Welcome to shalandi webzine

ଡଙ୍ଗର ତଳର ବୁରୋଲଟି

ମଳୟ ମିଶ୍ର

ପଶ୍ଚିମାଭାଷାରେ ଏମିତି ଗୋଟେ ଢମାଳି ଅଛି : ' ଡଂଗର ତଲର ବୁରୋଲଟିରେ , ସ ର୍ ସୋ ତି ! / ଖାଏତୁ ବଲେ ତୁଲି ଆନି ଦେତି...! ' ସରସୋତି ବୋଇଲା : ବୁଝେଇ ଦିଅ !

ପଶ୍ଚିମାଭାଷାରେ ଏମିତି ଗୋଟେ ଢମାଳି ଅଛି :
' ଡଂଗର ତଲର ବୁରୋଲଟିରେ , ସ ର୍ ସୋ ତି ! / ଖାଏତୁ ବଲେ ତୁଲି ଆନି ଦେତି...! '
ସରସୋତି ବୋଇଲା : ବୁଝେଇ ଦିଅ !
ମୁଇଁ ବୋଇଲି : ସରସୋତି ବଇଲେ ତତେ କଇଲି , ପାହାଡ ତଳର ଧରସାରେ ବୁରୋଲଟି ବଲେ , ଲଟିବୁରୋ ବଲେ , ଭୂଇଁ ବରକୋଳି ; ପାଚି କରି କେମିତି ଲାଲ୍ ଗଲଗଲ ହେଇଚି ଲୋ ! ଖାଆନ୍ତୁ ବୋଇଲେ ତୋଳି ଆଣି ଦିଅନ୍ତି !
ସୁଜନେ ! ମାଈପିଲା ବୋଲେ ଝିଅପିଲାମାନଙ୍କର ବରକୋଳି ବୋଲେ ଖଟାଫଳଗୁରା ଖାଇବାକୁ ବଡ୍ଡ ମନ ଏକା । ନୁଣନଙ୍କା ଚୁରି ପତରରେ ଧରି ଦାନ୍ତେରେ କେତିରି କେତିରି ଖାଆନ୍ତି ନୁଚେଇକି । ଫୁଣି ନଟିବରକୋଳି ଆଗ ପାଚେ ମୁଣ୍ଡିଆ ତଳଆଡେ । ସେଗୁରା କଁ କଣ୍ଟାଝଣ୍ଟା ମାନନ୍ତି କି ! ସେଉଠୁ ନୁଙ୍ଗୁଡିଆ ଟୋକା ଭୁତେଇଲା : ଏ' ଏ' ସରସୋତି ! ଖାଇବୁ ଯଦି କ' , ତୋଳିଆଣି ଦେବି । ନହେଲେ ଆ' ଯିବା , ସେଇ ମୁଣ୍ଡିଆ ଆଡେ । ଖଟାମିଠା କୋଳିଖାଇଲାବେଳେ କଣ୍ଟାମଣ୍ଟା ଟିକେ ମାଡିପକେଇଲେ କି ଆଞ୍ଚୁଡି ମାଞ୍ଚୁଡି ହେଇ ଖଣ୍ଡିଆ ଖାବରା ହେବାଟାକୁ ଧଇଲେ ଚଳିବ କି ?
ସେଠଉଁ ସରସୋତି ନୋଭେଇଲା ।
ସରସୋତି ଫଁ କଲା : ମୁଁ କଉଠି କୋଉ ଟୋକାକଥାରେ ଲୋଭେଇଲି ?
ଦେଖ , ଇମିତିକା ଫିସାଦିଆ କଥା କଇବନି , ଜାଣିଥା କଉଚି !
ଇମିତିର ତ ତା'ର ମୋର ଯୋଉ ନୁଙ୍ଘାକଥା ହଉ , ସେଥେରୁ ଖଣ୍ଡେ ଦି'ଖଣ୍ଡ କାଠିଝାଟି ନେଇ ମୁଁ ଚୁଲିରେ ଜାଳ କଲେ , ସିଏ ଧରିପକାଏ । ଚିତ୍ରଲେଖା କହିଦେଲେ , ଚିଡେ । ସେଥର କହିଲା : ତମର ଏସବୁ ସନ୍ଧାଭାଷା ମୁଁ ବୁଝେନି । ' ଆଉଥରେ କହିଥିଲା : ମାୟାଦରପଣର ଗୁପତବାରତା ଜଳାକବାଟିରେ ଭାବ ଦିଆନିଆ ବେଳେ ' ରାତିରେ କଥାହବାକୁ ମେତେ ଡର ମାଡେ । '
ଆଚ୍ଛା , ସରସୋତିଟା ଦରବୁଢୀ ହେଲାଇଁ , ଏମନ୍ତ ନଖରା କରେ କିଆଁ ?
ଫୁଣି ସରସୋତି ପଚାରିଲା : କୋଉ ନଖରା ?
ମୁଁ କଇଲି : ଫୁଲନଖରା ।
ସେ ଫୁଲେଈ ହେଲା : ହେଟା କଉଠି ?
ମୁଁ କଇଲି : କଟକ ପାଖେରେ ।
ସେ ଫୁଣି ଛଇ କାଢିଲା : କୋଉ କଟକ ? ପୁରୁଣାକଟକ , ବିଷମକଟକ ?
ମୁଁ କଇଲି : କଟକନଗର ଧବଳଟଗର ଗଗନର ଘର ।
ଆଉ ତାକୁ ସମାଳେ କିଏ ଲୋ ମା ! ଗଗନର ନାଁ'ଟା ଶୁଣିଦେଲାରୁ ସେ ରାଗେରେ ଛତ୍ରଛାଳ । କୁଆଡେ ଗଗନ ତାକୁ ସେଇ ମୁଣ୍ଡିଆତଳୁକୁ ଥରେ ଭୁଲେଇନେଇ
 
 
ଜାମୁକୋଳି ଖାଇବାକୁ ଡାକିନେଇଥିଲା । ଜାମୁକୋଳି ଜାଣିଚ ନା ? ରକତ ଟଳମଳ / ଖଇର ପାଞ୍ଚପଳ / ସେ କେଉଁ ଗଛର ଫଳ ? ( ନୟାଗଡ ପରୀକାହାଣୀ ଆଡୁକୁ ଯିବନି ! ) ଘରୁକୁ ସଞ୍ଜେରେ ଫେରିଲାବେଳୁକୁ ଧିଅଯାକ ନଟିବରକୋଳି କଣ୍ଟାରେ ଚିରା ଫଡା ଆଞ୍ଚୁଡା । ଦାଣ୍ଡେରେ ନାଗରା ବାଜିଗଲା । ସେଇଦିନଠୁଁ ସେ ଟୋକା ଗଲା ଯେ , ସିଆଡେ ମାମୁଁଘରେ ରହି ପଢି ଏବେ କଉଠି ଯାଇଁ କାନତରାଟି କାମ କରୁଚି ।
ସରସୋତି ଆଖିତରାଟି କଇଲା : ଫୁଣି ସେ ଯୋଗଣିଖିଆର ନାଁ ପକେଇଲ ?
ମୁଁ କାନ ଧଇଲି । ତଳେ ନାକ ଘଷିବାର ଆକ୍ ସନ୍ କଲି । ମିଛେରେ ତିନିଥର ଉଠ୍ ବସ୍ ହବାର ଡ୍ରାମା ରିହର୍ସଲ୍ ବି କରି ପକେଇଲି ।
ସେଇଠୁ ସରସୋତି ଥଣ୍ଡା ହେଲା । ମୋ କଥାଟି ସଇଲା । ଫୁଲଗଛଟି ମଲା ।
ଆଉ ଉଖାରନା : ହଇରେ ଫୁଲଗଛ ! କାଇଁକି ମଲୁ ? ' ବୋଲି !
ମଲା ତ ମଲା । ¤।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment