Welcome to shalandi webzine

ମାଓବାଦୀ

ଗୌତମ ବୁଦ୍ଧ ଦାସ

ମୁଣ୍ଡ ଘୂରାଇ ଦେଉଥିଲା। ପାଦ ଦୁଇଟା କ୍ରମଶଃ ଅସାଡ଼ ହୋଇ ଆସୁଥିଲା। ତମାମ ଜଂଗଲ, ଜଂଗଲର ଅସଂଖ୍ୟ ଗଛ, ମୁଣ୍ଡ ଉପରର ତତଲା ସୂର୍ଯ୍ୟ ଏବଂ ଆଖି ପାଉ ନ ଥିବା ଆକାଶ ସବୁ ଯେମିତି ତା’ ଚାରିପଟେ ଘିର୍‌ ଘିର୍ ହେଇ ବୁଲୁଥିଲେ।

ମୁଣ୍ଡ ଘୂରାଇ ଦେଉଥିଲା। ପାଦ ଦୁଇଟା କ୍ରମଶଃ ଅସାଡ଼ ହୋଇ ଆସୁଥିଲା। ତମାମ ଜଂଗଲ, ଜଂଗଲର ଅସଂଖ୍ୟ ଗଛ, ମୁଣ୍ଡ ଉପରର ତତଲା ସୂର୍ଯ୍ୟ ଏବଂ ଆଖି ପାଉ ନ ଥିବା ଆକାଶ ସବୁ ଯେମିତି ତା’ ଚାରିପଟେ ଘିର୍‌ ଘିର୍ ହେଇ ବୁଲୁଥିଲେ। ଗୋଟିଏ ମୁଣ୍ଡିଆ ପଥର ଉପରେ ଥମ୍ କରି ବସି ପଡ଼ିଲା ପୂର୍ଣ୍ଣିମା।
ଆଉ ଚାଲିବାକୁ ଶକ୍ତି ନ ଥିଲା ତା’ ଗୋଡ଼ରେ। ଘଞ୍ଚ ଜଙ୍ଗଲ ଭିତରେ ପାହାଡ଼ିଆ ରାସ୍ତାରେ ପ୍ରତିଦିନ ୩୦/୪୦ କିଲୋମିଟର ବାଟ ଚାଲିବା ତା’ ପାଇଁ ବଡ଼ କଥା ନୁହେଁ। ଆଜିକୁ ୭ ବର୍ଷ ହେଲା ସଂଗଠନରେ ଯୋଗ ଦେବା ପରଠୁ ତା’ ଭଳି କ୍ୟାଡର ପାଇଁ ଏଇଟା ନିତିଦିନିଆ କଥା ପାଲଟି ଯାଇଥିଲା। କିନ୍ତୁ ତା’ ପେଟରେ ପାନ୍ନା ମାଢ଼ିର ଏଇ ଛୁଆଟା କ୍ରମଶଃ ବଢ଼ିବା ପରଠୁ ସେ ଆଉ ପାରୁ ନ ଥିଲା। ସଂଗଠନରେ ପ୍ରେମ/ବିବାହ ଆଦି ଉପରେ କଡ଼ା ନିଷେଧାଜ୍ଞା ଥିଲା। କିନ୍ତୁ ପ୍ରାୟ ବର୍ଷକ ତଳେ ଆନ୍ଧ୍ର-ଓଡ଼ିଶା ସୀମା ବିଚ୍ଛିନ୍ନାଞ୍ଚଳରେ ଗୋଟିଏ ଏନ୍‌କାଉଣ୍ଟର ବେଳେ ପୁଲିସ ଗୁଳିରେ ସେ ଗୁରୁତର ଆହତ ହୋଇଥିବାବେଳେ ତା’କୁ କାନ୍ଧରେ ପକାଇ ୩୦ କିମି ଦୂରରେ ଥିବା କ୍ୟାମ୍ପ୍‌କୁ ନେଇ ଆସିଥିଲା ପାନ୍ନା। ଏହା ପରଠୁ ସେ ପାନ୍ନାର ପ୍ରେମରେ ପଡ଼ି ଯାଇଥିଲା। ସେଇ ଜଙ୍ଗଲ ଭିତରେ ହିଁ ଦୁହେଁ ଲାଣ୍ଡି ଦେବତାକୁ ସାକ୍ଷୀ ରଖି ପରସ୍ପରକୁ ପତି-ପତ୍ନୀ ବୋଲି ମାନି ନେଇଥିଲେ। ଲୁଚାଛପାରେ ସେମାନଙ୍କର ଏଇ ପ୍ରେମ ବିବାହ ବା ମିଳାମିଶା ବିଷୟରେ କେହି ବି ଟେର୍ ପାଇନଥିଲେ।
କିନ୍ତୁ ପୂର୍ଣ୍ଣିମା ଯେଉଁଦିନ ଜାଣିଲା ଯେ ସେ ମା’ ହେବାକୁ ଯାଉଛି, ଭୟରେ ଶିହିରି ଉଠିଲା। ଏବେ ସେ କ’ଣ କରିବ? ତା’ ପେଟରେ ବଢ଼ୁଥିବା ଭ୍ରୂଣଟାକୁ ମାରିଦେବ? ସଂଗଠନ ଭିତରେ ଗର୍ଭପାତ ପାଇଁ ଔଷଧ ମିଳୁଥିଲା। କିନ୍ତୁ ଅନାୟାସରେ ଅନେକ ମଣିଷ ମାରିଥିବା ପୂର୍ଣ୍ଣିମା ନିଜ ପେଟରେ ବଢ଼ୁଥିବା ମାଂସପିଣ୍ଡୁଳାଟାକୁ ମାରି ପାରିଲାନି।
କଥାଟା ଫୁଟି ବାହାରିଲା ବେଳକୁ ପୂର୍ଣ୍ଣିମା ୬ ମାସର ଗର୍ଭବତୀ। ସେଦିନ ଏଇ କଥାକୁ ନେଇ ଘଞ୍ଚ ଜଙ୍ଗଲ ଭିତରେ ବସିଥିଲା ମାଲକାନଗିରି-କୋରାପୁଟ ଡିଭିଜନ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ। ସଂଗଠନର ନିୟମ ଭଙ୍ଗ କରିଥିବାରୁ ଦୁହିଁକୁ ଯେ କଠୋର ଦଣ୍ଡ ମିଳିବ, ଏ କଥା ଏକପ୍ରକାର ନିଶ୍ଚିତ ଥିଲା। କିନ୍ତୁ ଡିଭିଜନ୍‌ର ମୁଖ୍ୟ କ୍ରିଷ୍ଣାର ଗୋଡ଼ ଦୁଇଟାକୁ ଜାବୁଡ଼ି ଧରି ସେଦିନ ଖୁବ୍ କାନ୍ଦିଥିଲା ପାନ୍ନା। ଆନ୍ଧ୍ରର ଦୁଇ ବିଧାୟକଙ୍କୁ ହତ୍ୟା ମାମଲାରେ ପାନ୍ନାର ବଡ଼ ଭୂମିକାକୁ ସ୍ମରଣ କରି ବୋଧେ କ୍ରିଷ୍ଣା ଟିକେ ତରଳି ଯାଇଥିଲା। ତେଣୁ ପାନ୍ନା ଓ ପୂର୍ଣ୍ଣିମାର ଜୀବନ ନ ନେଇ ଆଉ ଗୋଟେ ସୁଯୋଗ ‌େଦଇଥିଲା ସେ।
ସଂଗଠନର ଆଦେଶ ଥିଲା- ପାନ୍ନା ଗୋପନରେ ପୂର୍ଣ୍ଣିମାକୁ ନେଇ କାଲିମେଳା ଜଂଗଲ‌ ସୀମାରେ ଛାଡ଼ି ଦେଇ ଫେରିଆସିବ। ଆଉ ପୂର୍ଣ୍ଣିମା ଏକୁଟିଆ କାଲିମେଳାର କୌଣସି ଏକ ଡାକ୍ତରଙ୍କ ପାଖକୁ ଯାଇ ଗର୍ଭପାତ କରାଇବ ଏବଂ ପୂରା ସୁସ୍ଥ ହୋଇ ସଂଗଠନକୁ ଫେରିବ। ଯଦି ଏଇ ସମୟ ଭିତରେ ପୂର୍ଣ୍ଣିମା ପୁଲିସ ହାତରେ ଧରା ପଡ଼ିଗଲା, ସଂଗଠନ ସେଥିପାଇଁ ଦାୟୀ ରହିବ ନାହିଁ।
ପାନ୍ନା ଓ ପୂର୍ଣ୍ଣିମା ଜାଣିଥିଲେ
 
 
କରୋନା ଯୋଗୁଁ ଏବେ ସାରା ଦେଶ ଲକ୍‌ଡାଉନ୍‌ରେ ଅଛି। ଚାରିଆଡ଼େ ପୁଲିସ ଜଗିଛି। ସବୁଠି ରୀତିମତ ଚେକିଂ ଚାଲିଛି। ଏମିତି ଗୋଟିଏ ସମୟରେ କାଲିମେଳା ଯିବା ଅର୍ଥ ବିପଦକୁ ବରଣ କରିବା। ତଥାପି ସଂଗଠନର ଆଦେଶକୁ କିଏ ବା ଅମାନ୍ୟ କରିପାରିବ? ଭୋର୍‌ରୁ ସେମାନେ ଚାଲିଚାଲି କାଲିମେଳା ଅଭିମୁଖେ ବାହାରିଥିଲେ। ଜଂଗଲ ଭିତରେ ପ୍ରାୟ ୨୫ କିଲୋମିଟର ଚାଲିବା ପରେ ପୂର୍ଣ୍ଣିମାକୁ କାଲିମେଳା ସୀମା ଜଂଗଲ ଭିତରେ ଛାଡ଼ି‌ ଦେଇ ଫେରିଯିବାକୁ ବାହାରିଲା ବେଳକୁ ପାନ୍ନା ଆଖିରେ ଆଖି ରଖି ପୂର୍ଣ୍ଣିମା କହିଲା, ‌ମୁଁ ମା’ ହେବାକୁ ଚାହେଁ। କୌଣସି ପରିସ୍ଥିତିରେ ବି ମୁଁ ମୋ’ ଛୁଆକୁ ମାରି ପାରିବ ନାହିଁ।
କିଛି କ୍ଷଣ ପାଇଁ କାବା ହୋଇଗଲା ପାନ୍ନା। ଗୋଟିଏ ବ୍ୟାଗ୍‌ରେ ସେ ଆଣିଥିବା କିଛି ପାଉଁରୁଟି ଓ ପାଣି ବୋତଲ ସାଙ୍ଗକୁ ଟଙ୍କାବିଡ଼ା ଟିଏ ପୂର୍ଣ୍ଣିମା ହାତରେ ଗୁଞ୍ଜି ଦେଇ ପାନ୍ନା କହିଥିଲା- ଏଥିରେ ପ୍ରାୟ ୨ ଲକ୍ଷ ଟଙ୍କା ଅଛି। ଲୁଟ୍‌ ଟଙ୍କାରୁ ଏଯାଏ ଲୁଚାଇ ରଖିଥିଲି। ସବୁତକ ତୋତେ ଦେଇଦେଲି। ଜାଣେନା ଜୀବନରେ ଆଉ ଆମର ଦେଖା ହେବ କି ନାହିଁ। ପ୍ରାୟ ଦୁଇ ଡଜନ୍‌ରୁ ଅଧିକ ଲୋକଙ୍କୁ ମାରିଥିବା ପାନ୍ନାର ପଥର ପରି କଠିନ ମୁହଁଟା ଛଳଛଳ ହୋଇ ଗଲା। ବିଦାୟ ନେବା ପୂର୍ବରୁ ଦୁହେଁ ପରସ୍ପରକୁ ଜଡ଼ାଇ ଧରି ଖୁବ୍ କାନ୍ଦିଥିଲେ।
ସେଇ କଥା ମନେ ପକେଇ ପୁଣିଥରେ କାନ୍ଦିଲା ପୂର୍ଣ୍ଣିମା। ଦିନ ତମାମ ଖୁବ୍ ପ୍ରତାପୀ ଲାଗୁଥିବା ଲାଲ୍ ସୂର୍ଯ୍ୟଟା ଛୋଟ ପିଲାଟିଏ ପରି ଲୁଚି ଯାଉଥିଲା ଦିଗବଳୟ ସେ ପାଖରେ। ଜଙ୍ଗଲ ଭିତରେ ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଅନ୍ଧାର। ତତ୍ପର ହୋଇଉଠିଲା ପୂର୍ଣ୍ଣିମା। ହେଲେ ଆଉ ବାଟ ଚାଲିବାକୁ ତା’ ଗୋଡ଼ରେ ଜୋର୍‌ ନ ଥିଲା।
ପାନ୍ନା କହିଥିଲା, ଆଉ ମାତ୍ର ଦୁଇ କିଲୋମିଟର ଗଲା ପରେ ଗୋଟେ ଛୋଟିଆ ଗାଁଟିଏ ପଡ଼ିବ। ସେଇଠି କାହା ଘରେ ରାତିଟା ରହିଯିବୁ। ହେଲେ ଖବରଦାର୍, କାହାକୁ ମାଓବାଦୀ ବୋଲି ପରିଚୟ ଦବୁନି। ତେଣୁ ପୁଣିଥରେ ନିଜର ସବୁ ଶକ୍ତି ଖଟାଇ ଚାଲିବାକୁ ଆରମ୍ଭ କଲା ସେ। ବେଶ୍ କିଛି ବାଟ ଚାଲିବା ପରେ ଖଣ୍ଡେ ଦୂରରେ ଗୋଟିଏ ଝୁମ୍ପୁଡ଼ି ଘର ଭିତରୁ କ୍ଷୀଣ ଆଲୋକର ରେଖାଟିଏ ଦେଖିବାକୁ ପାଇଲା ପୂର୍ଣ୍ଣିମା। ଓଃ... ତାହେଲେ ଏଠି ଗୋଟିଏ ଘର ଅଛି। ଦ୍ରୁତ ଗତିରେ ସେଇ ଘର ପାଖକୁ ଦୌଡ଼ି ଯାଇ କଚାଡ଼ି ପଡ଼ିଲା ପୂର୍ଣ୍ଣିମା।
ଚେତା ଫେରିଲା‌ ବେଳକୁ ନିଜକୁ ଗୋଟେ ଖଟିଆ ଉପରେ ଆବିଷ୍କାର କଲା ସେ। ଡିବିରିଟାକୁ ତୋଳି ଧରି ତା’ ମୁହଁକୁ ବଲବଲ କରି ଚାହିଁ ରହିଥିଲେ ଜଣେ ବୁଢ଼ୀ ଏବଂ ତା’ରି ବୟସର ଜଣେ ବିଧବା ବୋହୂ। ଘରର ଗୋଟିଏ କୋଣରେ ବନ୍ଧା ହୋଇଥିଲେ ୭/୮ଟି ଛେଳି। ସେମାନେ ତା’କୁ ଉଷୁମ ଛେଳି କ୍ଷୀର ଟିକେ ପିଇବାକୁ ଦେଲେ। ଘରେ କେହି ପୁରୁଷ ଲୋକ ନ ଥିଲେ। ବୁଢ଼ୀ ପୂର୍ଣ୍ଣିମାର ସଲୱାର ଉପରୁ ଫୁଟି ଦିଶୁଥିବା ସ୍ଫୀତ ତଳିପେଟକୁ ଅନେଇ ପଚାରିଲା, ଏମିତି ଅବସ୍ଥାରେ ତୁ ଚାଲି ଚାଲି କୁଆଡ଼େ ବାହାରିଛୁ ଝିଅ?
ତତ୍‌କ୍ଷଣାତ୍ କିଛି ଉତ୍ତର ଦେଇ ପାରିଲାନି ପୂର୍ଣ୍ଣିମା । ତେବେ ଦିନକ ପରେ ‌େସ ଯେତେବେଳେ ଜାଣିଲା ଯେ ଲକ୍‌ଡାଉନ୍ ଯୋଗୁଁ ଏଇ ଗାଁରୁ ପ୍ରାୟ ୩୦ କିମି ଦୂର କାଲିମେଳା ଯିବା ସମ୍ଭବ ନୁହେଁ; ବୁଢ଼ୀ ଘରେ ରହିବା ବ୍ୟତୀତ ତା’ ପାଖରେ ଆଉ କିଛି ବିକଳ୍ପ ନାହିଁ। ପୂର୍ଣ୍ଣିମା ମନରୁ ଫାନ୍ଦି ବୁଢ଼ୀ ଓ ତା’ର ବୋହୂକୁ ତା’ର ଦୁଃଖ କାହାଣୀ ଶୁଣାଇବାକୁ ଯାଇ କହିଲା- ଲକ୍‌ଡାଉନ୍ ଯୋଗୁଁ ତା’ ସ୍ବାମୀ ଆନ୍ଧ୍ରରେ ଫସି ଯାଇଛି। ସେ ଚାଲି ଚାଲି ତା’ରି ପାଖକୁ ଯିବାକୁ ବାହାରିଛି। ହେଲେ ବୁଢ଼ୀ ତା’କୁ ତାଗିଦ୍ କରି କହିଲା- ଏଇ ଅବସ୍ଥାରେ ତୁ ଏତେ ବାଟ କେମିତି ଯିବୁ? ଗାଡ଼ିମଟର ଚାଲୁ...ତେବେ ଯାଇ ଯିବୁ। ସେ ଯାଏ ଏଇଠି ରହ।
ପୂର୍ଣ୍ଣିମା ତ କେଉଁଠି ଟିକେ ଆଶ୍ରୟ ଖୋଜୁଥିଲା। ତେଣୁ ମନେ ମନେ ଆଶ୍ବସ୍ତ ହେଲା ସେ। କିଛି ଦିନ ରହିବା ଭିତରେ ସେଇ ବିଧବା ବୋହୂଟା ସହିତ ବି ତା’ର ବନ୍ଧୁତା ବଢ଼ିଗଲା। ପ୍ରାୟ ସମୟରେ ଚୁପ୍‌ଚାପ୍ ରହୁଥିବା ବୋହୂଟି ଯେଉଁଦିନ ତା’କୁ କାନ୍ଦି କାନ୍ଦି ତା’ ସ୍ବାମୀର ମୃତ୍ୟୁ କାହାଣୀ ଶୁଣାଇଲା ପୂର୍ଣ୍ଣିମାର ପାଦତଳୁ ମାଟି ଖସିଗଲା। ବୁଢ଼ୀର ଏକମାତ୍ର ପୁଅ କାଲିମେଳା ବ୍ଲକ୍ ଅଫିସରେ ପିଅନ୍ ଚାକିରି କରିଥିଲା। ହେଲେ ପ୍ରାୟ ଦୁଇ ବର୍ଷ ତଳେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତା’କୁ ଘରୁ ଉଠାଇ ନେଇ ଏଇ ଜଙ୍ଗଲ ଭିତରେ ହତ୍ୟା କରିଥିଲେ। ସେତେବେଳେ ସେ ପାଞ୍ଚ ମାସର ଗର୍ଭବତୀ ଥିଲା। ବିଧବା ବୋହୂ ଭାବିଥିଲା, ସ୍ବାମୀର ସନ୍ତକ ଭାବେ ତା’ ଛୁଆଟିକୁ ଜନ୍ମ ଦେବ ଏବଂ ତା’ ମୁହଁକୁ ଚାହିଁ ସ୍ବାମୀକୁ ହରାଇବାର ଦୁଃଖ ଭୁଲିବାକୁ ଚେଷ୍ଟା କରିବ। କିନ୍ତୁ ଭଗବାନ ସେତକ ବି ଚାହିଁଲେନି। ଜଙ୍ଗଲ ଭିତରକୁ ଛେଳି ଚରାଇବାକୁ ଯାଇଥିବାବେଳେ ପଡ଼ିଯାଇ ତା’ର ଗର୍ଭପାତ ହୋଇଗଲା।
ହେ ଭଗବାନ... ପ୍ରାୟ ଦୁଇ ବର୍ଷ ତଳେ ସେମାନେ ହିଁ ତ ଦଳ ବାନ୍ଧି ଏଇ ଗାଁକୁ ଆସିଥିଲେ, ଆଉ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକକୁ ଜଙ୍ଗଲକୁ ଟେକି ନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ଆଉ ଏହି ଅଭିଯାନର ନେତୃତ୍ବ ନେଇଥିଲା ପାନ୍ନା। ପୂର୍ଣ୍ଣିମାର ଛାତି ଭିତରେ ଯେମିତି କେଉଁଠି ଗୋଟେ ନିଆଁ ଲାଗି ଯାଇଥିଲା। ଅନୁତାପର ଅନଳରେ ସେ ଅନବରତ ଜଳୁଥିଲା, ହେଲେ ବୁଢ଼ୀ ବା ବୋହୂ କାହାକୁ ସେ କିଛି କହି ପାରୁ ନ ଥିଲା।
ଏଣେ କରୋନାର ପ୍ରକୋପ ସହିତ ତାଳ ଦେଇ ପୂର୍ଣ୍ଣିମା ପେଟରେ ଛୁଆଟା ମଧ୍ୟ ବଢ଼ୁଥିଲା। ହେଲେ ତିନି ମ‌ାସ ହେଲା ଲକ୍‌ଡାଉନ୍ ହଟୁ ନଥିଲା। କାଲିମେଳା ଡାକ୍ତର ପାଖକୁ ଯିବା ଲାଗି ପୂର୍ଣ୍ଣିମାର ଆଶା ମଉଳି ଯାଉଥିଲା। ବୁଢ଼ୀ କିନ୍ତୁ ତା’କୁ ଆଶ୍ବାସନା ଦେଇ କହୁଥିଲା- ତୁ ଚିନ୍ତା କରନା ଝିଅ। ଆମ ବେଳେ କ’ଣ ହସ୍ପିଟାଲ ଥିଲା? ଏଇ ହାତରେ ମୁଁ କେତେ ବୋହୂଙ୍କ ପ୍ରସବ କରେଇଛି। ଟିକେ ବୁଢ଼ୀ ହୋଇଗଲିଣି ବୋଲି କ’ଣ ପାରିବିନି ବୋଲି ଭାବୁଛୁ କି?
ସେଦିନ ରାତିରେ ପୂର୍ଣ୍ଣିମା ପ୍ରସବ ଯନ୍ତ୍ରଣାରେ ଛଟପଟ ‌ହେଲା ବେଳକୁ ବୁଢ଼ୀ ଅଣ୍ଟା‌େର ଲୁଗା ଭିଡ଼ିଦେଲା। ଶାଶୂ-ବୋହୂ ଦୁହେଁ ଝାଳନାଳ ହୋଇ ଭଲରେ ଭଲରେ ପ୍ରସବ କରାଇଦେଲେ। ବୁଢ଼ୀ ଖୁସିରେ ଗଦ୍‌ଗଦ ହୋଇ କହିଲା- ମଁୁ କହୁଥିଲିନା ତୋ’ର ପୁଅ ହେବ। ଦେଖିଲୁ....ଦେଖିଲୁ...ପିଲାଟା ବୋଧେ ତା’ ବାପ ଭଳିଆ ହେଇଛି।
ପୂର୍ଣ୍ଣିମା ଭଲ କରି ଦେଖିଲା- ସତେତ, ପିଲାଟା ଅବିକଳ ପାନ୍ନା ଭଳି ଦିଶୁଥିଲା। ନାକ, ପାଟି, ଅ‌ାଖି ସବୁକିଛି। ପିଲାଟାକୁ କୋଳକୁ ଉଠାଇ ଆଣି ତା’ କପାଳରେ ଚୁମାଟିଏ ଦେଲାବେଳେ ତା’ ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସିଲା। ଶାଶୂ-ବୋହୂ ସବୁ କାମ ସାରି ନିଶ୍ଚିନ୍ତ ହୋଇ ଶୋଇବାକୁ ଚାଲିଗଲେ।
ହେଲେ ଭୋର୍‌ ଭୋର୍ ନବଜାତ ଛୁଆଟାର କାନ୍ଦଣା ଶୁଣି ବୁଢ଼ୀର ନିଦ ଭାଙ୍ଗିଗଲା। ଏତେ କାହିଁକି କାନ୍ଦୁଛି ଛୁଆଟା? ମା’ ତା’କୁ କ୍ଷୀରଟିକେ ‌ଦଉନି କି? ନିଦ ମଳମଳ ଆଖିରେ ବୁଢ଼ୀ ଉଠି ଆସି ଦେଖିଲା ଖଟିଆ ଉପରେ ଛୁଆଟା ରାହା ଧରି କାନ୍ଦୁଛି। ହେଲେ ପୂର୍ଣ୍ଣିମା ‌ତ କେଉଁଠି ଦିଶୁନି। ବୁଢ଼ୀ ରାଗିଗଲା। ଇଏ କେମତି ମା’? ଛୁଆଟାକୁ କ୍ଷୀର ଟିକିଏ ନ ଦେଇ କୁଆଡ଼େ ଗଲା ସେ? ପୁନି... ପୁନି... ପାଟି କରି ଡାକିଲା ବୁଢ଼ୀ। ବୁଢ଼ୀର ପାଟି ଶୁଣି ନିଦରୁ ଉଠି ଆସିଲା ବୋହୂ। କ’ଣ ହେଲା? ଏତେ ଭୋର୍‌ରୁ ଏ ବୁଢ଼ୀ କାହିଁକି ଏମିତି ଚିଲଉଛି?
ଏଣେ ଛୁଆର କାନ୍ଦଣା ବନ୍ଦ ହେଉ ନ ଥିଲା। ତେଣୁ ତା’କୁ କୋଳକୁ ଉଠାଇନେଇ ବହଲାଇବାକୁ ଲାଗିଲା ବୋହୂ। ତା’ ଆଡ଼କୁ ଅନାଇ ବୁଢ଼ୀ କହିଲା- ପୁନି କାହିଁ କେଉଁଠି ଦିଶୁନି ଯେ। ଶାଶୂ-ବୋହୂ ମିଶି ଡିବିରି ଆଲୁଅରେ ପୂର୍ଣ୍ଣିମାକୁ ଖୋଜି ବାହାରିଲେ। ଭିତରେ, ବାହାରେ, ଜଂଗଲରେ ଅନେକ ଖୋଜିଲେ; କିନ୍ତୁ କେଉଁଠି ପାଇଲେନି।
ଘଣ୍ଟାଏ ଖଣ୍ଡେ ଖୋଜିଲା ପରେ ସେମାନେ ଘରକୁ ଫେରି ଆସିଲେ। ହଠାତ୍ ଖଟିଆ ଉପରେ ବିଛଣା ତଳେ ଥୁଆ ହୋଇଥିବା କଳା ବ୍ୟାଗ୍‌ଟିଏ ଉପରେ ନଜର ପଡ଼ିଗଲା ବୋହୂର। ବ୍ୟାଗ୍ ଖୋଲି ଦେଖିଲା ବେଳକୁ ବିଡ଼ା ବିଡ଼ା ଟଙ୍କା; ଆଉ ସାଦା କାଗଜରେ ଲେଖା ଚିଠିଟିଏ। ଅସ୍ପଷ୍ଟ ଛଟା ଅକ୍ଷରରେ ପୂର୍ଣ୍ଣିମା କେବଳ ତିନି ଚାରି ଧାଡ଼ି ଲେଖିଥିଲା-
ଏ ଜନ୍ମରେ କରିଥିବା ଅନେକ ପାପର ପ୍ରାୟଶ୍ଚିତ୍ତ କରିବାକୁ ପୁଣିଥରେ ଜଙ୍ଗଲକୁ ଫେରିଯାଉଛି। ମୋ ପାଖରେ ଥିବା ସବୁତକ ଟଙ୍କା ‌ଦେଇଗଲି। ଆଜିଠୁ ତୁ ‌ମୋ ଛୁଆର ମା’। ବଡ଼ ହେଲେ ତା’କୁ କେବେ ବି କହିବୁନି ଯେ ତା’ ମା’ ଜଣେ ମାଓବାଦୀ ଥିଲା।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment