Welcome to shalandi webzine

ତୁମେ ଫେରିଆସ

ଚିନ୍ମୟୀ ବାରିକ

"ତୁମେ ଫେରି ଆସ ...ପାପା...." ଏମିତି କଣ କହି ପାରିବି କି ମୁଁ ତୁମକୁ ଫୋନ୍ କରି ? କହି ପାରିବି କି ମୁଁ ତୁମକୁ ଭୂଲି ପାରି ନାହିଁ, ଆଉ ଏଠି ସକାଳର ଧୂଆଁ ଧୂଆଁ କୁହୁଡି ଭିତରେ ମୋତେ ଦେଖା ଯାଉଛି ତୁମ ହାତ ତିଆରି ଚା'ର ବାମ୍ଫ ।

ତୁମେ ଫେରି ଆସ ...ପାପା...."
ଏମିତି କଣ କହି ପାରିବି କି ମୁଁ ତୁମକୁ ଫୋନ୍ କରି ? କହି ପାରିବି କି ମୁଁ ତୁମକୁ ଭୂଲି ପାରି ନାହିଁ, ଆଉ ଏଠି ସକାଳର ଧୂଆଁ ଧୂଆଁ କୁହୁଡି ଭିତରେ ମୋତେ ଦେଖା ଯାଉଛି ତୁମ ହାତ ତିଆରି ଚା'ର ବାମ୍ଫ । କହି ପାରିବି କି ଯେ ତୁମେ ମୋର ଖୁବ୍ ମନେ ପଡ ଆଉ ଖାସ୍ ଏଇ ସମର୍ ଭେକେସନ୍ ରେ ହଷ୍ଟେଲ୍ ରେ କେହି ନ ଥିଲା ବେଳେ ।ତୁମକୁ ଭୂଲିବା ବି ତ ଏତେ ସହଜ କଥା ନ ଥିଲା । ତୁମର କଣ ମନେ ଅଛି ସେ କଥା ଯେ ତୁମକୁ ମୁଁ ଘୃଣା କରୁ କରୁ ହିଁ କେମିତି ହଠାତ୍ ଯେମିତି ଭଲ ପାଇ ଯାଇଥିଲି ତୁମକୁ ।
ଦିନେ ଛାଡି ଦିନେ ତୁମେ ମୋତେ ଫୋନ୍ କର ,ଆଉ ମୋର ଭଲ ମନ୍ଦ ପଚାରି ବୁଝ ।ମୋର ଓଜନ କମିଛି କି ନାହିଁ , ରାତିରେ ଚଷମା ଖୋଲି ଶୋଉଛି କି ନାହିଁ , ଷ୍ଟୋରୀ ବୁକ୍ ପଢୁଛି କି ନାହିଁ , ଏଥର ସେମିଷ୍ଟାରରେ କେତେ ପରସେଣ୍ଟେଜ୍ ଥିଲା ଇତ୍ୟାଦି ଇତ୍ୟାଦି । ଏମିତି ବି ପଚାର "ମାହି...ତୁମେ ଆଉ ଆଗଭଳି ଡର ସ୍ୱପ୍ନ ଦେଖୁ ନାହଁ ତ ?"
ତୁମ କଥା ଶୁଣି ମୁଁ ଟିକେ ହସେ ଆଉ ଭାବେ "ତୁମେ ମୋତେ ଆଜି ଯାଏଁ ବି "ତୁ" ବୋଲି ବି ସମ୍ବୋଧନ କରି ପାରିଲନି କାହିଁକି ?କ'ଣ ମୁଁ ତୁମର ନିଜର ନ ଥିଲି ବୋଲି ?ତୁମ ପ୍ରଶ୍ନର ଉତ୍ତରରେ କହିବାକୁ ଇଛା ହୁଏ ଯେ ,ନା....ଆଉ ଡର ସ୍ୱପ୍ନ ଦେଖୁନି ମୁଁ ।ଏବେ ସ୍ୱପ୍ନରେ କେବଳ ତୁମେ ଓ ଶେଫାଳି ଚୌଧୁରୀଙ୍କୁ ଦେଖେ । ତୁମ ଦୁଇଜଣଙ୍କର ରୋମାଣ୍ଟିକ୍ ମୁହୁର୍ତ୍ତ ବି ସ୍ୱପ୍ନରେ ଦେଖେ । ଏ ସବୁ ତ କହିବାର କଥା ନୁହେଁ ତଥାପି ଖୁ'ମନ ହୁଏ ତୁମକୁ କହି ଦିଅନ୍ତି ଯେ " ତୁମେ ଫେରିଆସ----" ଆମେ ଏଥର ପୁଣିଥରେ ଗୋଟିଏ ସୁଖର ଜୀବନ ଜିଇଁବାର ପ୍ରୟାସ କରିବା " ।
ହେଲେ କେଉଁଠି କହିପାରେ ଏତକ କଥା ?ତୁମର ସବୁ ପ୍ରଶ୍ନରେ ହଁ ...ହାଁ ... ମାରି ଫୋନ୍ ରଖେ ।ଝରକା ଖୋଲି ଡେରାଡୁନ୍ ର ଘଞ୍ଚ ଜଙ୍ଗଲକୁ ଅନାଏ ।ସେପଟରୁ କିଛି ପକ୍ଷୀ ମାନଙ୍କର କଳରବ ଶୁଭୁଥାଏ ନୂଆ ସକାଳର ଶୁଭେଛା ଜଣାଇ ।
ମୁଁ ନିଦୁଆ ଆଖିରେ ଆଉ କିଛି ସମୟ ଖଟରେ ଗଡପଡ ହୁଏ ।ଖଟର ଏ ପାଖରୁ ସେପାଖକୁ ଦୁଇ ଥର ଗଡି ଆସେ ।ମୋ ଖୋଲା ବାଳରେ ତୁମ ଆଙ୍ଗୁଳିର ସ୍ପର୍ଶ ଅନୁଭବ କରେ ।ମୁଁ ଅପେକ୍ଷା କରେ ତୁମ ହାତ ତିଆରି ଲେମନ୍ ଟି 'ର ଗରମ ବାମ୍ଫର ସ୍ୱାଦକୁ ।
ମୋ ସ୍ୱପ୍ନକୁ ଭାଙ୍ଗି ବାସ୍ତବତାରେ ପହଞ୍ଚାଇ ଦିଏ ମୋବାଇଲ୍ ଫୋନ୍ ର ଘନ ଘନ ରିଂ ।ମୁଁ ଜାଣେ ଏ ଫୋନ୍ ରିଂ ଶେଫାଳି ଚୌଧୁରୀଙ୍କର ଅର୍ଥାତ୍ ତୁମ ଅର୍ଦ୍ଧାଙ୍ଗିନୀର ।
ମୁଁ ଫୋନ୍ ଉଠାଏ ଆଉ କୁହେ "ଗୁଡ୍ ମର୍ଣ୍ଣିଂ ମାମା " ।
* * * * *
ଶେଫାଳି ଚୌଧୁରୀ ଅର୍ଥାତ୍ ମୋ" ମାମା" ଯାହାଙ୍କ ସୁନ୍ଦରତାର ପଟ୍ଟାନ୍ତର ନାହିଁ । ଗୋଟିଏ ପଦରେ ତାଙ୍କୁ ବର୍ଣ୍ଣନା କରି ହେବ ସେ ଜଣେ" ମର୍ଡଣ୍ଣ ଗଡେସ୍ " ।ତାଙ୍କୁ ଦେଖିଲେ କେହି କହିବନି ଯେ ତାଙ୍କର ମୋ ଭଳି ଗୋଟିଏ ଅଠର
 
 
ବର୍ଷର ବେବୀ ଏଲିଫ୍ୟାଣ୍ଟ (ଝିଅ) ଅଛି ବୋଲି । ଖୁବ୍ ସ୍ଲିମ୍ , ,ସର୍ଟ ହେୟାର ,ଗହମ ରଙ୍ଗ ଓ ପାଞ୍ଚ ଫୁଟ୍ ଛଅ ଇଞ୍ଚ୍ ର ଲେଡି ସେ ।
ତାଙ୍କୁ ଦେଖି ବେଳେ ବେଳେ ମୋ ସାଙ୍ଗ ମାନେ ମୋତେ ଥଟ୍ଟା କରି କୁହନ୍ତି ଯେ "ମୁଁ କାଳେ ଶେଫାଳି ଚୌଧୁରୀ ଙ୍କ ମମି ଭଳି ଦିଶେ " ।ସାଙ୍ଗ ମାନଙ୍କ କଥା ଶୁଣି ମୁଁ ରାଗିବା ବଦଳରେ ଖୁବ୍ ଖୁସି ହୋଇଯାଏ, ଏଇଥି ପାଇଁ ଯେ ମୁଁ ଏମିତି ଏକ ସୁନ୍ଦର ମହିଳାଙ୍କ ଝିଅ ବୋଲି ।
ମୋ ହେଲଥ୍ ପାଇଁ ମଧ୍ୟ ସେ ଖୁବ୍ ଚିନ୍ତିତ ହୋଇ ପଡନ୍ତି ସବୁବେଳେ ।ଅଶୀ କେଜିରୁ କେମିତି ଚାଳିଶ୍ କେଜି ରେ ପହଞ୍ଚିବି ସେଥିଲାଗି ସେ ସବୁବେଳେ ୟୁ ଟ୍ୟୁବ୍ ରୁ ହେଲଥ୍ ଟିପସ୍ ଦେଖି ମୋତେ ଆଦେଶ ଦିଅନ୍ତି ।ସକାଳୁ ଉଷୁମ୍ ଲେମ୍ବୁ ପାଣି ପିଇବି, ,ମର୍ଣ୍ଣି ୱାକ୍ କରିବି , ପ୍ରାଣାୟାମ୍ ଓ କପାଳଭାତି କରିବି ,ଫାଇବର୍ ଭେଜିଟେବଲ୍ ଖାଇବି ଇତ୍ୟାଦି ଇତ୍ୟାଦି ଯାହା ସେ ସବୁ ନିଜେ କରନ୍ତି ।ବଟ୍ ଆଇ ହ୍ୟାଟ୍ ଅଲ୍ ଦିଜ୍ ।ଦେହକୁ ବାଗେଇବାକୁ ଏତେ କଣ ଗୋଟିଏ କସରତ୍ ?
ମୁଁ ଭାବେ ଜୀବନ ମାନେ ହିଁ ମନ ଭରି ଜିଇଁବା ।
ନୋ ରେସଟିକସନ୍ ଏବାଉଟ୍ ଏନି ଥିଙ୍ଗ୍ । ଖୁଲମ୍ ଖୁଲା ବିନଦାସ୍ ଜିଓ ।
ମାମା ଗୋଟିଏ କର୍ପୋରେଟ୍ ସେକ୍ଟର୍ ର ହାଇଅର୍ ପୋଜିସନ୍ ରେ ଅଛନ୍ତି ।ସବୁବେଳେ ମିଟିଂ ଆଉ ପ୍ରୋଜେକ୍ଟ ୱାର୍କରେ ବ୍ୟସ୍ତ ।ସକାଳୁ ମୋ ଆଖି ଖୋଲୁ ଖୋଲୁ ଦେଖେ ସେ ଅଫିସ୍ ଲାଗି ପ୍ରିପିୟାର୍ ହୋଇ ସାରି ଥାଆନ୍ତି । ସ୍ଲିଭ୍ ଲେସ୍ ଟପ୍ ସହ ଡେନିମ୍ ଜିନସ୍ ତାଙ୍କର ପ୍ରିୟ ।ବ୍ରାଉନ୍ କଲର୍ ସର୍ଟ ହେୟାର୍ ରେ ଫ୍ରେମ୍ ଲେସ୍ ଚଷମାର ଷ୍ଟାଇଲ୍ ତାଙ୍କୁ ଖୁବ୍ ମାନେ ।ସେ ଅଫିସ୍ ଭଳି ଘରେ ବି ଅନେକ ସମୟରେ ଇଂରାଜୀରେ କଥା ହୁଅନ୍ତି । ମୋ ନାଁ "ମାହି " ବଦଳରେ ସେ ମୋତେ "ବେବୀ " ବୋଲି ସମ୍ବୋଧନ କରନ୍ତି ।
ଆଉ ଯେତେବେଳେ ସେ ବେଶୀ ଖୁସି ହୁଅନ୍ତି ସେତେବେଳେ ମୋତେ ବେବୀ ନୁହେଁ ବରଂ ବେବୀ ଏଲିଫ୍ୟାଣ୍ଟ କହି ମୋତେ କୋଳେଇ ଧରି ଅନେକ ସମୟ ଧରି ଗେଲ କରନ୍ତି ।ତାଙ୍କ ଭଲ ପାଇବାର ଉପହାର ସୂରୂପ ମୋ ଗାଲ ଓ ମୁହଁ ସାରା ତାଙ୍କର ଲିପଷ୍ଟିକ୍ ର ଦାଗ ବୋଳି ହୋଇଯାଏ ।ତେଣୁ ମାମା ଯେତେବେଳେ "ଓଃ..ମାଇ ବେବୀ ଏଲିଫ୍ୟାଣ୍ଟ କହି ମୋ ଆଡକୁ ଆଗେଇ ଆସନ୍ତି ସେତେବେଳେ ମୁଁ କବାଟ କୋଣରେ ଲୁଚି ରହି କହେ "ପ୍ଲିଜ୍ ମାମା ..ଡୋଣ୍ଟ୍ କିସ୍ ମି ...ପ୍ଲିଜ୍ ...ପ୍ଲିଇଇଇଇଜ୍ ...।
ଇଟସ୍ ଓକେ .. କହି ସେ ଦୁଇ ଚାରିଟା ଫ୍ଲାଇଂ କିସ୍ ଦେଇ ଚାଲି ଯାଆନ୍ତି ।ଲିପଷ୍ଟିକ୍ ଲଗାଇବାର ମୋହ କିନ୍ତୁ ସେ କେବେ ତୁଟାଇ ପାରନ୍ତି ନାହିଁ ।ମୋତେ କିନ୍ତୁ ଲିପଷ୍ଟିକ୍ ଆଦୌ ଭଲ ଲାଗେନି ।ସେଥିଲାଗି ସେ ମୋତେ ବେଳେ ବେଳେ "ମଫୁ " ବୋଲି ବି କୁହନ୍ତି ।
ସତରେ କଣ ମୁଁ " ମଫୁ" ?ମଫୁ ମାନେ ମଫସଲି ତ?
ଆଉ ତୁମେ ? ତୁମେ ଖୁବ୍ ଅଲଟ୍ରା ମର୍ଡର୍ଣ୍ଣ ନା ମାମା ? ନ ହୋଇ ଥିଲେ ସେଦିନ ମୋ ସାମ୍ନାରେ ହଠାତ୍ ଜଣଙ୍କୁ ଠିଆ କରାଇ କେତେ ସହଜରେ କହିଦେଲ ଯେ ସେ ତୁମର ପ୍ରେମିକ ଆଉ ଏଇ ଏବେ ଏବେ ହିଁ ତୁମେ ତାଙ୍କୁ କୋର୍ଟ ମ୍ୟାରେଜ୍ କରିଛ ବୋଲି ।ଟିକେ ବି ଭାବିଲନି ମୋ କଥା ?ଏକଥା ବି ଭାବିଲନି ଯେ ମୋତେ ଏକଥା ଶୁଣି କେତେ ଖରାପ ଲାଗିବ କି ଭଲ ଲାଗିବ ବୋଲି ?ହଁ ,ମୁଁ ଜାଣେ ତୁମେ ଜଣେ ଖୁବ୍ ସ୍ୱାଧୀନ ଚେତାର ମଣିଷଟେ ବୋଲି ।ଆଉ ମେଣ୍ଟାଲି ବି ଖୁବ୍ ଷ୍ଟ୍ରଙ୍ଗ୍ ।କିନ୍ତୁ ମୁଁ ଏତେ ବ୍ରଡ୍ ମାଇଣ୍ଡେଡ୍ ନୁହେଁ ।ହଠାତ୍ ମୁଁ ଭାଙ୍ଗି ପଡିଲି ।ଏମିତି କେମିତି ଜଣେ ଅଜଣା ମଣିଷକୁ ମୁଁ ପାପା ବୋଲି ଡାକି ପାରିବି ? ସେଦିନ ମୁଁ ପ୍ରଥମ ଥର ଲାଗି ମୁଁ ମୋ ଜନ୍ମକଲା ପିତାଙ୍କୁ ଖୋଜିଥିଲି ।ଶୁଣିଥିଲି ସେ କାଳେ ଲଣ୍ଡନରେ ଏବେ ଏଷ୍ଟାବ୍ଲିସଡ୍ ହୋଇ ସାରିଛନ୍ତି ।ତୁମକୁ ଡିଭୋର୍ସ ଦେଲାପରେ ତୁମେ ଆଉ ତାଙ୍କର ଖୋଜ ଖବର କିଛି ରଖି ନ ଥିଲ ।ଆଉ ମୁଁ ବି କେବେ ଆବଶ୍ୟକତା ମନେ କରିନି ମୋ ପାପାଙ୍କର ।ଆଜି କିନ୍ତୁ ତାଙ୍କର ଅନୁପସ୍ଥିତି ଖୁବ୍ ଅନୁଭବ କରୁଥିଲି ।
* * * * *
ମୋ ସାମ୍ନାରେ ଏବେ ଯିଏ ଠିଆ ହୋଇଥିଲେ ମୋର ସେ ନୂଆ ପାପା ।ଲମ୍ବା ଉଚ୍ଚତା ,ଫ୍ରେଞ୍ଚ୍ କଟ୍ ଦାଢିର ମଣିଷଟେ ।ଦେଖିଲେ ଲାଗିବ ଯେମିତି କବି କି ଲେଖକ ଫେକକଟେ ହୋଇଥିବେ ।ପତଳା ଓଠରେ ହସଧାରେ ଚାପି ରଖି ମୋ ଆଡକୁ ହାତ ବଢାଇ କହିଲେ "ହାଏ ..ଦିସ୍ ଇଜ୍ ଭାସ୍କର ଦ୍ୱିବେଦୀ " ।ତାଙ୍କ କଥା ଶୁଣିଲା ପରେ ମୁଁ ତାଙ୍କୁ ହାତ ବଢାଇବି କଣ ବରଂ ଦୌଡି ପଳାଇଗଲି ମୋ ରୁମ୍ କୁ ।ମୋତେ ଲାଗିଲା ଆଗରୁ ମୁଁ ପିତୃହୀନ ଥିଲି ହେଲେ ଆଜି ମାତୃହୀନ ବି ହୋଇଗଲି ।ମାମା ଉପରେ ମୋର ଖୁବ୍ ରାଗ ଲାଗୁଥିଲା ।
ରାତି ସାରା ଶୋଇ ପାରିଲିନି ।ଭାବୁଥିଲି କେମିତି କଟୁଥିବ ମୋ ମାମାଙ୍କ ସହ ନୂଆ ପାପାଙ୍କର ମଧୁରାତ୍ରୀ ! କେତେ ରୋମାଣ୍ଟିକ୍ ହୋଇ ପାରିଥିବେ ଦୁହେଁ ମୋତେ ଅସରାଏ ଦୁଃଖ ଓଜାଡି ଦେଇ । ମୁଁ ପାଗଳ ହୋଇ ଯିବା ପରି ଲାଗୁଥିଲା ।ମୁଁ ଅପେକ୍ଷା କରିଥିଲି ସକାଳକୁ । ନିଷ୍ପତ୍ତି ନେଲି ସକାଳ ହେଲେ କାହାକୁ କିଛି ନ କହି ମୁଁ ବାହାରିଯିବି ଏ ଘରୁ ,ଯେଉଁ ଆଡେ ମୋ ପାଦ ନେଇଯିବ ।
ସକାଳ ହେଲା ।ମୋ ଆଖି ଖୋଲିବା ଆଗରୁ ମୁଁ ଶୁଣିଲି କାହାର ଖଟ ଖଟ ଶବ୍ଦ କବାଟ ସେପଟରୁ ଆସୁଛି ।ମୁଁ କମ୍ ଇନ୍ କହିଲା ବେଳକୁ ହିଁ ତୁମେ ପଶି ଆସିଲ ।ତୁମେ ମୋର ନୂଆ ପାପା ଥିଲ ।ହାତରେ ଲେମନ୍ ଟି 'ର କପ୍ ।ମୋତେ ଦେଖି ଗୁଡ୍ ମର୍ଣ୍ଣି କଲ ।ମୁଁ କିନ୍ତୁ ତୁମ ମୁହଁକୁ ବି ଦେଖିବାକୁ ଚାହୁଁ ନ ଥିଲି ତଥାପି ନିରିଖେଇ ଦେଖିଲି ।ତୁମ ଦେହରେ ବୋଧେ ମାମାଙ୍କର ଲିପଷ୍ଟିକ୍ ଦାଗ ଖୋଜୁଥିଲି ।ଅଥଚ ସେମିତି କିଛି ନ ଥିଲା ତୁମ ସାର୍ଟରେ । ତୁମେ ଖୁବ୍ ସନ୍ତର୍ପଣରେ ଚା' କପ୍ ଟି ମୋତେ ବଢାଇ ଦେଉ ଦେଉ କହିଲ "ସରି ...ତୁମକୁ କିଛି ନ ଜଣାଇ ଶେଫାଳି ଓ ମୁଁ ଏତେ ଆଗକୁ ବଢିଗଲୁ " । ତୁମ କଥା ଶୁଣି ମୁଁ ଚୁପ୍ ରହିଲି ଓ ମନେ ମନେ ଭାବିଲି ତୁମେ କହିଥିଲେ ବି ମୁଁ କଣଟା କରି ପାରି ଥାଆନ୍ତି ଯେ ?
ପାପା ! ତୁମକୁ ଦେଖି ମୁଁ ଭାବୁଥିଲି ଯେ ତୁମ ଲାଗି ଆମଘର ଭାଙ୍ଗି ଯିବ ବୋଲି ।ମାମା ମୋତେ ଆଉ ଆଗଭଳି ଭଲ ପାଇବନି ।ହେଲେ ସେମିତି କିଛି ହୋଇ ନ ଥିଲା ।ମାମା ଆଗଭଳି ହିଁ ଥିଲା ।କେବଳ ସକାଳ ଜଳଖିଆ ପରେ ଘଣ୍ଟାଏ କାଳ ମାମା ସହ ଲନ୍ ରେ ବସି କଣ କଥା ହେବାର ମୁଁ ଦେଖେ ତୁମକୁ ।ତା'ପରେ ମାମା ଅଫିସ୍ ଯାଏ ଆଉ ତୁମେ କେଉଁ ଆଡେ ଚାଲି ଯାଅ ।ତୁମେ ଲଞ୍ଚ୍ ଟାଇମ୍ ରେ ଘରକୁ ଫେର ଆଉ ମାମା ରାତିରେ । ଆମେ ସମସ୍ତେ ରାତିରେ ମିଶିକି ଡିନର୍ କରୁ ।ମାମା ଜଲଦି ଶୋଇପଡେ ଅଥଚ ଅନେକ ରାତିଯାଏଁ ତୁମେ ବାଲକୋନୀରେ ବସି ବହି ପଢୁଥାଅ ।
ଅନେକ ଦିନ ପରେ ମୁଁ ଜାଣିଲି ଯେ ତୁମେ କବି କି ଲେଖକ ନୁହଁ ।ତୁମେ ଜଣେ ପେଣ୍ଟର୍ ।ମାମାର ଅନେକ ସୁନ୍ଦର ପୋଟ୍ରେଟ୍ ସବୁ ତିଆରି କରିଛ ତୁମେ ।ସେତକ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।ଏଇ ସହରରେ ତୁମର ଗୋଟିଏ ବଡ ଆର୍ଟ ଗ୍ୟାଲେରୀ ଅଛି ଓ ତୁମେ ଜଣେ ନାମକରା ଆର୍ଟିଷ୍ଟ ବୋଲି ଜାଣିଲି ।ମୁଁ ଖୁସି ହୋଇଗଲି ।କାରଣ ମୋର ପିଲାବେଳରୁ ପେଣ୍ଟିଂ ଉପରେ ଖୁବ୍ ଇଣ୍ଟରେଷ୍ଟ ଥିଲା । ଏଥର ମୁଁ ତୁମ ସହ ବନ୍ଧୁତାର ହାତ ବଢାଇଲି ।
* * * * *
ଧୀରେ ଧୀରେ ତୁମ ସହ ମୋର ସଂପର୍କ ବଢିଗଲା ।ତୁମେ ବି ମୋର ବହୁତ ଖୟାଲ ରଖୁଥିଲ ।ସକାଳର ଚା'କପ୍ ଟା ତ ତୁମ ହାତରେ ହିଁ ହୋଇ ଥାଏ ।ମୁଁ ଅଳସ ଭାଙ୍ଗିଲା ବେଳେ ତୁମେ ମୋ ମଥାକୁ ଆଉଁଶି ଦେଇ ଉଠାଅ ଚା'ପିଇବାକୁ ।ବେଳେ ବେଳେ ମୁଁ ଲଞ୍ଚ୍ ରେ କଣ ଖାଇବି ତାହା ତୁମେ ନିଜେ ତିଆରି କର ।ମୋତେ କଲେଜ୍ ନେବା ,ଆଣିବା ,ସପିଂ କରାଇବା ଓ ମୋର ପସନ୍ଦ ନାପସନ୍ଦ ସବୁ ତୁମେ ଜାଣି ନେଲ ।ମୋ ସାଙ୍ଗ ମାନେ ତୁମକୁ ମୋର ଷ୍ଟେପ୍ ଫାଦର କହି ସମାଲୋଚନା କରୁଥିଲା ବେଳେ ମୁଁ ନିଜକୁ ଧନ୍ୟମନେ କରେ ତୁମ ଭଳି ପାପାଙ୍କୁ ପାଇ ।ଅନେକ ସାଇ ପଡିଶା ତ ମୋ କାନରେ କୁହନ୍ତି "ସେ ତୋ ସାବତ ବାପା ।କେତେବେଳେ କଣ ଭଲ ମନ୍ଦ ହେବ ସତର୍କ ହୋଇ ରହିଥିବୁ ।" ମୁଁ ସେମାନଙ୍କ କଥାକୁ ଗୋଟିଏ କାନରେ ପୁରାଇ ଆର କାନରେ କାଢି ଦିଏ ।ଭାବେ ,ଆମ ସମାଜ ଏବେ ବି ସେଇ "ତୋର ...ମୋର" ଜାଗାରେ ଅଟକି ଯାଇଛି ।କଣ ସବୁ ମଣିଷ ଖରାପ ? ମୁଁ କିନ୍ତୁ କେବେ ତୁମଠାରୁ ଖରାପ ଆଶା କରିନି ।ଏହାର ପଛର କାରଣ ବି ଅଛି ।ମୋ ମାମାଙ୍କ ସିଲେକସନ୍ କେବେ ଭୂଲ୍ ହୋଇ ନ ପାରେ ।ମୋ ମାମା ବି ଆଗଠାରୁ ଖୁବ୍ ଖୁସି ଖୁସି ଲାଗୁଥିଲେ ।ତୁମେ ମୋତେ ପେଣ୍ଟିଂ କରାଇବା ଶିଖାଉଥିଲ ।ମୋର ସବୁବେଳେ କଲର୍ କମ୍ବିନେସନ୍ ରେ ଭୂଲ୍ ଭାଲ୍ ହେଉଥିଲା ।ହେଲେ ତୁମେ କେବେ ରାଗିନ ମୋ ଉପରେ ।ଅନେକ ସମୟରେ ଆମେ ଲଙ୍ଗ୍ ଡ୍ରାଇଭ୍ ରେ ବି ଯାଉଥିଲେ ,ମାମା ନ ଥିଲା ବେଳେ ବି ।
ଆମେ ଖୁବ୍ ଖୁସି ଥିଲେ ନା ପାପା ! ମାମା ,ତୁମେ ଓ ମୁଁ ... ଆମେ ମାନେ ସମସ୍ତେ ପରସ୍ପରର ବନ୍ଧୁ ଥିଲେ ନା ? ଏମିତି କେମିତି ଦୁଇ ବର୍ଷ କଟି ଯାଇଥିଲା ଆମେ ଜାଣି ପାରି ନ ଥିଲେ । କିନ୍ତୁ ସେଦିନ ରାତିରେ ତୁମର ମାମା ସହ କାହିଁକି ହଠାତ୍ ଝଗଡା ହୋଇଗଲା ପାପା ? କାହିଁକି ତୁମେ ଦୁହେଁ ଦୁହିଁଙ୍କ ଉପରେ ଚିଲ୍ଲାଉ ଥିଲ ? ମୁଁ ତୁମ ଶୁଣିବାକୁ ଚେଷ୍ଟା କରି ବି ଶୁଣି ପାରି ନ ଥିଲି ।ମୋ ରୁମ୍ ରେ ଖୁବ୍ ଅସ୍ତବ୍ୟସ୍ତ ହୋଇ ଏପଟ ସେପଟ ହେଉଥିଲି ।ମାମା ଏମିତି ରାଗିବାର ମୁଁ କେବେ ଦେଖି ନ ଥିଲି ।ଆଉ ତୁମେ ପାପା ? ତୁମେ ବି ତ ମାମାଙ୍କ ଉପରେ ବର୍ଷୁଥିଲ । ମୋତେ ତୁମ ଦୁଇ ଜଣଙ୍କ ଉପରେ ରାଗ ଲାଗୁଥିଲା ବହୁତ ।ଦୁଇ ଜଣ ଭଲ ମଣିଷ କଣ ପରସ୍ପର ସହ ଏମିତି ପାଟି କରନ୍ତି ? ସକାଳ ହେଲେ ପଚାରିବି ବୋଲି ଅପେକ୍ଷା କଲି ।ହେଲେ ସକାଳ ହେଲା ବେଳକୁ ତୁମେ ଆଉ ମୋ ରୁମ୍ କୁ ଆସି ନ ଥିଲ ଚା'କପ୍ ଧରି ।ମୁଁ ଅନେକ ସମୟ ଅପେକ୍ଷା କଲି ଓ ଟିକେ ଗଡପଡ ହେଲି ।ବେଶୀ ସମୟ ହୋଇ ଯିବାରୁ ମୁଁ ତୁମ ରୁମ୍ କୁ ଗଲି ।କବାଟ ଠକ୍ ଠକ୍ କଲି ।କିଛି ଉତ୍ତର ଆସିଲାନି ।କବାଟ ଖୋଲା ଥିଲା ।ଦେଖିଲି ମାମା ଖଟ ଉପରେ ମୁଣ୍ଡ ରଖି କାନ୍ଦୁଛି ।ମୁଁ ପଚାରିଲି "କଣ ହେଇଛି ମାମା ? ପାପା କୁଆଡେ ଗଲେ ? "
ମାମା ଚୁପ୍ ରହିଲେ । କିଛି ନ ହେଲା ଭଳି ବାଥରୁମ୍ କୁ ଚାଲିଗଲେ ଅଫିସ୍ ଲାଗି ରେଡି ହେଲେ ।ମୁଁ ମାମା ପଛରେ ଗୋଡେଇ ଗୋଡେଇ ପଚାରୁଥିଲି କଣ ହୋଇଛି ବୋଲି ।ହେଲେ ମାମା ମୋତେ ନ କହିବାକୁ ଯେମିତି ସଂକଳ୍ପ କରିଥିଲା ।ଆଉ ତୁମେ ପାପା ? ତୁମେ ବି ତ ଘରେ ନ ଥିଲ ।ତୁମେ ତୁମର ମୋବାଇଲ୍ ସୁଇଚ୍ ଅଫ୍ କରି ରଖିଥିଲ ।କେତେ ଫୋନ୍ କଲି ଉଠାଇଲନି ତୁମେ ବି ।ଗୋଟିଏ ରାତିର କଥା ହିଁ ତ ଥିଲା ? ସବୁ ସ୍ୱପ୍ନ ଚୁରମାର୍ ହୋଇଗଲା ।
ତୁମେ ଦୁହେଁ ବାହା ହେଲା ବେଳେ ବି ମୋର ମତାମତ ନେଇ ନ ଥିଲ ଆଉ ଯେତେବେଳେ ଅଲଗା ହୋଇଗଲ ମୋ ବିଷୟରେ ଟିକେ ବି ଭାବିଲନି ।କେତେ ସ୍ୱାର୍ଥପର ହୋଇଗଲ ତୁମେ ଦୁହେଁ ।ଛିଃ... ।
ମାମା ତା'ବେଡରୁମ୍ ର ଫଟୋ ଫ୍ରେମ୍ ରୁ ତୁମର ଫଟୋ ହଟାଇ ଦେଇ ସାରିଥିଲା ।ତୁମର ଅନୁପସ୍ଥିତି ବି ମୋତେ କଷ୍ଟ ହେଉଥିଲା ।ମୁଁ ବି କମ୍ ନ ଥିଲି ।ମାମା ଅଫିସ୍ ରୁ ଫେରିଲା ବେଳକୁ ମୁଁ ତୁମର ଫଟୋ କୁ ଫ୍ରେମ୍ ରେ ଲଗାଇ ଦେଉଥିଲି ।ତୁମ ଫଟୋ ଏମିତି ସବୁଦିନ ଫଟୋ ଫ୍ରେମ୍ ରେ କଢାଯାଏ ଓ ପୁରାହୁଏ ।ମୁଁ ମାମାକୁ ଜଣାଇବାକୁ ଚାହେଁ ଯେ "ଦେଖ ,ଏଇ ଘରେ ଆଉ କାହାର ବି ଆବଶ୍ୟକତା ଅଛି ।"
ମାମା ନିଜକୁ ଖୁବ୍ ଷ୍ଟ୍ରଙ୍ଗ୍ ଦେଖାଏ ହେଲେ ମୁଁ ଜାଣେ ମାମା ତୁମକୁ ଝୁରୁଥାଏ ।ସେ ଆଉ ତା'ପ୍ରିୟ ଲିପଷ୍ଟିକ୍ ଲଗାଉ ନ ଥିଲା ।ଅଫିସ୍ ଯିବାକୁ ଯେତିକି ଦରକାର ସେତିକି ହିଁ ସେ ନିଜକୁ ସଜାଏ ।ମୁଁ ମାମା ଉପରେ କେତେବେଳେ ରାଗି ଯାଉଥିଲି ତ କେତେବେଳେ ଦୁଃଖୀ ହୋଇ ଯାଉଥିଲି ।ଆଉ ପାପା ,ତୁମେ କେଉଁଠି ଅଛ ବୋଲି କେତେଥର ପଚାରିଲା ପରେ କହିଲ ଯେ ବାଙ୍ଗାଲୋର୍ ରେ ଅଛ ।କିନ୍ତ ତୁମେ ଆମକୁ ଛାଡି ବାଙ୍ଗାଲୋର୍ ରେ କଣ କରୁଛ ? ତୁମେ ଆମ ଘର ଛାଡି ଯିବାର କାରଣ ଯେତେ ପଚାରିଲେ ବି କୁହନି ।ତୁମର ଆମ ଛଡା କେହି ନ ଥିଲେ ବୋଲି ଜାଣିଥିଲି ହେଲେ ଏବେ ଜାଣୁଛି ତୁମର ଆମକୁ ଛାଡି ଅନେକ ଲୋକ ଅଛନ୍ତି ବୋଧେ ।ନ ହେଲେ ତୁମର କଣ ଥରୁଟେ ବି ଇଛା ହେଉନି ତୁମ "ମାହି "କୁ ଦେଖିବାକୁ ?
ତୁମ ଦୁଇଜଣଙ୍କ ଝଗଡା ଭିତରେ ମୁଁ ଧୀରେ ଧୀରେ ଡିପ୍ରେସନ୍ କୁ ଯିବାରେ ଲାଗିଲି ।ନିଶାସକ୍ତ ଭଳି ଅନେକ ସମୟ ଶୋଉଥିଲି ।କଲେଜ୍ ଯିବା ବନ୍ଦ କଲି ।ମାମା ସହ କଥା ହେବା ବି ବନ୍ଦ କଲି ।ଏସବୁ ଦେଖି ମାମା ଡିସିସନ୍ ନେଲା ମୋତେ ଡେରାଡୁନ୍ ପଠାଇ ଦେବ ଯେଉଁଠି ମୋ ସଂପର୍କୀୟ ଭଉଣୀ ଜଣେ ପଢେ । ଏଠିକାର ପରିବେଶ୍ ଖୁବ୍ ଭଲ ଓ ପରିବେଶ ବଦଳିଗଲେ ମଣିଷର ମାନସିକ ଅବସ୍ଥା ବି ବଦଳିଯାଏ କାଳେ ।
ମୁଁ ଡେରାଡୁନ୍ ଚାଲି ଆସିଲି ।ଏଠି ଆସି ବି ତୁମ ମାନଙ୍କୁ ଭୂଲି ପାରୁନି ପାପା ।ସବୁଦିନ ମାମା ଫୋନ୍ କରେ ଆଉ ତୁମେ ଦିନେ ଛାଡି ଦିନେ ଫୋନ୍ କର ।ମୋର ସବୁ ସୁବିଧା ଅସୁବିଧା କଥା ପଚାର ।ମୁଁ ହିଁ ତୁମକୁ ଜଣାଇଥିଲି ଯେ ଡେରାଡୁନ୍ ଆସି ଯାଇଛି ବୋଲି ।ଏଠି ବି ସବୁ ସୁଖ ସୁବିଧା ମୋତେ ଯୋଗାଇ ଦିଆ ଯାଇଛି ।ତଥାପି ତୁମେ ମାନେ ମୋର ଖୁବ୍ ମନେ ପଡ ପାପା ।
ବଡ ଦୁଃଖର ସହ କହୁଛି ଯେ ଡେରାଡୁନ୍ ଆସିବାର ମୋତେ ଚାରିମାସ ହୋଇଗଲାଣି ।ମୋ ଦୁଃଖ କଣ ତୁମେ ବୁଝି ପାରୁଛ ନା ପାପା ?
* * * * *
ଆଜି ଫାଦର୍ସ ଡେ ।ସମସ୍ତେ ନିଜ ନିଜ ପାପା ମାନଙ୍କୁ ଫୋନ୍ କରୁଥିଲେ ।ମୁଁ ବି ଫୋନ୍ କଲି ତୁମକୁ ।
: ଗୁଡ ମର୍ଣ୍ଣିଂ ପାପା ।
:ମାହି ... ହାଓ ଆର୍ ୟୁ ବେଟା ?
:ନଟ୍ ଫାଇନ୍ ।
: କଣ ହୋଇଛି ତୁମର ମାହି ?
:ପାପା ,ଆଜି ଫାଦର୍ସ ଡେ ।ତୁମ ଝିଅ ହିସାବରେ ତୁମକୁ ମୋର କିଛି ଗିଫ୍ଟ ଦେବା କଥା ।କିନ୍ତୁ ମୁଁ ତୁମଠୁ କିଛି ଚାହୁଁଛି ।କଣ ଦେବନି ?
:କୁହ ,ମାହି ।ତୁମେ ଯାହା କହିବ ତାହା ଦେବି ।
:ପାପା ,ମୋତେ ଜାଣିବାର ଅଛି ସେ ରାତିର କଥା ।ମାମା ଓ ତୁମ ଭିତରେ କଣ ଘଟିଲା ? କଥାଟା ଯେତେ ଖରାପ ହୋଇ ଥାଉନା କାହିଁକି ମୁଁ ଶୁଣିବାକୁ ଚାହେଁ ।ପ୍ଲିଜ୍ ପାପା ।ଆଜିକା ଦିନରେ ମୋତେ ମନା କରନି ।
ତୁମେ ଟିକେ ଦୀର୍ଘ ନିଃଶ୍ୱାସ ନେଇ କହିଲ ଯେ "ମୋ ଦ୍ୱାରା ଗୋଟିଏ ଛୋଟିଆ ଭୂଲ୍ ହୋଇ ଯାଇଛି ।କିନ୍ତୁ ଏ ଛୋଟ ଭୂଲ୍ ଲାଗି ମୋତେ ଯେଉଁ ଭାବରେ ଶେଫାଳି ଅପମାନିତ କଲା ମୋତେ ଭଲ ଲାଗିଲାନି ।ସେଥିଲାଗି ଘର ଛାଡିଲି ।କିନ୍ତୁ ଏବେ ବି ଶେଫାଳି ଓ ତୁମେ ମୋ ହୃଦୟରେ ଅଛ ।ମୋ ସ୍ୱାଭିମାନ ମୋତେ ଅଟକାଇ ରଖିଛି ଏ ଯାଏଁ ,ନ ହେଲେ ମୁଁ କେବେଠାରୁ ଫେରି ଯାଇ ଥାଆନ୍ତି ତୁମ ମାନଙ୍କ ପାଖକୁ ।ଏମିତି କହିବାକୁ ଗଲେ ମୁଁ ଏଠି ବି ଖୁବ୍ ଏକଲା, ମାହି ।"
: କି ଭୂଲ୍ କରିଛ ପାପା ?
:ଗୋଟିଏ ପେଣ୍ଟିଂ ।
:କଣ ଥିଲା ସେ ପେଣ୍ଟିଂ ଭିତରେ ପାପା ?
:ମୁଣ୍ଡ ନ ଥିବା ଗୋଟିଏ ଝିଅର ନ୍ୟୁଡ୍ ପେଣ୍ଟିଂ ।
:ତ ...କଣ ହେଲା ସେଇଠୁ ପାପା ?ଜଣେ ଆର୍ଟିଷ୍ଟ ହିସାବରେ ତୁମେ ତ ଯେକୌଣସି ନ୍ୟୁଡ୍ ପେଣ୍ଟିଂ କରି ପାରିବ ।ଏଇଟା କଣ ଗୋଟିଏ ଅପରାଧ ? କିନ୍ତୁ ମାମା ତ ଖୁବ୍ ବ୍ରଡ ମାଇଣ୍ଡେଣ୍ଡ୍ ଲେଡି।
: ନା ,ଅପରାଧ ନୁହେଁ ।କିନ୍ତୁ ସେ ମୁଣ୍ଡ ନ ଥିବା ନଗ୍ନ ଝିଅର ଫଟୋରେ କିଛି ଦାଗ ଥିଲା ।ଯାହାକୁ ନେଇ ଏତେ ବିଭ୍ରାଟ ।
:କି ଦାଗ ପାପା ? ଆଉ ତୁମେ କାହିଁକି ତାକୁ ଆଙ୍କି ଥିଲ? ଏହା ସହ ମାମାଙ୍କର ସଂପର୍କ କଣ ?
:ସତ କହିବାକୁ ଗଲେ ମାହି ,ମୁଁ ସେ ପେଣ୍ଟିଂରେ ଦାଗ କାହିଁକି ରଖିଲି ଜାଣେନି ।ଅସଲରେ ମୋର ମନେ ପଡୁନି ସେସବୁ କଥା ।ଅନେକ ପେଣ୍ଟିଂ ଭିତରୁ ସେଇଟା ବି ଗୋଟିଏ ଥିଲା ।କି ଦାଗ ଓ କାହିଁକି କରିଥିଲି ସେକଥା ବି ମନେ ନାହିଁ ମୋର ।କିନ୍ତୁ ଶେଫାଳିର ରାଗ ଆସିଗଲା ସେ ପେଣ୍ଟିଂ ଟିକୁ ଦେଖି । ସେ ମୋ ହାତ ତିଆରି ପେଣ୍ଟିଂଟା କାଳେ ତୁମ ବେଡ୍ ରୁମ୍ ରୁ ପାଇଥିଲା ।
: ସେ ପେଣ୍ଟିଂ ରେ କି ଦାଗ ଥିଲା ପାପା ?
:ନଗ୍ନ ଝିଅର ଛାତି ତଳେ ଗୋଟିଏ କଳାଜାଇ ଓ ପେଟ ପାଖରେ ଗୋଟିଏ ପୋଡା ଦାଗ ।କିନ୍ତୁ ଏ ପେଣ୍ଟିଂ ବାବଦରେ ମୁଁ କିଛି ମନେ ପକାଇ ପାରୁନି ।ଅନେକ ପେଣ୍ଟିଂ ଭିତରୁ ଏଇଟା ବି ଗୋଟିଏ ଥିଲା ।ଏଇ କଥାକୁ ନେଇ ଶେଫାଳି ମୋ ଉପରେ ରାଗରେ ବର୍ଷି ଗଲା ।ମୋତେ ଚରିତ୍ରହୀନ କହିଲା ଓ ମୋର କୌଣସି କୈଫତ୍ ସେ ଶୁଣିବାକୁ ଚାହୁଁ ନ ଥିଲା ।ସେ ଘର ଛାଡିବାକୁ ମୋତେ ନିର୍ଦେଶ ଦେଇଥିଲା ।ମୋତେ ଏକଥା ଖୁବ୍ ବାଧିଥିଲା ମାହି ।ଶେଫାଳିର ଏମିତି ଏକ କୁତ୍ସିତ ରୂପ ମୁଁ କେବେ ଦେଖି ନ ଥିଲି ।ଭାବିଲି ମୁଁ ସେଠାରୁ ପଳାଇ ଆସିବା ବରଂ ଠିକ୍ ହେବ ।
ପାପାଙ୍କର ଏତିକି କଥାଶୁଣି ମୁଁ ସ୍ତବ୍ଧ ହୋଇଗଲି ।ଏବେ ମୁଁ ବୁଝି ପାରିଲି ଶେଫାଳୀ ଚୌଧୁରୀଙ୍କର ସେଦିନର କ୍ରୋଧର କାରଣ କଣ ବୋଲି ।କେବଳ ଶେଫାଳୀ ଟୌଧୁରୀ କାହିଁକି ଯେ କୌଣସି ମା ' ଟିଏ ଏଭଳି ରିଏକସନ୍ କରିବ ହିଁ କରିବ ।ଏବେ ମନେ ପଡୁଛି ମାମା କାହିଁକି ମୋତେ ବାରବାର ତାଗିଦ୍ କରୁଥିଲା ବାଥରୁମ୍ ଭଲ କରି ଲକ୍ କରି ଗାଧୋଇବାକୁ । ମାମା ସେଇ ପେଣ୍ଟିଂ ଦେଖି ରାଗି ଥିବ ନିଶ୍ଚୟ କାରଣ ସେଇ ମୁଣ୍ଡ ନ ଥିବା ନଗ୍ନ ଝିଅର ବାଁ ପଟ ଛାତିରେ କଳାଜାଇ ଓ ପେଟ ପାଖରେ ପୋଡା ଦାଗ ଦେଖି ।ସେ ଦାଗ ସବୁ ମୋର ।ଛୋଟ ବେଳେ ଗରମ୍ ଆଇରନ୍ ଲାଗି ମୋ ପେଟରେ ପୋଡା ଦାଗଟିଏ ହୋଇ ଯାଇଥିଲା ।ଆଉ ଏ ନଗ୍ନ ଫଟୋରେ ଏଇ ଦୁଇଟି ଦାଗ ଦେଖି ମାମା ଭୟଙ୍କର ହୋଇ ଯାଇଥିବ ।କିନ୍ତୁ ଏଥିରେ ପାପାଙ୍କର କିଛି ଦୋଷ ନାହିଁ ।ସବୁ ଦୋଷ ତ ମୋର ।ଏକଥା ମାମା ଜାଣି ପାରିଲାନି ।ସେ ଭାବୁଥିବ ମୋ ଷ୍ଟେପ୍ ଫାଦର ମୋ ଉପରେ ଖରାପ ନଜର ରଖିଛନ୍ତି ।କିନ୍ତୁ କଥା କିଛି ଅଲଗା ।ମୋର ମନେ ଅଛି ସେଦିନର କଥା ।ପାପା ଏତେ ସୁନ୍ଦର ସେ ପେଣ୍ଟିଂ କରିଥିଲେ ଯେ ଲାଗୁଥିଲା ଯେମିତି ଝିଅଟି ଦେହରୁ ଝାଳ ବୋହି ଆସୁଛି ଥପ୍ ଥପ୍ ହୋଇ ।ମୁଣ୍ଡ ନ ଥିବା ସେ ନଗ୍ନ ଫଟୋଟିକୁ ଦେଖି ମୁଁ ଆକୃଷ୍ଟ ହୋଇ ପଡିଲି ।ପାପାଙ୍କ ରୁମ୍ ରୁ ସେଇ ଫଟୋଟିକୁ ନେଇ ଆସି ମୋ ରୁମ୍ ର ଡ୍ରେସିଂ ଟେବୁଲ୍ ପାଖରେ ରଖିଲି ।ତାକୁ ବାରବାର ଅନାଇଲି ।ଅଦଭୁତ କଳାକୃତି ।ଯଦିଓ ଝିଅଟିର ଦେହ ଖୁବ୍ ସ୍ଲିମ୍ ତଥାପି ତାକୁ ଦେଖି ଭାବିଲି ଏଇଭଳି ମୋ ଦେହଟି ହୁଅନ୍ତା କି ? ସ୍ଲିମ୍ ଏଣ୍ଡ ଫିଟ୍ ।ମୋ ମୋଟା ଚେହେରାକୁ ଟିକେ ଘୃଣା ବି କଲି ।ଆଉ ସେ ଝିଅ ଫଟୋର ଛାତି ତଳେ ମୋ କଳାଜାଇ ପରି ଚିହ୍ନଟେ କରି ଦେଲି ଆଉ ପେଟ ପାଖରେ ପୋଡା ଚିହ୍ନ ଟେ ବି ଆଙ୍କି ଦେଲି ।ଆଉ ତା'ପରେ ଲାଗିଲା ମୋ ଆଗରେ ମୁଁ ଯେମିତି ଠିଆ ହୋଇଛି ।ସତରେ ମଣିଷ ବେଳେ ବେଳେ ନିଜ ଆଗରେ ନିଜକୁ ଦେଖିବାକୁ ବି ଇଛା କରେ ।ଆଉ ସେ ଫଟୋଟିରେ ମୁଁ ମୋ ନିଜକୁ ଦେଖି ପାରିଥିଲି ।
ମୋର ଏଇ ଛୋଟିଆ ଭୂଲ୍ ଆଜି କଣ କରିଦେଲା ସତରେ ? କିନ୍ତୁ ଥରେ ତ ମାମା ମୋତେ ପଚାରି ପାରି ଥାଆନ୍ତା ଏ ବିଷୟରେ ? ହେଲେ ପଚାରିଲାନି କାହିଁକି ? ଆଉ ଏତେ କଥା ସବୁ ଘଟିଗଲା ।
ପାପାଙ୍କୁ ଏ ବିଷୟରେ ସବୁକିଛି ଜଣାଇବି ହେଲେ ଆଗେ ମାମାଙ୍କୁ କହିବି ।ଏବେ ଯାହା କିଛି କରିବି ମୁଁ ହିଁ କରିବି ।ଶେଫାଳୀ ଚୌଧୁରୀଙ୍କ ଓଠରେ ପୁଣି ଥରେ ଲିପଷ୍ଟିକ୍ ଲଗାଇବାର ଦାୟିତ୍ୱ ଏବେ ମୋର ।ମୁଁ ଏବେ ଦାୟିତ୍ୱ ବୋଝରେ ଭାରୀ ହୋଇ ଆସୁଥିଲି ।ମୋ ଆଖି ବି ଥମ୍ ଥମ୍ ହୋଇ ଆସୁଥିଲା ।
ମୁଁ ମାମାଙ୍କ କଥା ବି ଭାବୁଥିଲି ।ଇଛା ହେଉଥିଲା ମାମାଙ୍କୁ ଗୋଟିଏ ବିଗ୍ ହଗ୍ କରିବାକୁ ଆଉ ତାଙ୍କୁ ପ୍ରଥମ ଥର ଲାଗି "ମଫୁ"କହିବାକୁ ।
ପାପା ସେପଟରୁ ହ୍ୟାଲୋ ହ୍ୟାଲୋ କହୁଥିଲେ ।ମୁଁ କହିଲି
"ପାପା ,ତୁମେ ଫେରିଆସ ପାପା ।ଆଇ ନିଡ୍ ୟୁ ପାପା..."

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment