Welcome to shalandi webzine

ଆଦିମ

ତରୁଣକାନ୍ତି ମିଶ

ଅରୂପ ହାତରେ ଧରିଥିଲା ଗୋଟିଏ ଛୋଟ ପ୍ୟାକେଟ୍, ପୁରୁଣା ଖବରକାଗଜରେ ବନ୍ଧା ପୁଟୁଳିଟିଏ । ସୁମିତ୍ରା ପଚାରିଥିଲା - ଏ କ'ଣ ? - କିଛି ନୁହେଁ । ଗୋଟେ ପଥର ମୂର୍ତ୍ତି । - ନଟରାଜ ! - ନା, ନଟରାଜ ନୁହନ୍ତି ।

ଅରୂପ ହାତରେ ଧରିଥିଲା ଗୋଟିଏ ଛୋଟ ପ୍ୟାକେଟ୍, ପୁରୁଣା ଖବରକାଗଜରେ ବନ୍ଧା ପୁଟୁଳିଟିଏ ।

ସୁମିତ୍ରା ପଚାରିଥିଲା - ଏ କ'ଣ ?
- କିଛି ନୁହେଁ । ଗୋଟେ ପଥର ମୂର୍ତ୍ତି ।
- ନଟରାଜ !
- ନା, ନଟରାଜ ନୁହନ୍ତି  ।
କହିବା ଭିତରେ ପୁଟୁଳିଟି ଫିଟାଇ ସାରିଥିଲା ଅରୂପ ।
ସୁମିତ୍ରା ପାଖକୁ ଆସି ଦେଖିଥିଲା । “ଏ କି ପ୍ରକାର ମୂର୍ତ୍ତି? ବଡ଼ ଅଦ୍ଭୂତ ତ!'
କିଛି ଅଦ୍ଭୂତ, କିଛି ଅଲଗା ଧରଣର ମୂର୍ତ୍ତି । ଗୋଟିଏ ବୁଢ଼ାଲୋକ, ଦୁର୍ବଳ, ଶୀର୍ଣଦେହୀ । କୋଳରେ ତା'ର ଗୋଟିଏ ଛୋଟ ଶିଶୁ   । କାହାରି ଦେହରେ ପୋଷାକ ନାହିଁ ।
ଲଂଗଳା ଭୋକିଲା ମଣିଷଟି ବିମର୍ଷ ଆଖିରେ ଚାହିଁ ରହିଛି ଶିଶୁଟିକୁ  । ଶିଶୁଟିର ଆଖିରେ ବି ଜ୍ୟୋତି ନାହିଁ ।
- ଏ ମୂର୍ତ୍ତି କୋଉଠୁ ଆଣିଲ?
ଅରୂପ ଯାଇଥିଲା ମାଳ ଅଂଚଳକୁ, ସରକାରୀ ଗସ୍ତରେ  । ବର୍ତ୍ତମାନ ଘରେ ଆସି ପହଂଚିଛି । ସେ କିଛି ନ କହି, ମୂର୍ତ୍ତିଟି ଟେବୁଲ୍ ଉପରେ ରଖି ଲୁଗା ପାଲଟିବାକୁ ଗଲା । ଗାଧୁଆ ଘରୁ ଫେରିଆସି ଦେଖିଲା ସୁମିତ୍ରା ମୂର୍ତ୍ତିଟିକୁ ଭଲକରି ଦେଖୁଚି ।
ସୁମିତ୍ରା ପଚାରିଲା - ଏଇଟା କୋଉଥିରେ ତିଆରି? ମୁଗୁନି ପଥର?
- ନା, ଅଲଗା ପଦାର୍ଥ, ଆହୁରି ଓଜନିଆ ମୁଗୁନି ପଥରଠାରୁ, ରଂଗ ବି ଦେଖ ଅଲଗା ।
- ବଡ଼ ବିଚିତ୍ର । ଏ ଛୋଟ ପିଲାର ଆଖି ଦୁଇଟା ଦେଖିଛ?
- ହଁ, ଭୋକିଲା ଆଖିର ଭାଷା ଯେମିତି ହୋଇଥାଏ ।
- ଏଇଟା ତୁମେ ଶୋଇବା ଘରେ ରଖିବ?
- ତ୍ରଇଂ ରୁମରେ ରଖିଲା ପରି ମୂର୍ତ୍ତି ଏ ନୁହେଁ ସୁମିତ୍ରା!
ଖାଇବା ଟେବୁଲରେ ବସି ସୁମିତ୍ରା ପଚାରିଥିଲା- କୁବେରଗଡ଼ କେମିତିକା ଜାଗା?
ଅରୂପ ଆଗରୁ କେବେ କୁବେରଗଡ଼ ଯାଇ ନ ଥିଲା । ଅପହଂଚ ଅନୁନ୍ନତ ଅଂଚଳ । କେନ୍ଦୁପତ୍ର, ମହୁଲ, ମାଣ୍ଡିଆ ଛଡ଼ା ଆଉ କିଛି ମିଳେ ନାହିଁ । ଏସବୁ ସହିତ କିଛି ସମ୍ପର୍କ ନ ଥିଲା ତା' ଗସ୍ତକ୍ରମରେ  । ସେ ଯାଇଥିଲା ସର୍ଭେ ବିଭାଗର କିଛି କାମ ଦେଖିବାକୁ  ।
- ଧୃଳି ମହାରଣାର ଘର କୁବେରଗଡ଼ ପାଖରେ, ଟୁକୁରାପଡ଼ା ମୌଜାରେ ।
- ଧୂଳି ମହାରଣା ?
- ଏଇ ମୂର୍ତ୍ତିର କାରିଗର  ।
ଅଦିନ ଝଡ଼ ବର୍ଷା ଭିତରେ ଅରୂପ ଭେଟିଥିଲା ଧୂଳି ମହାରଣାକୁ,ଚାଲି ସଞ୍ଜରେ, ଆକସ୍ମିକ  । ସେହି ବୃତ୍ତାନ୍ତ ସେ କହିଥିଲା ସୁମିତ୍ରାକୁ, ସବିସ୍ତୃତ, ରାତିରେ ଶୋଇବା ସମୟରେ  ।
କୁବେରଗଡ ଅଂଚଳର ସର୍ଭେ କାମ ଦେଖିସାରି ଅରୂପ ଫେରୁଥିଲା ଗୋଟିଏ ପୁରୁଣା ଟାକ୍ସିରେ, ଡେପୁଟି ସର୍ଭେ ଅଫିସର ପ୍ରଭଞ୍ଜନ ସହିତ  । ଜଂଗଲ ବିଭାଗର ଗୋଟିଏ ଛୋଟ ତାକ ବଙ୍ଗଳାକୁ ।
ବାଟରେ ହଠାତ୍ ବର୍ଷା ଆରମ୍ଭ ହୋଇ ଯାଇଥିଲା

 
 
। ପ୍ରଥମେ ଅଳ୍ପ ଅଳ୍ପ ପବନ, ତା'ପରେ ପ୍ରବଳ ବର୍ଷା, ବତାସ, ବିଜୁଳି । ପୃଥିବୀକୁ ଥରାଇ ଦେବା ପରି । ପାହାଡ଼ି ରାସ୍ତାରେ ଆଗକୁ ଯିବା ଆଉ ସହଜ ନ ଥିଲା । ଟାକ୍ସି ଡ୍ରାଭଭର ବିଭୀଷଣ ଥିଲା ସେହି ଅଂଚଳର । ସେ କହିଥିଲା, ଆଉ ଅଠର କିଲୋମିଟର ଗଲେ ଛୋଟ ଗାଆଁଟିଏ ପଡ଼ିବ । ସେଇଠି ରହିଯାଇ ହେବ ଘଡ଼ିଏ ।
କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା । ମେଘ ବର୍ଷା ଭିତରେ ଅଙ୍କା ବଙ୍କା ରାସ୍ତା ଛପି ଯାଉଥିଲା ଆରଣ୍ୟକ ସରୀସୃପ ପରି  । ଅବଶେଷରେ ଗାଡ଼ି ରହିଥିଲା ଗୋଟିଏ ପାହାଡ଼ କଡ଼ରେ, ନିଛାଟିଆ ଜଗଂଲ ଭିତରେ । ପାଖରେ ଗୋଟିଏ ବୋଲି ଘର ।
- ଏ କୋଉ ଜାଗା? ପଚାରିଥିଲା ପ୍ରଭଞ୍ଜନ  ।
- ଗୋଟେ ଗାଆଁ ଥିଲା ଏଇଠି  । ବହୁତ ଦିନ ତଳେ  ।
ଅରୂପ ଚାରିଆଡ଼କୁ ଦେଖିଲା, ଅରଣ୍ୟ, ପର୍ବତ ଓ ନିର୍ଜନତା ଭିନ୍ନ କିଛି ନ ଥିଲା ତା' ଚାରିପାଖରେ  ।
ବିଭୀଷଣ କହିଥିଲା, ଏବେ କିଛି ନାହିଁ । ଖାଲି ଏଇ ଗୋଟିକ ଘର ଛାଡ଼ି ।
ଘରଟି ଆଡ଼କୁ ଆଖି ଫେରାଇଥିଲା ଅରୂପ । ଗୋଟିଏ ଭଙ୍ଗାରୁଜା ପୂରୁଣା ଘର । ଚାଳ ଘର, ମାଟି କାନ୍ଥ । କିନ୍ତୁ ତାହା ହିଁ ଆଶ୍ରୟ ଥିଲା ବର୍ତ୍ତମାନ ପରିସ୍ଥିତିରେ । ଏମିତି ଝଡ଼ ବର୍ଷା ପବନରେ ଗାଡ଼ି ଭିତରେ ବସିବା ନିରାପଦ ନୁହେଁ, ସମ୍ଭବ ବି ନୁହେଁ ।
କହିଲା, ଏମିତି ଅପନ୍ତରା ଜାଗାରେ ରହୁଛି କିଏ?
ରହୁଥିବା ଲୋକଟିର ଛାଇ ଦିଶିଗଲା ଘର ଭିତରୁ  । ଶୀର୍ଣ୍ଣ ଦେହଟିଏ, ନଇଁ ଆସୁଥିବା ପ୍ରଶ୍ନ ଚିହ୍ନ ପରି । ଲୋକଟି ତା'ପରେ ଅଦୃଶ୍ୟ ହୋଇଗଲା ।
ବିଭୀଷଣ କହିଥିଲା, ଏଠି ଗୋଟିଏ ଗାଁ ଥିଲା, ପନ୍ଦର କୋଡ଼ିଏ ପରିବାର ରହୁଥିଲେ । କ'ଣ ଗୋଟେ ମହାମାରୀ ହୋଇଥିଲା କେତେ ବର୍ଷ ତଳେ । ଅଜଣା ବ୍ୟାଧିରେ ଅଧାଅଧି ଲୋକ ମରିଗଲେ, ପ୍ରାୟ ସବୁ ଭେଣ୍ଡା ବୟସର ଲୋକ । ତା'ପରେ ବାକି ଲୋକ ଗାଁ ଛାଡ଼ÿି ଚାଲିଗଲେ । କହିଥିଲେ କୋପ ଦୃଷ୍ଟି ପଡ଼ିଛି ହାଡ଼ଚୋଷି ଠାକୁରାଣୀରା । କେହି ବଂଚିବେ ନାହିଁ । କେବଳ ଧୂଳି ମହାରଣା ରହିଗଲା । କହିଲା, ମୁଁ ଖାତିର କରେନି ହାଡ଼ଚୋଷିକୁ । ସେ ତ ମୋର ସବୁ ନେଇ ଚାଲିଗଲା । ଏବେ ଆସୁ ! ମତେ ବି ନେଇଯାଉ ।
ଧୂଳି ମହାରଣାର କେହି ଆଉ ନ ଥିଲେ । ସ୍ତ୍ରୀ ଚାଲିଯାଇଥିଲା ଅନେକ ଦିନରୁ, ପାଖରେ ପୁଅବୋହୁ ଥିଲେ, ନାତିଟିଏ ବି । ମହାମାରୀ ଆସିଲା  । ଭେଣ୍ଡା ପୁଅ, ଯୁଆନ ବୋହୁକୁ ନେଇ ଚାଲିଗଲା, ଗୋଟିଏ ଦିନରେ । କେବଳ ବାକି ଥିଲା ନାତିଟି । ସେ ବି ଦିନେ ଚାଲିଗଲା । ସେବେଠୁ ସେ ଏଇଠି ଅଛି । ଏକୁଟିଆ ।
- ଏକୁଟିଆ, ଏଇ ଜଙ୍ଗଲ ଭିତରେ! ଚଳେ କେମିତି ?
କେହି ଏ ପ୍ରଶ୍ନ ପଚାରିଲେ, ଧୂଳି ମହାରଣା ହାତଠାରି ଆକାଶକୁ ଇସାରା କରେ, କହେ - ସିଏ ଚଳଉଛି ।
ବିଭୀଷଣ କହିଥିଲା - ଭିତରକୁ ଯିବା ?
ଅନ୍ୟ ଗତି ହିଁ ନ ଥିଲା । ପ୍ରଭଞ୍ଜନ ଓ ଅରୂପ ଗାଡ଼ିରୁ ଓହ୍ଲାଇଲେ । ଝରକା ଫାଙ୍କରୁ ଲୋକଟି ସେମାନଙ୍କୁ ଦେଖିଲା । ବିଭୀଷଣର ମୁହଁଟିକୁ ସମ୍ବବତଃ ଚିହ୍ନିପାରି, କେହି ଡାକିବା ଆଗରୁ ସେ ଆସି କବାଟ ଖୋଲିଦେଲା ।
ଅନ୍ଧାରୂଆ ଘର । ଗୋଟିଏ କୋଠରି ଭିତରେ ଥିଲା ସଂସାରର ସବୁ ସାଧନ ଓ ସରଞ୍ଜାମ୍  । ରୋଷେଇ ଉପକରଣ, ବିଛଣାପତ୍ର, ସିନ୍ଧୁକ, ଲାଉତୁମ୍ବା, ଧନୁଶର, ମୃଦଂଗ, ହରିଣ ଛାଲ  । ହରିଣ ଛାଲଟି ବିଛେଇ ଦେଇ ଲୋକଟି ବସିବାକୂ ଇସାରା କଲା, ନିରବରେ ।
ଘରଟି ଭିତରେ କିଛି ଗୋଟାଏ ଗନ୍ଧ ଥିଲା, ଜଳିଜଳି ଲିଭି ଯାଇଥିବା ଝୁଣାର, ଶୁଖି ଯାଇଥିବା ଜଂଗଲୀ ଫୁଲର, କିମ୍ବା ଅନେକ ଦିନ ଧରି ବନ୍ଦ ରହିଥିବା ପଥରରେ ଗଢ଼ା ମନ୍ଦିରର ।
- ମୂର୍ତ୍ତି ତିଆରି କରେ ଧୂଳି ମହାରଣା  । ବହୁତ ପ୍ରକାରର ପଥର ମୂର୍ତ୍ତି  । ବିଭୀଷଣ କହିଥିଲା ।
ଅରୂପ ଦେଖିଥିଲା ଲୋକଟିକୁ ଅସ୍ଥିସାର, ଦୁର୍ବଳ ଲୋକଟିଏ । ବୟସ ଅଶୀଠୁ ଅଧିକ । ପରିଶ୍ରାନ୍ତ ନିସ୍ତେଜ ଦୁଇଟି ଆଖି ।
ଲୋକଟି କିଛି ନ କହି, ସେମିତି ନିରବରେ, ଦୁଇଟି ପିଜୁଳି ଓ ଦୁଇଟି କଦଳୀ ଆଣି ସାମ୍ନାରେ ରଖିଲା ।
- ନା ନା, ବ୍ୟସ୍ତ ହୁଅନାଇଁ, ଆମେ ଏବେ ଖାଇଛୁ, ଭୋକ ନାହିଁ  । କହିଥିଲା ପ୍ରଭଞ୍ଜନ  ।
-ଗୋଟେ ପିଜୁଳି ଚାଖନ୍ତୁ ନା, ଭାରି ସୁଆଦିଆ ।' ବିଭୀଷଣ ଗୋଟିଏ ପାଚିଲା ପିଜୁଳି ଧୂଳି ହାତରୁ ନେଇ ଖାଉ ଖାଉ କହିଲା ।
ବର୍ଷା ଛାଡ଼ିବାର ନ ଥିଲା । ପିଜୁଳି ଓ କଦଳୀ ଖାଇବା ପରେ ଚୁପଚାପ୍ ବସି ରହିବାକୁ ହେଲା କିଛି ସମୟ ।
ବିଭୀଷଣ କହିଲା, 'ମୂର୍ତ୍ତି ଦେଖିବେ? ବାଡ଼ି ପାଖକୁ ଚାଲନ୍ତୁ ।'
ଘର ପଛପଟ ପିଣ୍ଡା ଉପରେ, ସାରା ଅଗଣାରେ ପଡି ରହିଥିଲା ଅନେକ ପଥର ମୂର୍ତ୍ତି, ଭଙ୍ଗା ଭଙ୍ଗା ପଥର ଖଣ୍ଡ, ଗୁଣ୍ଡ ଗୁଣ୍ଡ ଆଦିମ ମାଟି ।
ଅଗଣାର ମୂର୍ତ୍ତି ସବୁ ଭିଜୁଥିଲେ ବର୍ଷା ପାଣିରେ । ପିଣ୍ଡା ଉପରେ ଥିବା ମୂର୍ତ୍ତି ସବୁ ନିଶ୍ଚଳ ଦୃଷ୍ଟିରେ ଦେଖୁଥିଲେ ଆକାଶକ୍ଟ, ମେଘରୁ ଝରି ଆସୁଥିବା ଜଳବିନ୍ଦୁକୂ । ବର୍ଷା ଧୀରେ ଧୀରେ କମି ଆସୁଥିଲା । ଅପରାହ୍ଣର କ୍ଷୟିଷ୍ଟୁ ଆଲୋକ କିଛି ଉଜ୍ଜ୍ୱଳ ହୋଇ ଉଠିଥିଲା ମେଘଢଂକା ଆକାଶରେ ।
ଅରୂପ ମୂର୍ତ୍ତିଗୁଡ଼ିକୁ ଦେଖିଥିଲା, ପ୍ରଭଞ୍ଜନ ବି । ନାନା ପ୍ରକାରର ମୂର୍ତ୍ତି, ନାନା ଉଚ୍ଚତାର  । ସୁନ୍ଦର ଥିଲା ସେ ସବୁ ମୂର୍ତ୍ତି, କୁଶଳୀ ହାତର ସ୍ପର୍ଶ ଥିଲା ସେଥିରେ । କିନ୍ତୁ ଟକିଏ ଭଲ କି ଦେଖଲେ ମନେହେବ, ପ୍ରତିଟି ମୂର୍ତ୍ତିରେ ଯେମିତି ଥିଲା କିଛି କିଛି ଅଭାବ, କିଛି କିଛି ବ୍ୟତିକ୍ରମ ।
- ଏ ମୂର୍ତ୍ତି ଜମାରୁ ବିକ୍ରି ହୁଏ ନାହିଁ କୁବେରଗଡ଼ ହାଟରେ, କେହି କିଣନ୍ତି ନାହିଁ । କିନ୍ତୁ ତା ପଥର ବାସନ ବିକ୍ରି ହୁଏ ଢେର  । ଦିଅଁ ଖଟୁଲି, ଦୀପ ରୁଖା ବି । କହିଥିଲା ବିଭୀଷଣ, ଗୋଟିଏ ପଲମ ତଳୁ ଉଠାଇ ନେଇ, ହାତରେ ଧରି ।
କିନ୍ତୁ ସେ ଆହୁରି କହିଥିଲା, “ଗୋଟିଏରୁ ଯୋଡେ଼ ବି ବାସନ ବିକିବ ନାଇଁ ସେ ହାଟରେ, ଘରକୁ ଫେରିଆସି ଏଇ ମୂୂର୍ତ୍ତିି ସବୁ ଗଢ଼ିବ । ଗଢୁଥିବ, ଦେଖୁଥିବ, ଭାଂଗୁଥିବ । ନ ହେଲେ ସେ ମୃଦଂଗଟାକୁ ରାତିଦିନ ପିଟି ଚାଲିଥିବ ।'
ଅରୂପ ଦେଖିଲା ମୂର୍ତ୍ତି ଗୁଡ଼ିକୁ । ଅଭୂତ ଶରୀରର ସରୀସୃପ, ଅଦ୍ଭୁତ କିସମର ପଶୁପକ୍ଷୀ । ଅଦ୍ଭୁତ ମଣିଷର ପ୍ରତିକୃତି । ସେଥିରୁ ଗୋଟିଏ ଥିଲା ଦୁଇ ଭୋକିଲା ମଣିଷର ମୂର୍ତ୍ତି, ଗୋଟିଏ ବୁଢ଼ା ମଣିଷ, ଗୋଟିଏ ଛୋଟପିଲା ।
ପଥରର ଦେହ, ପଥରର ଆଖି, ପଥରର ସାନ୍ଦ୍ର ନିରବତା । ସେ ଦୁଇଟି ଦେହ ଓ ଚାରିଟି ଆଖିରେ ଯେଉଁ ଅଭିଭାଷ ଥିଲା, ସେଥିରେ ଆନନ୍ଦ ନ ଥିଲା, ଦୁଃଖ ନ ଥିଲା, ସ୍ୱପ୍ନ ନ ଥିଲା, ସୁତି ବି ନ ଥିଲା । ବୁଢ଼ାଲୋକଟି ଦିଶୁଥିଲା ଧୂଳି ମହାରଣା ଭଳି, ଦୁର୍ବଳ, ନିରନ୍ନ ।
ଅରୂପ କହିଥିଲା - ମୁଁ ଏଇ ମୂର୍ତ୍ତିଟା କିଣିବି ।
ଧୂଳି ମହାରଣାର ନିରାସକ୍ତ ନିଷ୍ପ୍ରଭ ଦୁଇ ଆଖି ଟିକିଏ ତରଳିଗଲା, କୁହୁଡ଼ି ପରି ପାଂଶୁଳ ଦ୍ରବଣରେ । ସେ ତା'ର କେତୋଟି ଶୀର୍ଣ୍ଣ ଆଙ୍ଗୁଠିରେ ସ୍ପର୍ଶ କଲା ମୂର୍ତ୍ତିକୂ । କହିଲା - ନା
ଟିକେ ଚୁପରହି କହିଥିଲା, ଅରୂପ ଇଚ୍ଛା କଲେ ଅନ୍ୟ ଯେକୌଣସି ମୂର୍ତ୍ତି ନେଇପାରେ, ଏଇଟିକୁ ଛାଡ଼ି
- ମତେ ଏଇଟା ସବୁଠୁ ବେଶି ଭଲ ଲାଗୁଚି, କେମିତି ନୂଆ ରକମର ଅଲଗା ।
- ନା
ସ୍ତିମିତ କିନ୍ତୁ ଅବିଚଳ ସ୍ୱରଟିଏ ।
ଅରୂପ ଅନ୍ୟାନ୍ୟ ସବୁ ମୂର୍ତ୍ତି ଦେଖିଥିଲା । ନାନା ଗଣର ମୂର୍ତ୍ତି। ସବୁଥିରେ ରହିଥିଲା ଏକ ଅପହଂଚ ଅସମ୍ପୂର୍ଣ ଭାବ । କିଛି କମ୍ ଥିଲା ପରି, କିଛି ଛାଡ଼ି ଯାଇଥିବା ପରି । ଯେମିତି ଧୂଳି ଆଉ କେବେ ଦିନେ ସେତକ ସାରିବ, କିମ୍ବା ଆଉ ଅନ୍ୟ କେହି ଜଣେ ।
ଅରୂପ ପୁଣି ଥରେ ଦେଖିଥିଲା ଲଙ୍ଗଳା ମଣିଷର ସେହି ମୂର୍ତ୍ତିଟିକୁ । ମନ୍ୱନ୍ତରର ସାକ୍ଷୀ ପରି ଦୁଇଟି ମଣିଷ ଗୁଣୁଗୁଣୁ ସ୍ୱରରେ କିଛି କହିଥିଲା ଧୂଳି ମହାରଣା, ପ୍ରଥମେ ଶୁଭିଲା ନାହିଁ ।
ତା'ପରେ ଶୁଭିଲା ଭଳି ସ୍ୱରରେ କହିଥିଲା - ଠିକ୍ ଅଛି, ନେଇଯାଅ ।
ଖୁବ୍ ଯନôରେ, ଗୋଟିଏ ପୁରୁଣା ଖବରକାଗଜରେ ମୂର୍ତ୍ତିଟି ବାନ୍ଧି ସେ ଅରୂପ ହାତକୁ ବଢ଼ାଇ ଦେଇଥିଲା । କିନ୍ତୁ ସେ କିଛି ଦାମ୍ ନେଲା ନାହିଁ । କହିଥିଲା, ବିକିବା ପାଇଁ ମୂର୍ତ୍ତିଟି ସେ ତିଆରି କରି ନ ଥିଲା । ସେ ଅବଶ୍ୟ ଦାମ୍ ନେଇଥିଲା ବିଭୀଷଣଠାରୁ ଦୁଇଟି ପଥର ବାସନର । ପ୍ରଭଞ୍ଜନ ବି କିଣିଥିଲା ଦୀପଦାନିଟିଏ ।
ଜାଣ, ଫେରନ୍ତା ବାଟରେ ମୋତେ ଲାଗୁଥିଲା, ଯେମିତି ଧୂଳି ମହାରଣା ଆମକୁ ଅନୁସରଣ କରୁଛି, ସାରା ସମୟ, ସାରା ରାସ୍ତା, ଯେମିତି ତା'ର କିଛି କହିବାର ଥିଲା, କହି ନାହିଁ ।
ଅରୂପ କହିଥିଲା ଶୋଇବା ଘରର ଛାୟାଛନ୍ନ ଅନ୍ଧାର ଭିତରେ । ତା ସ୍ୱର ଶୁଭିଥିଲା ଅନେକ ଦୂରର କ୍ଳାନ୍ତ ସ୍ୱରଟିଏ ପରି ।
ସେଇ ଅନ୍ଧାର ଭିତରେ ମନେ ହେଉଥିଲା ମୂର୍ତ୍ତିଟି ସତେ କି ଜୀବନ୍ତ ହୋଇ ଉଠୁଛି ଧୀରେ ଧୀରେ, ତା' ଦେହରେ ସ୍ପଂଦନ ଆସିଛି, ହୁଏତ ସେ ନିଃଶ୍ୱାସ ବି ନେଉଛି!
ସୁମିତ୍ରା ପରଦିନ ସକାଳେ ଦିନ ଆଲୁଅରେ ମୂର୍ତ୍ତିଟିକୁ ଦେଖିଥିଲା । ଶିଶୁର ଆଖିରେ ଥିଲା ଭୋକର ଛବି, ନିରାଶ୍ରୟ ଜୀବନର ଛବି  ।
- ଜାଣ, ଏ ପୃଥିବୀରେ କେତେ ଭୋକିଲା ଶିଶୁ ଅଛନ୍ତି  । କେତେ ପିଲା ଭୋକିଲା ପେଟରେ ଶୋଇବାକୁ ଯାଆନ୍ତି । ଆମେ ଏଇକଥା ହେବା ଭିତରେ ପାଖରେ କୋଉଠି ପିଲାଟିଏ ମରିଯାଇଛି । ଭୋକରେ ।
କହିଥିଲା ଅରୂପ, ଟିକିଏ ଚୁପ୍ ରହିଥିଲା  । ତା'ପରେ କହିଥିଲା:  ଗତବର୍ଷ ଅନାହାରରେ ସାଢେ଼ ଚାରିକୋଟି ଲୋକ ମରିଛନ୍ତି ଯଦିଓ ସାରା ପୃଥିବୀରେ ବଳକା ଅଛି ଅଠତିରିଶ କୋଟି ଲୋକଙ୍କ ପାଇଁ ଆବଶ୍ୟକ ସୁଷମ ଖାଦ୍ୟ  ।
ସଞ୍ଜରେ ଅଫିସରୁ ଫେରି ଅରୂପ ମୂର୍ତ୍ତିଟିକୁ ନିରେଖି ଦେଖିଥିଲା ।
- କ'ଣ ଦେଖୁଚ ? ପଚାରିଥିଲା ସୁମିତ୍ରା ।
ଅରୂପ କହିଥିଲା, ଏ ମୂର୍ତ୍ତି ବିଷୟରେ ଭାବୁଥିଲି ସାରା ଦିନ । କିଛି ଗୋଟେ ନାହିଁ ତା' ଭିତରେ, ଆଉ ତାହା ହିଁ ତା'ର ବିଶେଷତ୍ୱ  । ଏ ପଥର ବି ଦେଖ ଭିନ୍ନ ପ୍ରକାରର ।
- ତୁମେ ତ କହିଥିଲ ମୁଗୁନି ପଥର ନୁହେଁ ବୋଲି । ତେବେ କ'ଣ ଜିପସମ ନା ଆଉ କଅଣ ।
- କିଛି ଗୋଟିଏ ବିରଳ ଧାତୁର ପ୍ରଭଞ୍ଜନ ଗୋଟିଏ ଦୀପଦାନି ଆଣିଥିଲା । ତାକୁ ସେ ଧାତୁ ପ୍ରତିଷ୍ଟାନର ରିଜିଓନାଲ୍ ଲାବୋରେଟୋରିରେ ଦେଇଛି । କି ଜିନିଷ ଜାଣିବା ପାଇଁ ।
ପରଦିନ ଅଫିସରୁ ଫେରି ଅରୂପ କହିଥିଲା, ଏ ମୂର୍ତ୍ତିଟି କେଉଁ ପଦାର୍ଥରୁ ତିଆରି ଜାଣ ?
- କୋଉଥିରୁ ?
- ରାଡିଅମ୍ ।
- ରେଡିଅମ୍?
- ନା, ରାଡିଅମ୍ । ଅତି ବିରଳ ଧାତୁ, ଅତି ମୂଲ୍ୟବାନ୍ ବି  ।
- ସୁନାଠାରୁ ବି?
- ଅନ୍ତତଃ ଆଠ ଗୁଣା ଅଧିକ ଦାମ୍
- ସତରେ?
ପ୍ଲାଟିନମ୍ ଭଳି ଏହି ଧାତୁ ଅତି ମୂଲ୍ୟବାନ୍  । ହାଇଟେକ୍ ଫୁଏଲ ସେଲ୍ ଟେକ୍ନୋଲୋଜିଠୁ ଆରମ୍ବ କରି ଫାର୍ମାସ୍ୟୁଟିକାଲ୍, ଜୁଏଲାରି ଯାଏଁ, ବିଦେଶରେ ଏହାର ଖୁବ୍ ଚାହିଦା । ଆମ ଦେଶରେ ପ୍ରାୟ ମିଳେ ନାହିଁ । ଯାହା ଅଳ୍ପ କିଛି ମିଳିଥାଏ ଦକ୍ଷିଣ ଭାରତର ଦୁର୍ଗମ ଅଂଚଳରେ  ।
ପରବର୍ତ୍ତୀ ସମୟର ଘଟଣାକ୍ରମ ଥିଲା କ୍ଷିପ୍ର ଓ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଖଣି ବିଭାଗରେ ଏ ଖବର ପହଂଚିବାରେ ବିଳମ୍ବ ହେଲା ନାହିଁ । ରିଜିଓନାଲ୍ ଲାବୋରେଟୋରିର ମୁଖ୍ୟ ନିଜେ ସେହି ପରୀକ୍ଷା ରିପୋର୍ଟ ନେଇ ଦିଲ୍ଲୀ ଗଲେ, ଆଲୋଚନା କଲେ, ବିଶେଷଜ୍ଞ ଦଳ କେନ୍ଦ୍ରରୁ ଆସି ପହଂଚିଗଲେ ସରଜମିନରେ ।
ରେଭିନ୍ୟୁ ବିଭାଗର ସର୍ଭେ ସଂସ୍ଥା ସହିତ ବିଶେଷ ସମ୍ପର୍କ ନ ଥିଲା ଏଥିରେ । କିଛି ପୁରୁଣା ଟ୍ରାଭର୍ସ ଡାଟା ମାଗି ନେଇ ବିଶେଷଜ୍ଞ ଦଳ କୁବେରଗଡ଼ ଯାଇଥିଲେ । ଦୁଷ୍ପ୍ରାପ୍ୟର ଅନ୍ୱେଷଣରେ  । ଥିଓଡେ଼ାଲାଇଟ୍ ସର୍ଭେର ଅଗ୍ରଗତି ଦେଖିବା ପାଇଁ ଦିନେ ପ୍ରଭଞ୍ଜନ ବି ଯାଇଥିଲା କୁବେରଗଡ଼ ଅଂଚଳକୁ  । ସେଇ ବାଟରେ ଥିଲା ଧୂଳି ମହାରଣାର ଘର ।
ଏଥର ଗାଡ଼ିରେ ବିଭୀଷଣ ଡ୍ରାଇଭର ନ ଥିଲା । ଥିଲା ଆଉ ଜଣେ ଡ୍ରାଇଭର । ସାରା ରାସ୍ତା ପ୍ରଭଞ୍ଜନ ଅନାଇ ବସିଥିଲା ଧୂଳି ମହାରଣାର ଘରକୁା କିନ୍ତୁ ଦେଖିବାକୁ ପାଇଲା ନାହିଁ । ନୂଆ ଡ୍ରାଇଭର କହିପାରିଲା ନାହିଁ, ଧୂଳି ମହାରଣାର ଘର କୋଉଠି ରହିଗଲା । ଧୂଳି ମହାରଣା ସଂପର୍କରେ ସେ ଏତିକି ଶୁଣିଥିଲା ଯେ ଲୋକଟି ମୁଣ୍ଡ-ପାଗଳ, ସାରା ରାତି ସେ ଗପୁଥାଏ ଅଦଭୁତ ମଣିଷ ଓ ବିକଟାଳ ପଶୁଂକ ସହିତ, ଆଉ ଦିନସାରା ମୃଦଂଗ ବଜାଉଥାଏ । ପ୍ରଭଞ୍ଜନ ଏକଥା କହିଥିଲା ଅରୂପକୁ, କୁବେରଗଡ଼ରୁ ଫେରିବା ପରେ ।
ଖଣି ବିଭାଗର ସର୍ବେକ୍ଷଣ ଚାଲିଲା ପୂରା ଦମରେ । ଖଣିର ସୀମା ସରହଦ ଚିହ୍ନିତ ହେଲା । ବିସ୍ତୃତ ଆଲୋଚନା ପରେ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହେଲା । କୁହାଗଲା, ରିଜର୍ଭ ଜଇଂଲ, ଆଇନତଃ କାହାରି ଅଧିକାର ନାହିଁ ତା' ଭିତରେ ବସବାସ କରିବା ପାଇଁ । ଯିଏ ରହିଛି ସେ ଅନୁପ୍ରବେଶକାରୀ, ବହିଷ୍ଟାରଯୋଗ୍ୟ । ଧୂଳି ମହାରଣା ନିରୁଦ୍ଧିଷ୍ଟ ହୋଇଯାଇଥିଲା ସେହିଦିନଠାରୁ ।
ଶୋଇବା ଘର ଟେବୁଲ୍ ଉପରେ ସେହି ପଥର ମୂର୍ତ୍ତିଟି ସେମିତି ରହିଥିଲା । ଦୁଇଟି ବୁଭୁକ୍ଷୁ ଶରୀର, ଦୁଇଯୋଡ଼ା ବିମର୍ଷ ଆଖି । ସୁମିତ୍ରା ସେ ମୂର୍ତ୍ତିକୁ ଦେଖେ । ଅରୂପ ଚାହିଁରହେ ଶିଥିଳ ଆଖିରେ  ।
ଦିନେ ରାତିରେ ସୁମିତ୍ରା କହିଲା, ଆଜି ମୁଁ ତାକୁ ଦେଖିଲି ।
- କାହାକୁ ଦେଖିଲ?
- ଧୂଳି ମହାରଣାକୁ ।
- କାହାକୁ?
- ଧୂଳି ମହାରଣାକୁ । ସେ ଆମ ଘର ସାମ୍ନା ନାଗେଶ୍ୱର ଗଛମୂଳେ ବସିରହି ସବୁଆଡ଼କୁ ଦେଖୁଥିଲା ।
ଅରୂପ ଅବିଶ୍ୱାସ ଆଖିରେ ଚାହିଁଲା ସୁମିତ୍ରାକୁ । ତୁମେ କେମିତି ଜାଣିଲ ସେ ଧୂଳି ମହାରଣା?
- ବାଃ, ଜାଣିବିନି କେମିତି ଯେ । ତୁମେ ନିଜେ ତ ତା' କଥା ମତେ ଟିକିନିଖି କହିଛ ।
- କହିଛି, କିନ୍ତୁ ତୁମେ ତା' ଚେହେରା ।
ସୁମିତ୍ରା ଆଙ୍ଗୁଠି ଦେଖାଇଲା ମୂର୍ତ୍ତିଟି ଆଡ଼କୁ । କହିଲା, '“ଲୋକଟା ଦେଖିବାକୁ ଠିକ୍ ତା' ଭଳି । ତୁମେ କହି ନ ଥିଲ ସେ ଦେଖିବାକୁ ଅବିକଳ ତା ଭଳି ?''
- ଯେତେ ସବୁ କଳ୍ପନା ତୂମର!
- ଖବରଦାର ତୁମେ ସେମିତି କହିବନି ! ତୁମେ କାହିଁକି ମତେ ଏମିତି ନିର୍ବୋଧ ମନେ କର । ସେଦିନ ସେମିତି କହିଲ ରାତିରେ ଆକାଶରୁ ଉଲକା ଖସି ନ ଥିଲା, ସେଇଟା ଥିଲା ମୋର ଦୃଷ୍ଟିଭ୍ରମ । ପରଦିନ ମିସେସ୍ ମହାନ୍ତି କହିଥିଲେ ଉଲ୍କାା ଖସିଥିଲା ଆକାଶରୁ  । ଗୋଟେ ନୁହେଁ ପୁଣି ଦୁଇଟା ।
ଅରୂପ ଚୁପ୍ ହୋଇଗଲା । ଆଉ କିଛି ଯୁକ୍ତି ନ କରି । ପରଦିନ ସେଇ କଥା ଆଉ ଥରେ କହିଲା ସୁମିତ୍ରା । ଧୂଳି ମହାରଣା
ଆସିଥିଲା, ନାଗେଶୃର ଗଛ ତଳେ ବସି 'ଆମରି' ଘରକୁ ଚାହିଁ ରହିଥିଲା କଭିଛି ସମୟ ।
- କେତେବେଳେ ?
- ମୁଁ ଦି’ପହରେ ଭାତ ଖାଇ ସାରିବା ପରେ । ସେ ବସିଥିଲା ପ୍ରାୟ ଦୁଇଘଂଟା । ତା'ପରେ ହଠାତ୍ ଉଠି କୁଆଡେ଼ ଚାଲି ଯାଇଥିଲା, ମୁଁ ଦେଖି ପାରି ନ ଥିଲି ।
ଅରୂପ ରାସ୍ତା ସେକଡ଼ର ନାଗେଶ୍ୱର ଗଛଟି ଆଡ଼କୁ ଚାହିଁଲା । ବିଶାଳ ଗଛଟି ଏବେ ନିଛାଟିଆ, ନିରୋଳା  । ସେ କିଛି କହିଲା ନାହିଁ ।  ।
- ମୁଁ ଭାବୁଛି, କାଲି ସେ ଆସିଲେ ମୁଁ ତା' ପାଖକୁ ଯିବି । ପଚାରିବି, ସେ ଆସୁଛି କାହିଁକି, କ'ଣ ସେ ଚାହୁଁଛି ।
- ସୁମିତ୍ରା ।
- କ'ଣ ହେଲା ?
- ନା, କିଛି ନା ।
ଅରୂପ ସ୍ଥିର କଲା ଏ ବିଷୟରେ ସେ କଥା ହେବ, କିନ୍ତୁ ଏବେ ନୁହେଁ ।
ରାତିରେ ସୁମିତ୍ରା ଅରୂପକୁ ହଲାଇ ନିଦରୁ ଉଠାଇଦେଲା । “ଏଇ, ଦେଖ ଦେଖ । ସେ ଆସିଚି ।'
ନିଦ ମଳମଳ ଆଖିରେ ଅରୂପ ଚାହିଁଲା ବାହାରକ୍ତୁ ଯେଉଁ ଦିଗକୁ ସୁମିତ୍ରା ଆଙ୍ଗୁଠି ଦେଖାଇଥିଲା । ନାଗେଶ୍ୱର ଗଛ ଛାଇ ତଳେ କେହି ଜଣେ ବସିବା ପରି ଦିଶୁଛି । ଜହ୍ନ ଆଲୁଅରେ ସବୁ ଆଡ଼ ଉଜ୍ୱଳ, ଅତୀନ୍ଦ୍ରିୟ । ନାଗେଶ୍ୱର ଗଛର ଗହଳ ଛାଇ ତଳେ ମାୟାବୀ ଅନ୍ଧକାର ।
- ଦେଖୁଛ ସେ ତା' ହାତରେ ଧରିଚି ଗୋଟିଏ ପଥର ମୂର୍ତ୍ତିକୁ  । ବାରମ୍ବାର ଦେଖୁଚି ସେ ମୂର୍ତ୍ତିକୁ ଆଉ ଆମ ଘର ଆଡକୁ ଚାହୁଁଚି । କାହିଁକି ସେ ଆସୁଚି ଦିନଦିନ ଆମ ଘରକୁ, କ'ଣ ଚାହୁଁଚି ସେ?
ସୁମିତ୍ରା ଆଉ ଶୋଇଲା ନାହିଁ, ବିଛଣାରେ ବସି ଝରକାକୁ ଚାହିଁ ରହିଲା । ଅରୂପ ବି ଅନାଇ ରହିଲା ବିଭ୍ରମ ଆଖିରେ ।
ଦିନଯାକ କାମରେ ବ୍ୟସ୍ତ ଥାଇ ସୁମିତ୍ରା ଖୁବ୍ ଥକିଯାଇଥିଲା ହୁଏତ, ସେ ନିଦରେ ଢଳିପଡ଼ିଲା ଟିକିଏ ପରେ । କିନ୍ତୁ ଅରୂପକୁ ନିଦ ଆସିଲା ନାହିଁ । ସେ ସେହିଭଳି ଚାହିଁ ରହିଲା ବାହାରକୁ । ନାଗେଶ୍ୱର ଗଛର ଛାୟାଘନ ଅନ୍ଧାରକୁ  ।
କିଏ କ'ଣ ବସିଛି ସେ ଗଛ ତଳେ, ସାରା ରାତି? ଧୂଳି ମହାରଣା?
କେମିତି ସେ ଜାଣିଲା ଅରୂପର ଠିକଣା ?
ଅରୂପ ସନ୍ତର୍ପଣରେ, କିଛି ଶବ୍ଦ ନ କରି, ଖଟରୁ ଓହ୍ଲାଇ ବାହାରକୁ ଆସିଲା । ବାହାରେ ଅଳ୍ପ ଅଳ୍ପ୍ ଶୀତ । ଉଜ୍ଜଳ ଜହ୍ନ ଆକାଶରେ ।
ନାଗେଶ୍ୱବର ଗଛ ତଳେ ଛାୟା ଛାୟା ଅନ୍ଧାର । ଅରୂପ ଚାହୁଥିଲା ତ୍ୱରିତ ପାଦରେ ଚାଲିବାକୁ  । କିନ୍ତୁ ପାଦ ଉଠୁ ନ ଥିଲା ଏତେ ସହଜରେ । ସେ ଧୀରେ ଧୀରେ ଅତିକ୍ରମ କଲା ଘର ସାମ୍ନାର ରାସ୍ତା, କିଛି ଫାଙ୍କା ଜମି, ତା' ଆଗକୁ ଥିଲା ଛାଇ ଆଲୁଅରେ ଭିଜୁଥିବା ନାଗେଶ୍ୱର ଗଛ ।
ଗଛଟି ଏମିତି ସ୍ତବ୍ଧ ଥିଲା ଯେମିତିକି ଗୋଟିଏ ପଥରରେ ଗଢ଼ା ବିଶାଳ ମୂର୍ତ୍ତି । ପବନ ଥିଲା ନିଶ୍ଚଳ, ଜହ୍ନର ଆଲୁଅ ଥିଲା ଅବିରତ ପ୍ରଶାନ୍ତ, ଗଛ ତଳର ଛାଇ ଥିଲା ଶୂନ୍ୟ ଓ ପରିତ୍ୟକ୍ତ, ସାରା ସଂସାର ଯେମିତି ଗୋଟିଏ ନିର୍ଜନ ଦୀପ ।
ଅଦ୍ଭୁତ କିଛି ଗନ୍ଧ ଘେରି ରହିଥିଲା ଚତୁର୍ଦ୍ଧିଗରୋ । ଜଳିଜଳି ଲିଭି ଯାଇଥିବା ଝୁଣାର, ଶୁଖିଯାଇଥିବା କେଉଁ ଅଜଣା ଫୁଲର, କିମ୍ବା ଭିଜାମାଟିର ପରିଚିତ ଆଦିମ ଗନ୍ଧ ।
କେହି ଜଣେ ସମ୍ଭବତଃ ଠିଆ ହୋଇଥିଲା ତା' ପଛଆଡେ଼, ନିଃଶବ୍ଦରେ ।
ହୁଏତ ସୁମିତ୍ରା, ହୁଏତ ଧୂଳି ମହାରଣା ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Image
Ramakanta Naik
18-10-2022 / 14:57:45

ଭଲ ଲାଗିଲା ଗପ

Leave a comment

Name

Email or Phone No (the information will be not disclosed)

Comment