Welcome to shalandi webzine

ଅଲଣା ସମୁଦ୍ର

କ୍ଷୀରୋଦ ବିହାରୀ ବିଶ୍ୱାଳ

ମୁଁ ଆତ୍ମହତ୍ୟା କରିବି । ଆଉ ବଂଚିରହି ଲାଭନାହିଁ । ଏମିତି ଏକ ଭାବନା ଟେ ମନଭିତରେ ଦୃଢ଼ ହେଉଥିଲା । ଅବସ୍ୟ ଆତ୍ମହତ୍ୟାର କାରଣ ଟା ବହୁତ ଛୋଟ କିନ୍ତୁ ଗୁରୁତ୍ତ୍ୱପୁର୍ଣ୍ଣ କଥା ହେଲା କି ସେହି ଛୋଟ ଘଟଣା ବି ମୋ ସହିତ ଆଗରୁ କେବେ ହୋଇନଥିଲା ।

ମୁଁ ଆତ୍ମହତ୍ୟା କରିବି । ଆଉ ବଂଚିରହି ଲାଭନାହିଁ । ଏମିତି ଏକ ଭାବନା ଟେ ମନଭିତରେ ଦୃଢ଼ ହେଉଥିଲା । ଅବସ୍ୟ ଆତ୍ମହତ୍ୟାର କାରଣ ଟା ବହୁତ ଛୋଟ କିନ୍ତୁ ଗୁରୁତ୍ତ୍ୱପୁର୍ଣ୍ଣ କଥା ହେଲା କି ସେହି ଛୋଟ ଘଟଣା ବି ମୋ ସହିତ ଆଗରୁ କେବେ ହୋଇନଥିଲା ।
କାରଣ ଟା ଥିଲା ଏହିପରି ।
କଲେଜ ଫାଇନାଲ୍ ଏକ୍ଜାମ୍ ସରିଥିଲା ରେଜଲ୍ଟ୍ ବୋଧହୁଏ ବାହାରିନଥିଲା । ଘରେ ବାପାଙ୍କୁ ଚିଙ୍ଗୁଡ଼ିଘେରି ବେପାର ରେ ସାହାର୍ଯ୍ୟ କରୁଥିଲି ଆଉ ପ୍ରଚୁର କ୍ରିକେଟ୍ ଖେଳୁଥିଲି ।
କୋଉ ଗୋଟେ ଅମାବାସ୍ୟା ର ପୁର୍ବଦିନ , ଫେବୃୟାରୀ ରେ କୋଉ ଅମାବାସ୍ୟା ପଡ଼େ ? ମୋର ବି ମନେ ନାହିଁ ।
ଅମାବାସ୍ୟ ଓ ପୁର୍ଣ୍ଣମୀରେ ସମୁଦ୍ର ଛାତି ଫୁଲେ । ସମୁଦ୍ର ପାଖ ପୋଖରୀରେ ବିନା ପରିଶ୍ରମରେ ପାଣି ପସେ । କେବଳ ଜାଲ ଲଗେଇ ସଙ୍ଖ ,ସାମୁକା ,କଲି ,କକଉ କଣ୍ଟା ସବୁକୁ ଅଟକେଇଦେଲେ ପୋଖରୀ ତିନି ଚାରିଫୁଟ ପାଣି ଭର୍ତ୍ତି ହୋଇଯାଏ । ବାକି ଦୁଇ ତିନିଫୁଟ ପାଣି ମଟର ଲଗେଇ ପୁରେଇଦିଆଯାଏ ।
ଚିଙ୍ଗୁଡ଼ି ଘେରି ବହୁତ ପରିଶ୍ରମ ର ବେପାର । ଇତର ଲୋକଙ୍କୁ କେବଳ ଲାଭ ଦିଶେ, ଖଟଣି ଦିଶେନା । ଶିତ କାକର ବର୍ଷା କାଦୁଅରେ ସମୁଦ୍ର ଆଡକୁ ଅନେଇ ପଲ୍ହା ଭିତରେ ବସିଥିବ ପୁରା ପାଂଚମାସ । ଲୁଣି ପବନରେ ଦେହ କଳା ପଡ଼ିଯାଏ । ପାଣି କାଦୁଅ ରେ ଗୋଡ଼ ରେ ମାଛିଆଖିଆ ହୁଏ । ସବୁ ସହିବାକୁ ହୁଏ ।
 
 
ଜୀବନ କୁ ନେଇ ବେପାର | ଏ ଶଳା ବାଗଦା ଚିଙ୍ଗୁଡ଼ି ଏତେ ସଉକୁନିଆ ବେସି ଗରମ ହେଲେ ମଲେ ବେସି ଥଣ୍ତା ହେଲେ ମଲେ । ତାଙ୍କୁ ଛୁଆ ଭଳି ପାଳିବାକୁ ହୁଏ । ପବନ କମିଲେ ଏରିଏଟର୍ ଚଲେଇ ଅମ୍ଲଜାନ ଦବ । ଦିନକୁ ଚାରିଥର ଦାନା ଦବ, ଟାଇମ୍ ମାନେ ଟାଇମ୍ ଦଶ ମିନିଟ୍ ଏପଟ ସେପଟ ହେଲେ ସେ ଆଉ ଦାନା ଛୁଇଁବେନି । ପ୍ରତିଦିନ ତିନିଥର ସ୍ୟାମ୍ପୁଲ୍ ଟେଷ୍ଟିଂ ହବ କେତେ ଖାଇଲେ ନଖାଇଲେ ଦେଖିକି ପୁଣି ଔଷଧ ବ୍ୟସ୍ଥା ହବ । କେତେବେଳେ ପ୍ଲାକ୍ଟନ୍ ତ କେତେବେଳେ ପ୍ରୋଟିନ୍ କେତେବେଳେ କ୍ୟାଲସିୟମ୍ ତ କେତେବେଳେ ପୋଟାସିୟମ୍ । ଭାରି ଖିଟପିଟ୍ କାମ । ଟିକିଏ ଉଲମ୍ ବିଲମ୍ ହେଲେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ।
ମତେ କିନ୍ତୁ ଏତେ କଷ୍ଟରେ ବି ସେଠି କାମକରିବାକୁ ଭଲଲାଗେ । ସମୁଦ୍ର ର ଏକ ଆକର୍ଶଣ ଅଛି । ରାତିରେ ସୁନଶାନ ସମୁଦ୍ରକୁ ଦେଖିଛ କେବେ ? ଆମ ବାଲେଶ୍ୱର ସମୁଦ୍ର ରେ ପୁରୀ ସମୁଦ୍ର ପରି ଭୟଙ୍କର ଜୁଆର ନଥାଏ ମ । ଦିନରେ ଦୁଇଥର ସମୁଦ୍ର ଜୁଆର ଆସେ ଓ ଭଟା ପଡ଼ିଲେ ପାଂଚ କିଲୋମୋଟର ଭିତକୁ ଚାଲିଯାଏ ।
ଜହ୍ନରାତିରେ ଟ୍ରାସ୍ନପେରେଣ୍ଟ ଜାଆଁଳ ଜରିରେ ତିଆରି କୁଡ଼ିଆ ଭିତରେ ଶୋଇ ଜହ୍ନ ଦେଖିବାର ଅନୁଭୁତି କେବଳ ଜଣେ ଚିଙ୍ଗୁଡ଼ିଘେରୀ ରାତି ଜଗୁଆଳିର ଅଛି । ରେଡିଓରେ ବଙ୍ଗାଳି ଏଫ୍ ଏମ୍ ଚେନାଲରୁ ରବିନ୍ଦ୍ର ସଂଗୀତ , ଝାଉଁବଣର ସୁଁ ସୁଁ ... ଜୁଆର ଭଟା ରେ ସମୁଦ୍ର ଭିତରୁ ଆସୁଥିବା ଓ ପୁଣି ଲେଉଟି ଯାଉଥିବା ଲୁଣି ପାଣିର ଶଦ୍ଦ । ସେ ଅନୁଭୁତି ବିଶ୍ୱର ଶ୍ରେଷ୍ଠ ଅନୁଭୁତି ।
ସେଇ ଅମାବାସ୍ୟା ପୁର୍ବଦିନ ବାପା ଆଉ ବୋଉ ଜଣେ ବନ୍ଧୁଙ୍କ ବାହାଘର କୁ ଯାଇଥିଲେ । ମୋ ଉପରେ ଦିୟୀତ୍ୱ ଥିଲା ସକାଳେ ଚିଙ୍ଗୁଡ଼ିଘେରି ରେ ପାଣି ପୁରେଇବା ପାଇଁ ବ୍ୟବହୃତ ହେବାକୁ ଥିବା ଡିଜେଲ୍ ମୋଟର କୁ ପୋଖରୀ ପାଖରେ ପହଂଚାଇବା ।
ବାପା ବୋଉ ନଥିବାରୁ ଦିନ ସାରା କ୍ରିକେଟ ଓ ଭଲି ଖେଳରେ ବିତିଲା ଆଉ ରାତିରେ ଯାତ୍ରା । ଯାତ୍ରା ଦିଖି ଭୋର ଭୋର ଆସି ଟିକିଏ ଶୋଇଛି କି ନାହିଁ ବାପା କହିଥିବା ଗାଡ଼ିବାଲା ହାଜର । ମୋର ବିଛଣାରୁ ଉଠିବାକୁ ଇଛା ହେଲାନି । ବିଛଣାରେ ଶୋଇରହି ତାକୁ ମନା କରିଦେଲି "ଲୋକ କେହି ନାହାନ୍ତି ତୁମେ ପଳ "
ସେ ପଳେଇଲା । ଦିନ ଦଶରେ ବାପା ଆସିଲେ , ମୁଁ ସେମିତି ଶୋଇଥାଏ । ବାପା ଆସି ଦେଖିଲେ ମେସିନ୍ ସବୁ ସେମିତି ବାରଣ୍ତାରେ ଅଛି । ଡାକ ଛାଡ଼ିଲେ , ତାଙ୍କ ଡାକ ଶୁଣି ମୋର ହଗାମୁତା ଏକା ସାଙ୍ଗେ ଲାଗିଗଲା ।
- ଗାଡ଼ି ଆସିଥିଲା ?
- ହଁ
- ମେସିନ୍ ସବୁ କାହିଁକି ପଠେଇଲୁନି ?
- କେହି ନଥିଲେ , ଯାହାକୁ ଡାକିଲି କେହି ଆସିଲେନି । ସବୁ ଜାତ୍ରା ଦେଖି ଶୋଇଛନ୍ତି କହିଲେ ।
- କାହା କାହାକୁ ଡାକିଥିଲୁ ?
- ବାବୁ କୁ ହରିଆ ଭାଇ, ଭାଲୁଭାଇ , ବାବୁଟ ଭାଇ, କଟିଭାଇ ସମସ୍ତଙ୍କୁ ଡାକିଥିଲି ।
ବାପା କିଛି ସମୟ ମତେ ଦେଖିଲେ , ତାଙ୍କ ଅଭିଞତାରୁ ପଢ଼ିଦେଲେ କି କଣ ଯେ ମୁଁ ମିଛ କହୁଛି ।
- ଚାଲ ମୋ ସହିତ ।
ବାପା ଆଗେ ଆଗେ ମୁଁ ପଛେ ପଛେ । ଜେତେଜଣ ଙ୍କ ନାଁ ମୁଁ ଧରିଥିଲି ଗୋଟିଗୋଟି ସମସ୍ତଙ୍କ ଘରକୁ ଗଲେ , ପଚାରିଲେ ଓ ଉତ୍ତର ନାସ୍ତିବାଚକ ଥିଲା ।
ଭୟ ମତେ ଗ୍ରାସ କରିସାରିଥିଲା । ବାପା କିନ୍ତୁ ମତେ ଗାଳି କରିବା ପରିବର୍ତ୍ତେ ବୋଉକୁ ଗାଳିକଲେ ଅତି ଅଶ୍ରାବ୍ୟ ଭାଷାରେ । ସେ ଗାଳି ସବୁ ମୋ ଦେହଭେଦୁଥିଲା । ବାପାଙ୍କ ଠାରୁ ଏମିତି ଗାଳି କେବେ ଖାଇନଥିଲି ।
ଏ ଦୁନିଆରେ ସ୍ୱାଧୀନତା ନାହିଁ । ସେଥିପାଇଁ ଦୁନିଆଆଆ... ବାଏ ବାଏ ।
କିମିତି ମରିବି ? କିମିତି ମଲେ ମୃତ୍ୟୁ ସୁଖଦାୟକ ହେବ ଶରୀର କୁ କଷ୍ଟ ନଦେଇ କେମିତି ମରିହେବ, ଚିନ୍ତାକଲି । ଦଉଡ଼ିରେ ବହୁତ କଷ୍ଟ ମାମୁଘର ଗାଁରେ ଜଣେ ଦଉଡ଼ିଦେଇ ମଲା ଯେ ହଗିପକେଇଥିଲା । ଭାବିଦେଲେ ଦେହ କଣ ହେଇଯାଉଛି ।
ବିଷ, ବାଇଗଣ ଗଛ ପାଇଁ କଳା ରଂଗର ଚିନିଦାନା ଭଳି ବିଷ ଗୋଟେ ଜରିରେ ବନ୍ଧା ହୋଇ ସାଜା ଉପରେ ଥିଲା । ବାହାର କରି ଗୋଟିଏ ଦାନା ଚାଖିଲି । ହେ ... ଏତେ ଗନ୍ଧ କଣ ? ସୁଙ୍ଘିଦେଲେ ବାନ୍ତି ହେଇଯିବ । କାଳିଅପା କେମିତି ୟାକୁ ଖାଇ ହଜମ କଲା ? ଏ ବିଷ ତା' ପେଟକୁ ଯାଇନଥିବ । ସେ ପାଟିରେ ପକଉ ପକଉ ବାନ୍ତି ହେଇଥିବ ସେଥିପାଇଁ ସେ ବଞ୍ଚିଗଲା ।
ଭାବନାରେ ବହୁତ ସମୟ ଗଲା । ପ୍ରଥମେ ଏକ ସୁଇସାଇଡ୍ ନୋଟ୍ ଲେଖାଯାଉ । ମରିବି ତ ମରିବି ସମସ୍ତଙ୍କୁ ଫସେଇ କି ମରିବି ,
ବଟ ମାଷ୍ଟର୍ ,
ମତେ କହିଥିଲା ପଇସା ନଦେଲେ ପ୍ରାକ୍ଟିକାଲରେ ମାର୍କ ଦବନି । ରହରେ ପୁଅ ଆଗ ଧାଡ଼ିରେ ତୋ ନାଁ ଲେଖିବି ।
ଡେଙ୍ଗି ସସ୍ମିତା ,
ମତେ କହିଲା ବାଙ୍ଗରା, କାଳିଆ, ଭୁଇଁରୁ ବାହାରିନୁ ପ୍ରେମ କରିବାକୁ ବାହାରିଲୁଣି ! ଏବେ ଦେଖିବୁ ଗୋଟିଏ ଧାଡ଼ିରେ ତୋତେ ବଦନାମ କରିଦେବି ।
ବୁଢ଼ୀମାଁ ,
ବୁଢ଼ୀ ତୁ ସବୁବେଳେ ଭାଇକୁ ଭଲ ପାଉଛୁ ମୋ ଉପରେ ଗରଗର ହଉଛୁ । ତୋତେ ଏ ବୁଢ଼ୀ ବୟସରେ ଯଦି ନାଲି କୋଠା ନଦେଖେଇଛି ମୁଁ ତୋ ଅରିଜିନାଲ୍ ନାତି ନୁହଁ ।
ବୁଢ଼ୀମାଁ କଥାରୁ ମନେ ପଡ଼ିଲା । ବୁଢ଼ି ନିଦ ଟେବଲେଟ୍ ଖାଏ । ପ୍ରତି ରାତିରେ ଗୋଟିଏ । ପପି କହୁଥିଲା ତାଂକ ସାହିରେ କିଏ ଜଣେ ଆଠ ଟା ନିଦ ବଟିକା ଖାଇଥିଲା ମରିଗଲା ।
ବୁଢ଼ୀମାଁ ବଟୁଆ ଖୋଜିଲି | ସବୁ ଖାଲି ଷ୍ଟ୍ରିପ୍ । ସେଇ ଖାଲି ଷ୍ଟ୍ରିପ୍ ନେଇ ବିରା ମାମୁଁ ଔଷଧ ଦୋକାନ କୁ ଗଲି । ବିରା ମାମୁଁ ସେନା ରେ ଫାର୍ମାଶିଷ୍ଟ ଥିଲେ ଅବସର ପରେ ଗାଁ ଲୋକଙ୍କ ସେବାରେ ଲାଗିଛନ୍ତି । ଗାଁ ଗରିବ ଙ୍କ ସେ ହିଁ ଭରସା । କମ ଖର୍ଚରେ ସେବା, ଔଷଧ ସବୁ ଦିଅନ୍ତି । ବଡ଼ରୋଗ ହୋଇଥିଲେ କହିଦିଅନ୍ତି ବାଲେଶ୍ୱର ପଳା ।
ଆମର ତାଙ୍କର ଘରୋଇ ସମ୍ପର୍କ । ମୁଁ ହିଁ ମାଁ ପାଇଁ ନିଦ ବଟିକା ଆଣେ ଏଣୁ ସନ୍ଦେହର କାରଣ କିଛି ନଥିଲା ।
ମାଗିଲା କ୍ଷଣି ଆଠଟା ବଟିକା ମିଳିଗଲା |ଏବେ ଖାଇବି କେମିତି ? ପାଣି ଟିକେ ଦରକାର, ତାଙ୍କୁ ତ ଆଉ ମାଗିପାରିବିନି | ଆଗରେ ଥିବା ସ୍କୁଲ ହତା ଭିତରକୁ ପଶିଲି | ସକାଳ ସମୟ ସ୍କୁଲରେ କେହି ନାହିଁ | ନଲକୂଅଁ ରୁ ପାଣି ଆଣି ସବୁ ବଟିକା ଖାଇଦେଲି | ରାଗ ରେ ଦେହ ଥରୁଥିଲା , ହିତାହିତ ଜ୍ଞାନ ଭୁଲି ସାରିଥିଲି | ମରିବି, ଆଜି ମରିବି , ଏବେ ମରିବି | ଅବଶ୍ୟ କାହାର କଣ କ୍ଷତି ହୋଇଯିବ ଯେ ? ବଂଶରକ୍ଷ୍ୟା ପାଇଁ ଭାଇ ଅଛି | ମୁଁ ମରିଗଲେ ଭାଇ ଖୁସି ହବ , ତା ସହ ଝାଡା କରିବାକୁ କେହି ରହିବେନି |
ମୁଁ ମରଣ କୁ ଅପେକ୍ଷା କରିଥିଲି | ଯମରାଜ ନିଜେ ଆସିବେ କି କାହାକୁ ପଠେଇବେ ? କେମିତି ଦିଶନ୍ତି ଯମରାଜ ? ଭାବିଲି ମାରିବା ପର୍ଯ୍ୟନ୍ତ ଯାହା ମନକୁ ଆସୁଛି ଲେଖିବି | ମରିବାର ଅନୁଭୂତି | ବାବୁ ଭାଇ ଦୋକାନରୁ କାଗଜ ଫର୍ଦ୍ଧେ କିଣିଲି | ତିନି ଟଙ୍କିଆ ଡଟ ପେନ ଟେ କିଣିଲି | ଲେଖିଲି ମତେ କେମିତି ଅନୁଭବ ହେଉଛି |
କିଛି ଅନୁଭବ ହେଉନି | ନା ନିଦ ଆସୁଛି , ନା ବାନ୍ତି ଲାଗୁଚି , ନା ଦେହରେ କିଛି ପରିବର୍ତନ ହେଉଛି , କିଛି ବି ହେଉନି |ମତେ ଲାଗିଲା ବିରା ମାମୁଁ ନକଲି ଔଷଧ ଦଉଚି | ଯଦି ମୁଁ ଆଜି ନ ମଲି ତେବେ ବିରା ମାମୁଁ କୁ ପୋଲିସ ରେ ଧରେଇଦେବି |ଯଦି ମରିଗଲି ! ବିରା ମାମୁଁ କୁ ଉପରୁ ରହି ପୁରସ୍କାର ଦେବି | ଭୁତ ହୋଇ ତା ଘର ଯଗିଵି |
କଲ୍ୟାଣୀ , ପପି ଘର ଗାଁ | ଆମ ଛକରୁ ପପି ଘର ଦୁଇ କିଲୋମିଟର ହବ | ଚାଲି ଚାଲି ତାଙ୍କ ଘର ପହଁଚିଲା ବେଳକୁ ପପି ପତୁଳି ପକଉଥିଲା | ତାକୁ କହିଲି ମୁଁ ଗୋପାଳପୁର ଯିବି , ମତେ ସାଇକେଲ ଟା ଦେ | ତା ସାଇକେଲ ଧରି , ମୁଖ୍ୟ ରାସ୍ତାରେ ନ ଆସି ଗିଲିଦା ଜୁଣିଆ ରାସ୍ତାରେ ଗୋପାଳପୁର ଆସିଲି | ସେ ପର୍ଯ୍ୟନ୍ତ ମୋର କିଛି ବି ଅନୁଭୂତି ନଥିଲା | ମୋର ସମ୍ପୂର୍ଣ ବିଶ୍ଵାସଥିଲା କି ବିରା ମାମୁଁ ମତେ ଠକିଦେଲା | ନକଲି ଔଷଧ ଦେଇ ଏରିଆ ସାରା ଲୋକଙ୍କୁ ଠକୁଛି |
ରଥ ମେଡ଼ିସିନ ଷ୍ଟୋର ରୁ ବି ବୁଢୀମା ପାଇଁ ନିଦ ବଟିକା ଆସେ | ରଥ ନନା ଦଶଟା ବଟିକା ଦେଲା | ମାନସୀ ପଣ୍ଡା ଘର ପାଖରେ ଯାଉ ନଳକୂଅ ଅଛି ! ସେଠି ଦଶଟା ଟେଵଲେଟ ଖାଇଦେଲି |
ତାପରେ ନିଦ ଆସିବା ଆରମ୍ଭ ହେଲା | ସାଇକେଲ ମାରି ପିଂକୁଂନ ଦୋକାନ କୁ ଆସିଲି | ପିଂକୁନୁ ମୋର ବି ସାଙ୍ଗ ଆଉ ଭାଇର ବି | ପିଂକୁନୁ କୁ କହିଲି "ତୋର ପଚିଶ ଟଙ୍କା ବାକି ରହିଗଲା ସୁଝି ପାରିଲିନି ରେ " ଏତିକି କହିଲା ବେଳକୁ ମତେ କାନ୍ଦ ନାଗିଲା | ମୋ ଆଖିରୂ ଲୁହ ବହୁଥାଏ | ମତେ ସବୁ କିଛି ଅନ୍ଧାର ଦିଶୁଥିଲା | ପିଂକୁନୁ କୁ ସନ୍ଦେହ ହେଲା | ସେ ମୋ ଛାତି ପାକେଟ ଅଣ୍ଡାଳି ବଟିକା ଷ୍ଟ୍ରିପ ଟା କାଢ଼ିନେଲା | ପଚରିଲା ଏଇଟା କି ବଟିକା | ମୁଁ ଚୁପ ଥିଲି | ମତେ ସେଇଠି ଠିଆ କରେଇ ସେ ଔଷଧ ଦୋକାନ କୁ ଗଲା ପଚାରିବା ପାଇଁ ଏଇଟା କି ଔଷଧ |
ମୁଁ ସାଇକେଲ ଧରି ସେ ଜାଗା ଛାଡ଼ିଲି | ମୋର ମନେ ଅଛି ମୁଁ ଆକାଶ ଆଡକୁ ଲକ୍ଷ୍ୟ କରି ପ୍ୟାଡଲ ମାରୁଥାଏ | ମତେ ଲାଗୁଥିଲା ମୁଁ ସ୍ୱର୍ଗକୁ ଯାଉଛି | ରାସ୍ତାରେ କିଏ ଆସୁଛି ଯାଉଛି ଗାଡି ମଟର କାହାକୁ ମୋର ଖାତିର ନଥିଲା | ଆକାଶ ନୀଳ ରୁ ଗାଢ଼ ନୀଳ ପୁଣି କଳା ଦିଶିଲା | ଆଣିଥିବା କାଗଜ କାଲାମ ସେମିତି ମୋ ପକେଟ ରେ ଥିଲା | କିଛି ବି ଅନୁଭୂତି ଲେଖିପାରିଲିନି |
ଚେତା ଫେରିଲା ବେଳକୁ ତିନି ଦିନ ବିତି ସାରିଥିଲା ଆଉ ମୁଁ କଟକ ବଡ ମେଡିକାଲ ର ଆଇ. ସି .ୟୁ . ରେ ଥିଲି |
ବାପାଙ୍କ ସହ ଆଖି ମିଶେଇବାକୁ ସାହସ ନଥିଲା | ବୋଉ ମୋ ମୁହଁକୁ ଦେଖୁଥିଲା ଆଉ କାନ୍ଦୁଥିଲା | ଆଇ ମୁଣ୍ଡ ପାଖରେ ବସି ଥିଲେ |
ପରେ ଜାଣିଲି ଏହି ନିଜର ଲୋକ ମାନେ କେତେ କଷ୍ଟ ସହିଛନ୍ତି ମତେ ବଂଚେଇବା ପାଇଁ |
ସେଦିନ ମୁଁ କୁଆଡେ ଜୁଣିଆ ରାମ ମନ୍ଦିର ପଛପଟେ ପଡ଼ିଥିଲି | ସକାଳ ରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ସାରା ଗାଁ ମତେ ଖୋଜିବାରେ ଲାଗିଥିଲେ | ଦିନ ଦୁଇଟାରେ ମୋ ସମ୍ପର୍କୀୟ ପୁତୁରା ବାବୁ ଓ ମୋ ବଡ ବାପା ଝିଅ ଅଖି ଅପା , ଦୁହେଁ ପପି ର ସେ ଭଙ୍ଗା ସାଇକେଲ କୁ ଆବିଷ୍କାର କଲେ ରାମ ମନ୍ଦିର ଆଗରୁ | ବହୁତ ଖୋଜିବା ପରେ ମୁଁ ବି ଆଵିସ୍କୃତ ହେଲି | ବହୁତ ଲୋକ ଆଗରୁ ମତେ ସେଇଠି ଦେଖିଥିଲେ କିନ୍ତୁ ମଦୁଆ ଟେ ପଡିଛି ଭାବି କେହି ଏତେ ଗୁରୁତ୍ୱ ଦେଇ ନଥିଲେ |
ଗୋପାଳପୁର ହସ୍ପିଟାଲରେ ସନ୍ଧ୍ୟା ପର୍ଯ୍ୟନ୍ତ ରହିଲି | ତାପରେ କଟକ |
ମୋର ଦୁର୍ଭାଗ୍ୟ କୁ ସେହିଦିନ ଥିଲା ଫେବୃୟାରୀ ଚଉଦ , ଭାଲେଣ୍ଟାଇନ ଡେ | ଚାରିଆଡେ ପ୍ରଚାର ହୋଇଗଲା ଏହା ପ୍ରେମ ଜନିତ ଆତ୍ମହତ୍ୟା ଉଦ୍ୟମ | କିଛି ଲୋକ ଏମିତି ବି ଗପ ତିଆରି କଲେ କି କିଛି ଦିନ ତଳେ ଆମ ଗାଁର ଜଣେ ଝିଅ ଦୁର୍ଘଟଣା ରେ ପୋଡି ହୋଈ ପ୍ରାଣ ହରାଇଥିଲା ଆଉ ସେ ମୋର ପ୍ରେମିକା ଥିଲା | ସେହି ଦୁଃଖ ସହ୍ୟ କରି ନପାରି ମୁଁ ଆତ୍ମହତ୍ୟା ଉଦ୍ୟମ କରିଛି | ଏହି ଖବର ଆମ ଅଞ୍ଚଳରେ ବ୍ୟାପିଯାଇଥିଲା |
ପାଞ୍ଚଦିନ ପରେ ମୁଁ ସୁସ୍ଥ ହୋଇ ଘରକୁ ଫେରିଲି | ବାହାନଗା ପର୍ଯ୍ୟନ୍ତ ବସ , ସେଇଠୁ ବାଇକରେ ଘରକୁ | ଗୋପାଳପୁର ବଜାରରେ ମତେ ଲାଗୁଥିଲା ସମସ୍ତେ ମତେ ହିଁ ଦେଖୁଛନ୍ତି | ଆଉ କାହାର କିଛି କାମ ନାହିଁ , ସମସ୍ତେ ମତେ ଅପେକ୍ଷା କରିଛନ୍ତି | ଲାଗୁଥିଲା ଗୋପାଳପୁର ପହଁଚିଲେ ପିଂକୁନୁ ମାଗିବ " ଭାଇ ତୁ ମୋ ପଚିଶ ଟଙ୍କା ଫେରେଇ ଦେ , କେବେ ତୁ ମରିଯିବୁ ମୋ ପଇସା ବୁଡ଼ିଯିବ "|
ଯେକୌସି ଉପାୟରେ ମୁହଁ ଲୁଚେଇ ଲୁଚେଇ ଘରେ ପହଂଚିଗଲି |
ଏଇଠୁ ଆରମ୍ଭ ହେଲା ଅସଲ ଗପ , ଅସଲ ଖେଳ , ଅସଲ ପରୀକ୍ଷା |
ଘରକୁ ଜଣେ ଜଣେ ପରିଚିତ , ବନ୍ଧୁ, ପଡିଶା ସବୁ ଆସିବାରେ ଲାଗିଲେ | ସଭିଙ୍କ ମୁହଁରେ ସେଇ ଗୋଟିଏ କଥା " କାହିଁକି ଏମିତି କରୁଥିଲୁରେ ବାପା , ବାପା ମାଁ କୁ ଚାଁହିଲୁନି ? ତାଙ୍କ କଥା ଭାବିଲୁନି |
କିଛି ଲୋକଙ୍କୁ ବିଶ୍ୱାସ ହେଉନଥିଲା କି ମୁଁ ସତରେ ବଂଚିଛି , କାହିଁକିନା ଅଠର ଟା ନିଦ ବଟିକା ଖାଇ କେହି ବଂଚିବାର ସେମାନେ ଆଗରୁ ଶୁଣି ନଥିଲେ |
ଆଉ କିଛି ଲୋକ ଅସଲ ରହସ୍ୟ ଜାଣିବାକୁ ବହୁତ ପ୍ରୟାସ କରୁଥିଲେ | ସେମାନଙ୍କର ବିଶ୍ୱାସ ନଥିଲା କି ବାପାଙ୍କ ଗାଳି ରେ କେହି ଆତ୍ମହତ୍ୟା କରିଦେବ | ଏହା ନିଶ୍ଚିତ ପ୍ରେମ ଜନିତ | କିନ୍ତୁ ଝିଅଟି କିଏ ଜାଣିବାକୁ ବହୁତ ପ୍ରୟାସ କରିଥିଲେ |
ମୋତେ ଲାଗୁଥିଲା କେହିଜଣେ ମୋ କାନରେ କହୁଛି ଏହି ସମୁଦ୍ର ବେଳା ଭୂମି , ଚିଙ୍ଗୁଡ଼ି ଘେରି , ଲୁଣି ପାଣି , କଲିକତା ଏଫଏମ , ବର୍ଷ ଭିଜା କାଦୁଆ ରାତି ଏଇଠି ଜୀବନ ଅଛିରେ ପାଗଳା ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment