Welcome to shalandi webzine

ବିରଳା ଭବନରେ ସୂର୍ଯାସ୍ତ

ବିଭୂତି ପଟ୍ଟନାୟକ

୧ ୯ ୪୮ ମସିହା । ଜାନୁଆରୀ ୧୩ । ମଙ୍ଗଳବାର ।ନୂଆଦିଲ୍ଲୀ ବିରଳା ଭବନ ସଂଲଗ୍ନ ବଗିଚାରେ ଆରମ୍ଭ ହେଲା ମୋହନ ଦାସଙ୍କ ଶେଷ ଅନଶନ । ଏହା ହିଁ ହୋଇପାରେ ଶେଷର ଆରମ୍ଭ

୧ ୯ ୪୮ ମସିହା । ଜାନୁଆରୀ ୧୩  । ମଙ୍ଗଳବାର  ।
ନୂଆଦିଲ୍ଲୀ ବିରଳା ଭବନ ସଂଲଗ୍ନ ବଗିଚାରେ ଆରମ୍ଭ ହେଲା ମୋହନ ଦାସଙ୍କ ଶେଷ ଅନଶନ  ।
ଏହା ହିଁ ହୋଇପାରେ ଶେଷର ଆରମ୍ଭ  ।
ସେଦିନ ପୂର୍ବାହ୍ଣ ଦଶଟା ତିରିଶ ମିନିଟରେ ସେ ନିଜର ଶେଷ ଖାଦ୍ୟ ଗ୍ରହଣ କରିଥୁଲେ । ଦୁଇପଟ ରୁଟି, ଗୋଟିଏ ଆପେଲ୍ ଏବଂ ଷୋଳଆଉନ୍ସ ଛେଳି ଦୁଧ ।
ବାସ୍!
ସବା ସାନପୁଅ ଦେବଦାସ କହିଲା- ବାବା! କଲିକତାରେ ସାଂପ୍ରଦାୟିକ ଦଙ୍ଗାରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ହାଣକାଟ ବିରୋଧରେ ଅନଶନ କରି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇଯାଇଛି  । ଏଭଳି ଭଗ୍ନ ସ୍ୱାସ୍ଥ୍ୟରେପୁଣି ଅନଶନ କରି ଜୀବନଂସଂକଟ ସୃଷ୍ଟି ହୋଇପାରେ । ବଞ୍ଚି ରହିଲେ ଆପଣ ଯେଉଁ ଲକ୍ଷ୍ୟ ସହଜରେ ପୂରଣ କରି ପାରିବେ, ମୃତୁ୍ୟ ହେଲେ ସେ ଲକ୍ଷ୍ୟ କେବେହେଲେ ହାସଲ କରିପାରିବେ ନାହିଁ ।
ପୁଅ କଥା ଶୁଣି ମୋହନଦାସ ମୃଦୁ ହସି ଉତ୍ତର ଦେଇଥୁଲେ- ଜନ୍ମ ହେଲେ ମୃତ୍ୟୁକୁ ଏଡ଼ାଇ ହୁଏ ନାହିଁ । ବଗଂ ମୃତ୍ୟୁ ଜୀବନର ସକଳ ଯନ୍ତ୍ରଣାକୁ ଦୂରକରିଦିଏ ।

 
 
ଏକା ଦେବଦାସ ନୁହେ, ତାଙ୍କର ବ୍ୟକ୍ତିଗତ ସଚିବ ପ୍ୟାରେଲାଲ, ଆମେରିକାରେ ଚିକିତ୍ସା ବିଜ୍ଞାନରେ ଉପାଧ୍ୟୁିତ୍ତର ଗବେଷଣା ଲାଗି ଜାତିସଂଘ ପ୍ରଦତ୍ତ ସ୍କଲାରସିପକୁ ଉପେକ୍ଷା କରି ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ତାଙ୍କ ପାଖେ ପାଖେ ରହୁଥିବା ଡାକ୍ତର ସୁଶୀଳା ନାୟାର ଏବଂ ସର୍ବୋପରି ତାଙ୍କର ଅଲିଅଳ ନାତୁଣୀ ମନୁ ଗାନ୍ଧି ଅନଶନ ନ କରିବା ଲାଗି ବାରମ୍ବାର ଅନୁରୋଧ କଲେ ସୁଦ୍ଧା ମୋହନଦାସ ଗାନ୍ଧି କାହାରି କଥା ଶୁଣିବାକୁ ଚାହୁଁ ନ ଥିଲେ । ଦିଲ୍ଲୀର ଆକାଶ ସେତେବେଳେ ଘନ କୁହୁଡ଼ିରେ ଆଚ୍ଛାଦିତ । ହାଡ଼ଥରା ଜାଡ଼ରେ ରାଜଧାନୀ ମହାନଗରୀ ଥର ଥର ହୋଇ କଂପ ିଉଠୁଛି । ଏ ଅସହ୍ୟ ଶୀତରେ ଅନଶନ ବ୍ରତ ପାଳନ କରୁଥିବା ମୋହନଦାସ ବଞ୍ଚି ବର୍ତ୍ତି ରହିବେ ଏ ସଂଶୟ ସମଗ୍ର ଭାରତ ଉପମହାଦେଶର ଜନଗଣଙ୍କ ମନକୁ ଆନେ୍ଦାଳିତ କରିବାରେ ଲାଗିଥିଲା  । ସାମ୍ପ୍ରଦାୟିକ ଦଙ୍ଗାର ମୁକାବିଲା କରି ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ଭ୍ରାତୃଭାବ ତିଆରି କରିବାରେ ଗାନ୍ଧିଜୀଙ୍କ ଅନଶନ ଅତୀତରେ ସଫଳହୋଇଥିଲା ।
କିନ୍ତୁ ଏଥର ତା'ର ସମ୍ଭାବନା ନାହିଁ  ।
ପଶ୍ଚିମ ପାକିସ୍ତାନରୁ ଅତ୍ୟାଚାରିତ ହଜାର ହଜାର ହିନ୍ଦୁ, ଶିଖ୍ ଶରଣାର୍ଥୀ ଦିଲ୍ଲୀରେ ପହଞ୍ଚିଲା ପରେ ସାମ୍ପ୍ରଦାୟିକ ବିଦ୍ୱେଷର ଦାବାଗ୍ନି ସମଗ୍ର ଦିଲ୍ଲୀକୁ ଗ୍ରାସ କରି ଯାଇଥିଲା । ପାକିସ୍ତାନୀ ଅତ୍ୟାଚାରର ବଦଲା ନେବାପାଇଁ ହିନ୍ଦୁ-ଶିଖ୍ ଉଦବାସ୍ତୁମାନେ ଦିଲ୍ଲୀର ମୁସଲମାନ ଙ୍କର ଘର ଏବଂ ମସଜିଦକୁ ଜବରଦଖଲ କରିଥିଲେ । ଯେଉଁ ମୁସଲମାନମାନେ ନିଜ ଘରୁ ବିତାଡ଼ିତ ହୋଇ ରାସ୍ତାରେ ଠିଆ ହେବାକୁ ପ୍ରତିବାଦ କରୁଥିଲେ ଯୁଥବଦ୍ଧ ଶିଖ୍-ହିନ୍ଦୁ ଉପବାସ୍ତୁମାନଙ୍କ ଶାଣିତ ଅସ୍ତ୍ରାଘାତରେ ସେମାନଙ୍କ ମସ୍ତକ ସ୍କନ୍ଧଚ୍ୟୁତ ହେଉଥିଲା  ।
ଦିଲ୍ଲୀର ହିନ୍ଦୁ ପୁଲିସ ନିରବ ଦ୍ରଷ୍ଟା ହୋଇ ରହିଥିଲା ।
ଦେଶ ବିଭାଜନବେଳେ ସମ୍ପଭି ଭାଗ ବଣ୍ଟା ଅନୁସାରେ ଭାରତ ପାକିସ୍ତାନକୁ ପଞ୍ଚାବନ କୋଟି ଟଙ୍କା ଦେବା ପାଇଁ ରାଜିନାମାରେ ସ୍ୱାକ୍ଷର କରିଥିଲା; କିନ୍ତୁ ପାକିସ୍ତାନ କାଶ୍ମୀର ଉପରେ ଆକ୍ରମଣ କଲାପରେ ଭାରତର କଂଗ୍ରେସ ସରକାର ପାକିସ୍ତାନର ପ୍ରାପ୍ୟ ଅର୍ଥ ନ ଦେବାପାଇଁ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ  ।
ଗଣଭୋଟ ଜରିଆରେ ଜନଗଣଙ୍କ ସମ୍ମତି ନେଇ ଭାରତ ବିଭାଜନ ହୋଇ ନ ଥିଲା । ଗାନ୍ଧିଜୀଙ୍କ ପ୍ରବଳ ଅନିଚ୍ଛା ସତ୍ତେ୍ୱ ବି୍ରଟିଶସରକାରଙ୍କ ପ୍ରସ୍ତାବ ଓ ପ୍ରରୋଚନାରେ ଶାସନ କ୍ଷମତା ଭୋଗ ଦଖଲ କରିବାକୁ କଂଗ୍ରେସର ନେହେରୂ-ପଟେଲ ଓ ମୁସଲିମ୍ ଲିଗର ଜିନ୍ନାଲିୟାକତ୍ ଭାରତ ବିଭାଜନ ପ୍ରସ୍ତାବରେ ସିଲ୍ ମୋହର ଲଗାଇଦେଇଥିଲେ ।
ଭାରତ ବିଭାଜନ ଯେତେ ପରିମାଣରେ ଧର୍ମ-ତାନ୍ତ୍ରିକ ନ ଥୁଲା, ତାହା ଠାରୁ ଅଧିକ ଥୁଲା ରାଜନୈତିକ! ପାକିସ୍ତାନର ହିନ୍ଦୁ ଏବଂ ହିନ୍ଦୁସ୍ଥାନର ମୁସଲମାନଙ୍କ ଉପରେ ଏ ରାଜନୈତିକ ବିଭାଜନକୁ ଜବରଦସ୍ତ ଲଦି ଦିଆଯାଇଥୂଲା  । ଏହାର ପରିଣତି ଉଦବାସ୍ତୁ ସମସ୍ୟା  । ଏହାର ସମାଧାନ ଦୁଇ ରାଷ୍ଟ୍ରର କ୍ଷମତାସୀନ  ଶାସକ ଦଳର ।
ଏ ଦାୟିତ୍ୱ ପାଳନରେ କେନ୍ଦ୍ର କଂଗ୍ରେସ ସରକାରର ଅକ୍ଷମତା ମୋହନଦାସଙ୍କ ଆତ୍ମାକୁ ବାଧିଥିଲା । ପାକିସ୍ତାନକୁ ତାର ପ୍ରାପ୍ୟ ପଞ୍ଚାବନ କୋଟି ଟଙ୍କା ଦେବା ଏବଂ ଦିଲ୍ଲୀର ଭାରତୀୟ ନାଗରିକ ମୁସଲମାନଙ୍କ ବାସଗୃହ ଓ ଉପାସନା ପୀଠ ମସଜିଦକୁ ଜବର ଦଖଲରୁ ମୁକ୍ତ କରିବା ଦାବିରେ ସେ ଅନଶନ ଆରମ୍ଭ କରିଥିଲେ ।ସେତେବେଳେ ତାଙ୍କର ବୟସ ଅଠସ୍ତରି ପୁରି ଅଣାଅଶୀ!

ଦୁଇ
ସ୍ୱାଧୀନତା ପ୍ରାପ୍ତିର ମାତ୍ର ପାଞ୍ଚମାସ ପରେ ଇତିହାସର ନିଦ୍ରାଭଙ୍ଗହୋଇଥଲା । କଡ଼ ଲେଉଟାଇ ଥିଲା ବିଭକ୍ତ ଭାରତବର୍ଷରେ ସାମ୍ପ୍ରଦାୟିକଦଙ୍ଗାର ରକ୍ତାକ୍ତ ଇତିହାସ!
ଧର୍ମତାନ୍ତ୍ରିକ ପାକିସ୍ତାନରେ ହିନ୍ଦୁ ଶିଖମାନଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଗଣତାନ୍ତିକ ଭାରତବର୍ଷର ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇ ଯାଇଥିଲା ନିରପରାଧ ମୁସଲମାନଙ୍କ ଉପରେ ନିର୍ମମ ପ୍ରତି- ଆକ୍ରମଣ  ।
ପାକିସ୍ତାନରୁ ହିନ୍ଦୁମାନଙ୍କୁ ତଡ଼ିବା ପାଇଁ ସେଠାକାର ଧର୍ମାନ୍ଧ ଇସଲାମୀ ଜହ୍ଲାଦ ଯେତେ ଅତ୍ୟାଚାର କରନ୍ତୁ ନା କାହିଁକି, ଧର୍ମନିରପେକ୍ଷ ଭାରତବର୍ଷରେ ହିନ୍ଦୁମାନଙ୍କ ଭଳି ପ୍ରତି ମୁସଲମାନ ନାଗରିକଙ୍କୁ ସୁରକ୍ଷିତ କରି ରଖିବା ଭାରତ ସରକାରଙ୍କ ପବିତ୍ର କର୍ତ୍ତବ୍ୟ । ଗାନ୍ଧିଜୀଙ୍କ ଏହି ମନ୍ତବ୍ୟ ପାକିସ୍ତାନରେ ବର୍ବର ଅତ୍ୟାଚାରର ଶିକାର ହିନ୍ଦୁ ଶରଣାଥୀମାନଙ୍କୁ ଉତକ୍ଷିପ୍ତ କରି ଦେଇଥୁଲା । ଦିଲ୍ଲୀର ଗାନ୍ଧି ବିରୋଧୀ ହିନ୍ଦୁ-ସାମ୍ପ୍ରଦାୟିକତାବାଦୀ ନେତାମାନଙ୍କ ପ୍ରରୋଚନାରେ ସେମାନେ ଦିଲ୍ଲୀର ରାଜପଥରେ ଶୋଭାଯାତ୍ରାରେ ସ୍କୋଗାନ ଦେବା ଆରମ୍ଭ କରିଦେଲେ- ଗାନ୍ଧି ମଲେ ହିଁ ହିନ୍ଦୁ ବଞ୍ଚିବେ  । ଲେଟ୍ ଗାନ୍ଧି ଡାଇଜ୍!
ଏ ଧ୍ୱନିର ପ୍ରତିଧ୍ୱନି ଅନୁରଣିତ ହେଲା 'ହିନ୍ଦୁ ରାଷ୍ଟ୍ର ଖବରକାଗଜ ଅଫିସରେ, ନୁଆଦିଲ୍ଲୀ ଠାରୁ ସାତ ଶହ ମାଇଲ ଦୂର ପୁନେ ସହରରେ  । ସେଠାରେ ଉପସ୍ଥିତ ଥିଲେ ହିନ୍ଦୁ ମହାସଭାର ସଭାପତି ବୀରସରଭକରଙ୍କ ଅନ୍ତରଙ୍ଗ, ବିଶ୍ୱସ୍ତ ସହଯୋଗୀ ନାଥୁରାମ ଗଡସେ ଏବଂ ନାରାୟଣ ଆପ୍ତେ । ଟେଲିପ୍ରିଣ୍ଟରରେ 'ହିନ୍ଦୁ ରାଷ୍ଟ୍ର ସମ୍ବାଦପତ୍ର ପାଖରେଖବର ପହଞ୍ଚିଲା-ଭାରତବର୍ଷରେ ମୁସଲମାନଙ୍କୁ ସୁରକ୍ଷା ଏବଂ ପାକିସ୍ତାନକୁ ତା'ର ପ୍ରାପ୍ୟ ପଞ୍ଚାବନ କୋଟି ଟଙ୍କା ଦେବା ଦାବିରେ ବିରଳା ଭବନ ବଗିଚାରେ ଅନଶନରେ ବସିଥିବା ମୋହନ ଦାସଙ୍କ ପାଖ ରାସ୍ତାଦେଇ ଶରଣାର୍ଥୀମାନେ ସ୍ଲୋଗାନ ଦେଇ ଯାଇଛନ୍ତି । ଗାନ୍ଧିମଲେ ହିନ୍ଦୁ ବଞ୍ଚିବେ ଏ ସ୍ଲୋଗାନ ଦେଇ ଯାଉଥୁବା ଶରଣାର୍ଥୀମାନଙ୍କୁ ପୁଲିସ ବାଧା ଦେଇନାହିଁ, ଗାନ୍ଧି-ବିରୋଧୀ ଶୋଭାଯାତ୍ରାକୁ ନିଷିଦ୍ଧକରିବା ତ ଦୂରର କଥା!
ପାକିସ୍ତାନକୁ ପଞ୍ଚାବନ କୋଟି ଟଙ୍କା କେନ୍ଦ୍ର କଂଗ୍ରେସ ସରକାର ନ ଦେବା ନିଷ୍ପତ୍ତି ବିରୁଦ୍ଧରେ ଗାନ୍ଧି ବୁଢ଼ା ଅନଶନ କରୁଛି  । କାଳ ବିଳମ୍ବ୍ ନ କରି ତାକୁ ପାକିସ୍ତାନ ପଠାଇ ଦେବା ଦରକାର  । ହିନ୍ଦୁସ୍ଥାନ ନୁହେଁ; ବୁଢ଼ା ପାକିସ୍ତାନର ଜନକ  । ତାର ସ୍ଥାନ ପାକିସ୍ତାନରେ । - ନାରାୟଣ ଆପ୍ତେ ନିଜକୁ ନିଜେ ଶୁଣାଇଲା ଭଳି କହିଗଲା ।
ବାଧାଦେଲା ନାଥୁରାମ ।
ନା- ପାକିସ୍ତାନକୁ ନୂହେଁ- ଗାନ୍ଧି ବୁଢ଼ାକୁ ମୁଁ ସିଧା ସ୍ୱର୍ଗକୁ ପଠାଇବି । ଏଇ ଦେଖ-
ଟେବୁଲ ଡ୍ରୟାରରୁ ଏକ ସ୍ୱୟଂକ୍ରିୟ ପିସ୍ତଲ କାଢ଼ି ଦେଖାଇଲା ନାଥୁରାମ ।
ଦେଢ଼ ବର୍ଷ ତଳେ ଜିନ୍ନାକୁ ତା'ର ହାଇଦ୍ରାବାଦ ରହଣି କାଳରେ ଖତମ କରିବା ପାଇଁ ଏଇ ପିସ୍ତଲ ଦେଖାଇ ଥିଲା । ପାରିଲା? ପୁଣି ସେଇ ପିସ୍ତଲ ।
ନାଥୁରାମ ଅବସୋସଭରା କଣ୍ଠରେ କହିଲା-ବି୍ରଟିଶ ପୁଲିସର ସତର୍କ ଶ୍ୟେନ ଦୃଷ୍ଟି ଏଡ଼ାଇ ଜିନ୍ନା ପାଖରେ ପହଞ୍ଚି ପାରି ନ ଥୁଲି କିନ୍ତୁ ଏବେ ହିନ୍ଦୁସ୍ଥାନୀ ପୁଲିସ ଗାନ୍ଧିକୁ ବଞ୍ଚାଇବା ପାଇଁ ଖୁବ୍ ବେଶି ଆଗ୍ରହୀ ନୁହେଁ  । ଯାହା ହେଲେ ବି ହିନ୍ଦୁ ପୁଲିସ ତ !
ସେମାନେ ଖୁଲମଖୁଲା ଗାନ୍ଧିଙ୍କ ମୃତ୍ୟୁ ଦାବି କରି ରାଜରାସ୍ତାରେ ଶୋଭାଯାତ୍ରାରେ ଯାଉଥୁବା ଶରଣାର୍ଥୀମାନଙ୍କୁ ଅଟକାଇ ନାହାନ୍ତି  । ସେଇ ଶରଣାର୍ଥୀମାନଙ୍କ ଦାବି ପୂରଣ ପାଇଁ ମୁଁ ଗାନ୍ଧିଙ୍କୁ ସ୍ୱର୍ଗକୁ ପଠାଇବା ପାଇଁ ଗୁଳି ଚଳାଇଲେ ସେମାନେ ନିଶ୍ଚୟ ମତେ ବାଧା ଦେବେ ନାହିଁ । ଦେବେ?
ଆପ୍ତେ କୌଣସି ମନ୍ତବ୍ୟ ନ କରି ହିନ୍ଦୁ ରାଷ୍ଟ୍ର ଅଫିସ କାନ୍ଥରେ ଝୁଲୁଥିବା ବୀର ସରଭରକରଙ୍କ ତୈଳଚିତ୍ର ଉଦେ୍ଧଶ୍ୟରେ ଦୁଇ ହାତଯୋଡ଼ି ନିଜର ଭକ୍ତି ନିବେଦନକଲା ।
ସେହିଦିନ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନେହେରୁ ସର୍ଦାର ପଟେଲଙ୍କ ନେତୃତ୍ୱରେ କେନ୍ଦ୍ରର ସବୁ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ବିରଳା ଉଦ୍ୟାନରେ ମୋହନଦାସଙ୍କ ଖଟିଆ ଚାରିପଟେ ଘେରିବସିଲେ । ପାକିସ୍ତାନକୁ ତାଂର ପ୍ରାଫୀ ପଞ୍ଚାବନ କୋଟି ଟଙ୍କା ନ ଦେବାର କାରଣ ବୁଝାଇବା ଲାଗି ସେମାନେ ସେଠାରେ ଏକାଠି ହୋଇଥିଲେ । ଗାନ୍ଧିଜୀ ବୁଝିଗଲେ ଅନଶନ ଭାଙ୍ଗିଦେବେ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ଥିଲା ।
ଗତ ଅକ୍ଟୋବର ମାସରେ ପାକିସ୍ତାନ କାଶ୍ମୀର ଆକ୍ରମଣ କରି ତା'ର ପ୍ରାପ୍ୟ ଅର୍ଥ ପାଇବାର ଅଧିକାର ହରାଇଛି । ଭାରତ ସରକାର ପାକିସ୍ତାନକୁ ଶତ୍ରୁ ରାଷ୍ଟ୍ର ଭାବରେ ଚିହ୍ନିତ କରିଛନ୍ତି  ।
ସର୍ଦାର ପଟେଲ କହିଲେ- ଆପଣ ନିଶ୍ଚୟ ଶତ୍ରୁର ହାତମୁଠା ଟାଣ କରିବାକୁ ତାଂର ପ୍ରାପ୍ୟ ପଞ୍ଚାବନ କୋଟି ତାକୁ ଦେବା ପାଇଁ ଆମକୁ କହିବେ ନାହିଁ । ପାକିସ୍ତାନର ହିନ୍ଦୁ- ଶିଖ ନାଗରିକମାନଙ୍କୁ ସେଠାରେ ଧର୍ଷଣ ହତ୍ୟା ଓ ଧର୍ମାନ୍ତରୀକରଣ ଦ୍ୱାରା ନିର୍ଯାତିତ କରିବା ଫଳରେ ହଜାର ହଜାର ହିନ୍ଦୁ ଶିଖ୍ ଦିଲ୍ଲୀ ପଳାଇ ଆସିଛନ୍ତି । ଏଥିପାଇଁ ପାକିସ୍ତାନ ସରକାର ଦାୟୀ  । କେବଳ ଦିଲ୍ଲୀ ନୁହେଁ, ସାରା ଭାରତବର୍ଷର ଜନମତ ପାକିସ୍ତାନ ବିରୁଦ୍ଧରେ  । ଏହି ସମୟରେ ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ତା'ର ପ୍ରାପ୍ୟ ପଞ୍ଚାବନକୋଟି ଟଙ୍କା ଦେଲେ ଆମ ସରକାର ବିରୁଦ୍ଧରେ ଜନମତ ଉତ୍ତାଳ ହୋଇଉଠିବ । ତେଣୁ ପାକିସ୍ତାନକୁ ତା'ର ପ୍ରାପ୍ୟ ପଞ୍ଚାବନ କୋଟି ଟଙ୍କା ଦେବା ପାଇଁ ଜିଦ୍ ନ ଧରି ଆପଣ ଅନଶନ ଭଙ୍ଗ କରନ୍ତୁ । ତା' ନ ହେଲେ ଗୋଟିଏ ଭୁଲ୍ ବାର୍ତ୍ତା ଲୋକମାନଙ୍କ ପାଖକୁ ଚାଲିଯିବ ।
ମୋହନଦାସ ସର୍ଦ୍ଧାରଙ୍କ ସବୁ କଥା ଶୁଣିଲେ । କିଛି ମନ୍ତବ୍ୟ କଲେ ନାହିଁ । ଗତ ଅକଟୋବର ମାସରେ ପାଖତୁନୀ ଜନଜାତିର ଲୋକେ କାଶ୍ମୀର ମୁସଲମାନ ନାଗରିକମାନଙ୍କ ଧନ ସମ୍ପଭି ଲୁଟ୍ କରିବା ଲାଗି ଆକ୍ରମଣ କରିଥଲେ; କିନ୍ତୁ ଆକ୍ରାନ୍ତ କାଶ୍ମୀର ସେତେବେଳେ ରାଜା ହରି ସିଂହଙ୍କ ଶାସନାଧୀନ ସ୍ୱାଧୀନ ରାଜ୍ୟ ଥିଲା  । ଭାରତଭୂକ୍ତ ହୋଇ ନ ଥିଲା । ସେ କଥା ସର୍ଦ୍ଧାର ପଟେଲଙ୍କୁ ମନେପକାଇ ଦେବାପାଇଁ ମଧ୍ୟ ସେ ମୁହଁ ଖୋଲି ନ ଥିଲେ । ବଲ୍ଲଭ ଭାଇ ଉକ୍ରଣ୍ଠିତ ଭାବରେ ବାରମ୍ବାର ପଚାରୁଥଲେ- ବାପୁ । ଆପଣ ଅନଶନ ଭାଙ୍ଗିବେ ବୋଲି କହୁ ନାହାନ୍ତି କାହିଁକି? ଆମେ ସମସ୍ତେ ଉଦବିଗ୍ନ ଉକ୍ରଣ୍ଠିତ  । ଆପଣଙ୍କ ପାଇଁ ସାରା ଦେଶ ଚିନ୍ତିତ  ।
ମୋହନଦାସ ଏବଂ ବଲ୍ମଭଭାଇ-ଉଭୟ ଗୁଜୁରାଟର ଲୋକ  ।
ସ୍ୱାଧୀନତା ଆନେ୍ଦାଳନରେ ସେ ଥଲେ ଗାନ୍ଧିଜୀଙ୍କ ପ୍ରଧାନ ସେନାପତି;କିନ୍ତୁ କ୍ଷମତାସୀନ ହେଲା ପରେ ମୁସଲିମ ରାଷ୍ଟ୍ର ପାକିସ୍ତାନକୁ ସେ ଶତ୍ରୁରାଷ୍ଟ୍ର ବୋଲି ଭାବୁଛନ୍ତି । ପାକିସ୍ତାନକୁ ତା'ର ନ୍ୟାଯ୍ୟ  ପ୍ରାପ୍ୟ ନଦେବା ପାଇଁ ଜିଦ ଧରି ବସିଥିବା ଦେଖୁ ତାଙ୍କ ଆଖିକୁ ଲୁହ ଆସିଗଲା । ବଲ୍ଲଭଭାଇ ପଟେଲଙ୍କୁ ସେ ଛଳ ଛଳ ଆଖି ଏବଂ କୋହ କଂପିତକଣ୍ଠରେ କହିଲେ- ୟୁ ଆର୍ ନଟ୍ ଦି ସର୍ଦ୍ଦାର ଆଇ ୱାନ୍ସ ନୋ!

 

ତିନି
୧୫, ଜାନୁଆରୀ, ଗୁରୁବାର  ।
ଅନଶନର ତୃତୀୟ ଦିନ  । ମୋହନଦାସଙ୍କ ସ୍ୱାସ୍ଥ୍ୟର ଦୃତ ଅବନତି ଚିନ୍ତାର କାରଣ ହୋଇ ଉଠିଲା ।
ପରୀକ୍ଷା ପରେ ଜଣାପଡ଼ିଲା, ମୂତ୍ର ନିଷ୍କାସନ ଗ୍ରନ୍ଥି ଗୁରୁତର କ୍ଷତିଗ୍ରସ୍ତ ହୋଇଥଶବାରୁ ଗାନ୍ଧି ପାନ କରୁଥିବା ଜଳ ଶରୀରରେ ଜମିରହୁଛି । ଏହା ତାଙ୍କର ହୃତପିଣ୍ଡକୁ ପ୍ରଭାବିତ କରୁଛି । ଫଳରେ ସେ ଧୀରେ ଧୀରେ ଅଚେତନ ଅବସ୍ଥା ଆଡ଼କୁ ଗତି କରୁଛନ୍ତି । ଅନଶନ ଭାଙ୍ଗି ଖାଦ୍ୟ ଗ୍ରହଣ ନ କଲେ ମୃତ୍ୟୁର କାଳ ଘୋର ଅନ୍ଧକାର ମଧ୍ୟରୁ ତାଙ୍କୁ ଫେରାଇ ଆଣିବା ଅସମ୍ଭବ ହେବ ।
ସର୍ତ ପୂରଣ ନ ହେଲେ ଅନଶନ ଭାଙ୍ଗିବା ପ୍ରଶ୍ନ ଉଠୁ ନାହିଁ ବୋଲି ଗାନ୍ଧି ମନା କରିଦେଲେ । ଦେଶବାସୀଙ୍କୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜଣାଇବା ପାଇଁ ତାଙ୍କର ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ସୁଶୀଳା ନାୟାର ଏକଘଣ୍ଟା ବ୍ୟବଧାନରେ ତାଙ୍କ ସ୍ୱାସ୍ଥ୍ୟ ବୁଲେଟିନ ଦିଲ୍ଲୀ ବେତାର କେନ୍ଦ୍ରକୁ ପ୍ରଚାର ପାଇଁ ପଠାଇବାକୁ ଲାଗିଲେ ।
ଦିଲ୍ଲୀ ବେତାର କେନ୍ଦ୍ରରୁ ପ୍ରସାରିତ ଗାନ୍ଧିଙ୍କ ସ୍ୱାସ୍ଥ୍ୟର ଗୁରୁତର ଅବସ୍ଥା ପ୍ରଥମେ ପାକିସ୍ତାନରେ ହି ହଲଚଲ ସୃଷ୍ଟି କଲା । ଆରମ୍ଭ. ହୋଇଗଲା ପାକିସ୍ତାନର ମସଜିଦମାନଙ୍କରେ ଗାନ୍ଧିଜୀଙ୍କ ଦୀର୍ଘ ଜୀବନ କାମନା କରି ସାମୂହିକ ପ୍ରାର୍ଥନା  । ଗାନ୍ଧିଜୀଙ୍କ ଅନଶନ ବ୍ରତ ଭଙ୍ଗ ପାଇଁ ପାକିସ୍ତାନର ବ୍ୟାକୁଳତା ହିନ୍ଦୁସ୍ଥାନର ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ପ୍ରଭାବିତ କଲା । ସେମାନେ ହଜାର ହଜାର ସଂଖ୍ୟାରେ ଦିଲ୍ଲୀ ଏବଂ ଆଖପାଖ ଅଂଚଳରୁ ଶୋଭାଯାତ୍ରାରେ ଆସି ଗାନ୍ଧିଜୀଙ୍କୁ ଅନଶନ ଭାଙ୍ଗିବା ପାଇଁ ଅନୁରୋଧ କଲେ । ବାପୁଜି! ଆପଣଙ୍କ ଜୀବନ ରକ୍ଷା ପାଇଁ ଆମେ ନିଜ ଜୀବନକୁ ବଳିଦାନ ଦେବାକୁ ପ୍ରସ୍ତୁତ । ଏଇ ସ୍ମୋଗାନ ଲେଖା ପ୍ଲାକାର୍ଡ ଧରି ସବୁଧର୍ମ, ସବୁଜାତି ଓ ବୃତ୍ତିର ଲୋକେ ବିରଳା ଉଦ୍ୟାନ ପ୍ରଧାନ ଫାଟକ ପାଖରେ ଜମାହେଲେ । “ଗାନ୍ଧି ମଲେ ହିନ୍ଦୁ ବଞ୍ଚିବେ”- ସ୍ଲୋଗାନ ଦେଇ ଗତ ତିନି ଦିନରେ ପାକିସ୍ତାନରୁ ବିତାଡିତ ଯେଉଁସବୁ ହିନ୍ଦୁ ଶରଣାର୍ଥୀ ଶୋଭାଯାତ୍ରା କରୁଥିଲେ, ତାଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଜୀବନକୁ ବଳି ଦେବାପାଇଁ ଶୋଭାଯାତ୍ରାରେ ଆସୁଥିବା ସବୁଧର୍ମର ଲୋକସଂଖ୍ୟା ସେମାନଙ୍କ ତୁଳନାରେ ପ୍ରାୟ ଦଶଗୁଣ ଥୁଲା  ।
ଏମାନଙ୍କ ମଧ୍ୟରେ ଅନେକ ଥିଲେ-ପାକିସ୍ତାନରୁ ଜୀବନ ବଞ୍ଚାଇବାଲାଗି ପଳାଇ ଆସିଥୁବା ଶରଣାର୍ଥୀ!
ଗାନ୍ଧିଜୀଙ୍କ ସ୍ୱାସ୍ଥ୍ୟର ଦୃତ ଅବନତି ଏବଂ ମୃତ୍ୟୁ ଭୟ ଭାରତ, ପାକିସ୍ତାନ - ଉଭୟ ଦେଶର ଜନମତ ଗାନ୍ଧିଜୀଙ୍କ ସପକ୍ଷରେ ପ୍ରବଳ ହୋଇ ଉଠିବା ଫଳରେ ଭାରତର କେନ୍ଦ୍ର ସରକାରଙ୍କ ଉପରେ ଚାପ ମଧ୍ୟବଢ଼ିବାକୁ ଲାଗିଲା  ।
ପାକିସ୍ତାନକୁ ତା'ର ପ୍ରାପ୍ୟ ପଞ୍ଚାବନ କୋଟି ଟଙ୍କା ଦେବା ନିଷ୍ପଭି ଉପରେ ଗାନ୍ଧିଜୀଙ୍କ ଜୀବନ-ରକ୍ଷା ନିର୍ଭର କରୁଥୁଲା । ଭାରତ-ଆତ୍ମା ମୋହନଦାସ ଗାନ୍ଧିଙ୍କ ଜୀବନ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନେହେରୁ ଜରୁରୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକ ଡାକିଥିଲେ । ସର୍ଦାର ପଟେଲଙ୍କ ବିରୋଧ ସତ୍ତେ୍ୱ୍ୱ କ୍ୟାବିନେଟ ବୈଠକରେ ପାକିସ୍ତାନକୁ ତା’ର ପ୍ରାପ୍ୟ ପଞ୍ଚାବନ କୋଟି ଟଙ୍କା ଦେବା ପ୍ରସ୍ତାବ ଗୃହୀତ ହୋଇଯାଇଥିଲା  ।

୧୮, ଜାନୁଆରୀ, ରବିବାର
କଂଗ୍ରେସ ସଭାପତି ରାଜେନ୍ଦ୍ର ପ୍ରସାଦଙ୍କ ଅଫିସ ଟେଲିଫୋନ ବାଜିଉଠିଲା । କିଏ? ବିରଳାଭବନରୁ ପ୍ୟାରେଲାଲଙ୍କ ଫୋନ୍, ଗାନ୍ଧିଜୀଙ୍କ ଅବସ୍ଥା ଶୋଚନୀୟ । ଅଧଘଣ୍ଟାଏ ମଧ୍ୟରେ ନ ପହଞ୍ଚିଲେ, ସେ କୋମାକୁ ଚାଲିଯାଇ ପାରନ୍ତି  । ତାଙ୍କର ସବୁ ସର୍ତ୍ତ ପୂରଣ ହୋଇଥିବା ପ୍ରମାଣପତ୍ର ନ ଆଣିଲେ ତାଙ୍କ ଅବସ୍ଥାର କୌଣସି ପରିବର୍ତନ ଘଟିବାର ସମ୍ଭାବନା ନାହିଁ ବୋଲି ମଧ୍ୟ ପ୍ୟାରେଲାଲ୍ ସ୍ୱଷ୍ଟ କରିଦେଇଥୁଲା  । ପାକିସ୍ତାନକୁ ତା’ର ପ୍ରାପ୍ୟ ପଞ୍ଚାବନ କୋଟି ଟଙ୍କା ଦେବାପାଇଁ କେନ୍ଦ୍ର କ୍ୟାବିନେଟ ପ୍ରସ୍ତାବ ଏବଂ ରାଜଧାନୀ ସହରରେ ସବୁ ଧର୍ମ ଓ ସବୁ ବର୍ଗର ଲୋକେ ସାମ୍ପ୍ର୍ଦାୟିକ ଭାଇଚାରା ବଜାୟ ରଖୁବା ଲାଗି ସ୍ୱାକ୍ଷର କରିଥୁବା ଶପଥପତ୍ର ସାଙ୍ଗରେ ଧରି ରାଜେନ୍ଦ୍ର ପ୍ରସାଦ ବିରଳାଭବନରେ ପହଞ୍ଚିଲେ । ସେତେବେଳକୁ ଲକ୍ଷାଧିକ ବିଭିନ୍ନ ଧର୍ମ୍ମ, ସମ୍ପ୍ଦଦାୟର ଲୋକ ଗାନ୍ଧି ଦର୍ଶନ ପାଇଁ ଅନଶନ ମଣ୍ଡପ ବାହାରେ ଅପେକ୍ଷା କରିଥିଲେ  । ମୋହନଦାସଙ୍କ ଖଟିଆ ପାଖରେ ସେତେବେଳେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ଜବାହାରଲାଲ ଏବଂ କଂଗ୍ରେସର ପୂର୍ବତନ ସଭାପତି ମୌଲାନା ଆଜାଦ  ।
ରାଜେନ୍ଦ୍ର ପ୍ରସାଦ ପହଞ୍ଚିବା ମାତ୍ରେ ନିର୍ବାକ, ନିଷ୍ପନ୍ଦ ଭାବରେ ଆଖୁବୁଜି ଶୋଇ ରହିଥିବା ମୋହନଦାସଙ୍କ ଖଟିଆ ପାଖରେ ଆଣ୍ଠେଇ ପଡି ତାଙ୍କ କାନ ପାଖରେ କହିଲେ- ବାପୁଜି! ଦିଲ୍ଲୀରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଭାଇଚାରା ଫେରାଇ ଆଣିବା ପାଇଁ ସାତ ସର୍ତ୍ତମୂଳକ ଶପଥପତ୍ରରେ ଯେଉଁମାନଙ୍କ ସ୍ୱାକ୍ଷର ଆପଣ ଚାହିଁଥିଲେ, ସେ ସମସ୍ତ ନିଜ ନିଜ ସ୍ୱାକ୍ଷର ଦେଇ ସାରିଛନ୍ତି । ସେମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଅଛନ୍ତି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ହିନ୍ଦୁ ମହାସଭାର ପ୍ରତିନିଧି କାଲି ପର୍ଯ୍ୟନ୍ତ ଶପଥ ପତ୍ରରେ, ସ୍ୱାକ୍ଷର କରି ନ ଥିଲେ ବୋଲି ଆପଣ ଅନଶନ ଭାଙ୍ଗିବା ପାଇଁ ମନାକରି ଦେଇଥିଲେ । ଆଜି ସେହି ଦୁଇ ସଂଗଠନର କର୍ମକର୍ତା ଦସ୍ତଖତ କରିଛନ୍ତି । ପାକିସ୍ତାନରେ ହିନ୍ଦୁ ଶିଖ ଅଧିବାସୀମାନଙ୍କ ଉପରେ କୌଣସି ପ୍ରକାର ଅବିଚାର କିମ୍ା ଅତ୍ୟାଚାର କରାଇ ନ ଦେବା ଲାଗି ପାକିସ୍ତାନ ସରକାର ଘୋଷଣା କରିଛନ୍ତି । ଆପଣଙ୍କୁ ତାହା ଜଣାଇ ଦେବା ଲାଗି ଭାରତରେ ନିଯୁକ୍ତ ପାକିସ୍ତାନ ହାଇକମିଶନର ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ଆପଣ ନିଜ ପ୍ରତିଶ୍ରୁତି ରକ୍ଷାକରି ଅନଶନ ଭଙ୍ଗ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି  । ମୋହନଦାସ କିଛି କହିବା ପାଇଁ ଚେଷ୍ଟାକଲେ, କିନ୍ତୁ ତାଙ୍କ କ୍ଷୀଣ କଣ୍ଠସ୍ୱର ଶୁଣାଗଲା ନାହିଁ  ।
ତାଙ୍କ ଅସ୍ପଷ୍ଟ ଉଚ୍ଚାରଣ ଅନେକ ସ୍ପଷ୍ଟ ବୁଝିପାରନ୍ତି ମନୁ ଗାନ୍ଧି  । ସେ ଗାନ୍ଧିଜୀଙ୍କ ଓଠ ପାଖକୁ ନିଜ କାନକୁ ନେଇ ସେ ଯାହା କହିଲେ- ତାକୁ ଖଣ୍ଡେ କାଗଜରେ ଲେଖି ପ୍ୟାରେଲାଲଙ୍କ ହାତକୁ ବଢ଼ାଇ ଦେଲେ ।
“ମତେ ଯାହା କୁହାଯାଉଛି ତାହା କେବଳ ଦିଲ୍ଲୀରେ ଶାନ୍ତି ପ୍ରତିÂାପାଇଁ; କିନ୍ତୁ ମୁଁ ଚାହେଁ ସାରା ଦେଶରେ ହିହୁୂ-ମୁସଲମାନଙ୍କ ମଧ୍ୟରେ ଭ୍ରାତୃଭାବ ପ୍ରତିÂା ହେଉ । କାରଣ ଭାରତରେ କେବଳ ହିନ୍ଦୁ ରହିବେ, ମୁସଲମାନମାନେ ତଡ଼ା ଖାଇବେ, ମୁଁ ଏଭଳି ରାଷ୍ଟ୍ର ଗଠନ ଚାହିଁ ନ ଥୁଲି । ଏବେ ମଧ୍ୟ ଚାହେଁ ନାହିଁ । ଭାରତବର୍ଷରେ ବସବାସ କରୁଥୁବା ମୁସଲମାନ ଏବଂ ପାକିସ୍ତାନରେ ରହିବାକୁ ଚାହୁଁଥବା ହିନ୍ଦୁମାନେ ଯେପରି ସୁରକ୍ଷିତ ରହନ୍ତି, ସେ ବିଷୟରେ ସରକାର ଏବଂ ସର୍ବସାଧାରଣ ମତେ ଦୃଢ଼ ପ୍ରତିଶ୍ରୁତି ନ ଦେଲେ, ମୋର ବଞ୍ଚି ରହିବାର କୌଣସି ପ୍ରୟୋଜନ ନାହିଁ ।”
କଂଗ୍ରେସ ସଭାପତି ରାଜେନ୍ଦ୍ର ପ୍ରସାଦ, ପ୍ରଧାନମନ୍ତ୍ରୀ ନେହେରୁ ଏବଂ ପାକିସ୍ତାନ ହାଇକମିଶନର ସେ ସମ୍ପର୍କରେ ଦୃଢ଼ ପ୍ରତିଶ୍ରୁତି ଦେଲା ପରେ ଗାନ୍ଧିଜୀ ଅନଶନ ଉଦ୍ୟାପନ କରିବା ଲାଗି ରାଜି ହୋଇଥ୍ୱଲେ । ଗାନ୍ଧିଜୀ ଅନଶନ ଭାଙ୍ଗିବା ପାଇଁ ରାଜି ହୋଇଛନ୍ତି ବୋଲି ଜଣାପଡ଼ିବା ମାତ୍ରେ ବିଦେଶୀ ସାମ୍ବାଦିକ ଏବଂ ଫଟୋଗ୍ରାଫର ଗାନ୍ଧିଜୀଙ୍କ ଖଟିଆ ଚାରିପଟେ ଘେରିଗଲେ । ଆଭା ଗାନ୍ଧି ଗ୍ଲୁକୋଜ ମିଶ୍ରିତ ଏକ ଗ୍ରାସ କମଳାରସ ପ୍ରଧାନମନ୍ତ୍ରୀ ନେହେରୁଙ୍କ ହାତକୁ ବଢ଼ାଇ ଦେବାମାତ୍ରେ ମୌଲାନା ଆଜାଦଙ୍କ ସହ ଆବେଗ-କମ୍ପିତ ହାତରେ ଉଭୟ ଗାନ୍ଧିଜୀଙ୍କ ଓଠ ପାଖକୁ ତାହା ବଢ଼ାଇ ଦେଲେ ।
ବାହାରେ ସମବେତ ଲକ୍ଷ କଣ୍ଠରୁ ମହାତ୍ମାଗାନ୍ଧିଙ୍କ ଜୟ ଧ୍ୱନିରେ ଦିଲ୍ଲୀର ଗଗନ ପବନ ପ୍ରକମ୍ପିତ ହୋଇଉଠିଲା ।
ଆଭ ଠିକ୍ ସେତିକି ବେଳେ ଯେଉଁ ତିନିଜଣ ଗାନ୍ଧି ମଲେ ହିଁ ଭାରତ ହିନ୍ଦୁରାଷ୍ଟ୍ର ହେବ ବୋଲି ସ୍ୱପ୍ନ ଦେଖୁଥିଲେ - ସେ ତିନିଜଣ, ନାଥୁରାମ ଗଡସେ, ନାରାୟଣ ଆପ୍ତେ ଏବଂ ଦିଗମ୍ବର ବାଡଗେ, ଉତ୍ତର ବମ୍ବେର “ସଭରକର ଭବନ”ର ଦୁଇ ମହଲା କୋଠା ଲୁହା ଗେଟ ପାଖରେ ଠିଆ ହୋଇଥିଲେ, ଅନ୍ଧକାରରେ  ।
ବୀର ସରଭରକରଙ୍କ ଅନୁମତି ମିଳିବା ପରେ ଖୋଲିଗଲା ଲୁହାର ଫାଟକ ।
ଆପ୍ତେ, ଗଡସେ ଏବଂ ବାଡ଼ଗେ ସିଧା ଉପର ମହଲାକୁ ଉଠିଗଲେ । ସେ ତିନିଜଣଙ୍କ ପାଇଁ ଅପେକ୍ଷା କରିଥିଲେ ବୀର ସରଭରକର ।
ନାଥୁରାମ ଆଣ୍ଠୁମାଡ଼ି ବସିପଡ଼ି ତାଙ୍କ ପାଦରେ ଓଠ ଲଗାଇ ଚୁମା ଖାଇଲା ବେଳେ ବୀର ସରଭରକର ତାଙ୍କୁ ମନ୍ତ୍ରଦୀକ୍ଷା ଦେଲା ଭଳି କହିଲେ - ମରିବା ପାଇଁ ଗାନ୍ଧି ଅନଶନ କରୁ ନ ଥିଲେ । ହିନ୍ଦୁରାଷ୍ଟ୍ର ଗଠନ ବିରୋଧରେ ଜନମତ ସୃଷ୍ଟି କରିବା ଥୁଲା ତାଙ୍କର ଅସଲ ଲକ୍ଷ୍ୟ । ନାଥୁରାମ ଗୁରୁଦେବଙ୍କ ହାତ ନିଜ ମୁଣ୍ଡ ଉପରେ ରଖି ପ୍ରାର୍ଥନାକଲା- ଆପଣ ମତେ ଆଶୀର୍ବାଦ କରନ୍ତୁ- ହିନ୍ଦୁରାଷ୍ଟ୍ର ଗଠନ ପଥରକଣ୍ଟାକୁ ଉପାଡ଼ି ଫୋପାଡ଼ି ଦେବାରେ ମୁଁ ସଫଳ ହୁଏ  । ଆଶୀର୍ବାଦର ପୁଷ୍ପ ବୃଷ୍ଟି ପରେ ତିନିହେଁ ସଭରକର ଭବନ ଛାଡ଼ି ବାହାରକୁ ଚାଲି ଆସିଲେ । ବମ୍ବେ ଗୋଏନ୍ଦା ପୁଲିସ ଦୃଷ୍ଟି ଏଡ଼ାଇବା ପାଇଁ ବାଡଗେ ହିନ୍ଦୁ ମହାସଭା ଅଫିସକୁ ଚାଲିଗଲା ପରେ ଗଡସେଏବଂ ଆପ୍ତେ ସି ଗାର୍ଡେନ୍ ହୋଟେଲ ଉଦ୍ଦେଶ୍ୟରେ ଟ୍ୟାକ୍ସି ଧରିନେଲେ  ।
ଚାରି
ପାକିସ୍ତାନକୁ ତା'ର ପ୍ରାପ୍ୟ ପଞ୍ଚାବନ କୋଟି ଟଙ୍କା ଦେବା ପ୍ରସ୍ତାବ କ୍ୟାବିନେଟରେ ସର୍ଦ୍ଧାର ପଟେଲଙ୍କ ଇଚ୍ଛା ବିରୁଦ୍ଧରେ ଗୃହୀତ ହୋଇଥିଲା । ଅନଶନ ଭାଙ୍ଗିବା ପୂର୍ବରୁ ଗାନ୍ଧିଜୀଙ୍କୁ ଏକଥା ଜଣା ନ ଥିଲା ।
ଜାନୁଆରୀ ଉଣେଇଶ ତାରିଖ ଦିନ ଅନଶନ ଭାଙ୍ଗି ଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବାକୁ ଆସିଥିଲେ ବଲ୍ଲଭଭାଇ  । ସେହି ଅବସରରେ ଗାନ୍ଧିଜୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମନ୍ତ୍ରିମଣ୍ଡଳ ବୈଠକରେ ପ୍ରସ୍ତାବ ପାସ ହୋଇଥିବା କଥା ଉଲ୍ଲେଖ କରି ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାପାଇଁ ନିଜର ଇଚ୍ଛା ପ୍ରକାଶ କରିଥିଲେ ।
ସର୍ଦାରଙ୍କ କଥା ଶୁଣି ମୋହନଦାସଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା ।
ସେଦିନ ସନ୍ଧ୍ୟାରେ ପ୍ରାର୍ଥନା ସଭା ଶେଷରେ, ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ସବୁକଥା କହି ବଲ୍ମଭଭାଇଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ସେ ସମ୍ମତି ଦେବେ ବୋଲି ସୂଚନା ଦେଇଥିଲେ । ଦେଶ ବିଭାଜନ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନେହେରୁ ଏବଂ ପଟେଲଙ୍କ ମଧ୍ୟରେ ମତ ବିଭାଜନ ଧର୍ମ ନିରପେକ୍ଷ ସଦ୍ୟ- ସ୍ୱାଧୀନ ଗଣତାନ୍ତ୍ରିକ ଭାରତବର୍ଷକୁ ଆଲୋକ ବଦଳରେ ଅନ୍ଧକାର ଗର୍ଭକୁ ନିକ୍ଷେପ କରିବ ବୋଲି ଗାନ୍ଧିଜୀ ଆଶଙ୍କା କରିଥଲେ  । ଲର୍ଡ ମାଉଣ୍ଟ ବ୍ୟାଟେନ ସର୍ଦାର ପଟେଲଙ୍କ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରସ୍ତାବକୁ ଅଗ୍ରାହ୍ୟ କରିଥୁଲେ । ସର୍ଦ୍ଧାର ପାକିସ୍ତାନ କିମ୍ ଇସଲାମ ବିରୋଧୀ ନୁହନ୍ତି । ସେ ନେହେରୁଙ୍କ ପ୍ରଧାନମନ୍ତ୍ରିତ୍ୱର ବିରୋଧୀ  । ଉଭୟ ପରସ୍ପରର ପରିପୂରକ  । ଜଣକୁ ବାଦ ଦେଲେ ଅନ୍ୟଜଣକ ଦୁର୍ବଳ ହୋଇଯିବ । ସେ ଦୁର୍ବଳତାର ସୁଯୋଗ ନେଇ ସାମ୍ପ୍ରଦାୟିକ ଶକ୍ତି ଦେଶରେ ଅରାଜକତା ସୃଷ୍ଟି କରିବେ  । ଏଭଳି ଅବସ୍ଥା ପାଇଁ ଭାରତବର୍ଷ ପ୍ରସ୍ତୁତ ନୁହେଁ । ଆପଣ ସର୍ଦାରକୁ ବୁଝାଇ ଦେଲେ ସବୁ ଠିକ୍ ହୋଇଯିବ ।
ଲର୍ଡ ମାଉଣ୍ଟ ବ୍ୟାଟେନଙ୍କ କଥାର ଗୁରୁତ୍ୱ ବୁଝିଲେ ଗାନ୍ଧି । କିନ୍ତୁ ସର୍ଦାରଙ୍କୁ ସେ କିପରି ବୁଝାଇବେ ଯେ ପାକିସ୍ତାନ ହିନ୍ଦୁସ୍ଥାନର ଶତ୍ରୁରାଷ୍ଟ୍ର    ନୁହେଁ । ପଡୋଶୀ ବନ୍ଧୁ ଦେଶ  । ଭାରତବର୍ଷ କେବଳ ହିନ୍ଦୁମାନଙ୍କ ମାତୃଭୂମି ନୁହେଁ, ମୁସଲମାନମାନଙ୍କ ମଧ୍ୟ ଜନ୍ମଭୂମି!
ବଲ୍ଲଭଭାଇ ଏକଥା ବୁଝି ମଧ୍ୟ ଅବୁଝା ହେଉଥିବାରୁ ଏ ପରିଣତ ବୟସରେ ତାଙ୍କୁ ଏହା ବୁଝାଇବା କଥା ଭାବିଲେ ତାଙ୍କୁ ଚାରିଆଡ଼ ଅନ୍ଧକାର ଦେଖାଯାଉଥିଲା । ଅନ୍ଧାର ଭିତରେ ଅଣ୍ଡାଳି ହୋଇ ବଞ୍ଚିରହିବାର ଇଚ୍ଛା କ୍ରମଶଃ ତାଙ୍କର ଲୋପ ପାଇଯାଉଥୁଲା ।
ପାଞ୍ଚ
ଜାନୁଆରୀ, ୨୯, ୧୯୪୮  ।
ମଧ୍ୟାାହ୍ନ । ସାତଦିନ ଅନଶନ ପରେ ତାଙ୍କର ସ୍ୱାସ୍ଥ୍ୟ କିପରି ଅଛି ଦେଖିବା ପାଇଁ ପଣ୍ଡିତ ନେହେରୁଙ୍କ ଭଉଣୀ କୃଷ୍ଣା ହାତୀ ସିଂ, କନ୍ୟା ଇନ୍ଦିରା, ଚାରିବର୍ଷର ନାତି ରାଜୀବ ଏବଂ କବି ସରୋଜିନୀ ନାଇଡୁ ବିରଳା ଭବନରେ ପହଞ୍ଚିଥିଲେ ।
ସେମାନେ ସିଧା ଗାନ୍ଧି ଖରା ପୁଆଁଉ ଥିବା ବଗିଚାକୁ ଚାଲିଗଲେ । କୃଷ୍ଣା ଇନ୍ଦିରାଙ୍କୁ ଲକ୍ଷ୍ୟ କରି ଗାନ୍ଧି କହିଲେ । ତାହାହେଲେ ମତେ ଦେଖୁବା ପାଇଁ ରାଜକନ୍ୟାମାନେ ଆସିଗଲେ!
କୃଷ୍ଣା ମନ୍ତବ୍ୟ କଲେ“ ଆପଣ ମଧ୍ୟ ମହାତ୍ମା ନୂହନ୍ତି । ଜଣେ ମହାରାଜା ଭଳି ଦେଖା ଯାଉଛନ୍ତି । ସାତଦିନର ଉପବାସ ଆପଣଙ୍କୁ ଦୁର୍ବଳ କରି ଦେଇଥିଲେ ମଧ୍ୟ ଆପଣଙ୍କ ରୌଦ୍ର ସ୍ନାତ ଦେହରୁ ଏକ ଅଲୌକିକ ଜ୍ୟୋତି ବାହାରୁଛି ।
ଅଳ୍ପ ସମୟ ପରେ ଆମେରିକାନ୍ “ଲାଇଫ୍' ମାଗାଜିର୍ର ଫଟୋଗ୍ରାଫର ମାର୍ଗାରେଟ ହ୍ୱାଇଟ ଆସି ପହଞ୍ଚିଲେ ଏକ ସାକ୍ଷାତକାର ନେବାପାଇଁ, ଗାନ୍ଧିଜୀ ତାଙ୍କୁ ଏହି ସମୟରେ ସାକ୍ଷାତ କରିବା ଲାଗି ସମୟ ଦେଇଥିଲେ ।
ମାର୍ଗାରେଟଙ୍କ ପ୍ରଥମ ପ୍ରଶ୍ନ ଥୁଲା - ଆପଣ ଅନେକ ଆଗରୁ ଅନେକଥର ଏକଶହ ପଚିଶ ବର୍ଷ ବଞ୍ଚିବାକୁ ଚାହାନ୍ତି ବୋଲି କହିଥିଲେ । ବର୍ଭମାନ ସୁଦ୍ଧା ଆପଣ କ'ଣ ସେହି ଇଚ୍ଛା ପୋଷଣ କରୁଛନ୍ତି?
ଗାନ୍ଧିଜୀ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲେ- ପୃଥିବୀରେ ଭୟଙ୍କର ଅଘଟଣ ଘଟୁଛି  । ଏ ଅନ୍ଧକାର ସମୟରେ ମୁଁ ବେଶି ଦିନ ବଞ୍ଚି ରହିବାକୁ ଚାହେଁ ନାହିଁ ।
ଠିକ୍ ଏଇ ସମୟରେ ସାମ୍ପ୍ରଦାୟିକ ଦଙ୍ଗାରେ ମୃତାହତ, ଗୃହଶୂନ୍ୟ ହୋଇଥବା ଏକ ଗ୍ରାମର ଉତ୍ତ୍ୟକ୍ତ ଲୋକେ ହଠାତ୍ ବଗିଚା ଭିତରକୁ ପଶିଆସି ଗାନ୍ଧିଙ୍କୁ ଲକ୍ଷ୍ୟ କରି କହିଲେ- ଆପଣଙ୍କ ମୁସଲମାନ ପୋଷଣ ନୀତି ଯୋଗୁଁ ଆମେ ସର୍ବସ୍ୱାନ୍ତ ହୋଇଛ୍ଥୁ, ଆପଣ ଦିଲ୍ଲୀ ଛାଡ଼ି ହିମାଳୟ ଚାଲିଗଲେ ଆମେ ଶାନ୍ତିରେ ରହିବୁ  ।
ଦଙ୍ଗାଗ୍ରସ୍ତ କ୍ରୋଧୀ ଗ୍ରାମବାସୀମାନଙ୍କ ଭର୍ତ୍ସନାବେଳେ ଇନ୍ଦିରାଙ୍କ ଚାରିବର୍ଷର ପୁଅ ବଗିଚାରୁ ଫୁଲ ତୋଳୁଥିଲା । ସେ ଆଞ୍ଜୁଳା ଭର୍ଭି ଫୁଲତକ ଆଣି ଗାନ୍ଧିଜୀଙ୍କ ପାଦ ଉପରେ ଅଜାଡି ଦେଲା । ଗାନ୍ଧି ସ୍ନେହରେ ରାଜୀବର ପିଠି ଆଉଁଶି କହିଲେ- ଆଉ କେବେ କୌଣସି ଲୋକର ପାଦରେ ଫୁଲ ଦେବୁ ନାହିଁ  । କାରଣ ମୃତ ଲୋକଙ୍କ ପାଦରେ ଫୁଲ ଦିଆଯାଏ; ଜୀବନ୍ତ ମଣିଷ ପାଦରେ ନୁହେଁ  । ଗାନ୍ଧିଜୀଙ୍କ କଥା ଶୁଣି ଇନ୍ଦିରାଙ୍କ ମୁହଁ ଶୁଖିଗଲା  । ଚାରିବର୍ଷର ପୁଅ ବାପୁଙ୍କ ପାଦରେ ଫୁଲଦେବା ଏକ ଅଶୁଭ ସଂକେତ ବୋଲି ଭୟରେ ସେ ଶିହରି ଉଠିଲେ ।
ଅଶୁଭ ୨୯ର ସଂକେତ ଯେ ଆସନ୍ତା କାଲି ଜାନୁୟାରୀ, ୩୦ ରେ ସତ୍ୟ ପ୍ରମାଣିତ ହେବ, ସେ କଥା ଅଦୃଶ୍ୟ ନିୟତି ଭିନ୍ନ ଅନ୍ୟ କେହି ଅନୁମାନ ସୁଦ୍ଧା କରିପାରି ନ ଥିଲେ ।
ଛଅ
ଜାନୁଆରୀ, ୩୦, ୧୯୪୮  ।
ଗତ ରାତ୍ରିରେ ମୋହନଦାସଙ୍କର ସୁନିଦ୍ରା ହୋଇ ନ ଥିଲା । ପାକିସ୍ତାନକୁ ପ୍ରାପ୍ୟ ପଞ୍ଚାବନ କୋଟି ଟଙ୍କା ଦେବା ପ୍ରସଙ୍ଗକୁ କେନ୍ଦ୍ର କରି ନେହେରୁ-ପଟେଲଙ୍କ ମଧ୍ୟରେ ମତାନ୍ତର ମନାନ୍ତରରେ ପହଞ୍ଚିଯାଇଥିଲା । ସେ ଦୁଇଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥୁବା ମତଭେଦକୁ କିପରି ଦୂର କରାଯାଇ ପାରିବ, ସେ କଥା ଭାବି ଥଳକୂଳ ପାଉ ନ ଥିଲେ ଗାନ୍ଧି । ସେଥିପାଇଁ ରାତିରେ ତାଙ୍କର ବାରମ୍ବାର ନିଦ୍ରାଭଙ୍ଗ ହୋଇଥିଲା ।
ଅନ୍ୟଦିନ ଅପେକ୍ଷା ସେଦିନ ସେ ସହଳ ଶଯ୍ୟାତ୍ୟାଗ କରିଥୁଲେ  । ସମୟ ଭୋଅର ତିନିଟା ତିରିଶ ।
କାହାରି ସାହାଯ୍ୟ ନ ନେଇ ସେଦିନ ସେ ସ୍ନାନ କରିବା ପାଇଁ ଏକା ବାଥରୁମକୁ ବାହାରିଲା ବେଳେ, ମନୁ ଗାନ୍ଧି ବିସ୍ମୟରେ ପ୍ରଶ୍ନ କରିଥିଲେ- ବାପୁ ! ଆଜି ଆପଣ ଏକା ବାଥରୁମ୍ ଚାଲିଯାଇ ପାରୁଛନ୍ତି?
ଉତ୍ତରରେ ଗାନ୍ଧିଜୀ ଗୁରୁଦେବ ରବୀନ୍ଦ୍ରନାଥଙ୍କ କବିତାର ସେଇ ଧାଡ଼ି ଆବୃତ୍ତି କରିଥୁଲେ- “ଯଦି ତୋର୍ ଡାକ୍ ଶୁନେ କେଉ ନ ଆସେ, ତବେ ଏକଲା ଚଲୋରେ-”
ଗାନ୍ଧିଜୀଙ୍କ କଣ୍ଠରେ ରବୀନ୍ଦ୍ରନାଥଙ୍କ ସେଇ ସଙ୍ଗୀତ ନୂତନ ଅଭିଧା ଖୋଜି ପାଇଥୁଲା ।
ଅପରାହ୍ଣରେ ପ୍ରାର୍ଥନା ସଭାକୁ ଯିବା ପୂର୍ବରୁ ଗାନ୍ଧି ସର୍ଦାର ପଟେଲଙ୍କ ସହ ଗୁରୁତର ଆଲୋଚନାରେ ବ୍ୟସ୍ତଥିଲେ । ଆଲୋଚନା ଅପରାହ୍ଣ ଚାରିଟାବେଳେ ଆରମ୍ଭ ହୋଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ମତଭେଦ ଦୂର ହେବାର କୌଣସି ସୂଚନା ମିଳୁ ନ ଥିଲା ।
ଅନ୍ୟ ଦିନମାନଙ୍କ ଅପେକ୍ଷା ସେଦିନ ପ୍ରାର୍ଥନା ସଭାରେ ଜନଗହଳି ଅଧିକ ଥିଲା । ସେଠାରେ ଖାକି ପୋଷାକ ପିନ୍ଧି ମହାତ୍ମାଙ୍କୁ ଅପେକ୍ଷା କରି ଠିଆ ହୋଇ ରହିଥିଲା ମଧ୍ୟ ନାଥୁରାମ ଗଡସେ ।
ପ୍ରାର୍ଥନା ସଭାର ନିର୍ଧାରିତ ସମୟ ଅପରାହ୍ଣ ପାଞ୍ଚଟା ବାଜିଗଲେ ମଧ୍ୟ ନେହେରୁ ପଟେଲଙ୍କ ମଧ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ମତ ମତାନ୍ତରର ଅଙ୍କକଷା ଛିଡ଼ୁ ନ ଥିବାରୁ ଗାନ୍ଧି ଆଲୋଚନା ସ୍ଥଗିତ ରଖି ଆସି ପାରୁ ନ ଥିଲେ ।
କିନ୍ତୁ ସର୍ଦାରଙ୍କ କନ୍ୟା ମଣିବେନ ଯେତେବେଳେ ଗାନ୍ଧିଜୀଙ୍କୁ ପ୍ରାର୍ଥନା ସମୟ ଦଶ ମିନିଟ ଡେରି ହୋଇଗଲାଣି ବୋଲି ମନେ ପକାଇଦେଲେ, ସେ ପଟେଲଙ୍କୁ ତାଙ୍କ କଥା ଭାବିଚିନ୍ତି ଦେଖୁବାକୁ କହି ଉଠି ଆସିଲେ ।  ।
ବିଳମ୍ବିତ ସମୟକୁ ଆଉ ଦୀର୍ଘ ନ କରିବାକୁ ଗାନ୍ଧି ଦୃଢ଼ ପଦରେ ପ୍ରାର୍ଥôନା ସଭାରେ ପହଞ୍ଚିବା ମାତ୍ରେ ଭିଡଠେଲି ଆଗକୁ ମାଡି ଆସିଲା ନାଥୁରାମ, ଦୁଇହାତ ଯୋଡ଼ି ଗାନ୍ଧିଜୀଙ୍କୁ ଭକ୍ତି ନିବେଦନ କଲା ବେଳେ ଗାନ୍ଧି ମଧ୍ୟ ଦୁଇ ହାତ ଯୋଡ଼ି ତା'ର ପ୍ରତ୍ୟୁତ୍ତର ଦେଲେ । ଆଉ ସେଇ ସୁଯୋଗରେ ନାଥୁରାମ ତା'ର ଯୋଡ଼ହସ୍ତ ପାପୁଲି ମଧ୍ୟରେ ଥିବା ସ୍ୱୟଂକ୍ରିୟ ପିସ୍ତଲରୁ ଲାଗ ଲାଗ ତିନିଟି ଗୁଳି ଫାୟାର କଲା । ଗାନ୍ଧିଜୀଙ୍କ ବକ୍ଷ ବିଦୀର୍ଣ୍ଣ ହୋଇଗଲା  । ବିରଳା ଭବନ ପ୍ରାର୍ଥନାସଭାର ଚଟାଣରେ ଲୋଟିପଡ଼ିଲା ତାଙ୍କର ରକ୍ତାକ୍ତ ଦେହ  ।
ଇତିହାସର ଧୂସର ଦିଗବଳୟ ଗାନ୍ଧି ରକ୍ତରେ ଲୋହିତ ହୋଇଗଲା ।
ବିରଳା ଭବନରେ ହେଲା ବିରଳ ସୂର୍ଯ୍ୟାସ୍ତ!

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment