Welcome to shalandi webzine

ଶାଳଚୂଲି

ଶୁଭ୍ରାଂଶୁ ବିଶ୍ୱାଳ

ଛଅ ମାସ ହେବଣି ଜେଜେ ଖଟିଆରୁ ଉଠିପାରୁନାହାନ୍ତି । ଡାକ୍ତରଂକ ବାଇଦା ତାରିଖରୁ ଅଧିକ ଦିନ ବଂଚିଲେଣି । ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଜେଜେ ଶୀଘ୍ର ଘଟ ଛାଡି ଦିଅନ୍ତୁ । ମରିବା ଆଗରୁ ନର୍କ ଯନ୍ତ୍ରଣା ଭୋଗିବା ଅପେକ୍ଷା ମରିଗଲେ ଭଲ ।

ଛଅ ମାସ ହେବଣି ଜେଜେ ଖଟିଆରୁ ଉଠିପାରୁନାହାନ୍ତି । ଡାକ୍ତରଂକ ବାଇଦା ତାରିଖରୁ ଅଧିକ ଦିନ ବଂଚିଲେଣି । ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଜେଜେ ଶୀଘ୍ର ଘଟ ଛାଡି ଦିଅନ୍ତୁ । ମରିବା ଆଗରୁ ନର୍କ ଯନ୍ତ୍ରଣା ଭୋଗିବା ଅପେକ୍ଷା ମରିଗଲେ ଭଲ । ପିଲା ଦିନରୁ କେବେବି ଜେଜେଂକର ଏତେ ଅସହାୟ ଅବସ୍ଥା ଦେଖିନଥିଲି । ଜେଜେଂକ ଅବସ୍ଥା ପାଇଁ ବାପା, ବୋଉ ଦୁହେଁ ଖୁବ ଘାଣ୍ଟି ହେଲେଣି । ବାପାଂକ ଅପେକ୍ଷା ବୋଉ ଅଧିକା ।
ଗତ କିଛିଦିନ ହେବ ଜେଜେଂକ ଖାଇବା ପିଇବାରେ ଠିକ୍‌ଠିକଣା ନାଇଁ । ଦିନେ ଦି’ଦିନରେ ଥରୁଟିଏ ଖାଉଛନ୍ତି; ପୁଣି ଯାହା ଖାଇଲେ ବାନ୍ତି । ସେଥିକୁ ଜେଜେଂକର ହାତ, ଗୋଡ ଫୁଲା କମିବାର ନା ଧରୁନାହିଁ । ନାକରୁ ରକ୍ତ ପଡୁଛି । ଝାଡା ପରିଶ୍ରା ଠିକ୍ ହଉନି । ଏତେ ସତ୍ତ୍ୱେ ବୋଉ ମନ୍ଦିର ଯାଏ । ଫୁଲ ଚଢାଏ ଜେଜେଂକ ଆରୋଗ୍ୟ କାମନା କରେ । ଆମେ ବୋଉକୁ କହୁ, ଜେଜେଂକ ଆରୋଗ୍ୟ କାମନା କରିବା ବୃଥା । ଏତେ ପରେ ତ ଭଲ ହେଉନାହାନ୍ତି ବରଂ ସେ କେମିତି ଶାନ୍ତିରେ ଆଖି ବୁଜିବେ ସେଥିପାଇଁ ଦିଅଁଂକୁ ପ୍ରାର୍ଥନା କରେ ।
ବୋଉ ଆମକୁ ଆଖି ଦେଖାଏ । କହେ, ସେମିତି କୁହନି । ଯାହା ବି ହେଲେ ସେ ଘରର ମୁରବି । ଥିଲେ କେତେ ବଡ କଥା ।
ତଥାପି ଜେଜେ ଭଲ ହୁଅନ୍ତି ନାହିଁ ।
ଭଲ ହେଇଚି ଏ ଦଶା ଦେଖିବାକୁ ଜେଜେ ମା’ ନାଇଁ । ସେ ତ ଅହ୍ୟ ଡେଂଗୁରା ସହ ତିନି ବର୍ଷ ତଳୁ ଆରପାରିକୁ ଚାଲିଗଲାଣି । ଶାନ୍ତି ମରଣ ସେ ମରିଥିଲା । ରାତିରେ ଖାଇପିଇ ସମସ୍ତେ ଶୋଇଲୁ । ସକାଳ ହେବାରୁ ଆମ ଦି’ ଭାଇଂକୁ ଟ୍ୟୁସନ ଯିବାକୁ ଉଠେଇ, ବୋଉ ବାରି ଅଗଣା ଓଳେଇଲା । ଏ ସମୟ ଭିତରେ ବାପା ଗୁହାଳ ଘର ସଫା କରି ସାରିଥିଲେ । ଏତିକି ବେଳକୁ ଜେଜେବାପାଂକ ପାଟି ଶୁଭିଲା । ଆମେ ସମସ୍ତେ ଧାଇଁଗଲୁ । ଦେଖିଲା ବେଳକୁ ଜେଜେମା’ର ନାଡୀ ବଂଦ ହୋଇଯାଇଥିଲା ।
ଆଜି ସଂଧ୍ୟାରେ ବିଲରୁ ଫେରିବା ପରେ ବାପାଂକ ମୁହଁ ଶୁଖିଲା ଦିଶୁଥିଲା । ଜେଜେଂକ ପାଇଁ ବାପା ସବୁବେଳେ ବ୍ୟସ୍ତ । ସ
ଏବେ ରାତି ଦଶ ପାଖାପାଖି । କାର୍ତ୍ତିକ ପୂର୍ଣ୍ଣିମାର ଚନ୍ଦ୍ରଟା ଭାରି ତୋଫା ଦିଶୁଛି । ବାପଂକ ମୁହଁ କିନ୍ତୁ ସେତିକି ମଳିନ । ଚାଦର ଘୋଡି ହେଇ ବାପା ବସିଥିଲେ ପିଣ୍ଡାରେ । ଘରେ ଘୋଡାଘୋଡି ହେଇ ଶୋଇପଡିଥିଲେ ଜେଜେ । ଜେଜେଂକ ବିଛଣା ପିଣ୍ଡାକୁ ଦିଶୁଥିଲା । ମୁଁ ବାପାଂକ ପାଖକୁ ଗଲି । ବାପା ଅଲକ୍ଷ୍ୟରେ ଥିଲେ । ଧିର ସ୍ୱରରେ ଡାକିଲି, “ବାପା!” ବାପା ମୋ ମୁହଁକୁ ଅନେଇଲେ । ମୁଁ ବାରଣ୍ଡାରେ ବସିପଡିଲି ।
କିଛି ସମୟ ନିରବ ରହିବା ପରେ ବାପା କହିଲେ, “ତୁ ଯାଏଁ ଶୋଇନୁ ?”
ବାପା ମୋ କଥାକୁ ଭୁଲେଇ ଦେବାପାଇଁ ଚାହୁଁଥିଲେ ନିଶ୍ଚେ । ମୁଁ ଦୋହରେଇ ପଚାରିଲି,
 
 
“କହୁନ ବାପା କ’ଣ ହେଇଛି?”
ବାପା ମୋ ମୁହଁକୁ ଅନେଇଲେ । କହିଲେ, ଜେଜେଂକ ଦେହ କଥା ଭାବୁଛି । ଗଲାଥର ଏ ଦିନକୁ ଶାଳବୁଲା ଆରମ୍ଭ ହେଇସାରିଥିଲା । ଚୁଲି ତିଆରି ଠୁ ଆରମ୍ଭ କରି ଗୁଡରଂଧା ଯାଏଁ ସବୁକାମରେ ହାତ ଦେଉଥିଲେ । କିନ୍ତୁ ଏ ବର୍ଷ ..... । ସେ କଥା ଭାବିଲା ବେଳକୁ କଷ୍ଟ ଲାଗୁଛି ।
ବାପା ଆଉ କିଛି କହିବା ଆଗରୁ ମୁଁ ସାହାସ ଦେବା ପରି କହିଲି, ବାପା! ଛୁଟି ଦିନରେ ମୁଁ ଏ ବର୍ଷ ଶାଳକାମ ଶିଖିବି । ବିଲକୁ ଯିବି ।
“ତୁ ପାଠ ପଢ । ଏ ବିଲ ବାଡି କଥା ଚିନ୍ତା କରନା । ଲୋକ ଲଗେଇ ମୁଁ କାମ କରିଦେବି । ଅସଲ କଥାଟା କିନ୍ତୁ ଚୁଲି । ଏ ଚୁଲି ତିଆରିବ କିଏ? ଆଖପାଖ ତିନି ଚାରି ଖଣ୍ଡ ଗାଁର ଲୋକଂକର ଏଇ ଗୋଟିଏ ମଣିଷ ଶାଳଚୁଲି ତିଆରି କରେ । ବାପାଂକ ପରି ଶାଳଚୁଲି ଆଉ କିଏ ଜାଣିଛି?”
“ସବୁ ଗାଁରେ ଚାଷୀ ଅଛନ୍ତି । କିଏ ତ ପୁଣି ଶାଳଚୁଲି ତିଆରି କରୁଥିବ ।”
“ହଁ, ଚାଷୀ ଅଛନ୍ତି । କିନ୍ତୁ ଚୁଲି କଲା ବାଲା କିଏ ସେ କଥା ଭାବୁଛି ।”
ବାପା, ଜେଜେ ଆମର ଏମିତି କ’ଣ ଅଧିକା କରନ୍ତି ଯାହା ଆଉ କେହି ପାରନ୍ତିନି । ମୁଁ ସ୍ପଷ୍ଟ ହେବାକୁ ପଚାରିଲି ।
ବାପା ଶାଳଚୁଲି କୁ କେବେ ଚୁଲିଟିଏ ବୋଲି ଭାବନ୍ତିନି; ତାଂକ ପାଇଁ ଶାଳଘର ଯଜ୍ଞଶାଳ, ଚୁଲି ଯଜ୍ଞକୁଣ୍ଡ । ସେ କୁହନ୍ତି; ଗୋସେଇଁ ପୁଅ ହୋମ ଟିକେ କରିବେ ବୋଲି କେତେ କଣ ବରାଦ ଦିଅନ୍ତି । ଏଇଠୁ ବାଲି ଆଣିବ, ସେଇ ଗାଈର ଗୋବର ଆଣିବ, ପଂଚବର୍ଣ୍ଣ ମୁରୁଜ ଆଣିବ । ଶାଳକାଠ ଆଣିବ । ଯେତିକି ବରାଦ ବାପା ସେମିତି ବିଧାନ ଲୋଡନ୍ତି ଶାଳଚୁଲି କାରିବା ସମୟରେ ।
ଚୁଲି ଗାତ କରିବା ଆଗରୁ ଯାଗା ଖଣ୍ଡେ ଖୋଜି ସେ ବୁଲୁଥିବେ ବିଲକୁ ବିଲ । କେତେ ଉଚ୍ଚାରେ ଗାଡ କରିବେ? କୋଉ ମାଟିରେ କରିବେ? କୋଉପଟ ମୁଁହ କଲେ ଭଲ ପବନ ବହିବ, ଚୁଲି ଭଲ ଜଳିବ । ସେ ସବୁ ତନ୍ନତନ୍ନ କରି ଦେଖି ମାଟିକୁ ମୁଠେଇ ପକାନ୍ତି, କେବେ ଶୁଂଘନ୍ତି । କ’ଣ ଜାଣନ୍ତି କେଜାଣି ?
ସେ ଶାଳଚୁଲି ତିଆରି କରିବା ଦିନରୁ ଆଉ କେହି ଏ ଚୁଲି କରନ୍ତିନି । ସମସ୍ତଂକର ସେ ହିଁ ତିଆରି ଦିଅନ୍ତି । ତୁ ଦେଖିନୁ ଏ ସମୟକୁ; କିଏ କହିବ, ଜେଜେ ଆମ ଚୁଲିଟା ଆଗ ପକେଇ ଦେବ; ଆଖୁ ପାଗ ହେଇ ଆସିଲାଣି । କିଏ କହିବ, ବିଲ ପାଣି ଛାଡିଲାଣି; ଆଖୁ ଶର ଧରିଦେଲେ ଆଉ କଣ ଆଦାୟ ଭଲ ହେବ । କିଏ କହିବ, ଆଖୁ ହାଣି ଗଦା କରିସାରିଲିଣି; ବେଶି ଦିନ ରହିଗଲେ ମଲାଡାଂଗ ହେଇ ଚୁଲିକି ଯିବ ସିନା; ଗୁଡ ଆଦାୟ ହେବନି । ଆଗ ଆମର.... ଆଗ ଆମର.... ଆଗ ଆମର କରିଦିଅ କହି ତାଂକ ଚାରିପାଖରେ ବୁଲୁଥାନ୍ତି ଚାଷୀ ।
ବାପାଂକୁ ବିସ୍ମୟରେ ଚାହିଁଲି । ପାଖରେ ଥିବା ଲୋକଟା ଯେ ଏତେ ବଡ ଗୁଣର ଅଧିକାରୀ ମୁଁ ପ୍ରଥମେ ଜାଣିଲି ।
ବାପା ଜେଜେଙ୍କ ଆଡକୁ ଟିକେ ଅନାଇ ଦେଲେ । କହିଲେ, ସମସ୍ତଂକର କଣ ବିଶ୍ୱକର୍ମା ହାତଥାଏ? ଶାଳଚୁଲିକୁ ଏତେ ଯତ୍ନରେ ତିଆରି ଥିବେ ଯେ ଶତ୍ରୁ ମଧ୍ୟ ଦେଖିଲେ ଲୋଭ କରିବ ।
ଗୁଡ଼ ବିକା ପଇସାରେ ମୁଁ ପଢେ । ବଢେ । ମଉଜ କରେ । କିଂତୁ ଶାଳଚୁଲିଟାକୁ ତିଆରିବାକୁ ଗୋଟେ କୌଶଳ ଲୋଡା; ମୋର ଏତେ ଧାରଣା ନଥିଲା । ପଚାରିଲି, ବାପା! ଜେଜେ ଏ କାରିଗରି କାହାଠୁ ଶିଖିଥିଲେ?
“ମୋ ଜେଜେଙ୍କଠୁ । ଅବଶ୍ୟ ଆଜି ପରି ସତେବେଳେ ଆୟତକ୍ଷେତ୍ର ଆକାରର ଦୁଇଟି ଲୁହାତାଇ ଆଗପଛ ହୋଇ ବସୁ ନଥିଲା । ଗୋଟେ ବଡ଼ ମାଟି ହାଣ୍ଡିରେ ଗୁଡ଼ ରଂଧା ହେଉଥିଲା । ରଂଧା ସରିଲେ ଛୋଟ ଛୋଟ ହାଂଡିକୁ ଢାଳି ପୁଣି ବଡ ହାଂଡି ବସା ହେବ । ଥରକୁ ଥର ଏମିତି କେତେଥର । ସେ କଷ୍ଟ ଯିଏ ଦେଖିଚି; ଜାଣିଚି । ଅବଶ୍ୟ ଏବେ ବଜାରରେ ଗୁଡ ରାଂଧିବାକୁ ଲୁହା ତାଇ ମିଳିଲାଣି । କିନ୍ତୁ ଚୁଲି!” ବାପା କାନ୍ଦ କାନ୍ଦ ହେଇଗଲେ ।
ନିଜେ ତିଆରି ନଜାଣିଲେ ନାଇଁ । ଚଷା ପିଲା ଯେତେବେଳେ, ଶାଲଚୁଲି ବିଷୟରେ ଜାଣିଗଲେ ଅସୁବିଧା କଣ? ଜେଜେଂକ କଥା କୁହାଇଲେ ବାପା ଲୁହ ଲୁହ ହେଲେ ବି ଟିକେ ଆସ୍ୱସ୍ତ ହେବେ ଭାବି ମୁଁ କଥା ପରେ କଥା ପଚାରୁଥାଏ । ବାପା କହୁଥାନ୍ତି -
ଶାଳଚୁଲିଟିଏ ତିଆରି କରିବା ଆଗରୁ ବାଲିକଷିଆ ମାଟିର ଉଚ୍ଚା ସ୍ଥାନଟିଏ ସେ ଆଗେ ଦେଖନ୍ତି ।
ବାଲିକଷିଆ ମାଟି...? ମୁଁ ବୁଝିନପାରି ପଚାରିଲି । ମାଟିର ପୁଣି ନାଁ ଅଛି?
ବାପା ମୋ ଉପରେ ନିରସିଆ ବିରକ୍ତ ହେଲେ । ଏତେ ବଡ଼ ପିଲାଟେ ହେଲୁଣି ବାଲିକଷିଆ ମାଟି କଣ ଜାଣିନୁ? ଯୋଉ ମାଟିରେ ଅଧିକା ବାଲି ଅଂଶ ଥିବ । ଅନ୍ୟମାଟି ଅପେକ୍ଷା ଏ ମାଟି ଶାଳଚୁଲି ପାଇଁ ଭଲ । ଚୁଲି କଲେ ଭିତର ପଟୁ ଭୁଷୁଡ଼ି ଯିବାର ଭୟ ନଥିବ । ବର୍ଷା ହେଲେ ବି ଚକିରେ ପାଣି ରହିବନି । ମାଟି ଭିଡ଼ନେବ ।
ଏ ଚୁଲି କଲା ବେଳେ ତୁ ଜେଜେଂକୁ ଦେଖିନୁ । ଆରେ ଆଗ ପଛ କରି ପାଂଚ ଫୁଟ ଗଭୀର । ଅଢେଇ ଫୁଟ ଓସାର । ଚାରିଫୁଟ ଲମ୍ବା । ଗାତ ମାପ କରି ତୋ ଜେଜେ ଏକା ଖୋଳି ପକାନ୍ତି । ଜାଣି ପାରୁଛୁ; ପାଂଚ ପାଂଚ ଫୁଟ ଦଶ ଫୁଟରେ ପରା କୂଅ ହେଇଯିବ ଆମ ନଇକୂଳିଆ ଜାଗାରେ । ଏ ବୟସରେ ବି କୋଡ଼ି, ଶାବଳ ଧରି ସେ ଥରେ ଚୁଲି ଖୋଳା ଆରମ୍ଭ କରିଲେ ଗାତ ଖୋଳା ନସରିବା ଯାଏଁ ଅଟକିବେ ନାହିଁ । ଏମିତିକି, ସକାଳ ପଖାଳ ଦୁଇପହରକୁ ଖାଆନ୍ତୁ ପଛେ । ଥରେ ଥରେ ମୁଁ ତାଙ୍କୁ କହେ ଶାବଳ ମୋତେ ଦିଅ ମୁଁ ଖୋଳି ଦେବି । ସେ ଦେବେ ନାହିଁ । ବରଂ କହିବେ, ତୁ କଣ ଖୋଳି ପାରିବୁ? କୋଡ଼ି ଶାବଳ ଗୋଡ଼ରେ ବାଜିବ । ତାଂକ କଥାଟା ମୁଁ ବୁଝିପାରେ । ପୁଅ ତାଂକେ ଅଧିକା କଷ୍ଟ ପାଉ ସେ ଯେମିତି ଚାହାନ୍ତିନି । ସେଥିକୁ ଚୁଲି ଆଉ କିଏ କଲେ ସେ ବୁଝିବେନି । ବୁଝାଇବେ; ଥାଉ ଥାଉ ତାଡ଼ୁ ତାଡ଼ୁ ତୁ ମାଟି ଭୁଷୁଡ଼େଇ ଦେବୁ । ଚୁଲି ବାଗ ହବନି । “ଥରେ କଣ ହେଲା ଜାଣୁ?” ମୁଁ ବାପାଂକ ମୁହଁକୁ ଚାହିଁଛି । ବାପା ଉଠି ଆସିଲେ । ଝରକା ଦେଇ ଜେଜେଂକୁ ଚାହିଲେ । ବସିପଡିଲେ । କହିଲେ, ମୁଁ ବୋଲରେ ଥାଏ । ବାପା ଗାତ କରି ଭିତର ମାଟି ବାହାରେ ପକାଉଥାନ୍ତି । କିଛି ସମୟ ପରେ ଦେଖିଲା ବେଳକୁ ଆଉ ମାଟି ପଡୁନି । ବାପା କୁଆଡେ ଗଲେ? ମୁଁ ଚାରି ଆଡକୁ ଚାହିଁଲି । ନପାଇ, ଗାତ ପାଖକୁ ଚାଲି ଆସିଲି । ଦେଖିଲା ବେଳକୁ ବାପା ଥକା ମେଣ୍ଟାଇବା ପାଇଁ ସେଇ ଚୁଲି ଗାତରେ ଆଉଜି ବସିଥିଲେ । ମୁଁ କହିଲି ବାପା, ଥାଉ କାଲିକୁ କରିବା । ସେ ଉଠି ପଡିଲେ ଗାମୁଛା କାଢି ଝାଳ ପୋଛୁ ପୋଛୁ ଦିହ ମୁହଁର ମାଟି ଝାଳ ପୋଛି କହିଲେ- ଏଇ ଚୁଲି କାମକୁ ଅଧାରେ ଛାଡି କଣ ଯାଇ ହବ? ଆଜି ଛାଡି କାଲି ଆସିଲାବେଳକୁ, ଉପର ମାଟି ଶୁଖି ଯାଇଥିବ, ତଳ ମାଟି ତାଡିବା ବେଳକୁ ମାଟି ଭୁସୁଡି ପାରେ । ଦି ଦିନରେ ଚୁଲି ତିଆରିଲେ ଭଲ ହେବନି । ସେ ସେଇମିତି ଲାଗିଥିବେ କାମ ସାରିଲା ଯାଏଁ । ତାଂକର ଏକା ଜିଦ୍ଦ ଗୋଟିଏ ଦିନରେ ଶାଳଚୁଲି ହେବ ।
ଆଜି ଯାଏଁ ସେ କାମ ତାଂକଠୁ ଶିଖିପାରିଲିନି । ବାପା ନିଜର ଅବଶୋଷ କହୁକହୁ ଆଖିରୁ ବୋହି ଆସୁଥିବାଲୁହ ଟୋପାକୁ ପୋଛିନେଲେ । ବାପାଂକୁ ଆଉ କୁହାଇବାକୁ ଦେଲିନି । ଜେଜେଂକ କଥା ପଡିଲେ ବାପାଂକ ଆଖିରୁ ଲୁହ ବୋହୁଛି ଜାଣି ମୁଁ ବି କଥା ବୁଲାଉଥିଲି । ବାପା କିନ୍ତୁ ଝୁରି ହେଉଥିଲେ – ଏତେ ସୁନ୍ଦର ସୁଡଙ୍ଗ ସେ କରନ୍ତି । ଚୁଲି ଦୁଇର ବ୍ୟବଧାନ ପାଇଁ ଚାଖଣ୍ଡେ ବହଳେର ମାଟି ଅକ୍ଷତ ଥାଏ । ସେ ଅକ୍ଷତ ମାଟିର ଠିକ ମଝିକୁ ଗୋଟେଫୁଟ ବ୍ୟାସାର୍ଦ୍ଧର ସୁଡ଼ଙ୍ଗ ପରି ଗୋଲେଇଟିଏ କରନ୍ତି । ଯେଉଁ ବାଟେ ଏପଟ ଚୁଲିର ଧାସ ସେପଟକୁ ଯିବ । ସେ ସୁଡଙ୍ଗଟାକୁ ଏତେ ସୁନ୍ଦର ଭାବେ ସେ କରନ୍ତି, ସତେ ଯେମିତି ସାଧାରଣ ମଣିଷ ନୁହେଁ କାରିଗର ଜଣେ ତାକୁ ତିଆରି କରିଛି ।
ବାପା ଆଉ କଣ କହିବାକୁ ଯାଉଥିଲେ । ହଠାତ୍ ଘର ସାମନା ବିଜୁଳିବତୀରେ ଝୁଲୁଥିବା ଶହେ ୱାଟର ବଲବଟା ଧପ୍ କରି ହୋଇଗଲା । ଗାଁ ଦାଣ୍ଡ ଅନ୍ଧାର । ଦଳେ କୁକୁର ଆମରି ଦୁଆରକୁ ମୁହଁ କରି ଭୁକିବାକୁ ଲାଗିଲେ । ବାପା ସେ କୁକୁର ଗୁଡ଼ିକୁ ଘଉଡ଼ାଇବା ପାଇଁ ଉହୁଁକି ଉଠିଲେ ।
ମୁଁ ବି ଟିକେ ଡରିଗଲି । ଆଗରୁ ଶୁଣିଥିଲି, ଘରେ ବାଧକା ପଡିଥିଲେ; ଘର ଆଗରେ ଏମିତି କୁକୁର ଭୁକିଲେ ଅଶୁଭ । କିଛି ଦିନ ତଳେ ସାହୁ ଘର ବୁଢୀ ପଡ଼ିଥିଲା । ଏଇମିତି କୁକୁର ଭୁକିଥିଲେ । ବୁଢୀ ସେଇଦିନ ରାତିରେ ମଲା । ଏ କଥା ଭାବି ମୋ ଛାତି ଦାଂଉ କରି ହେଇଗଲା ।
କୁକୁର ଗୁଡା ବି ଘଂଚୁ ନଥିଲେ । ବାପା ଦୁଆର ମୁହଁରୁ ଠେଂଗେଣି ଆଣି ଘଉଡାଇଲେ; ସେ କାଳିଆ ଭୁଷୁଣ୍ଡା କୁକୁରଟା ତଥାପି ଘୁଂଚୁନଥିଲା । ସେମିତି ବାପାଂକ ମୁହଁକୁ ଚାହିଁ ବିକଟ ଶବ୍ଦ କରୁଥିଲା । ମୁଁ ଟେକାଟାଏ ଛାଡି ଦେବାରୁ ତା ସ୍ୱର ବଦଳାଇ କେଁ କେଁ ହୋଇ ପଳାଇଲା । ବାପା ଘର ଭିତରକୁ ପଶିଗଲେ । ମୁଁ ବାପାଂକ ପଛେପଛେ । ବାପା, ଜେଜେଂକ ଆଡକୁ ଚାହିଁଲେ । ଆସ୍ୱସ୍ତ ଦିଶିଲେ । ସବୁକିଛି ଠିକଠାକ ଥିବା ପରି ।
ମତେ କହିଲେ, ରାତି ହେଲାଣି, ଯା ଶୋଇପଡ ।
“ତମେ?”
“ହଁ, ଶୋଇବି ଆଉ ଟିକେ ଯାଉ । ମୋତେ ବି ଏ ଶାଳଚୁଲି କଥା ନୂଆନୂଆ ଲାଗୁଛି । ଜେଜେଂକ କାରିଗରି ବି ।”
ବାପା ଦାଣ୍ଡ ଆଡକୁ ଆସିଲେ ପୂର୍ବ ସ୍ଥାନକୁ । ମୁଁ ତାଂକ ପଛେପଛେ ।
ବାପା ବସି ପଡୁପଡୁ କହିଲେ, ଆମ କଥା କୋଉଠି ଥିଲା ଟି?
ସୁଡ଼ଙ୍ଗ କଥା କଣ କହୁଥିଲ ପରା ।
ଓଃ । ହଁ । ଆଗ ଚୁଲିରେ ଜାଳ ମୁହଁ । ଛେଦା କିମ୍ବା ଆଖୁ ପତୁରୀ ଜାଳ ମୁହାଁଇଲେ, ସେ ମଝି ସୁଡ଼ଙ୍ଗ ଦେଇ ନିଆଁର ଧାସ ପଛ ଚୁଲିରେ ଯାଇ ପହଞ୍ଚେ । ପଛ ଚୁଳିର ଶେଷରେ ଥାଏ ଧୁଆଁ ମୁହଁ । ଯେଉଁ ରାସ୍ତା ଦେଇ ଧୁଆଁ ବାହାରେ । ସେ ଧୁଆଁ ମୁହଁ ତିଆରି ସମୟରେ ବହୁ ସତର୍କତା ଲୋଡ଼ା । ଯଦି ଧୁଆଁମୁହଁ ଠିକରେ ହୋଇନି, ଜାଳ ଠିକ ଜଳିବ ନାହିଁ । ଗୁଡ଼ ହେବାକୁ ବି ସମୟ ବହୁତ ଲାଗିବ । ସେତିକି ନହେଲେ ଗୁଡ଼ ଶୁଖିଲା ହେବ ନାହଁ, ଅଳ୍ପ ଦିନରେ ପାଣି ଫାଟିଯିବ । କେବେ କେବେ ଗୁଡ ଧୁଆଁଳିଆ ଗନ୍ଧାଇବ । ଜାଳ ଯଦି ଠିକ ହେଲା ଦୁଇଟି ଯାକ ତାଇର ପଣା ଗରମ ହେବ । ଆଗ ତାଇରେ ଗୁଡ ହେଇ ଆସିଲା ବେଳକୁ ପଛ ତାଇର ତତଲା ଦୋରୁଅ ଆଗ ତାଇକୁ ଆଣାଯିବ । ଧିରେ ଧିରେ ଗୁଡ଼ ହେବ ।
ଏଇଥି ପାଇଁ ଜାଣିଚୁ ଜେଜେ କଣ କରନ୍ତି, ଧୁଆଁ ମୁହଁ ଉପରେ ମାଟି ପିଣ୍ଡୁଳାର ଦୁଇ ଦିଅଁ ବସାନ୍ତି । ନନ୍ଦି ଭୃଙ୍ଗୀ । କାହୁଁ କେତେ କାଳରୁ ବିଶ୍ୱାସ ଅଛି ନନ୍ଦି,ଭୃଙ୍ଗୀ ସ୍ୱର୍ଗରୁ ଆଖୁ ଆଣି ମର୍ତ୍ତ୍ୟରେ ପହଞ୍ଚାଇଥିଲେ । ସେଥିପାଇଁ ଚୁଲି ଲଗାଇବା ଆଗରୁ ଅଳ୍ପପଣା ତାଙ୍କ ପାଖରେ ଅର୍ପଣ ହୁଏ । ଅମାବାସ୍ୟା ସଂକ୍ରାନ୍ତି ଦିନ ଶାଳ କାମ ହୁଏନି, କେହି ବିଲକୁ ଆସନ୍ତିନି କିନ୍ତୁ ବାପା ଚୁଲି ପାଖକୁ ଆସିବେ । ଫୁଲ, ଖିର, ଅରୁଆ ଚାଉଳ ଦେଇ ପୁଜା କରିବେ । ଫୁଲ ଦେଇ ନନ୍ଦି ଭୃଙ୍ଗୀ କୁ ସେ ଏମିତି ସଜାଡିଥିବେ; ତାଂକୁ ଦେଖିଲେ ମୁଣ୍ଡ ଆପେ ନୋଇଁଯିବ । ହାତ ଆପେ ଯୋଡି ହେଇଯିବ । ତାଂକ ମୁହଁକୁ ଚାହିଁ ବାପା କୁହନ୍ତି, ଆଖୁ ଫସଲ ଭଲ ହେଲେ କଣ ହେବ; ଗୁଡ ଯଦି ଅମଳ ହୋଇନପାରିଲା ।
ବାପା କହି ଚାଲିଥାନ୍ତି । ଦାଣ୍ଡ ଆଲୁଅରେ ତାଙ୍କ ମୁହଁ ଝାପସା ଦିଶୁଥାଏ । ମୁଁ ତାଂକ ମୁହଁକୁ ଚାହିଁ କଥା ସବୁକୁ ଶୁଣୁଥିଲି ।
ବାପା ସବୁ କଥା କହିଦେବା ପରି କିଚି ସମୟ ନିରବ ରହିଗଲେ । ପରେ କହିଲେ, ଆରେ ଆରେ ଅସଲ କଥା ବାକି ରହିଗଲା ଯେ ।
ଏତେ କଥା ପରେ ଶାଳଚୁଲିକୁ ନେଇ; ଆହୁରି କଥା ବାକି ରହିଗଲା ଜାଣି ମୁଁ ପଚାରିଲି ପୁଣି, କୋଉ କଥା?
ଦୁଆ । ଶାଳଚୁଲି ତିଆରିର ମୁଖ୍ୟ ତ ଦୁଆ । ଦୁଆ ଦେବା ଯଦି ଭୁଲ କରିଦେଲ କଥା ସରିଲା । ଆଜି କରିଥିବ କାଲିକୁ ଭାଙ୍ଗି ଭୁଷୁଡି ଯାଉଥିବ । ଧୁଆଁମୁହଁ ପରିବର୍ତ୍ତେ ଦୁଆ ବାଟେ ଧୁଆଁ ବାହାରୁଥିବ । ନଚେତ ହାଣ୍ଡି ଧରୁନଥିବ ।
ଥରେ ଥରେ ଦୁଆ ବାଟ ଦେଇ ଧୂଆଁ ବାହାରି ଗଲେ ଏମିତି ହଇରାଣ; ଗୁଡ ଶୁଖିବନି ଯେ, ଶୁଖିଲା କରିବାକୁ ହେଲେ ଚୂନ ନହେଲେ ରଂଧା ସିପ ଆଣି ପାଗ ଗୁଡରେ ଦବାକୁ ପଡେ । ହେଲେ ଗୁଡ କଣ ଶୁଖେ ? ଖାଲି କାମ ଚଳେଇବା କଥା ।
ବାପା କୁହନ୍ତି, ଖାଲି ଚୁଲି ପକାଇ ଦେଲେ କଣ ହେବ ଚାରି ଆଡକୁ ନଜର ଦେଲେ ଯାଇ ଶାଳଚୁଲି ହେବ । ବାପା ଦୁଆକୁ ଏମିତି କରନ୍ତି ଧୂଆଁ, ନିଆଁ କିଛି ବାହାରିବନି । ଅଠାଳିଆ ମାଟି ସାଙ୍ଗରେ ଅଳ୍ପ ଗୋବର ଓ ବାଲି ସାଙ୍ଗକୁ ପାଣିଫଟା ଅଠାଗୁଡ଼ ପକାଇ ଚକଟନ୍ତି । ଘଣ୍ଟାଏ ପବନ ବଜାନ୍ତି । ପରେ ଦୁଆ ଦିଅନ୍ତି । ଏଇ ଦୁଆ ଦେଖିଲେ ଏମିତି ଟାଣ ଓ ଚିକ୍କଣ ଦିଶୁଥିବ ମାର୍ବଲ ପଥର ଖଣ୍ଡେ ଯେମିତି ।
ବାପାଂକ ପରି ଆଉ କିଏ ଏମିତି କରିପାରିବ?
ବାପା ଏକ ଦୀର୍ଘଶାସ୍ୱ ଛାଡ଼ିଲେ । ପଚାରିଲେ, ସମୟ କେତେ ହେଲା କି?
ପକେଟରୁ ମୋବାଇଲ କାଢି କହିଲି, ଏଗାରଟା ସତର ।
ଆରେ ଏତେ ରାତି! ଚାଲ...ଚାଲ...ଚାଲ... ଶୋଇବା । ତୁ କାଲି ହଷ୍ଟେଲ ଯିବୁ ପରା?
ହଁ ।
ଆମେ ଦୁହେଁ ପିଣ୍ଡାରୁ ଉଠିଲୁ । ମାତ୍ର ମୁଁ କିଛି ବୁଝିବା ପୂର୍ବରୁ ହଠାତ୍ ବାପା ଘର ମୁହାଁ ଦୈାଡିଲେ । କିଛି ନବୁଝି ତାଂକ ପଛେ ପେଛ ମୁଁ ବି । ବାପା ଦାଣ୍ଡ ଦୁଆରୁ ହିଁ ଜେଜେଂକ ହେଂକା ଶୁଣିପାରିଥିଲେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment