Welcome to shalandi webzine

ରେପିଷ୍ଟ

ଅମିୟ ବେଜ

ଜେଲ୍ ଗେଟ୍ ସାମ୍ନାରେ , ତାକୁ ଅପେକ୍ଷା କରି ମା' ନଥିଲା । ଥା'ନ୍ତା ବି କେମିତି ? ସେ ପୋଲିସ ହାତରେ ଧରାପଡିଗଲା ବେଳେ , ମା' କହିଲା - - ସେ ମୋ' ପୁଅ ନୁହଁ । ମୋ' ପୁଅ ମରିଯାଇଛି ! ତଥାପି ବୁଢ଼ୀ ଥରୁଟିଏ ଲୁଚିଲାଚି ଆସିଥିଲା ଜେଲକୁ । ଦେଖାକରିବାକୁ ।

ଜେଲ୍ ଗେଟ୍ ସାମ୍ନାରେ , ତାକୁ ଅପେକ୍ଷା କରି ମା' ନଥିଲା । ଥା'ନ୍ତା ବି କେମିତି ? ସେ ପୋଲିସ ହାତରେ ଧରାପଡିଗଲା ବେଳେ , ମା' କହିଲା -
- ସେ ମୋ' ପୁଅ ନୁହଁ । ମୋ' ପୁଅ ମରିଯାଇଛି !
ତଥାପି ବୁଢ଼ୀ ଥରୁଟିଏ ଲୁଚିଲାଚି ଆସିଥିଲା ଜେଲକୁ । ଦେଖାକରିବାକୁ ।
- ରୋଗ ମାଡିବସିଲାଣି । ମନହେଲା ଟିକେ ଦେଖିବାକୁ ।
ସେ ହାତ ଯୋଡିଲା ମା'କୁ । ପଛକରି ଆସିବା ବାଟରେ ଫେରିଗଲା ବୁଢ଼ୀ ।
ଆଉକଣ ଥିବ ସେ ? ପନ୍ଦର ବର୍ଷ ପରେ ?
~~~~~~~~~~~~~~~~
ଆକାଶଛୁଆଁ ପାଚେରୀ । ତା'ରି ଭିତରେ ଛୋଟଛୋଟ ଗୁମ୍ଫା ପରି ଘରସବୁ । ଉପରକୁ ଚାହିଁଲେ , ପୁଳାଏ ଆକାଶ । ସବୁଦିନେ ଯେତିକି ସେତିକି । ରାତିହେଲେ ଦି' ଚାରିଟା ତାରା ଆଉ ଏପଟ ସେପଟ ହେଉଥିବା ଭଙ୍ଗାଜହ୍ନ । ପକ୍ଷୀ ଦଳେ ଉଡିଗଲେ ଲାଗେଯେ , ଅନ୍ୟକିଛି ଜୀବ ଅଛନ୍ତି ବାହାରେ !
 
 
ଭିତରେ ବି ତ ସବୁ ଜାନୁଆର ! କେତେ କିସମର ଅପରାଧି । ଦୁର୍ଦ୍ଦାନ୍ତ ଜନ୍ତୁକୁ ଆୟତ୍ତ କଲାପରି , ହାତ ପାଦରେ ସବୁବେଳେ ବେଡି । ଦେହ ସରିନଯିବାକୁ , କିଛି ଖାଦ୍ୟ ଆଉ ପରିଶ୍ରମ !
ପହିଲି ଦିନ ଆସୁଆସୁ ସବୁ ପଚାରିଲେ -
- ଦୋଷ ?
- ରେପ୍
- ଶଃ! କାହାକୁ ?
- ଗୋଟେ କଅଁଳା ଝିଅକୁ !
କିଏଗୋଟେ ପଛପଟୁ କଷିକି ଗୋଇଠାଟେ ପକାଇଲା ତାକୁ । ପଡିଗଲା ସେ ତଳେ ମୁହଁମାଡି ।
- ଆଉ କିଏ ମିଳିଲାନି ? ଶଃ! ଛୁଆଟାକୁ ?
ଚିଲ୍ଲୋଉଥିଲା ଗୋଇଠା ମାରିଥିବା ଲୋକଟା ଘୃଣାରେ ।
ଅପରାଧି ବି ଅପରାଧକୁ ଘୃଣା କରିପାରେ ?
ବୋଧେ ଜେଲ୍ ର କଠୋର ଅନୁଶାସନ , ସୁଧାର ଆଣିଦିଏ ପାପୀଙ୍କୁ ! ପରେ ସେ ଜାଣିଲା ତାକୁ ଘୃଣା କରୁଥିବା ଲୋକଟି ଜଣେ ହତ୍ୟାକାରୀ ! ଡବଲ୍ ମର୍ଡରର୍ !
ଆଶାଟିଏ ଉଇଁଲା । ସେ ବି ଦଣ୍ତ ଭୋଗିବାକୁ ଆସିଛି । ଏକ ମପାଚୁପା ହିସାବ । ପନ୍ଦର ବର୍ଷ ଯୋଡିଦେଲେ, ତାକୁ ଚାଳିଶ୍ ଟପିଯିବ । ଆଉ ନଥିବ ସେ ଉଦ୍ଦାମତା ! ବିଚାର ଏଇମିତି ହୁଏ । ମଣିଷତ୍ୱ ଫେରାଇ ଆଣିବାକୁ ଦଣ୍ତ ଓ ଅବଧି କୁ ଦୃଷ୍ଟି ଦିଆଯାଏ !
~~~~~~~~~~~~~~
ସେ ଆଗରୁ କୌଣସି ଅପରାଧଲିପ୍ତ ନଥିଲା । ମା' ସହ ନିଜ ଗରିବୀ ଭୋଗୁଥିଲା । ଦୁହିଁଙ୍କର ଦୁହିଁଙ୍କଛଡା ଆଉକେହି ନଥିଲେ । ମା' କାମ କରୁଥିଲା ପରଘରେ , ଆଉ ସେ ଭିନ୍ନ ଭିନ୍ନ ମିସ୍ତ୍ରୀମାନଙ୍କ ସହ ।
ଝିଅଟା , ତା'ରି ଘରଦେଇ ଦି'ବେଳା ସାଇକେଲ ରେ ଯେବେ ଯାଏ , ସେଇ ସମୟଟାକୁ ସେ ଚାହିଁ ରହେ ସବୁଦିନ । ପାଖ ଗାଁ ରୁ ବାଳିକାସ୍କୁଲ୍ ଯାଏଁ । ବୁଭୂକ୍ଷ ! ଅନାହାର ଯୋଗୁଁ , ଠିକ୍ ରେ ଗଢିପାରୁନଥିବା ଗୋଟେ ଦେହ ଧରି । ସରକାରୀ ଭାତ ଓ ସରକାରୀ ସାଇକେଲ ର ମୋହରେ !
- ଏଇଟା କାଢିଦିଅ ଟିକେ !
- ଓହୋ ! ରହ ।
ନିଜ ହାତଯାକ କଳା କରି , ଯତ୍ନରେ କାଢିଦେଲା ସେ , ଚକାରେ ଗୁରେଇ ହୋଇ ପଡିଥିବା ଓଢଣୀ ଟିକୁ । ଏଥର ଖୁସିହୋଇ ଚାଲିଗଲା ପେଡାଲ୍ ମାରି ଝିଅଟି ।
ହାତରେ ଲାଗିଥିବା କଳା ଗ୍ରିସ୍ ର ବାସ୍ନା ନୁହେଁ , ସେଇ ଆରଗାଁର ଝିଅଟି କି ବାସ୍ନା ଛାଡିଗଲା କେଜାଣି , ସେ ନିଜ ଭିତରେ ଗୋଟେ ଭାବ ତିଆରି କରିନେଲା ମନେମନେ ଯେ' 'ସେ ତାଆର' ।
ସବୁଦିନ ତାଙ୍କରି ଘରଠେଇଁ ତା' ଓଢଣୀ ସାଇକେଲ ଚକାରେ ପଶିଯାନ୍ତା ନାଇଁ ? ସେ ଜଗି ରୁହନ୍ତା ସାହାଯ୍ୟ ପାଇଁ !!
ପ୍ରେମଗୀତ ଗାଇ ବୁଲିବାର ବୟସ ଏବେ । ବେଳଅବେଳରେ ଝିଅଟିକୁ ମନକୁ ଆଣି , ନିଜସହ ରମଣଲିପ୍ତ ହେବାରେ ଲାଗିଲା ସେ । ନିଜକୁ କହିଲା - ହଁ ! ମୁଁ ତାକୁ ଭଲପାଏ ।
କିନ୍ତୁ ସିଏ ?
କିଏ କହିଲା , ଅନାହାରି ଝିଅଗୁଡା , ପ୍ରେମ କରି ପାରନ୍ତିନି ବୋଲି ? ଝିଅମାନେ ପ୍ରେମ କରନ୍ତୁ କି ନ କରନ୍ତୁ , ବେଶ୍ ପ୍ରେମରେ ପକାଇଲା ପରି ସାମର୍ଥ୍ୟ ରଖିଥାନ୍ତି ।
ଦିନେ ତାକୁ ଖୋଜୁଖୋଜୁ , ପାଇଗଲା ସେ , କାଜୁବଣରେ ଆଉ ଜଣଙ୍କ ସହ ହସଖୁସି ହେଉଥିବାର ।
ସେ ଦିନେବି କହିପାରିନଥିଲା , ତାକୁ ଭଲପାଏ ବୋଲି ! ଅଥଚ ଆଉଜଣଙ୍କ ସହ ଦେଖିଲାରୁ , ମୁଣ୍ଡକୁ ପିତ୍ତ ଚଢିଗଲା ।
ନାଃ ! ଛାଡିବନି ।
ଅନୁଶାସନ , ଇଚ୍ଛାଟିଏକୁ ଜବରଦଖଲି ଥାଏ । ସୁଯୋଗ ମାତ୍ରେ ମଣିଷ ଅସାମାଜିକ ହୋଇଯାଏ ।
ଯା'ସହ ନିତି ସ୍ୱପ୍ନରମଣ କରୁଥିଲା , ଏବେ ମନେକଲା , ମୋର ନୁହେଁ ତ କାହାର ନୁହେଁ । ଆଉ ପ୍ରେମ ନୁହଁ , ଏବେ ସେ ଝିଅର ରକ୍ତ ଦର୍କାର ।
ଦୁର୍ଭାଗ୍ୟ ସେ ମଣିଷ ଟେ , ଆତତାୟୀ ନୁହଁ । ତେବେ ? ଅନ୍ତତଃ ପ୍ରତିଶୋଧ ନେବାକୁ , କରିବାକୁ ହେବ 'ରେପ୍' !
~~~~~~~~~~~~~~~~
ଗୋଇଠା ମାରିଥିବା ଲୋକଟା ସହ ତାକୁ ଗୋଟାଏ ବଖରାରେ ରଖାଯାଇଥିଲା । ଜଣେ ବଳାତ୍କାରୀ , ଜଣେ ହତ୍ୟାକାରୀ । ଏବେ ଦୁହେଁ ଢେର୍ ମିଶିସାରିଥିଲେ । ଦୁଃଖ ବାଣ୍ଟୁଥିଲେ । ଲୋକଟା ବଡ ଥିଲା ତାଠୁଁ । ବଡଭାଇ ପରି । ବୁଝାଏ ସେ -
- ଦେହସୁଖ ପାଇଁ , ଏ ସମାଜରେ ସିକୃତୀପ୍ରାପ୍ତ ବେଶ୍ୟା ବି ଅଛନ୍ତି । ଯା'ଙ୍କୁ ଦେହ ବିନିମୟରେ ପଇସା ଲୋଡା । ଏମାନଙ୍କ ବ୍ୟତୀତ ଆଉ କେଉଁଠି ଦେହ ଖୋଜିବା ଅପରାଧ ।
ସେ କହିପାରେନି ସବୁକଥା ।
- ଦେହସୁଖ ପାଇଁ ନାହିଁ ଭାଇ ।
- ଆଉ ?
- ସେ ଗୋଟେ ଭୂଲ୍ ଥିଲା ।
- ମାନୁଛୁ ?
- ହଁଅଁଅଁ
- ଏବେ ?
- ମଣିଷ ପରି ରହିବି ।
- ହା ହା ପାରିବୁନି ତୁ । ତୋ' ଭିତରର ରାକ୍ଷସ କରାଇ ଦେବନି !
- କାଇଁ ? ତୁମେ ଏଠୁ ଯିବାପରେ ପୁଣି ମର୍ଡର୍ କରିବକି ?
- ହଁ ! ଆଉଜଣେ ବାକି ଅଛି ! ଦେଖିବୁ ପୁଣି ଥରେ ଫେରିବି ଏଠାକୁ !
- ସେମିତି କୁହନା ଭାଇ । ଏ ଅନ୍ଧାରକୁ ଆଉଥରେ ..?
- ହା ହା ଆମେସବୁ ମଣିଷ ପରି ଅମଣିଷ ଗୋଟେଗୋଟେ । ବଞ୍ଚେଇ ରଖିଲେ , ମହାବଳ ପୁଣି ଶିକାର ଖୋଜିବ । ଆମକୁ ତ ନିଶ୍ଚିହ୍ନ କରିଦେବା କଥା । ଇୟେସବୁ ସଜ୍ଜା ନୁହଁ , ଆଉଗୋଟେ ସୁଯୋଗ !
- ମାନେ , ମୁଁ ଆଉ ମଣିଷଟେ ହେବିନି?
- ଚେଷ୍ଟା କରିପାରୁ । ସମାଜ କିନ୍ତୁ ତୋତେ ରେପିଷ୍ଟ୍ ର ଘୃଣା ଫେରାଉଥିବ । ତାକୁ ସହିନେଇ ମଣିଷ ବନିବା ଭାରି କଷ୍ଟ ।
- ଭାଇ !
~~~~~~~~~~~~~~~~~
ମା' ଘରେ ନଥିଲା । ବାହାରେ ବର୍ଷା । ଭିଜିଭିଜି ସ୍କୁଲ୍ ରୁ ଫେରୁଥିଲା ସେ ଝିଅ । ସବୁଦିନ ପରି ଏକୁଟିଆ । ଡେରିରେ !
ବୋଧେ ସେ କାଜୁବଣରେ ଅଟକି ଯାଈଥିବ । ବର୍ଷା ବଢିଯିବାରୁ , ସରକାରୀ ସାଇକେଲ କୁ ଭରାଦେଇ , ତାଙ୍କରି ପିଣ୍ଡା ଉପରକୁ ଚଢିଗଲା ଆଶ୍ରାଟିକେ ପାଇଁ ।
ଏଇତ ସୁଯୋଗ ! ଶିକାର ଛାଁକୁ ଆସିଛି ମୁହଁ ପାଖକୁ । ପ୍ରେମରେ ଧୋକାକଷ୍ଟ ଭୟଙ୍କର ! କିଛିକ୍ଷଣ ଭାବିନେଲା ତା' ପ୍ରେମ ଏକତରଫା ଥିଲା ବୋଲି । ତଥାପି ସେତେବେଳେ ତାକୁ ପ୍ରତିଶୋଧ ର ନିଶା ଆକ୍ତାମାକ୍ତା କରିସାରିଥିଲା ।
ଝିଅଙ୍କ ଭାଗ୍ୟରେ ପୂର୍ଣ୍ଣସୁରକ୍ଷିତ ପରି ଶବ୍ଦ ଗୋଟେ ବୋଧେ ବିରଳ ।
- ସେ ପିଲା କିଏ ?
- ସାଙ୍ଗ । ଏକାସହ ସ୍କୁଲରେ ..।
ଢୋ' କିନା ଜାବୁଡ଼ାଟେ ପକାଇଲା ଝିଅଟିର ମୁହଁକୁ ସେ ।
- ଶାଳୀ ଏଡିକି ବକଟେ ହୋଇ ..? ରହ ଦେଉଛି !
ଗୋଟେ ଅନାହାରି , ଅବିକଶିତ ନାବାଳିକା କୁ ଝାମ୍ପିନେବା ସହଜ ! ଏମିତିକି ସେ ବେଶି ଜୋର୍ ରଡିଟାଏ ବି କରିବାକୁ ଅକ୍ଷମ ।
ତାକୁ ରେପ୍ କରିବା ଜଣାନଥିଲା । ଦୁର୍ବଳ ଝିଅଟି ପାରୁପର୍ଯ୍ୟନ୍ତ ଖୁବ୍ ବାଧା ଦେଉଥିଲା । ତା' ମୁଣ୍ଡକୁ ଝୁଣିଝୁଣି କାନ୍ଥରେ ପିଟିଦେବାରୁ ଟିକେ ସ୍ଥିର ହୋଇଗଲା ଏବେ । ତାକୁ ରକ୍ତ ପିଇବାକୁ ସହଜ ହୋଇଗଲା !
..............
ବର୍ଷା କମିଯିବା ପରେ ବି ଯେବେ ଝିଅଟା ହଲଚଲ୍ ହେଲାନି , ଡରିଗଲା ଯେ , ସେ ତାକୁ ମାରିସାରିଛି ।
ଆଉକଣ କରିଥାନ୍ତା ?
ଅନ୍ଧାର ବେଶ୍ ହୋଇସାରିଥିଲା । ମା' ଫେରିବାର ସମୟ ବି ।
ଘୋଷାରି ନେଇଗଲା , ଖମାରକୁ । ବିଲ ହୁଡାରେ ଥୋଇଦେବା ବେଳେ , ଲାଗିଲା ଜିଈଛି ! କାନ୍ଦୁଛି !
ତା' ନିଶା ଉତୁରି ଯାଇଥିଲା । ଫେରାର୍ ହେବାଛଡା , ବିକଳ୍ପ କିଛି ନଥିଲା ତା'ଠାରେ ।
~~~~~~~~~~~~~
ସେ ତାକୁ ବଡଭାଇ ଡାକୁଥିଲା । ଲୋକଟା ପେଶାଦାର୍ ହତ୍ୟାରା ପରି ଲାଗୁନଥିଲା । କିଛିଗୋଟେ କଷ୍ଟ ନେଇ ସନ୍ତୁଳନ ହରାଇଥାଇପାରେ ! ବେଶ୍ ମିଶିସାରିଥିଲେ ଦୁହେଁ ଜେଲ୍ ଭିତରେ ।
କିଛିକଥା ତାଠୁଁ ଶୁଣି , ଆଶ୍ୱସ୍ତି ହେଉଥିଲା ସେ' ।
- ଜାଣୁ ! ଧର୍ଷିତା ମାନଙ୍କ ପାଇଁ କିଛି ଥଇଥାନ ସରକାରୀ ଯୋଜନା ଅଛି । ଦେଖାରଖା , ପଢାଶୁଣା ପରି । ତୁ' ନର୍କସୁଖ ଭୋଗୁଛୁ ଏଠି । ଆଉରି ଦଶବର୍ଷ ଯେ ବଞ୍ଚିବୁ , ଗ୍ୟାରେଣ୍ଟି କଣ ?
- ଭାଇ !
- ହଁ ! ଆମେ ଦୁର୍ଜନ । ବଞ୍ଚି ରହିବାର ଅଧିକାର ଟେ' ପାଇଁ , ଖାଲି ପଶୁଙ୍କ ପରି ଆମକୁ ପୋଷାଯାଏ । ନହେଲ ଆମେ ଦୁନିଆଁକୁ ସବୁବେଳେ ବିପଦ ! ଫାଶୀ ଦରକାର ଫାଶୀ ।
- ସତ କହୁଛ । ତୁମ ଅବଧି ଏବେ ସରିବ । ଆଲୁଅକୁ ଚାଲିଯିବ ।
- ହଁ ! ଅଳ୍ପଦିନ ଆଉ । କାଟିଦେଲି ଗୋଟେ ଜୀବନ ଏଠି ।
ମନେରଖିଥିବୁ , ତୋ' କାଳ ସରିଲେ ଜମା ଫେରିବୁନି ଗାଁ କୁ ।
- ଆଉ ?
- କେହି ରଖାଇ ଦେବେନି । ରେପିଷ୍ଟ୍ କହିକହି ମାରିଦେବେ ।
- କୁଆଡ଼େ ଯିବି ?
- ଅଚିହ୍ନା ଅଜଣା ଜାଗାକୁ । ବାହୁରେ ବଳ ଥିଲାଯାଏଁ , ପେଟ ଭୋକରେ ରହିବନି ।
- ମା' ?
- ହା ହା ବଳାତ୍କାରୀ ର ମା'ଟେ , ସେଇଦିନ ହିଁ ଆତ୍ମହତ୍ୟା କରିସାରିଥାଏ । ବଞ୍ଚିଥିଲେ ବି ମା'କୁ ଫେରି ପାଇବୁନି ମୁର୍ଖ ।
~~~~~~~~~~~~~
ସେ ବେଶିଦୂର ଯାଇ ପାରି ନଥିଲା । ମାଉସୀଘର ଗାଁରୁ ଧରାପଡିଗଲା । ମା' ନିଜେ ବତାଇଦେଲା ଠିକଣା । ଚିହ୍ନଟ ବେଳେ , ଝିଅଟି ତା' ଉପରକୁ ଲେଣ୍ଡାଏ ଛେପ ପକାଇଲା । ମୁହଁ ପୋଛି, ମୁଣ୍ଡଟେକି ଚାହିଁଲା ସେ । କେମିତି ଗୋଟେ ସଜଡା ଦେହଟାକୁ , ଭାଙ୍ଗି ମକଚି ଦେଇଛି ସେ ନିଷ୍ଠୁର ହୋଇ ! ସାତସାନ ପିଲାଟା ଟିକେ ପାଦଧରି ଭୂଲ୍ ମାଗିବାର ସୁଯୋଗ ଥରେ ଦିଅନ୍ତାନି ?
ଏତିକି କଣ ତା'କୁ ଯଥେଷ୍ଟ ?
ପୋଲିସ ଆଗରେ ମାନିଗଲା ସବୁ । କେବଳ କହି ପାରିଲାନି ତା' ଏକତରଫା ଭଲପାଇବା କଥାକୁ । କିଏବା ଶୁଣିଥାନ୍ତା ଭଲା ?
ବିଚାର ବି ଶିଘ୍ର ସରିଗଲା । ପନ୍ଦର ବର୍ଷ । ସଶ୍ରମ ।
~~~~~~~~~~~~~
ଭାଇସହ ଘର କରିନେଇଥିଲା ସେ ଜେଲ୍ ରେ । କିଏତ ବୁଝୁଥିଲା ଜଣେ ! ମିଆଦ ପୁରି ଯାଇଥିଲା ଭାଇର । ଆଉରି ଦଶବର୍ଷ କାଟିବାକୁ ହେବ ତାକୁ ଏକୁଟିଆ । କେଜାଣି କେଉ ଦୁର୍ଦ୍ଦାନ୍ତ ଆସିବ ଭାଇ ବଦଳରେ ତା ସହ ରହିଵାକୁ ଏବେ ?
ଜଣାନାହିଁ , କେଉଁ ଭୟରେ ଭାଈକୁ ସେ ଶେଷଯାଏଁ ବି କହିପାରିନଥିଲା ଯେ , ଝିଅଟିକୁ ଭଲପାଉଥିଲା ବୋଲି ।
- ଏକୁଟିଆ ଭାବିବୁନି । ଭାବିବୁ ମୁଁ ସବୁବେଳେ ଏଇ ଅନ୍ଧାରୁଆ ଘରଟାରେ ଅଛି ।
- ତୁମେବି କଥାଦେଇ ଯାଅ , ମଣିଷଟେ ପରି ଚଳିବ ଆଲୁଅରେ ।
- ହା ହା । ଜାଣିବୁ ? ତୋତେ ପହିଲି ଦିନ ମୁଁ କଣପାଇଁ ଗୋଇଠା ଟାଏ ମାରିଥିଲି ଘୃଣାରେ ?
- କୁହ ।
- ହଁ ! କାଲି ଏଠୁଁ ଚାଲିଯିବି । ଆଉ ଆମେ ଦେଖା ହେବାନି କେବେ ! ବଡକଥା ଟେ ଶୁଣିଯା । ଜଣେ ବଳାତ୍କାରୀ ଆଉ ଜଣେ ଧର୍ଷିତା ର ବାପକୁ ଏକାଠି ରଖିବାର ବଡଭୂଲ୍ ଟେ' ଏ ଜେଲ୍ ବାଲାଏ କରିଛନ୍ତି ।
- ଭାଇ !
- ତୁ ଯେବେ କଅଁଳା ଝିଅ କଥା କହିଲୁ , ମୋତେ ଲାଗିଲା ମୁଁ ମାରିପାରି ନଥିବା ସେ ତୃତୀୟ ଲୋକଟା ତୁ !
- ମାନେ ?
- ମୋ' ବାରବର୍ଷ ର କଅଁଳା ଝିଅଟାକୁ , ପଶୁପରି ବାଣ୍ଟିକୁଣ୍ଟି ଖାଇଦେଇଥିଲେ ତିନିଜଣ । ବହୁକଷ୍ଟରେ ଦି'ଟାକୁ ମାରିସାରି ଧରା ପଡିଗଲି । ଗଲା ପାଞ୍ଚବର୍ଷ ହେଲାଣି ମୁଁ ପ୍ରତି ରାତିରେ ଭାବେ , ତୋ ତଣ୍ଟିଚିପି ମାରିଦେଲେ ପୁରିଯାନ୍ତା ମୋ' ଅରମାନ୍ ।
କିନ୍ତୁ ଆଉଜଣେ ବଳିଯିବ । ଖୋଜିବି ତାକୁ । ଯେ ମୋ' ଛୁଆ ଦେହରେ ହାତ ଦେଇଛି ।
- ଭାଇ !
- ନାଃ ! ମୁଁ ତୋ' ଭାଇନୁହଁ । ମୁଁ ଗୋଟେ ସନ୍ତାନହରା ବାପ । ସହିବାକୁ ମୋ'ଠାରେ ଛାତି ନାହିଁ । ଏବେବି ମୁଁ ତୋତେ ସେତିକି ଘୃଣା କରେ । କାରଣ ତୁ ଗୋଟେ 'ରେପିଷ୍ଟ୍' .....

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment