Welcome to shalandi webzine

ବେଲୁନ ବାଲା

ପରେଶ ପଟ୍ଟନାୟକ

ଖରା ଯେମିତି ଶପଥବଦ୍ଧ ଥିଲା ଆହୁରି ତୀବ୍ର ହେବାପାଇଁ । ତୀବ୍ର ଓ ଟାଣ । ମଣିଷମାନଙ୍କ ପ୍ରତି ତା’ର କୌଣସି କରୁଣା ଥିଲା ଭଳି ମନେହେଉ ନଥିଲା । ବର୍ଷାଭଳି ସେ ଅଗ୍ନୀକଣିକା ସିଂଚିବାରେ ଲାଗିଥିଲା ।

ଖରା ଯେମିତି ଶପଥବଦ୍ଧ ଥିଲା ଆହୁରି ତୀବ୍ର ହେବାପାଇଁ । ତୀବ୍ର ଓ ଟାଣ । ମଣିଷମାନଙ୍କ ପ୍ରତି ତା’ର କୌଣସି କରୁଣା ଥିଲା ଭଳି ମନେହେଉ ନଥିଲା । ବର୍ଷାଭଳି ସେ ଅଗ୍ନୀକଣିକା ସିଂଚିବାରେ ଲାଗିଥିଲା । ସେହି ଡହଡହ ଖରାକୁ ତୁଚ୍ଛ କରି ଆଗେଇ ଆସୁଥିଲା ଲୋକଟିଏ । ପିଠିରେ ପୁଟୁଳୀ । କାନ୍ଧରେ ଗୋଟାଏ ବାଡ଼ି । ବାଡ଼ିରେ ବନ୍ଧା ହେଇଚି ମେଂଚାଏ ବେଲୁନ୍ । ବେଲୁନ୍ ସବୁ ଉଡ଼ୁଛନ୍ତି ଆନନ୍ଦିତ ପକ୍ଷୀଭଳି ପବନରେ, ଯଦିଓ ପ୍ରତ୍ୟେକଟି ବେଲୁନ ବନ୍ଧା ହୋଇଛନ୍ତି ସୂତାରେ ।
ପଦିଆ ବସିଥିଲା ତା’ର ନୂଆ ଦୋକାନରେ । ରାସ୍ତାକଡ଼ର ଉଠା ପରିବା ଦୋକାନ । ଯୋଉ ବ୍ୟବସାୟଟା ସେ ଆରମ୍ଭ କରିଛି ଏବେ ଏବେ  । ଏକରକମ ବାଧ୍ୟ ବାଧକତାରେ । ସହର ସାରା ଲକଡାଉନ୍ । କରୋନାର ଭୟ ମାଡ଼ି ଆସିଚି ଅଚାନକ ଦୁର୍ଭିକ୍ଷ ଭଳି । ଏଇ ନୂଆ ଦୋକାନରେ ରୋଜଗାରର ଭାଗ୍ୟପରୀକ୍ଷା କରୁଚି ପଦିଆ ।
ପଦିଆ ବୋଲୁନ୍ବାଲାକୁ ଦେଖିଲା ତ ତାକୁ ହସଲାଗିଲା । କୌତୁହଳପ୍ରଦ ମନେହେଲା । ଏ କରୋନା କାଳରେ ପୁଣି ବେଲୁନ୍ ବେପାର!
ପଦିଆ ଡାକ ପକାଇଲା, ‘ଭାଇନା! ଇଆଡ଼େ ଆସତ!
ଏକମୁଖୀ ହୋଇ ଆଗେଇଯାଉଥିବା ବେଲୁନ୍ବାଲା ଅଟକିଗଲା ଓ ପଦିଆ ଆଡ଼କୁ ଆଗେଇ ଆସିଲା । ତା ମୁହଁରେ କି ଅଭିବ୍ୟକ୍ତି ଥିଲା ବୁଝାପଡ଼ିଲାନି ପଦିଆକୁ । ବେଲୁନ୍ବାଲାଟା ତାକୁ ଏକ ସମ୍ଭାବ୍ୟ ଗରାଖ ବୋଲି ଭାବୁଚି କି? ତେବେ ଭୁଲ ଭାବୁଥିବ ବୋଲି ମନେମନେ ଆଉଥରେ ହସିଲା ପଦିଆ ।
ପଚାରିଲା, ‘ଭାଇନା! ତମେ ଶେଷକୁ ବେଲୁନ୍ ବିକିଲ?’
ଲୋକଟି ମୁହଁରୁ ମାସ୍କ ଟିକେ ହୁଗୁଳାକରି ଉତ୍ତର ଦେଲା, ‘କ’ଣ ଆଉ କରିବା?’ ତିନି ତିନିଟା ବେପାର ଛାଡ଼ି ଆଜି ସକାଳୁ ଏଇ ବେପାରଟା ଧରିଛି ।
‘ତମ ମୁଣ୍ଡଫୁଣ୍ଡ ଠିକ୍ ଅଛିତ?’
ଲୋକଟା ଏମିତି ମନ୍ତବ୍ୟରେ ଟିକେ ଅପ୍ରସ୍ତୁତ ହୋଇଗଲା । କିନ୍ତୁ ପଦିଆର କଥାଭାଷା ପ୍ରାୟ ଏହିଭଳି । ଯାହା ତାକୁ ଜାଣିଥିବା ଲୋକମାନେ ଜାଣନ୍ତି । ଏହି ଲୋକଟି ଅଜଣା ଥିଲା ଓ ପଦିଆର କଥା ତାକୁ ଭଲ ଲାଗିଲା ନାହିଁ ।
‘କାହିଁକି? କ’ଣ ହେଲା କି?’
‘ଏଇଯେ ବେଲୁନ ବେପାର ସୁରୁ କରିଛ!’
‘ବେଲୁନ୍ ବେପାରଟା କ’ଣ ଭୁଲ୍?’
‘ଭୁଲ୍ ନୁହେଁ ଯେ! ଏ କରୋନା କାଳକୁ ବେଲୁନ୍ ବେପାର ଅଜବ ଲାଗୁଚି!’
ପରିବା ମେଂଚାଏ ଏଠି ସେଠି ଥୋଇ ପଦିଆ ବସିଥିଲା ଟିକେ ଛାଇରେ ଓ ନିଜକୁ ପୋଖତ ବେପାରୀ ବୋଲି ମନେ କରୁଥିଲା । ଯଦିଓ କେହି ଗରାଖ ଆଖପାଖରେ ଦିଶୁ ନଥିଲେ । ଏ ଡହଡହ ଖରାରେ ଗରାଖ ଆସିବେ ବା କୋଉଠୁ? କିନ୍ତୁ ପଦିଆ ବିଶ୍ୱାସ କରୁଥିଲା ଯେ ଗରାଖମାନେ ଆସିବେ । କାରଣ ରାତିକୁ ଯିବା ଆସିବା ବନ୍ଦ । ବେପାର ବନ୍ଦ । ଦୋକାନ ବଜାର ବନ୍ଦ । ସହରରେ ରାତ୍ରିକାଳୀନ କର୍ଫ୍ୟୁ ଜାରିହେଇଚି ।
ତଥାପି ଗୋଟାଏ ସହୃଦୟ ବନ୍ଧୁ ପାଇଲା
 
 
ଭଳି ଉତ୍ଫୁଲ୍ଲ ଦିଶିଥିଲା ଲୋକଟା ଓ ନିଜର କାହାଣୀରୁ କିଛି ଶୁଣାଇଦେବାକୁ ଉଚିତ୍ ମନେ କରିଥିଲା ।
କହିଲା, ‘ତିନିଟା ବେପାର କଲି । ସବୁଯାକ ବିଫଳ । ବାଧ୍ୟ ହେଇ ଆଜି ସକାଳୁ ଏଇ କାମଟା ଧରିଛି ।’
ପଦିଆ ଗପ ଯୋଡ଼ିଲା । ପଚାରିଲା, ‘ପ୍ରଥମେ କ’ଣ କଲ?’
‘ପ୍ରଥମେ ତ କରୁଥିଲି ପରିବା ବେପାର । ହେଲେ ହେଲା ନାହିଁ । ଓଜନ କରି ଜିନିଷ ଦେଇପାରିଲିନି । ଆଣିଥିଲି ଦଶ କେଜି ତ ବିକିଲାବେଳକୁ ହେଲା ସାତ କେଜି । ତିନି କେଜି ଲୋକସାନ୍ ।’
‘ତା’ପରେ?’
‘ତା’ପରେ କଲି ଅଣ୍ଡା ବେପାର । ଅଧେ ଅଣ୍ଡା ଫାଟିଲା । ତାକୁ ଠିକ୍ ଭାବରେ ନିଅ ଆଣ କରିପାରିଲିନି । ପୂରା ଲୋକସାନ୍ ।
‘ତା’ପରେ!’
‘ତା’ପରେ ବିସ୍କୁଟ ମିକ୍ସଚର ଧରି ରାସ୍ତା କଡ଼ରେ ବସିଗଲି । ଲୋକ କିଣିଲେନି । ଫୁଟପାଥରୁ କିଏ କାହିଁକି ବିସ୍କୁଟ କିଣିବ? ଲୋକ ସେସବୁ କିଣିବେ ଚିକିମିକ୍ ସୋରୁମ୍ରୁ । ସେ କାମ ବି ହେଲାନି । ଗୋଟାଏ କଥା ହେଲା ଯିଏ ଯୋଉ କାମକୁ ପାରିବ, ସେ କାମ ତା ଦ୍ୱାରା ହେବ । ଏ ଶଳା କାମ ମୋ ଦ୍ୱାରା ହେବନି!’
‘ଏ ବେଲୁନ୍ ବିକା କାମଟା କ’ଣ ହେବ?’
ଲୋକଟା ଚୁପ୍ ହୋଇଗଲା । ତା ପାଖରେ ଯେମିତି ଉତ୍ତର ନଥିଲା । ଯୁକ୍ତି ନଥିଲା । ସେ ଅସହାୟ ଦେଖାଗଲା । ଦୁର୍ବଳ ସ୍ୱରରେ ଜବାବ ଦେଲା ।
କହିଲା, ‘କିଛିତ ଗୋଟାଏ କରିବାକୁ ପଡ଼ିବ । ବଂଚିବାକୁ ତ ହେବ!’
ଅଭିଜ୍ଞ ସାମ୍ବାଦିକ ଭଳି ପଦିଆ ପଚାରିଲା, ‘ତମେ ପ୍ରଥମେ କୋଉ କାମ କରୁଥିଲ କହୁନା?’
ଲୋକଟା ଅତୀତ ଆଡ଼କୁ ଚାହିଁଲା । ମାତ୍ର ଦୁଇମାସ ତଳେ ବନ୍ଦ ହୋଇଯାଇଥିବା ତା’ର କାମଧନ୍ଦାଟା ଯେମିତି ବହୁତ ବର୍ଷ ତଳର ଘଟଣା ଭଳି ଅସ୍ପଷ୍ଟ ଓ ମର୍ମାନ୍ତିକ ଦେଖାଗଲା ।
ଭଙ୍ଗା ଗଳାରେ କହିଲା, ‘ଗୋଟେ ବସ୍ରେ ଥିଲି । କ୍ଲିନର । ଗାଡ଼ି ଧୁଆପୋଛା କରୁଥିଲି । ଯାତ୍ରୀ ଚଢ଼ଉଥିଲି । ଉତାରୁଥିଲି । ଏବେ ଦି ମାସ ହେଲା ବସ୍ ବନ୍ଦ । ଲକଡାଉନ୍ରେ ଗାଡ଼ିମଟର ଚଳାଚଳ ପୂରାପୂରି ଠପ୍ ।
‘ମାଲିକ ପାଖକୁ ଯାଇଥିଲ?’
‘ହଁ! ଯାଇଥିଲି । କହିଲା, ମୁଁ ଆଉ କ’ଣ କରିବି? ବସ୍ ତ ବନ୍ଦ ହେଲା । ପଇସା ଆସିବା ବନ୍ଦ । ତମେ ଯେଝା ବାଟ ଦେଖ । ସେଇ ଦିନଠୁ ବେପାର ପରେ ବେପାର ଧରୁଛି । ଫେଲ୍ ମାରୁଛି ।’
ପଦିଆ ସମବେଦନା ଜଣାଇଲା, ‘ନାଇଁମ! ତମ ଦ୍ୱାରା ହେବନି । ବସ୍ କବାଟ ବାଡ଼େଇ ବାଡ଼େଇ ହାତ ବିଣ୍ଡି ହୋଇଯାଇଥିବ! ଯାତ୍ରୀ ଡାକି ଡାକି କଣ୍ଠ ପଡ଼ିଯାଇଥିବ । ଗାଡ଼ି ପୋଛି ପୋଛି ଦେହମୁଣ୍ଡ କଳା ହୋଇଯାଇଥିବ! ତମେ ଆଉ ନିକିତି ଉଠେଇବ କେମିତି?’
ଏବେ ସେମାନେ ବନ୍ଧୁ ହୋଇଯାଇଥିଲେ । ପଦିଆ ପଚାରି ବୁଝିସାରିଥିଲା ଯେ ବେଲୁନ୍ବାଲାର ଅସଲି ନାମ ଶଙ୍କର । ଶଙ୍କର ସ୍ୱାଇଁ । ଘର ନୟାଗଡ଼ ପଟେ । ଘରଦ୍ୱାର ନାଇଁ । ସେଇ ବସ୍ଷ୍ଟାଣ୍ଡରେ ରହେ । ବସ୍ରେ ଜୀବନଯାପନ ।
ଶଙ୍କର ପଚାରିଲା, ‘ତମେ ତା’ହେଲେ ଏଇ ପରିବା ବେପାର କରୁଛ ଆରମ୍ଭରୁ । ମାନେ ଖାନଦାନୀ ପରିବା ବେପାରୀ!’
ପଦିଆ କହିଲା, ‘ନାଇଁ ହୋ! ଖାନଦାନୀ ବେପାର ଗୋଟାଏ କ’ଣ? ମୁଁ ବି ଏଇ ଲାଇନ୍ରେ ନୂଆ । ମାତ୍ର ଦଶଦିନ ହେଲା ଏଇ ବେପାର ଧରିଛି ।
‘ଆଗରୁ କ’ଣ କରୁଥିଲ?’
‘ସତ କହିବି?’
‘କହୁନା!’
‘ଆଗରୁ ପକେଟ୍ମାର କରୁଥିଲି । ଯୋଉଠି ଲୋକଗହଳୀ । ସେଇଠି ଆମେ । ମନ୍ଦିର ଭିତରେ ପକେଟ୍ମାର କରିବାଟା ମୋତେ ଭାରି ସହଜ ଲାଗେ । ବର୍ଷସାରା ତ ମନ୍ଦିରରେ ଗହଳି ଚହଳି ଥାଏ । ଯେତେବେଳେ ରାମନବମୀ, ଜନ୍ମାଷ୍ଟମୀ, ଶିବରାତ୍ରୀ ଆସେ । ଆମର ତ କଚ୍ଚେ ପୁଅ ବାର୍ । ବଢ଼ିଆ ବେପାର ଜମେ ।’
ନିଜର ସାର୍ଟିଫିକେଟ୍ ନିଜେ ଦେଲା ପରି ଗର୍ବର ସହିତ ପଦିଆ କହିଲା, ‘ମୁଁ ବି ରଥଯାତ୍ରା ବେଳକୁ ପୁରୀ ଯାଏ । ଲୋକ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଆନ୍ତି । ଆମେ ଯାଉ ବେପାର ପାଇଁ । ପୁରୀରେ ଦଶ ପନ୍ଦର ଦିନ ରହିଯାଏ । ଭଲ ବେପାର ହୁଏ ।’
ମ୍ଳାନ ହସିଲା ଶଙ୍କର । କହିଲା, ‘ତମେ ତା ହେଲେ ଖାନଦାନୀ ପକେଟ୍ମାର । ଧରାପଡ଼ିନ କେବେ?’
ଆହୁରି ଗର୍ବରେ ଛାତି ଫୁଲାଇ ପଦିଆ କହିଲା, ‘ଧରାପଡ଼ିଚି । ଅନେକ ଥର ଧରାପଡ଼ିଚି । ଜେଲ୍ ବି ଯାଇଚି । ମାଡ଼ ଖାଇଚି । କିନ୍ତୁ ବେପାର ଛାଡ଼ି ନାହିଁ । ପକେଟ୍ମାରରେ ଯୋଉ ମଜା ସେଟା ଆଉ ଧନ୍ଦାରେ ନାହିଁ । ଏଠି ପରିବା ବିକୁଥିଲେ କ’ଣ ହେଲା, ମୋର ଆଖି ଖାଲି ବାବୁମାନଙ୍କ ପର୍ସ ଆଡ଼କୁ ଚାହିଁଥାଏ । ପକେଟ୍ ଉପରେ ଲାଖିଥାଏ । ହାତ ଖାଲି ଚଙ୍ଗଚଙ୍ଗ ହେଉଥାଏ । ମନ ହେଉଥାଏ ହାତ ବଢ଼େଇ ଦେବି । ମେଜିକ୍ ଭଳିଆ ଗାଏବ କରିଦେବି ଏ ମୋଟା ମୋଟା ମନିପର୍ସ ସବୁ!’
ପଦିଆ ସ୍ୱପ୍ନ ଦେଖିଲା ଭଳି ଭାବୁକ ଦେଖାଗଲା ତ, ଶଙ୍କର ତାକୁ ଆଶ୍ୱାସନା ଦେବାଭଳି କହିଲା, ‘ଏ ଲକଡାଉନ୍ ଉଠୁ, ପୁଣି ତମେ ତମ ବେପାରକୁ ଫେରିବ ଯେ!’
ଦୀର୍ଘଶ୍ୱାସ ପକେଇ ପଦିଆ କହିଲା, ‘ସତ କଥା ଯେ! କିନ୍ତୁ କେବେ? କେବେ ଖୋଲିବ ମନ୍ଦିର? କେବେ ଆରମ୍ଭ ହେବ ମେଳା ମଉତ୍ସବ? କେବେ ଲୋକମାନେ ଗହଳି କରିବେ? ଏବେ ତ କ’ଣ କୁହାହେଲାଣି ଏକାଠି ହୋଇପାରିବେନି । ଛଅ ଫୁଟ ଦୂରତାରେ ରହିବେ ସମସ୍ତେ ସମସ୍ତଙ୍କଠାରୁ । ବସ୍ରେ ଟ୍ରେନ୍ରେ ଏକାଟିଆ ବସିବେ । ଆମେ ଆମ କରାମତି ଦେଖାଇବୁ କୋଉଠି? କେମିତି?’
ଶଙ୍କର ଅତ୍ୟନ୍ତ ଉତ୍ସାହିତ ହୋଇ ତାକୁ ନେତାସୁଲଭ ପ୍ରତିଶ୍ରୁତି ଦେଇଦେଲା । କହିଲା, ‘ବସ୍ ଚାଲୁ, ମୁଁ ତମକୁ ଆମ ବସ୍ରେ ଉଠେଇଦେବି । ତମେ ତମର ହାତସଫେଇ ଦେଖେଇବ ।’
ଏବେ ପଦିଆର ମୁହଁ ଉଜ୍ୱଳ ଦେଖାଗଲା । ପୂରା ଗଦ୍ଗଦ୍ ଅବସ୍ଥା । କହିଲା, ‘ଭାଇନା! ତମ ଭଳି ଭଲ ଲୋକ ମୁଁ ଜମା ଦେଖି ନଥିଲି । ମୁଁ ବି କଥା ଦେଉଛି ଯାହା ରୋଜଗାର ହେବ, ତମକୁ ଚାରଣା ଭାଗ ଦେଇଦେବି!’
ବେଲୁନ୍ବାଲା ଶଙ୍କର ଟିକେ ଭାବୁକ ଦେଖାଗଲା । ତାକୁ ଦେଖାଗଲା ବସ୍ମାନେ ଏବେ ଯେମିତି ଜୀବନ୍ତ ହୋଇ ଉଠିଛନ୍ତି । ନିଦଭାଙ୍ଗି ଉଠିବସିଲା ଭଳି ଧାଡ଼ିଧାଡ଼ି ହୋଇ ଠିଆ ହୋଇପଡ଼ିଛନ୍ତି ରାଜପଥର ଧାରେ । ଧୂଆଁ ଛାଡ଼ୁଛନ୍ତି । ହର୍ଣ୍ଣ ମାରୁଛନ୍ତି । ସେ ଯାତ୍ରୀମାନଙ୍କୁ ଗାଡ଼ିରେ ଭରି ଗେଟ୍ରେ ହାତ ବାଡ଼ଉଛି । ଗାଡ଼ି ଚଳାଅ ବୋଲି ଇଙ୍ଗିତ ଦେଉଛି । ସେ ଗାଡ଼ିକୁ ଝାଡ଼ିଦେଉଛି । ଗାଡ଼ିକୁ ପୋଛିଦେଉଚି । ଚିଲ୍ଲାଇ କରି ଡାକୁଚି ‘କଟକ’, ‘କଟକ’ । କଟକ ।
ପଦିଆ ବି ଭାବପ୍ରବଣ ହୋଇ ଆସିଥିଲା । ତାକୁ ଦେଖାଯାଉଥିଲା ବସ୍ ଷ୍ଟାଣ୍ଡରେ ପ୍ରବଳ ଭିଡ଼ । ବସ୍ରେ ପ୍ରବଳ ଭିଡ଼ । ଲୋକମାନେ ଠେଲାପେଲା ହେଇ ବସ୍ରେ ଚଢ଼ୁଛନ୍ତି । ବସ୍ ଭିତରେ ଖୁନ୍ଦାଖୁନ୍ଦି ଲୋକ । ସେଇ ଭିଡ଼ ଭିତରେ ପଶିଯାଉଛି ସେ ଓ ତାହାତର କରାମତି ଦେଖଉଚି । ଖୁବ୍ ନିରାପଦରେ ଭିଡ଼ ଠେଲି ସେ ବାହାରକୁ ଆସୁଚି । ତା ହାତ ମୁଠା ଭିତରକୁ ଆସିଯାଉଚି କାହାର ମନିପର୍ସ ଅଥବା କେଉଁ ଯୁବତୀର ସୁନାଚେନ୍ । ସେସବୁ ଅତି ଗୋପନୀୟ ଭାବରେ ଚାଲାଣ ହୋଇଯାଉଛନ୍ତି ତା’ର ଚୋରାପକେଟ୍କୁ । ସେ ହସୁଚି । ବିଜୟର ହସ । ସଫଳତାର ହସ ।
କିନ୍ତୁ କେବେ? କେବେ ଆସିବ ସେ ଦିନ? କେବେ ଅନ୍ତହେବ ଏ ଅନିଶ୍ଚିତତାର? କେବେ ଶେଷ ହେବ ଏ କରୋନା କାଳ? ଏ ଭୟ? ଏ ଅସ୍ୱାଭାବିକ ଜୀବନଯାତ୍ରା? କେବେ?
ଖରା ପାରିଦେଉଛି ତତଲା ବିଛଣାଟେ ପୃଥିବୀର ମାଟି ଉପରେ । ପଦିଆର ପରିବାପତ୍ର ଡାଲାରେ ଶୁକୁଟା ଦିଶୁଛନ୍ତି ବାଇଗଣ ଏବଂ ଅମୃତଭଣ୍ଡାମାନେ ଖରା ଦାଉରେ । ସେମାନଙ୍କୁ ଦୟନୀୟ ଦୃଷ୍ଟିରେ ଚାହିଁ ପଦିଆ ଟିକେ ପାଣି ଛିଂଚିଦେଲା । ମନେମନେ କହିଲା । ଜୀଇଁରୁହ । ସତେଜରୁହ । ତାଜାରୁହ । ଅନ୍ତତଃ ଗରାଖ ଆସିବାପର୍ଯ୍ୟନ୍ତ ଟିକେ ତାଜା ରହିଗଲେ ମୋ କାମ ଶେଷ । ସେ ପରିବା ଦେଖି ପରଖି କିଣି ନେଲା ପରେ, ତମେସବୁ ତା ବେଗଭିତରେ ପଶିଗଲା ପରେ ମୁଁ ଆଶ୍ୱସ୍ତ । ତମେ ତା ଘରେ ପହଂଚି ପଚ, ଷଢ଼, ସିଝ, କଳା ପଡ଼, ନଷ୍ଟ ହୁଅ, ଯା ହେଇଯାଉଚ ହୋଇଯାଅ, ମୋର କିଛି ଯାଏ ଆସେନା! ତା ହାତକୁ ଯିବାଯାଏ ତମେ ସବୁ କେବଳ ତାଜା ଦିଶ, ବାସ୍ ସେତିକି!
ପଦିଆ ପୁଣି ଗପ ଯୋଡ଼ିଲା ଶଙ୍କର ସହିତ ।
ପଚାରିଲା, ‘ତମେ ଏ ବେଲୁନ୍ କୋଉଠୁ ପାଇଲ କହିଲ? ବଜାର ତ ବନ୍ଦ । ଖାଲି ପରିବା ବଜାର ନହେଲେ ଡାଲି-ଚାଉଳ ଦୋକାନ ଖୋଲା । ତମେ ଏ ବେଲୁନ୍ ଆଣିଲ କୋଉଠୁ?
ଶଙ୍କର କହିଲା, ‘ବେଲୁନ୍ ମୋ ପାଖରେ ଥିଲା ।’
‘ତମ ପାଖରେ ଥିଲା କାହିଁକି? ତମେ କି ବାର୍ଥ ଡେ’ ପାଳୁଥିଲ?’
‘ଆମର ଗୋଟେ ନୂଆ ବସ୍ କିଣା ହୋଇଥିଲା । ସେଇ ବସ୍ଟା ବେଲୁନ୍ରେ ସଜା ହୋଇଥାନ୍ତା । ନୂଆ ବସ୍ ତ, ପ୍ରଥମ ଦିନ ବାହାରିଲାବେଳକୁ ସଜାସଜି ହୁଏ । ବସ୍ଟା ଆଉ ବାହାରିପାରିଲା କୋଉଠି? ଯୋଉଦିନ ବାହାରିଥାଆନ୍ତା, ସେଇଦିନ ଲକ୍ଡାଉନ୍ ଘୋଷଣା ହେଇଗଲା । ଗାଡ଼ି ମଟର ବନ୍ଦ । ମାଲିକ ମୋତେ ଏ ବେଲୁନ୍  ଦେଇଥିଲା, ଗାଡ଼ି ସଜେଇବା ପାଇଁ । ସେଇତକ ଥିଲା ପାଖରେ, ତ ଆଜି ବାହାରିଲି ବେପାର କରି!’
‘କିଏ କିଣିବ ତମର ଏ ବେଲୁନ୍!’
‘ପିଲାମାନେ କିଣିବେ!’
‘ପିଲାମାନେ କାହାନ୍ତି? ବାହାରେ କ’ଣ ଆଉ ଛୋଟ ପିଲା ବୁଲୁଛନ୍ତି । ସମସ୍ତେ ପରା ଘର ଭିତରେ ବନ୍ଦୀ । ଦେଖିଲ! ଚାରିଆଡ଼କୁ ଚାହିଁଲ! କୋଉଠି କ’ଣ ଗୋଟାଏ ଛୋଟଛୁଆ କୋଉଠି ବୁଲୁଚି?
ଶଙ୍କର ଚାରିଆଡ଼କୁ ଚାହିଁଲା । ଚାରିଆଡ଼ ଖାଲି ଖାଲି । ରାସ୍ତାଘାଟ ଅଛି । କୋଠାବାଡ଼ି ଅଛି । ଦୋକାନୀ ପସରା ମେଲି ବସିଛନ୍ତି ରାସ୍ତା କଡ଼ରେ । କିନ୍ତୁ ଗରାଖଙ୍କର ଦେଖାନାହିଁ । ଛୋଟ ପିଲା କୋଉଠି ହେଲେ ବି ଦିଶୁ ନାହାନ୍ତି କୋଉଠି!’
ସେମାନଙ୍କ ଗପସପକୁ କିଛି ସମୟ ହେଲା ଲକ୍ଷ୍ୟ କରୁଥିଲା ଗୋଟାଏ ପୁଲିସ୍ କନେଷ୍ଟବଲ । ଟିକିଏ ଦୂରରେ ସେ ତା’ର ଡିଉଟି କରୁଥିଲା । ସେ ଏବେ ପାଖକୁ ଆସିଗଲା । ତା’ର ସ୍ୱର ଥିଲା ରୁକ୍ଷ ତଥା ଧମକରେ ଭରା । କହିଲା, ‘ତମେ ଦି’ଟା ଏଠି କ’ଣ କରୁଚ? ମୁହଁକୁ ମୁହଁ ଯୋଡ଼ି ଗପିଲଣି କ’ଣ?’
ପଦିଆ କହିଲା, ‘ଆମେ ତ ସାତଫୁଟ ଦୂରରେ ଅଛୁ । ମୁହଁକୁ ମୁହଁ ଯୋଡ଼ିଲୁ କୋଉଠି? ଦେଖୁନା ଆମେ ମାସ୍କ ପିନ୍ଧିଛୁ । ସରକାରଙ୍କ ନିୟମ ମାନୁଛୁ ।’
ପୋଲିସ୍ ଆହୁରି ଧମକାଇବା ଭଳି କହିଲା, ‘କରୁଚ କ’ଣ?’
ଶଙ୍କର କହିଲା, ‘ଟିକେ ଦୁଃଖସୁଖ ହେଉଥିଲୁ ।’
‘ଦୁଃଖ ସୁଖ! ଦୁଃଖ ସୁଖ ହେବାକୁ ତମକୁ କିଏ କହିଲା?’
‘ଦୁଃଖ ସୁଖ ହେବାଟା କ’ଣ ଖରାପ? ଦୁଃଖ ସୁଖ ହେବାଟା କ’ଣ ଭୁଲ!’
‘ସରକାରଙ୍କ ନିୟମ ଅନୁସାରେ ଭୁଲ୍ । କେହି ରାସ୍ତାଘାଟରେ ଗପସପ ହୋଇପାରିବେନି । ସାମାଜିକ ଦୂରତା ବୋଲି ଗୋଟାଏ କଥା ବାହାରିଚି । ଶୁଣିଚ ନା ନାହିଁ ।
ପଦିଆ ଏଥର ଜୋର ଗଳାରେ କହିଲା, ‘ଶୁଣିଚୁ । ଶୁଣି ଶୁଣି ମୁଣ୍ଡ କ’ଣ ହେଇଗଲାଣି । ସମସ୍ତେ ଖାଲି ଡରେଇବାରେ ଲାଗିଛନ୍ତି । ଦଳେ ତ କହୁଛନ୍ତି ପୃଥିବୀ ଧ୍ୱଂସ ହୋଇଯିବ । ସମସ୍ତେ ମରିବେ । ପିଶାଚ ରାବ ଦେବ । ହେଇଟି ସାର୍! ପୃଥିବୀ ଯଦି ଧ୍ୱଂସ ହୋଇଯିବ ତମେ କ’ଣ କରିବ କହିଲ?’
ଏ ପ୍ରଶ୍ନର କୌଣସି ଉତ୍ତର ନଦେଇ ପୋଲିସ୍ବାଲା ଶଙ୍କର ବେଲୁନ୍ବାଲା ଆଡ଼କୁ ଚାହିଁଲା । କହିଲା, ‘ଏ ବେଲୁନ୍ ତମେ ବିକୁଚ?’
ହାତ ଯୋଡ଼ି ଶଙ୍କର କହିଲା, ‘ଆଜ୍ଞା ହଁ!’
‘ଏ ବେଲୁନ୍ରେ ପବନ କିଏ ଭରିଚି?’
‘ମୁଁ ଆଜ୍ଞା!’
‘ମୁଁ ପଚାରୁଛି କେମିତି ଭରିଚ?’
‘ପମ୍ପ ଅଛି ଆଜ୍ଞା! ପମ୍ପରେ ଭରିଚି । ସାଇକେଲ ହାଫ୍ ପମ୍ପ!’
ପୋଲିସ୍ବାଲା ସତର୍କ କରାଇଦେଲା, ‘ସାବଧାନ! ବେଲୁନ୍ରେ ମୁହଁ ମାରିବ ନାହିଁଟି! ମାରିଲେ ଜୋରିମାନା ହୋଇଯିବ । ପାଟି, ନାକ, ଆଖିରେ ହାତ ମାରିପାରିବନି । ସରକାରଙ୍କ ନିୟମ!’
ସେମାନଙ୍କଠାରୁ ଟିକିଏ ଦୂରରେ ବସିଥିଲା ଗୋଟେ ଭିକାରୁଣୀ । ସେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଭିକ ମାଗୁଥିଲା । ତା ମୁହଁରେ ଅବଶ୍ୟ ମାସ୍କ ନଥିଲା । କଥାଟି କନେଷ୍ଟବଲର ଦୃଷ୍ଟିକୁ ଆସିଲା ତ ସେ ଗୋଡ଼େଇଗଲା ଭିକାରୁଣୀ ପାଖକୁ । ଧମକେଇ ପଚାରିଲା, ‘ଏଇ! ଏଠି କ’ଣ କରୁଚୁ?’
ଭିକାରୁଣୀ କହିଲା, ‘ଭିକ ମାଗୁଚି! ଗରିବ ଲୋକ, କ’ଣ ଆଉ କରିବି?’
‘ତୋ ମୁହଁରେ ମାସ୍କ କାହିଁକି ନାହିଁ ।’
ଭିକାରୁଣୀ କହିଲା, ‘ମାସ୍କ! ସେଇଟା ପୁଣି କ’ଣ?’
ପୋଲିସ୍ବାଲା କହିଲା, ‘ମାସ୍କ ନ ହେଲା ନାହିଁ । ମୁହଁକୁ ଶାଢ଼ୀ କାନିରେ ଘୋଡ଼େଇକି ରଖୁନୁ!’
‘ଘୋଡ଼େଇକି ରଖିଲେ କ’ଣ ହେବ?’
ପୋଲିସ୍ବାଲା ପୁଣି ଧମକାଇଲା, ‘ଘୋଡ଼େଇକି ନରଖିଲେ ଜୋରିମାନା ହୋଇଯିବ!’
ଭିକାରୁଣୀ ଅବିଶ୍ୱାସ କଲା ଭଳି କହିଲା, ‘ଜୋରିମାନା ମୁଁ ଦେବି!’
ପୋଲିସ୍ବାଲା କହିଲା, ‘ଦବୁନି କାହିଁକି? ତୁ କୋଉ ମହାରାଣୀକି? ସରକାରଙ୍କ ନିୟମ ଆଗରେ ସମସ୍ତେ ସମାନ!’
ଭିକାରୁଣୀ କହିଲା, ‘ମୋତେ ଆଜିଯାକେ କେହି ଜୋରିମାନା କରିନି!’
‘କାହିଁକି? ତୁ କିଏ କି?’
ଭିକାରୁଣୀ କହିଲା, ‘ବାବୁ! ତମକୁ କ’ଣ ଆଉ କେହି ମିଳିଲେନି । ସ୍ତିରୀଲୋକଟା ଉପରେ ଜୁଲମ୍ କରୁଛ ।’
ପୋଲସ୍ବାଲା ଯୁକ୍ତି କଲା ଭଳି କହିଲା, ‘ସ୍ତିରୀଲୋକ ବୋଲି କ’ଣ ତତେ ଛାଡ଼!’
ଭିକାରୁଣୀ ବେପରୁଆ ସ୍ୱରରେ କହିଲା, ‘ନଉନା କ’ଣ ନେବ? ମୋ ପାଖରେ କ’ଣଟା ଅଛି ଯେ, ତମେ ଜୋରିମାନା ଆଦାୟ କରିବ!’
ଦୟାର୍ଦ ଦେଖାଗଲା ଭଳି ଅଭିନୟ କରି ପୋଲିସ୍ବାଲା କହିଲା, ‘ଅଯଥା ଯୁକ୍ତିତର୍କ କରନା । ତୋତେ ଛାଡ଼ିଦେଲି । କିନ୍ତୁ ମୁହଁରେ ଲୁଗା ଘୋଡ଼ା, ପାଟି ନାକ ଯେମିତି ନଦିଶିବ । ସରକାରଙ୍କ ନିୟମ ମାନିବାକୁ ହେବ ।’
ଭିକାରୁଣୀ ଏବେ ଅନୁଚ୍ଚ ସ୍ୱରରେ କହିଲା, ‘ପାଟି ନାକ ଘୋଡ଼େଇ ଦେଲେ, ସ୍ତିରୀ ଲୋକଟାକୁ କିଏ ଭିକ ଦେବ କହିଲ?’
କନେଷ୍ଟବଲ ତା ମୁହଁକୁ ତୀକ୍ଷ୍ଣ ଦୃଷ୍ଟିରେ କେବଳ ଚାହିଁଲା । କିଛି ଆଉ କହିଲାନି ।
ଏବେ ଭିକାରୁଣୀ ପଚାରିଲା, ‘ବାବୁ! କୋଉଠି ଗୋଟାଏ କରୋନା ଘର ହେଇଚିପରା । ସେଠିକି ଗଲେ ଖାଇବାକୁ ପିଇବାକୁ ମିଳୁଚି ।’
କନେଷ୍ଟବଲ ଭିକାରୁଣୀର ଜ୍ଞାନବର୍ଦ୍ଧନଦିଗରେ ସହାୟକ ହେଲା ଭଳି କହିଲା, ‘କିଏ କହିଲା ତୋତେ ଏକଥା । ସେଇଟା କରୋନା ରୋଗୀଙ୍କ ପାଇଁ ସଂଗରୋଧ କେନ୍ଦ୍ର । ଭିକାରୁଣୀଙ୍କ ପାଇଁ ସେଠି ଜାଗା ନାହିଁ ।’
‘ମୁଁ ସେଇଠିକି ଯାଆନ୍ତି । ମାସେ ପନ୍ଦରଦିନ ଯାଏଁ ଆଶ୍ରା ମିଳିଯାଆନ୍ତା!’
‘ତୁ ସେଠିକି କେମିତି ଯିବୁ? ତୁ କ’ଣ ବିଦେଶରୁ ଆସିଚୁ? ସୁରତ୍ କଲିକତାରୁ ଆସିଛୁ? ତୋର ଆଧାର କାର୍ଡ ଅଛି? ମୋବାଇଲ ଫୋନ୍ ନମ୍ବର ଅଛି?’
‘ଏସବୁ ଦିନେ ଥିଲା ଯେ, କୁଆଡ଼େ ହଜିଲାଣି । ମୋବାଇଲଟେ ଥିଲା । ବନ୍ଧା ପକେଇ ଦେଇଚି । ଏବେ ଆଉ କିଛି ନାହିଁ । ଅଛି ଖାଲି ଏ ଦେହ । ଏ ପେଟ ଆଉ ପେଟର ଭୋକ!’
‘ତୁ ଆଗରୁ କୋଉଠିଥିଲୁ?’
‘କଲିକତାରେ ଥିଲି ।’
‘କ’ଣ କରୁଥିଲୁ?’
‘ବେପାର!’
‘କି ବେପାର?’
ଏବେ ଭିକାରୁଣୀ ଆଖି ନଚେଇ କହିଲା, ‘କାହିିଁକି ଛୋପରା ହେଇ ପଚାରୁଚ ଯେ? ତମେ କ’ଣ ଜାଣିପାରୁନା, ସ୍ତିରୀପିଲାଟା ଆଉ କ’ଣ ବେପାର କରନ୍ତା!’
କନେଷ୍ଟବଲ ଦି’ପାଦ ପଛକୁ ଡେଇଁପଡ଼ିଲା । କହିଲା, ‘ତୋତେ କରୋନା କ’ଣ, ଏଡ୍ସ ବି ହେଇଥିବ! ତୁ ଏଠୁ ପଳେଇଯା । ତୋ ଗାଁକୁ ପଳେଇଯା ।’
ଭିକାରୁଣୀ ଦୀର୍ଘଶ୍ୱାସ ପକେଇଲା । କହିଲା, ‘ମୋର ଆଉ ଗାଁ କୋଉଠୁ ଆସିଲା? ଗାଁ ତ ଛାଡ଼ିଥିଲି କାହିଁ କେତେ ବର୍ଷ ତଳେ । ଘରଲୋକ ଆଉ ଅଛନ୍ତି କି ମଲେଣି କିଏ ଜାଣେ? ମତେ ବା କିଏ କାହିଁକି ଘରେ ପୂରେଇବ!’
କନେଷ୍ଟବଲ କିଂକର୍ତ୍ତବ୍ୟ ବିମୂଢ଼ ଦେଖାଗଲା । ଦ୍ୱନ୍ଦ୍ୱରେ ପଡ଼ିଯାଇଥିବା ଭଳି ଦେଖାଗଲା । କହିଲା, ‘ନା! ତୋ ବିଷୟରେ କିଛି ନିଷ୍ପତ୍ତି ମୁଁ ନେଇପାରିବିନି । ମୁଁ ମୋ ବଡ଼ ଅଫିସରଙ୍କୁ ପଚାରିଦେଇ ଆସେ ।’
ଚାଲାଣ କାଟିବାକୁ ଉଠିଥିବା କଲମ, ଖାତା ସବୁ ଶୂନ୍ୟରେ କିଛି ସମୟ ଫ୍ରିଜ୍ ହୋଇଗଲେ ଏବଂ ଧୀରେ ଧୀରେ ଅପମାନିତ ହେବାଭଳି ଫେରିଗଲେ କନେଷ୍ଟବଲର ପକେଟ୍ ଭିତରକୁ । କନେଷ୍ଟବଲର ପାଦର ଯୋତା ଅମାନିଆଁ ହୋଇ ଧାଇଁଗଲେ ଉପର ଅଫିସରଙ୍କ ପାଖକୁ ପରାମର୍ଶ ପାଇଁ ।  କେଇ ମିନିଟ୍ ଭିତରେ କନେଷ୍ଟବଲ ସେଠୁ ଅନ୍ତର୍ହିତ ହୋଇଗଲା ଓ ସେମାନଙ୍କ କଥା ଆଗ୍ରହରେ ଶୁଣୁଥିବା ପଦିଆ ଆଖିରେ କୌତୁହଳ ଚିକିମିକ୍ କରିଉଠିଲା । ଏପର୍ଯ୍ୟନ୍ତ ଯେ ସେ ଭିକାରୁଣୀକୁ ଦେଖି ନଥିଲା ତା ନୁହେଁ ! ଦେଖିଥିଲା, କିନ୍ତୁ ସେ ସେମିତି କିଛି ଆକର୍ଷଣୀୟା ମନେହୋଇ ନଥିଲା । ମାତ୍ର ଏବେ ତାର କଥାଭାଷା ଶୁଣବା ପରେ, ସେ ଗୋଟେ ଦେହଜିବୀ ବୋଲି ଜଣାପଡ଼ିବା ମାତ୍ରେ ସମର୍ଥ ପୁରୁଷ ଆଖିରେ ସୁନ୍ଦରୀ ନାୟିକା ଭଳି ଝଲମଲ ହେଲା ।
ପଦିଆ ଶଙ୍କରକୁ କହିଲା, ‘ମୁଁ ଯାଏ ତା ସାଙ୍ଗରେ ଟିକିଏ କଥାଭାଷା ହୋଇ ଆସେ । କହିଲା ଓ ଉତ୍ତରକୁ ଅପେକ୍ଷା ନରଖି ଦୋକାନ ଛାଡ଼ି ଏକା କ୍ଷେପାକେ ହାଜର ହୋଇଗଲା ଭିକାରୁଣୀ ପାଖରେ ।
ପଚାରିଲା, ‘ତମେ ସେ ପୋଲିସ୍ ବାବୁଙ୍କୁ କ’ଣ କହିଲ?’
‘କାହିଁକି?’
‘ତମେ କ’ଣ ଏମିତି କହିଲ ଯେ, ବାବୁଟା ଦୌଡ଼ି ଦୌଡ଼ି ଏଠୁ ପଳେଇଗଲା!’
‘ତମକୁ କହିବି କି? ତମେ ବି ଏଠୁ ଦୌଡ଼ି ଦୌଡ଼ି ପଳେଇଯିବ?’
ପଦିଆ ବାହାଦୂରିଆ ଛାତି ଫୁଲେଇ କହିଲା, ‘ଆମେ କାହିଁକି ଦୌଡ଼ି ପଳେଇବୁ । ଅମେପରା ମଣିଷ । ଆମେ କ’ଣ ପୁଲିସ୍ ହେଇଚୁ?’
‘ପୁଲିସ୍ କ’ଣ ମଣିଷ ନୁହେଁ!’
‘ଶହେ ଭାଗ ମଣିଷ ନୁହେଁ!’
‘ଆଉ ତମେ ଶହେ ଭାଗ ମଣିଷ! କାହିଁ ମୁଁ ତ ଏଠି ଏତେବେଳ ହେଲାଣି ଭିକ ମାଗୁଚି ଯେ ତମେ ଟଙ୍କେ କି ଆଠଣା ଦେଲ ନାହିଁ ।’
ପଦିଆ କୈଫିୟତ ଶୁଣାଇଦେଲା, ‘ମୁଁ ତତେ କ’ଣ ଦେଖିଥିଲି! ଏବେ ଦେଖିଲି ବୋଲି ଦଉଡ଼ି ଆସିଲି ନା!’
‘କ’ଣ ଦେଖିଲ?’
‘ଦେଖିଲି! ଦେଖିଲି! ଦେଖିଲି ଯେ... ।’
କ’ଣ ଦେଖିଲା ବୋଲି ବର୍ଣ୍ଣନା ଦେବାକୁ ଚେଷ୍ଟା କରି ପଦିଆ ବିଫଳ ହେଉଥିଲା । ତା’ର ଶବ୍ଦ ଅକୁଳାନ ହେଉଥିଲା । କେମିତି ଗୋଟେ ଅଭୂତ ସଂକୋଚ ତାକୁ ମାଡ଼ି ବସୁଥିଲା । ସେ ଭିକାରୁଣୀକୁ ବାରମ୍ବାର ଚାହୁଁଥିଲା । ତା ଦେହସାରା ବୁଲାଇ ଆଣୁଥିଲା ଆଖି । ଭିକାରୁଣୀର ଆଖି ଦୁଇଟା ଖୁବ୍ ଆକର୍ଷଣୀୟ ମନେହେଉଥିଲା ଏବେ । ଭିକାରୁଣୀ ତାକୁ ବାରମ୍ବାର ଚାହୁଁଥିଲା ଏମିତି ଏକ ଦୃଷ୍ଟିରେ ଯେ କ୍ରମେ ସମ୍ମୋହନ ଆଡ଼କୁ ଚାଲିଯାଉଥିଲା ପଦିଆ । ତା’ର ସ୍ୱର ଏବେ ଓଦାଓଦା । କଣ୍ଠ କେମିତି ରସିକ ରସିକ ।
କହିଲା, ‘ମୋର କ’ଣ ଇଚ୍ଛା ହେଉଚୁ ଜାଣୁ!’
‘କ’ଣ?’
‘ତୋତେ ନେଇ ପଳେଇଯିବି – କୁଆଡ଼େ ଗୋଟେ ।’
‘କୁଆଡ଼େ ନେବୁ!’
‘କୁଆଡ଼େ ଗୋଟେ, ବହୁତ ଦୂରକୁ ।’
ଭିକାରୁଣୀ ଏବେ ତାକୁ ଆଉଥରେ ଚାହିଁଲା ଅଚିହ୍ନା ଦୃଷ୍ଟିରେ । କହିଲା, ‘ସତରେ ମୋତେ ନେଇ ପଳେଇଯାଇ ପାରିବୁ? କୁଆଡ଼େ ନେବୁ ଏ ଦୁର୍ଦିନରେ । ଆଉ ଜଣେ ବି ସେମିତି ମୋତେ ନେଇ ପଳେଇଯାଇଥିଲା । ସେ ଅନେକ ବର୍ଷ ତଳର କଥା । ଗାଁ ଛାଡ଼ିଲି । ଘର ଛାଡ଼ିଲି । କୁଳ କୁଟୁମ୍ବ ଛାଡ଼ିଲି । ଏବେ ପୁଣି ଏଇ ଭିକମଗା ଅବସ୍ଥା । ଆଗକୁ କ’ଣ ହେବ କିଏ ଜାଣେ? କି କରୋନା ରୋଗ ଆସିଲା ଯେ?’
ଏବେ ପଦିଆ ନାୟକ ଭଳି ଦିଶୁଥିଲା । ନାୟକ ଭଳି ଉଦାର ଓ ବେପରବାୟ ।
ପ୍ରେମିକ ଭଳି ପାଗଳ ଓ ଏକଦର୍ଶୀ ।
ପଚାରିଲା, ‘ମୋ ସାଙ୍ଗରେ ଯିବୁ?’
ସେ ଲାଜଲାଜ ହୋଇ କହିଲା, ‘ଏବେ ଆଉ କୁଆଡ଼େ ନେବ ମୋତେ । ଚାରିଆଡ଼ ପରା ଦିନର ଆଲୁଅ । ରାତି ହେଲେ ପରା କର୍ଫ୍ୟୁ । ପୋଲିସ୍ ଧରୁଚି । କୁଆଡ଼େ ନବ?
ଶଂକର ଚିନ୍ତିତ ଦେଖାଗଲା । ସତେ ତ କୁଆଡ଼େ ନେଇକି ଯିବ ୟାକୁ! ଚାରିଆଡ଼େ ପୋଲିସ୍ ।  ଚାରିଆଡ଼େ ଧରାଧରି । କଡ଼ା ଶାସନ ଫେରି ଆସିଛି ରାଇଜକୁ । ଗୋଟାଏ ଅଚିହ୍ନା ରୋଗ କୁଆଡ଼ୁ ଆସି କାୟା ମେଲାଉଛି, ଯାହା ବିଷୟରେ କେହି କିଛି ଠିକ କରି କହିପାରୁନାହାନ୍ତି । କଣ ଏ ରୋଗ! କେମିତି ଗ୍ରାସୁଛି । କେହି ଜାଣେନା! ସବୁ ଆଡ଼େ ଭୟ! ପ୍ରଚାର ଚାଲିଛି, କରୋନୋ, କରୋନୋ । ହାତ ଧୁଅ! ମୁଁହରେ ମାସ୍କ ପିନ୍ଧ! ଘରୁ ପଦାକୁ ବାହାରନି! କାହା ସାଂଗେ ମିଶନି! ରୋଗ ମାଡ଼ି ଆସୁଛି! ଏତେ ଲୋକଙ୍କୁ ଗ୍ରାସିଲାଣି! ଏତେ ଲୋକଙ୍କ ପ୍ରାଣ ନେଲାଣି!
ଏବେ ଭିକାରୁଣୀ ସେମିତି ପ୍ରେମବୋଳା ଭାଷାରେ ପଚାରିଲା, ‘ସତରେ ମୋତେ ନେଇ ପଳେଇଯିବାକୁ ଇଚ୍ଛା ହେଉଛି ।’
“ହଁ ଲୋ ହଁ! ଏଇନା ନେଇ ପଳେଇଯିବି ।
“ତମ କଥା ଶୁଣିବାକୁ ବହୁତ ଭଲ ଲାଗୁଛି ।
“ମତେ ବି ତୋ ସାଂଗେ ଗପିବାକୁ ଭଲ ଲାଗୁଛି  ।
“ମତେ ତମେ ଛୁଇଁବ?
“ତୋ ସାରା ଦେହ ଛୁଇଁବି ।
“ଏବେ ପରା କେହି କାହାକୁ ଛୁଉଁ ନାହାନ୍ତି । କରୋନା ହେଇଯିବା ଭୟରେ!
ଶଂକର ଟିକେ ଅଟକି ଗଲା । ଟିକେ ସନ୍ଦେହୀ ଦେଖାଗଲା  ।
‘ନାଇଁ ମ! ତୋତେ କରୋନା ହେଇ ନଥିବ!
‘ଯଦି ହେଇଥିବ!’
‘ତୋତେ କାହିଁକି ହେବ?’
‘ମୋତେ କାହିଁକି ହେବନି? ମୁଁ ତ ବେଶି ଲୋକଙ୍କ ସହିତ ମିଶିଚି!’
‘ତେବେ କ’ଣ କହୁଚୁ?’
‘ଥାଉ! ମୋ ଦେହରେ କରୋନା ଥାଇପାରେ!’
“ଥିଲେ ଥାଉ!’
“ନା!’
“ହଁ!’
“ନା! ସେମିତି ହୁଏନା! ମୁଁ ଜାଣି ଜାଣି ତମକୁ ବିପଦମୁହଁକୁ ଠେଲି ଦେଇପାରିବିନି  ।”
ଶଂକରର ଆଗ୍ରହରେ ଭଟ୍ଟା ପଡ଼ି ଆସିଥିଲା  । କିନ୍ତୁ ନାୟକ ଭଳି ସେ ଦିଶୁଥିଲା ଉଦାର ଓ ସମ୍ବେଦନଶୀଳ । କହିଲା, “ତୋ ଭଳି ଅନେକ ଦେଖିଚି, କିନ୍ତୁ କେହି ତୋ ଭଳି ଏତେ ଭଲ ନ ଥିଲେ  ।’
ପ୍ରଂଶସା ଶୁଣି ଆଉ ଟିକେ ଲାଜ ଲାଜ ହେଲା ଭିକାରୁଣୀ ।
ଶଂକର କହିଲା, ‘ତୁ ମୋ ସାଙ୍ଗରେ ଗଲୁନି ବୋଲି ମୁଁ ତୋତେ କିଛି ଦେବିନି ବୋଲି ଭାବେନା । ଆଜି ଦିନର ସବୁ ରୋଜଗାର ତୋ ନାଆଁରେ କରିଦେଲି  ।’
ଭିକାରୁଣୀ ତାକୁ ଅତି ଆତ୍ମୀୟତାର ସହିତ ଚାହିଁଲା । ବାରମ୍ବାର ଚାହିଁଲା । ଏ ପର୍ଯ୍ୟନ୍ତ ହାତ ପତେଇ ପତେଇ ସେ କ୍ଳାନ୍ତ ହୋଇସାରିଥିଲା । ମଣିଷମାନେ ତା ଆଡ଼କୁ ଚାହୁଁଥିଲେ ଘୃଣାରେ ନୋହିଲେ ଉପେକ୍ଷାରେ । ବିରକ୍ତିରେ ଅବା ବିତୃଷ୍ଣାରେ । କିନ୍ତୁ ଏଇ ଲୋକଟି ତାକୁ ଚାହୁଁଛି ପ୍ରେମରେ ଓ ତା ଭିତରେ ଯେମିତି ଦ୍ରୁତ ପରିବର୍ତ୍ତନ ହୋଇଆସୁଚି । ସେ ଭୁଲିଯାଇଥିବା ତାର ଆଦିମ ନାରୀତ୍ୱ ଯେମିତି ଜାଗି ଉଠୁଛି ଅନେକ ଦିନ ପରେ । ଭିକାରୁଣୀର ବେଶଟା ଯେମିତି ଗୋଟେ ଛଦ୍ମବେଶ । ସେଇ ଛଦ୍ମବେଶୀ ପୋଷାକକୁ ଫିଙ୍ଗିଦେଇ ନାରୀଟିଏ ଆତ୍ମପ୍ରକାଶ କରିବାକୁ ବ୍ୟାକୁଳ ହୋଇପଡ଼ୁଚି ଯେମିତି । କିନ୍ତୁ ସେ ଭୁଲ କରିପାରେନା!
‘ମୁଁ ତମର ଋଣ କେମିତି ସୁଝିବି ବାବୁ?’
‘ଆଉ ଥରେ ଯେବେ ଦେଖା ହେବ, ସୁଝିଦେବୁ । ସେଦିନକୁ କରୋନା ନଥିବ । ଏ କଟକଣା ନଥିବ!’
ଭିକାରୁଣୀର ଆଖି ଛଳଛଳ ହୋଇ ଆସିଲା । କହିଲା, ‘ଯଦି ଦେଖା ନ ହେବ!’
‘ଦେଖା ହେବ ଲୋ ପାଗଳୀ! ନିଶ୍ଚେ ଦେଖା ହେବ!’
ଭିକାରୁଣୀ ତା’ର ସଂଳାପ ପୁଣିଥରେ ଦୋହରାଇଲା । କହିଲା, ‘ଯଦି ଦେଖା ନ ହୁଏ?’
ଭାଙ୍ଗିପଡ଼ିଥିବା ପ୍ରେମିକ ସତ୍ତାଟି କହିଲା, ‘ହଉ! ଯାହା ଭାଗ୍ୟରେ ଥିବ?’
ଭିକାରୁଣୀ ଖିଲିଖିଲି ହସିଲା ଝରଣା ପରି । କହିଲା, ‘ଆପଣ ଦେବପୁରୁଷ ଆଜ୍ଞା! ଭାଗ୍ୟରେ ଥିଲା ବୋଲି ଦେଖା ହେଲା । ଆଗକୁ ସେଇ ଭାଗ୍ୟ ହିଁ ଭରସା ।’
ପଦିଆ ଆପଣା ପକେଟ୍ରେ ହାତ ପୂରାଇଲା ଓ ତା’ର ଏ ପର୍ଯ୍ୟନ୍ତ କରିପାରିଥିବା ସମସ୍ତ ରୋଜଗାରକୁ ହାତମୁଠା ଭିତରେ ବନ୍ଦୀ କଲା । ହାତମୁଠାରେ ବନ୍ଦୀ ଥିବା ନୋଟ୍ଗୁଡ଼ିକୁ ଭିକାରୁଣୀ ହାତକୁ ବଢ଼େଇ ଦେଲା । ଟଙ୍କାକୁ ଗଣିଲା ନାହିଁ । ଏବେ ହିସାବ କିତାବର ବେଳ ନାହିଁ । ଲାଭ କ୍ଷତିର ବେଳ ନାହିଁ । ଏଇ ବାହାନାରେ ଭିକାରୁଣୀଟିକୁ ଟିକେ ଛୁଇଁଦେବାର ସୁଯୋଗ ମଧ୍ୟ ତିଆରି ହୋଇ ଆସିଥିଲା । ଭିକାରୁଣୀ ଟିକେ ପଛକୁ ଘୁଂଚିଗଲା । କହିଲା, ‘ଥାଉ ବାବୁ! ମୁଁ ତୁମକୁ ଛୁଇଁ ପାରିବିନି । କି ତମେ ମତେ ଛୁଅଁ ବୋଲି ଚାହିଁବିନି । ଏବେ ପରା କରୋନା ବେଳ । ବାବୁ! ତମ ମନକୁ ବୁଝେଇ ଦେବ, ମୁଁ ଯୋଉଠି ଥିଲେ ବି ଯେମିତି ଥିଲେ ବି ତମ କଥା ଭାବିବି । ଭାବୁଥିବି ।’
ଗୋଟିଏ ବିଚିତ୍ର ପ୍ରେମ କାହାଣୀ ଆରମ୍ଭ ହେବାର ଦେଖି ଶଙ୍କର ବେଲୁନ୍ବାଲା ମୁହଁ ବୁଲାଇନେଲା ଆରଦିଗକୁ । ଏ ପଦିଆଟା କେବଳ ଗୋଟାଏ ପୁରାତନ ପକେଟ୍ମାର ନୁହେଁ, ପକ୍କା ପ୍ରେମିକ ବୋଲି ପ୍ରମାଣିତ ହେବାରେ ଲାଗିଥିଲା । ଏତିକିବେଳେ ସ୍ତ୍ରୀଲୋକଟିର କୋଳରୁ ମୁଣ୍ଡଟେକି ବାହାରକୁ ଚାହିଁଲା ଗୋଟିଏ କୁନିଝିଅ । ଏତେବେଳେଯାଏ ପଣତ ତଳେ ଲୁଚି ବସିଥିବା ଝିଅଟି ମୁହଁ କାଢ଼ି ଚାହିଁଲା ଓ ବେଲୁନ୍ ଆଡ଼କୁ ଆଗ୍ରହର ସହିତ ଅନେଇଲା ।
ପଦିଆ ପଚାରିଲା, ‘ଇଏ କିଏ?’
ଭିକାରୁଣୀ କହିଲା, ‘ମୋରି ଝିଅ । ଏ ଝିଅଟିକୁ ବଚେଇବା ପାଇଁ ତ ମୁଁ ବଂଚିଛି  । ନହେଲେ ଏ ଅଲୋଡ଼ା ଜୀବନରେ ଆଉ ଅଛି କ’ଣ?’
କୁନି ଝିଅର ମୁହଁରେ ମଇଳାର ଦାଗ, ମୁଣ୍ଡରେ ଗୋଛାଏ ଅଯତ୍ନବର୍ଦ୍ଧିତ ବାଳ । ଝୁମ୍ପୁରିମୁଣ୍ଡି ଝିଅଟିର ଆଖି କିନ୍ତୁ ନୀଳ । ଢଳଢଳ । କୁନି ଝିଅଟିକୁ କ’ଣ ଗୋଟାଏ ଦେବ ବୋଲି ଭାବୁଭାବୁ ପଦିଆର ନଜର ପଡ଼ିଲା ଆପଣାର ପରିବାଡାଲା ଉପରେ । ଗୋଟାଏ ଡାଲାରେ ଥିଲା କାକୁଡ଼ି । ଟିକେ ଟିକେ ଶୁଖି ଆସିଥିଲା, ଜଳ ସିଂଚନ ସତ୍ତେ୍ୱ । କୁନି ଝିଅଟିର କୁନି ଓଠକୁ ମାନିଲା ଭଳି କଷି କାକୁଡ଼ିଟିଏ ଉଠାଇ ଆଣିଲା ପଦିଆ । କହିଲା, ‘ନେ ଲୋ ଝିଅ! ନେ! କାକୁଡ଼ିଟାଏ ଖା! ଆଉ କ’ଣ ଅବା ମିଳିବ ଏବେ । ଏଇ କରୋନା କାଳରେ  ।’
ଝିଅ କାକୁଡ଼ିକୁ ଦେଖି ମୁହଁରୁଷା ଦେଲା । କହିଲା, ‘ମୁଁ କାକୁଡ଼ି ଖାଇବିନି । ମୋତେ ବେଲୁନ୍ ଦିଅ ।’
ପଦିଆ ବେଲୁନ୍ବାଲା ଆଡ଼କୁ ଚାହିଁଲା ଓ କହିଲା, ‘ଭାଇନା! ହେଇ ଦେଖ! ତମର ଗରାଖ ଆସିଗଲା । ତାଆରିଠୁ ବଇନି କର ।’
ବେଲୁନ୍ବାଲା ଶଙ୍କର ଗୋଟାଏ ବେଲୁନ୍ ଆଣିଲା, ଲାଲରଙ୍ଗର ସୁନ୍ଦର ବେଲୁନ୍ଟିଏ ଓ ବଢ଼ାଇଦେଲା ଝିଅଟା ହାତକୁ । କୁନିଝିଅ ପଦିଆ ହାତରୁ କାକୁଡ଼ି ଛଡ଼େଇ ନେଇ ବଢ଼େଇଦେଲା ବେଲୁନ୍ବାଲାକୁ, ଯେମିତି ସେ ବିନାମୂଲ୍ୟରେ ବେଲୁନ ନେବାକୁ ଚାହେଁନା । ଖରିଦ କରିନେବ । ପଇସା ନ ହେଲା ନାଇଁ, କାକୁଡ଼ିଟିଏ ତ ଅଛି ।
ବେଲୁନ୍ବାଲା ପ୍ରତିବଦଳରେ କାକୁଡ଼ିଟା ନେବାକୁ ଅମଙ୍ଗ ହେଉଥିଲା । ତାକୁ ଉତ୍ସାହିତ କଲା ପଦିଆ । କହିଲା, ‘ନିଅ ନିଅ! ବଇନି କରୁଚମାନେ ମାଗଣାରେ ଦବା କଥା ନୁହେଁ । ନିଅ କାକୁଡ଼ିଟା ନିଅ ।’
ଶଙ୍କର କାକୁଡ଼ିଟି ନେଲା ଓ କହିଲା, ‘ହଉ ଭାଇ! ମୁଁ ଚାଲିଲି ।’
ପରାମର୍ଶ ଦେବାରେ ବିଳମ୍ବ ନ କରି ପଦିଆ କହିଲା, ‘ଯାଉଚ ଯଦି କଲୋନୀ ଭିତରକୁ ଯାଅ । ସାଇ ଭିତରକୁ ଯାଅ । ସେଇଠି ପାଇବ କୁନି ଗରାଖମାନଙ୍କୁ ।’
ଶଙ୍କର କହିଲା, ‘ନା! ମୁଁ ଘରକୁ ଯିବି । ସ୍ତ୍ରୀର ଦେହ ବହୁତ ଖରାପ । ପଇସାପତ୍ର ନାହିଁ । ଘରକୁ ଯିବାକୁ ହେବ । ଗାଁଆକୁ ଯିବି ।’
ପଦିଆ ଆଶ୍ଚର୍ଯ୍ୟ ହେଲା, ‘ଆଉ ବେପାର କରିବନି! ବଂଚିବ କେମିତି?’
ଶଙ୍କର ଦୀର୍ଘଶ୍ୱାସ ପକେଇଲା ।
କହିଲା, ‘ଆମେ ସମସ୍ତେ ଏଠି କେବଳ ବଂଚିଛେ । ଯେମିତି ହେଲେ ତ ବଂଚି ରହିଛେ । ଆମେ ମରିଯିବାନି ମ!’
“ବେଲୁନ୍ ବେପାରଟାରେ ପାରବନି ବୋଲି ଭାବୁଛ?’
ଏବେ ଗୋଟାଏ ରହସ୍ୟ ଉନ୍ମୋଚନ କଲା ଭଳି ଶଂକର କହିଲା,” ତମକୁ ଆଉ କଣ ଲୁଚେଇବି? ମୁଁ ବେପାର କରିବାକୁ ବେଲୁନ୍ ଆଣି ନଥିଲି ।’
ପଦିଆ ପଚାରିଲା, ‘ଆଉ କ’ଣ ପାଇଁ ଆଣିଥିଲ?’
ବେଲୁନ୍ବାଲା କହିଲା, ‘ମୁଁ ବେଲୁନ୍ ଉଡ଼େଇ ଉଡ଼େଇ ଗାଁକୁ ଚାଲିଯିବି । କାଳେ ବାଟରେ ମୋତେ କିଏ ଧରିବ, ପ୍ରବାସୀ ବୋଲି କିଏ ଭାବି ଧରିନେବ । ପୁଲିସ୍ କାଳେ ବାଡ଼େଇବ, ମୋତେ ଧରିନେଇ କାଳେ କୋଉ କରୋନା ଘରେ ବନ୍ଦୀ କରି ରଖିଦେବ, ସେଇ ଭୟରେ ମୁଁ କେବଳ ବେଲୁନ୍ବାଲା ସାଜିଛି । ମତେ ଗାଁକୁ ଯିବାକୁ ହେବ । ଘରେ ପହଂଚିବାକୁ ହେବ । ଚାଲିଚାଲି ଯିବାକୁ ହେବ । ଘର ଆଉ ଚାଳିଶମାଇଲ ରହିଲାଣି । ମତେ ଯିବାକୁ ହେବ ।’
ବେଲୁନ୍ବାଲା ଶଙ୍କର ଚାଲିଗଲା । ତାର ଯିବା ବାଟକୁ ଚାହିଁ ରହିଥିଲା ପଦିଆ ।
ଦେଖିଲା ବେଲୁନ୍ବାଲାର ଗୋଟାଏ ବେଲୁନ୍ ଫାଟିଗଲା । ସେ ଚମକି ପଡ଼ିଲା । ମନେ ହେଲା ତା ଛାତିରେ ଯେମିତି କିଏ ଗୋଟାଏ ପ୍ରଚଣ୍ଡ ଧକ୍କା ମାରିଲା । ପ୍ରବଳ ଖରା ହେଉଛି, ଏ ଖରାରେ ବେଲୁନ୍ ଫାଟିଯିବା ବିଚିତ୍ର ନୁହେଁ । କିନ୍ତୁ ଶଙ୍କରର ସବୁଯାକ ବେଲୁନ୍ ଯଦି ଏମିତି ଗୋଟାଏ ପରେ ଗୋଟାଏ ଫାଟିଯାଏ, ତେବେ କ’ଣ ହେବ? ସେ ଘରେ ପହଂଚି ପାରିବ ତ!
ଆଉ ଅଧିକ କିଛି ଭାବି ପାରିଲାନି ପଦିଆ । ମୁହଁ ବୁଲାଇନେଲା । ଏପଟକୁ ଚାହିଁଲା ତ ଦେଖିଲା କୁନିଝିଅଟି ବେଲୁନ୍ ପାଇ ଉଲ୍ଲସିତ ହୋଇଉଠିଛି । ଖୁବ୍ ଖୁସିରେ ଖେଳିବାରେ ଲାଗିଛି । ତଥାପି ବି ଅଜଣା ଆତଙ୍କରେ ପଦିଆର ଛାତି ଥରିଉଠିଲା । ବାହାରେ ପ୍ରବଳ ଖରା । ଏ ବେଲୁନ୍ଟି ଫାଟିଯିବା ଅସମ୍ଭବ ନୁହେଁ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment