ’ଣ ଥିଲା ମୋର ସ୍ୱଳ୍ପଶିକ୍ଷିତା କମଳି ନାନୀର ଅବବୋଧରେ?
ମୋର ଚିନ୍ତାଶକ୍ତି ଦିଗହରା ହୋଇ ଯାଇଥିଲା । ମୁଁ କିଛି ସମୟ ବିମୂଢ଼ ହୋଇ ବସିରହିଲି । ତା’ପରେ ଭାବିଲି - ବିଜ୍ଞଜନମାନେ କହିଛନ୍ତି ଯେ ସମୟ ବଳବାନ । ଏ ଜଟିଳ ସମସ୍ୟାର ଗ୍ରନ୍ଥିକୁ ହୁଏତ ସମୟ ଖୋଲି ଦେଇପାରେ ।
ମୁଁ ଉଠିପଡ଼ି କହିଲି- ଦିଦି, ମୁଁ ଆଜି ଆସେ । ମୁଁ ଏଇ କୋଇଲାଘାଟରେ କାମ କରେ । ପୁଣି ଆସିବି । ସନା ଭାଇନାଙ୍କ ସହ ମୁହାଁମୁହିଁ ହେଲାନି ।
ଗାଡ଼ି ପାଖକୁ ଗଲାବେଳେ ଥରେ ପଛକୁ ଚାହିଁଲି । ସନା ଭାଇନା ତାଙ୍କ ସାଇଡ୍ ଝର୍କାର ଲୁହା ରେଲିଂକୁ ଧରି ଠିଆ ହୋଇଥିଲେ ଏକ କଏଦୀ ପରି । ତାଙ୍କ ଆଖିରେ ଢ଼ଳ ଢ଼ଳ କରୁଥିଲା ବୋଧହୁଏ ତୀବ୍ର ଅପରାଧବୋଧର ଅଶ୍ରୁଜଳ ।

 

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment