Welcome to shalandi webzine

ବାସୁ

ତରୁଣକାନ୍ତି ମିଶ

ବାସୁ,ବାସୁ।' ପାହାନ୍ତି ଅନ୍ଧାର ଭିତରେ କିଏ ଡାକିବାର ଶୁଭିଲା, ଧୀର କଅଁଳ ସ୍ଵରରେ । ବାସୁ ସେତେବେଳେ ସ୍ଵପ୍ନ ଦେଖୁଥିଲା, କ'ଣ ଗୋଟିଏ ଭଲ ସ୍ଵପ୍ନ । ସ୍ଵପ୍ନରେ ସେ କ'ଣ ସବୁ ଦେଖୁଥିଲା କିଛି ମନେ ପଡ଼ିଲା ନାହିଁ, କିନ୍ତୁ ଭାରି ଭଲ ଲାଗୁଥିଲା। ସେ ଶୋଇଲା କଡ଼ ଲେଉଟାଇ । ଚାଦର ଟାଣି ନେଲା ବେକ ପର୍ଯ୍ୟନ୍ତ ।

ବାସୁ,ବାସୁ।'
ପାହାନ୍ତି ଅନ୍ଧାର ଭିତରେ କିଏ ଡାକିବାର ଶୁଭିଲା, ଧୀର କଅଁଳ ସ୍ଵରରେ ।
ବାସୁ ସେତେବେଳେ ସ୍ଵପ୍ନ ଦେଖୁଥିଲା, କ'ଣ ଗୋଟିଏ ଭଲ ସ୍ଵପ୍ନ । ସ୍ଵପ୍ନରେ ସେ କ'ଣ ସବୁ ଦେଖୁଥିଲା କିଛି ମନେ ପଡ଼ିଲା ନାହିଁ, କିନ୍ତୁ ଭାରି ଭଲ ଲାଗୁଥିଲା।
ସେ ଶୋଇଲା କଡ଼ ଲେଉଟାଇ । ଚାଦର ଟାଣି ନେଲା ବେକ ପର୍ଯ୍ୟନ୍ତ ।
“ବାସୁ! ବାସୁ।'
ସେଇ କଅଁଳ ଆଦରର ଡାକ!
ବାପା ଡାକୁଛନ୍ତି।  ସେ ଧଡ଼ପଡ଼ ହୋଇ ଉଠି ବସିଲା, ଆଖି ମଳି ନିଦ ଝାଡ଼ିଲା, ତା'ପରେ କିଛି ମନେ ପଡ଼ିଲା ଭଳି ଦୌଡ଼ିଲା ବାଡ଼ି ପଟକୁ। ବସି ପଡ଼ି ପରିସ୍ରା କଲା। ବହୁତ ବେଳୁ ତାଂକୁ ମୂତ ମାଡୁଥିଲା, ସ୍ଵପ୍ନ ଓ ନିଦ ଘୋରରେ ସେ ଏକଦମ ଭୁଲିଯାଇଥିଲା।
ପରିସ୍ରା କରିସାରି ଅଧା ଆଖି ବୁଜି ବୁଜି ସେ ଦାନ୍ତ ଘଷିଲା, ପାଇଖାନା ଗଲା। ତା'ପରେ ଆସି ବସିଲା ଦୁଆର ପିଣ୍ତାରେ ।  ଏଥର ବେଶି ଆମ୍ବ ଆସିନି ଗଛରେ, ଗଲା ବର୍ଷ
 
 
ବହୁତ ଆସିଥିଲା| ସେ ଭାବିଲା ମନକୁ ମନ।
ଆମ୍ବ ପାଚିବା ସମୟରେ, ତା'ର ମଞ୍ଜନା କଥା ମନେ ପଡେ ।
- ମଞ୍ଜନା। ଇଏ ଗୋଟେ କି ନାଆଁ ବା!
ପ୍ରଥମେ ଦେଖା ହେଲା ଦିନ ସେ କହିଥିଲା, ନାକ ଟିକିଏ ଉପରକୁ ଟେକି।
- ବାବୁଘର ଦେଇଛନ୍ତି।
ଗର୍ବରେ, ଗମ୍ବୀର ସ୍ଵରରେ ଉତ୍ତର ଦେଇଥିଲା ଝିଅଟି। ବୟସ
- ଲାଗୁଥିଲା ବାର ବର୍ଷଠୁ କମ୍ ।
- କୋଉ ବାବୁଘର!
- ମୋ ବୋଉ ଯାହାଘରେ ପାଇଟି କରୋ ଗାନ୍ଧୀ ପାର୍କ ସେପାଖେ ।
ଝିଅଟିକୁ ଭଲ କି ଦେଖିଥିଲା ବାସୁ। ଉହୁଁ, ଏଗାର ବର୍ଷଠୁ କଦାପି ବେଶି ନୂହେଁ। ମୋ'ଠୁ କମସେ କମ ଦୁଇବର୍ଷ ଛୋଟ ।
- ଆମ୍ବଟେ ତୋଳିଦେବୁ ? _
ଏ ଆମ୍ବ ଗଛ କିଏ ପୋତିଛି ଜଣାନାହିଁ। କିନ୍ତୁ ଘର ସାମନାରେ ଅଛି ବୋଲି ବାସୁର ବିଶ୍ଵାସ ଏ ଗଛ ସେମାନଙ୍କ ରା ପଡ଼ିଶା ଲୋକେ ତାହା ହିଁ ମାନି ନେଇଛନ୍ତି  ।
ବାସୁ ଦେଖିଲା ଝିଅଟିକୁ । ଉଜ୍ବଳ ଆଖି, ଗାଲ ଦୁଇଟି ପୂରିଲା ପୂରିଲା, ଠିକ୍‌ ପାଚିଲା ଆମ୍ବ ପରି|
ଦୂଇଟି ପାଚିଲା ଆମ୍ବୁ ହାତରେ ପାଇଲା କ୍ଷଣି ଝିଅଟି ଦୌଡ଼ିଥିଲା ଘରକୂ। କୁଆଡ଼ି କି ନ ଚାହି
କେବେ କେବେ ଦେଖା ହୁଏ ତାପରୋ
- ଜୁମ ବୟସ କେତେ?
ବାସୁ  କହିଥିଲା, ତେର ବର୍ଷ |
- ଭାରି ଖରାପ ବୟସ
ଗମ୍ବୀର ହୋଇଯାଇ କହିଥିଲା ମଞ୍ଜନା।
- ମାନେ?
ମଞ୍ଜନା ବୁଝେଇ ଦେଇଥିଲା, ତେର ବର୍ଷଠୁ ବିପଦ ଆରମ୍ଭ  ।  ବାବୁଘର କହୁଥିଲେ ବୋଉକୁ
- କି ବିପଦ!
- କେଜାଣି ବାବା କି ବିପଦ ।  କିନ୍ତୁ ବିପଦ ନିଶ୍ଚୟ ତା'କୁ ଜାଣିବା ଶୁଣିବା ଲୋକେ ଟିନି-ବୟସ କହନ୍ତି। ଉଣେଇଶ ବର୍ଷ ପର୍ଯ୍ୟନ୍ତ ଟିନି- ବୟସ। ଟିନି ବୟସରେ ଭାରି ହୁସିଆର ହବ, ନ ହେଲେ ଗଲା! ସବୁ ବରବାଦ।
ଟିକିଏ ଚୂପ୍‌ ରହି ଝିଅଟି କହିଲା, ତୁମକୁ ଡର ମାଡୁନି, ଦିନ ରାତି ସାପ ସାଙ୍ଗରେ ରହୁଚ, ଖେଳୁଚ
-ଡରିବି କାହିଁକି। ତୁ କୀଣ ତୋଘର ଭିତରେ ଲୋକଙ୍କୁ ଡରୁ ?  ତୋ' ବାପା ମାଆଙ୍ଗୁ?
- ଧେତ। ଇଏ ଗୋଟେ କଥା! ର
ବାପା ସବୁବେଳେ କହନ୍ତି ବାସୁକୁ,  ସେମାନେ ଆମ ଘର ମଣିଷ ପରି ଭାରି ନିରୀହ ଜୀବା ଲୋକେ ଖାଲି ତୁଛାରେ ଡରିଯାଇ ମାରି ଦିଅନ୍ତି ପିଟି ପିଟି,  ନୃଶଂସ ଭାବରୋ।
ବାପାଙ୍କ ସ୍ବର ଏବେ ଶୁଭୂ ନ ଥିଲା ଘର ଭିତରୁ ।  ସେ ବୋଧେ ଦିହିପହର ପାଇଁ ରୂଟି ସନ୍ତୁଳା ତିଆରି କରୁଛନ୍ତି।  ଏଇନା ପାଇଁ ଚୁଡ଼ା ଚକଟା। ତା'ପରେ ,  ସିଏ ବାହାରି ଆସିବେ ବେଶଭୂଷା  ହୋଇ । ମୁଣ୍ତରେ ଚୁଳ, ଦେହରେ ନାଲି ଓ ହଳଦୀ ଜରିଲାଗା ପୋଷାକ ହାତରେ ଡମ୍ବରୁ ।
କହିବେ, ଚାଲ ଚାଲ, ଖରା ତେକୁଛି।  ଚନ୍ଦ୍ରବୋଡ଼ାକୁ ଖରା ବଇରି। '
ପାଞ୍ଚ ରକମର ସାପ ଥିବେ ପେଡି ଭିତରେ! ଅହିରାଜ, ତକ୍ଷ, ଚିତି, ରଣା, ଚନ୍ଦବୋଡ଼ା || ରଣା ଛାଡ଼ି ବାକି ସମସ୍ତଙ୍କର ଉତ୍କଟ ବିଷ ।
ବିଷ ଲାଗି ଭୟ ନାହିଁ। ବାପାଙ୍କ କୋଥଳି ଭିତରେ ଅଛି ନାନା କିସମର ଓଁଷଧ, ଗଦ, ଡେଉଁରିଆ | ସାପ ଖେଳ ଦେଖାଇ ସାରି ସେ ଏ ସବୁ ବିକନ୍ତି, କେବେ କେମିତି କାହା ହାତରେ ମାଗଣାରେ ଧରେଇ ଦିଅନ୍ତି କହନ୍ତି, ଭାବୁଛନ୍ତି କି ମିଛ କଥା କହି ଭଣ୍ତେଇ ଦେଉଛି ଆପଣଙ୍କୁ , ପଇସା ଲୋଭରେ। ପଇସା କମେଇବାର ଥିଲେ କେତେ କମାନ୍ତିଣି। କମ୍ପାନି ଖୋଲି ଓଷଦ ବିକି ଟାଟା-ବିର୍ଲା ହେଇ ସାରନ୍ତିଣି । କିନ୍ତୁ  ଗୁରୁ ମନ୍ତ୍ର ନେଇଛି, ଲୋଭ କରିବିନି, ପଇସା ଭଣ୍ତି ନେବିନି|| ସେବା ହି ଧର୍ମ! ଗୂରୂ କହି ଯାଇଛନ୍ତି।
- ବାପା, ତୁମକୁ କେବେ ସାପ ଚୋଟ ମାରିଚି! ବିଷାକୁ ସାପ।
ହଠାତ ବାସୁର ଛାତି ଭିତରୁ ହୁଳାଏ ନିଆଁ ଉଠି ଆସିଲା ମୁଣ୍ତ ଯାଏଁ, ତଣ୍ଟି  ଭିତରଟା ପୋଡ଼ିବାକୁ ଲାଗିଲା, ଆଖି ଭିତର ବି|
ସେ ଗୁମୁରି ଗୂମବୁରି ଡାକିଲା, ବାପା।
ବାପା ଅବଶ୍ୟ କିଛି ଉତ୍ତର ଦେଲେ ନାହିଁ। ଘର ଭିତରଟା ଲାଗୁଥିଲା ଶୂନଶାନ ।  ଯେମିତି କେହି ନାହାନ୍ତି, ନ ଥିଲେ ।
ବାସୂ ଘୋଷାରି ହେଲା ପରି ଘର ଭିତରକୁ ଗଲା। ପ୍ରଥମେ ଶୋଇବା ଘରା ଶୋଇବା ବିଛଣାଟା ସେମିତି ପଡ଼ି ରହିଚି ଭୂଇଁରେ। ଯୋଉ ବିଛଣାରେ ସେ ଶୋଇଥିଲା ଟିକେ ଆଗରୁ: ବାପା ପାଖକୁ ଆସିଥିଲେ, ଆଦର କରି, ଚୁପ ଚୁପ ଡାକିଥିଲେ ବାସୁକୁ। ଯେମିତି ସେ କରନ୍ତି ସବୁଦିନ। ମାଆ ମରିଗଲା ଦିନଠୁ
- ବାପା!
କେହି ନ ଥିଲେ ଘର ଭିତରେ। ସବୂଆଡ଼ ଶୂନଶାନା ରୋଷେଇ
ଘର ଫାଙ୍କା ବୁଲି ଜଳି ନାହିଁ ତିନିଦିନ ଧରି। ବାପାଙ୍କ ଚପଲ ପଡ଼ିଛି ଦାଣ୍ତ ପିଣ୍ତାରେ ଯେମିତି ଚପଲ ଖୋଲି
ଭିତରକୁ ଯାଇଛଚ୍ତି। ଫେରିବେ।  ନା, ଫେରିବାର ନାହିଁ| |
- ବାପା ।
କାନ୍ଦ କାନ୍ଦ ସ୍ଵରରେ ଡାକିଲା ବାସୁ, ତେର ବର୍ଷର ବିପଦପୂଣ୍ଣ ବୟସର ବାସୁ ।
ସବୁଆଡ଼ ନିରବ, ଶୂନଶାନା ନା, ନିରବ ନୁହେଁ, ହିସ ହିସ ସ୍ବର ଶୂଭୁଚି କାହାର, ଘର ଭିତରୁ । ସୁଲତାନର ସ୍ଵର ।  ବାପାଙ୍କ ଗେଲବସରର ସୁଲତାନ ।
- ଦେଖୁଚୁ କେମିତି ଚାହିଛି ଆମକୁ, ପୂରା ନବାବଙ୍କ ପରି।
ସେଇ ନାଟ ସାପର ନାଆଁ ଦେଇଥିଲେ ବାପା: ସୁଲତାନ ।  ସେ ସବୁ ସାପଙ୍କୁ ନାଁ  ଦିଅନ୍ତି ।  ଘର ମଣିଷ ପରା।
- ବାପା!
ଅବିଶ୍ଵାସ କଲା ପରି, ଗୋଟିଏ ଦୁଃସ୍ବପ୍ନକୁ ଝାଡ଼ିଝୁଡ଼ି ଫିଙ୍ଗି  ଦେବା ପରି  ସେ ଆଉ ଥରେ ଡାକିଲା। ଅନୂଚ୍ଚ ଥିଲା ତା'ର ସ୍ଵର।  ଅନୁଚ୍ଚ ଥିଲେ ବି, ସୁଲତାନ ଶୁଣି ପାରିଥିଲା ସେହି ଡାକ ।  ସେ ପୁଣି ହିସ ହିସ କଲା ତା'ର ବିଷାକ୍ତ ପାଟିରେ। ଏଇ ସୁଲତାନ, ତିନିଦିନ ତଳେ, ବାପାଙ୍କ  ମୁଣ୍ତରେ ଚୋଟ ମାରିଥିଲା।
ଚୋଟ ମାରିସାରି ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ବାପା ବସି ପଡ଼ିଥିଲେ 'ଉଫ' କହି।
ସେଦିନ ଖରା ଥିଲା ପ୍ରଚଣ୍ତ ଜ୍ୟେଷ୍ଠ ମାସର ଖରା। ବାପାଙ୍କ ସାଙ୍ଗରେ ସେ ବାହାରି ଥିଲା ସାଳିଆସାହି। ସେମାନେ ଅବଶ୍ୟ ଗଳିକନ୍ଦିରେ ହିଁ ବୁଲନ୍ତି: ଭୋଇସାହି, ହାଡ଼ବାଇ, ପାଣ୍ତ୍ରା, ବମିଖାଲ, ଗଧିଆଖାଲା। ସେଠି ଭଲ ପଇସା ମିଳେ, ଲୋକଙ୍କ ହାତରେ ସମୟ ଥାଏ, ମନ ଥାଏ, ମସ୍ତି ଥାଏ | ନଙ୍ଗଳା ନୁଖୁରା ଛୋଟ ପିଲାଙ୍କଠୁ ଆରମ୍ବ କରି ଧଇଁ ପେଲୁଥିବା ଅଷ୍ଟକଷ୍ଟ ବୂଢ଼ାଙ୍କ  ପର୍ଯ୍ୟନ୍ତ, ସମସ୍ତେ ଜୁଟି ପଡ଼ନ୍ତି ।  ସାପ ଖେଳ ଦେଖନ୍ତି, ବାପାଙ୍କ ଗୀତ ଶୁଣନ୍ତି ଭାରି ଆଗ୍ରହରେ ।
ବାପା ବସି ପଡ଼ିଥିଲେ ଉଫ କହି। ରକ୍ତ ବାହାରି ନ ଥିଲା, ଖାଲି ଲାଲ ପଡ଼ି ଯାଇଥିଲା କପାଳର ସେହି ଅଂଶ, ଓଦା ଓଦା ଅଠାଳିଆ ଦିଶୂଥିଲା ଆଖିକୁା କୁନି ପିଲାଟିଏ ଚୁମା ଦେଲେ ଯେମିତି ଓଦା ଓଦା!
ବାପା ତାଙ୍କ କୋଥଳି ଭିତରୂ ଛୋଟ ଖଣ୍ତେ ଶୂଖିଲା କାଠି ପରି ଜିନିଷ ବାହାର କଲେ, ପାଣିରେ ଘଷି ଚନ୍ଦନ ମାରିଲା ପରି କପାଳ ସାରା ବୋଳିଦେଲୋ ବାସୁକୁ ଚାହିଁ କହିଲେ, ଚାଲ ଯିବା, ଡେରି ହେଲାଣି
କହିଲେ ସିନା, ବେଶ ପୋଷାକ ପିନ୍ଧୁ ପିନ୍ଧୁ ଥକି ଯାଇ ଥିବା ପରି ବସି ପଡ଼ିଲେ ଭୂଇଁରେ। କହିଲେ, ଭଲ ଲାଗୁନି ଦିହଟା|
କପାଳର ସେହି ଜାଗାଟା ଏବେ ବେଶି ଫୁଲି ଯାଇଥିଲା।
ବାପା କହିଲେ, ପୁଣି ଥରେ, ଭଲ ଲାଗୁନି ରେ ଦିହଟା|
ସେ କ'ଣ ଭାବି କୋଥଳି ଫିଟାଇ ଆଉ କିଛି ପଦାର୍ଥ କାଢ଼ିଲେ କିଛି ଜିନିଷ ଚାଟିଲେ, କପାଳରେ ଘଷିଲେ, ନାକରେ ଶୁଙ୍ଘିଲେ। ତା'ରି ଭିତରେ ସେ ଗୁଣୁ   ଗୁଣୁ  କଅଣ ମନ୍ତ୍ର ବୋଲୂ ଥାଆନ୍ତି। ବିଷ ମନ୍ତ୍ର ।
ଡରି ଡରି ବାସୁ କହିଲା,ବାପା, ରଘୁ ମଉସାଙ୍କୁ ଡାକିବି ?
ପୁଣି ପଚାରିଥିଲା, ବାପା, ଡାକରଖାନାକୁ ଯିବା ?
: ନା ରେ, ବ୍ଯସ୍ତ ହେ'ନା| କାଲି ସଞ୍ଜଠୁ ଦେହଟା କିମିତି କିମିତି ଲାଗୁଛି, ନିଦ ହେଇନି ରାତିରେ, ସେଇଥି ପାଇଁ ଥକା ଲାଗୁଚି ତୂ ଟିକେ ମୋ ମୁଣ୍ତୁଟା ଆଉଁଶି ଦେଲୁ ...
ବାସ୍ତୁ ବାପାଙ୍କ ମୁଣ୍ତ ଆଉଁଶି ଦେଲା, ପାଦ ବି ଚିପି ଦେଲା।
ବାପା ଶୋଇ ପଡ଼ିଲେ ନିଦରୋ
ମଣିଷଟିଏ ଏମିତି ମରିଯାଏ ଚୁପଚାପ! ଏମିତି ଚାହୁଁ ଚାହୁଁ।
ବାସୁ ଏବେ ଚେଷ୍ଟା କଲା କାନ୍ଦିବାକୁ। ଛାତି ରୁନ୍ଧି ଦେଉଥିବା କୋହରୋ
କାନ୍ଦିବା ଏତେ କଷ୍ଟ ? ମରିଯିବା ଯଦି ଏତେ ସହଜ, ଆପଣା ଛାଏଁ ନିଃଶ୍ବାସ ବାହାରି ଯିବା ଭଳି, ଟିକିଏ କାନ୍ଦି ପକେଇବା ଏତେ କଷ୍ଟ କାହିଁକି! '
ତିନିଦିନ ତଳର କଥା, କିନ୍ତୁ ଲାଗୁଛି ବର୍ଷ ବର୍ଷ ତଳରା କିମ୍ବା ଘଟି ନାହିଁ, ଘଟିବାକୁ ଯାଉଥିବା କିଛି ଭବିଷ୍ୟତ।
ସବୁ ଏମିତି ଗୋଳିଆ ପୋଳିଆ, ଅସ୍ପଷ୍ଟ।
ସଞ୍ଜ ବେଳକୁ ସେଦିନ ଛାଇ ପରି, ଅଶରୀରୀ ପରି ଏ ଘର ଭିତରେ ଘୂରି ବୁଲିଥିଲେ ଅନେକ ମଣିଷ। ରଘୁ ମଉସା, ପଣୁ  ଭାଇନା, ଜରି ଅଜା, ହାଡ଼ିଆ ଅଜା, ରାଖାଲ ମାମୁ  ଆହୁରି ଅନେକି ଲୋକ, ଚିହ୍ନା ଅଚିହ୍ଲା। ସେମାନେ ଆସିଲେ, ଚାଲିଗଲେ ବାପାଙ୍କ  ଦେହ ଯାଇଥିଲା ମଶାଣିକୁ, ଫେରିଲା ନାହିଁ। ବାସୁର ମନେ ନାହିଁ, ମଶାଣିରେ ଏତେ କାଳ ବସି ବସି ସେ କ'ଣ କରିଥିଲା। ତା'କୁ ଖାଲି ସବୁବେଳେ ଡର ଲାଗୁଥିଲା ଯଦି କିଏ ତା'କୁ ପଇସା ମାଗେ, ସେଇ ମଶାଣିରେ, ସେ କ'ଣ କରିବ! ତା” ପାଖେ ତ ପଇସା ନାହିଁ ।

ତାକୁ କେହି ପଇସା ମାଗିଲେ ନାହିଁ। କେହି ଜଣେ କହିଲା, ଦାନବୀର ହରିଶ୍ଚନ୍ଦ୍ରଙ୍କ  ପୂଅକୁ ସାପ କାମୁଡ଼ିଥିଲା, ତା'କୁ ପୋଢ଼ିବାକୁ ତାଙ୍କ  ପାଖରେ ପଇସା ନ ଥିଲା। ସେ କଥା ବୁଝିପାରି ସରକାର ଆଉ କାହାଠୁ ପଇସା ମାଗୁ ନାହାନ୍ତି, ମଶାଣିରେ। ଘରକୁ ଫେରି ବାସୁ ଆଶା କରିଥିଲା ସେ ବାପାଙ୍କୁ ଦେଖିବ ।  ସେ ସେମିତି ଶୋଇଥିବେ ଘର ଭିତରେ, ଚାରି କାତ ମାରି, ଆରାମ-ସେ | ବାସୁକୁ ଦେଖି ପଚାରିବେ, କିରେ

କୁଆଡ଼େ ଭାଗିସ ହେଇ ଯାଇଥିଲୁ ଏତେବେଳ ଯାଏଁ?  ତତେ ମୁଁ ସେତେବେଳୁ ଅପେକ୍ଷା କରିଛି। ତତେ ଭୋକ ନାହିଁ କି। ।
ଘରେ କିନ୍ତୁ କେହି ନ ଥିଲୋ। ଶୂନଶାନ ଘରା ଖାଲି ଭୋକ ଅପେକ୍ଷା କରି ରହିଛି।
ସଞ୍ଜରେ ପଣ୍ଡୁ ଭାଇନା ଆସିଥିଲେ। ହାତରେ ଟିଫିନି-କାରିଆ ଧରି ରୁଟି, ସନ୍ତୁଳା, ଗୂଡ଼ ଖିରି। କହିଲେ ନରମ ସ୍ଵରରେ, ଖାଇ ଦେ  ।  କାନ୍ଦେ ନା, ମନ ଖରାପେ କରନା। ଭଗବାନଙ୍କ ଇଛା , ମଣିଷ ନାଚାର ।  ତୋ କକା ପାଖକୁ ଖବର ଯାଇଛି। କାଲି ଆସିବ। ତୁ ଦେ ଖାଇଦେଇକି ଶୋଇପଡ଼ା
ସେ ଟିକେ ଠିଆ ହେଲେ, କହିଲେ, ତତେ ଆମ ଘରକୁ ରାତିରେ ନେଇ ଯିବାକୁ ଧେଡ଼-ବୋଉ କହୁଥିଲା ଯେ, ଶଶୁର ମନା କଲେ, ଅଶୋଉଚିଆ ତ। ଠାକୂର ମାରା ହେବେ!
“ରାତିରେ ଜମା ଡରିବୁନି' କହି ପଣୁ ଭାଇନା ଚାଲିଗଲୋ ଭୋକ ନ ଥିଲା, ଶୋଷ ନ ଥିଲା, ନିଦ ବି ନ ଥିଲା ଖବର ପହଞ୍ଚିଲା କି ଜଣା ନାହିଁ, କକା ଆସି ନ ଥିଲେ । ଏଯାଏ ଆସି ନାହାନ୍ତି ।  କକା ଆସିବେ ବୋଲି ବାସୁର ସେତେ ଭରସା ବି ନାହିଁ। କକାଙ୍କ ସହିତ ବହୁତ ପାଟିତୁଣ୍ଡ ହେଇଥିଲା ବାପାଙ୍କର। ସେ ଭଲ ପାଇକି ଗୋଟେ ଅଲଗା ଜାତିର ଝିଅକୁ ବାହା ହେଇ ପଡ଼ିଥିଲେ ବୋଲି ରାଗିମାଗି ସେ ବସ୍ତି ଛାଡ଼ି  ପଳେଇଥିଲେ, ଅନେକ ଦିନ ତଳେ ।  ଦିନେ କେବେ ଆସି ନାହାନ୍ତି।
ସେପାଖରେ କିଏସେ କାଶିଲା, ସେପଟ ଘରେ ।  ଠିକ ବାପାଙ୍କ କାଶ ।
ବାସୁ ଗଲା ସେପଟ ଘରକୁ! କେହି ନ ଥିଲେ ।  ବାପାଙ୍କ ଭୂତ ? ସତରେ କଅଣ ଥାଆନ୍ତି ଭୂତପ୍ରେତ ? ବାପା ତ ହସି ଉଡ଼େଇ ଦିଅନ୍ତି। ଭୂତଫୁତ କେହି ନାହାନ୍ତି। ସବୁ କଲ୍ବନା।
ମାଆ, ବଞ୍ଚିଥିଲା ବେଳେ, କହେ ଥରେ ଥରେ, ମୁଁ ଭୂତ ଦେଖିଲି| ମତେ ଲାଗିଲା ଶଶୂରଙ୍କ ପରି। ଭାରି ଡର ମାଡ଼ିଲା।
ବାପା ହସନ୍ତି ପାଟିକରି। ତରିଲ କାଇଁକି। କ'ଣ ଭାବୁଥିଲ ତୂମକୁ ମାରି ପକେଇବେ, ବେକ ମୋଡ଼ି ପକେଇବେ!
ମାଆ କହେ, ନାଇଁ, ଗୁରୁଜନ ତ! ବଞ୍ଚିଥିବା ବେଳେ ବି ତାଙ୍କୁ କେତେ ଡରୁଥିଲି।
ବାସୁ କେବେ ମାଆର ଭୂତକୁ ଦେଖିନାହିଁ ଯେତେ ମନ କଲେ ବି। କିନ୍ତୁ ସ୍ଵପ୍ପରେ ଦେଖେ ନିୟମିତ। ବହୁତ ଭଲ ଲାଗେ। ଯୋଉଦିନ ଦେଖେନି ଭାରି ଦୁଃଖ ଦୁଃଖ ଲାଗେ। କାହାର ଦୀର୍ଘ ନିଃଶ୍ବାସ ଶୂଭିଲା ଘର ଭିତରେ, ଏଇ କୋଠରି ଭିତରେ ହିଁ ।
ବାପାଙ୍କର, ମାଆର, ତା' ନିଜର? ନା, ପେଡ଼ି ଭିତରେ ଥିବା ସାପର । କୋଉ ସାପ? ଅର୍ଜୁନ, ସୂଲତାନ, _ ରାଜ କପୁର, କପିଳେନ୍ଦ୍ର ଦେବ? ସମସ୍ତେ ଏବେ ଶୋଇଛନ୍ତି ପେଡ଼ି ଭିତରୋ। ଗଲା ତିନି ଦିନ ଧରି। ସେମାନେ ବି ଖାଇ ନାହାନ୍ତି ତିନି ଦିନ ଧରି।
ସେମାନେ ଅବଶ୍ୟ ମଣିଷଙ୍କ ପରି ଦିନକୁ ତିନି ବକତ ଖାଆଡି ନାହିଁ। ସପ୍ତାହରେ ଅରଟେ ବୋଲି ଖାଆଡି, କୁନି ସାପମାନେ ଦି'ଥର|
ସେମାନଙ୍କ ଖାଦ୍ୟ ଘରେ ଅଛି, ବାପା ରଖିଛନ୍ତି।
ନା, ସେମାନେ ଦୁଧଭାତ ଖାଆନ୍ତି ନାହିଁ। ଦୁଧ ବି ପିଅନ୍ତି ନାହିଁ। ସେମାନେ ଖାଆନ୍ତି ଜିଆ, କଳାପୋକ, ମୃଷା, ବେଙ୍ଗ,  ଚଢେଇ ମାଂସ, ସେମାନଙ୍କର ଅଣ୍ତା ।
ବାସୁର ମନେ ନାହିଁ ସେ କଅଣ ଖାଇଛି, କାଲି ରାତିରେ, ତା' ଆଗ ଦିନ ରାତିରେ ।
ସେ ଉଠିଲା, ରୋଷେଇଘର ଭିତରକୁ ଗଲା । ବୋଧେ ରାତିରେ କଅଣ ଖାଇଛି। ଅଇଁଠା ବାସନ ପଡ଼ିଥିଲା ତଳୋ। ଅଗଣାରେ ବି ଅଇଁଠା। ମନେ ପଡ଼ିଲା ଏବେ, ମାଆ ତା'କୁ ସ୍ଵପ୍ନରେ ଉଠେଇଥିଲା, କହିଥିଲା, ଖାଇ ଦେ ରେ କଅଣ ଦିଟା। କେତେ ଏମିତି ମୁହଁ ଶୁଖେଇ ବସିବୁ   ମତେ କଷ୍ଟ ଲାଗୁଚି, ତୋ' ବାପାକୁ ବି| ଯାଆରେ ଧନଟା ମୋର, ଖାଇ ଦେ, ଶିକାରେ ମୁଆଁ ଅଛି, ବାପା ରଖିଛନ୍ତି, ଖାଇ ଦେ ।
ନିଦରୁ ଉଠି ବାସୁ ମୁଆଁ ଖାଇଥିଲା। କଦଳୀ ବି ଖାଇଛି।
ସେ ମାନେ ମାଆର କଥା ।  ବାପାଙ୍କ କଥା। ବାପା କହନ୍ତି, ବଡ଼ ହୋଇ ସେ ବି ହେଉ ଗୋଟେ ସାପୁଆ  କେଳା। ଆଉ କିଛି ଧନ୍ଦା ପୋଷିଇବ ନାଇଁ ଆମକୁ । ୟେ ଆମ ଧର୍ମ ପରା।
କିନ୍ତୁ ସରକାର ଯେ ମନା କରିଦେଇଛନ୍ଥି। ସାପ ଖେଳ ଦେଖେଇବା ବେଆଇନ ବୋଲି କହିଛନ୍ତି।
ବାସୁ ଭାବେ, କହିଥିଲା ବି ଥରେ
ଆରେ ସରକାର ତ କେତେକଥା କହୁଛନ୍ତି, ମଦ ପିଇବ ନି, ଜାତି ଅଜାତି ମାନିବନି, ଯଉତୁକ ଦିଆ ନିଆ ହବ ନି! ଇଏ ସବୁ ତ ଭୋଟ ପାଇଁ ଗୋଟେ ଗୋଟେ ପ୍ରଚାର ।  ତୁ କଅଣ ଭାବୁଚୁ ତୋ' ଶଶୁର-ଶଳାଠୁ ଯଉତୁକ ନ ନେଇ ତାକୁ ଏମିତି ମୁଁ ଛାଡ଼ିଦେବି? ବାପା ହସନ୍ତି ଠୋ ଠୋ ହୋଇ।
ବାହାଘର କଥା ଭାବିଲେ, କାହିଁକି କେଜାଣି ବାସୁକୁ ଭାରି ଲାଜ ଲାଗୋ। ମଞ୍ଜନାର ମୁହଁଟା ଦିଶିଯାଏ ଆଖି ସାମନାରୋ। ଆହୁରି ଲାଜ ମାଡ଼େ ।
ପେଡ଼ି ଭିତରେ ଖଡ଼ଖଡ଼ ଶବ୍ଦ। କପିଳେନ୍ଦ୍ରଦେବରା। ସେ ଭାରି ଉତ୍ପାତିଆ ହୁଏ ଦିନେ ଦିନେ ରାତିରେ, ଛାଡ଼ ମତେ, ମୁଁ ପଳେଇବି। ମତେ ତୂମେ ଏଇ ପେଡ଼ି ଭିତରେ ରଖିଚ କାହିଁକି? ଜାଣ ନା କି ମୁଁ କପିଳେନ୍ଦ୍ରଦେବ ବୋଲି?
ସବୁ ସାପଠୁ ସେ ବେଶି ଅବାଧ୍ୟ, ଉତୁପାତିଆ। ଖେଳ ଦେଖାଇବା ବେଳେ କଥା ମାନେ ନି, ବାପାଙ୍କ ଉପରେ ଫଁ ଫଁ ହେଉଥାଏ | ସେଇଥିପାଇଁ ବାପା ତାକୁ ନାଁ  ଦେଇଥିଲେ କପିଳେନ୍ଦ୍ରଦେବା ରାଜକପୁରଟା ଭାରି ଖୁସିବାସିଆ, ସବୁବେଳେ ଅଙ୍ଗ ଭଙ୍ଗି କରୁଥିବ, ଫୁଟାଣି ଫାଜିଲ ହେଉଥିବ ।  ଅର୍ଜୁନ ସବୁବେଳେ ଚୁପଚାପ, ଗମ୍ବୀର। ଏକ ଲକ୍ଷ୍ୟରେ ଚାହିଁ ଥିବ ତୁମକୁ ସ୍ଥିର ହୋଇ।
ସମସ୍ତେ ଏବେ ବୁପଚାପ ।  କେବଳ ଗୋଟିଏକୁ ଛାଡ଼ି। କପିଳେନ୍ଦ୍ର, ସେ ଚାହୁଁଚି ମୁକ୍ତ ହେବାକୁ ସେ ଜାଣିସାରିଛି ତା ନିଃଶ୍ଵାସରେ, ପବନରୁ, ଶୂନ୍ୟତାରୁ, ନିବୁଜ ଘର ଭିତରୁ , ବଦଳି ଯାଇଛି ପୃଥିବୀର ଦୃଶ୍ୟପଟ । ସେ ମୁକ୍ତି ଚାହେଁ ଏବେ।
ଠିକ୍‌ ଅଛି। ସେ ମୁକ୍ତି ଦେବ। ବାସୁ  ଉଠି ବସିଲା ଛିଣ୍ଡା ମଣିଣାରୁ ।
ସେ ଲୁଗା ପାଲଟିଲା, ବାହୁଙ୍ଗି  ସଜ କଲା। ଶୋଷ ଲାଗୁଛି, ପାଣି ପିଇଲା ଦି' ଢୋକ ।  
ତା'ପରେ କାନ୍ତ କୋଣର ତିନି ହାତିଆ ଠେଙ୍ଗା ଧରିଲା ଶକ୍ତ ହାତମୁଠାରୋ
ବାହୁଇଁଂରେ ଝୁଲି ପଡ଼ିଲା ବେଳକୁ ପେଡ଼ି ଭିତରର ସାପମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଭିତରେ ଥାଇ ଅନୁମାନ କଲେ, ଆଜି ଯେଉଁ କାନ୍ଧ ଉପରେ ସେମାନେ ଝୁଲିଛନ୍ତି, ସେ କାନ୍ଧ ଗୋଟେ ଅଲଗା କାନ୍ଧ।
ବଳିଷ୍ଠ  ନୁହେଁ, ଚଉଡ଼ା ନୂହେଁ| କିନ୍ତୁ ଦେହର ଗନ୍ଧ ପରିଚିତ, ଆପଣାର । ସେମାନେ ମୁହଁ ପୋତି ଶୋଇ ରହିଲେ ପେଡ଼ି ଭିତରେ।
ଘରଠୁ ଟିକିଏ ଦୂରରେ କାଳଝରି ଜଙ୍ଗଲ । ଆଗଭଳି ଜଙ୍ଗଲ ନାହିଁ, କିନ୍ତୁ ଲୋକଙ୍କ ଚଳପ୍ରଚଳ କମ, ଶୀଘ୍ର ରାତି ଆସିଯାଏ, ଡେରି କରି ଫେର । ଏଇଠି ଆଗରୁ ବାଘ ଭାଲୁ ବାହାରୁ ଥିଲେ, ଠେକୁଆ ହରିଣ। ଏବେ ସେମାନେ ନାହାନ୍ତି ।  ଅଛନ୍ତି ନେଉଳ, ଶିଆଳ, ଗୁଣୁଚି ମୂଷା, ଜାତି ଜାତିକା ଚଢ଼େଇ ଓ ସାପ ! କେଳା ସାହିର ଅନେକ ଏଠୁ ଆସି ସାପ ଧରନ୍ତି।
ଗୋଟିଏ ଝଙ୍କାଳିଆ କରଞ୍ଜ ଗଛ ତଳେ, ବାସୁ କାନ୍ଧରୁ ବାହୁ ଓହ୍ଲାଇଲା। ବସି ପଡ଼ିଲା ଗୋଟେ ପଥର ଉପରେ। ବାପାଙ୍କ ସାଙ୍ଗରେ  ସେ କେବେ କେବେ ଏଠିକି ଆସିଛି । ବାପା ଜଙ୍ଗଲ ଭିତରେ ଖୋଜନ୍ତି କଅଣ ସବୁ ଚେରମୂଳିକା। ସାରା ଦି ପହର ଖୋଜି ଖୋଜି ସେ ପାଇବେ ଏତିକି ଟିକିଏ ଚେର କି ମୂଳ, କିମ୍ବା କିଛି
ବି ନୁହେଁ  ।
ଏ ସବୁ ଚେର ମୂଳ କଅଣ ସତରେ ବିଷ ଝାଡ଼ିଦିଏ ଦେହରୁ ?
ସେ ପଚାରେ ।  ବାପା ହସନ୍ତି। ଯେମିତି ଏଭଳି ବୋକା ବୋକା ପ୍ରଶ୍ନର ଉତ୍ତର ଦେବା ନିରର୍ଥକ।
ଯଦି ଚେରଂମୂଳି-ଗଦ ସତରେ ବିଷ ଝାଡ଼ିଦିଏ, ବଞ୍ଚେଇ ଦିଏ ମଣିଷକୁ, ଚେବେ କାହିଁକି, ତେବେ କାହିଁକି...
ବାସୁ କାନ୍ଦିବାକୁ ଲାଗିଲା ।  ନିରବରେ  । ଲୁହ ପୋଛିଲା ନାହିଁ ଆଖିରୁ, ସିଙ୍ଘାଣି ପୋଛିଲା ନାହିଁ ନାକରୁ ।
ଏମିତି ଗଲା କିଛି ସମୟ କେତେ ସମୟ ।
ଦୁରରୂ ଦେଖାଗଲା କାହାର ଛାଇଟିଏ। ଗୋଟିଏ ଝିଅର। ଠିକ ମଞ୍ଜନା ପରି, ସେମିତି ଉଚ୍ଚତା, ସେମିତି ଦେହ | ଛାଇଟି ଲୁଚିଗଲା।
ବାପା ମରିବା ପରଦିନ ମଞ୍ଜନା ଆସିଥିଲା। ଚୁପ କି ଠିଆ ହୋଇଥିଲା ବାରଣ୍ତା ତଳୋ ଏମିତି ଅପରାଧୀ ପରି, ଯେମିତି ସେ କ'ଣ ଗୋଟେ ଦୋଷ କରିଦେଇଛି। ଅକ୍ଷମଣୀୟ ଦୋଷ ସେ ଚୁପଚାପ କାନ୍ଦିଲା କିଛି
ସମୟ ।  ତା'ପରେ କିଛି ନ କହି ଚାଲିଗଲା। .
ମାସେ ତଳେ, କି ବୋଧେ ତା' ଆଗରୁ, ମଞ୍ଜନା କହିଥିଲା, ମୁଁ ବାହା ହେଇ ଯାଉଛି।
: କଅଣ କହିଲୁ?
: ମୁଁ ବାହା ହେବି| ଫଗୁଣ ମାସରେ |
ସେ କହିଲା ଏମିତି, ଯେମିତିକି ସେ କାଲି ଯାତରା ଦେଖିବାକୁ ଯାଉଛି, ଖଣ୍ତଗିରି ଛକରେ ।
: ତୂ ବାହା ହେବୁ?
: ହଁ, ଝିଅପିଲା ହେଇଚି, ବାହା ହେବିନି କେମିତି! ସାନ ଆଈ କହିଲା, ବାହା ତ ହବାର ଅଛି, ଡେରି ତେବେ କାଇଁକି। ଯେତେ ଶୀଘ୍ର ଝିଅଟାକୁ ବିଦା କରିଦେବ ସେତେ ମଙ୍ଗଳ ।
ସର ସର ଶବ୍ଦ ହେଲା କୁଆଡ଼ୁ । ସାପଟିଏ ଘାସ ଉପରେ ଚାଲି ଯିବାର ଶବ୍ଦ ? ଶୁଖିଲା ପତ୍ରଟିଏ ଝଡ଼ି ପଡ଼ିବାର ଶବ୍ଦ ?
ଚାରିଆଡ଼ ନିଶବ୍ଦ, ନିର୍ଜନ ।  କେହି ନାହିଁ। ବାସୁ ଦେଖିଲା ସାପପେଡ଼ିକୁ । ଚାରିଟି ସାପ। ଶୋଇଛନ୍ତି ।  ଅପେକ୍ଷା କରିଛନ୍ତି ।  
ସେ ଖୋଲିଲା ଗୋଟିଏ ପେଡ଼ି । ଭିତରୂ ମୁଣ୍ତ ଟେକିଲା ଅହିରାଜ ।  କପିଳେନ୍ଦ୍ରଦେବ। ପଚାରିଲା ଆଖିରେ ଚାହିଁଲା ବାସୁକୁ ।
: ଯା'| ହାତ ଠାରିଲା ବାସୁ, ଦୀର୍ଘ ସରଳରେଖାରେ । କହିଲା, ଯା ଚାଲିଯାଆ।
ଯେପରି ଆଗରୁ ବୁକ୍ତିବଦ୍ଧ ଥିଲା, ସେହିପରି ସାପଟି ପେଡ଼ିରୁ ବାହାରି ଆସିଲା, ଘାସ ଉପରେ ସର ସର ହୋଇ ଦୁତ ଗତିରେ, କିଛି ଦୂର ଯାଇ, ଗୋଟିଏ ଉଇ ହୁଙ୍କା ଭିତରେ ଅଦୃଶ୍ୟ ହୋଇଗଲା। ପଶିଯିବା ପୂର୍ବରୁ ଥରଟିଏ ସେ ଦେଖିଥିଲା ବାସୁକୁ ତା' ଆଖି ଭିତରେ କ'ଣ ଭାଷା ଥିଲା, ଜାଣିବା ସହଜ ନ ଥିଲା।
ଅର୍ଜୁନ ବି ଚାଲିଗଲା ତା' ବାଟରେ, ଟିକିଏ ଦ୍ଵିଧା  ଭିତରେ, ସାମାନ୍ୟ ସନ୍ଦିଗ୍ଧ ଅନିଶ୍ଚିତତା ଭିତରେ। ସେ ବି ପଶିଗଲା ଗୋଟିଏ ଉଇ ହୁଙ୍କା ରେ , ଆହୁରି ବଡ଼, ଆହୁରି ପ୍ରାଚୀନ ।  
ରାଜ କପୁର କିନ୍ତୁ ବହୁତ ଛଇ ଦେଖାଇଲା। ପେଡ଼ି ଭିତରୁ ବାହାରି ଆସି ସେ ପେଡ଼ି ଚାରିପଟେ ତିନିଥର ପ୍ରଦକ୍ଷିଣ କଲା, ଦୁଇଥର ବାସୁ ଚାରିକଡ଼େ, ଥରଟିଏ ତା' ନିଜ ଚାରିପଟୋ ତା'ପରେ ସେ ଅପେକ୍ଷା କଲା ବାସୁର ନିର୍ଦ୍ଦେଶକୁ ମୁଣ୍ତ ଟେକି।
ବାସୁ କହିଲା- ଯା!
ରାଜକପୂର ବୁଝିଲା ନାହିଁ ଯେମିତି ।  
- ଯା'!
ସେ ଗଲା ନାହିଁ। ତା'ର କିଛି ବୋଧେ ପଚାରିବାର ଥିଲା ।
- ଯା ଭାଗ, କହୁଛି। ରାଜ କପୁର ଗଲା ରାସ୍ତାରେ ରାସ୍ତାରେ।
- ସିଆଡ଼େ ନୁହେଁ।
ରାଜକପୁର ଫେରି ପଡ଼ିଲା, ସରସର ହୋଇ ଚାଲିଗଲା ଜଙ୍ଗଲ ଭିତରକୁ ।
ଶେଷ ପେଡ଼ି ଭିତରେ ଥିଲା ସୁଲତାନ। ଢାଙ୍କୁଣୀ ଖୋଲିବା ଆଗରୂ ବାସୁ ଶକ୍ତ କରି ଧରିଲା କଳା ମଚ ମଚ ତିନି ହାତିଆ ଠେଙ୍ଗାକୁ। ଗୋଟିଏ ହାତରୋ ଆର ହାତରେ ପେଡ଼ି ଫିଟାଇଲା। ଭିତରେ ଶୋଇଥିଲା ସୂଲତାନ, ନିର୍ଜୀବ ରବର କଣ୍ଢେଇ ପରି ମୁଣ୍ତ ଗୁଞ୍ଚିଦେଇଥିଲା ପେଟ ତଳେ ।  ଢାଙ୍କୁଣୀ ଫିଟିବା କ୍ଷଣି ସେ ମୁଣ୍ତ ଟେକିଲା।
- ବାହାରି ଆ| ବାସୁ କହିଲା ଶାନ୍ତ ସ୍ଵରରେ।
ଦେହରେ ଯେମିତି ଶକ୍ତି ନାହିଁ, ନିର୍ଜୀବ। ସୁଲତାନ ହଲଚଲ ହେଲା ନାହିଁ  ।
- ତୁ ମୋ ବାପାଙ୍କୁ ମାରି ଦେଇଛୁ। ତତେ ମୁଁ କ୍ଷମା ଦେବି ନାହିଁ|
ବାସୁର ହାତ ମୁଠା ଦୃଢ଼ ହୋଇ ଉଠିଲା ଶକ୍ତ ଠେଙ୍ଗା ଉପରୋ ସାପଟି ଦେଖିଲା ବାସୁକୁ, ତା' ହାତର ଉଦ୍ୟତ ଅସ୍ତ୍ରକୂ| ତା'ର କିଛି ପ୍ରତକ୍ରିୟା ନ ଥିଲା।
- ତୁ କାହିଁକି ମାରିଦେଲୁ ବାପାଙ୍କୁ ? କ'ଣ ସେ ଦୋଷ କରିଥିଲେ! ତତେ ସେ ଭଲ ପାଉଥିଲେ, ପୁଅ ଭଳି। ମୋ ଭଳି। କହ ତୂ କାହକି... ”
ସାପଟି ଚାହିଁଥିଲା ବାସୁକୁ। ସ୍ଥିର ଆଖିରୋ। ଶାନ୍ତ ଆଖି, କରୁଣ ଆଖି।
ବାସୁ ଠେଙ୍ଗାକୂ ଉଞ୍ଚାଇଲା, ଲକ୍ଷ୍ୟ ଠିକ୍‌ ସୂଲତାନର ସରୁ ତ୍ରିକୋଣୀୟ ମୁଣ୍ଡ ।
ସୁଲତାନ ଦେଖିଲା ଠେଙ୍ଗାକୁ, ବାସୁର ଦୃଢ଼ ହାତ ମୁଠାକୁ ।  ତା'ର ଦୁଇଟି ଆଖିକୁ।
ଉଦଗତ ଲୁହ ଓ କ୍ରୋଧକୁ ଢୋକି ଢୋକି ବାସୁ କହିଲା, କହ ତୁ, କାହିଁକି ମାରିଦେଲୂ ମୋ ବାପାକୁ। ତତେ ସେ ପୁଅ  ଭଳି ଭଲ ପାଉଥିଲେ, ତୋର ବି ବାପା ଥିଲେ ସେ, ଆଉ ତୁ ..
ସାପଟି ଧୀରେ ଧୀରେ ବାହାରି ଆସିଲା ପେଡ଼ି ଭିତରୁ ସୂତାରେ ବନ୍ଧା ଖେଳନା ସାପ ପରି। ମାଟିରେ ଶୋଇ ରହିଲା, ମୁହଁ ଗୁଞ୍ଜି। ତା'କୁ କାନ୍ଦିବା ଜଣା ଥିଲେ ସେ କାନ୍ଦି ପାରି ଥାଆନ୍ତା, କଥା କହି ଆସିଥିଲେ କହି ବି ପାରି ଥାଆନ୍ତା, ହଁ ବାସୁ, ସିଏ ବି ମୋ ବାପା| ମୁଁ କ'ଣ ସତରେ ତାଙ୍କୁ ଦଂଶି ଦେଇଛି, ଜାଣି ଜାଣି, ମୋ ବାପକୁ। ମୁଁ କ'ଣ ଗୋଟେ ସ୍ଵପ୍ନ ଦେଖୁଥିଲି, ବୋଧେ ମୋ ମା'କୁ, ମତେ ଗେଲ କରୁଥିଲା, ହଠାତ ପେଡ଼ି ଖୋଲିଗଲା, ଏତେ ଗୁଢ଼ାଏ ଆଲୁଅ ମୋ ଉପରେ ଝାମ୍ପି ପଡ଼ିଲେ ଶାଗୁଣାଙ୍କ ପରି, ମୁଁ ଅନ୍ଧ ହେଇଗଲି ସେଇ ଆଲୁଅରେ|
ସୁଲତାନ ଦେଖିଲା ବାସୁ ହାତର ଠେଙ୍ଗା କ୍ରମଶଃ ନଇଁ ଆସୁଛି ତା ଦେହ ଉପରକୁ। ଦେହକୁ ଦୁଇଗଡ଼ କରି ଦେବା ପରି ତୀବ୍ର, ଭୟାନକା। ସେ ସ୍ଥିର ହୋଇ ରହିଲା। ଯେମିତି ସେ ମରି ସାରିଚି, ଏ ଦେହ ତା'ର ଦେହ ନୁହେଁ ।
ବାସୁ ଦେଖିଲା ସୁଲତାନର ଦୁଇ ଆଖିକୁ । ତା ହାତ ଅଟକି ଗଲା। ସାପ ଆଖିରେ ବି ଲୂହ ଥାଏ। ସାପ କାନ୍ଦି ପାରେ? ସେଇ ଲୁହ ଦେଖିବାକୁ ସେ ରହିଗଲା।
ସେ ଏବେ ବୁଝି ସାରିଥିଲା, ତା'କୁ ବଞ୍ଚିବାକୁ ହେବ, ବାପାଙ୍କ ପରି ସାପୁଆ କେଳା ହୋଇ, ଏ ସାରା ଜୀବନ । ସୁଲତାନ ସହିତ ତାକୁ  ଘୂରି ବୁଲିବାକୁ ହେବ ଏ ଗଳିରୁ ସେ ଗଳି! ଏ ରାସ୍ତାରୁ ସେ ରାସ୍ତା। ଅର୍ଜୁନ ତା” ପାଖକୁ ଫେରି ଆସିବ, ରାଜକପୁର ଫେରି ଆସିବ, କପିଳେନ୍ଦ୍ରଦେବ ବି।
ସେ ଦେଖି ପାରିଲା ସତକୁ ସତ ତିନିଟି ଯାକ ସାପ, ଅର୍ଜୁନ, କପିଳେନ୍ଦ୍ରଦେବ, ରାଜକପୁର, ଫେରି ଆସୁଛନ୍ତି ଜଙ୍ଗଲ ଭିତରୁ ପଛକୁ ପଛ, ଧାଡ଼ି ବାନ୍ଧି। ରାଜ କପୁର ପଛରେ ଥାଇ ବହୁତ ଷ୍ଟାଇଲ ମାରୂଚି।
ଲୁହରେ ତା' ଆଖି ଦୁଇଟା ଅନ୍ଧ ହୋଇ ଯାଇଥିଲା। ଢା' ଚାରିପାଖ ପୃଥିବୀରେ ଖାଲି ସମୁଦ୍ରର ଲୂଣି ପାଣି। ଭାସି ଯିବା ପାଇଁ, ଭସେଇ ନେବା ପାଇଁ। ସେ ଆଖି ଖୋଲିଲା ନାହିଁ।
ସେ ଅନୁଭବ କଲା, ତା' କପାଳରେ କାହାର ଶୀତଳ ହାତର ସୁର୍ଶ | ନରମ, ଅନିଶ୍ଚିତତା
ସେ ଆଖି ଫିଟାଇଲା।
ଦେଖିଲା, ପାଖରେ ଠିଆ ହୋଇଛି ମଞ୍ଜନା।
ଏଇ ମଞ୍ଜନା, ବୋଧେ କାଲି ରାତିରେ, ସ୍ବପ୍ନରେ, କହିଥିଲା, ତତେ ମୁଁ ଛାଡି କୁଆଡେ ଯିବି ନାହିଁ ରେ ବାସୁ , ରହିବି ତୋ' ପାଖେ ମୁଁ, ସବୁ ଦିନ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment