Welcome to shalandi webzine

ଭୁର୍କୁଣ୍ଡୁ ଏ ଭୁର୍କୁଣ୍ଡ

ଆଦିତେଶ୍ଵର ମିଶ୍ର

ଭୁର୍କୁଣ୍ଡୁ ରେ .. ଏ ..ଏ.. ଇସ୍କୁଲ ପାଚେରିରେ ପିଟି ହୋଇ ଫେରିଆସୁଛି ମୋର ପ୍ରାକ କୈଶୋର କଣ୍ଠର ପ୍ରତିଧ୍ଵନି। ଇସ୍କୁଲ ସାରା ଛୁଟିଦିନର ନୀରବତା । ଛୁଟିଦିନର ନୀରବତା ସଙ୍ଗେ ଗୋଳେଇ ହୋଇଯାଉଛି ଭୋଦୁଅ ମାସର ଦି' ପହରିଆ ଖରା। ଟାଇଟାଇଁ ।

ଭୁର୍କୁଣ୍ଡୁ ରେ .. ଏ ..ଏ..
ଇସ୍କୁଲ ପାଚେରିରେ ପିଟି ହୋଇ ଫେରିଆସୁଛି ମୋର ପ୍ରାକ କୈଶୋର କଣ୍ଠର ପ୍ରତିଧ୍ଵନି। ଇସ୍କୁଲ ସାରା ଛୁଟିଦିନର ନୀରବତା । ଛୁଟିଦିନର ନୀରବତା ସଙ୍ଗେ ଗୋଳେଇ ହୋଇଯାଉଛି ଭୋଦୁଅ ମାସର ଦି' ପହରିଆ ଖରା। ଟାଇଟାଇଁ ।
ଭୋଦୁଅ ମାସର ଖରା... ବାଘ ନାଇଁ ଖାଏ ଚରା |
କାହିଁ କେହି କୁଆଡ଼େ ନାଇଁ । ପବନରେ ଫୁଲ ଉଡ଼ଉଛି ସଅଳ କିସମ ମାଳୁଆ ଧାନ । ଇସ୍କୁଲ ପାଚେରିକୁ ଲାଗି ସେଇ ପବନରେ ପୁଲକିତ, ଦୋହଲୁଛି ଗୋଟେ ମସ୍ତବଡ଼ ଆମ୍ବଗଛ। ଗଛତଳୁ ଆଖି  ପାଇବା ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ସବୁଜିମା। ଅଥଚ ଚଉପାଶେ ଗୋଟେ ଅଜବ ଖାଁ ଖାଁ ପଣ। ସେଇ ଖାଁ ଖାଁପଣ ଚିରି କିଛି ବଗପକ୍ଷୀଙ୍କ କଳରୋଳ ।
ମୁଁ ଇସ୍କୁଲ ପାଚେରି ପଛ ଆମ୍ବଗଛଠୁ ଡାକେ ବାଟରେ ଠିଆଉଠି ଭୁର୍କୁଣ୍ଡୁକୁ ପୁଣି ଡାକ ଦେଲି, ଏ.. ଏ..

ଭୁର୍କୁଣ୍ଡୁ ମୋର ଶ୍ରେଣୀସାଙ୍ଗ । ଉଚାପୂରା ହୋଇ କାଳିଆ ତା'ର ମୁହଁଠୁ ଦିହବାହା। ନିପଟ କାଳିଆ | ଆଉ ମୁଁ ନହନହକା କାଉଁରିଆ କାଠି , ପତଳା ଟୋକା | ଶାହାଢ  ପତ୍ର ଘସିଲା ପରି ମୋର ଓଠ । ଚହଚହ ଲାଲ । ମୋ ଡାକ ଶୁଣି ସହସା କେଉଠି ଥିଲା କିଏ ମୋ ପଛପଟରୁ ମୋତେ ଗୋଟେ ପ୍ରକାର କୋଳେଇ ନେଲା। କୋଳେଇ ନେଇ ତା” ଦୁଇ ପାପୁଲିକୁ ମୋ ଦୁଇ ଆଖରେ ଛାପି କି ଧରିଲା । ଏମିତି ବାଗରେ ସେ ଧରିଛି ଯେ ଶଳା... ମୁଣ୍ଡ ହଲେଇବାର ଜୁ” ନାଇଁ। ଗଲା..ଗଲା ..ଆମର ସବୁ ଯୋଜନା ଉପରେ ପୁଣି କିଏ ପାଣି ପକେଇ ଦେଲା ?
ମୁଁ ସେଇ ପାପୁଲିର ଶକ୍ତ ଜାବ କବଳରୁ ମୋର ମୁଣ୍ଡ ମୁକୁଳେଇବା ଚେଷ୍ଟା କରୁକରୁ କହିଲି, ଶଳା.. ତୁ ପୁଣି କିଏ ବେ ? ଇ ଛୁଟିଦିନ ଦି'ପହରେ ତୋ'ର ପୁଣି ଇସ୍କୁଲ ଘରେ କି କାମ ? ସେ ମୋ ଆଖି କୁ ତା' ପାପୁଲିରୁ ଫିଟାଇ ମୋ ଆଗରେ ଠିଆ ହୋଇଗଲା, ହଁ ବେ.. ମୁଇଁ ତୋର କନିଆଁର ଭାଇ ! ଏତେ ବଡ଼ପାଟିରେ ଭୁର୍କୁଣ୍ଡୁ. ଭୁର୍କୁଣ୍ଡୁ ଡାକୁଥିଲୁ, କ'ଣ ଜାଣି ପାରୁନୁ ?
ହାଃ..ହାଃ.. ମୁଁ କେମିତି ଜାଣିବି, ଇଏ ପୁଣି ମୋ ପଛର ନିର୍ଗୁଣ୍ଟି ବୁଦା କଡେକଡେ ଛପିଛପି ଆସିଛି। ଶଳା.. ପୁଣି ଏତେ ଜୋର୍‌ରେ ଆଖୁ ଭିଡ଼ିଛି, ଯେ ମୋତେ ଚଉଦିଶ ଜାଲୁଜାଲୁଆ ଦେଖା ଯାଉଚି। ଆଖି  କୁ ମୁଁ ମୋ ପାପୁଲିରେ ମଗଦୁମଗଦୁ ତାକୁ କହିଲି, ହଉହଉ, ଠିକ୍‌ ସମିଆ 'ରେ ଆଇଲୁ | ବାଃ.. ଅଣ୍ଟାରେ ଗାମୁଛା ଭିଡ଼ି ହେଇକି ବି ଆଇଛୁ ।  ହେଲେ ଦେଖ୍‌, କେହି କୁଆଡ଼େ ନାଇଁ ତ ? ହଁ , କିଏ ଜଣେଅଧେ ଦେଖୁଲା ଯଦି ଡ୍ୟାସ୍‌ ମରେଇ ହେବୁ, ଜାଣିଥା।
ରହ ବେ” ମୋର ଫଟଫଟିଆ ଷ୍ଟାଟ୍‌ କଲି କହି, ସେ ତା' ଦୁଇ ହାତକୁ ପ୍ରସାରିତ କରି ପାପୁଲିକୁ ମୁଠେଇ ଦେଲା । ପାଟିରେ ଫୁର୍ରଫୁରଁ ଫଟଫଟ କରି ସେଇ ପ୍ରସାରିତ ହାତ ସହ ଦୌଡିଲା ଯେ, ଦୌଡିଲା। ଫଟଫଟ କରି ଇସ୍କୁଲ ପାଚେରି ଚଉପାଶରୁ ଭାଉଁରେ ଘୁରି ଆସିବା ପରେ ଫ.. ଫ ହୋଇ ସେଇ ମସ୍ତବଡ଼ ଆମ୍ବଗଛ ତଳେ ଠିଆ ଉଠିଲା ଆଉ ମୋତେ ଡାକ ଦେଲା,

 
 
ଆ' ବେ ଆ'.. ଲାଇନ କ୍ଲିଅର..
ମୁଁ ଗୋଟେ ସର୍ପଟରେ ଆମ୍ବଗଛ ତଳକୁ ଦୌଡ଼ିଲି। ଇସ୍‌.. ଆମ୍ବଗଛ ତଳ କିଛି ଓଦାଓଦା କାଠିକୁଟା ସହ ଓଦାଳିଆ ଶୁଖିଲା ପତ୍ର ଓ ଛୋଟ ଛୋଟ ଡାଳ। ସବୁଠି ବଗଛେରା ଦାଗ। ଗଛ ତଳ ବିଛେଇ ହୋଇ ପଡ଼ିଛି ଦରପଚା ଛୋଟଛୋଟ ମାଛ । ଦରପଚା ମାଛ ସହ ବଗଗୁହ ମିଶି ଆଇଁଷିଆ ଆଇଁଷିଆ ବାସ୍ନାରେ ଫାଟିପଡ଼ୁଛି ଗୋଟା ଆମ୍ବଗଛ । ମୁଁ ସଂଗେସଂଗେ ମୋର କୁର୍ତା ଓଟାରି ନାକରେ ଚାପିଦେଲି। ଭୁର୍କୁଣ୍ଡୁ ମୋ ହାତ ଟାଣି ନାକରୁ କୁର୍ତାକୁ ଓଟାରି ଆଣିଲା ଓ କହିଲା, ହଇ ବେ ତୁ ଏତେବେଳନୁ ଏମିତି ଅସକଟେଇଲେ କେମିତି ପୁଣି ଗଛକୁ ଚଢ଼ିବୁ ? କାଢ଼ ବେ ତୋ ଦିହରୁ ସେଇ କୁର୍ତା କାଢ଼ ଆଗ।
ଜଣେ ଗାର୍ଜନ ଭଳି ସେ ମୋ କୁର୍ତାର ବୋତାମ ଖୋଲି ମୋ ଦିହରୁ ତାକୁ ଉତାରି ଦେଲା। ଆଉ ତା' ଦିହରେ ତ କୁର୍ତା ହିଁ ନଥୁଲା। ତା' ହାପପେଣ୍ଟ ଉପରେ ଭିଡ଼ା ଗାମୁଛାକୁ ଅଣ୍ଟାରେ ଟିକେ ଚଉକଶ କରି ଭିଡ଼ିଦେଲା। ଉହୁ .. ଗନ୍ଧ ବୋଲି ଗନ୍ଧ ! ଫାଟି ପଡୁଛି ଗୋଟା ଖଣ୍ଡମଣ୍ଡଳ। ଥୁ.. ଥୁ.. କରି ମୋ ପାଟିରେ ଆଉ ଛେପ ହିଁ ନାଇଁ । କେମିତି ତଳିପେଟ ଘାଣ୍ଟି ଗୋଟେ ଅଇ ଉଠଠଉଛି। ଯେତେ ଦାନ୍ତ ଚାପିଲେ ବି ମୋ ପାଟି ଫିଟେଇ ଗୋଟେ ଅଃ ବାହାରି ଆସିଲା।
ସେ ଆମ୍ବଗଛ ଉପରକୁ ଅନିଶା କରୁକରୁ ତା' ପେଣ୍ଟ ପାକେଟରୁ ଗୋଟେ ଖଟାମିଠା ଚକଲେଟ କାଢ଼ି ମୋତେ ଧରେଇ କହିଲା, ଜାଣିଚିରେ ବେଟା, ମୁଁ ତୋ'ର ମଞ୍ଜ ଜାଣିଚି। ନେ ଏଇଟା ଖା', ଏଇ ହେଲା ଚରମ ଓଷଦ। ଗୋଟେ କପଲେଇଲୁ ତୋ'ର ଦିହରୁ ସବୁ ପିତବାତ ଶଳା ଗଲା ବୋଲି ଜାଣ। ଗାଈ ମାଉଁସ ଟାଉକି ଦେବୁ ଆଉ ଇଏ ବଗଛେରା କ'ଣ ବେ ।
ହି  ହି.. ଚକଲେଟଟା ପାଟିରେ ପକେଇଚି କି ନାଇଁ ମୋତେ ଗୋଟେ ହସ ମାଡ଼ିଲା । ଶଳା.. ଏଇ. ଭୁର୍କୁଣ୍ଡୁଟା ମହା ହାରାମୀ ! ସବୁ ପହେଳିର ସମାଧାନ  ଇଆ ପାଖରେ ଅଛି । ଅବଶ୍ୟ ସେ ପାଇଁ ଯେ ଗୋଟେ କ୍ଲାସରେ ଦି” ଦି'ଥର ଫେଲ୍‌ ହେଇଛି। ମାନିବାକୁ ପଡ଼ିବ ତା'ର ବାହ୍ୟଜ୍ଞାନ, ମୋଠୁ ବାହ୍ୟଜ୍ଞାନ ରେ ଶଳା. . ଅତ୍ୟନ୍ତ ଧୁରୀଣ !
ଭୁର୍କୁଣ୍ଡୁ ତା ଗାମୁଛାକୁ ଅଣ୍ଟାରୁ ଖୋଲି ବେକରେ ପକେଇଲା । ତା'ପରେ ସେ ହାତ ପହୁଞ୍ଚର ଟିକେ ଉପର ଆମ୍ବଡାଳକୁ ଖେପା ମାରି ଦୂଇ ହାତରେ ଧରି ପକେଇଲା। ପୁଣି ସଙ୍ଗେସଙ୍ଗେ ସେଇ ଡାଳରେ ଝୁଲିପଡ଼ି ତା'ର ଦୁଇ ଗୋଡ଼କୁ ଡାଳ ମଝିରେ ଗଳେଇ ଛଂଦଣି ମାରି ଦେଲା। ଛଂଦଣି ମାରି ତା'ର ଗୋଟା ଦିହକୁ ଆମ୍ବଡାଳରେ ଝୁଲାଇ ରଖୁଲା। ପୁଣି ତା'ର ହାତ ଦୁଇଟାକୁ ଖୋଲି ମୁଣ୍ଡ ତଳକୁ କରି ଦୁଇ ଗୋଡ଼ରେ ଝୁଲି, ପୁଣି ଗୋଟେ ଖେପାରେ ତା' ଉପର ଟିକେ ବଡ଼ଡାଳକୁ ଧରି ପକେଇଲା। ସେଇ ଡାଳରେ ଠିଆ ହୋଇ ଗୋଟେ ହାତରେ ଗୋଟେ ବାହିକୁ ଧରି ଟିକେ ନଇଁ ପଡ଼ିଲା। ଆର ହାତରେ ତା' ବେକର ଗାମୁଛାକୁ ଖୋଲି ବାହିର ଆରପଟକୁ ହାତ ନେଇ ତିନି କି ଚାରିଟା ଗଣ୍ଠି  ପକେଇଲା ଓ ତା'ପରେ ଗଣ୍ଠିପକା ଗାମୁଛାକୁ ତଳକୁ ଲମ୍ବାଇ ଦେଇ କହିଲା, ଆ ବେ' ଗଣ୍ଠି ରେ ବୁଢ଼ା ଆଙ୍ଗୁଠି ଚାପିକି ଚଢ଼ିଆ, କ'ଣ ଡରୁଛୁ ?
ମୋର ପିଳେହି ପାଣି। ଭୁର୍କୁଣ୍ଡୁ ଉପର ଡାଳକୁ ଚଢ଼ୁଚଢୁ ଗୋଟା ଆମ୍ବଗନଛରୁ ପଚାଶ ସରିକି ବଗ କେଁ କେଁ ହୋଇ ଗଛ ଚଉପାଶେ ଉଡ଼ି ବୁଲୁଛନ୍ତି । କିଛି ବଗ ସେଇଠୁ ପୁଣି ଡାକେ ବାଟରେ ଠିଆ, ଆଉ ଗୋଟେ ଶିଶୁଗଛରେ ବସିଗଲେଣି । ପନ୍ଦର କୋଡ଼ିଏ ସରିକି ବଗ ମସ୍ତବଡ଼ ଆମ୍ବଗଛ ଚଉପାଶେ ଉଡ଼ିଉଡ଼ି ପୁଣି ସେଇ ଗଛକୁ ଫେରିଆସି ବସିପଡୁ ଛନ୍ତି । ହଲିଯାଉଛି ମସ୍ତବଡ଼ ଆମ୍ବଗଛର ଉପର ଡାଳ । ଚଉପାଶରେ ଖାଲି ଗୋଟେ କେଁ କେଁ ରାବ। କମ୍ମିଯାଉଛି ଚଉଦିଗ। ଭୁର୍କୁଣ୍ଡୁ ଯେଉଠି ଠିଆ ହୋଇଛି ସେଇ ଡାଳଠୁ ବହୁତ ଉପରେ ବଗପକ୍ଷୀଙ୍କ ବସାଘର। ନାକସାରା ଫାଟିପଡ଼ୁଛି ସେଇ ଦରପଚା ମାଛ ଓ ବଗଗୁହର ଆଇଁଷିଆ ଆଇଁଷିଆ ଗନ୍ଧ। ମାଳମାଳ ବଗ ଇତସ୍ତତଃ | କେଁ ..କେଁ ..
ଆରେ... ପହିଲା ତ ମୁଁ ଭୁର୍କୁଣ୍ଡୁ ପାଖକୁ ଗାମୁଛାରେ ଟିପେଇ ଟିପେଇ ଚଢ଼ିବି କେମିତି ? ଚଢ଼ି ନପାରିଲେ ବି ଗଣ୍ଠି ମୁଠେଇଲେ ସେ ମୋତେ ଟାଣି ନେବ। ନବ ଯେ, ହେଲେ ଉପର ଡାଳରୁ ବଗ ଉଡ଼ି ଆସି ବାଳ ଖୁଞ୍ଚିଲେ ? ମୁଁ ଡରଡର ହୋଇ କହିଲି, ଆବେ ତୁଇ ପାରୁଛୁ ଯଦି ଚଢ଼। ମୋ ଦେଇ ହେବନି ମୁଁ ତଳେ ଠିଆ ହୋଇଛି । ନହେଲେ ତୁ ଓହ୍ଲାଇ ଆ..
ଗଛ ଉପର ବାହିରେ ଥାଇ ହସିଲା ଭୁର୍କୁଣ୍ଡୁ । ହାଃ..ହାଃ.. ଶଳା ! ଛେରା, ତୁ ପୁଣି କ'ଣ ଡାକ୍ତର ହେବୁ ବେ ? ତୋ'ର କୁକୁଡ଼ା କଲିଜା, ମେଂଚେନାକୁ ମେଂଚେ। ବହୁତ ଛୋଟ ବେ। ତୋ'ର ପାଇଁ ମୋ'ର ଏତେ ଫନ୍ଦିଫିକର, କାରସାଦି। ଆରେ ..ଏ କହୁଛି କ'ଣ ନା' ମୋତେ ଡର ଲାଗୁଛି। ଶଳା ରଙ୍ଗ, ମାଇଟ୍ୟା !
ଭୁର୍କୁଣ୍ଡୁର ଶେଷ ପଦକ କଥା ମୋର ଛାତିରେ ଚାଉଁକିନା ଲାଗିଗଲା। କ'ଣ କହିଲା କି ? ରଙ୍ଗ, ମାଇଚ୍ୟା । ସତରେ ତାକୁ ଗଛରେ ଚଢ଼େଇ ମୁଁ ପଛରେ ରହିଯିବା କାଇଁକି ମୋତେ ଦୋଷୀଦୋଷୀ ଲାଗିଲା। ଆଉ ଏମିତି ବି ଦେଖିଲେ ସେ ମୋ ପାଇଁ ଗଛରେ ଚଢ଼ିଛି। କେଜାଣେ କାଇଁକି ମୋ ଦିହବାହାରେ ସାତଷଣ୍ଢର ବଳ ସହସା ଚଢ଼ିଗଲା। ମୁଁ ଭୁର୍କୁଣ୍ଡୁ ଡାଳରେ ଗୁଡ଼େଇ ଧରିଥିବା ଗାମୁଛାର ଗଣ୍ଠିକୁ ପାଦର ବୁଢ଼ା ଆଙ୍ଗୁଠିରେ ଚାପି ଉପର ଗଣ୍ଢିକୁ ଦୁଇ ହାତରେ ଧରିଲି। ତା'ପରେ ଉପର ଗଣ୍ତିରେ ମୋର ହାତମୁଠା ଆଉ ତଳ ଗଣ୍ଠିରେ ମୋର ପାଦ। ମୁଁ ଆମ୍ବଗଛର ଉପର ଡାଳକୁ ଚଢ଼ିଗଲି । ଦମଦାମ ।
ଶେଷ ଗଣ୍ଠିର ମୁଠାରୁ ମୋର ପାପୁଲିକୁ ତା'ର ଡାହାଣ ହାତରେ ଭୁର୍କୁଣ୍ଡୁ ଧରିନେଲା । ତା'ର ଆର ହାତଟି ଗୋଟେ ବାହିକୁ ସେମିତି ଭିଡ଼ିକି ଧରିଛି । ମୋତେ ସେ ଗୋଟେ ହାତରେ ଶୁନ୍ୟେଶୂନ୍ୟେ ଟାଣି ନେଇ ଉପର ବାହିରେ ମୋର ହାତ ଧରେଇ ଦେଲା। ତା'ପରେ ଗାମୁଛାକୁ ତା' ବେକରେ ପକେଇ ଦମଦାମ ବାହିକୁ ବାହି ଧରି ଉପରକୁ ଚଢ଼ୁଚଢ଼ୁ ମୋତେ କହିଲା, ବାଃରେ ପିଲା, ଜଣା ପଡ଼ିଲା ତୋ'ର ବାଘ କଲିଜା। ଆ'..ମୋର ପଛେପଛେ ଚଢ଼ । ଯେଉଁଠି ସାହାସ ହରେଇବୁ ସେଇଠି ମୋର ବଳାଗଣ୍ଠି କୁ ଧରିପକେଇବୁ, ତୋତେ ସମ୍ଭାଳି ନେବି, ଜାଣିଥା |
ଆମର ଚଉପାଶେ ଆମ୍ବଗଛ ଉପରେ କେଁ କେ.. ଚକ୍ଟର କାଟୁଛନ୍ତି କିଛି ବଗ । ଘୂରି ଯାଉଛି ଆକାଶ । ତଳକୁ ଚାହିଁବାକୁ ଡର ଲାଗୁଛି । ସର୍ର କରୁଛି ଛାତି ।
ମୁଁ ଭୁର୍କୁଣ୍ଡୁର ଦମଦାମ ଚଢୁଥିବା ପାଦ ପଛେପଛେ ବାହିକୁ ମୁଠେଇ ଚଢ଼ି ଯାଉଛି । ଉପରକୁ ଚାହିଁଲେ, ଆମ୍ବତାଳ ଫାଙ୍କରୁ ଆକାଶରୁ ଦିଶି ଯାଉଛି, କିଛି  ହଳଦିଆ ରଙ୍ଗ ମିଶା ଧଳାଧଳା ରଙ୍ଗ । ଗଛ ଚଉପାଶେ ଘୂରି ବୁଲୁଛି କିଛି ଡେଣା । କେଁ ..କେଁ ..

ଚଢୁଚଢ଼ୁ ମୁଁ ଶଂକିଶଂକି ଭୁର୍କୁଣ୍ଡୁକୁ ପଚାରୁଛି, ଆବେ.. ତୋ ବାଳରେ ବଗ ଖୁମ୍ପିଲେ କ'ଣ କରିବୁ ?
ଚଢ଼ୁଚଢ଼ୁ ହସିଲା ଭୁର୍କୁଣ୍ଡୁ, ଆବେ ଡର୍‌ନା ଖୁମ୍ପିଲେ ମୋତେ ଖୁମ୍ପିବ, କାଇଁକି ଜାଣିଛୁ ? ତୋ' ର ଗୋରା ରଙ୍ଗର ଦିହକୁ ବଗ ବଉଁଶ ! ଆଉ ମୋ'ର କାଳିଆ ରଙ୍ଗର ଦିହକୁ କୁଆ ବଉଁଶ ! ଆବେ.. ନିଜ ଜାତିଭାଇଙ୍କୁ କିଏ କ'ଣ କେବେ ଖୁମ୍ପେ  କି ବେ ? ହାଃ..ହାଃ..
ତା ହସ ମୋତେ ଛିଗୁଲାଇଲା ଭଳି ଲାଗୁନାଇଁ।  ବରଂ ତା” ହସ ମୋତେ ଆହୁରି ସାହସୀ କରି ଦେଉଛି । ଉପରକୁ ଉପରକୁ ବାହି ଧରି ଉଠିଗଲା ବେଳେ ସଫା ଦିଶୁଛି ଆକାଶ। ଆକାଶ ସାରା ଆହୁରି କେଁ କେଁ  । ସେଇ କେଁ କେଁ ରାବରେ ମିଶିଯାଉଛି ଶାବକ ପକ୍ଷୀଙ୍କ କିଛି ଚେଁ ଚେଁ। ମସ୍ତବଡ଼ ଆମ୍ବଗଛରେ କାଁ ଭାଁ ବସିଥୁବା ବଗକୁ ଧରି ଥର୍ଥର ଥରି ଯାଉଛି ଅଗିଡାଳ ।
ଯେତେ ଉପରକୁ ଉଠିଲେ ସରୁ ହୋଇ ଆସୁଛି ବାହି । ମୁହଁ ବୁଲେଇ ଦେଲେ, ତଳେ ବିଛେଇ ହୋଇ ପଡ଼ିଛି ଫୁଲଉଡ଼ା ସଅଳ କିସମ ମାଳ ଧାନର ବିସ୍ତୀର୍ଣ୍ଣ ସବୁଜିମା। ତା' ଭିତରେ ମସ୍ତବଡ଼ ଆମ୍ବଗଛଟା ଲାଗୁଛି ଭାରି ଅସହାୟ । ଯାହାକୁ ମୁଁ କେବେ ବହୁତ ତଳୁ ଦେଖୁଥିଲି, ତା' ଉପରେ ଏବେ ଗୋଟେ ଛୋଟ ଡାଳକୁ ଭରାଦେଇ ଠିଆ ଉଠିଛି । ମୋର ଆଉ କେଇ ହାତ କଡ଼େ ଆଉ ଗୋଟେ ଡାଳକୁ ଧରିଛି ଭୁକ୍ଲୁଣ୍ଡୁ ଆମ ହାତ ପହୁଞ୍ଚରେ ବିଛେଇ ହୋଇ ପଡ଼ିଛି କିଛି କୁଟାକାଠିର ବଗବସା । ସେଇ କୁଟାକାଠିର ବଗବସା ସାରା ବଗଛେରାର ଧଳାଧଳା ଦାଗ ଓ ଗୋଟେ ଅଧେ ମୁଲାୟମ ପର । ଧୋବ ଫରଫର !
କେତେ କଷ୍ଟରେ ତାଙ୍କ ଥଣ୍ଟରେ କୁଟାକାଠିଂଭାଙ୍ଗି ମା' ପକ୍ଷୀ କେଉଁ ଦୂର ଦୂରାନ୍ତରୁ ବୋହି ଆଣିଛନ୍ତି । କେତେ ଯତ୍ନରେ ସେ କୁଟାକାଠିକୁ ଥଣ୍ଟରେ ଗୋଟେଗୋଟେ ସଜାଡ଼ି ବସାକୁ ଗଢ଼ିଛନ୍ତି। ଅଣ୍ଡା ଦେଇ ରଝୋରଝୋ ବର୍ଷା ରେ ଭିଜି ତାକୁ ପୁଣି ପେଟତଳେ ଉଷୁମାଇଛନ୍ତି । ବସାଦାଢ଼ରେ ପଡ଼ିଛି ନୀଳମିଶା ସବୁଜ ରଙ୍ଗର ଅଣ୍ଡାଛୁକା। ବସାମାନଙ୍କ ଭିତରେ ଚେ.. ଚେଁ.. ଦୁଇ ଚାରିପଟ ଲେଖାଏଁ ବଗଛୁଆ । ଛୁଆଙ୍କ ଦିହରେ କଅଁଳି ଉଠିଛି ଖୁଂଟି ଖୁଂଟି ରୁମ। ଆଉ ଡେଣାରେ ଗଜୁରିଛି ଧୋବ ଫରଫର ଦୁଇଧାର ପର । ଆଉ କିଛି ଦିନ ଗଲେ ବୋଧେ ମା' ବଗ ଏଇ ଛୁଆମାନଙ୍କୁ ଖଣ୍ଡି ଉଡ଼ା ଶିଖାଇଥାନ୍ତେ । ପରସବୁ ଜୋର ଧରିଥିଲେ ଏଇମାନେ ଏମିତି ଆକାଶ ସାରା ଚକ୍ଟର ମାରିଥାନ୍ତେ । ଆମ ହାତ ପାଆନ୍ତାରେ ଆଉ ଥାନ୍ତେ ବା କଇଁକି ?
ଭୁର୍କୁଣ୍ଡୁ ଅପୂର୍ବ ସାହସିକତାରେ ଦୁଇ ଗୋଡ଼ରେ ଅଗି ଡାଳ ଉପରେ ଠିଆ ହୋଇ ଶୁନ୍ୟେଶୁନ୍ୟେ ଗାମୁଛାରୁ ଦୁଇଟି ଗଣ୍ଠି ଖୋଲିଦେଲା। ତାଂ ପରେ ଗୋଟେ ଛୋଟ ଡାଳକୁ ହାତରେ ଧରି ଆର ହାତକୁ ଗୋଟେ ବସାରେ ପୁରେଇ ଦେଲା।
ଗୁଂଜୁରୁ ଗୁଂଜୁରୁ ହଳେ ଆଖ୍ଧ। ଆଖ ଚଉପାଶେ ହାଲୁକା ଲାଲ ରଙ୍ଗର ପରଳ ଘେରିଛି। ଥଣ୍ଟଟା ପୂରା ଦିଧାରରେ ହଳଦିଆ ହୋଇ ଚନ୍ଦନ ରଙ୍ଗ ବୋଳି ହୋଇଛି। ବଗଛୁଆଟା କି ଗୋଟେ ନିରୀହ ଦିଶୁଛି। କେଁ କେୈ.. ଚକ୍ର କାଟି ଉଡି ବୁଲୁଛନ୍ତି ବସା ଉପର ଆକାଶରେ କେଇଟି ମା' ବଗ।| ଆମ ମୁଣ୍ଡ ଉପରେ ପିଟି ହେଉଛି ତାଙ୍କ ଡେଣାର ପବନ । ଚକ୍କର କାଟି ଜଣେ ଅଧେ ଆମ୍ବଡାଳର ଅଗିରେ ବସି ପଡ଼ୁଛନ୍ତି।
ଥରି ଯାଉଛି ଗଛ । ଝୁଣି ହୋଇ ଯାଉଛି ପତର । ହାତପାଆନ୍ତାର ଗୋଟେ ବସା ଭିତରେ ଦି'ଟି ବଗଛୁଆ  ତାଙ୍କ କଅଁଳ ଥଣ୍ଟ ଘଷାଘଷି ହେଉଛନ୍ତି। ବସା ଭିତରେ ହାତ ପୁରେଇ  ଭୁର୍କୁଣ୍ଡୁ ଗୋଟେ ବଗଛୁଆର ପିଠିକୁ ଖପ୍‌କିନା ଧରି ପକେଇଲା।
କେଁ କେଁ
ଚେଁ ଚେଁ ...
ଥର୍ଥର ଥରି ଯାଉଛି ଗୋଟା ଆମ୍ବଗଛ । ମୂଳରୁ ଡାଳ ଯାଏ । ଏଇ ଯେମିତି ସାରା କିଛି ଭୂମିକମ୍ପରେ କମ୍ମି ଯାଉଛି କିଛି କ୍ଷଣର ସମୟ । ଗୋଟା ଆମ୍ବଗଛ ଚେର ସହ ମାଟିରୁ ଉପୁଡ଼ି ଧୁଳିସାତ ହୋଇଯିବ ? ଧସି ପଡ଼ିବ ପାଚେରି ସହ ଗୋଟା ଇସ୍କୁଲ ଘର। ମାଟିରୁ ଆକାଶକୁ ଉଡ଼ିଯିବ ଚଉପାଶର ଫୁଲଉଡ଼ା ଧାନଗଛର ସକଳ ସବୁଜିମା। କିଛି କ୍ଷଣ ପାଇଁ ମୋ ଚଉପାଶେ କଂଣ ହେଉଛି ମୁଁ ଜାଣି ପାରୁନାହି। ଆପେଆପେ ବୁଜି ହୋଇ ଯାଇଚି ଆଖୂ ଉପରେ ପତା। ଗଛ ସହ ଥର୍ଥର ଥରୁଛି ଛାତି | କେଁ ..କେଁ .. ଭିତରେ ହଜି ଯାଉଛି କିଛି ଚେଁ .. ଚେଁ. .
ମୁଁ ଆଖି  ଖୋଲିଲା ବେଳକୁ ଭୁର୍କୁଣ୍ଡୁ ବସାରୁ ବଗ ଛୁଆଟାକୁ ହାତରେ ଉଠେଇ ଆଣି ସେଇ ଅଗି ଡାଳରେ ଥରିଥରି ଗାମୁଛାରେ ଗୋଟେ ପାଖରେ ପୁରେଇଦେଲା। ଆମ ମୁଣ୍ଡକୁ ହୁଁ ଛୁଁ ହୋଇ ଚକ୍କର କାଟୁଛନ୍ତି ମାଳେ ବଗ । କେଁ .. କେଁ.. ଜମି ଯାଉଛି ଚଉଦିଗ । ବଗଛୁଆଟିକୁ ଗାମୁଛାରେ ପୁରେଇ ସେ ଗାମୁଛାର ଟିକେ ଉପରେ ଗଣ୍ଠି ପକେଇ ଦେଲା। ଗଣ୍ଡି ପକେଇ ମୋ ବେକରେ ଝୁଲେଇ ପିଠିରେ ପକେଇ ଦେଇ କହିଲା, ଆବେ ତୁ ଆସ୍ତେଆସ୍ତେ ଓହ୍ଲାଇ ଯା' । ବାକି କଥା ମୁଇଁ ସମ୍ଭାଳୁଛି।
ମୋ ବେକରେ ଗାମୁଛା। ପୁଣି ଗାମୁଛାର ଗଣ୍ଠିପକା ମୁଣିରେ ବଗଛୁଆ। ସ୍ଥିର ହୋଇ ଯାଇଛି କିଛିକ୍ଷଣର ଭୂମିକମ୍ପ । ମୁଁ ଗଛରୁ ଓହ୍ଲାଉ ଓହ୍ଲାଉ ମୋ ପିଠିପଟରେ ଫଡଫଡ ହେଉଛି ମୁଣିର ବଗଛୁଆ । ଚେଁ..ଚେଁ କରୁଛି । ମୁଁ ଗଛବାହିରେ ଗୋଡ଼ର ଚୁଢା ଆଙ୍ଗୁଠିକୁ ଟିପେଇ ପୁଣି ତାହକୁ ଅଂଘା କରି ଛାଡ଼ିଧରି ତଳକୁ ଓହ୍ଲାଇ ଆସୁଛି। ମୁଁ ଓହ୍ଲାଇ ଆସିଲା ବେଳେ ଭୁର୍କୁଣ୍ଡୁ ସେଇ ଗୋଟେ ହାତରେ ଅଗିଡାଳକୁ ଧରି ଠିଆ। ଆର ହାତରେ ତା ମୁଣ୍ଡ ଉପରେ ଚକ୍ଟର କାଟୁଥିବା ବଗଙ୍କୁ ହୁରୁଡ଼ଉଥିଲା । ତା' ମୁଣ୍ଡ ଚଉପାଶେ ଚକ୍କର ମାରି ଖୁବ୍‌ ବଡ଼ ପାଟିରେ କେଁ କେଁ କରୁଛନ୍ତି କିଛି ବଗ। ମୁଁ ମସ୍ତବଡ଼ ଆମ୍ବଗଛର ମୁଳକୁ ଲାଗିଥୁବା ତଳଡାଳରେ ପହଞ୍ଚୁ ସେଇଠୁ ସାହସ କୁଳେଇ ପୁରୁଷେ ଉଁଚରୁ ଗଛତଳକୁ ଡେଇଁ ପଡ଼ିଲି । ମାଟିରେ ଗୋଡ଼ ଥାପିଲା ବେଳକୁ ମୋ ପାଦରେ ରଚରଚ କୁଟାକାଠି, ଦରପଚା ମାଛଙ୍କ ଛୋଟ କଣ୍ଟା।
ଓହୋଃ..ମୋ କଅଁଳ ପାଦକୁ କି କଷ୍ଟ !
ଡାଳରୁ ଡେଇଁ ପଡ଼ିଲା ବେଳକୁ ପୁଣି ଗଣ୍ଠିପକା  ଗାମୁଛାର ମୁଣିଟି ପିଠି ପଛରୁ ଡେଇଁ ଆସି ମୋ ଛାତି ଉପରେ। ବଗଛୁଆର ଛାତି ତ ନୁହଁ, ଗୋଟା ଦିହ ଧଡ଼ଧଡ଼ । ଆରେ.. ସେଇ ମୁଣି ଭିତରେ ସେ ମରିମୁରା ଯିବନି ତ ? ଛୁଆଟି ମରିଗଲେ ଆମର ସବୁ ଯୋଜନା ଫେଲ୍‌ ! ମୁଁ ସେଇ ଗଣ୍ଠି ପକା ମୁଣିଟିକୁ ଛାତି ଉପରୁ ମୁଣ୍ଡ ଉପରକୁ ଟେକି ଆଖି ନ ବୁଜି କପାଳରେ ଛୁଆଁଇ ଦେଲି, ହେ.. ମା' ମାଉଲୀ! ଆଉ କିଛି ବେଳ ଇଆକୁ ଜିଆଁଇ ରଖିଥା।
ଆଖି  ଖୋଲିଲା ବେଳକୁ ଦେଖୁଛି, ସେଇ ବଗଙ୍କ କବଳରୁ ମୁକୁଳି  ଭୁର୍କୁଣ୍ଡୁ ଜୋର୍‌ରେ ଗଛର ଡାଳରୁ ଡାଳ ଧରି ତଳକୁ ଓହ୍ଲାଇ ଆସୁଛି । ସତରେ ସେ ଯେମିତି ମଣିଷ ନୁହଁ, ମାଙ୍କଡ଼! ଉପର ଡାଳରେ ଗୋଡ଼ ଛନ୍ଦି ପୁଣି ସେଇଠୁ ଛଲାଙ୍ଗ୍‌ ମାରି ତା' ତଳ ଡାଳକୁ ସେ ଧରି ପକଉଛି । ସେ ଗଛମୁଳକୁ ଲାଗି ସବାଶେଷ ଡାଳରୁ ନଇଁପଡ଼ି ଗଛତଳ ମାଟିରେ ଠିଆ । ଏଯାଏଁ ଗଛ ଉପରେ ବଗପକ୍ଷୀଙ୍କ ରାଉରାଉ ଚାଉଚାଉ...
ଚୋରି କରି ଚୋର ଖସିଗଲା ପରେ ଯେମିତି ଗୋଟା ଗାଁ ରେ ଗହଳି, ଠିକ୍‌ ସେଇପରି ତାଙ୍କ ଗଛ- ବସତିରେ ଗହଳି । ଗୋଟିଗୋଟି ହୋଇ ସବୁ ବଗ ଗଛ ଉପରକୁ ଫେରି ଆସୁଛନ୍ତି । ମସ୍ତବଡ଼ ଆମ୍ବଗଛ ତଳୁ ନିର୍ଗୁସ୍ତିର ବୁଦା କଡ଼ ଦେଇ ଭୁର୍କୁଣ୍ଡୁ ମୋତେ ଟାଣି ନେଇଗଲା । ଆମେ ଦୌଡ଼ିଲୁ , ଦୌଡ଼ିଦୌଡ଼ି ଯାଇ ଗୋଟେ ନହସରେ ପୋଖରୀ ପାଶ ଖେଳ ପଡ଼ିଆରେ ପହଞ୍ଚୁଗଲୁ । ଖେଳ ପଡ଼ିଆ ସାରା ବିସ୍ତୀଣ୍ଣ୍ ଘାସର ସବୁଜିମା। ଭୋଦୁଅ ମାସର ଖରା ଘାସ ଉପରେ ଚିକ୍‌ଚିକ୍‌। ବେଶି ଦୂରକୁ ଚାହିଲେ ଆଖ ଜାଲୁଜାଲୁଆ ଲାଗୁଛି। ଯେତେ ଦୂର ଦିଶୁଛି କାହିଁ କେହି ନାଇଁ। ଛିନାଛିନା । ବହୁ ଦୂରରେ ରହିଗଲାଣି ମସ୍ତବଡ ଆମ୍ବଗଛ ।
ଗଛଫେରନ୍ତା ବଗଙ୍କ ଭାରରେ ଥର୍ଥର ଥରି ଯାଉଛି ଅଗିଡାଳ।
ମୋ ହାତରେ ଫକଫକ ଗଣ୍ଠିପକା ମୁଣି ଭିତର ବଗ ଛୁଆ । ଆମେ ଘାସ ପଡ଼ିଆ ମଝାମଝି ଠିଆ ହୋଇ ପଡ଼ିଲୁ । ମୋ ହାତରୁ ଗାମୁଛାର ଗଣ୍ଠି ପକା ମୁଣିଟି ନେଇ ଭୁର୍କୁଣ୍ଡୁ ଘାସ ଉପରେ ବସି ପଡ଼ିଲା। ଚକା ମାରି ବସି ସେଁ ସେଁ ହୋଇ ଗଣ୍ଠି ଖୋଲୁଖୋଲୁ କହିଲା, ଆବେ କଣ ଠିଆ ଉଠିଛୁ, ବସିପଡ଼। ମୁଁ ବି ସେଁ ସେଁ ହୋଇ ତାକୁ ଲାଗି ବସିପଡ଼ିଲି । ସେ ଗାମୁଛାର ଗଣ୍ଠି ଖୋଲି ବସିଲା।
ଗଣ୍ଠି ଖୋଲୁଖୋଲୁ ବଗଛୁଆଟା ତା 'ର ଦୁଇ ଟିକି ଡେଣାକୁ ଝାଡ଼ିଦେଲା । ବାଃ..କି ସୁନ୍ଦର ଦିଶୁଛି ଦୁଇ କଅଁଳ ଡେଣାରେ ଟିକିଟିକି କେଇଟି ପର । ଧୋବ ଫରଫର। ପିଠିରୁ ଇଷତ୍‌ ଶାଗୁଆ ଗୋଡ଼ ଯାଏଁ କଅଁଳିଛି ଖୁଂଟିଖୁଂଟି ରୁମ । ଚନ୍ଦନ ରଙ୍ଗର ଦୁଇ ଥଣ୍ଟ ଧାରେ ବୋଳା ହୋଇଛି ନାଲି, ହଳଦି ମିଶା ଦୁଇଧାର ରଙ୍ଗ | କାଟ ପରି ଆଖ ଚଉପାଶେ ଗୋଟେ ପରଳ। ଆଖ ଉପରକୁ ଲାଗି ମେଞ୍ଚେମେଞ୍ଚେ ସବୁଚ୍ଚ ମିଶା ମାଟି ରଙ୍ଗ । ଆଁ କରି ଚେଁ ଚେଁ କଲା ବେଳକୁ ଥଣ୍ଟ ଭିତରେ ଢଳଢଳ କିଛି ରଂରଂ ରକ୍ତ।
ଆହାଃ..ଯେମିତି କୋଉ ଚିତ୍ରକର ଭାରି ମଉନ ହୋଇ ମଗ୍ନରେ ଆକଵିବି ରକ୍ତମାଂସ ନୁହଁ ତ, କିଛି କଅଁଳ ତୁଳା ଉପରେ ଗୋଟେ ଚଳଚଞ୍ଚଳ ଚିତ୍ର ।
ବଗଛୁଆଟା କେତେ ଅସହାୟ, ସେ କ'ଣ ଜାଣିଛି ଆଉ କିଛି ସମୟ ଗଲେ ତା” ସଂଗତେ କ'ଣ ଘଟିବାକୁ ଯାଉଛି ?
ମୁଁ ବଗଛୁଆଟି ପିଠିରେ ପାପୁଲି ଆଉଁଶୁ ଆଉଁଶୁ କହିଲି, ହଇବେ ଭୁର୍କୁଣ୍ଡୁ! ଛୁଆଟା ଭାରି ସୁନ୍ଦରିଆ ହୋଇଛି ବେ।
ହାଃ..ହାଃ.. ହସିଲା ଭୁକୁଁଣୁ | ହାଃ..ହାଃ..ହସି ତା' ପେଣ୍ଟ ପାକିଟରୁ ବାହାର କଲା ଗୋଟେ କାଗଜ ଚିପ୍‌ଟି ଆଉ ଗୋଟେ ପିନ ପିନ  ଧାରବାଲା ରେଜରପତି । ଚିକ୍‌ଚିକ୍‌ ରେଜରପତିଠୁ ବି ଆହୁରି ଚିକ୍‌ଚିକ୍‌ ତା'ର ହଳେ ଆଖି  । ମୋତେ ତୀଖ ଭାବରେ ଚାହିଁ କହିଲା, ଆବେ ଶଳା ! ତୋ” ଛାତିର କୋଉ ଜାଗାରୁ ଏତେ ପ୍ରେମ ଉଛୁଳୁଛି ବେ ?
ମୁଁ ମୋ ଭିତରେ ଗୋଟେ ରୁଗୁରୁଗୁପଣକୁ ରୋକି ତାକୁ କହିଲି, ନାଇଁ ବେ, ଦେଖ୍‌ ତା'ର ଟିକିଟିକି ଡେଣାର ପର। କି ଧୋବ ଫରଫର !
ମୋତେ ବାଁ ବାହାରେ ଚିମୁଟି ଦେଇ ସେ କହିଲା, ହଁ.. ବେ, ଆମ ଶ୍ରେଣୀର ବାହ୍ଣଣ ଘର ଟୋକୀର ଧୋବ ଫରଫର ଜଙ୍ଘ ପରିକା।
ଭୁର୍କୁଣ୍ଡୁ ଟା ମହା ବଦମାସ। କହିଛି ତ ବାହ୍ୟ ଜ୍ଞାନରେ ଓସ୍ତାଦ ! କାହା ସଂଗତେ କାହାକୁ ତୁଳନା କରିବ ଯେ, ଏଇ ଉପମା ପ୍ରଦାନ କଳାରେ ଇସ୍କୁଲର ସାହିତ୍ୟ ମାଷ୍ଟ୍ରେ ଗୋଟାପଣେ ହାରିଯିବେ। ମୁଁ ହାତ ଛିଞ୍ଚାଡ଼ି ଭୁର୍କୁଣ୍ଡୁକୁ କହିଲି, ଆବେ ଯାଃ..
ଭୁର୍କୁଣ୍ଡୁ ବେଖାତିର ଭାବେ କହିଲା, ଯାଃ କ'ଣ ବେ, ଜାଣିନାଇ କହୁଛୁ, ଜାଣିଛି ବେ ତୋର କୁଷ୍ଟକଳା। ଶଳା.. କଣାଆଗାଁ ପଢ଼େଇଲା ବେଳେ ତୁ ବାହ୍ମଣ ଟୋକୀର ଫ୍ରକ୍‌ ଫାଙ୍କ ଆଉ ଜଙ୍ଘକୁ କଣେଇ କଣେଇ ଚାହୁଁଛୁ, ବିଦ୍ୟାରାଣ !
ତା” କଥାରେ ମୁଁ ଗୋଟେ ପ୍ରକାର ଲାଜେଇ ଗଲି। କେହି ନଥିଲେ ବି ଯେମିତି ବଗଛୁଆଟି ଥଣ୍ଟଟେକି ଭୁର୍କୁଣ୍ଡୁର କଥା ଶୁଣୁଛି । ମୋର ଲାଜଲାଜ ମୁହଁକୁ ଚାହିଁ ପୁଣି ସେ ଟିକଲ ମାରିଲା, ଶଳା ! ତୁଇ ତ ଡ଼ୁବୁକି ମାରି ପାଣି ପିଉଛୁ ଆଉ ପର୍ଛା  ସତୀ ଦେଖେଇ ହେଉଛୁ ବେ । ହଉ, ଲାଜ କରନାରେ ବେଟା କାମ ତମାମ କର ।
ସେ କାଗଜ ଚିପ୍‌ଟି ଖୋଲି ତା' ଭିତରୁ ମେଞ୍ଚେ ଗୁଡ଼ାଖୁ ବାହାର କରୁକରୁ କହିଲା, ଜାଣିଛୁ ଇଏ ଅସଲ ଘମୁଡୁ ମାରବାଡ଼ୀ ଦୋକାନର ବାଘଛାପ ଗୁଡ଼ାଖୁ, ମୋ ମା'ର ଡବାରୁ ଚୋରି କରି ଆଣିଛି । ଟିକେ ଶୁଙ୍ଘେଇ ଦେଲେ ଶଳା.. ବଗଛୁଆ କ'ଣ ଦୁଧଖିଆ ମଣିଷ ଛୁଆ ବି ସେଁସଲେସ !
ମୁଁ ବଗଛୁଆର ଥଣ୍ଟକୁ ଗୋଟେ ହାତରେ ଚିପି ଧରି ଆର ହାତରେ ତା'ର ପେଟକୁ ଧରି ପକେଇଲି | ମୋର ହାତ ଭିତରେ ଫକଫକ ହେଉଛି ବଗଛୁଆର ଛାତି। ପୁରା ଫକଫକ ବାରି ହୋଇପଡୁଛି। ତା'ର ଫକଫକ ସହ ତାଳ ଦେଇ ମୋର ଛାତି ଧଡ଼ଧଡ଼ କରୁଛି। ମୋର ଛାତି ଥର୍ଥର, ମୁଁ ବାରି ପାରୁଛି। ହେଲେ ଉପାୟ ନାଇଁ । ଏତେ କଷ୍ଟ କରି ବଗଛୁଆକୁ ଆଣିବା ପରେ ଏଇଠୁ ଓହରି ଗଲେ ଭୁର୍କୁଣ୍ଡୁ ଛିଗୁଲେଇବ।
ତାରି ଟିକଲକୁ ଡରି ମୁଁ ମୋ ଭିତରେ ସାହସ ସଞ୍ଚୟ କରୁଥିଲି। ମୋ ହାତରେ ଥ୍ବବା ବଗଛୁଆର ଥଣ୍ଟର କଣା ବାରି ଭୁର୍କୁଣ୍ଡୁ ଚିପ୍‌ଟିର ସହ ମେଞ୍ଚେ ଗୁଡାଖୁ ଉଠାଇ ଆଣି କେଇ ସେକେଣ୍ଡ ତା' ଥଣ୍ଟର କଣାରେ ଶୁଂଘାଇ ଦେଲା। ତା” ପରେ କହିଲା, ଛାଡ଼ |
ମୁଁ ବଗଛୁଆକୁ ହାତରୁ ଘାସ ଉପରେ ଛାଡ଼ିଦେଲା ପରେ ସେ ଟିକେ ଉଦମୁଦା ହୋଇଥିଲା କି କ'ଣ, ମୁଣ୍ଡ ଟେକି ନାଡ଼ି ଥଣ୍ଟକୁ ହଲେଇ ଦେଲା। ପୁଣି ତା'ର ଟିକିଡେଣାକୁ ଦୁଇ ଖେପା ହଲାଇ ଦେଲା | ଉଡ଼ାଣ ନଜାଣି ବି ବୋଧେ ସେ ଆମ କବଳରୁ ଉଡ଼ି ମକୁଳି ଯିବାକୁ ଚାହୁଁଥିଲା। ଏଥର ଭୁର୍କୁଣ୍ଡୁକୁ ମୋର ଛିଗୁଲେଇବା ପାଳି, ହଇବେ ଶଳା! କହୁଥିଲୁ ପରା ଅସଲ ବାଘଛାପ ଗୁଡ଼ାଖୁ। ତୋର ମା' “ ସ୍କା' ଗୁଡାଖୁ ଘସୁଛି ବେ।
ସେ ମୋତେ କିଛି କହିଲା ନାଇଁ। ମୋତେ ଚକଚକ ରେଜରପତିଟି ଧରେଇ ଦେଇ କପାଳ ଉପରେ ଡାହାଣ ହାତ ବୁଢା ଆଉ ବିଶି ଆଣ୍ଠୁଠିକୁ ଟିପି କ'ଣ ଗୋଟେ ଉପାୟ ଚିନ୍ତା କରୁଥୁଲା। ତା'ର ଗାନ ତ କାହିଁରେ କ'ଣ ? ସେ ନିଶ୍ଚୟ ଗୋଟେ ଉପାୟ ଚିନ୍ତିବ !
କିଛି ସମୟ ପରେ ବଗଛୁଆକୁ ହାତରେ ଟେକି ଧରି ଭୁର୍କୁଣ୍ଡୁ କହିଲା, ମାହୀ ପିଲା. ଗୋଟେ ଭଲ ସୂତ୍ର ମୁଣ୍ଡକୁ ଜୁଟିଲା। ମୁଁ ଯେମିତି ସୂତ୍ର ପାସୋରି ଅଙ୍କ କଷି ପାରୁନଥବା ଛାତ୍ରଟିଏ । ସେଇ ଢଂଗରେ ତାକୁ ପଚାରିଲି, ଆବେ ଜଲଦି ସେଇ ସୂତ୍ରକୁ ଫେଡ଼। ସେ କିଛି ଉତ୍ତର ନଦେଇ ସେମିତି ବଗଛୁଆକୁ ହାତରେ ଧରି କହିଲା ମୋର ପଛେପଛେ. ଆ ' | ମୁଁ ତା' ପଛେପଛେ ସୁଧାର ବାଳକ ପରି ଘାସ ପଡ଼ିଆ କଡ଼ ଛାଡ଼ି ପୋଖରୀ ହିଡ଼େହିଡ଼େ ଚାଲିଲି।
ଭୋଦୁଅ ମାସର ଦି'”ପହରିଆ ଖରାରେ ଲମ୍ବି ଯାଉଛି ଭୁର୍କୁଣ୍ଡୁ ହାତ ସହ ଗୋଟେ ଛୋଟପକ୍ଷୀର ଛାଇ। ତା' ପଛେପଛେ ବହୁତ ଲମ୍ବା ଦିଶୁଛି ତାରି ଓ ମୋ' ଦେହର ଛାଇ। ଯେମିତି ଆମେ ହି ଦୁଇଜଣ ଯମଦୂତ ତାକୁ ମରଣ ଆଡକୁ ଘୋଷାଡ଼ି ନେଉଛୁ । ଆମେ ପୋଖରୀ ହିଡ଼ ଡେଇଁଲା ବେଳକୁ ପୋଖରୀ ପାଣି ଉପରେ ଛଲଛଲ ଛଲକୁଛି ଖରା। ଆୟତାକାରରେ ଲମ୍ବା ହୋଇ ପାଣିରେ ଫୁଟିଛି କିଛି ଲାଲ ଆଉ ଧଳା କଇଁ। ତା' ଭିତରେ ଡ଼ୁବୁକି ମାରୁଛନ୍ତି କେଇଟା ପାଣିକୁଆ । ଭୁର୍କୁଣ୍ଡୁ ବଗଛୁଆଟିକୁ ପାଣିରେ ଛାଡ଼ି ଦେଇ, ତା' ପଛେପଛେ ପାଣିକୁ ହକାଳି ଦେଲା| ଛୁଆଟା ପହଁରିଲା ପରି ହଲିହଲି ପାଣିରେ ଚହଲି ଆସୁଛି। ତା” ରୁମୁରୁମିଆ ଦିହରୁ ଅଧା ବୁଡ଼ି ଯାଉଛି । ର୍ଥର୍ଥର ଥରୁଛି ହଳେ ଧୋବ ଫରଫର ଟିକି ଓଦାଡେଣା।
ମୁଁ କୂଳରେ ଠିଆ ହୋଇଛି, ଆଉ ପୋଖରୀ ଭିତରେ ବଗ ପଛେପଛେ ଭୁର୍କୁଣ୍ଡୁ ପାଣି ହକାଳି ଚାଲିଛି। ଆୟତାକାର ପୋଖରୀ ଭିତରେ ବଗଛୁଆକୁ ଭାଉଁରେ ବୁଲେଇଲା ପରେ, ଛୁଆଟା ମୁଁ ଠିଆ ହୋଇଥିବା କୂଳକୁ ପହଞ୍ଚୁନାଇଁ, ତା'ର ରୁମୁରୁମିଆ ପିଠି ସହ ଡେଣା ହଳକ ପାଣିରେ ଡୁବି ଯାଉଛି ।
ମୋତେ କାଇଁ ଚଉଦିଗ ଅନ୍ଧାର ଲାଗୁଛି । ସମୁଦାୟ ଦୃଶ୍ୟଟି ଯେମିତି ଆକାଶରେ ଲିଭିଲିଭି ଆସୁଛି ଗୋଟେ ଉଦ୍କଳ ଉଲ୍‌କା !
ମୁଣ୍ଡ ନାଡ଼ିଦେଇ ଚନ୍ଦନ ରଙ୍ଗର ଥଣ୍ଟଟା ପାଣିରେ ଡୁବିଯିବା ଆଗରୁ ଭୁର୍କୁଣ୍ଡୁ ତାକୁ ଦୁଇ ପାପୁଲିରେ ପାଣିରୁ ଛାଣି ଆଣିଲା। ତା'ର ଓଦା ସର୍ସର ପେଣ୍ଟରେ ପୋଖରୀ ହିଡ ତଳେ ବସି କହିଲା, ଆବେ.. ପୂରା ସେସଲେସ ! ରେଜରପତି ବାହାର କର।
ସେଇବେଳେ ମୋତେ ଲାଗୁଛି, ଯେମିତି ମୋର ଚଉପାଶରେ ଗୋଟେ ଅଦୃଶ୍ୟ ଝଡ଼ର ଅଥୟ ପବନ । ଅଥଚ ମୁଁ ସ୍ଥିର, ଅବିଚଳ। ଭୁର୍କୁଣ୍ଡୁକୁ ଲାଗି ଠିଆ ଉଠିଛି ଯେ ମୋର ଗୋଡ଼ ଭାଙ୍ଗି ପାରୁନାଇଁ। ଭୁର୍କୁଣ୍ଡୁ ଛିଗୁଲେଇ ହୋଇ କହିଲା, ହଇବେ, ଏ ପିଲା ! କ'ଣ ହେଲା, ମୁଣ୍ଡ ତ ଭିଜେଇ ସାରିଲୁଣି ଆଉ ଖୁରାକୁ କି ଡର ବେ! ଖୁରାକୁ ଡରିଲେ ଆଗକୁ ତୁ ଶଳା କି ଡାକ୍ତର ହେବୁ ?
ଅ, ଆ ଘୋଷିଲା ଦିନୁ ମୋତେ କ'ଣ ହେବୁ ପଚାରିଲେ ଡାକ୍ତର ବୋଲି କହିବାକୂ ଶିଖା ହୋଇଥିଲା। ପୁଣି ଶ୍ରେଣୀରେ ଦ୍ବିତୀୟ ହେଉଥବା ହେତୁ ମା'ର ଗୋଟେ ବଡ଼ ଆଶା ଥିଲା, ପୁଅ ଡାକ୍ତର ହେଲେ ତା'ର ସକଳ ଦୁଃଖ ଉଭେଇ ଯିବ। ବାପା ଟୁଣୁଟୁଣୁକି ଓଷଦ ଓ ସର୍ପ ବିଷ ଚିକିତ୍ସା ଜାଣିଥିବା ହେତୁ, ମୋତେ ଡାକ୍ତର କରିବା ନେଇ ତାଙ୍କ କାନ୍ଧରେ ଚବିଶ ଘଣ୍ଟା ଗୋଟେ ସ୍ଵପ୍ନର ବୁଜୁଳି ପକେଇଥଲେ । ପିଲାବେଳୁ ମୋ ଭିତରେ ଡାକ୍ତର ହେବା ନିଶାଟା ଏତେ ଜୋର୍‌ରେ ବସା ବାନ୍ଧିଥିଲା, ଯେ ମୋ ଚଉପାଶ ଅଦୃଶ୍ୟ ଝଡ଼ର ଅଥୟ ପବନ ମୋତେ ଆନ୍ଦୋଳିତ କରି ପାରୁନଥିଲା। ବହୁ କଷ୍ଟରେ ମୁଁ ଗୋଡ଼ ଭାଙ୍ଗି ଓଦା ସର୍ସର ଭୁର୍କୁଣ୍ଡୁ ପାଖରେ ବସିଲି । ଭୁର୍କୁଣ୍ଡୁର ଦୁଇ ପ୍ରସାରିତ ପାପୁଲିରେ ଓଦା ସର୍ସର ବଗଛୁଆଟା ମୁଣ୍ଡ ନାଡି ଥଣ୍ଟ ବଙ୍କେଇ ଗୋଡ଼ ଟେକି ପଡ଼ି ରହିଥିଲା।
ତା'ର କାଚ ଆଖି  ଢଳଢଳଠୁ ଆହୁରି ଢଳଢଳ | ହେଲେ ଟିକି ଡେଣା ଉପରେ ସର୍ପଟି ଯାଇଛି ସେଇ ଟିକିଟିକି ଦୂଇ ଧାର ଧୋବ ଫରଫର ପର। ଛୋଟଛୋଟ ଖୁଣ୍ଟି ଉପରେ ଯାହା କିଛି ଧଳା ଛିଟ ରଙ୍ଗ ପରି ଲାଗୁଛି। ଗୋଟା ଦିହର ଛୋଟଛୋଟ ରୁମ କଅଁଳ ଚମରେ ଲାଖି ଚମ ଭାଙ୍ଗରେ ମିଶି ଯାଇଛି। ବେକକୁ ଲାଗି ଆଖ ଉପର ସବୁଜମିଶା ମାଟିରଙ୍ଗ ଶେଥା ପଡିଯାଇଛି। ତା'ର ଭଷତ୍‌ ଶାଗୁଆ ଗୋଡ଼ର କଅଁଳ ପଞ୍ଚାସହ ଚାପି ମୋ” ଡାହାଣ ହାତର ବୁଢ଼ା ଓ ବିଶି ଆଙ୍ଗୁଠି ମଝିରେ ଚିକ୍‌ଚିକ୍‌ କରୁଛି ପିନ୍‌ପିନ୍‌ ଧାରବାଲା ରେଜରପତି !
ଓଦା ସର୍ସର ବଗଛୁଆର ପେଟକୁ ଛୁଇଁଲା ବେଳକୁ ମୋର ପାପୁଲି ଉପରେ ଆଙ୍ଗୁଠିକୁ ମୁଁ ପଥର କରୁଛି। ତା' ପେଟର ଟିକେ ଉପରକୁ ଧଡ଼ଧଡ଼ କରୁଛି ଛାତି । ମୋର ଛାତିକୁ ମୁଁ ଡଙ୍ଗର କରୁଛି। ମୋର ହାତକୁ ପଥର କରି ଛାତିକୁ ଡଙ୍ଗର କରି ତା ପେଟର କଅଁଳ ଚମକୁ ବାମ ହାତର ବୁଢ଼ା ଓ ବିଶି ଆଙ୍ଗୁଠି ମଝିରେ ଚିମୁଟି ଧରି ତା" ଉପରେ ରେଜରପତିଟା ଲଗେଇ ଦେଲି। ଓଃ..ରେଜରପତିର ଧାରଟା ଛୁଆଁଇ ଦେଉଦେଉ ଟିରି ହୋଇଗଲା ବଗଛୁଆଟିର ପେଟରୁ ଛାତି। ଛୋଟଛୋଟ ନଳିର ଅନ୍ତଚୁଜୁଳାକୁ ଲାଗି ଫକଫକ କରୁଛି ରଁଟେ ହିଙ୍ଗୁ ରଙ୍ଗର କଲିଜା। ନାଲି ମିଶା ଧଳା ରଙ୍ଗର ' ଫବସ | ମୁଁ ଭୁର୍କୁଣ୍ଡୁକୁ ଆଙ୍ଗୁଠି ଲମ୍ବେଇ ଦେଖେଇ ଦେଲି, ଦେଖ୍‌ ବେ, ଇଏ ହେଲା କଲିଜା.. ଆଉ ହେଇ ତା'ର ପାଶେ ' ଫବସ !
ତା' ହାତରେ ପେଟଚିରା ବଗଛୁଆକୁ ଧରି ଭୁକୁଣ୍ଠୁ ଏଇ କ”ଣ କାନ୍ଦକାନ୍ଦ ହୋଇ ପଡୁଛି। କାନ୍ଦକାନ୍ଦ ଭୁର୍କୁଣ୍ଡୁ କହିଲା, ହଇ ବେ.. ମୁଁ ଜିଁତା  ଫବସ” ଦେଖିନଥିଲି, ତୁ ତ ଜାଣିଛୁ ଛୁଆବେଳୁ ମୋର ବାପା ଟିବିରେ ମରି ଯାଇଛି। ତାରି ' ଫବସ' ରେ କୁଆଡ଼େ କଣାକଣା ହୋଇ ଜାଲି ମାରିଥିଲା । ଏତିକି କହୁକହୁ ଭୁର୍କୁଣ୍ଡୁ କାନ୍ଦି ପକେଇଲା। ତା' ଆଖ୍ନରେ ସବୁବେଳେ ଗୋଟେ ବେପରଓୱ୍‌ଵାପଣ, କେବେ ବି କେବେ ଲୁହର ନାମ ନିଶାଣ ନାଇଁ। ସେଇ ବେପରୱା   ଆଖି ରେ ଲୁହ ଦେଖି ମୋତେ ବି ଭାରି କାନ୍ଦକାନ୍ଦ ଲାଗିଲା।
କାନ୍ଦୁକାନ୍ଦୁ ସେ ମୋତେ କହିଲା, ମୋ ପାକେଟରୁ ଛୁଞ୍ଚି ସୂତା ବାହାର କର । ତା' ପାପୁଲିରେ ବଗଛୁଆର ଚିରାପେଟ । ଫକଫକ ହେଉଛି କଲିଜା, ବସ । କହଡହ କାନ୍ଦରେ ଭୁର୍କୁଣ୍ଡୁ ନାକରୁ ପାଟିକୁ ସିଙ୍ଘାଣିର ଗୋଟେ ଲୋଳ ବୋହି ଯାଉଛି। ହେଲେ, ତା' ଦୁଇ ପାପୁଲିକୁ ସେ ସ୍ଥିର ରଖି ବଗଛୁଆକୁ ସମ୍ଭାଳି ଧରିଛି। କାନ୍ଦକାନ୍ଦ ହୋଇ ମୁଁ ତା ପେଣ୍ଟ ପକେଟରେ ହାତ ପୂରାଇ ଗୋଟେ କାଚଶିଶି କାଢି ଆଣିଲି । ତାକୁ ଖୋଲି ଛୁଞ୍ଚି ରେ ଗୁଡ଼ା ସୂତା ବାହାର କଲି । ଭୁର୍କୁଣ୍ଡୁ ତା' ଦୁଇ ହାତ ପାପୁଲିରେ ପେଟଟିରା ବଗଛୁଆଟିକୁ ଧରି କହଡହ କାନ୍ଦ ଭିତରୁ କହିଲା, ଆବେ ଟିପ୍‌ ବେ, ଜଲ୍ଦି ଟିପ୍‌। ମୁଁ ସଙ୍ଗେସଙ୍ଗେ ଦୁଇ ହାତର ଚାରି ଆଙ୍ଗୁଠି ଲଗେଇ ଛୁଞ୍ଚିରେ ଲାଗିଥ୍ରବା ସୂତା ଅଗିରେ ଗଣ୍ଠି ପକେଇ ବଗଛୁଆ ପେଟର ଚିରାଚମକୁ ବାଁ ହାତ ଦୁଇ ଆଙ୍ଗୁଠିରେ ଚିମୁଟି ଟେକେଇ ଧରିଲି। ତା'ପ ଦୂଇପାଖର ଚିରାଚମକୁ ଯୋଡ଼ି ଧରି ଛୁଞ୍ଚି ଗଳେ ଛ' ପୁର ସୁତା ଟିପି ପୁଣି ତା' ଶେଷଟିପ ଭିତରେ ସୂତ ଗଳେଇ ଗଣ୍ଠ ପକେଇଦେଲି । ପରେପ ରେଜରପତିର ଧାରରେ ସୂତାକୁ କାଟି ରେଜରପତି ଦୂରକୁ ଫିଙ୍ଗିଦେଲି। ତା” ପେଟ ଉପର ପାଣିଚି ରକ୍ତକୁ ଆଙ୍ଗୁଠି ଲଗେଇ ତା' ଚମରେ ନେସିଦେଲି ଏବେ ବି ତଳ ଉପର ହେଉଛି ତା'ର ପେଟ ଉପ ଚମ। ହେଲେ ଆଖୁରେ ଆଗର ତେଜ ନାଇଁ | ହେ ଆଖରେ ପରଳ ପଡ଼ିଗଲା ପରି ଲାଗୁଛି। ଭୁର୍କୁଣ୍ଡୁ ତା' ପିଠି ଓଲଟାଇ ଗୋଡ଼ ଦି' ଟାକୁ ମାଟି ଥୋଇଲା। କାଇଁ କିଛି ସୋର ଶବଦ ନାଇଁ। ମୁଁ ତ୍କ  ନାଡ଼ି ଥଣ୍ଟକୁ ବଙ୍କେଇ ପଡ଼ିଛି ବଗଛୁଆ। ଗୋ ପଞ୍ଚଜାରେ ଚାପି ହୋଇଛି ନଖ। ଚଉପାଶରେ ପ୍ରଗାଢ଼ ନୀରବତା। ଝାଏଁ.. ଝାଏଁ କରୁଛି ମାଟିଠୁ ଆକାଶ ! ସେଇ ପ୍ରଗାଢ଼ ନୀରବତା ଭିତରେ ଭୁର୍କୁଣ୍ଡୁ ମୋର ମୁହଁକୁ ଚାହିଁଛି ଆଉ ମୁଁ ତା” ମୁହଁକୁ ଚାହିଁଛି । ତା' ଆଖରେ ମୁଁ ସ୍ପଷ୍ଟ ବାରିପାରୁଛି ଅସରନ୍ତି ଅସହାୟପଣ । କାହାରି ମୁଣ୍ଡରେ ବି କିଛି ଉପାୟ ନାଇଁ । କିଛି ଉପାୟ ନପାଇ ବିକଳ ଭାବରେ ଭୁର୍କୁଣ୍ଡୁ ବଗଛୁଆଟିକୁ ଧରି ପୁଣି ପୋଖରୀ ପାଖକୁ ଫେରିଲା । ତା' ପଛେପଛେ ମୁଁ |
ଆହୁରି ଆହୁରି ଲମ୍ବି ଯାଉଛି ଦୁଇପହରିଆ ଛାଇ । ଗୋଟେ ଦିହ ପଛରେ ଆଉ ଗୋଟେ ଦିହ । ଗୋଟେ ଦିହର ଛାଇ ଓ ହାତ ସହ ଗୋଟେ ପକ୍ଷୀ !
ଆମେ ବଗଛୁଆଟିକୁ ବଞ୍ଚାଇବା ପାଇଁ ଯାଉଥବା ବେଳେ ଛାଇରୁ ମରଣ ଉପରାନ୍ତ ସତ୍କାରକୁ ଯିବା ପରି ଲାଗୁଛି।
ଭୁର୍କୁଣ୍ଡୁ ବଗଛୁଆଟିକୁ ତା” ପାପୁଲିରୁ ଆସ୍ତେ ପାଣିରେ ଖସେଇ ଦେଲା। ତତ୍‌କ୍ଷଣାତ ସାମାନ୍ୟ ଛଟଛଟ ହୋଇ ଛୁଆଟା ଓଲଟି ପଡ଼ିଲା । ଓଲଟି ପଡ଼ି ଗୋଟେ ଗୋଡ଼ ଉପରକୁ ଟେକିଦେଲା। ଭୁର୍କୁଣ୍ଡୁ ତାକୁ ପାଣିରୁ ଛାଣିଆଣି ତା' ଥଣ୍ଟରେ ଗୋଟେ ଫୁଙ୍କ ଦେଲା । ନାଃ.. ମୁଁ ତାର ବେକତଳକୁ ହଲେଇଲି । ସେଇ ଜାଗା ଆଉ ଫକଫକ କରୁନଥିଲା। ତା' ଆଖ ଉପରେ ପରଳ ମାଡ଼ି ଥଣ୍ଟରୁ ଛୋଟ ଧାରେ ରକ୍ତ ଲମ୍ବି ଆସୁଥୁଲା। ଆମ ଦୁହିଙ୍କ ଆଖଝୂ ରେ ଗୋଟେ ଦୋଷୀଦୋଷୀଭାବ ମାଡ଼ି ପଡୁଥିଲା। ଭଙ୍ଗାଭଙ୍ଗା କଣ୍ଠରେ ଭୁର୍କୁଣ୍ଡୁ କହିଲା, ଚାଲ୍‌. ଇଆକୁ ତା' ବସାରେ ଛାଡ଼ିଦେବା। ତା' ମା' ଫୁଙ୍କ ଦେଲେ ଇଏ ଉଠିବସିବ, ତା' ଲମ୍ବା ଥଣ୍ଟରେ ଫୁଙ୍କର ପବନ ପହଁଚିବ, ନିଶ୍ଚେ ଉଠିବ ଯେ।
ଭୁର୍କୁଣ୍ଡୁ ସେମିତି ଥଣ୍ଟଗାଜି ତା” ପାପୁଲିରେ ପଡ଼ିଥିବା ବଗଛୁଆଟାକୁ ଧରି ମସ୍ତବଡ଼ ଆମ୍ବଗଛ ଆଡ଼କୁ ମୋ ସାଙ୍ଗରେ ଦୌଡ଼ିଲା। କିଛି ସମୟ ତଳେ ଗଛତଳେ ଫାଟି ପଡୁଥବା ଆଇଁଷିଆ ଗନ୍ଧ କୁଆଡ଼େ ଉଭେଇ ଯାଇଥିଲା। ମସ୍ତବଡ଼ ଗଛଟା ବି ଆମକୁ ଆଗଠୁ ବହୁତ ଛୋଟ ଲାଗୁଥିଲା। ଭୁର୍କୁଣ୍ଡୁ ତା” ଗାମୂଛାରେ ବଗଛୁଆଟିକୂ ପୂରେଇ ଗଣ୍ଠ ପକେଇଦେଲା। ଗାମୁଛାକୁ ବେକରେ ଗୁଡ଼େଇ ତା' କଳା କିଟିକିଟି ପିଠିରେ ପକେଇ ଦେଲା । ଗଛର ତଳ ଡାଳକୁ ହୁଚ୍‌କା' ମାରୁମାରୁ କହିଲା, ତୁ ତଳେ ଥା', ମୁଁ ଇଆକୁ ଗଛ ଉପରେ ଛାଡ଼ି ଆସୁଛି, ଚିନ୍ତା
କରନା, ବଞ୍ଚଯିବ।
ମୁଁ ଆଖି ରେ ପଲକ ପକେଇ ନାଇଁ ସେ ଦମଦାମ ସେଇ ମସ୍ତବଡ଼ ଆମ୍ବଗଛର ବାହିକୁ ବାହି ଧରି ଉପରକୁ ଚଢୁଛି। ଗଛ ଉପରୁ ପୁଣି ଶହଶହ ବଗ ଗଛ ଚଉପାଶକୁ ଉଡ଼ି ଯାଉଛନ୍ତି । କେଁ କେ... ରେ..ରେ.. ଗୋଟେ କୋଳାହଳରେ କମ୍ପି ଯାଉଛି ଖଣ୍ଡମଣ୍ଡଳ। ଶହଶହ ବଗ ଚକ୍କର କାଟି ଗଛ ଉପରେ ଘୂରି ବୁଲୁଛନ୍ତି । ତାଙ୍କ କର୍କଶ ରାବକୁ ଖାତିର ନକରି ଭୁକୁଣ୍ଣୁ ବାହି ବାହି ହୋଇ ଅଗିଡାଳକୁ ପହଞ୍ଚୁଗଲା। ମୁଁ କପାଳ ଉପରେ ପାପୁଲି ଛାପି ଠିକ୍‌ ଦେଖୁଛି, ସେ ଗୋଟେ ହାତରେ ଗୋଟେ ଅଗିଡାଳକୁ ବେଢ଼େଇ ଆର ହାତରେ ଗାମୁଛାର ଗଣ୍ଠି ଖୋଲି ବଗଛୁଆଟାକୁ ତା” ବସାରେ ଛାଡ଼ିଦେଲା।
ଏଇ କଣ ? ଭୁର୍କୁଣ୍ଡୁ ତଳଡାଳକୁ ତା' ପାଦ ଖସେଇବା ବେଳେ ସେ ହାତରେ ଧରିଥିବା ଅଗିଡାଳଟା କଡ଼ମଡ଼ ଭାଙ୍ଗି ଯାଉଛି । ହେ...ହେ... ବାହି ବାହି ହୋଇ ପିଟି ହୋଇ ସେ ମସ୍ତବଡ଼ ଆମ୍ବଗଛ ଉପରୁ ଖସି ପଡ଼ୁଛି। ଆକାଶ ଆକଶ ଉଁଚର ଆମ୍ବଗଛ । ତା' ତଳେ ଉପରକୁ ଆଖ୍ବ ଟେକି ଗଡ଼ଘାଲି ପଡ଼ିଛି ଭୁର୍କୁଣ୍ଡୁର କାଳିଆ ଦିହ। ଗୋଟେ ଗୋଡ଼ ଭାଙ୍ଗି ଟେକି ହୋଇ ପଡ଼ିଛି।
ବଗଛୁଆ ପରି ତା'ର ବେକକୁ ମୁଁ ହଲେଇ ଦେଉଛି । ଅବିକଳ ବଗଛୁଆ ମୁଣ୍ଡ ନାଡ଼ିଲା ପରି ତା ମୁଣ୍ଡ ନାଡ଼ି ହୋଇ ଯାଉଛି। ବଗଛୁଆର ଥଣ୍ଟରୁ ପାଣିମିଶା ରକ୍ତ ବାହାରିଲା ପରି, ତା' ଦୁଇ ନାକପୁଡ଼ାରୁ ବାହାରି ଆସୁଛି ସିଙ୍ଘାଣିମିଶା ଧାରେ ରକ୍ତ ! ଆଖ ଉପରେ ସ୍ଥିର ହୋଇ ଯାଉଛି ଡୋଳା। ଡେରି ଦେଉଛି ଆଖି  । ମୁଁ ମୋର ଦୁଇ ପାପୁଲିରେ ତା'ର ଦୁଇଗାଲକୁ ଧରି ହଲଉଛି।
ମୁଁ ଛାନିଆ, ଡାକୁଛି, ଏ... ହେଲେ ମୋ ପାଟି ଦେଇ ଶବଦ ବାହାରୁ ନାହିଁ। କାଠ ହୋଇ ଯାଉଛି ମୋର ଓଠ ! ନିସ୍ପନ୍ଦ ହୋଇ ଯାଉଛି ମୋର ସ୍ଵରତନ୍ତ୍ରି ! !
ଏ ଭୁର୍କୁଣ୍ଡୁ... ଭୁର୍କୁଣ୍ଡୁ... ଭୁର୍କୁଣ୍ଡୁ... ଏ...

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment